Unknown

 

 

 

 

 

 

 

 

 

 

ବିଦଗ୍ଧ ଚିନ୍ତାମଣି

ବିଦଗ୍ଧକବି ଅଭିମନ୍ୟୁ ସାମନ୍ତ ସିଂହାର

 

ପ୍ରଥମ ଛାନ୍ଦ

ମଙ୍ଗଳା ଚରଣ

ରାଗ-ମଙ୍ଗଳ

(ପଞ୍ଚାଶବର୍ଣ୍ଣ ନିୟମ)

 

ଅପ୍ରାକୃତ ପ୍ରେମମୂର୍ତ୍ତି ଜୟ ରାଧା ହରି

ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତାରି ।୧।

 

ଆଦି ଅନାଦି–କାରଣ ନିର୍ଗୁଣ ସଗୁଣ

ଆତ୍ମାରାମ ସନାତନ ବ୍ରହ୍ମନିରୂପଣ ହେ ।୨।

 

ଈଶ୍ୱର ସ୍ୱତନ୍ତ୍ର ସ୍ୱୟଂ ଭଗବାନ ତୁହି

ଇଚ୍ଛାମୟ ସର୍ବ ଶକ୍ତିବନ୍ତ ତତ୍ତ୍ୱ ବିହି ଯେ ।୩।

 

ଈଶ ଶେଷାଦି ସେବକ ସେବ୍ୟ ଏକା ତୁହି

ଇଷ୍ଟ ଅଭୀଷ୍ଟଦ ଦୟାନିଧି ଭାବଗ୍ରାହୀ ଯେ ।୪।

 

ଉତ୍ପତ୍ତି ପାଳନାନ୍ତ ତୋ ଭ୍ରୂଭଙ୍ଗୀ ବିକାରେ

ଉତପ୍ଳୁତ ତନ୍ତୁବାୟସୂତ୍ର ପରକାରେ ଯେ।୫।

 

ଊର୍ଣ୍ଣନାଭିବତ ଖେଳୁ ଇଚ୍ଛା ଶକ୍ତି ବଳେ

ଉଦ୍ଭବ ହୋଇତୁ ଧର୍ମ ସ୍ଥାପୁ କାଳେ କାଳେ ହେ।୬।

 

ଋକ୍‌ଯାଜୁ ସାମ ବହୁ ସ୍ମୃତିଶାସ୍ତ୍ର ଭେଦେ

ରୂପ ଗୁଣ ଯଶ ଅଛି ଅଶେଷ ସମ୍ପାଦେ ହେ।୭।

 

ରୁଚିର ଚରଣ ନଖ ଛଟାର ମହିମା

ଋକ୍ଷସଂଖ୍ୟା କଳ୍ପେ ନପାଇଲେ ସୀମା ହେ।୮।

 

ଲୁବ୍‌ଧକତାରକ ବ୍ରହ୍ମା ହର ଗର୍ବହର

ଲୁଟାଇ ପାର କୃପାରେ ମୁକତି ଭଣ୍ଡାର ହେ ।୯।

 

ଲୁଠ ଅଳି କରି କୋଳି ପାଇଁ ଯଶୋଦାଙ୍କୁ

ଲୋଲୁପ ଗୋପୀବନ୍ଦନାମ୍ବୁଜ ପୀୟୂଷକୁ ହେ।୧୦।

 

ଏମନ୍ତ ମହିମାବନ୍ତ ପ୍ରେମଭକ୍ତି ରସ

ଏକନିଷ୍ଠେ ଅଭିମନ୍ୟୁ କବି କରେ ଆଶ ହେ ।୧୧।

 

(ଇଚ୍ଛାତ୍ରୟ -୧ ଦୈନ୍ୟବୋଧିକା, ୨ ପ୍ରାର୍ଥନାମୟୀ, ୩ ଲାଳସାମୟୀ)

 

ଐରାବତ ଗତି ଅଣିମାଦି ଭୋଗ ମୁକ୍ତି

ଐଶ୍ୱର୍ଯ୍ୟଦିରେ ମୋ ଚିତ୍ତ ନୋହିବ ଆସକ୍ତି ହେ।୧୨।

 

ଓଷଧୀଶାନନ ହେ ମାଗୁଛି ପାଦଧରି

ଓ କରିବି ଆଲୋ ଦାସି, ଡାକିବେ କିଶୋରୀ ଯେ।୧୩।

 

ଔଦାଯ୍ୟ ଗାମ୍ଭୀର୍ଯ୍ୟାଦି ନିପୁଣ ପଦାଶ୍ରିତେ

ଔଷଧ ସେ ମୋର, ତୁମ୍ଭେ ବଶ ହେବ ସତେ ହେ।୧୪।

 

ଅନନ୍ତ କୋଟି ବ୍ରହାଣ୍ଡ ଈଶ୍ୱରୀ ଈଶ୍ୱର

ଅକୈତବ କରୁଣାକୁ ପରସ୍ପରେ କର ହେ।୧୫।

 

ଅନନ୍ତ ସିଦ୍ଧି ମୋହର ତୁମ୍ଭ ପଦାର୍ଚ୍ଚିତ

ଅବିଘ୍ନେ ହେଉ ସର୍ବଦା ଆଜ୍ଞାକର ଦତ୍ତ ହେ ।୧୬।

 

ଅନୁକ୍ରମଣୀ-

କାମନା-କଳପତରୁ ଚିନ୍ତାମଣି ନାମ

କଳ୍ପୁଛି କବିତ୍ୱେ ବର୍ଣ୍ଣିବାକୁ ତବ ପ୍ରେମ ହେ।୧୭।

 

ଖଗପତି ପୂର୍ଣ୍ଣକର ଏ ମୋର ମାନସ

କ୍ଷିତିପାବନ ମଙ୍ଗଳ ବର୍ଣ୍ଣିବି ତୋ ଯଶ ହେ।୧୮।

 

ଗୁଣଗ୍ରାହକେ ପାଇବେ ଚିନ୍ତିଲା ସୁପ୍ରେମ

ଗୀତ ହେବ ବିଦଗ୍‌ଧ ଚିନ୍ତାମଣି ନାମ ହେ ।୧୯।

 

ଘୃଣାରେ ଘୋଷିଲେ ନରେ ପାଇବେ ନିର୍ବାଣ

ଘୃତବତ ରସିକ ହୃଦକୁ ରବି ଜାଣ ହେ ।୨୦।

 

ଉଆଁସ ଅନ୍ଧାର ଅଜ୍ଞାନକୁ ଏ ଚନ୍ଦ୍ରମା

ଉଇଁଲା ରବି ଏ ଧୀରଚକ୍ର ସୁଖ ସୀମା ହେ।୨୧।

 

ଚନ୍ଦ୍ରରୁ ଶୀତଳ ସ୍ୱାଦୁ ସୂର୍ଯ୍ୟରୁ ବିମଳ

ଚରିତ ଗଙ୍ଗାନିର୍ମଳ ସିନ୍ଧୁରୁ ଅଥଳ ହେ।୨୨।

 

ଛଦ୍ମାର୍ଥିକ ଦମ୍ଭଧର ଚୂରଣକୁ ପବି

ଛଇଳ ଲୋକର ନବ ଗୁଣବତୀ ଛବି ହେ।୨୩।

 

ଲକ୍ଷଣ କ୍ରେମ-

ଯମକାଦି ଚିତ୍ର କାବ୍ୟ ପ୍ରବନ୍ଧ ପ୍ରବନ୍ଧ

ଯଥାଜାତ ଧନ୍ଦାଏଟି ବୁଧ ମନବୋଧ ହେ।୨୪।

 

ବୁଧ ଅଜ୍ଞ ବୋଧକ-

ଝଳି ମାର୍ଗ ପାଇବେ ପଥିକ ହେଲେ ଶ୍ରମୀ

ଝଗଡ଼ା ବାଟେ ପଶିଲେ ମୂର୍ଖ ହେବେ ଦମୀ ହେ।୨୫।

 

ନ୍ୟାୟାଦି ଶାସ୍ତ୍ର ପୁରାଣ ବୋଦାଗମ କାବ୍ୟ

ନ୍ୟାସ କଲା ଲୋକର ଏ ହୋଇବଟି ଭାବ୍ୟ ହେ।୨୬।

 

ଟାଣଚଣା ଚର୍ବଣ ନା-ରଦ କଲାପରି

ଟେକଓଜ ଭାଜିବ ଅବଶ୍ୟ ଶ୍ରମ କରି ହେ।୨୭।

 

ଠକ ନୋହେ ଗୁରୁକୃଷ୍ଣ ବଇଷ୍ପବେ ଯେହୁ

ଠିକେ ଏଥି ମର୍ମ ଜାଣି ପାରିବେଟି ସେହୁ ହେ।୨୮।

 

ଡାକି କହୁଛି ମୁଁ ରାଗମାର୍ଗ ଭକ୍ତଜନେ

ଡେରି କର୍ଣ୍ଣ ସସ୍ନେହତା କର ମୋ ବଚନେ ହେ୨୯।

 

ଢମପଣେ ବର୍ଣ୍ଣୁଛି ମୁଁ ଗୋବିନ୍ଦ ଚରିତ

ଢଗଢମାଳି ହେଲେହେଁ ସାକ୍ଷାତେ ଅମୃତ ହେ।୩୦।

 

ଅମ୍ବୁ ଯେ ହେଉ ସେ ହେଉ ଶାଳଗ୍ରାମସ୍ନାନେ

ଅଗ୍ରାହ୍ୟ କାହାର ପାଦୋଦକ ନାମ ଜ୍ଞାନେ ହେ।୩୧।

 

ତତ୍ତ୍ୱ ଏ ପରାୟେ ଭାବି ଏ ଗୀତ ରସିବ

ତୁଚ୍ଛ ମୋ ବଚନୁ ଚ୍ୟୁତ ବୋଲି ନକରିବ ହେ।୩୨।

 

ଥୋକେ ସ୍ଥଳ ହେବ ଦ୍ରାକ୍ଷା ଗୁଡ଼କୃତ ପାକ

ଥୋକେ ପାକ ନାରିକେଳ ଖର୍ଜୁର ରୋଚକ ହେ।୩୩।

 

ଦିବ୍ୟ ଅଦିବ୍ୟ ଭାଷାରେ ପଦ ହେବ ସିଦ୍ଧି

ଦେଖ ମହାଜନ ମାର୍ଗ-ପରମ୍ପରା ବିଧି ହେ।୩୪।

 

ଧ୍ରୁବ ଶଦ୍ଦ ସାକ୍ଷାତ ଉପମା ଅନୁମାନ

ଧରି ବିଚାରିଲେ ହେବ ଏଥି ଅର୍ଥଜ୍ଞାନ ହେ।୩୫।

 

ନୀରସ ଗୋରସ ପରିପାକ ପରା ହୋଇ

ନିଷ୍ଠାବେଳୁ ବେଳ ବୃଦ୍ଧି ହେବ ସ୍ୱାଦୁଦାୟୀ ହେ।୩୬।

 

ସାଧୁସ୍ତୁତି-

ପ୍ରେମ ପରିପାକ ଧୀର ଘନ ପରାୟେତ

ପାଣିଖାର କ୍ଷୀର ଦୁଇ କରନ୍ତି ଏକତ୍ୱ ହେ।୩୭।

 

ଫନ୍ଦା ମୁଁ କରିଛି ଏହି ଘେନି ତୁମ୍ଭ ପଦ

ଫୁଲପରି ଶିରୋଧାର୍ଯ୍ୟ ହେବ ମୋର ପଦ ହେ।୩୮।

 

ବିବେକ ଗ୍ରାହକ କୋଟି କବି ଆୟୁ ଘେନି

ବର୍ତ୍ତିଥିଲେ କବି କବିତ୍ୱ କି ହେବ ମ୍ଳାନି ହେ।୩୯।

 

ଭାବେ ବୈଶ୍ୟ ପରାୟେ ମୁଁ ମେଲିଛି ପସରା

ଭାବ, ସବୁ ଦ୍ରବ୍ୟକୁ ଗ୍ରାହକ ଲୋଡ଼ା ପରା ହେ।୪୦।

ଖଳନିନ୍ଦା-

ମହୁରା କବିତ୍ୱ ଦୋଷ ପସରାରେ ଥାଇ

ମଜ୍ଜିବେ ନାହିଁକି ଖଳେ ତାହା ନିତି ଧ୍ୟାୟି ହେ।୪୧।

 

ଯଥାଜାତ ବୁଦ୍ଧି ଶୁନୀପୁଚ୍ଛ ପ୍ରାୟେ ଘେନ

ଯଥୋଚିତ ନୋହେ ତାଙ୍କ ନିନ୍ଦନ ବନ୍ଦନ ହେ।୪୨।

 

ରାହୁ ବଡ଼ ବୋଲିବା କି ବିଧନ୍ତୁଦ ହେଲେ

ରସ ନିନ୍ଦୁକେ ସେପରି ବୋଲନ୍ତି ଅଖିଳେ ହେ।୪୩।

 

ଲାଭ ନଥିଲେ ହେଁ ସର୍ପ ପରାୟେ ଦଂଶନ୍ତି

ଲୀଳା କରି ରସ ଦେଲେ ବିଷ ଉଦ୍‌ଗାରନ୍ତି ହେ।୪୪।

 

ବାଇ ବୋଲିବେ ତ ବହୁ ନିନ୍ଦିଲେ ତାହାଙ୍କୁ

ବଡ଼ ଚିତ୍ର ନୋହେ ପିପୀଲିକା ବିନାଶକୁ ହେ।୪୫।

 

ସୁଜନେ ଆଦର ମିତ୍ରପରି ଏ କବିତ୍ୱ

ସର୍ବି ସୁମନା ସୁରସ କରିଛି ଏକତ୍ୱ ହେ।୪୬।

 

ସରଘା ପରାୟେ ଅଳ୍ପବୁଦ୍ଧି ଶକ୍ତିହୀନ

ସଂସାରେ କେବଳ ମଧୁକୋଷ କୀର୍ତ୍ତି ଘେନ ହେ।୪୭।

 

ସ୍ୱାଦ ଆସ୍ୱାଦନ କଲେ ଚିତ୍ତ ମଗ୍ନ ହେରା

ସଂସାର ସାଗର ବୁଡ଼ା ବାଧ ବ୍ୟାଧି ଯବ ହେ।୪୮।

 

ହରେକୃଷ୍ଣ ରାମନାମ ଯହିଁ ସେହି ତତ୍ତ୍ୱ

ହରେଷେ ରସ ଏ ଘେନି ସାଧବ ଏ ଗୀତ ହେ।୪୯।

 

କ୍ଷମାନିଧି କୃଷ୍ଣ ଅବିଘ୍ନରେ ପୂର୍ଣ୍ଣ କର

କ୍ଷମେ ଭଣେ ଅଭିମନ୍ୟୁ ସାମନ୍ତ ସିଂହାର ହେ।୫୦।

 

ଦ୍ୱିତୀୟ ଛାନ୍ଦ

 

କୃଷ୍ଣଙ୍କର ବାଳ ପୌଗଣ୍ଡ ଲୀଳା

ରାଗ-ମଙ୍ଗଳ

(ଆଦ୍ୟ ଯମକ, ସଙ୍ଗମ ତିଆରି ବାଣୀ)

 

ଧୀରେ ଧୀରେ ଶୁଣ ଏ ଉତ୍ତାରୁ ଚରିତ।

ପୁଣ୍ୟ ପୁଣ୍ୟଜନେ କଲେ ସଂସାରୁ ହତ।୧।

 

ମହୀ ମହୀଶଙ୍କ ତାପ ଅମାପ ହେଲା।

ନାଗନାଗରେ ଅବନୀ ବୁହା ନଗଲା।୨।

 

ପର ପରଜାଙ୍କ ବିତ୍ତ ହରିଲେ ବଳେ।

ସୁର ସୁର ଦ୍ୱେଷ-ତ୍ରାସେ ବିରସ ହେଲେ।୩।

 

ନରଙ୍କ ନରକ ଅତିଶୟ ହୋଇଲା ।

ତପ ତପବନ୍ତଙ୍କର ଥୟ ନୋହିଲା ।୪।

 

ବିଧିରେ ବିଧିରେ ମୁନି ଯାଇଁ କହିଲେ।

ଅସୁର ଅସୁର ଦର୍ପେ ଦେବେ ତ ହେଲେ।୫।

 

ଲୋକେ ଲୋକେଶ ଯେ ଦୟାକରି ବିଚାରି

ସର୍ବ ସର୍ବସୁର ମୁନି ଘେନି ବାହାରି ।୬।

 

ଚିତ୍ତେ ଚିନ୍ତେ କ୍ଷୀରସିନ୍ଧୁ ତୀରେ ବିଧାତା

ହର ହରଷରେ ହରି ସକଳ ଚିନ୍ତା।୭।

 

ଅନନ୍ତ ଅନନ୍ତ ଶୟନରେ ତା ଜାଣି

ଲୋକେ ଲୋକେ ଜନମି ତାରିବି ମୁଁ ପୁଣି।୮।

 

ନିଦରେ ନିଦରେ ଥାଅ, ବିଧିରେ କହି

ସିତା ସିତାଙ୍ଗଜ ରୋମ ଦେଲେ ଯେ ତହିଁ।୯।

 

ବ୍ରହ୍ମା ବ୍ରହ୍ମାଣ୍ଡକରତା ଆଦେଶ ପାଇ

ଚିତ୍ତେ ଚିନ୍ତେ ଏରୂପେ ଜନ୍ମିବେ ଗୋସାଇଁ।୧୦।

 

ସୁମନସେ ସୁମନସେ ବିଧାତା ହୋଇ

ଦର ଦରଧର ବିନାଶିବେ ବୋଲାଇ।୧୧।

 

ଅରି ଅରି ଧରି ହରି କରିବେ ନାଶ

ଶ୍ରବଣେ ଶ୍ରବଣେ ସୁର ମୁନିଏ ତୋଷ।୧୨।

 

ଜୟ ଜୟ କହି ନିଜ ପରକୁ ଗଲେ

ସାତ୍ୱତ ସାତ୍ୱତ କୁଳେ ଜାତ ଇଚ୍ଛିଲେ ।୧୩।

 

ଦେବକୀ ଦେବକିନ୍ନରେ ତାରଣ ପାଇଁ

ଜନ ନିବାସ ଜନନୀବାସକୁ ଧ୍ୟାୟି।୧୪।

 

ଲୋକେ ଲୋକେ ଜନ୍ମବାଦ ପ୍ରକାଶ କରି

ଧରାଧରା ଜାତ ମାତା ଧରାର ପୁରୀ।୧୫।

 

ଜନଙ୍କ ଜନଙ୍କ ନଜାଣିମାରେ ନେଇ

ଗୋପେ ଗୋପ୍ୟ ନନ୍ଦଘରେ ବହନ ଥୋଇ।୧୬।

 

ନନ୍ଦନନ୍ଦନ ଯେ ମାୟା ଆଶ୍ରିତ ହୋଇ

ଜାତ ଯାତନାକୁ ଥିଲେ ସ୍ୱହିତେ ପାଇ।୧୭।

 

ଅଙ୍ଗ ଅଙ୍ଗ ଘନ ବିଦ୍ୟୁ ପ୍ରାୟେ ମିଶିଲା

ପରପରମାତ୍ମାରେ କି ଜୀବ ପଶିଲା।୧୮।

 

ଶକ୍ତି ଶକ୍ତିବନ୍ତ ତାତେ ପାଲଟ ଦେଲେ

ମାୟା ମାୟାରେ ତା’ ବସୁଦେବ ଯେ ନେଲେ।୧୯।

 

କଂସ କଷଣ ବିହିଲା ପ୍ରାତେ ତା ଜାଣି

ଖରେ ଖରେ ଅନ୍ତର୍ଦ୍ଧାନ ସେ ଠାକୁରାଣୀ।୨୦।

 

ଅରି ଅରିଧର ତୋର ଜାତ ଭୂ-ଲୋକେ

ଜୀବ ଯିବ ଦୁଷ୍ଟଙ୍କର ଶୂନ୍ୟରେ ଡାକେ।୨୧।

 

ଶ୍ରବଣେ ଶ୍ରବଣେ କଂସ ଦେବୀ ଭାରତୀ

ବୁଦ୍ଧି ବୃଦ୍ଧି ବିଷ୍ଣୁବାଦେ କଲା ସେ ନିତି।୨୨।

 

ବଳଭଦ୍ର ବଳଭଦ୍ର ରୋହିଣୀ –ସୁତ

ଅନନ୍ତ ଅନନ୍ତମୂର୍ତ୍ତି ଆଗହୁଁ ଖ୍ୟାତ।୨୩।

 

କୃଷ୍ଣ କୃଷ୍ଣ ମୂର୍ତ୍ତି ଧରି ପୁଣି ଜନ୍ମିଲେ

ଯଶୋଦୟା ଯଶୋଦୟାକାରୀ ସେ ହେଲେ ।୨୪।

 

ସିତା ସିତାମ୍ବୁଜ ମୁଖ ଯୁଗଳ ଦେଖି

ଜନନୀ ଜନନିଚୟ ଅତ୍ୟନ୍ତ ସୁଖୀ।୨୫।

 

ରାମ ରାମଶ୍ୟାମ ବାଳକାଳ ପାଳନ

ଶେଷ ଶେଷ କରିବେ କି କଲେ କଥନ।୨୬।

 

ଆନ ଆନନ୍ଦକୁ ଲକ୍ଷ୍ୟ ଦେବାର ନୋହେ

ଜନ ଜନକ ଜନନୀ ମନକୁ ମୋହେ।୨୭।

 

ପୂତନାମା ପୂତନାମାରଣକୁ କଲେ

ଶକଟ ସଙ୍କଟରୁ ନିଶଙ୍କେ ତରିଲେ ।୨୮।

 

ତୃଣା ତୃଣାବଳୀ ପରି ହେଲା ବିନାଶ

ବତ୍ସା ବତ୍ସାରଖାଠାରେ ହୋଇଲା ନାଶ।୨୯।

 

ବକ-ବକତ୍ର ଚିରିଲେ ଦ୍ୱିଫାଳ କରି

ଅଘ ଅଘରଷର ତାଳୁ ବିଦାରି।୩୦।

ଯାମଳା ଯାମଳା ପୂର୍ବ ଶାପୁଁ ତରିଲା

ବୃଷ ବ୍ରୁଷଶ୍ରେୟେ ହରି ହସ୍ତରେ ମଲା।୩୧।

 

ଧେନୁକ ଧେନୁକପାଳ ତାଳାର୍ଥେ ନାଶି

ଫୁଟି ଫୁଟିଲାର ପରି ନାଶିଲା କେଶୀ।୩୨।

 

କାଳୀ କାଳିଆ ଚରଣେ ଦଳି ହୋଇଲା

ଧର ଧରଣରେ ଇନ୍ଦ୍ର ବାଦେ ହାରିଲା।୩୩।

 

ବିଧୀରେ ବିଧୀରେ ବତ୍ସା ହରଣେ ଗଞ୍ଜି

ଗୋକୁଳ ଗୋକୁଳ ସୁତ ହୋଇଣ ରଞ୍ଜି ।୩୪।

 

କଦମ୍ବ କଦମ୍ବ ତଳେ ନାସିଲେ ରାମ

କନ୍ଦରେ କନ୍ଦରେ ଚାପ କଲେ ଯେ ସମ ।୩୫।

ବ୍ୟୋସ ବ୍ୟୋମ ପଥେ ନେଉଁ ମୁଥରେ ମାରି

ପ୍ରଳମ୍ବ ପ୍ରଳମ୍ବ କେଶ ଧରି ସିଂହାରି।୩୬।

ନନ୍ଦ ନନ୍ଦକ ଧାରଣ ବନ୍ଦିରୁ ତାରି

ଜାତବେଦ ଜାତବେଦ ଗର୍ଭେ ସଂହରି।୩୭।

ମହୀ ମହିମାକୁ ଦେଖି ହେଲା ହରଷ

ଗଣେଷ ଗଣେଶରେ ସେ ହେବ କି ଶେଷ।୩୮।

ହେଲା ହେଳାରେ ଏମାନ ବାଲ୍ୟ ପୌଗଣ୍ଡେ

କବି କବି ହେଲେ କହି ନୋହିବ ତୁଣ୍ଡେ।୩୯।

ନ ବରଷେ ନବରସେ ବଳିଲା ମନ

ଆର ଆର ଛାନ୍ଦେ ତା ଶୁଣିମେ ସୁଜନ।୪୦।

ବିଦଗ୍‌ଧ ବିଦଗ୍‌ଧ ଚିନ୍ତାମଣି ଏ

ଶ୍ୟାମ ସାମନ୍ତସିଂହାର କରଇ ଲୟେ।୪୧।

 

ତୃତୀୟ ଛାନ୍ଦ

କୃଷ୍ଣଙ୍କ କୈଶୋର ବର୍ଣ୍ଣନା

ରାଗ- ରସକୋଇଲା

(ଅନ୍ୟାନୁପ୍ରାସ)

 

କୃଷ୍ଣ ପଉଗଣ୍ଡ କାଳ ଅନ୍ତରେ।

ନବ କିଶୋର ବୟ ଆଗତରେ।

ଶୋଭା ବିଚେଷ୍ଟା ବାହାର ଭିତରେ।

ଦୀପ୍ତିବନ୍ତ ହେଲେ ସ୍ଥାନ ଅନ୍ତରେ ସେ ।

ଘେନ ଧୀବନ୍ତେ ଚିତ୍ତରେ ହେ।

କ୍ରମେ କ୍ରମେ ଦିନୁ ଦିନୁ ଅନୁଆନ

ରୀତି ଖ୍ୟାତି ଅତିତରେ ଯେ।୧।

 

ଇନ୍ଦ୍ରନୀଳମଣି ଝଳି ଦର୍ପଣ ।

ଯୋଖ କରିବା ଯେବେ ପଣ ପଣ।

ତେବେ କାହାର କାନ୍ତି ବଡ଼ପଣ ।

ହାରି କାନ୍ତକି ହେବ ସମର୍ପଣ ସେ।

ତହିଁ ଲାବଣ୍ୟ ରୋପଣ ଯେ।

ଚିତ୍ରଭଙ୍ଗୀ ମାନ ଗାତ୍ର ସଙ୍ଗୀ ହେଲେ

ମୂର୍ତ୍ତିବନ୍ତରେ ଆପଣ ଯେ।୨।

 

ସଂସାର-କାନ୍ତି ସାରକୁ ଆଣିଲା ।

ଅମୃତ ମିଶାଇ ବାଟି ଛାଣିଲା ।

ବିହି ମୂରତିକି ନିର୍ମାଣିଲା ।

ମର୍କତ –ରସାଣରେ ରସାଣିଲା ଯେ।

ଉପମା ସୃଷ୍ଟି ଜିଣିଲା ଯେ।

ମୋହନ ମନ୍ତ୍ରରେ ଜୀବନ୍ୟାସ

କରି ସାର ସଂସାରେ ଗଣିଲା ଯେ।୩।

 

ଦେଖିବ ଯେବେ ସେ ଶୋଭା ମୂରତି ।

ଶିବଙ୍କୁ ପ୍ରଂଶସା କରିବ ରତି ।

ପତି ନିନ୍ଦା କଲେ ପରବରତା ।

ମୋ ଛାତି ହୁଅନ୍ତା ସିନା କରତି ସେ ।

ଅନାଇ ପତି ବରତୀ ଯେ।

ଆରତି ହୋଇ କେ ସୁରତି ଇଚ୍ଛାରେ

କରିବ ନାହିଁ ପୀରତ ଯେ।୪।

 

କଳା କମଳ ମର୍କତ ଆରଶି।

ଆନନ ମନ ନିଏ ଆକରଷି

ଦେଇ ନପାରି ଉପମା ଭରସି।

ଭଙ୍ଗୀରେ ଯୋଗିମନ ଯିବ ରସି ସେ।

ସ୍ମିତ-ସୁଧାକୁ ବରଷି ଯେ।

ଭରି ଘନରସ ଉଛୁଳାଇ ଦେଲେ

ନାଗରୀ ହୃଦ- ସରସୀ ଯେ।୫।

 

କ୍ରମେ ବଢନ୍ତେ ସୁଷମା-ତରଙ୍ଗ।

ଆଶ୍ରୟ କଲେ ଆସି ନାନାରଙ୍ଗ।

ଲକ୍ଷଣ ଚଞ୍ଚଳେ ଜିଣେ କୁରଙ୍ଗ।

ମଦ ବିଘୂର୍ଣ୍ଣିତ ଅଳପ ରଙ୍ଗ ସେ ।

ଭ୍ରୂଲତା କାମ ସାରଙ୍ଗ ଯେ।

ଇଙ୍ଗିତ ଭଙ୍ଗିମା ପ୍ରସଙ୍ଗେ ନାଚଇ

ଗଞ୍ଜିବା ପାଇଁ ସାରଙ୍ଗ ଯେ।୬।

 

ଗତି ମତିରୁ ଚଞ୍ଚଳ ଅଧୀରେ।

ପଳାଇ ରହିଲେ ନେତ୍ର ବିଧିରେ

ବ୍ରୀଡ଼ା ବିଚାରେ ରହିଲେ ବିଧିରେ।

ସୁରସକୁ ମନ ଭଜିଲା ଧୀରେ ସେ।

ନୋହେ ରଚନା ବିଧିରେ ଯେ।

ସମସ୍ତ ଭଙ୍ଗିମା ଗୁଣ ସାର୍ଥ ହେଲେ

ରହି ଆପଣା ସିଦ୍ଧିରେ ଯେ।୭।

 

ଯା ଶୋଭା ଭଙ୍ଗିମା ନେତ୍ର ପଥରେ।

ପଡ଼ିଗଲା ବିଶ୍ୱସୃକର ଥରେ ।

ଅନାୟତ୍ତରେ ହୃଦୟ ଥରେ ।

ଅବିଧି ବିଧି ରଚିଲା ଏ ଥରେ ସେ।

ଦ୍ରବିତ ହେଲେ ପଥରେ ଯେ।

ଗଉତମ କଲେ ଉତ୍ତମ ଏ ବାଞ୍ଛା

ଦେଲା ଅମର ନାଥରେ ଯେ ।୮।

 

ବାଳକାଳ-ରୀତି କ୍ରମେ ହଟିଲା।

ବାଳକ ସଙ୍ଗରୁ ମତି ତୁଟିଲା ।

ସମବୟା ସଖା ପ୍ରୀତି ଘଟିଲା ।

ଚାତୁରୀ କଥାମାନ ପ୍ରକଟିଲା ସେ।

କାମ ଚେଷ୍ଟା ଚହଟିଲା ଯେ।

ପତିବ୍ରତୀ –ମତି-ଧୃତି –ସମ୍ପତ୍ତିକି

ସମୂଳ କରି ଲୁଟିଲା ଯେ।୯।

 

କୈଶୋର ଗୁରୁ ଯେ ଭଙ୍ଗିମାବାର ।

ନିତି ନିତି କଲା ଶିଖାଇବାର।

ଇଙ୍ଗିତ ରଙ୍ଗେ ନେତ୍ର ଠାରିବାର।

ମନ୍ଦହାସରେ ଭାଷା କହିବାର ସେ।

ପ୍ରୀତି ଗୀତ ଗାଇବାର ଯେ।

ମତ୍ତବୃଷଗତି ଗଜଗତିମତି ହେଲା

ସତ ମୋହିବାର ଯେ।୧୦।

 

ସ୍ନେହ ବଳିଲା ତନୁ ଯତନରେ।

ଭୂଷା ମଣ୍ଡନ ହେଲେ ରତନରେ ।

ଚୂଡ଼ା ସଜଡ଼ା ଦିବ୍ୟ ସୁମନରେ ।

ରସିଲେ ରଙ୍ଗ ପୀତବସନରେ ସେ ।

ମନ ପାନ –ଚନ୍ଦନରେ ଯେ।

ସଙ୍ଗୀ ସଙ୍ଗରେ ସଙ୍ଗୀତ ପ୍ରସଙ୍ଗରେ

ଲୋଭ ଜାତ ସୁମନରେ ଯେ।୧୧।

 

ନବ ଯୁବତୀ –ପ୍ରେମ ଲମ୍ପଟରେ ।

ଛାତି ଫୁଲାଇ ଚାଲନ୍ତି ବାଟରେ।

କାହା ମନକୁ ହରନ୍ତି ନାଟରେ ।

କଣ୍ଡୁର ବୋଳନ୍ତି କାହା ଲାଟରେ।

ଜଗନ୍ତି ଜଳ ଘାଟରେ ଯେ।

ସୁନ୍ଦର ପୁରନ୍ଦର ଦିନ ହରନ୍ତି

ଆକଟରୁ କପଟରେ ଯେ ।୧୨।

 

ଭଙ୍ଗୀ ଭଙ୍ଗୀ-

ଭଙ୍ଗୀ ବିଷୟରେ କୃଷ୍ଣ ଗଣ୍ଠିଆ।

କାହା କଟିସ୍ଥିତ ଦେଖି ମାଠିଆ।

ବୋଲନ୍ତି ବନ୍ଧୁ ମୁଁ ତୋହେ ବେଠିଆ ।

ପାଣି ଆଣିବାକୁ ମୋତେ ପଠିଆ ।

ଶୁଣି ଗୋପୀ ହୋଇ ଠିଆ ଯେ।

ହସିଲା, ଭାଷିଲା, ବଢିଲାକୁ କାହ୍ନୁ

ହେଲୁ ଏଡ଼େ ଅପାଠିଆରେ।୧୩।

 

ଜଗି ଦଧି ବିକିଯିବା ବାଟକୁ।

ଗୋପୀଙ୍କି ମାଗନ୍ତି ଦିଅ ଘାଟକୁ।

ନେବି ମୁଁ ତନୁ ତନୁ ପୁରଟକୁ।

ଏତେ କହି ଯାଇଁ ଧରୁଁ ପଟକୁ ସେ ।

କେ ବୋଲେ ଏତେ ଲଟକୁ ସେ ।

ସଜନି କହ, ଗୋ-ରସ ଦେବା, ବାଟ

ଛାଡ଼ୁ, ଏ, ଯିବା ହାଟକୁ ଗୋ।୧୪।

 

ଭଙ୍ଗୀ ଛଳ-

କେ ତହିଁ ବୋଲେ କରି ଆକଟକୁ।

ଜାଣି ନାହିଁ କି ଏ କଂସ ରାଟକୁ।

କେ ବୋଲେ ବୁଝିବା କାଲି ନାଟକୁ।

ଶୁଖାଇବେ ମାତା ହାତେ ଛାଟକୁ ସେ।

କେ ବୋଲେ ନନ୍ଦ ଚାଟକୁ ଯେ।

ମୂର୍ଚ୍ଛିଲେ ଏ ଗୋପେ କେଉଁ ଗୋପୀ

ପୁଣି ରଖି ପାରିବ ଘଟକୁ ସେ ।୧୫।

 

ଔଦାର୍ଯ୍ୟ ଭଙ୍ଗୀ –

କେ ବୋଲେ କି କହୁଛ ଏ ବିଟକୁ ।

ମୁହିଁ ନ ଲଗାଅ କେହି ଧୁଟକୁ।

ଭଲ ବୁଝିଛ କି ଏହି ଖଣ୍ଟକୁ ।

ଜାଣି ନାହିଁ ତ ତାହା କପଟକୁ ସେ ।

ନେଳା ପୂତନା ଘଟକୁ ଯେ।

ନାରୀ ନାଶିବାକୁ ଆସିଛି ମହୀକି

ବାନ୍ଧି ସେହ୍ନା ମୁକୁଟକୁ ଯେ।୧୬।

 

କରରେ ଦେଇ କର ପଇଠିକି।

କହୁଛନ୍ତି କାହ୍ନୁ କେଉଁ ପେଣ୍ଠୀକି।

ତୁ ମୋର ସମାନ ହୃଦ କଣ୍ଠିକି ।

ମନେ ନ ରଖିବୁ କଥା ଗଣ୍ଠିକି ସେ।

ମୋ ଜାନୁ ବଇଠିକି ଯେ ।

ଦେଲି, ବିଜେକର ମହାଦେବି,

ମୋର ନଦିଅ ଲାଜେ ପିଠିକି ଯେ ।୧୭।

 

ସ୍ନେହଭଙ୍ଗୀ-

କେଉଁ ଗୋପୀ କହେ ମୁହଁ ହଲାଇ ।

କି କହୁଛୁ କାହ୍ନୁ ଛାତି ଫୁଲାଇ।

ବଡ଼ପଣ ଦେବୁଁ ସିନା ଭୁଲାଇ।

ତନୁଦାନମାଗୁ ନେତ୍ର ବୁଲାଇ ସେ।

ମଲେ ତ ଆମ୍ଭେ ମଲାଇଁ ହେ।

ଜୀବ ଥିଲେ ଦେଖାଯିବ ଗୋପୀ ପାଦ

ମୁଦିରେ ନେବେ ମୂଲାଇ ଯେ ।୧୮।

 

ଗର୍ବଭଙ୍ଗୀ-

କେ କହଇ ହରି ତୋର ବଡ଼ାଇ।

ରାଜା ଆଗେ କହି ଦେବୁଁ ଛଡ଼ାଇ।

ନନ୍ଦର ସମ୍ପତ୍ତି ଦେବୁଁ ଉଡ଼ାଇ।

ଦେବୁଁ ଗର୍ବେଶ୍ୱର ପଣ ବୁଡ଼ାଇ ସେ।

ମନ୍ଦିର ଦେବୁଁ ତଡ଼ାଇ ଯେ।

ଏଡ଼େ ଗରବ ଗୋପୀଙ୍କି ଘାଟ

ମାଗୁ ନନ୍ଦର ଗୋରୁ ଅଡ଼ାଇ ଯେ।୧୯।

 

ତର୍ଜନାଭଙ୍ଗୀ –

ଯେବେ ପରାଣ ଥିବ ପିଣ୍ଡରେ ।

ଆଉ ଦିନେ ନ ଯିବୁଁ ଦାଣ୍ଡରେ

କେଉଁ ପ୍ରୟୋଜନ ଏତେ ଦଣ୍ଡରେ ।

ଚାଲ ଗୋ ବାହୁଡ଼ି ଯିବା ଚାଣ୍ଡରେ ସେ।

ମାତିଛି ଫୁଲ କାଣ୍ଡରେ ଗୋ

ଚଣ୍ଡ ହୋଇ ଦେଖ ବିଖଣ୍ଡ କହୁଛି

ମଧୁର ନାହିଁ ତୁଣ୍ଡରେ ଗୋ ।୨୦।

 

ବିରକ୍ତି ଭଙ୍ଗୀ ଉକ୍ତି-

କୃଷ୍ଣ କହନ୍ତି ଯେ କରି ତର୍ଜନା।

ଏ ରୂପେ କେହି ଯେ ଆଉ ଗର୍ଜନା।

କୂଟ କପଟ ବଚନ ସର୍ଜନା।

ଆପଣା ଇଚ୍ଛାରେ ଦଣ୍ଡ ଅର୍ଜନା ସେ।

ମାନ ମହତ ବର୍ଜନା ଗୋ

ଅନ୍ୟାୟ କାହାର,ମାର ନୃପବର

ଛାମୁର ହେଉ ମାର୍ଜନା ଗୋ।।୨୧।

 

ଶୁଣି ଗୋପୀ ବଂଶ ହେଲେ ହରଷ।

ହୃଦରେ ପୂରିଲା ପ୍ରେମ-ସୁରସ।

ବୋଇଲେ ବିକି ଆସିବୁଁ ଗୋ-ରସ ।

ଦେଖି ଯାଉଥିବୁଁ ମୁଖ ସାରସ ସେ।

ବଢାଇଲନିତ ରସ ଯେ।

ତୁମ୍ଭ ବାଞ୍ଛା ପ୍ରତିବିମ୍ବିକାକୁ ଆମ୍ଭ

ହୃଦ ହେଲା ଆଦରଶ ଯେ ।୨୨।

 

ଲାଳସା ଭଙ୍ଗୀ ଉକ୍ତି-

କୃଷ୍ଣ ଧଇଲେ ଯେ ଗୋପୀଙ୍କ କର।

ବୋଇଲେ ମୁଁ ତୁମ୍ଭ କିଣାକିଙ୍କର ।

କର-ସାରେଣୀ ପରା ମୋତେ କର।

ସମାନ ମୁହିଁ ପଦ –ଯାବକର ସେ ।

ତୁମ୍ଭ ବଚନ ଶାକର ଯେ।

ବିନା ମୋ କାମନା ଆଉ ନାହିଁ

ବନ୍ଧୁ ଛୁଉଁଛି କୁଚ-ଶଙ୍କର ଯେ ।୨୩।

 

ଦୈନ୍ୟ ଭଙ୍ଗୀ ଉକ୍ତି-

ପରସ୍ପରେ ଏହି ରୂପ କହିଲେ।

ହସି ଗୋପୀ ବକ୍ର ନେତ୍ରେ ଚାହିଁଲେ।

ଜଗତ ମୋହନ ମନ ମୋହିଲେ ।

ଗୋପୀଙ୍କ ହୃଦରେ କୃଷ୍ଣ ରହିଲେ ସେ ।

ପ୍ରୀତି ଆରମ୍ଭ ପହିଲେ ଯେ।

ଭାବ ସନ୍ଧାନ ବିଧାନ ବରଧନ

ମାନସେ ଜାଗି ରହିଲେ ଯେ।୨୪।

 

ଦିନୁ ଦିନୁ ବଢାଇଲ ପୀରତି ।

ହଟ ନାଟ କାହିଁ କେତେ କରନ୍ତି।

ସେ ନଗ୍ରରେ ଯେତେ ପତି ବିରତୀ।

ତାହାଙ୍କର ମନ ହେଲା ଆରତି ସେ

ଧରି ନୋହିଲା ଧିରତି ଯେ।

ଲାଜ ଦୂରକଲେ ରତି ପତି ନିତି

ଛାତି ଦେବାରୁ କରତି ଯେ।୨୫।

 

କେବେ କୃଷ୍ଣ କାହା ପୁରେ ପଶନ୍ତି।

କେବେ ଗୋପୀ କେଉଁଠାକୁ ଆସନ୍ତି।

କେ କାହାଠାକୁ ଯେ ଦୂତୀ ପେଷନ୍ତି।

କେ କାହାର ଗୁଣ ଗଣ ଘୋଷନ୍ତି ସେ।

କେ କଣ୍ଟ ଜଗି ବସନ୍ତି ଯେ ।

ଆସନ୍ତି ରସନ୍ତି ମିଶନ୍ତି ଭାଷନ୍ତି

ହସନ୍ତି ରସେ ଭାଷନ୍ତି ଯେ ।୨୬।

 

ବ୍ରହ୍ମା ଶିବ ପରିଜନ ଯାହାର।

ସେ କରନ୍ତି ନାନାରଙ୍ଗେ ବିହାର।

ସେ ପ୍ରଭୁଙ୍କୁ ମୋର କୋଟି ଜୁହାର।

ଧୀର ଜନଙ୍କ ହୃଦୟ-ହାର ସେ।

ବୋଲେ ସମାନ୍ତ ସିଂହାର ଯେ।

କୃଷ୍ଣ ଲୀଳା ଗୀତ ଶୁଣିଲେ ମନକୁ

ହରିବ ନାହିଁ କାହାର ଯେ।୨୭।

 

ଚତୁର୍ଥ ଛାନ୍ଦ

 

ଶ୍ରୀ କିଶୋରୀ ଜୀଉଙ୍କ ଜନ୍ମାଦି ଲକ୍ଷଣ

ରାଗ-କଲ୍ୟାଣ ଆହାରୀ

ଧୀରେ ଘେନ ରାଧା ଜନ୍ମାଦି ଉତ୍ସବ,

ତତ୍ତ୍ୱ ସାଧୁଶାସ୍ତ୍ରେ ଖୋଜିବ

ବୃଷଭାନୁ ଭାନୁବଂଶୀରାଜ ହେଜ,

ଦୁନୁଜ କଂସରେ ବିଭାବ।

ଅବନ୍ତୀ, ତେଜି ଗୋକୁଳ ଯାବଟରେ

ରହି ନନ୍ଦାସ୍ପଦେ ଗୋକୁଳ ସମ୍ପଦେ,

ବୁତ୍ତି କଳ୍ପିତ ନୂତନରେ।୧।

 

ତାଙ୍କ ମହିଷୀ କୀର୍ତ୍ତିଦା ନାମ,

ରସି ଶ୍ରୀ ଗୋପେଶ୍ୱର ସେବା ଫଳେ

ଉଦର କ୍ଷୀର ସାଗରରୁ ପରମା

ମହାଲକ୍ଷ୍ମୀକି ଜାତ କଲେ।

ଦୁର୍ବାସା, ଜାତକ ବିଧି ସିନ୍ଧିବନ୍ତ

ର ରଶ୍ମିରସ, ଅଗ୍ନିବୀଜ ଅଧିକା

ଘେନି ରାଧିକା ନ ଦେଲେ ତ ।୨।

 

ଶ୍ରୀମତ ଉନ୍ନତ ଜାଣି ପୂର୍ଣ୍ଣମାସୀ

ଶ୍ରୀମତୀ ନାମ ପୁଣି ଦେଲେ

ବୃନ୍ଦା ବୃନ୍ଦାବନେଶ୍ୱରୀ ସାର୍ଥ କରି

ନାମ କଳ୍ପିତ ବିଚାରିଲେ।

ଜନକ, ରସି ରସବତୀ ବୋଇଲେ

ଜନନୀ ବିନୋଦିନୀ ବାମ ବିନୋଦ

ଭାବ ଆନନ୍ଦେ ଦତ୍ତ କଲେ ।୩।

 

ତ୍ରିରାତ୍ର ନେତ୍ର ବିମୁଦ୍ରିତ ହେବାରେ

ଜନକ ଜନନୀ ବିରସ

ଜାଣି ପୂର୍ଣ୍ଣମାସୀ ଆସି ଯଶୋଦାଙ୍କୁ

ଘେନାଇ ହେଲେ ପରବେଶ।

କୃଷ୍ଣଙ୍କୁ, କାଖରେ ଘେନି ନନ୍ଦ ରାଣୀ

ବିଲୋକନ୍ତେ, ବିଲୋକିଲେ, କୃଷ୍ଣ

ମୁଖ ପ୍ରଥମେ ଶୁଭ ସୁଲକ୍ଷଣୀ।୪।

 

କୃଷ୍ଣ-ସର୍ବେନ୍ଦ୍ରିୟ ଆହ୍ଲାଦିନୀ

ସର୍ବେନ୍ଦ୍ରିୟ ଆନନ୍ଦ ବରଧନ

କୃଷ୍ଣ-ଅଧରାମୃତ କ୍ଷୀର ପ୍ରଥମେ

ଯଶୋଦା କରାଇଲେ ପାନ।

ଏକଥା,ସନ୍ଧନୀ କଳାପ –ସମ୍ମତି

ଜନକ ଜନନୀ ସେହି ଦିନୁଦିନୁ

ଆନନ୍ଦ କଲେ ମତି।୫।

 

ବାଲ୍ୟଶୋଭା ବର୍ଣ୍ଣନା-

ସୁରଙ୍ଗ ବାଙ୍କିଆରେ ରଙ୍ଗା-ଦୋଳନ

ଶୋଭନ ଏସନ ମାନଇ

ପହୁଡ଼ି ରମା ଉମା ମୂର୍ତ୍ତିକି ଚାରୁ

-ପ୍ରବାଳ-ପଲଙ୍କେ ଅଛଇ?

ଲାଳନା, ପାଳନା ଦିନୁ ଦିନ ପାଇ

କଳାନିଧି କଳାବୃଦ୍ଧି ବିଧି

ରସନିଧି ସୁଷମା ବିରାଜଇ।୬।

 

ଅଗୁଳି ଅଙ୍ଗୁଳି ଧରି ଚାଲିବାର

ବାଡ଼ ଆଉଜା ଶୋଭା ଚାହିଁ

ରତି-ପତି-ମତି କଳ୍ପିଲା ଜଗତ

ଏହା ସାହାରେ ଦେବି ମୋହି।

ଶଙ୍କର, ଜିଣିମାରେ କେତେ ମାତର।

ହରିମନ ହରିବାକୁ ଏ

ଅମୋହ ଅସ୍ତ୍ର କି ଧାତାର।୭।

 

କାଛରେ ଇଚ୍ଛଲ ତୁଚ୍ଛ କ୍ଷଣକରେ

କରେ ଧୂଳି ଗାତ୍ର ମଣ୍ଡନ

ଗୋରଜ ପତନ କେତକୀ ଯତନ

ଶୋଭାକୁ କରଇ ଦଣ୍ଡନ।

ଶ୍ରୀମୁଖୁ, ସ୍ୱେଦ ଜନିତେ କି ସୁନ୍ଦର

ମୃଗାଙ୍କ-ଅଙ୍କରୁ ଅମୃତ ବିନ୍ଦୁକି

ପ୍ରତି ରୋମାଦ୍‌ଗମେ ପ୍ରଚାର।୮।

 

ପଞ୍ଚ ସଂବତ୍ସରେ ବିଦ୍ୟା ଆଦ୍ୟରମ୍ଭା

ଦମ୍ଭ କୁମ୍ଭ ଭଙ୍ଗୀ ଆଚରି

ଅସମା ନବସମାରେ ସମାପତ

ସମସ୍ତ କଲା ହେତୁ କରି।

ବିଦ୍ୟାକି ? ସ୍ୱୟଂସିଦ୍ଧ ମହାବିଦ୍ୟା ସେ

ବାଣୀ ଋଣୀ ହୋଇଥିଲେ ପୁଣି ଗୁଣି

ହୋଇଲେ ସକଳେ ମାନସେ ।୯।

 

ବୟଃ-ସନ୍ଧି ବର୍ଣ୍ଣନା-

ରୋହିଣୀ ଗଉରୀ ବୟ ଅତିକ୍ରମି

କନ୍ୟା ସନ୍ଧିକାଳ ହୋଇଲା

ବିଶ୍ୱକର୍ମା ସିଦ୍ଧି ପାଇ ରସନିଧି

ମୂର୍ତ୍ତି ମଦନ ସଜାଡ଼ିଲା

କୁମାରୀ, ପ୍ରୀତି ସୁକୁମାରୀ ତେଜିଲା

ପରିହାସୀ ସମବୟସୀ ରସିବା

ଆସି ମାନସରେ ମିଲିଲା।୧୦।

 

ଅତିଶୟୋକ୍ତି-

ସୁମତି –ଗତିରୁ ଅତି ଚଞ୍ଚଳତା

ଦୃଗଞ୍ଚଳକୁ ଆଶ୍ରେ କଲା

କଟି ଉନ୍ନତି ପ୍ରକଟି ଭୀରୁ ଚାରୁ

ଉରୁ ଗୁରୁତା ବଢାଇଲା।

ଅତୁଳା, ପିତୁଳା ଲୀଳା-ସ୍ନେହ ତେଜି

ସମ୍ବନ୍ଧ ବନ୍ଧ ପଟଳରେ ନିର୍ବନ୍ଧ ସେ

କାନ୍ତେ ଏକାନ୍ତେ ନିମଜ୍ଜି ।୧୧।

 

ହରଧର ରଜତର ଦେଖି ମାର

ପର ପରଶଂସା ନସହି

କନକ ମଞ୍ଜୁଳ ଶଇଳ ଯୁଗଳ

କି ସାର ଉର ଦେଶେ ବିହି।

ବଢାଏ, କ୍ରମେ କ୍ରମେ ତାର ଉନ୍ନତ

ମଦନ ମୋହନ ମିଶି ବେନି ଜନ

ସଦନ ତହିଁ କଲେ ସତ ।୧୨।

 

କି କାମ ପ୍ରେମ ହେମ ଚିତ୍ରଲ୍‌ତାରେ

ଶ୍ରୀଫଳ ଯୁଗ ଫଳାଇଲା।

ରତି-ପତି-ପ୍ରୀତି ଯୋଗସାଧନେ

କି ଉଟଜଯୁଗ ସରଜିଲା?

ସୁରତ-ରଙ୍ଗିଣୀ ରସାଗମନରେ

କି ମେରୁ ପର୍ବତ ଗୁରୁ ଐରାବତ

ଭେଦରେ ବଢନ୍ତି ଦ୍ୱନ୍ଦ୍ୱରେ।୧୩।

 

ସ୍ତନ ଉନ୍ନତ ଚକ୍ରବାଡ଼ ସୀମାକୁ ନେତ୍ର

କମଳ ନ ବଳିଲା

ତରୁଣ ଅରୁଣ-ଚରଣ ଯୁଗଳ

ଆଲୋକର ଯୋଗ ନୋହିଲା।

ରୋମାଳୀ, କଳି କୁଚ କରି ଶିକଳୀ।

କି କଳୀ କୁଣ୍ଡଳୀ ନାଭିବିଳେ ପଶେ

ସ୍ତନେ ପେଟିକାରୁ ନିକିଳି ।୧୪।

 

ଉପମାମାନେ ଅପମାନେ ପଡ଼ିଲେ

ସୁଷମା ସମ ନୋହିବାରେ

ରମା ଉମା ରତି ବାଣୀ ଆଣି

ଖ୍ୟାତି ହୋଇଲା ନାମ ଆଭାସରେ।

କାନ୍ତିକି, ଅଲକ୍ଷରେ ତିକ୍ତ ଚମ୍ପକ

କେତକୀ କଣ୍ଟକୀ ଦୁର୍ଗ ଆଶ୍ରେ କଲା

ଅଗ୍ନିରେ ଦାହିଲା କନକ।୧୫।

 

ନୟନ ଆନନ ହାସବାସ ବାହୁ

କର ଚରଣ ଉଦରକୁ

ଉପମା ଆଭାସେ କବି ଛି ଛି

ଭାସେ ମନ ଘେନିଲା ବିମନକୁ।

ପଙ୍କଜ, ତପକୁ ସାଧି ବିଷମେ

ଜଳ ପ୍ରବଳରେ ବଳେ ବୁଡ଼ିମଲେ

ମାନରେ ଧନ୍ୟ କଲେ ହିମେ।୧୬।

 

ଆଜଯାଏ ଗଜ ମୁଖ ନ ଟେକନ୍ତି

ଲାଜମତିରେ ଗତି ଚାହିଁ

ମୁଖ-ସାନ୍ଦ୍ରକୁ ପୂର୍ଣ୍ଣଚନ୍ଦ୍ର ନ ଘଟି

ଘଟିଲା ଦେହ ଚିନ୍ତାବିହି।

କପାଳ, ତୁଳ ଅଧକରେ ନୋହିଲା।

ଦଣ୍ଡ ଦେଲା ଗଣ୍ଡ ଖଣ୍ଡ ତ୍ରିଭାଗକୁ

ଦଳା ଚିବୁକ ଚାରିକଲା ।୧୭।

 

କଳାକରେ ରହି ହାସେ ଲାଜ

ବହି ପ୍ରପଦେ ଶରର ପଶିଲା

ହେବାପାଇଁ ଲକ୍ଷ ବୋଲାଇଲା

ନଖ ତେବେ ହେଁ ଛିକାର ପାଇଲା।

ସାଗରେ, ନିତି ଦିନ ଝାସ ଦିଆଇ

ନୋହିଲା ମରଣ ହୋଇଲା ସ୍ମରଣ

ସୁଧାପିଣ୍ଡ ହେଲି କି ପାଇଁ।୧୮।

 

ଉରୁବର ତୁଳା ସମେ ନୋହି

ତୁଳା କହଳୀ ଅନ୍ତସାର ଭିନ୍ନ

ଜାନୁ ଅନୁମାନ ଘେନୁଥାଇଁ

ସଂପଟକ ହୃଦୟ ହେଳା ଶୂନ୍ୟ।

ଅରୁଣ, ଅଧ ଋଣୀ ହୋଇବାରେ

ଦେଖାଇ ଦୀନତା କ୍ଷଣକେ ଆନତା

ମୂରତିକି କରେ ପ୍ରଖରେ ।୧୯।

 

ବିମ୍ବା ବିରାଗରେ ବଇରାଗୀ ବେଶ

ଧଇଲା ଭସ୍ମ ବିଲେପନେ

ବଳାଇ ମାନକୁ ଦଳାଇ ହୋଇଲା

ହିଙ୍ଗୁଳ ବଳିବା ଭାବନେ।

ଜବାତ,ଶିବା ସେବାକୁ ମୂଳକଲା।

ଆଉରଙ୍ଗମାନେ ବିଭଙ୍ଗ ଗୁମାନେ

କେ କାହିଁ ପଳାଇ ପଶିଲା।୨୦।

 

ସୁଧା,ବସୁଧା-ବିଶୁଦ୍ଧ ହାସ ଦେଖି

ବାସ ସ୍ୱର୍ଗେ କଲା ସଦ୍ରବେ

କର୍ପୂର ପୁରସ୍କାର କେତେ ମାତର

ତିକ୍ତଗୁଣ ବହେ ସ୍ୱଭାବେ।

କୁମୁଦ, ଜଳଦୁର୍ଗ ମଧ୍ୟେ ରହିଲା

ତୁଚ୍ଛ ପଉରୁଷ ସିନା କାଶ କୁଶ

ଜଳି ମିଳାଇ ଛିଡ଼ିଗଲା ।୨୧।

 

ଲୋକନ ବିଲୋକନେ ପଶି କାନନେ

ଚକିତ ଚଞ୍ଚଳ କୁରଙ୍ଗ

ଗଞ୍ଜନ ହୋଇ ଖଞ୍ଜନ ଗୁରୁ କଲା

ଲୋଭୀ ହୋଇ ଭଙ୍ଗୀ ପ୍ରସଙ୍ଗ।

ଚାହାଣୀ,ଦେଖି ମାର କଲା ସାୟକ

ଚାରୁ ଭୂରୁ ଦେଖି ନତ ଆମଞ୍ଚନେ

ହେଲା ଗୁଣବନ୍ତ କାର୍ମୁକ ।୨୨।

 

ଦର ଦର ଦରଶନରେ ବହଇ

ସୁକଣ୍ଠୀ ଗ୍ରୀବା ବିଲୋକନେ

ଦେବ ସେବା କଲା ସମାନ ନୋହିଲା

କରତାଇ ହେଲା ବହନେ।

ଦନ୍ତକୁ, ଚାହିଁ ହୀରା ଶାଣେ ବସିଲା

ମୋତି ହେଲା ଭେଦ ଦାଡ଼ିମ୍ବ

ବିପଦ ବିଶେଷ ହୃଦ ଫାଟିଗଲା ।୨୩।

 

ବୀଣା ପ୍ରବୀଣା ବାଣୀ ଶୁଣି ଲାଜରେ

ଖନା ପରାୟେ ସ୍ୱନ କଲା

ଲଭଲ୍ୟରେ ଶାରୀ ହାରୀ ବନେ ଗଲା,

ମଧୁରେ ପିକ ମୂକ ହେଲା।

ପାଟଳି, ପାଟଳି ଯାଏ ଶ୍ରୁତି ଦେଖି

ଚରମ ମନୋରମ ଚାହିଁ ଫଳକ

କମ୍ପେ ସ୍ୱନରେ କାଳେ ଲକ୍ଷି।୨୪।

 

ନାକଟେକ ଦେଖି ତିଳ ସୁମନସ

ମୋହିତ ମହୀତ ଭଜଇ

ତୂଣୀ ଗୁଣି ପୁଣି ଅଶରଣ ହୋଇ

ବୀରଙ୍କୁ ଶରଣ ହୁଅଇ।

ଏ ବିଧି, ଅବିଧିକି କଲେ ଉପମା

ପ୍ରେମାଧାମାରାମା ବାମା ନାମାଭାସେ

ଭାଳିଲେ ହେବ ପରା ବାମା।୨୫।

 

ପେଟି ଘଟିତକି ନିତମ୍ୱବିମ୍ବକୁ,

ବନ୍ଧନ ଲୋକରେ ଯାଉଛି

ମୃଦୁଳାକୁ ତୁଳା ନୋହି କରି ତୁଳା

ଦେହକୁ ପିଞ୍ଜାଇ ହେଉଛି।

ଅଶେଷ, ଶେଷରେ ତ ଶେଷ ନୋହିବ

କବି ଭାବି ହେଲେ ଏଥର ଆମ୍ଭର

ବଚନ ଅଳଂକୃତ ହେବ।୨୬।

 

ଅପ୍ରମିତ ମିତ ଦାସୀ ବିଗଣିତ

ମଧ୍ୟେ ଅନ୍ତରଙ୍ଗା ପ୍ରଭୃତି

ନକ୍ଷତ୍ର ନିଧି ସିଦ୍ଧିନାମା ପ୍ରସିଦ୍ଧି

ସଂଖ୍ୟାରେ ଏତିକି ଗଣନ୍ତି।

ତାଙ୍କର, ପାଞ୍ଚ ପ୍ରକାରରେ ବିଭଦେ

ଶାସ୍ତ୍ର ଅନୁମାନେ ଜାଣିମେ ସୁଜନେ

ଯେ ହେବ ତାପିନୀ ପ୍ରବିଦ ।୨୭।

 

କୃଷ୍ଣ ଶୋଭା ପ୍ରଭା ଦେଖି ଲୋଭା

ହୋଇ ସଭାରେ ରାଜନ ବିଚାରି

ସିନ୍ଧୁ ସମ୍ଭବା-ପରାଭବା-ବିଭାକୁ

ବିଭା କରିବା ମୂଳକରି।

ମହୀଶ,ମହିଷୀ ପୁରତେ କହିଲେ

ପୂର୍ବ ସନମତି ଚନ୍ଦ୍ରସେନ ମାତ ତୁଲେ ଅଛି,

ରାଣୀ ବୋଇଲେ।୨୮।

 

ସେ ପଦେ ହାସ୍ୟାସ୍ପଦ ରାଜା କରନ୍ତେ,

ଶୁଣି ଦୁର୍ବାସା ପୂର୍ଣ୍ଣମାସୀ

ଶାସ୍ତ୍ର ପ୍ରବର୍ତ୍ତାଇ ସେ ସତ୍ୟକୁ

ସ୍ଥାୟୀ ନିଜ ଶ୍ରେୟ ମନେ ମନାସି।

ଗୋବିନ୍ଦ, ପ୍ରେମ ସର୍ଜକ ବିଧି ଯେଣୁ

ପରକୀୟା ରସ ଉଲ୍ଲାସ ବିଶେଷ

ହେବାର ଭିଆଇଲେ ତେଣୁ।୨୯।

 

କିଶୋରୀ ରତନ ନୂତନ ଯତନ

ସୁଷମା ଘେନି କରି ମନେ

ଦୀନ ଅଭିମନ୍ୟୁ ସାମନ୍ତସିଂହାର

ଶରଣ ଇଚ୍ଛେ ପ୍ରତିଦିନେ।

ସାଧବେ, ମାଧବେ, ମୋହି ଯେ ପାରିବ

ବିଶ୍ୱ ବଇଭରା ଭବାବ୍‌ଧିତାରଣ

କାରଣ କଉଁ ଅସମ୍ଭବ।୩୦।

 

ପଞ୍ଚମ ଛାନ୍ଦ

ଶ୍ରୀରାଧା ନାମ ଶ୍ରବଣ

ରାଗ-ଚକ୍ରକେଳି

(ବାଚକ ବ୍ୟାବୃତ୍ତି ଲକ୍ଷଣ, ଅ-ପୂର୍ବାନୁପ୍ରାସ)

 

ଅ-ପୂର୍ବାନୁପ୍ରାସ ଏ ଛାନ୍ଦ ରସ।

ଅକୈତବରେ ଘେନ ହେ ବିଦୁଷ।୧।

 

ଅଜ ଅନଘ ଅନନ୍ତ ଅଚ୍ୟୁତ ।

ଅନଙ୍ଗରେ ଚିତ୍ତ କରି ଆସକ୍ତ।୨।

 

ଅବସରେ ବସି ବୃନ୍ଦାବନରେ।

ଅଛନ୍ତି ଯେ ଚାରିମିତ୍ର ସଙ୍ଗରେ।୩।

 

ଅନ୍ୱେଷଣା କରନ୍ତି ମନେ ମନେ।

ଅଙ୍ଗନା କେ ଶ୍ରେଷ୍ଠ ଗୋପଭୁବନେ।୪।

 

ଅଛି ଜଣେ ଏକା, ମଧୁ କହିଲା।

ଅଳପକେ ସୁବଳ ଲାଜକଲା।୫।

 

ଅକ୍ଷଠାରି ସେ କି ବୋଲେ ଶ୍ରୀଦାମ।

ଅଛି ଅଛି ଜାଣିଲି ବୋଲେ ଦାମ।୬।

 

ଅମ୍ବୁଜାକ୍ଷ କହନ୍ତି ଆହେ ମିତ।

ଅନ୍ତର୍ଗତରେ କପଟ ଅଛି ତା ।୭।

 

ଅଛ ଲୁଚାଇ ଏଡ଼େ ଶୁଭ କଥା।

ଅବା ଭଣ୍ଡୁଛ କହି ମୋତେ ମିଥ୍ୟା।୮।

 

ଅଶନି ତ ହେଲା ତୁମ୍ଭ ବଚନ।

ଅସୁ-ଧରତ କରିବ ନାଶନ।୯।

 

ଅଶ୍ରୁତି ସେ, ହସି କହେ ମାଧବ।

ଅତି ଭାଗ୍ୟରେ ଅବା ଶୁଣାଯିବ।୧୦।

 

ଅଥର୍ବାଦି ବେଦରେ ଅଛି ଶୁଣି।

ଅଗମ୍ୟ ଏ ଭୂମିତ ଚିନ୍ତାମଣି ।୧୧।

 

ଅବଶ୍ୟ ଏ ତୁମ୍ଭ ଚିନ୍ତା ହରିବ।

ଅଘଟଣ ଘଟାଏ ତ ଦଇବ।୧୨।

 

ଅମ୍ବୁଜାଙ୍ଗ ଏହା କରୁଁ ଶ୍ରବଣ ।

ଅଙ୍ଗେ ଦିଶିଲା ଏ ଶୁଭ ଲକ୍ଷଣ।୧୩।

 

ଅକସ୍ମାତେ ଅବୟବ ଦକ୍ଷିର।

ଅକ୍ଷ ବାହୁ ଜାନୁ ସ୍ଫୁରେ ତତ୍‌କ୍ଷାଣ।୧୪।

 

ଅନୁକୂଳ ସମୀର ବହେ ଧୀରେ।

ଅମରାଳୟେ ଶଙ୍ଖଧ୍ୱନି ସ୍ଫୁରେ ।୧୫।

 

ଅନୁମାନରୁ ଅତନୁ ମୋହନ।

ଅବଳା କେ, ଶୁଣିମାକି ନିଦାନ ।୧୬।

 

ଅକୁଣ୍ଠିତ ଚିତ୍ତରେ ଭାଳୁଁ ବସି।

ଅଗ୍ରେ ମିଳିଲେ ପୂର୍ଣ୍ଣମାସୀ ଆସି ।୧୭।

 

ଅବତାର ସେ କୃଷ୍ଣ ଲୀଳା ହିତେ।

ଅବ୍ୟକ୍ତ ସେ ମାୟା ଶକ୍ତି ଯୁଗତେ ।୧୮।

 

ଅବନୀରେ ଗୋବିନ୍ଦ ପ୍ରେମ ବିଧି।

ଅନୁସନ୍ଧାନ କୃତକୁ ସେ ବିଧି ।୧୯।

 

ଅବାରଣ ବ୍ରଜେ ତାଙ୍କ ବଚନ।

ଅତିତରେ ସବୁରି ମାନ୍ୟଜନ।୨୦।

 

ଅନ୍ତିକରେ ତାଙ୍କୁ ଦେଖି ଶ୍ରୀହରି।

ଅଭିବନ୍ଦନା କଲେ ଉଠିକରି ।୨୧।

 

ଅତିହୃଷ୍ଟେ ଦେବୀ କଲେ କଲ୍ୟାଣ।

ଅଛିଦ୍ରରେ ବାଞ୍ଛା ହେଉ ପୂରଣ।୨୨।

 

ଅବନତ ମୁଖ ହେଲେ ଗୋବିନ୍ଦ।

ଅଭୀଷ୍ଟଦା ହସିବା ମନ୍ଦ ମନ୍ଦ।୨୩।

 

ଅଞ୍ଚଳରୁ ଦିବ୍ୟ ଲଡ଼ୁ କାଢିଲେ ।

ଅଞ୍ଜଳିରେ କୃଷ୍ଣଙ୍କୁ ସମର୍ପିଲେ ।୨୪।

 

ଅନୁମୋଦେ ହସିଣ ମନ୍ଦ ମନ୍ଦ।

ଅବିଳମ୍ବେ ପଚାରିଲେ ଗୋବିନ୍ଦ ।୨୫।

 

ଅଛିକି ସ୍ୱାଦ ଜଣା ଯାଇ ନାହିଁ।

ଅତି ସୁବାସେ ମନନେଲା ମୋହି ।୨୬।

 

ଅପୂର୍ବ ଏ ଲଡ଼ୁକା ଦେବୀ ଭଣି ।

ଅମୃତର ସ୍ୱାଦକୁ ପାରେ ଜିଣି।୨୭।

 

ଅଛି ଶ୍ରୀରାଧା କରସ୍ପର୍ଶ ବାସ ।

ଅନୁପମ ନାମ କାମ ଉଲ୍ଲାସ।୨୮।

 

ଅଳ୍ପ ହସି ହସି କୃଷ୍ଣ ବୋଇଲେ।

ଆହୋ ଆଶ୍ଚର୍ଯ୍ୟ କୃପା ଆଜୀକଲେ ।୨୯।

 

ଅଇଲ ଏ ବଣକ ଏଣୁ କେଣୁ

ଅନ୍ୟ ଗ୍ରାମକୁ ଯିବାର ନ ଜାଣୁ ।୩୦।

 

ଅକୁଣ୍ଠିତେ କହିନ୍ତି ଭଗବତୀ ।

ଅଦଭୁତ ଉତ୍ସବ କାଲି ରାତି ।୩୧।

 

ଅବନୀଶ ବୃଷଧ୍ୱଜ-ନନ୍ଦନା।

ଅମରାଦି-ତ୍ରଇଲୋକ୍ୟ-ବନ୍ଦନା।୩୨।

 

ଅଶ୍ରୋତବ୍ୟ ଗୁଣ ଶୋଭାସଦନ।

ଅସରଳା ସୂତା ହେଲା ବନ୍ଧନ।୩୩।

 

ଅକ୍ଷ ସାର୍ଥ ମୁଁ କଲି ଦେଖି ପୁଣି ।

ଅଇଲଇଁ ସେହିଠାରୁ ଏକ୍ଷଣି ।୩୪।

 

ଅନୁରାଗୀ ତବ ମୁଖ ଦର୍ଶନେ।

ଅଭୟରେ ଅଇଲଇଁ ଏ ବନେ।୩୫।

 

ଅଘମର୍ଷଣ ଶୁଣି କୃତକୃତ୍ୟ ।

ଅବଶରେ ହୋଇଲେ ପ୍ରଣପତ୍ୟ।୩୬।

 

ଅଦ୍ୟ ଶ୍ରୀରାଧା ନାମ ଶୁଣାଇ।

ଅଗାରକୁ ଚଳିଲେ ମହାମାୟୀ।୩୭।

 

ଅବିଚ୍ଛିନ୍ନାନନ୍ଦମୟୀ କିଶୋରୀ ।

ଅଜ ନିର୍ଗୁଣ ପ୍ରେମ-ପୂର୍ଣ୍ଣକରି।୩୮।

 

ଅନୁଭୂତି ସାନୁଭୂତି ଉଲ୍ଲାସ

ଅତି ଅଗମ୍ୟ ନିଗୂଢ ବିଶେଷ।୩୯।

 

ଅତଦ୍‌ବିଦ ବେଦ ଶେଷ ହୁଅନ୍ତି।

ଅମୁଦ୍ରିତ ଭଣ୍ଡାର ସେ କହନ୍ତି।୪୦।

 

ଅନୁରାଗ ନୂତନ ସରଜନା।

ଅଭିମନ୍ୟୁ କବି କରେ କଳ୍ପନା ।୪୧।

 

ଅଧ ଊର୍ଦ୍ଧ୍ୱ ବ୍ୟାପିତ ସେହୁ ଲୀଳା।

ଅର୍କ ଘଟସ୍ଥ ପରା କାମକଳା।୪୨।

 

ଷଷ୍ଠ ଛାନ୍ଦ

ନାମାସ୍ୱାଦନ

ରାଗ-କଳସା

(ଆ-ପୂର୍ବାନୁପ୍ରାସ)

 

ଆନନ୍ଦେ କୋବିଦେ ପିଅ ଏରସ ଶ୍ରବଣେ।

ଆଦିକବି ଶ୍ରୀରାଧିକା ଶ୍ରୀନାମ ଶ୍ରବଣେ ।୧।

 

ଆଜି ଦିନ ଧନ୍ୟ ମୋର, କରନ୍ତି ବିଚାର।

ଆଜୀ କୃପା କରି କଲେ ଏ ନାମ ପ୍ରଚାର।।୨।

 

ଆଶ୍ଚର୍ଯ୍ୟ ସେ ରାଧା ବୋଲି ଯେଉଁ ବେନି ବର୍ଣ୍ଣ।

ଆକଳନ କରୁଥାଇଁ କେମନ୍ତ ତା ବର୍ଣ୍ଣ ।୩।

 

ଆତ୍ମଭୂ-ତମାନ୍ଧ ଜନ ନୟନ ବେନିକି।

ଆନନ୍ଦ-ତଟିନୀ-ତଟ ଘଟନା ଏ ନିକି? ।୪।

 

ଆସୁଛି ମନକୁ ରତି ପୀରତି ମୂରତି।

ଆସିଛି ପବିତ୍ର କରିବାକୁ ଏ ଧରତୀ।୫।

 

ଆଦ୍ୟ ବେନି ପତ୍ର ଅନୁରାଗ ବୀଜର କି ?

ଆନ ତୁଳନା କେ ଦେବ କାହିଁରୁ ତରକି ।୬।

 

ଆଞ୍ଚି ଧନୁଶର ବୃଷ୍ଟି କରଇ ଅତନୁ ।

ଆତ୍ମା ଅବଶୁଁ ବିବର୍ଣ୍ଣ ହୋଇଗଲା ତନୁ ।୭।

 

ଆରମ୍ଭ ଦମ୍ଭ ଭାଜିଲା ନରହି ହୃଦରେ ।

ଆସକତ ପରି ତନୁ ହେଲା ଚିନ୍ତାଦରେ ।୮।

 

ଆସି କି ଅମୃତ ସର ପଡ଼ିଲା ମୁଖରେ ?

ଆସ୍ୱାଦନ୍ତି ରାଧାନାମ ସେ ବିଧିରେ ଖରେ ।୯।

 

ଆବେଶେ ଲେହନ୍ତି ଓଷ୍ଠ ସେ ନାମ ସ୍ୱାଦରେ।

ଆଚ୍ଛନ୍ନ କରନ୍ତି ପୁଣି ଜାଣି ସ୍ନେହାଦରେ।୧୦।

 

ଆଉଜିଲେ ସଖାଙ୍କ ଉରକୁ ବେଣୁଧର।

ଆରତ ଶ୍ୱାସେ ବିରଙ୍ଗ ଦିଶିଲା ଅଧର ।୧୧।

 

ଆତଙ୍କ ହୋଇ ସଖାଏ ଛନ୍ନେ ପଚାରନ୍ତି ।

ଆତ୍ମ ହୃଦ କାହିଁ ପାଇଁ ଦେଉଛ କରତି ।୧୨।

 

ଆନ କିଛି ବଞ୍ଚାଇ କହନ୍ତେ ରସେଶ୍ୱର।

ଆଶବଶେ ବଳେ ବାହାରଇ ରାଧାସ୍ୱର ।୧୩।

 

ଆଶୟରୁ ବିଷୟ ଜାଣିଲେ ସଖାବାର।

ଆସ୍ପଦ ବଚନ ମଧୁ କଲା କହିବାର ।୧୪।

 

ଆଖିଠାରି ସୁଦାମ ବୋଲେ,କି ହେଉଅଛି ।

ଆନ କେ ବୋଇଲା, ତୁ ନଜାଣୁ, ବିଷେ ଅଛି ।୧୫।

 

ଆନନ ଲୁଆଇଁ ଲାଜେ ବସିଲା ସୁକଳ।

ଆର୍ତ୍ତି କରାଇଲା ମନ କୃଷ୍ଣ ପ୍ରେମବଳ ।୧୬।

 

ଆରଦ୍ର ହୃଦୟ ସଖା ସମୂହ ହୋଇଲେ

ଆଶ୍ୱାସି ଗୋବିନ୍ଦ ଗାତ୍ର ପ୍ରବୋଧି ବୋଇଲେ।୧୭।

 

ଆରଷେ ଶୁଣିଛୁଁ ଏହି ସ୍ଥାନ ଚିନ୍ତାମଣି

ଆତୁର ହୋଇ କାହିଁକି ହୁଅ ଚିନ୍ତାମଣି।୧୮।

 

ଆଜି ବାଞ୍ଛା ପୂର୍ଣ୍ଣ ହେବ ତୁମ୍ଭର ନିକଟେ ।

ଆଦ୍ୟା ସାହା ହୁଅନ୍ତିଟି ଅତ୍ୟନ୍ତ ସଙ୍କଟେ ।୧୯।

 

ଆପାଦି କହନ୍ତି କୃଷ୍ଣ ଧଇର୍ଯ୍ୟ ହେବାରେ ।

ଆରମ୍ଭିଲୁ ଚେଷ୍ଟା ତୁମ୍ଭ ମନ ଜାଣିବାରେ ।୨୦।

 

ଆହୁରି କି ଜଣାନାହିଁ ? ହସି କହେ ମଧୁ ।

ଆଜନ୍ମୁ ତୋ ସଙ୍ଗ ମୁଁ ଚାଖୁଛି ପ୍ରେମ ମଧୁ । ୨୧।

 

ଆଣି କଣ୍ଡୁର ନବୋଲ ଆପଣା ଗାତ୍ରରେ ।

ଆକ୍ଷେପ କରି ବାରିଲେ ଗୋବିନ୍ଦ ନେତ୍ରରେ ।୨୨।

 

ଆରତ ଭଞ୍ଜଇ ଲୀଳା ନଯାଉ ମୋ ମନୁ।

ଆକଳ୍ପନା କରଇ ଯେ କବି ଅଭିମନ୍ୟୁ ।୨୩।

 

ଆପୂର୍ବାନୁପ୍ରାସ ଛାନ୍ଦ ପ୍ରାନ୍ତ ଯମକରେ।

ଆଭୋଗ ହୋଇଲା ଏ ତୋଷିବ ରସିକରେ ।୨୪।

 

ସପ୍ତମ ଛାନ୍ଦ

ଶ୍ରୀକୃଷ୍ଣଙ୍କ ନାମ ଶ୍ରବଶ

ରାଗ-କୁମ୍ଭକାମୋଦି

(ଇ-ପୂର୍ବାନୁପ୍ରାସ)

 

ଇ-ପୂର୍ବାନୁପ୍ରସା ଦୀର୍ଘ ହ୍ରସ୍ୱ

ବେନି ନିୟମ ଏ ଛାନ୍ଦ।

ଇଚ୍ଛା କର ଧୀରେ ପ୍ରସଙ୍ଗ ବିଧିରେ

ବଢିବ ଆନନ୍ଦ।୧।

 

ଇଭଗତି ରାଧାପାଶେ ଦିନେ

ପୂର୍ଣ୍ଣମାସୀ ପରବେଶ।

ଇଚ୍ଛି ରାଧାକୃଷ୍ଣ ନବ ଅନୁାରାଗ

କରଣେ ପ୍ରକାଶ।୨।

 

ଇଜ୍ୟା ମାନ୍ୟ ପାଇ ବସି

ହସି ଭଗବତୀ ବାଣୀ ଭଣି।

ଇତସ୍ତତ ମନ କରୁଛୁ

କାହିଁକି ସର୍ବସୁଲକ୍ଷଣି।୩।

 

ଇନ୍ଦ୍ରପଦତଳରେ ଯାହାର

ତାହାର କି ଚିନ୍ତା।

ଈନ ପୂଜା କର, ମନୋରଥ

ପୂର୍ଣ୍ଣ କର ରସଲତା ୪।

 

ଇତି ପ୍ରତି ଉକ୍ତି ଲଳିତା

କହନ୍ତି ଗୁରୁଜନ ଡରେ।

ଇରାବତୀ ମତି ପ୍ରସନ୍ନ

ନକରେ ରଜନୀ ବାସରେ ।୫।

 

ଇଷ୍ଟ ଅଭୀଷ୍ଟ କରି କେହି

ମିତ୍ରକୁ ପୂଜିଯିବ ଧନୀ ।

ଇତର କଥାକୁ ଏ ଶାଶୁ ନଣନ୍ଦେ

ଗଞ୍ଜନ୍ତି କି ଘେନି ।୬।

 

ଇଙ୍ଗିତ ଏତେକ ପାଇ

ପୂର୍ଣ୍ଣମାସୀ ଭାଷି ଜଟିଳାକୁ।

ଇଷ୍ଟ ରିଷ୍ଟ ନଷ୍ଟ ହେବ,

ରାଧା ନିତି ପୂଜୁ ମିହିରଙ୍କୁ ।୭।

 

ଇଶିତ୍ୱ ନିଧି ପରାପତ ହୋଇବ,

ଶୁଣି ବୁଢୀ ତୋଷ।

ଈଶ୍ୱରି, ତବ ବଚନ କେ ଭାଙ୍ଗିବ,

ପୂଜନ୍ତୁ ଦିନେଶ।୮।

 

ଈଷଦ୍ଧାସେ ପୁଣି ରାଧାପାଶେ

ମିଳି ଏକଥା କହିଲେ ।

ଈଶାନ୍ୟେ କାମ୍ୟ ବନେ ମିତ୍ର

ଅଛନ୍ତି ବୋଲି କହିଦେଲେ।୯।

 

ଇକ୍ଷିତ କର ତୋ ପଦ୍ମଜିତ

ମୁଖ ଦେଖି ମୁଁ ଯିବଇଁ।

ଇନ୍ଦୁଲେଖା କହେ, ଏତେ ଉଦବେଗ

ଚିତ୍ତ କାହିଁପାଇଁ।୧୦।

 

ଈଦୃଶ ଭାଗ୍ୟ କାହିଁ,

ଆମ୍ଭେ ତୁମ୍ଭଙ୍କୁ ଦେଖିବୁ ସର୍ବଦା।

ଈକ୍ଷଣ ସାର୍ଥ ରାଧାର କରି

ଯାଉଥିବଟି କାମଦା ।୧୧।

 

ଇଦଂ ବାକ୍ୟ ଶୁଣି ଭଗବତୀ

ପ୍ରତିଭକ୍ତି କଲେ ଦତ୍ତ।

ଇନ୍ଦିବରାକ୍ଷୀ ରାଧା ମୋର

କେବଳ ପ୍ରାଣ ପଞ୍ଚଭୂତ।୧୨।

 

ଇଦାନୀ ରହି ନପାରିବି,

ଚଞ୍ଚଳ ଚିତ୍ତ ଅଛି ହୋଇ।

ଇନ୍ଦୁ କୋଟି ଜିତି ଶ୍ରୀମୁଖ

କୃଷ୍ଣର ଦେଖିବାଇଁ ଯାଇଁ ।୧୩।

 

ଇକ୍ଷୁରସସାର ନାମକୁ ଶୁଣାଇ

ଗଲେ ଭଗବତୀ।

ଇସିକି ମଧୁର ନାମକୁ ଶୁଣିଲି,

ଭାବେ ରସବତୀ ।୧୪।

 

ଇନ୍ଦ୍ରିୟେ ମୋହର ବାଞ୍ଛା

କଲେନି ତ ବିଶେଷ ହେବାକୁ।

ଇନ୍ଦୁର ହେଲା ଭଗବତୀ

ଭାରତୀ ଦମ୍ଭ ବସନକୁ।୧୫।

 

ଇନ୍ଧନ ପ୍ରତିମା ପରାୟେ

ତନୁକୁ ସ୍ତମ୍ଭ କରାଉଛି ।

ଈଶାନପର ଆକର୍ଣ୍ଣାୟତ୍ତ

କରି ଧନୁକୁ ଆଞ୍ଚୁଛି ।୧୬।

 

ଇଷୁ ଯୋଚିଲାନି, ମାରିବ

ଏଥର ସଂଶୟତ ନାହିଁ ।

ଇଷିତେ ପତିବ୍ରତାବ୍ରତ ସରିଲା,

ଧିକ ଧିକ ମୁହିଁ।୧୭।

 

ଈଶ୍ୱର ଇଚ୍ଛାକୁ ସବୁ

ଘଟିପାରେ କହିବି କାହାକୁ।

ଈନ ଧରିବା ମନ ଇଚ୍ଛେ,

ଆଉ କେ ବାରିବ ଲୋଭକୁ ।୧୮।

 

ଇନ୍ଦିରାଦି ନାରୀଙ୍କି ମୁଁ

ନଗଣଇଁ ପତିବ୍ରତା ଗୁଣେ।

ଈରିଷା ସେମାନେ କରି ଭିଆଇଲେ

ଏ ନାମ କି ଗୁଣେ।୧୯।

 

ଇନ୍ଦ୍ରଗୋପଜିତରଙ୍ଗ ଚରଣୀ

ଯେ ଏ ରୂପେ ସୁମରି।

ଇନ୍ଦ୍ରଜିତ ସୁତ ଏ ଛନ୍ଦ ଭଣଇଁ

ରାଧା ଧ୍ୟାନ କରି ।୨୦।

 

ଅଷ୍ଟମ ଛାନ୍ଦ

ଶ୍ରୀରାଧାଙ୍କ ଦଶା ବିଚେଷ୍ଟା

ରାଗ-ବିଭାସ

(ଉ-ପୂର୍ବାନୁପ୍ରାସ)

 

ଉଷତରେ ଶୁଣ ହେ ସୁଧୀରେ ଧୀରେ।

‘ଉ’ ପୂର୍ବହିଁ ପ୍ରାନ୍ତ ଯମକରେ କରେ ।୧।

ଉତ୍ତମା ଯେ କୃଷ୍ଣ ନାମରସେ ରସେ।

ଉଠିଯାଇ ନପାରି ଅବଶେ ବସେ।୨।

 

ଉର୍ଦ୍ଧ୍ୱ ନିଃଶ୍ୱାସ ଛାଡ଼ଇ ଘନଘନ।

ଉପରକୁ ଚାହିଁ ହୋଏ ଛନଛନ।୩।

 

ଉଣା ସର୍ବ ଅଭିଳାଷ ଦିନୁ ଦିନୁ।

ଉପବାସରେ ସୁତନୁ ତନୁ ତନୁ।୪।

 

ଉନ୍ନିଦ୍ରରେ ହେଲା ପ୍ରତିଦିନ ଦୀନ।

ଉଲୁସଇ ଗାତ୍ର,ନେତ୍ର ଥନ ଥନ।୫।

 

ଉଚ୍ଛୁଳିଲା ନୟନରୁ ବାରବାର।

ଉରଜରେ ପଡ଼ି ହେଲା ଜରଜର ।୬।

ଉଦ୍ଭାବିତ ପ୍ରେମେ ହୃଦ ଗରଗର।

ଉଦେ ସାତ୍ତ୍ୱିକ ହେବାରେ ଥରଥର।୭।

 

ଉଚ୍ଚାରଣେ କୃଷ୍ଣ ଅବିତର ରତ।

ଉଠେ ଗାତ୍ରରେ ଚମକ ଶତଶତ ।୮।

 

ଉର ଉପରୁ କଲେ ବାହାର ହାର।

ଉଦ୍‌ବେଗରେ ବାଣୀ କହେ ତରତର।୯।

 

ଉପାସ୍ୟ ଯେ କୃଷ୍ଣ ନାମ ମର ମର।

ଉଦାସିନୀ ନଜାଣେ ଅସାର ସାର।୧୦।

 

ଉରୁ ଶୋଭିନୀ, ଏକାନ୍ତେ ଚିତ୍ତେ ଚିନ୍ତେ।

ଉପୁଜଇ ଚେଷ୍ଟାମାନ କେତେକେତେ ।୧୧।

 

ଉତ୍କରଷ,ଜୀବ ଯାତ୍ରା ହେଳେ ହେଲେ।

ଉଦ୍ଭାବିତ ଏ ଚେଷ୍ଟା ପ୍ରବଳେ ବଳେ ।୧୨।

 

ଉତ୍କଣ୍ଠିତ ବଳିପଡ଼େ ବାରବାର।

ଉପତାପରେ ବଢେ ହୃଦୟର ଦର।୧୩।

 

ଉପାୟ ତ ଏଥିକି ସହୀତ ହିତ।

ଉଦ୍ଦାମରେ କହିଲେ ଲଜ୍ଜାତ ଜାତ।୧୪।

 

ଉରୁପଣ ଯିବ ଅପ୍ରମିତ ମିତ।

ଉଚ୍ଚବାଚ ତ ହେବ ବିଷ ତ ସତ।୧୫।

 

ଉଦକାଶୟେ ପଡ଼ିବି, ଜୀବ ଯିବ।

ଉଚିତ ଏ ହେବ କି ଦିଶିବ ଶିବ ।୧୬।

 

ଉଡ଼ିଯିବ ମୋ ନିନ୍ଦା ଏ ପୁରୀ ପୂରି।

ଉଗ୍ର ହୋଇ ପଡ଼ିବ ଆହୁରି ହୁରି।।୧୭।

 

ଉପନିଷଦେ ହେବାପବାଦ ବାଦ।

ଉଗ୍ର ହର ମୋର ଏ ଆପଦ ପଦ।୧୮।

 

ଉତ୍ତରକୁ ହେବ ସୀମନ୍ଥାନଥାନ।

ଉଦିଯୋଗ ଦକ୍ଷିଣ ଗମନ ମନ।୧୯।

 

ଉଡ଼ୁକାନ୍ତ ମୁଖୀ ଚିନ୍ତା କରୁ କରୁ।

ଉଚ୍ଛନ୍ନତା ମନ ଦମ୍ଭ ଦରୁଁ ଧରୁଁ।।୨୦।

 

ଉର୍ଣ୍ଣନାଭ-ସୂତ୍ର ମାନସରୁ ସରୁ।

ଉପରାଣକୁ ମଣେ ନଗରୁ ଗରୁ।।୨୧।

 

ଉଦଧିରେ ଯେମନ୍ତ ତରଙ୍ଗ ରଙ୍ଗ।

ଉତପ୍ଳୁତ ଚିତ୍ତେ ସେ ପ୍ରସଙ୍ଗ ସଙ୍ଗ।୨୨।

 

ଉର୍ତ୍ସର୍ଗ ଯେ ହୋଇଲା ଆଶତ ସତ।

ଉତ୍‌ଧତ ତ ହୃଦରୁଁ ବହୁତ ହୁତ ।୨୩।

 

ଉହାଡ଼ରେ ସେ କୃଷ୍ଣ ଲିହିତ ହିତ।

ଉପଯୋଗ ତାପକୁ ସେହିତ ହିତ ।୨୪।

 

ଉପାଧିକି ତେଜିଲା ସୁମତି ମତି।

ଉପଜୀବୀ କୃଷ୍ଣ ଗଜପତି ଗତି ।୨୫।

 

ଉହୁଁ ଇସି ବାହାର ମୁଖରେ ଖରେ ।

ଉପବନ ନ ରସେ ଅଧୀରେ ଧୀରେ।୨୬।

 

ଉକୁଟନ୍ତେ ତାଳ ସୁସଙ୍ଗୀତ ଗୀତ।

ଉତ୍ସବକୁ ନଗଣେ ରୁଚିତ ଚିତ୍ତ ।୨୭।

 

ଉଛୁରରେ ବଢାଇଲା ନିତି ନିତି।

ଉଷ୍ମ ଶଶିକର ତ, ଅରାତି ରାତି।୨୮।

 

ଊଦନ୍ତ ଯେ ଯେଣେ ବୋଲେ କୃପକୃପ।

ଉଦେଷଣାରୁ ବଢେ ପ୍ରତାପ ତାପ।୨୯।

ଉଭାନୁହଇ ପୁରପଥରେ ଥରେ।

ଉଦ୍ୟମ ସେ କରେ ଆଚ୍ଛନ୍ନରେ ନରେ ।୩୦।

 

ଉତ୍ପଳାକ୍ଷୀ ଦୁଃଖ ଅସମ୍ଭାର ଭାର।

ଉଦ୍ଧତରେ ବୋଲେ ସହି ଧର ଧର ।୩୧।

 

ଉପ୍ରୋଧରୁଁ ଏ ରୀତିକି ସହି ସହୀ।

‘ଉତ୍ତମ ଏ ନୋହେ’ କହେ କେହି କେହି ।୩୨।

 

ଉତପାତ ଏକିରୀତି କହ କହ।

ଉତ୍କଟ ଏ କଥା ‘ନୁହ ରହ ରହ’ ।୩୩।

 

ଉଜ୍ଜ୍ୱଳାଙ୍ଗର କେ ନେଲା ହରି ହରି।

ଉଦାରତା ଅଛୁ ଜବା ଧରି ଧରି।୩୪।

 

ଉରଗରୁଁ ଗରୁ ତ ନିଶ୍ୱାସ ଶ୍ୱାସ।

ଉଜ୍ଜ୍ୱଳରେ ଇଚ୍ଛା କି ନ ଭାଷ ଭାଷ ।୩୫।

 

ଉପୁରିକି ଆମ୍ଭେ ଗୋ ରମଣୀ ମଣି।

ଉତ୍ତରତ ନକହି କି ଗୁଣି ଗୁଣି। ।୩୬।

 

ଉପପତି ଇଚ୍ଛିକି ଏମନ୍ତ ମତ୍ତ ।

ଉଦ୍ଦୀପନ ହେତୁ କେ, ବଧିତ ଧୀତ।୩୭।

 

ଉପତାପେ ବୁଡ଼ିଲୁ ଆତୁରେ ତୁରେ।

ଉଦ୍ଧରିବ କେ ହୋଇ ପ୍ରଭୁରେ ଭୂରେ।୩୮।

 

ଉକ୍ତି ନ ଦେଲେ ଶୁଣି ସଙ୍ଗୀର ଗିର।

ଉପକ୍ରୋଶେନ ତ ସୁହାସୀର ଶିର।୩୯।

 

ଉଭୟଥା ସନ୍ଦେହରେ ଆଳୀଆଳି।

ଉପଲକ୍ଷ କଲେ ମନେ ଭାଳି ଭାଳି      ।୪୦।

 

ଉପଇନ୍ଦ୍ର ପଦ ଅଭିମନୁ ମନୁଁ ।

ଉପେକ୍ଷା ଯେ ନୋହିବ ତ ଦିନୁ ଦିନୁ।୪୧।

 

ଉତବାସନା ମୋର ସାଗର ଗର।

ଉଦ୍ଧାରଣ କର ଏଥୁଁ ଧର ଧର।୪୨।

 

ନବମ ଛାନ୍ଦ

ଶ୍ରୀରାଧାଙ୍କ କୃଷ୍ଣ –ନାମାନୁସ୍ୱାଦନ

ପ୍ରାନ୍ତାନୁପ୍ରାସ

ରାଗ-କେଦାର କାମୋଦୀ

 

ଶ୍ରୀରାଧା କୃଷ୍ଣ ନାମ ଶୁଣି କାତରେ।

ବିଶଖାରେ କହନ୍ତି ସେ ଏକାନ୍ତରେ ଯେ।

ଯଉଁନାମ କହିଲେ ଶ୍ରୀ ପୂର୍ଣ୍ଣବାସୀ ।

ଚିନ୍ତା ସିନ୍ଧୁକୁ ହେଲା ଯେ ପୂର୍ଣ୍ଣମାସୀ ଯେ।୧।

 

ସେ ନାମ ଗଢା ମିଶି କେତେ ଅମୃତ।

ଯେ ଶୁଣିବ ତାର କି ହେବ ଅମୃତ ଯେ।

ବିଚିତ୍ର ସୁଖ ହୋଏ ତାହା ଶ୍ରବଣେ।

ଲାଳସ ହୋଏ କୋଟି କୋଟି ଶ୍ରବଣେ ଯେ।୨।

 

ଉଚ୍ଚାରଣ କରିବା ବେଳେ ମୁଖରେ।

ଶେଷାନନ ହେବାକୁ ବାଞ୍ଛେ ମୁଁ ଖରେ ଯେ।

ପଡ଼ଇ ଯେତେବଳେ ସେମାନସରେ ।

ଜ୍ଞାନେନ୍ଦ୍ରିୟମାନଙ୍କ ଗୁମାନ ସରେ ଯେ। ୩।

 

କୃଷ୍ଣ ବୋଲି ସେ ଯେଉଁ ବେନିଅକ୍ଷର।

କାମାନ୍ଧିନୀଙ୍କ କନୀନିକା ଅକ୍ଷର ଯେ।

କିସେ ତାଟଙ୍କ ପ୍ରୀତିନାରୀ ଶ୍ରୃତିର ।

କି ଭୁକ୍ତି ମୁକ୍ତି ଫଳ ବେନି ଶ୍ରୁତିର ଯେ।୪।

 

କିବା ଜୀବ ପରମ ସର୍ବ ଲୋକର।

କାମିତମ ଚନ୍ଦାର୍କ କି ତ୍ରିଲୋକର ଯେ

କିବା ଆନନ୍ଦ ଆହାଲାଦ ମୂରତି ।

ସେ ନାମରେ କେବଳ ଇଚ୍ଛେ ମୁଁ ରତି ଯେ।୫।

 

ଉପମା ହେବ କାହା ପରଶଂସାରେ।

ତୁଳା କରିତ ନାହିଁ ବିଧି ସଂସାରେ ଯେ।

ତା ଶୁଣିଲେ କି ରହେ ବରତ।

ମୋ ମାନସ ଆରତି ଅନୁବରତ ଯେ।୬।

 

କୃଷ୍ଣନାମ ବଡ଼ଶୀ ମନ-ମତ୍ସ୍ୟର।

ମୋ ହୃଦରୁ ଛଡ଼ାଇ ଦେଲା ମତ୍ସର ଯେ।

ଯେ ଯାହା ବୋଇଲେ ସହୀବାର।

ବଳାତ୍କାରେ ହେଲାନି ମୋ ସହିବାର ଯେ।୭।

 

କରୁ କରୁ ସେ ନାମ ସୁମରଣକୁ ।

ବିହି ଭେଟାଇ ଦେଉ ସୁମରଣକୁ ଯେ।

ତୁମ୍ଭେ କରି ବସିଲେ ନିବାରଣକୁ ।

ଔଷଧ ନାହିଁ ମୋ ଜୀବ ତାରଣକୁ ଯେ ।୮।

 

ରଙ୍ଗ ସେ ସଂସାରେ ବୋଲାଇ ନାରଙ୍ଗ।

ଶ୍ୱେତ ବର୍ଣ୍ଣ ଦିଶଇ ତାହା ନାରଙ୍ଗ ଯେ

ନାମ ନାମୀ ଅଭଦେଶଙ୍କାଜନିତ।

ଚିନ୍ତା ସେ ନଗଲା ଦିବା ରଜନୀତ ଯେ।୯।

 

ଯା ନାମ ସ୍ୱାଦୁ ଲୋଭେ ମାନସ ରତ।

ତା ରୂପ ହୋଇଥିବ ସୁଧାସାର ତ ଯେ।

ନାମ ଅର୍ଥରୁ ତା ବର୍ଣ୍ଣ ଆଭାସଇ ।

ତଥାପି ସଂଶୟତାରୁ ନ ଭାଷଇ ଯେ।୧୦।

 

କୃଷ୍ଣ ନାମ ଭାଷନ୍ତି ସେ କଳାନିଧି।

ନାମରୁ ବର୍ଣ୍ଣ ଭିନ୍ନ ଯେ କଳାନିଧି ଯେ।

ଅଭେଦ ନାମନାମୀ ଅଛି ବେଦରେ।

ଏ ଅଧ୍ୟାହାରୁଁ ଅଛି ମୁଁ ନିର୍ବେଦରେ ଯେ।୧୧।

 

ମର୍ମ ଦାରଣ ସେ ଅବଳା ଜନଙ୍କ ।

ସେ ନାମ ଅଟଇ କି କାମଜନକ ଯେ।

କି ଭାଗ୍ୟୁଁ ହେଲା ମୋତେ ପରାପତ ରେ।

ଆଜିଯାଏ ଥିଲା କାହିଁ ଗୁପତରେ ଯେ।୧୨।

 

କରବଇଁ ଯୋଗିନୀ ଆଚରଣକୁ ।

ତୁଣ୍ଡେ କରି ସେ ନାମ ଉଚ୍ଚାରଣକୁ ଯେ।

ପର୍ଯ୍ୟଟନ କରିବ ଏ ଧରତୀକି ।

ଶୁଣି ଦୟା କରିବେ ଏ ଆରତିକି ଯେ।୧୩।

 

ଦୂର କଲିନି ଲାଜ ଧ୍ରୁବ ଲୋକରେ।

ଅପକୀରତି ଭରୁ ଧ୍ରୁବଲୋକରେ ଯେ।

ମୋ ମନ ହୋଇଲାତ ମତ୍ତବାରଣ।

କି କରିବି ନୋହିଲା କରି ବାରଣ ଯେ।୧୪।

 

ଶ୍ରବଣରେ ନାହିଁତ ମୋର ରସନା।

କି ସ୍ୱାଦୁ ଚାଖି ବୋଲେ ଆନେ ରସନା ଯେ।

ରସନାରେ ମୋହର ନାହିଁତ ଶ୍ରୁତି।

ଶୁଣି କରି ନଗଣିଲାତ ଶ୍ରୁତି ଯେ।୧୫।

 

ଦେହ ଉପରେ ସିନା ମନାଧିକାର।

ସେହି ଘେନିଲା ନାହିଁ କଲେ ଧିକ୍‌କାର ଯେ ।

କେ ଜାଣି ତହୁଁ ପାଇଲା କି ପଦାର୍ଥ।

ଜାଣୁ କି କହ ସଖି କୃଷ୍ଣ ପଦାର୍ଥ ଯେ।୧୬।

 

କ୍ଷଣେ ବସିଲି ନାହିଁ ମୁହିଁ ନି-ଦରେ।

ତୁଣ୍ଡୁ ବାହାର ଶୋଇଥିଲେ ନିଦରେ ଯେ।

ଆନ କିଛି ନଆସେ ତହିଁ ବାହାରେ।

ଯାହି ବୋଇଲେ କୃଷ୍ଣ ନାମ ବାହାରେ ଯେ।୧୭।

 

ମୁଁ କରିଛି ଗୁପତ ନିଧି ବିଧିରେ।

ବଳେ ଉଚ୍ଛୁଳି ନ ରହୁଛି ବିଧୀରେ ଯେ।

ଖ୍ୟାତ ହେଲେ ମଜ୍ଜିବି ମୁଁ ମନ୍ଦାକ୍ଷରେ।

କାହାମୁଖ ଚାହିଁବି ଏ ମନ୍ଦାକ୍ଷରେ ଯେ।୧୮।

 

ଧିକ ତ ହେଲି ପତି ବରତ ଋଣୀ ।

ପୋଡ଼ିଯାଉ ହେବାର ବର ତରୁଣୀ ଯେ।

ମୁଁ କେ, ତାହା ନାମରେ କଲି ଧିଆନ।

କରୁଁ କରୁଁ ବିଚାର ହେଲା ଧୀଆନ ଯେ।୧୯।

 

କରେ ଚନ୍ଦ୍ର ଧରିଛି କାହିଁ ବାମନ।

ଏ ବିଚାର କରୁଛି କାହିଁ ବା ମନ ଯେ।

ମୃଗତୃଷ୍ଣାକୁ ମଣି ଅଛି ନୀରତ।

ଆଶ ନାଶ ନୋହିଲା ମୋର ନିରତ ଯେ।୨୦।

 

ଶୁଣି ସଜନୀ କହେ ସୁରମଣି କି।

ଦେଲୁ ନେଇ ମନକୁ ଚିନ୍ତା ମଣିକି ଯେ।

ଶୁଣିଛି ଦିନେ ମୁହିଁ ଋଷି ଭାରତୀ ।

କୃଷ୍ଣ ଚରଣ ଦାସୀ ଲକ୍ଷ୍ମୀ ଭରତୀ ଯେ ।୨୧।

ସେ କି? ଆନ କେ ତାଙ୍କ ନାମ ବହଇ ।

ନାମରେ ସୁଧା ସ୍ୱାଦୁ ନଦୀ ବହଇ ଯେ ।

ତହିଁ ମଜ୍ଜିଲେ ତୋର ଯିବ ପ୍ର-ତାପ ।

କେ ଜାଣିଛି ବିଚିତ୍ର କର୍ମା ପ୍ରତାପ ଯେ ।୨୨।

 

କେତେ ଆଶ୍ଚର୍ଯ୍ୟ କଥା ମନେ କରରେ।

ବିହି ବଳେ ସାଗର ଥିଲା କରରେ ଯେ।

ପଦକେ ନଭ ପୁଣି ଘୋଡ଼ା ଯାଇଛି।

ବିହି କଲେ ମିଳଇ ମନେ ଯାଇଛି ଯେ ।୨୩।

 

ଏ ରୂପେ କହି ମନ ବୋଧି ରାଧାର।

ଜାଣି ସଖୀର ବାଞ୍ଛା ସେ ନିରାଧାର ଯେ।

ଭରସା ଦେଇକରି ସେ ସୁମତିକି।

ଉପାୟରେ ରଖିଲା ନିଜ ମତିକି ଯେ।୨୪।

 

କରି ନବାନୁରାଗ ଭାବ ରଚିତ।

ତୋଷ ନୋହେ ସାମନ୍ତ ସିଂହାର ଚିତ୍ତ ଯେ।

ମିଳନ କରାଇଲେ ରାଧା ହରିଙ୍କି ।

ଲଭିବି ଆନନ୍ଦ ସୁଖ ଲହରୀକି ଯେ।୨୫।

 

Unknown

ଦଶମ ଛାନ୍ଦ

ଶ୍ରୀକୃଷ୍ଣଙ୍କ ପଟ-ବିଲୋକନ

ଆଦ୍ୟ-ପ୍ରାନ୍ତନୁପ୍ରାସ

ରାଗ-ଆହାରି (ବାଳ ଚଉତିଶା-ବାଣୀରେ)

 

ଧୀରେ ଶୁଣ ଏ ଉତ୍ତାରୁ ରସ।

ଧୀରେ ଭାଳି ବିଶାଖା ହୋଇ ବିରସ।୧।

 

ବରଜଯାକରେ କରେ ଅନ୍ୱେଷଣ।

ବର-ବରନାର ଯିବାକୁ କଷଣ।୨।

 

ଦିନେ ନାନ୍ଦୀମୁଖୀ ଭେଟ ସୁଯୋଗରେ

ଦିନେ ବିଶାଖା କହଇ ତା ଆଗରେ।୩।

 

ସଜନୀକି ଆମ୍ଭର କି ବ୍ୟାଧି ହେଲା ।

ସଜଲାଗି ଆଦର କଲେନି ହେଳା।୪।

 

ପୂର୍ଣ୍ଣମାସୀ କୃଷ୍ଣ ନାମ ଶୁଣାଇଲେ।

ପୂର୍ଣ୍ଣ ଚିନ୍ତାରେ ରାଧାଙ୍କୁ ଭସାଇଲେ।୫।

 

ଶ୍ରବଣ କରି ସେ ନାମ ହୃଦେ ଧରି।

ଶ୍ରବଣ କାହିଁ ନଦେଲେ ଜବାଧରୀ।୬।

 

ଆନ ଆନନୁଁ ନୁହଇତା ବାହାର।

ଆନନ୍ଦ କି ହେବ ବହି ନୋହେ ହାର ।୭।

 

ବରସାଧ୍ୱୀ ତୁମ୍ଭେ ତ ପୁଣି ସୁଜାଣ।

ବରାଙ୍ଗୀ ହିତ ପାଇଁ କି କିଛି ଜାଣ ।୮।

 

ହସି କହେ ନାନ୍ଦୀମୁଖୀ ଏ ବଚନେ।

ହଂସୀଗତି ବ୍ୟାଧ ଯିବ ଏ ପାଚନେ।୯।

 

ନାଗର କୃଷ୍ଣ ସାଙ୍ଗରେ ମିଳାଇବ।

ନାଗକେଶର ସୁରସେ ମଜ୍ଜାଇବ।୧୦।

 

ରୁଚି ପଦ୍ମିନୀ ମୂଳ ତହିଁ ପଡ଼ିବ।

ରୁଚିର ପରିପାକରେ ସଜାଡ଼ିବ।୧୧।

 

ସୂଚିକାରସ ସଂଯୋଗ କରିବଟି।

ଶୁଚି ହୋଇ ପିଉ ରାଧା,କହିବଟି।୧୨।

 

ଯିବ ଦେହ ତାପ, ଏହାକର।

ଜୀବନ ସଙ୍ଗୀ ତୁମେ ସହୀ ନିକର।୧୩।

 

ବିଶାଖା ବୋଲେ ଏ ଦ୍ରବ୍ୟ ସୁଦୁର୍ଲଭ।

ବିଶାରଦ ବୈଦ୍ୟ ବିନା କି ସୁଲଭ।୧୪।

 

ଆଶ ଦେଲେ ନାନ୍ଦୀମୁଖୀ ଏ ବଚନେ।

ଆନ ମୁଁ ପଦାର୍ଥେ ଦେବି ତା ରୋଚନେ।୧୫।

 

ପୁରକୁ ନେଇ ସେ କୃଷ୍ଣପଟ ଆଣି।

ପୁରତେ ମେଲାନ୍ତେ ରହେ କାହା ଆଣି।୧୬।

 

ବିଧାନ କେ କଲା ବିଶାଖିକା ଭାଷେ।

ବିଧାତା କୃତ୍ୟ ପରାଏ ନ ଆଭାସେ।୧୭।

 

ସତ କି ଏ ପଟମୂର୍ତ୍ତିକି କପଟ।

ସତତ ନୋହିବ ଦେଖି କେ ଲମ୍ପଟ।୧୮।

 

ଧୀରେ ଶୁଣ ନାନ୍ଦୀମୁଖୀ କହେ ଗୀର।

ଧୀରେ ଭାବ କାନ୍ତ ଏଟି ତୋ ସଙ୍ଗୀର।୧୯।

 

ତାତ ଦତ୍ତ କଲାଦିନୁ କହିଛନ୍ତି ।

ତା ତଳିପା ତଳେ ରାଧା ରହିଛନ୍ତି।୨୦।

 

ପରମେଷ୍ଠୀ ପୂର୍ବେ କରୁଥିଲା ସେବା।

ପରମ ପଟକୁ ଲେଖିଥିବ ସେବା।୨୧।

 

ପରସନ୍ନେ ଦେଇଥିଲେ ମୋ ପିତାକୁ।

ପରଚେ ମୁଁ ତା ତ କହିବାରେ ତାଙ୍କୁ ।୨୨।

 

ଭାଷିଲା ବିଶାଖା ଏହା ଯା ବୋଇଲ।

ଭାସିଲା ଜନକୁ କୂଳେ ଲଗାଇଲ।।୨୩।

 

ଆନନ୍ଦେ ସେ ପଟ ଘେନି ଏହା ଭାଷି।

ଆନନ ପ୍ରସନ୍ନ କରି ପିକଭାଷୀ। ୨୪।

 

ପୁରେ ପ୍ରବେଶ ରାଧାର ଯାଇଁ ବେଗେ।

ପୂରେ ହା ରାବେ ସେ ପୁରୀ ଉଦ୍‌ବେଗେ।୨୫।

 

ସତରଳ ନେତ୍ରା ମୁଖକଳା କରୁଁ।

ସତତ ଉଚ୍ଚରେ ଗୋପ୍ୟ କରୁଁ କରୁଁ।୨୬।

 

ସହୀ ବେଢି କରୁଛନ୍ତି ଉପଚାର ।

ସହି ନୋହେ କେ ବୋଲେ ଏକି ପଚାର।୨୭।

 

ସଜସରୋଜ ବଦନ କରି ନତା।

ସଜନୀ ଅନୁବରତେ ଅଜ୍ଞାନତ।୨୮।

 

ଜଟିଲ ପୁଚ୍ଛନ୍ତେ ସଖୀ ବ୍ୟାଧିଛଳେ।

ଜଟିଳେ ଶ୍ରୀରାଧା ସ୍ନେହ ବତ୍ସଳେ।୨୯।

 

ଏହିକାଳେ ବିଶାଖା କହଇ ଯାଇ।

ଏ ହୀନକଥା ତୁମ୍ଭରତ ନଯାଇ।୩୦।

 

କୁଳଟାମାନଙ୍କୁ ନୋହେ ଏ ଦୂଷଣ।

କୁଳସ୍ତିରୀ ରୀତିକି ଏ ଅଭୂଷଣ।୩୧।

 

ଜାତ ରାଧା ବାକ୍ୟ, ଧୈର୍ଯ୍ୟ ନରହଇ ।

ଜାତ ବେଦବତ ହୃଦ କେ ଦହଇ ।୩୨।

 

ବାସବମୋହୀର ଶୁଣି ଏ ଭାରତୀ ।

ବାସରୁ କାଢେ ବିଶାଖା ସେ ମୂରତି।୩୩।

 

ଅନାଇ ସେ ପଟ ରାଧା ସ୍ତମ୍ଭୀଭୂତ।

ଅନାୟତେ କହେ ଏକି ଅଦ୍‌ଭୁତ।୩୪।

 

ମାନସ ମୋର ନେଲା ତ ଆକଋଷି।

ମାନ ରଖିବ କେ ପୁଣି ଏଥି ରସି।୩୫।

 

ଅଛି ନା ଏ ରୂପ ମିଛେ ଦେଖାଇଲ।

ଅଛିଦ୍ର ଲୋଭ ମୋରତ ବଢାଇଲ।୩୬।

 

ବ୍ରହ୍ମା ସୃଷ୍ଟିରେ ନାହିଁ ଏ ଅନୁରୂପ।

ବ୍ରହ୍ମାଣ୍ଡ ବାହାର ପ୍ରତେ ଏ ସ୍ୱରୁପ।୩୭।

 

ସର୍ବକାଳାବନ୍ତ ଏ ପୁରୁଷୋତ୍ତମ ।

ସର୍ବପର ଦେଖିଲେ ଛାଡ଼ିବ ତମ।୩୮।

 

ଅବଶେ ନାରୀ ଅବଧ ଲିହି ବିହି ।

ଅବଧ ବଧକୁ ଅଛି ଏହା ବିହି ।୩୯।

 

କରଇ ବିଚାର ଏହୁ ଅତି ଚିତ୍ର।

କର ଥୟେ କେଡ଼େ ଯେ ଲେଖିଲା ଚିତ୍ର।୪୦।

 

କାମ ପୀଡ଼ା ନଥିବ ଯାହାର ଚିତ୍ତେ।

କାମନା କରୁଛି ଶକ୍ୟ ସେ ରଚିତେ।୪୧।

 

ପୁରୁଷ ଅବଶ ହେବ ଦେଖି ତାର।

ପୁରୁଷାର୍ଥ ଧନ୍ୟ ଯେ ଲେଖିଛି ତାର ।୪୨।

 

ଘନରସ ମୂର୍ତ୍ତିବନ୍ତ ଏ ସାକ୍ଷତ।

ଘନ ଚୟ ରୂପ କି କରିଛି ଖ୍ୟାତ।୪୩।

 

ମଦନାର୍ବୁଦେ ଲକ୍ଷକୁ ନୋହେ ସମ।

ମଦ ସରିଯିବ ଚାହିଁ ଏ ସୁଷମ।୪୪।

 

କି ଚିତ୍ର ଭଙ୍ଗିମା ରୂପ ପ୍ରାଣ ହରେ।

କିଞ୍ଚିତ ଚିତ୍ତ ନ ରହେ ମୋ ଦେହରେ।୪୫।

 

ସେ ସ୍ୱରୂପ ମୋ ଦେହେ ମିଶାଅ ଥରେ।

ଶେଷ ହେଉ ତାପ ଦେଖ, ତନୁ ଥରେ।୪୬।

 

କରୁଁ ନେଇ ସଜନୀର ଲଦି ଶିରେ।

କରୁଁ କୋଳ ସୁଖ ଦେଲା ସୁହାସୀରେ।୪୭।

 

ବାର ବାର ଧରଇ ଉର ଉପର।

ବାରବୟାତାପ ଉଣା ତତପର।୪୮।

 

ଆପଯୁକ୍ତ ନେତ୍ରେ ପୁଣି କରୁଁ ତଳେ।

ଆପଣା ମୂରତି ଦେଖେ ପାଦତଳେ।୪୯।

 

ଭାଳେ ଧନ୍ୟ ଧନ୍ୟ ମୋର ପୁଣ୍ୟ ବର।

ଭାଲେ ଲିହିଥିବ ଏହା ବେଦବର।୫୦।

 

ସଜନୀ ଦେଖିଲେ ହେଲି ମୁଁ ଆରତି।

ସଜଡ଼ାଇ ଆଣିଲେ କି ଏ ମୂରତି।୫୧।

 

କଳ୍ପକେ ଏ ମୂରତି କି ଲେଖାଯିବ।

କଳ୍ପେ କଳ୍ପନା କରିକେ ସରଜିବ ।୫୨।

 

ଦୃଷ୍ଟି ଶ୍ରୁତିଗମ୍ୟ କାହିଁ ଏ ଅଛି କି ।

ଦୃଷ୍ଟି ଶ୍ରୁତିବିଦେ କରିବେ କିଛି କି ? ।୫୩।

 

ସରଜନା ନ ଥିଲେ ଦେଖା ନଯାଏ।

ସରସେ ମନକୁ ମୋର ଏ ମଜ୍ଜାଏ ୫୪।

 

କାନ୍ତ ମୋ ଏ ହେବେ ହେମି ମୁ କିଙ୍କରୀ।

କାନ୍ତ ବଦନା କହିଲେ ସତ୍ୟ କରି।୫୫।

 

ଅପ୍ରାପ୍ତ ହେଲେ ଆଶରେ ଜୀବ ଯିବ।

ଅପ୍ରାରବ୍‌ଧ କର୍ମ ମୋର କେ ଭୁଞ୍ଜିବ ।୫୬।

 

ସୁମତି ଏମନ୍ତ ପାଞ୍ଚି ବିମନରେ ।

ସୁମରଣା କରି ମଜ୍ଜେ ଉଚ୍ଛନ୍ନରେ।୫୭।

 

ଅଭିନବ –ବୟା ରାଧା ଶ୍ରୀ ଚରଣ।

ଅଭିମନ୍ୟୁ କବି କଲେ ସୁମରଣ ।୫୮।

 

ଚିତ୍ରପଟ ଦରଶନ ଛାନ୍ଦ ସରେ।

ଚିତ୍ର ଆଦ୍ୟ ପ୍ରାନ୍ତ ଯମକ ଉସରେ।୫୯।

 

ଏକାଦଶ ଛାନ୍ଦ

ଶ୍ରୀରାଧା ଲାଳସା-ବିଳାପ

ରଗ-ଭୈରବ

 

ରସ ବିଦୁଷେ ଏ ଛାନ୍ଦେ ରସ ।

ରସଲତା ହୋଇଣ ବିରସ

ରସଧର ଅଙ୍ଗ ଚିତ୍ର ଗୃହିଁ ବୋଲେ କିମ୍ପା

ଘନରସ ନ ବରଷ ହେ ସୁନ୍ଦର ।୧।

 

ହରଷରେ ସୁରସେ ବିହର ।

ହରବଇରି-ବେଦନା ହର।

ହରିଣୀ ହୃଦୟ କ୍ଷତ ହେଲା ପରି ବଢ଼େ

ବ୍ୟାକୁଳ ମୋର ଦେହର, ହେ ସୁନ୍ଦର ।୨।

 

ମାନବୀ କି ମୁଁ ତୁମ୍ଭ ସମାନ ।

ମାନ ନକରିବ କଥା ମାନ।

ମାନସ ତାପ ଲୋପକୁ ବେଗେ ହୁଅ

ଥରେ ତୁମେ ଅମୃତ ସମାନ,

ହେ ସୁନ୍ଦର ।୩।

 

ମନାଉଛି ହୋଇଛି ବିମନା ।

ମନା କରିବି ନାହିଁ କାମନା

ମନାସିଲେ ସଙ୍ଗ ଅଭିଳାଷ ଭୃଙ୍ଗ

ତାହା ବାରଇ ନିକି ସୁମନା,

ହେ ସୁନ୍ଦର । ୪ ।

 

ସାର ଶୀତକାଳକୁ ନୀଶାର ।

ସାରଙ୍ଗକୁ ଯେମନ୍ତ ଅସାର । ।

ସାରସ ଲପନ ସେହିପରି ମୋର

ହୃଦତାପ ହରା ଘନସାର,

ହେ ସୁନ୍ଦର । ୫ ।

 

ଶରମାରି ଦହେ ଫୁଲ ଶର ।

ଶରଣ ମୁଁ ପାଦସାରସର ।

ସରଳ ହୃଦୟ ନିର୍ଦ୍ଦୟ ହୋଇଲେ

ବାନା ଉଡ଼ିବ ଅପଯଶର,

ହେ ସୁନ୍ଦର |୬|

 

କର ବିଚାର, ଏ କଳାକର

କ-ର ଭୂଷଣ କଲେ ଶଙ୍କର ।

କରତାଉଅଛି ଅନୁଗତ ଜନେ ପୁଣି

ଏକି ରୀତି ଶ୍ରେଷ୍ଠଙ୍କର, ହେ ସୁନ୍ଦର ।୭।

 

ଭା-ସରୋଜ ମୁଖେ ସୁଧାଭାସ ।

ଭାଷ ଏତିକି, ଦୁଃଖେ ନ ଭାସ।

ଭାସକର ପରି ହେବ ହୁଦୁପଦ୍ମ

ତୋଷପାଇଁ ଏକଥା ଆଭାସ,

ହେ ସୁନ୍ଦର ।୮।

 

ରସରାଜେ ନ ଦିଅ ହରଷ ।

ରସ, ପୀୟୂଷ-ଭାଷ ବରଷ ।

ରସ ବାଞ୍ଛା ପ୍ରତିବିମ୍ବିବାକୁ ମୋର

କରିନାହିଁ ହୃଦ ଆଦରଶ,

ହେ ସୁନ୍ଦର ।୯।

 

ସରଜକ ତୁମ୍ଭେ ତ ରସର ।

ସରଘର ବର ହରଷର ।

ସର ବିପରୀତ ଦାନୀ ହେବାପାଇଁ

ଇଚ୍ଛା ହେଉନାହିଁ ମାନସର,

ହେ ସୁନ୍ଦର ।୧୦।

 

ପରମ ସୁଷମା ସ୍ୱରୂପର ।

ପରଚେ କି ମୁଁ ବାମା ଗୋପର ।

ପରତକ୍ଷେ ଚାହୁଁ ଚାହୁଁ ମନ ଧରେ ଲୋଭେ

ବିଚେଷ୍ଟା ରସ କୂପର, ହେ ସୁନ୍ଦର ।୧୧।

 

ରଜନୀଶ ଦର୍ପଣ ନୀରଜ ।

ରଞ୍ଜନ ମୁଖେ ହାସ ସରଜ ।

ରଜସମ କୃପା କଟାକ୍ଷ କଟାରି

ଯୋଗେ ଗୋପୀ ମଦନ ତରଜ,

ହେ ସୁନ୍ଦର ।୧୨।

 

ପାଦତଳେ ଅଛି ଇନ୍ଦ୍ରପଦ ।

ପଦ ପଦକ ଭାଷା ଆସ୍ପଦ ।

ପଦପରିହରି ଦେବ କାମଦେବ

ଗୁପ୍ତ ପଦଘାତର ବିପଦ,

ହେ ସୁନ୍ଦର ।୧୩।

 

ସଞ୍ଜବେଳୁଁ ସଜକରି ଶେଯ,

ସଜ ସୁମନେ ହୋଇବି ସଜ ।

ସଜନୀ ଜାଣିମେ ନାହିଁ ରସ ଦେବି

ଥରେ ଟେକ ଶ୍ରୀମୁଖ-କୁଶଜ,

ହେ ସୁନ୍ଦର ।୧୪।

 

ବାରଧର ତନୁ ଦେଖିବାର ।

ବାର ବାର ଲୋଭ ଅନିର୍ବାର ।

ବାରବୟା ବାହୁ ସଜ ହେଉଅଛି

ଆଶଚିତ୍ରେ କୋଳ କରିବାର,

ହେ ସୁନ୍ଦର ।୧୫।

 

ତାର ତାର ଭାଷା ବନିତାର ।

ତାର ତରଳ ନ ରଖେ ତାର ।

ତାରପତିମୁଖୀ ବୋଲେ,

ଆସ ଆସ, ଆଶ ନ ନାଶ,

ମୋତେ ନିସ୍ତାର, ହେ ସୁନ୍ଦର ।୧୬।

 

କରି ସଂକଳ୍ପ ଚିନ୍ତି ଶଙ୍କରୀ ।

କରିଗତି କହଇ ନକରି ।

କରୀଷ-କରି ବିଚାରି କରୁନାହଁ

ମୋତେ ପରା ଚରଣେ କିଙ୍କରୀ,

ହେ ସୁନ୍ଦର । ୧୭ ।

 

ଚିତ୍ତଜାତ-ବଶେ ଅନୁଚିତ ।

ଚିତ୍ତ ମୋହନା କଲା ରଚିତ ।

ଚିନ୍ତନ କରୁ ଚିତ୍ରଚେତା ହୋଇଗଲା

ଚିତ୍ତେ ଉଦୟ ତାର କିଞ୍ଚିତ,

ହେ ସୁନ୍ଦର ।୧୮।

 

ମରଷଣ ପାଇ ସେ କାମର ମରକତ

କେଶୀ ବୋଲେ ମର ।

ମରମ ପରମ ଲାଜ ଧନ ପେଡ଼ା

ଫେଡ଼ାଇଲୁ ଦାଣ୍ଡରେ ପାମର,

ରେ ମଦନ ।୧୯।

 

ଶରଣ ମୁଁ ବଳେ ପୁରୁଷର ।

ସରଞ୍ଜନ ନୋହେ ମାନସର।

ଶରାସନ ଧରିବାର ତୋର ଧିକ

ପୋଡୁ ପୋଡୁ ଫୁଲ ଶର,

ରେ ମଦନ ।୨୦।

 

ମାର ବୋଇଲା ଲୋକକୁ ମାର ।

ମାରଣାକୁ ନିଶ୍ଚୟ ରାମାର।

ମାର ନାମ ଖ୍ୟାତ କରାଇନାହୁଁ

କି ମିତ୍ର ଅଟୁ ପରା ଚନ୍ଦ୍ରମାର,

ରେ ମଦନ ।୨୧।

 

ଦରକଣ୍ଠୀ ଚେତନେ ହୃଦର ।

ଦର ବଢ଼ିଲା ଅପବାଦର।

ଦରପଣ ମୁହଁ କହେ ପୁଣି ମୁହଁ

କଲି ବିଟପୀ ରୀତି ଆଦର,

ହେ ଦଇବ । ୨ ୨ ।

 

ମତି ବରତ ମୋର ସମ୍ପତ୍ତି ।

ପନ୍ତି ମୁଖା ଦେଲୁ ଏ ବିପତ୍ତି।

ପତିତ ରୀତିକି ମତି ଗତି କଲା

ଅନ୍ତେ ହେବ ନରକ ପ୍ରାପତି,

ହେ ଦଇବ ।୨୩।

 

ଧୀରେ ଅବେଦ୍ୟ ଏ କୁବୁଦ୍ଧିରେ ।

ଧୀରେ ଶୁଣି ତୁଳିବ ନିଧିରେ ।

ଧୀରେ ଅଭିମନ୍ୟୁ ସାମନ୍ତ ସିଂହାର

ସଦା ଭାବଇ ରସ ନିଧିରେ,

ହେ ସୁଜନେ ।୨୪।

 

ଦ୍ୱାଦଶ ଛାନ୍ଦ

ଶ୍ରୀରାଧା ଛାମୁକୁ ଦୂତୀ ପ୍ରେରଣ

ରାଗ-ଗୌରୀ। ଛପୋଇ

ବାଣୀରେ (ମଧ୍ୟ ଯମକ)

 

ଏ ଉତ୍ତାରୁ ଧୀରେ ଶୁଣ ହେ ସଧୀରେ

ବଚାରି ବିଧିରେ ଆନନ୍ଦରେ।

ଗୋବିନ୍ଦ ଚିତ୍ତରେ କହନ୍ତି କାତର

ହୋଇଣ ମିତର ପୁରତରେ।୧।

 

ରାଧାନା କହତ ହେଉଛି ମୁଁ ହତ

ଦହୁଛି ଦେହ ତ ମାର ଶରେ।

ଆଜି ମୋର ଜୀବ ଯମପୁର ଯିବ

ନିଶ୍ଚୟ ରାଜୀବମୁଖୀ ନାଁରେ।୨।

 

ସେ କି ଜଗତର ମୋହନ ମନ୍ତର

ହେଲା ତ ଚିତ୍ତର ମୋହପାଶୀ।

ମତ୍ତ ଗଜଗତି ନ କଲେ ସଙ୍ଗତି

ମୋହର କି ଗତି, ଗଲି ଭାସି ।୩।

 

ମାଧବ ହସିଲା, ମାଇଁଟି ଭାଷିଲା,

ବିବେକ ଧ୍ୱଂସିଲା ଗୋବିନ୍ଦର।

ପୀଡ଼ିଲା ମଦନ ଶୁଖିଲା ବଦନ

ବଢିଲା କଦନ-ଅକୂପାର ।୪।

 

ବଜ୍ର କି ପଡ଼ିଲା ସାହସ ଉଡ଼ିଲା

ଚେତନା ବୁଡ଼ିଲା ଚାହୁଁଚାହୁଁ।

ଜ୍ଞାନ ନରହିଲା ଲୋତକ ବହିଲା

ମରମ ଦହିଲା କାମ ଯହୁଁ।୫।

 

ଏ ରୀତି ଚାହିଁଲେ ବେଦନା ବହିଲେ

ସଖାଏ କହିଲେ ଶାନ୍ତି କରି।

ଏତେକ ସଙ୍ଗୀର ନସହିଲ ଗିର

ସଦନ-ଭଙ୍ଗୀର ପରା ହରି।୬।

 

ନୁହସି ଆରତି ଖୋଜିବା ଜରତୀ

ପେଷିବା ପୀରତି ଲଗାଇବା ।

ସେ ନବନାଗରୀ ସୁରସ ନଗରୀ ସୁପ୍ରେମ

ସାଗରୀ ମନାଇବା।୭।

 

ଅସାଧ୍ୟ ଦୂତୀରେ ହେଲେ ଏ କ୍ଷିତିରେ

ଖୋଜି ଝଟତିରେ ଉପାୟକୁ ।

ମୋହନ କରିବା ତା ମନ ହରିବା

ଲଭି ନ ପାରିବା ଯେବେ ତାକୁ ।୮।

 

ନାନା ଧୀ-କୂଟରେ ଜଗିବା ବାଟରେ

ଅବଶ୍ୟ ଭେଟରେ ପଡ଼ିବ ତ।

ନୋହିଲେ ମିଶିବା ତା ପୁରେ ପଶିବା

ବଳେ ଆକର୍ଷିବା ପ୍ରାଣମିତ।୯।

 

ନୋହିଲେ ଅତନୁ ପୂଜିବା ସୁତନୁ

ବଶ ହୋଇ ତନୁ ଦାନ ଦେବ।

ନୋହିଲେ ପ୍ରାପତି ପାର୍ବତୀର ପତି

ପୂଜିବା ତପତି ନାଶ ଯିବ ।୧୦।

 

ସଖାଙ୍କ ସାନ୍ତ୍ୱନା ବଚନେ ଚେତନା

ପାଇଣ ନୂତନା ଭାବ ଧ୍ୟାୟି।

ଗୋବିନ୍ଦ ରଚନ କଲେ ତ ବଚନ ସେ

ଯାଏ ବଞ୍ଚନ କି ହୁଅଇ ।୧୧।

 

ସେ କୃଷ୍ଣ ଚାମରୀ-କେଶୀ ନା ସୁମରି

ନିଷ୍ଠା ଯିବି ମରି ନ ପାଇଲେ ।

ପ୍ରାଣ ପ୍ରୟାଗରେ କି ଶିବ ନଗରେ

କି ଗଙ୍ଗାସାଗରେ ଦେବି ବଳେ ।୧୨।

 

କି ଯୋଗୀ ହୋଇବି ତା ଗୁଣ ଗାଇବି

ଏ ଦେହ ଥୋଇବି ମହୀ ଭେରି।

ତା ପଦଧୂଳିକି ମୋର ମଉଳିକି

ଦେବ କେ ବୋଲି କି ଦୟା କରି ।୧୩।

 

ହୃଦୟ ପଥର ହେଲାନି ଏଥର

ବିଦେହ ପଥର ସେ ସଙ୍ଖାଳି।

କଙ୍ଗାଳୀ ବରତ ଥାଳ ସେ ମୋରତ

ନାମ ଗଳାର ତ ଦୁଃଖ ଝୋଳି ।୧୪।

 

ଭାବ ଦର୍ଶନୀକି ଛାଡ଼ିବି ମୁଁ ନିକି ନିନ୍ଦିବି

ମୁନିଙ୍କି ଏ ବେଶରେ।

ତା ନାମ ଛାପରେ ଛାଇ ସ୍ୱରୂପରେ

ବସିବି ତପରେ ମୁଁ ନିଷ୍ଠାରେ।୧୫।

 

ରାଧା ଲମ୍ପଟରେ ତ୍ରିବେଣୀ ତଟରେ

ବଟ ନିକଟରେ କରି କୁଟୀ।

ପଞ୍ଚାତପ ତାପି ହୋଇବି ସନ୍ତାପି

ମଦନ ପ୍ରତାପୀ ଯିବ ହଟି।୧୬।

 

କେବଳ ରାଧାର ନାମ ନିରାଧାର

ମୋହର ଆଧାର ଆଜଦିନୁଁ।

ପୂଜିବି ଶଙ୍କର ବୋଲିବି ଶଂ-କର

କରିବି କିଙ୍କର ସେ ସୁତନୁ ।୧୭।

 

ସବୁରୂପେ ଗତି ମୋର ଗଜପତି

ଇଚ୍ଛଇ ଭଗତି ନବଜାତି।

ଆଦ୍ୟ ତ ପ୍ରକଟ ପ୍ରାନ୍ତ ହିଁ ନିକଟ

ହେଲା ଅପ୍ରକଟ ମଧ୍ୟରୀତି।୧୮।

 

ଗୋବିନ୍ଦ ଭାରତୀ ଶ୍ରବଣେ ଆରତି

ସଖାଏ ପୀରତି ବଶେ ହେଲେ।

କେ ପଛକୁ ଯାଇ ଉରେ ଆଉଜାଇ

ଲୁଅ ଉପୁଜାଇ କେହୁ ବୋଲେ।୧୯।

 

କେ ବୋଲେ ହେ ବନ୍ଧୁ ଆମ୍ଭ

ବଧୁଁ ଦେଇ ପରବଧୂଠାରେ ମନ।

ଆମ୍ଭ ମନରସା ତୋ ବିନା ଏରସା

ମଧ୍ୟରେ ଭରସା ନାହିଁ ଆନ ।୨୦।

 

ଆହେ ତ୍ରିଭୁବନ –ମୋହନ ଭବନ

ଅନ୍ଧାର ଜୀବନ ଯାଉଛିଟି।

ତୋହୋ ବିରସରେ ଆମ୍ଭ ବୁଦ୍ଧିସରେ

ଚାହିଁବୁ ତୋଷରେ କାହାକୁଟି ।୨୧।

 

ପ୍ରାର ନ ଗଲା ତ ଏହା ଦେଖିଲା ତ

ଦଇବ କଲାତ ଏତେ ସରି।

ନେତ୍ର ଫୁଟିଯାଉ ହୃଦ ଫାଟିଯାଉ

ପ୍ରାଣ ହଟିଯାଉ ବେଗ କରି।୨୨।

 

ସଖା ଏସନରେ ହୋଇ ବିମନରେ

ବୋଲନ୍ତି ଛନ୍ନରେ ସ୍ନେହ ଘେନି।

ତୋରା ଗମନରେ ଇଚ୍ଛି ସୁମନରେ

ମିଳି ସେ ବନରେ କାମସେନୀ ।୨୩।

 

ଗୋବିନ୍ଦ ବିଧୂର ବଦନ ବିଧୁର ଦେଖି

କଲା ଧୂରରୁଁ ବିଚାର।

ଜଗତ ବନ୍ଦନ ଶ୍ରୀଅଙ୍ଗେ କଦନ

କରିଛି ମଦନ ଏତେ ଦୂର ।୨୪।

 

ପାଖକୁ ଆସିଲା ଅଳପ ହସିଲା

ହୋଇ ସେ ଭାଷିଲା ସଖାଚାହିଁ।

ଏ ନନ୍ଦ କୁମର ଅତି ସୁକୁମାର ଚାହିଁ

ଯାକୁ ମାର ହେବ ମୋହି ।୨୫।

 

ଏ ମାରେ ମୋହନ ହେବାରେ

ଗହନ ଅବ୍ୟାଜେ ବହନ କରି କହ।

ଦେଲେକି ମତିକି ଯୁବତୀକି ଏଣୁ

ବିପତ୍ତିକି ପାଏ ଦେହ।୨୬।

 

ଶ୍ରୀମୁଖ ଚାହିଁଛି ମୋହିତ ନୋହିଛି

ଦମ୍ଭକୁ ବହିଛି କଉଁନାରୀ।

ସଖାତ ଏତକ ଅଛ ଏ କେତେକ

କଥାଏ ମାତ୍ରକ ନାହିଁ କରି ।୨୭।

 

ମାଧବ ଭାଷିଲା ତୁମ୍ଭର ଆସିଲାଠାରୁଁ

ତ ଦିଶିଲା ଶୁଭ ଆଜ।

କହି ବା ପାରିବ ଟିକି ଗୋ,ତାରିବ,

ଆମ୍ଭଙ୍କୁ କରିବ ଯେବେ କାର୍ଯ୍ୟ ।୨୮।

 

ସଞ୍ଚାରୀ କହିଲା, ସଂସାରେ ମହିଳା

ମୋ ସାଧ୍ୟ ନୋହିଲାର କେ ହେବ।

କଲେ ମୁହିଁ ଚିତ୍ତ ନୃନାରୀ କିଞ୍ଚିତ

ଦଣ୍ଡକେ ଶଚୀ ତ ଭଳି ଯିବ।୨୯।

 

ଜଳରେ ଲୁଚାଇ ଅଗ୍ନିକି ବଞ୍ଚାଇ

ମୋହୋରେ ସଞ୍ଚାଇବାର ହେବ।

ଅନଳ ଭିତରେ ବାରୁଦ ଯତରେ

ବିଚାର ଚିତ୍ତରେ ରଖାଯିବ।୩୦।

 

ପରଖ ସିଦ୍ଧିକି ଅଷ୍ଟମ ନିଧିକି କି

କଳାନିଧିଙ୍କି ଆଣି ଦେବି।

କାଗଜରେ ତରି କରି ସିନ୍ଧୁ ତରି

ଯିବାକୁ ମନ୍ତରୀ ବନାଇବି।୩୧।

 

ଥାଉ ହେବା କାନ୍ତ ସଙ୍ଗତେ ଏକାନ୍ତ

ଯେ ପୁରୁଷକାନ୍ତ ଦେଖିନାହିଁ।

ତା ମନ ରଞ୍ଜାଇ ନାଗରା ବଜାଇ

ସୁରସେ ମଜ୍ଜାଇ ଦେବି ମୁହିଁ।୩୨।

 

କରୁଛି ଗୁମାନ କୁଳିଶ ସମାନ

ହୋଇଥିଲେ ମାନ ଭାଙ୍ଗି ଦେବି।

ଅତନୁ ବିହାର ନଥିବ ଯାହାର

ହୃଦରେ ତାହାର କି କରିବି? ।୩୩।

 

ଶୁଣି କଣ୍ଠହାର ଗୋବିନ୍ଦ ବାହାର

କରି ଉପହାର ମତେ ଦେଲେ।

ଦେଇ ମତେ, ତାରପତିମୁଖୀ ତାର,

ସୁଯଶ ବିସ୍ତାର ତୁ, ବୋଇଲେ।୩୪।

 

ଶ୍ରୀ ରାଧିକା ବିନା ମୁଁ ତ ଜୀଇବି ନା

ଅମର ନବୀନା ପ୍ରାପ୍ତ ହେଲେ।

ଭଲା ନା ପାଞ୍ଚିତ ଦେଲେ ନେଇ

ଚିତ୍ତ ତୁମ୍ଭଙ୍କୁ ଉଚିତ ଦୂତୀ ବୋଲେ ।୩୫।

 

କଉଁ ରାଧାରତ ନାମକୁ ଧରତ ଦୁଇ

ରାଧାର ତ ନାମ ଖ୍ୟାତି।

ଗୋବିନ୍ଦ କହିଲେ ଦୁଇକେ ମହିଳେ,

ଜାଣୁତ ପହିଲେ ଏକ ମୂର୍ତ୍ତି।୩୬।

 

ଦୂତିକା ଭାରତୀ କହଇ ପୀରତିବତ୍ସଳ

ଧିରତି ହୋଇ ଶୁଣ

ବୃଷଭାନୁଜେମା ରାଧା ତାକୁ ଯେ ମା

ସରି ନୋହେ ଯେ ମାଈଁଟି ଜାଣ ।୩୭।

 

ମଲ୍ଲ ଗୋବର୍ଦ୍ଧନର ଯେ ଜୀବଧନ

ମାନସ ବନ୍ଧନ ପାଶୀ ବାଳୀ।

ରାଧାନାମହିଁ ତ ତାହାର ବିହିତ

ନାମ ପୁଣିହିଁ ତ ଚନ୍ଦ୍ରାବଳୀ।୩୮।

 

ଶ୍ରବଣେ କେଶବ ବୋଇଲେ,

ଆସବ ପିଇଛି ଆଶବଶରୁ ମୁହିଁ।

ମନ ଅବାରଣ ପ୍ରମତ୍ତ ବାରଣ ପରି

ରଣରଣ ବଶ ତହିଁ।୩୯।

 

ଏମନ୍ତ ମୁହିଁ ତ ସୁଜାଣ ତୁହିତ ଯେ

ହେବ ମୋ ହିତ ତାହାକର।

ଦୂତିକା ଜବରେ ଜାଣିଣ ଭାବରେ

ଗଲା ସେ ନବରେ ତତପର।୪୦।

 

ଶ୍ରବଣ-କୁହର-ସୁଖ ମନୋହର

ପ୍ରେମ ସନ୍ଦୋହାର ସାର ଘର।

ଘେନହେ ସଙ୍ଗୀତବିଦ ଏହୁ ଗୀତ

ନାମ ତ୍ରିଭଙ୍ଗୀତ ନିୟମର।୪୧।

 

ବୋଲଇ ସାମନ୍ତ ସିଂହାର ଶ୍ୟାମତ

ମୋହୋର ସାମନ୍ତ କାହିଁ ଆନ ।

ଶ୍ରୀ ପଦ୍ମଚରଣ ଭଙ୍ଗୀ ଆଚରଣ କରି

ସୁମରଣ ଯାଉ ଦିନ।୪୨।

 

ତ୍ରୟୋଦଶ ଛାନ୍ଦ

ଚନ୍ଦ୍ରାବଳୀ ଦର୍ଶନ

(ଶ୍ରୀକୃଷ୍ଣ ଗୋଚରଣ ବିଦ୍ୟାପ୍ରାପ୍ତି)

ଅନୁପ୍ରାସ । ରାଗ-ରାମକେରୀ ।

 

ସାଧବ ଶୁଣ ହେ ମାଧବ ଦୂତୀ କରି ପ୍ରେଷଣ ।

କାତର ହୋଉଣ ଉତ୍ତର କଲେ ସଖାଙ୍କୁ ପୁଣ ।୧ ।

 

ସତେ କି ମିତ ହୋ ମୋତେ କି ବଶ ହେବ ରାଧିକା ।

ଦିଶିବ ମୋ ଶିବ ଆସିବ ସର୍ବ ଶୁଭେ ଦୂତିକା ।୨ ।

 

ହସିବ, ଏତେକି ଭାଷିବ, ଦୟା କଲା କିଶୋରୀ।

ରହିବ ପରାଣ, ଦହିବ ନାହିଁ ହର-ଭଗାରି ।୩।

 

“ରସିଲା ନାହିଁ ସେ, ଭାଷିଲା ଯେବେ ଆସି ସଞ୍ଚାରୀ ।

ଜୀବ ତ ବାହାରି ଯିବ ତ କ୍ଷଣେ ନ ରହି କରି ।୪।

 

କରିବି କି ବୁଦ୍ଧି ଧରିବି କେହି ଧୈର୍ଯ୍ୟ ବିବେକ ।

ମରିବି ତା ଲାଗି ତରିବି ସୁର ସିନ୍ଧୁ ପାତକ ।୫।

 

ମୋହନା ନାମକି ମୋହନା ନରଖିବ ଜଗତେ ।

ପୋଡ଼ିଲା ହୃଦୟ ପଡ଼ିଲା ଦିନୁ ମୋ କର୍ଣ୍ଣଗତେ ।୬।

 

କହୁଁତ ଏପରି ବହୁତ ଦଶା ଅବଶେ ଛନ୍ନ ।

ବିଧୁର-ବଦନ ବିଧୁର ସ୍ୱେଦ କମ୍ପ ଜନନ।୭ ।

 

ଅବଶ ବେଳରେ ପ୍ରବେଶ ହେଲେ ଶ୍ରୀପୂର୍ଣ୍ଣମାସୀ।

ଦମ୍ଭରେ କୃଷ୍ଣ ଆରମ୍ଭରେ ଶୀଘ୍ରେ ମାନ୍ୟ ପ୍ରକାଶି ।୮।

 

କ୍ଷେମକୁ ବାଞ୍ଛି, ସେ ଶ୍ୟାମକୁ ମନ୍ଦାହାସେ ବୋଇଲେ ।

ନୀରସ ବଦନ-ସାରସ ଦିଶେ କି ଚିନ୍ତାବଳେ।୯ ।

 

ମଦନ ରାଜନ ବଦନ ପରାୟେତ ମଣଇଁ ।

କାହାରେ ମନକୁ ବିହାରେ କି ହୋ ଅଛି ବଳାଇ ୧୦ ।

 

ନାଗରୀ କେ ଗୋପ ନଗରୀ ମଧ୍ୟ ତୁମ୍ଭଙ୍କୁ ଦେଖି।

ବରିଲା ନାହିଁ ସେ ପାରିଲା କେହି ଜୀବନ ରଖି ।୧୧।

 

ଶୁଣିମ ସେ ନାମ ମଣିମ ସେ ତ ଅମୃତ ବତ ।

ଭାଙ୍ଗିବ ଗରିବ ଲାଗିବ ତାକୁ ଅନଙ୍ଗ ଭୂତ।୧୨।

 

ଦେଖିବ ଆହୁରି ରଖିବ ଦମ୍ଭ କେଉଁ ଗୁଆଁରୀ।

କିଙ୍କରୀ ହେବାକୁ ଶଙ୍କରୀ ରମା ହେବେ ଆତୁରୀ।୧୩।

 

ଲାଳରେ ଗୋବିନ୍ଦ ବ୍ୟାଜରେ କଲେ ପ୍ରତି ଉତ୍ତର ।

ମହତ ହୋଇଣ କହତ ହେବ କି ଭାଙ୍ଗିବାର । ୧୪ ।

 

କନ୍ଦର୍ପ କିରୂପ ତା ଦର୍ପ ପୁଣି କେମନ୍ତ ଆଜୀ ।

ପୀରତି ପ୍ରଚାର ସୁରତି ରୀତି ଶୁଣିଲି ଆଜି । ୧୫ ।

 

ଗୋକୁଳ ଯାକର ଗୋକୁଳ ବ୍ୟାଧିବନ୍ତ ହେବାରେ ।

ବିରସ ବହୁତ ହରଷ ନାହିଁ ସେହି ଚିନ୍ତାରେ ।୧୬।

 

ଶୁଣିଲେ ଏମନ୍ତ ଭଣିଲେ ପୁଣି ଶ୍ରୀପୂର୍ଣ୍ଣମାସୀ।

ନକର ଭାବନାନିକର ଅଛି ଗୋ ଶାସ୍ତ୍ର-ରାଶି । ୧୭ ।

 

ଗୋ-ବର୍ଦ୍ଧନକୁ ଗୋବର୍ଦ୍ଧନ ମଲ୍ଲ ବିଦ୍ୟା ପାଇଛି ।

ଭାଇ ସେ ତୁମର ଯାଇଁ ସେଠାକୁ ମାଗ ହେ କିଛି ।୧୮।

 

ଆଶ ତହିଁ ଥିଲେ ଆସତ ମୋହ ସଙ୍ଗତେ ଆଜ ।

ଦଇବ କଲାନି ପାଇବ ତୁମ୍ଭ ଇଚ୍ଛିଲା କାର୍ଯ୍ୟ ।୧୯।

 

ମୁଦରେ ଗୋବିନ୍ଦ ହୃଦରେ ଲାଭ ଅଛି ବିଚାରି।

ବେଗରେ ଯେ ମଲ୍ଲ-ନଗରେ ବିଜେ କଲେ ଶ୍ରୀହରି ।୨୦।

 

ସୁବଳ ଗହଣେ କେବଳ ପୂର୍ଣ୍ଣମାସୀ ଆବର।

ଚଳିଲେ ବହନ ମିଳିଲେ ଯାଇଁ ମଲ୍ଲ ନଗର ।୨୧।

 

ଦେଖିଲା କ୍ଷଣି ତ ଲେଖିଲା ଇଷ୍ଟ ଆଗତ ମଲ୍ଲ ।

ଆସିଲାରୁ ଭାଇ ଦିଶିଲା ମୋର ସକଳ ଭଲ।୨୨।

 

ବିଚାରି ଯେତେକ ପଚାରିଲା ସେ ସମସ୍ତ ଶୁଭ।

ରସାଇ ପୁଚ୍ଛିଲା ବସାଇ ଚନ୍ଦ୍ରାବଳୀ ବଲ୍ଲଭ । ୨୩ ।

 

ରଞ୍ଜାଇ ମନକୁ ଭୁଞ୍ଜାଇ ଦିବ୍ୟ ସାମଗ୍ରୀମାନ ।

ସୁମନ ବସନ ସୁମନ ହୋଇ ହେଲା ବହନ।୨୪।

 

କହିଲା ମଲ୍ଲ ଯେ ରହିଲା ଏବେ ବଳ ନନ୍ଦର।

କି କରୁଥାଉ ତୁ ନକରୁ ଭେଟ କଂସ ରାଜାର ।୨୫।

 

ଘରେ ତ ବସିଲେ ସରେ ତ ଭାଇ ଅଚଳ ନିଧି।

ଉପାୟ ନକଲେ କେ ପାଏ କାହିଁ କଉଁ ସମ୍ପ୍ରଧି।୨୬।

 

ଆଦର ଅବା ନଆଦର କହୁ ଅଛି ଭଲ ତ।

ଭେଦ ରଖୁଛୁ କି ସୋଦର ସାନ ତୁହି ମୋର ତ ।୨୭।

 

ମଥାକୁ ପୋତିଲେ କଥାକୁ ଶୁଣି ହସି ଶ୍ରୀହରି ।

ହାସକୁ ପ୍ରକାଶି ଭାଷକୁ ପୂର୍ଣ୍ଣମାସୀ ଉଚ୍ଚାରି ।୨୮।

 

ରସିଛି ଭାଇ ତ ଆସିଛି ଗୋରୁ ବିଦ୍ୟା ନେବାକୁ।

କହିଲେ ମଲ୍ଲ ଯେ ପହିଲେ ବିଦ୍ୟା ଦେବି କୁଷଙ୍କୁ । ୨୯ ।

 

ତାହାର ମୋହର ବାହାର ଭିତର ଅଛଇ କି ।

ଘର ତ ତାହାର ନିରତ ନ ଆସଇ କାହିଁକି ।୩୦ |

 

ଯାହାତ ତା ମନ ତାହାତ ଘେନି ଯାଉ ଏ କ୍ଷଣି।

ବଚନ ଏ ରୂପେ ରଚନ କଲା ଅନେକ ପୁଣି ।୩୧ ।

 

ମୋହନ କରରେ ବହନ ଦେଲା ଗୋ ଶାସ୍ତ୍ର ପୋଥି।

ରିଝାଇ କୃଷ୍ଣଙ୍କୁ ବୁଝାଇ ଦେଲା ଯେ ଗୁପ୍ତ ତଥି ।୩୨।

 

କୃଷ୍ଣରେ ବସାଇ ତୃଷ୍ଣରେ ପୁରୋଦର ଶୟନେ ।

ଜାୟାରେ କହେ ନିର୍ମାୟାରେ ଅତି ହରଷ ମନେ ।୩୩।

 

ସଜନୀ ସହରେ ସଜନିକରକୁ ଲାଗି ହୋଇ ।

ଯାଇ ତ ବନ୍ଦାଅ ଭାଇ ତ ମୋର ଅଟେ କହ୍ନାଇ ।୩୪ ।

 

ତରକି ଅଛ ସେ ପର କି ନନ୍ଦରାଜା କୁମର ।

ରମଣି ଦିଅ ଗୋ ସୁମଣି ରତ୍ନମାଳ ସତ୍ୱର ।୩୫ ।

 

ଆନନ୍ଦ ମନେ ରସାନନ୍ଦ ବନ୍ଦାବନା କରଣେ ।

ସୁବେଶ ହୋଇଣ ପ୍ରବେଶ ଚନ୍ଦ୍ରାବଳୀ ତକ୍ଷଣେ ।୩୬।

 

ରଜନୀଶ ମୁଖୀ ସଜନୀ ମେଳେ କୃଷ୍ଣ ବନ୍ଦାଇ ।

ଯତନ ଦେଲା ସେ ରତନ ହାର କଣ୍ଠେ ଲମ୍ବାଇ ୩୭ ।

 

ଅତନୁ ଦେବତା ସୁତନୁ କି ଏ ମଣି ସୁତନୁ।

ଦେବର ସମ୍ବନ୍ଧେ ସେ ବରମାନ୍ୟ ଛାଡ଼ିଲା ମନୁ ।୩୮ ।

 

ଭିଡ଼ି କି ଯତନେ ଧଡ଼ି କି ଦନ୍ତବାସରେ ଧରି ।

ନାସିକା ଫୁଲାଇ ରସିକା ମନ୍ଦହାସ ବିସ୍ତାରି ।୩୯ ।

 

ମୋଡ଼ିଲା ବଦନ ଆଡ଼ିଲା କରି ବାସ ପଣନ୍ତି ।

ନଚାଇ ଭ୍ରୂଲତା ଲୁଚାଇ ମାରେ ନେତ୍ରାନ୍ତ କୁନ୍ତ ।୪୦ ।

 

ଦଣ୍ଡକ ରହି ପହଣ୍ଡକ ଯାଇଁ ତ୍ରପା କୃପାରେ ।

ଶମ୍ପାଗଉରୀ କମ୍ପାଇଣ ଗାତ୍ର ଦିଏ ଭଙ୍ଗୀରେ ।୪୧।

 

ପଲକ ନ ଚଳେ ପୁଲକ ଗଣ୍ଡ ଗାତ୍ରେ ପୂରାଇ।

ଭାବ ଅଳଙ୍କାର ଭାବକୁ ଅଙ୍ଗୀକାର କରଇ ।୪୨।

 

ଉଲ୍ଲାସ ହୋଇଲା ବିଳାସ ଲୀଳା ଲଳିତ ରୀତି ।

ଉତ୍କଟ ହୋଇଣ ପ୍ରକଟ ହେଲା ନାଗରୀ ନୀତି ।୪୩।

 

କଳା କପିଳମୁଖ କଳାକର ବଦନା ଦେଖି ।

ରସିଲା ମନ ଯେ ଭାସିଲା କାମ-ଜଳେ ସୁମୁଖୀ।୪୪ ।

 

ବାଳାର ମନ ଯେ ମାଳାର ଦେବାବେଳେ ଆତୁର ।

ବରଣ କରି ମୁଁ ଶରଣ ହେବି, କରେ ବିଚାର ।୪୫ ।

 

ମନ ବାରଣ ଅବାରଣ କୋଳେ ଇଛେ ଲମ୍ପଟେ ।

ବିଚାର ମାହୁନ୍ତ ପ୍ରଚାର ଲିଜ୍ଜାଙ୍କୁଶେ ଆକଟେ ।୪୬ ।

 

ବାହୁଡ଼ି ଆସନ୍ତେ ସେ ହୁଡ଼ି ହୁଡ଼ି ପଡ଼ଇ ପଥ ।

ପଡ଼ିଲା ମୋହରେ ପୋଡ଼ିଲା ମନକୁ ମନମଥ।୪୭।

 

ଗୋବିନ୍ଦ କରି ଅରବିନ୍ଦ ମୁଖୀ-ମୁଖ ଦର୍ଶନ।

ନିଶ୍ଚଳ ହୋଇଲା ଅଚଳ ପରି ସର୍ବାଙ୍ଗ ସ୍ଥାନ ।୪୮।

 

ଭାବିତ ବାସବ ପବି ତ ହେଲା ଲଜ୍ଜା ତହିଁକି ।

ତୀକ୍ଷ୍‌ଣ ଶରକୁ ସେକ୍ଷଣ ସ୍ମର ବିନ୍ଧିଲା ହାଁକି।୪୯।

 

ଉଭୟ ମନେ ସ୍ମର ଭୟ ତେତେ ବେଳୁ ପାଇଲେ ।

ବିକାର ହାସରୁ ସ୍ୱୀକାର ମଣି ମନ ବୋଧିଲେ ।୫୦ ।

 

ସେ କ୍ଷଣେ ମୋହନ ତକ୍ଷଣେ ଗଲେ ମେଲାଣି ହୋଇ ।

ଭେଟିଲେ ସଖାଙ୍କୁ ବଟିଲେ ବାହ୍ୟ ଲୋକ ଭୁଲାଇ ।୫୧।

 

ଭଗବତକୁ କହି ଭଗବତୀ ଗଲେ ସ୍ୱପୁରେ ।

ଅପ୍ରାସରେ ଏ ଅନୁପ୍ରାସ ଛାନ୍ଦ ବିଚାରି ଧୀରେ।୫୨ ।

 

ବିଦଗଧ ଏ ବିଦଗ୍‌ଧ-ଚିନ୍ତାମଣି ପ୍ରବନ୍ଧ ।

ବୁଧଙ୍କ ମନକୁ ବୋଧକ, ଅଜ୍ଞ ଏଥିକି ଅନ୍ଧ ।୫୩।

 

ଗୋବିନ୍ଦ-ରରୁ-ଅରବିନ୍ଦ-ପଦ-ରସେ ମିଳିନ୍ଦ ।

ହେଲେ ତ ଜାଣିମ ହେଳେ ତ ଏଥି ସୁଗନ୍ଧ ସ୍ୱାଦ ।୫୪।

 

ଭାଷଇ କେବଳ ଭାସଇ ଭବଜଳେ ମୁହିଁ ତ ।

ସାମନ୍ତ ସିଂହାର ସାମନ୍ତ ଶ୍ୟାମ ବିନୁ ନାହିଁ ତ।୫୫ ।

 

ଚତୁର୍ଦ୍ଦଶ ଛାନ୍ଦ

ଚନ୍ଦ୍ରାବଳୀ ଭାବ ଭାବନା-ଦୂତୀ ପ୍ରେକ୍ଷଣ

ରାଗ-କାଳୀ। ଆଦ୍ୟ ଯମକ-ପଞ୍ଚାକ୍ଷର ।

 

ଶ୍ରବଣେ ଧୀରେ ଶ୍ରବଣେ ଧୀରେ ଲଭିବ ମହାନନ୍ଦ ।

ଭାବି ନିରତ ଭାବିନୀ ରତ ହୋଇ ପରମାନନ୍ଦ ।୧।

 

ଭାସନ୍ତି ରସେ ଭାଷନ୍ତି ରସେ ମିତ ଆଗରେ ବସି ।।

ଗୁଣୀତିଳକ ଗୁଣି, ତିଳକ ଯୁଗ ହୋଇଲା ଆସି । ୨ ।

 

ଦର ସନକ ଦରଶନ କଲେ ତ ପାଇବେ ମାରେ।

ତାର ମୂରତି ତାର ମୁଁ ରତି ଲକ୍ଷିବି କି ଗୁଣରେ ।୩।

 

ମୋହ ନାଶର ମୋହନାଶର ଜନମି ଅଛି ସେହି ।

ପରସଂସାରେ ପରଶଂସାରେ କହିବି କେହି ମୁହିଁ ।୪।

 

ଚନ୍ଦ୍ରାବଳୀକି ଚନ୍ଦ୍ରାବଳୀ କି ହାରି ଶରଣ ନଖେ।

ଦରପଣତ ଦର ପଣତ ପାଇବ ଯୋଗୁଁ ମୁଖେ ।୫ ।

 

କି ସୁ-ମନରେ କି ସୁମନରେ ମନାଇଥିଲି ହର।

ତାର ଆଲୋକ ତାର ଆଲୋକ ହେଲା ସେ ପୁଣ୍ୟ ମୋର ।୬।

 

ସୁରମଣୀକି ସୂରମଣିକି ଚିତ୍ର କି ମୋହିବାର ।

ରତି ଭାରତୀ ରତି ଭାରତୀଙ୍କି, ସେତ ଅଳଙ୍କାର ୭ ।

 

ମୋହ ନିମିତ୍ତ ମୋହନୀମିତ ଜନମି ଅଛି ଆସି।

ଆନ ନ ଭାବି ଆନନ ଭାବି ସେ ମନ ବନ୍ଦୀପାଶୀ।୮ ।

 

ସୁନ୍ଦରପଣ ସୁ-ଦରପଣ ଦେଖି ପାଇବେ ହର।

ଆନନ ରସି ଆନ ନରସି ଯୋଗୀ ଇଚ୍ଛିବେ ଘର।୯।

 

ଅପସରୀକି ଅପସରିକି ନ ଯିବେ ମାନ ମ୍ଳାନେ।

ଅଳକାପନ୍ତି ଅଳକାପତି ଦେଖି ମଜ୍ଜିବ ଛନ୍ନେ । ୧୦ ।

 

ମନମଥର ମନ ମନ୍ଥର ଗମନା ମୋହିପାରେ ।

ନ ବିନାଶେ କି ନବୀନା ସେ କି ଆନକୁ ଲୋକନରେ ।୧୧।

 

ଧିଆନ କରୁ ଧୀଆନ କରୁଅଛି ମୋର ତା ଛବି ।

କୁସୁମଶର କୁସୁମ ଶର ହେଲା ଆସିତ ପବି। ୧୨।

 

ଜୀବନ ଯିବ ଜୀବନଜୀବ ନହେଲେ ଚାନ୍ଦ ମୁହୀଁ ।

ସୁନାସୀର ତ ସୁନାସୀ ରତ ପାଇଲେ ହେବି ମୁହିଁ ।।୧୩।

 

ଗତି କି କଲା ଗତିକି କଳାବତୀ ଆସିବା ବେଳେ ।

ସୁମତି ହରି ସୁମତି ହରି ହେଲା ମୋର ସେ କାଳେ ।୧୪।

 

ଦର୍ପକର ସେ ଦର୍ପକ ରସେ ଭାସିଲି ତାକୁ ଚାହିଁ ।।

ଅଙ୍ଗନାବର ଅଙ୍ଗ-ନାବର ବିନା ତରିବି କେହି ।୧୫।

 

ସେ ହିତ ଦିଶେ ସେହିତ ଦିଶେ ନୟନ ପାଶେ ମୋର ।

କେହି ତରକି କେ ହିତର କି ଜାଣ ଉପାୟେ କର ।୧୬।

 

ବିଚାର କରି ବି-ଚାର କରିଗତି ଛାମୁକୁ ପେଷ।

ବିଦେହ ରେ ବି-ଦେହସରେ, ମୋର ପୂରାଅ ଆଶ ।୧୭।

 

ହରିର-ଭାଷ ହରିର ଭା-ସକଳ ସଖାୟେ ଶୁଣି ।

ବିରସ ତେଜ, ବୀର ସତେଜ ହୁଅ ବୋଇଲେ ବାଣୀ ।୧୮।

 

ଗୋ-ବରଧନ ଗୋବରଧନ କାନ୍ତାକୁ ଲେଖ ଲେଖ ।

ମାନବୀ ସେ, ତ ମାନ, ବିଷେତ ଦେଖିଛି ତୁମ୍ଭ ମୁଖ ।୧୯।

 

ଚିନ୍ତେ ବାମାର ଚିତ୍ତେ ବାମାର ପ୍ରବେଶ ହୋଇବନି ।

ପରମ ଦାର ପରମ ଦାରଣ ହୃଦ କରିବନି ।୨୦।

 

ନବ ରମଣୀ ନବର ମଣି ଅଛି ଶ୍ରୀଦାମ ଯାଉ ।

ଶିଙ୍ଖାରି-ଗୁଣ-ସଖାରି ଗୁଣ ଏତକ କରିଥାଉ ।୨୧।

 

ଭାବର ଲେଖ ଭାବର ଲେଖନ କରି ମିତେ ଦେଲେ । ।

ମାଧବ ଭାଷି, ମାଧବ ଭାଷି ଯାଅ ଏ ଶୁଭ ବେଳେ ।୨୨।

 

ସେ ଉଭରକୁ ସେ ଉତ୍ତରକୁ ମାନି ବହନ ଗଲା ।

ଅଙ୍ଗନାଶରେ ଅଙ୍ଗନା ସରେ ସେ ପୁରେ ଶୁଣାଗଲା ।୨୩ ।

 

ରଜନିକର ରଜନୀକର-ମୁଖୀ ବୋଳେ ଗାତ୍ରରେ ।

ହା ରାବହିଁ ତ, ହାରା ବହି ତ ନ ପାରେ ଅବଶରେ । ୨୪ ।

 

ସଜ ନିକର ସଜନୀକର ମଣଇଁ ପର ଭାର ।

ବରଷା ରସ ବରସାରସ ନିୟନୁଁ ବହେ ତାର ।୨୫।

 

ରସି କାମରେ ରସିକାମରେ, ସଜନୀ ଆଗେ ଭଣେ।

ପଶୁପ ସୁତ ପଶୁପସୁତକୁ ସରି କଉଁ ଗୁଣେ ।୨୬।

 

ନାଗ-ରମଣୀ ନାଗରମଣି ଦେଖିଲେ ଭୁଲିଯିବେ।

ସୁର-ସମ୍ପଦ ସୁର ସପଦ ଛୁଇଁଲେ ଅରଜିବେ ।୨୭।

 

ସୁର-ତରୁଣୀ ସୁରତ -ରୁଣୀ ହୋଇବେ ଦରଶନେ । ।

ମାନବୀ କି ସେ ମାନବିକି ସେ ବଳେ ଭଜିବେ ଛନ୍ନେ । ୨୮ ।

 

କିଙ୍କରୀବର କି କରି ବରଜବୀର ପାଦେ ହେବି ।

ସଙ୍ଗିନିକର ସଙ୍ଗିନୀକର ନୋହିଲେ ପ୍ରାଣ ଦେବି । ୨୯ ।

 

ସାର ସମ୍ପଦ ସାରସ ପଦ ପାଇଁ ମୁଁ ଛାଡ଼ିଦେଲି ।

ମନ୍ଦାକ୍ଷରେ ଚ ମନ୍ଦାକ୍ଷରେ ତ ସର୍ବାଙ୍ଗ ନ ଦେଖିଲି ।୩୦।

 

ଧ୍ରୁବ ଲୋକରେ ଧ୍ରୁବ ଲୋକରେ ପଡ଼ନ୍ତା ପଛେ ନିନ୍ଦା ।

ବିଧିର ବାମୁଁ ବିଧୀର ବା ମୁଁ ସକାଳେ ହେଲି ଧନ୍ଦା ।୩୧।

 

ନକଲି କୋଳ ନକଲି କୋଳ-ସ୍ତିରୀ ଗଣନା ହେଲି ।

ଭା-ବରଧନେ ଭାବର ଧନେ କିଣତ ନ ବୋଇଲି ।୩୨।

 

ଭାବ-ମୂରତି ଭାବ ମୁଁ ରତି ପାଇବି କି ଉପାୟେ ।

କୁସୁମ ଧନୁ କୁସୁମ ଧନୁ ଟାଣୁଛି କର୍ଣ୍ଣ ଯାଏ ।୩୩ ।

 

ଧରମ ହତ ଧର ମହତ କଥାଏ କହେ ସହୀ ।

ଏ ମନ୍ତରତ ଏମନ୍ତ ରତ କେ ଦେଲା ଚାନ୍ଦମୁହୀଁ ।୩୪ ।

 

କାନ୍ତବର ତ କାନ୍ତବରତ ଛଡ଼ାଇ ଦେଲା ତୋର।

ପରମନୀଷା ପରମନିଶା ପରାୟେ ଅଗୋଚର ।୩୫।

 

ପରମ ନର ପର ମନର ବଶକୁ କରିପାରେ।

ସେବ ଶଙ୍କର ସେ ବଶକର ହେଲେ ବା ହୋଇପାରେ ।୩୬ ।

 

ଶତ କୋଟି ତ ଶତ କୋଟିତ ହୋଇଲା ମିତ ଗିର ।

ପର-ବେଶ ତ ପରବେଶ ତ ହୋଇଲା କୃଷ୍ଣଚାର ।୩୭।

 

ଭାବର ମିତ ଭାବରମିତ କାଳେ ଚିଟାଉ ଦେଲା ।

ବିତର କରୁଁ ବିତରକରୁଁ ସିହାଣୀ ଜାଣିଗଲା ।୩୮।

 

ଉରୁପଣତ ଉରୁ ପଣତ ପ୍ରସାରି ଲେଖ ଘେନି।

ପୀୟୂଷ କର-ପୀୟୂଷ କରଗତ ପରାୟେ ମାନି ।୩୯ ।

 

ମୁଦ ଶ୍ରବଣେ ମୁଦ ଶ୍ରବଣେ ହୋଇବ ଧୀର ନରେ ।

ବିଦଗ୍‌ଧ ଚିନ୍ତା ବିଦଗ୍‌ଧ ଚିନ୍ତାମଣି ହରିବ ଖରେ ।୪୦ ।

 

ପୂତ-ନାମରା ପୂତନା-ମାରଣାଦି ଗୁଣକୁ କହି ।

ଆନନ୍ଦରତ ଆନ ଦରତ ଅଭିମନ୍ୟୁର ନାହିଁ ।୪୧।

 

ପଞ୍ଚଦଶ ଛାନ୍ଦ

ଚନ୍ଦ୍ରାବଳୀଙ୍କଠାକୁ କୃଷ୍ଣଙ୍କ ଚିଟାଉ

ରାଗ-ଘଣ୍ଟାରବ; ରସ,

ଆଦ୍ୟନ୍ତ ନିୟମ

 

ରସ ଏ ଛାନ୍ଦେ ବିଦୁଷ।

ରସ ଆଦ୍ୟପ୍ରାନ୍ତେ ବାସ ।

ରସିକା ମୁଦରେ ଚୁମ୍ବନ ମୁଦରେ

ଦେଇ ହେଲା ସ୍ନେହ ବଶ ।

ସେ ଗୁଣନିଧି ।୧।

 

ରସାମୃତ କୃଷ୍ଣ ଭାଷ।

ରମଣୀ ପଠନେ ଆଶ ।

ରସିଣ ଚିଟାଉ ଫିଟାଉ ଫିଟାଉ

ଟାଉ ଟାଉ ହେଲା ଦୃଶ ।

ସେ ସୁମତିର । ୨ ।

 

ରସନା ଶ୍ରବଣ ଦେଶ

ରଚିଲେ ବାଦ ବିଶେଷ।

ରସି ମନ ଖରେ ସବୁରି ପାଖରେ

ଆତୁରେ କଲା ନିବାସ ।

ସେ ସୁମତିର ।୩।

 

ରମଣୀ ହୋଇ ଉଲ୍ଲାସ ।

ରସନ୍ତେ ଇନ୍ଦ୍ରିୟ ବଂଶ ।

ରଞ୍ଜନେ ତାଙ୍କର ମୋକ୍ଷପଦ

କରକୁ ଦେଲା ଚତୁରୀ ଈଶ ।

ସେ ପରଖରେ ।୪।

 

ରଚନା ଆଦ୍ୟ ଶ୍ରୀ ଗିରୀଶ ।

ରଙ୍ଗ ଚରଣକୁ ଆଶ ।

ରସିଣ ଶ୍ରୀ ପାଞ୍ଚ ଏ ଉତ୍ତାରୁ

ପାଞ୍ଚଶର- ମୋହନା ପ୍ରକାଶ ।

ସେ ସୁଭାଷାରେ ।୫।

 

ରସନିଧିକି ଅଶେଷ ।

ରୁଚିର ବିନୟ ଭାଷ

ରସାରେ ସ୍ତବକସ୍ତନାର ଯାବକ

ପରି ମୁଁ ହୋଇଲି ଦାସ ।

ରେ ପ୍ରାଣେଶ୍ଵରି ।୬।

 

ରତୀଶ ତାପେ ଅବଶ–

ରସଦାନୀକି ମୋ ଆଶ ।

ରଖ ବା ଶରଣ ନରଖ ମରଣ

ହେଲେ ହେବାଟି ନୀରସ ।

ଗୋ ଜୀବେଶ୍ଵରୀ ।୭ ।

 

ରତ୍ନାକରେ କରି ବାସ ।

ରହିଲେ ଏ ଦୀନ କ୍ଳେଶ ।

ରମାପତି ରଥ-ଗ୍ରାସ ମନୋରମ

ପରା ହେବ ଅପଯଶ ।

ଗୋ ପ୍ରାଣବନ୍ଧୁ ।୮।

 

ରଜନୀଶ ସୁସାରସ ।

ରମ୍ୟ ଜିତ ସୁଖ ହାସ ।

ରହିଛି ମୋ ମତି ତହିଁରେ ସୁମତି

ଅସର ନିଶି ଦିବସ ।

ଗୋ ଗୁଣମଣି।୯ ।

 

ରଙ୍ଗିମା ଭଙ୍ଗୀ ବିଶେଷ ।

ରହି ହୃଦେ ଦେଲା ପ୍ରାସ।

ରଖିଥିଲୁ ଧନ ଦୁଃଖ ବରଧନ

ପାଇଁ ନେତ୍ରେ ସୁଧା ବିଷ।

ଗୋ ଜୀବଧନ । ୧୦ ।

 

ରଙ୍ଗ ଅଧରେ ସୁହାସ ।

ରସାମୋହୀର ବିକାଶ।

ରଖିଅଛି ମୋର ତେତକ ରାମାର

ପାଇଥିବାରୁ ଆଶ୍ଳେଷ।

ଗୋ ପ୍ରାଣପ୍ରିୟେ ।୧୧।

 

ରଖି ମନ୍ଦାକ୍ଷ ଉଲ୍ଲାସ ।

ରହିଣ କି ଭଙ୍ଗୀରସ ।

ରତନ ମାଳୀକି ଦିଅନ୍ତେ ଭାଳିକି

ହେଲି ରସିକେ ସୁରେଶ ।

ଗୋ ଗୁଣନିଧା ।୧୨ ।

 

ରସା ରସୁଁ ନାରୀଈଶ ।

ରମ୍ୟ ଦିଶେ କୁଚ ଦେଶ ।

ରତ୍ନାସାରୁ-ଶିରପରେ କି ଶଶୀର

ଉଦୟ ହେଲା ପ୍ରକାଶ ।

ସେ ଶୋଭା ଦିଶେ ।୧୩।

 

ରହି ଦଣ୍ଡେ ଫେରି ବାସ ।

ରଚିଲୁ ବାଧା ଆଭାସ ।

ରମ୍ୟ ଦୃଷ୍ଟି କୁନ୍ତ ମାରି ହୃଦକୁ

ତ ଦେଲୁ ହରଷ ପରାସ।

ରେ ରାମାବର ।୧୪।

 

ରଣିତ ନୂପୁର ଘୋଷ ରସେ

ଶ୍ରୁତି କରେ ଆଶା

ରଖିଅଛି କିଣି ମୋ ପ୍ରାଣ କିଙ୍କିଣୀ

ତେତେବେଳୁଁ ହେଲି ଦାସ ।

ଗୋ ପ୍ରାଣପ୍ରିୟେ । ।୧୫ ।

 

ରମ୍ୟ ସ୍ତନ ସୁରବାସ ।

ରବିକର ମୋ ମାନସ ।

ରସଦାନୀ କର- ସାରଣୀ ମୁଁ

କର ଗତିବେଳେ ହୋଇ ତୋଷ ଗୋ ।

ଜୀବେଶ୍ଵରି ।୧୬।

 

ରଣ ରଣେ ହେଲେ ନାଶ ।

ରସିକିନୀ କି ନୀରସ ।

ରଜନୀଶ କରେ ପଦ୍ମନାଶ

କରେ ସେ ନିନ୍ଦାପାଏ ଦିନେଶ ।

ଗୋ ଜୀବେଶ୍ଵରି । ।୧୭ ।

 

ରଜ ଅହି ଉଡୁଈଶ ।

ରସନ୍ତି ଦେଖ ମହେଶ ।

ରହିତ ମୋ ଗୁଣ ହେଲେ ମନେ

ଗୁଣ ଅନୁଗତ ହେତୁ ରସ ।

ଗୋ ଜୀବେଶ୍ଵରି ।୧୮।

 

ରସାଧିକାର ସୁଯଶ ।

ରସାରେ ଶଶୀ ସଦୃଶ ।

ରଙ୍ଗ ମୋ କୁମୁଦ ନୟନକୁ

ମୁଦ ଚିଭଚକୋରକୁ ତୋଷ ।

ରେ ଜୀବେଶ୍ଵରି । ୧୯ ।

 

ରଙ୍କୁନେତ୍ରୀ ଦେଲେ ଆଶ ।

ରହିବ କି କାମ ତ୍ରାସ ।

ରଖିଛି ପରାଣ ପକାଉଛି

ରାଣ ଆସିବା ଯାଏ ତୋ ଭାଷ।

ରେ ରାମାବର ।୨୦।

 

ରତି ପତିରେ ଅବଶ ।

ରସ ରସୁଁ ବୁଦ୍ଧି ଭ୍ରଂଶ ।

ରସଦ ଉତ୍ତର ନୋହିଲେ

ସରତବୟା ନ ଧରିବୁ ଦୋଷ ।

ଗୋ ଜୀବେଶ୍ଵରି । ୨୧ ।

 

ର-ସ-ଧର ଅଙ୍ଗଭାଷ।

ରଚନା ହୋଇଲା ଶେଷ।

ରମଣୀ ମୁକୁଟ ପଢୁ ମୁଦକୂଟ

ବେଳୁଁ ବେଳୁଁ ପରକାଶ ।

ହେ ସାଧୁଜନ ।୨୨।

 

ରଞ୍ଜନ ଲେଉଟ ଭାଷ।

ରସିକା କରି ପ୍ରକାଶ ।

ରସିକେ ବିଚାର ଦେଇ ସଖାଚାର

ପେଶିଲା ଗୋବିନ୍ଦ ପାଶ ।

ହେ ସାଧୁଜନେ ।୨୩।

 

ରସାନନ୍ଦ ଲୀଳା ରସ।

ରସନ୍ତେ ନଥାଇ କ୍ଳେଶ ।।

ରସାରେ ସାମନ୍ତସିଂହାର

ସାମନ୍ତ ବୃଷଭାନୁ ସୁତା-ଈଶ ।

ହେ ସାଧୁଜନେ ।୨୪।

 

ଷୋଡ଼ଶ ଛାନ୍ଦ

କୃଷ୍ଣଙ୍କ ଛାମୁକୁ ଚନ୍ଦ୍ରାବଳୀଙ୍କ ଚିଟାଉ ।

ରାଗ-ଚକ୍ରକେଳି । ଆଦ୍ୟନ୍ତ ନିୟମ ‘ସ’ ‘ର’ ।

 

ସନ୍ଥଜନେ ଏ ଛାନ୍ଦକୁ ବିଚାର।

ସର୍ବ-ସୁଖାନନ୍ଦ ସାର ମନ୍ଦିର ।

ସ ନିୟମ ପ୍ରଥମରେ ପ୍ରାନ୍ତର।

ସର ଅଟଇ ଏଣୁ ଏ ରସର ।୧।

 

ସଖା ହସ ହସ ହୋଇ ସତ୍ୱର।

ସନ୍ନିକଟ ଯାଇ ମୁଦ ଦେବାର ।

ଶତଦଳ-ଦଳ କର ପ୍ରସାର ।

ସସ୍ନେହରେ ମୁଦ ଘେନି ଅପାର । ୨ ।

 

ଶତ ରତନ ରଙ୍କ ପାଇବାର ।

ସମ ଆନନ୍ଦ ବଢ଼ିଲା କୃଷ୍ଣର ।

ସରାଗରେ ଲଗାଇ ହୃଦପର ।

ସଉତ୍ସୁକେ ଫେଡ଼ିଲେ ମୁଦ ସାର ।୩।

 

ସରଞ୍ଜନ ବର୍ଣ୍ଣାବଳୀ ନେତ୍ରର ।

ସମ ସମଶିର ଘନ ସୁନ୍ଦର ।

ଶଶଧର ଦେଖି ଯେହ୍ନେ ଚକୋର ।

ସଦାନନ୍ଦ ଆନନ୍ଦର କି ପାର ? ।୪।

 

ସର୍ବଶରଣ ରକ୍ଷଣ ଆଦ୍ୟର ।

ସରଜନା ଶ୍ରୀ ବର୍ଣ୍ଣ ତିନିବାର ।

ସଞ୍ଚ ଏ ଅନ୍ତେ ଲେଖା ମନୋହର।

ସର୍ବୋତ୍କର୍ଷ କୃଷ୍ଣ ଗୁଣ ସାଗର ।୫।

 

ଶମ୍ଭୁ ସ୍ଵୟମ୍ଭୁ ଆଦି ସୁରବାର ।

ସତତରେ ସୁମରନ୍ତି ପୟର ।

ସନାତନ ଅବ୍ୟକ୍ତ ତତ୍ତ୍ୱସାର ।

ସର୍ବ ନମସ୍କୃତ ଶ୍ରୀ ସର୍ବେଶ୍ୱର ।୬।

 

ସର୍ବ ମନାକର୍ଷଣ ଶକ୍ତି ଧର ।

ସଂସାରରେ ରସବୀର ନାଗର ।

ସରୋଜକୁ ବଳି ପଦ ସୁନ୍ଦର ।

ଶରଣ ମୁଁ ହେଲି ତହିଁ ଉଦ୍ଧର ।୭ ।

 

ଶତକୋଟି ବିନୟ ଦୈନ୍ୟ ମୋର ।

ସମର୍ପିଲି ପରାଣ ଦାସୀ କର ।

ଶରବଣ କରିଛି ଋଷିଗିର।

ସବୁକାଳେ ବନ୍ଧୁ ମୋ ପ୍ରାଣେଶ୍ଵର ।୮।

 

ସଦୟରେ ସେଦିନ ଆସିବାର ।

ସତେ ବରିଛି ଦେଇ ରତ୍ନହାର ।

ସକରୁଣ ହାସ ଦୃଷ୍ଟି ତୁମ୍ଭର ।

ସବୁ ରୂପେ କିଣିଛି ମତି ମୋର ।୯।

 

ଶମ୍ବରାରି ସେ ଦିନୁ ମାରେ ଶର।

ସଜନିତ ବେଦନା ଅନିର୍ବାର ।

ସଜନୀରେ ଉପଚାର ହେବାର।

ସରୁଁ ସରିଲାନି ପଦ୍ମ ପତର ।୧୦।

 

ଶମନର ପୁରକୁ ଜୀବ ମୋର ।

ସଜ ହୋଇଛି ଯିବାକୁ ବିଚାର।

ସଦା ମଙ୍ଗଳ ଚିଟାଉ ଦେବାର ।

ସଞ୍ଜୁଅଛି ସେ ବାରି ବାରବାର ।୧୧।

 

ସଂଘନନ ନବଘନ ନିକର ।

ସରାଇବ ତାପ ଅଙ୍ଗ ଦେଶର ।

ସନ୍ତୋଷ ଦାନୀ ନେତ୍ର ଚାତକର ।

ସହଜେ ତ ଘନରସ ଭଣ୍ଡାର ।୧୨।

 

ଶଶହୀନ ଚନ୍ଦ୍ରମୁଖ ରୁଚିର ।

ସଦୀପ୍ତକ ହୃଦୟ କୁମୁଦର ।

ସଂସର୍ଗୀ ମୁଁ ହୋଇବି କି ତହିଁର।

ସରିଯିବ ଜୀବ ବାଧା ବିଚାର । ୧୩ ।

 

ସନ୍ତାପିତ ଚିତ୍ତ ଚକ୍ରବାକୀର।

ଶଙ୍କାହାରକ ଅରୁଣ ଅଧର ।

ସନ୍ନିକଟ ହେବାର ବୁଦ୍ଧି କର ।

ସରୋଜିନୀ ବିରସଦର ହର ।୧୪।

 

ଶତକୋଟୀ ସମାନେ ମାର ବୀର।

ଶଶ ଶର କରୁଅଛି ପ୍ରହାର ।

ସରେ, ବିକୀ ହେଲା ଦାସୀ ଏଥର ।

ସଞ୍ଚରିବଟି ନିନ୍ଦା ବେଣୁ ଧର ।୧୫।

 

ଶତଦଳ ଦଳଇ ହିମକର

ସବିତାରୁଁ ନିନ୍ଦା ନିକି ଆନର ।

ସବୁ ଜଣାଇଲି ଥରେ ମାତର।

ଶମ୍ବୁ ବିଭୂତି ପରାୟେ ଆଦର ।୧୬।

 

ସଗୁଣ କି ମୁଁ ଅନୁଗତ ଧୀର।

ଶଶୀ ନିଶି ରସିଲା ପରିକର ।

ଷଟ୍‌ପଦରେ କି ସୁନାମ ଦୁସ୍ତର।

ସଙ୍ଗ କରଇ ପୁଣ କୂଟଜର । ୧୭ ।

 

ସଙ୍କେତ ଯେ ଗଉରୀ ତୀର୍ଥ ମୋର ।

ସକୃପାରେ ତହିଁକି ବିଜେକର ।

ସଖୀ ସେବ୍ୟା ପଦ୍ମାଦିଙ୍କ ବିଚାର।

ସଙ୍ଗ ସେବା ବ୍ୟାଜେ ହେବ ପ୍ରଚାର । ୧୮ ।

 

ସଦାଶିବ ସେବା ପୁଣ୍ୟ ପ୍ରଚାର।

ସନ୍ନିଧିକି ଲେଖ ଦେଲି ତୁମ୍ଭର ।

ସଂଭ୍ରମରେ ଦେଲି ଭାଷା ଉତ୍ତର

ସଦା ଦୋଷୀ ଦାସୀ ଦୋଷ ନଧର ।୧୯।

 

ଶଙ୍ଖାରି ଯେ ଏତେ ପଢି ଅଧୀର।

ସନ୍ନିପାତୀ ନୀର ସ୍ନେହ ପ୍ରକାର ।

ସଖାମୁଖ ଚାହିଁ କଲେ ଉତ୍ତର।

ସତ ଲେଖା ଏ ତାହା ଶ୍ରୀ ହସ୍ତର । ୨୦ ।

 

ସଖା ଶ୍ରୀଦାମ ଶୁଣି ବୋଲେ ଗିର।

ସବୁ ଭାଗ୍ୟକୁ ପ୍ରାପତ ତୁମର ।

ସନ୍ତାପ ସେ ରାମାର ବଳୀୟାର ।

ସଂହରଣେ ତୁମ୍ଭେ ରସସାଗର ।୨୧।

 

ସଜନୀରେ କୁହାଇଛି ଏ ଗିର।

ଶଶପରି ହୋଇବଟି ବିଚାର।

ଶ୍ରବଣକୁ ମୁଦଦ ଏ ଉତ୍ତର ।

ସରସରେ ଗୋବିନ୍ଦ ଜର ଜର । ୨୨।

 

ଶରଧାରେ ଏ ଛାନ୍ଦ ଘେନ ଧୀର ।

ସଞ୍ଚ ରଚନା ଏ ଅଭିମନ୍ୟୁର ।

ଷଣ୍ଢ-ଦଣ୍ଡନ ମୋ ଆଶା ମନ୍ଦିର ।

ସଙ୍କଟକୁ ଶକଟ ଭଞ୍ଜହର ।୨୩।

 

ସପ୍ତଦଶ ଛାନ୍ଦ

କୃଷ୍ଣ ଉତ୍କଣ୍ଠା ବନଭ୍ରମଣ ବଂଶୀପ୍ରାପ୍ତି

ନିୟମ କ ଚ ଟି ତ ପ

ରାଗ-କଲ୍ୟାଣ ପଡ଼ିତାଳ

 

କ- କଚଟତପ ନିୟମ ଏ ଛାନ୍ଦ ।

କର ବିଚାର ବୁଦ୍ଧିରେ କୋବିଦ ।

କ୍ରମେ କ୍ରମେ ପୁଷ୍ପ ଋତୁ ହଟିଲା ।

କାଳ ପରାୟେ ଗ୍ରୀଷମ ଘୋଟିଲା ।

କରନ୍ତି (ନି) ଶଙ୍କା ସକଳ ଲୋକ ।

କଲା ରସ ଉଣା ଯେଣୁ ଅଧିକା ।୧।

 

କରିଛି ରତାନ୍ତ-ନାୟିକା ରୀତି ।

କଳେବର ସ୍ୱେଦ ରଞ୍ଜନ ଅତି ।

କଲା ବ୍ୟଜନ ରଞ୍ଜନ ମନକୁ ।

କଟୁ ମଣେ ଚିତ୍ତ ମିତ୍ର-କରକୁ ।

କଳେବର ଖର କରେ ଜଳଇ

କିଞ୍ଚିତ ବାସେ (ସ) ସ୍ନେହ ନୁହଇ ।

କମନୀୟ ପୟୋଧରୁ ଖଣ୍ଡଇ ।୨।

 

କେବଳ ଦ୍ୱିଜଚକ୍ର ରୁଣ୍ଡଗଣ୍ଡ ।

କାନ୍ତ ରହିତ ହେଲା ଖଣ୍ଡ ଖଣ୍ଡ ।

କର୍ପୂର ଚନ୍ଦନକୁ ମନବଳେ ।

କମଳେ ରସି ରସେ ନ ରସିଲେ ।

କରାଏ (ଯେ) ଚାନ୍ଦନୀରେ ବିହାର ।

କରେ ମଲ୍ଲି ମୁଖେ ବିକଶିବାର । ୩ ।

 

କମଳେ ସ୍ୱାଧୀନଭର୍ତ୍ତୃକା ଶିରୀ ।

କୁମୁଦିନୀ ଦ୍ରୋହୀ-ନାୟିକା ସରି ।

କାନ୍ତାର୍ଥିନୀ ପରି ବିଟପୀବାର ।

କାନ୍ତିବନ୍ତ କାଳ ସୁନାରୀଙ୍କର ।

କାନନ ହୃଦ (ୟ) ବିଯୋଗୀପରି ।

କୃଶାନୁଜାତ ହୋଇବାରୁଁ କରି ।୪।

 

କିଙ୍କିଣୀ ପରା ଝିଙ୍କାରୀଙ୍କ ରଟ।

କୁରଙ୍ଗ ଧକେ ରସନା ପ୍ରକଟ

କରି ଆସୁଛି କାଳ ବିପରୀତ ।

କପୋତ ନାଦେ ହୁଂକୃତ ଉଦିତ ।

କୁଣ୍ଠିତ ପିକ (ର) ଋତ ଉଦିତ ।

କଞ୍ଜ ଚୁମ୍ବନେ ମଧୁପ ପ୍ରମତ୍ତ । ୫ ।

ଚ-

ଚିତ୍ର ଏପରି ଦେଖି ଭାଳି ଧୀରେ ।

ଚିଟାଉ ଗୋବିନ୍ଦ ପଢ଼ା ଉଭାରେ ।

ଚଞ୍ଚଳ ମାନସ ହେଲା ସନ୍ତତ ।

ଚନ୍ଦ୍ରାବଳୀ ଭାବେ ଦେବାରୁ ଚିତ୍ତ।

ଚେତନା ବୁଡ଼ି (ଣ) ଯାଏ ଲବକେ ।

ଚେତି ଭ୍ରମନ୍ତି ଭ୍ରମେ ବନଯାକେ ।୬।

 

ଚାରି ସଖାଙ୍କ ସଙ୍ଗେ ଭ୍ରମୁ ଭଙ୍ଗ ।

ଚିତ୍ତଜ ଶରେ କମ୍ପୁଅଛି ଅଙ୍ଗ ।

ଚଳି ନ ପାରି ବଂଶୀତଟ ତଳେ।

ଚତୁରବର ଶ୍ରମେ ବିଜେକଲେ ।

ଚରିତ ଚିତ୍ତେ ହେଲା (ଯେ) ରାଧାର।

ଚମକିଲା ଛାତି ଥରକୁ ଥର ।୭।

 

ଚନ୍ଦ୍ରବଦନ ବିଚାରନ୍ତି ମନେ ।

ଚଞ୍ଚଳା ବଶ ହୋଇବ କେସନେ ।

ଚିନ୍ତାରେ ତା ଲାଗି ଯାଉ ଜୀବନ ।

ଚଡ଼କ ମୋ ଶିରେ ହେଉ ପତନ ।

ଚତୁର ଚକ୍ର ଶୁଣି (ଣ) ହସିବେ।

ଚମ୍ପାଙ୍ଗୀ ବଶ ନ କଲେ ଭାସିବେ ।୮।

 

ଚିତ୍ରଏ, ନାରୀ ବଶ ନୋହେ ଯହିଁ ।

ଚରାଚର ଭାରା ହରିଦି କେହି ।

ଚଉଦଲୋକ ଦୈତ୍ୟ ଭୋଗ ହେଉ ।

ଚକ୍ର ଧରି ମୁଁ ନ ମାରଇ ଆଉ ।

ଚତୁରମୁଖ ଜାଣିଲା (ଯେ) ଧ୍ୟାନେ ।

ଚକିତ ଗୋବିନ୍ଦ କାମ ଦହନେ । ୯ ।

 

ଗମୀକର ଗୋରୀ କିଶୋରୀ ଲାଗି ।

ଚଇତନ୍ୟ ଦମ୍ଭ ଯାଉଛି ଭାଙ୍ଗି ।

ଚେତାଇବି ମୁଁ ଚରିତ ପୂର୍ବର ।

ଚରଣେ ଖଟିରେ ଚତୁରୀବାର ।

ଚପଳେ (ଣ) ବିଧି ବିଚାର ଏତେ ।

ଚଡ଼ାଇ ଚଢ଼ି ଅଇଲେ ତୁରିତେ । ୧୦ ।

ଟ-

ଟେକ ଚରଣ ତଳେ ପଡ଼ି ବିହି ।

ଟିକିକେ ଉଠି କହେ ହଟି ରହି ।

ଟଙ୍କଧର ପାଦେ କିଙ୍କର ଯାର ।

ଟାଳିବ କେ ଆଜ୍ଞା ସଂସାରେ ତାର ।

ଟଳି (ଅ)ଛି କାହିଁ ପାଇଁ ହରଷ ।

ଟେକି ଆନନ ସେ ବିଷୟ ଭାଷ। ୧୧ ।

 

ଟାହିରେ ପଚାର କି ପ୍ରଜାପତି ।

ଟଙ୍କେ ବିଦାରୁଛି ମଦନ ଛାତି ।

ଟାଣୁଛି କର୍ଣ୍ଣଯାଏ ଶରାସନ ।

ଟାଳି ଦେଉଛି ମୋ ଧୈର୍ଯ୍ୟ ଗୁମାନ ।

ଟାଣ କି ଅଛି (ଯେ) କହନ୍ତି ହରି ।

ଟୋପ ରାଧା, ମୋ ମନ ମତ୍ତକାରୀ । ୧ ୨ ।

 

ଟାପରା ଯୋଗ୍ୟ କେ, କହିଲେ ବିହି ।

ଟାକି ରହିଛି ତୋ ଆଜ୍ଞାକୁ ମୁହିଁ ।

ଟେକାଇବ ତୁମ୍ଭେ ରସିକ ଛତି ।

ଟଙ୍କାରିବ କି ଗୁଣ ରତିପତି ।

ଟିକାଏ ଦ (ଇ) ନ୍ୟ ହୁଏ ବଟକୁ ।

ଟାଣ ମୋହନ ବଂଶୀ ପାଇବାକୁ ।୧୩।

 

ଟୋକୀ କେ ଗୋପେ ରହିବେ ତା ଶୁଣି।

ଟାଉ ଟାଉ ହେବେ ସୁର-ରମଣୀ।

ଟଳ ଟଳ ହେବ ମେରୁ ଭୂଧର।

ଟିକି ଦିନୁ କିଣା ହେବେ ତୁମର ।

ଟହକ ହାସୀ କିଶୋରୀ (କ) ମନ ।

ଟିବ ପରି ରସେ ବୁଡ଼ିବ ଘେନ ।୧୪।

 

ଟୋପିଏ ରୋଚନା ଘେନ କପାଳେ ।

ଟିକା ଦେଖି ମୋହ ହେବେ ଅଖିଳେ।

ଟିକି ଟିକି ହେବ ଯୁବତୀ ଛାତି ।

ଟାଙ୍ଗଣା ସେ ସୁନାକୁ ତୁମ୍ଭ ପ୍ରୀତି ।

ଟମକ ବଜା (ଇ) ପ୍ରେମ ରଚିବେ।

ଟପ ଟପ ଭାଷା କେତେ ସହିବେ। ୧୫ ।

ତ-

ତା ଶୁଣି ଗୋବିନ୍ଦ ଆତୁର ହେଲେ ।

ତୁରିତେ ବଟକୁ ପ୍ରାର୍ଥନା କଲେ ।

ତତକ୍ଷଣେ ବଂଶୀ କରେ ପ୍ରବେଶ ।

ତା ଦେଖ୍ ଗୋବିନ୍ଦ ବଡ଼ ହରଷ ।

ତହିଁର ତତ୍ତ୍ୱ (ଯେ) ବ୍ରହ୍ମା କହିଲେ ।

ତନ୍ତ୍ର ମନ୍ତ୍ର ଯନ୍ତ୍ର ଚେତାଇ ଦେଲେ ।୧୬।

 

ତ୍ରିଲୋକ୍ୟ-ମୋହନ ଚରଣ ନମି।

ତତକ୍ଷଣେ ବିହି ସ୍ୱପୁରେ ଗମି।

ତହୁଁ ଗୋବିନ୍ଦ ହରଷେ ବିରସେ।

ତପନଜାତୀରେ କଦମ୍ବ ପାଶେ ।

ତୈ (ତ୍ରଇ) ଲୋକ୍ୟନାଥ ବିଜୟ କଲେ।

ତରୁମାନଙ୍କୁ ବିଭ୍ରମେ ବୋଇଲେ ।୧୭।

 

ତୁମ୍ଭେ କି ଜାଣ ବୃଷଭାନୁ ସୁତା।

ତିନିଭୁବନେ ଯେ ବରବନିତା ।

ତାହାକୁ ମୋତେ ବେଗେ ଆଣିଦିଅ ।

ତରସ୍ତ କାମଦେବର ରୁହାଅ ।

ତା (ହା) ପଦ ହୃଦେ ପଦକ କରି ।

ତରିବି କାମ-ପ୍ରେତ ଭୟ ବାରି । ୧୮ ।

 

ତପନୀୟ ଗୋରୀ ବରନ ଜାଣି ।

ତଳ ପତନ ପକ୍ୱ ପତ୍ର ଆଣି ।

ତୀର୍ଥପାବନ ସ୍ୱଉରେ ଲଦନ୍ତି ।

ତଦାକାର-ଭାବ କ୍ଷଣେ ଭଜନ୍ତି ।

ତ (ତ) କ୍ଷଣେ ଚେତି ବୋଲନ୍ତି ଆହା ।

ତରୁଣୀ ତିଳକ ନୋହିଲା ସାହା । ୧୯ ।

 

ତୁଳା-ଅଙ୍ଗୀ ଅଙ୍ଗୀକାର ନକଲା ।

ତୁଚ୍ଛଜୀବ କାହିଁ ପାଇଁ ରହିଲା ।

ତା ସଙ୍ଗ ସ୍ୱର୍ଗ ଅପବର୍ଗ ସୀମା ।

ତିନି ପୁରସାର ସୁଖ ପ୍ରତିମା

ତପସ୍ୟା (କି) ପୂର୍ବେ ନାହିଁ ମୋହର ।

ତା ଚରଣେ ହେବି କେହି କିଙ୍କର ।୨୦।

ପ-

ପରମ ପବିତ୍ର ନାମ ଉଚ୍ଚାରି ।

ପାପୀ ପରାଣ ଯା ଯା ବେଗ କରି।

ପାଇବୁ ରସିକ ମୁଖେ ପ୍ରଶଂସା ।

ପରଲୋକେ ନ ପାଇବୁ ଦୁର୍ଦ୍ଦଶା ।

ପ୍ରମଦାଶିର (ର) ମୁକୁଟମଣି ।

ପ୍ରାଣର ପ୍ରାଣ କି ସେ ସୁଲକ୍ଷଣୀ ।୨୧।

 

ପରମଦାରଣ ମଦନ କାଣ୍ଡେ ।

ପିଣ୍ଡ ଖଣ୍ଡ ଖଣ୍ଡ କଲା ଉଦ୍ଦଣ୍ଡେ ।

ପବି ପତନ ହେଉନାହିଁ ମୁଣ୍ଡେ ।

ପ୍ରିୟ ତ୍ରାହି ତ୍ରାହି ଉଚ୍ଚାରି ତୁଣ୍ଡେ ।

ପତିତ ତ୍ରାଣ (ତାରଣ) ଏମନ୍ତ କହି ।

ପଡିଲେ କ୍ଷଣେ କ୍ଷଣେ ମୋହ ଯାଇ।୨୨ ।

 

ପବନ ଲାଗି ପାଇଲେ ଚେତନା ।

ପୁଣି ବୋଲନ୍ତି ହା ହାରେ ନୂତନା।

ପରଚେ ହୋଇ ନ ପାରିଲି ତୋତେ।

ପ୍ରଭୁପଣ ବନ୍ଧୁ କରନ୍ତୁ କେତେ।

ପାରଖି ନୋହିଲୁ ମୋ(ର) ସେବାକୁ।

ପାପୀ ପାଇବି କାହିଁ କୃତାର୍ଥକୁ ।୨୩।

 

ପାଞ୍ଚୁଥାଇ ଧନ ଭେଟିବି ଯେବେ ।

ପରିଜନପଣ କରିବି ତେବେ ।

ପାଦେ ଯାବକ ଲେଖି ମନାଇବି ।

ପିକଭାଷୀକି ମୁଁ ଏହା ଭାଷିବି ।

ପରମ ଗୁଣଗ୍ରାହୀ ତୁ (ହି) ପରା ।

ପାଖେ ରଖ କରି ସେବକ ଧୀରା । ୨୪ ।

 

ପୁରୁଷୋତ୍ତମ ଭାବନା ଏପରି ।

ପାରିବ କେ କହି ଶରୀର ଧରି।

ପରସନ୍ନେ ଘେନି ସୁଜନ ଜନେ ।

ପୁରୁଷ ଶେଖର ଭାବ ଭାବନେ ।

ପତିତ (ମୁଁ) ଅଭିମନ୍ୟୁ ବିରସ ।

ପଞ୍ଚ ବର୍ଗାଦିରେ ଏ ଛାନ୍ଦ ଶେଷ । ୨୫ ।

 

ଅଷ୍ଟାଦଶ ଛାନ୍ଦ

ଜଳକ୍ରୀଡ଼ା-ବସ୍ତ୍ରହରଣ

ନ ପୂର୍ବାନୁପ୍ରାସ । ରାଗ- କନଡ଼ା ।

ନବଘନ ଶ୍ୟାମ ପ୍ରେମ କଉତୁକ

 

ଆନନ୍ଦେ ଶୁଣ ସାଧୁଜନ ।

ନ ଦେଖିବ ଯମଭୟ ସ୍ୱପନେ।

ନବୀନା ଗୋପକୁମାରୀ

ସୁକୁମାରୀମାନେ ମିଳିଭାଳି

ଦିନେ । ସେ ନାଗରୀ ।

ନତ-ବ୍ରତକୁ ଆଚରଣ କଲେ।

ନଦୀ ଜଳେ ସ୍ନାନ କରି ନିର୍ମଳେ ।

ନିତି ହର ଉମା ପୂଜି ସେ କାର୍ତ୍ତିକ

ମାଘ ମାଧବ ସାରିଲେ। ନାଗରୀ ।୧।

 

ନନ୍ଦନନ୍ଦନ ପତି ହେବା କାମନା

ସବୁରି ଅଛଇ ବିଶେଷ ।

ନଜାଣଇ କେହି କାହା ମାନସ ।

ନିଷ୍ଠାବ୍ରତ ଶେଷଦିନେ ସର୍ବେହେଲେ

କାଳିନ୍ଦୀ ତୀରେ ପ୍ରବେଶ । ସେ ନାଗରୀ ।

ନଦୀତୀରେ ପୂଜା ଦ୍ରବ୍ୟ ରଖିଲେ ।

ନିଜ ବସନ ବିବସନ ହେଲେ ।

ନାନା କଉତୁକ ହାସରସ ରଙ୍ଗେ

ଜଳରେ ଯାଇଁ ପଶିଲେ। ସେ ନୂତନା ।୨।

 

ନିରେଖି ଜଳକୁ କେ ବୋଲେ

କାଳିମା କୃଷ୍ଣ ଅଙ୍ଗ ପରା ଦିଶଇ ।

ନଳିନରେ ହୃଦ ଦେଖ ଶୋହଇ ।

ନେତ୍ର ଇନ୍ଦୀବର, କୋକନଦ ପଦ,

ନଖ କହ୍ଲାର ଅଟଇ ଗୋ ନୂତନା ।

ନୀଳ-ଭୂଭଙ୍ଗୀ-ଭଙ୍ଗ ଶୋଭା ଦିଶେ ।

ନ ପୁଣି ଗୋ ହୋଇଥାଇ ଏହି ସେ ।

ନୟନ ଠାରିଲା ପରାୟେ ଶଫରୀ-ଛଟକ

ମନକୁ ଆସେ । ଗୋ ନୂତନା ।୩।

 

ନିର୍ମଳ କୁଟିଳ ମିଶାମିଶି ହୃଦ

ଗଭୀର ଅଟଇ ଅପାର ।

ନିଶ୍ଚେ ରସାମୃତ ରୂପେ ବିଚାର।

ନୋହିଲେ ପଦ୍ମିନୀ କୁମୁଦିନୀ

ପ୍ରିୟ କାହିଁ ପାଇଁକି ହେବାର । ଗୋ ନୂତନା ।

ନୋହେ ଏମନ୍ତ କେ କହେ ତହିଁରେ।

ନନ୍ଦନନ୍ଦନ ନାଗ ଦଳନରେ ।

ନାଗର ଚରଣ ସ୍ପରିବା ପାଇଣ

ସେହି ଆଚରଣ କରେ। ଗୋ ନୂତନା।୪।

 

ନ ପାଇବ ଅଙ୍ଗଦାହ ତାନ ଏଥି

ମଜ୍ଜନ ହୁଅ କେ କହିଲା।

ନେଇ ପଦ୍ମ କେ କାହା କୁଚେ ଦେଲା।

ନର୍ମ ମର୍ମଭାବେ ତନ୍ମୟ ହେବାରୁ

କୃଷ୍ଣଙ୍କର ପ୍ରତେ ହେଲା । ସେ ନୂତନା ।

ନହସିଲା ପରା ହୋଇ ହସିଲା।

ନାସା ବସଣୀ ନୃତ୍ୟ ଆରମ୍ଭିଲା

ନିର୍ହେତୁ ପୁଲକ ଗାତ୍ରରେ ଦିଶିଲା

ଚେତି ଲାଜ ପାଇଗଲା । ସେ ନୂତନା।୫।

 

ନାହିଁ ହେବ ବୁଦ୍ଧି ଜ୍ଞାନ ଏହି ରୂପେ

କ୍ରୀଡ଼ନ୍ତି, ସର୍ବ ଗୋପବଳୀ ।

ନିଷ୍ଠା ତାଙ୍କର ଜାଣି ବନମାଳୀ।

ନଭସ୍ୱତେ ଆଜ୍ଞା ଦେଇ ଲାଟ ଆଣି

କଦମ୍ବରେ କଲେ ଦୋଳି । ସେ ନାଗରି।

ନାରୀ ସାରି କ୍ରୀଡ଼ା ଜଳୁଁ ବାହାର।

ନ ଦେଖିଲେ କୂଳେ ଥିଲା ଅମ୍ବର।

ନେଲାକେ ବୋଲି ଚଉଦିଗେ ଚାହାନ୍ତେ

ଦେଖିଲେ ଘନସୁନ୍ଦର। ସେ ନୂତନା।୬।

 

ନବୀନା ଜଳରେ ପଶିଲେ ସତ୍ୱରେ

ଲଜ୍ଜାରେ ହୋଇ ଜରଜର।

ନିଜ ଗଣ୍ଡେ ଚିବୁକ ଦେଇ କର।

ନିସ୍ତବଦ ହୋଇ କ୍ଷଣେ ବିଚାରନ୍ତି

କାହିଁଥିଲା ଲାଟ-ଚୋର । ଗୋ ନୂତନା।

ନ ଆସଇ ତ ଦିନେ ଏ ବନକୁ ।

ନ କଲା କି ହରବର ଆମ୍ଭଙ୍କୁ।

ନାଶହେଲାଠାରୁ ଲାଜତ ବଳିଲା

କେହି ବୋଧିବା ତାହାକୁ । ଗୋ ନୂତନ।୭।

 

ନକର ବିଚାର ହର ପୂଜିବାର ବର ଏଟି,

କହେ କେ ତହିଁ ।

ନେବା ବସନ ନାନାମତେ କହି ।

ନ ଦେଲେ ଲାଜରେ ମଲାଇଁ

କେ କହେ ଗତି ଆଉ ଦିଶୁନାହିଁ । ଗୋ ନୂତନା ।

ନତି ବଚନେ କିଗୋ ପ୍ରବୋଧିବା ।

ନାନା ତର୍ଜ୍ଜନା ଭର୍ତ୍ସନା କରିବା ।

ନୋହିଲେ ଲାଞ୍ଚଦେବା ବୋଲି ଭଣ୍ଡିବା

ଦେବା ନଦେବା ଜାଣିବା। ଗୋ ନୂତନା ।୮ ।

 

ନାନାମତେ ଭାଳି ବାଳୀ କେ

କହଇ ଆହେ ଘନଶ୍ୟାମ ସୁନ୍ଦର ।

ନବ ପଲ୍ଲବ ଚରଣେ ତୁମ୍ଭର ।

ନୂତନାମାନେ ଶରଣ ହେଲୁ

ବାସ ଅନୁଗ୍ରହେ ଦତ୍ତକର । ହେ ନାଗର ।

ନତି କରୁଛୁ ଆମେ ପୁଣି ପୁଣି ।

ନାଶ ନକର ଲାଜ ବେନୁପାଣି ।

ନିର୍ଦ୍ଦୟ ପରାୟେ କାହିଁକି ହେଉଛ

ଆମ୍ଭର କଥା ନଶୁଣି । ହେ ନାଗର ।୯।

 

ନବୀନା କେ ପୁଣି କହେ ଆହେ

ବ୍ରଜରାଜକୁମାର ଏକି ରୀତି ।

ନ ଜାଣୁକି ଆମ୍ଭେ ତୋର ବନ୍ଧୁ ଜ୍ଞାତି ।

ନରନାରୀ ଗୋପେ ଶୁଣି କି ବୋଲିବେ

ଛାଡ଼ ଛାଡ଼ ଏ କୁମତି । ହେ ନାଗର।

ନାଶ ଯିବ ଜାତିକୁଳ ମହତ୍ତ୍ୱ ।

ନାଟ-ବସନ ବେଗେକର ଦତ୍ତ ।

ନଦେଲେ କହିବୁଁ ନନ୍ଦ ଯଶୋଦାଙ୍କୁ

ତୋହୋର ଅଣଉଚିତ । ହେ ନାଗର।୧୦।

 

ନବୀନା କେ ପୁଣି ଭାଷିଲା ବିବେକ

ଶେଖର ତୁମ୍ଭେ ପରା ହରି।

ନ୍ୟାୟଧର୍ମ କରୁଥାଅ ବିଚାର

ନାରୀ ଲାଟଚୋରି କରିବା ଉଚିତ

ଅଟଇ ନା ବେଣୁଧାରି। ହେ ନାଗର।

ନୋହୁ ଏ କଥା ଗୋପରେ ଚହଟ।

ନାଟ ବାସ ଦିଅ ଛାଡ଼ି କପଟ।

ନାହୁଁ ଶୁରି ଦିନେ ଏ କଥା କେହି ତ

ଅବିହିତ ଜନେ ଲଟ। ହେ ନାଗର ।୧୧।

 

ନିତମ୍ବିନୀ ଏକ କହିଲା ପୁଣି ତ

ନ ଦେବ ଯେବେ ବାସ ହରି।

ନରପତି ଆଗେ କରି ଗୁହାରି।

ନାନାଦଣ୍ଡ ଦିଆଇବୁଁ ଶୁଣିଥାଅ

ଏ କଥାକୁ ତଥ୍ୟ କରି । ହେ ନାଗର।

ନ ଗଣୁଛ କି ଗୋପ ଯୁବତୀଙ୍କି।

ନିନ୍ଦା ଅର୍ଜନ କରୁଛ କାହିଁକି।

ନ ବାଛିବ ପଛେ ଆମ୍ଭଙ୍କୁ ଆଉ ତ

ଏକଥା ହେବ ସହିକି। ହେ ନାଗର ।୧୨।

 

ନ ହସି ହସିଲା ପରାୟେ କହନ୍ତି

ଗୋପୀଙ୍କି ଚାହିଁ ବେଣୁଧର।

ନାହିଁ ସଂସାର ମଧ୍ୟେ ଉପକାର।

ନେଉଥିଲା ବାତ ହିତ ମୁଁ କଲାକୁ ବୋଲୁଅଛ

ବାସ ଚୋର। ଗୋ ନବୀନା।

ନବ ଯଉବନ-ମନ୍ଦ-ବିହ୍ୱଳେ।

ନ ରଖିଲା ବ୍ରତ ବିଧି ସକଳେ।

ନିର୍ଲଜ୍ଜ ପରି ଉଲଗ୍ନ ହୋଇ ଆସି ପଶିଅଛ

ପୁଣି ଜଳେ । ଗୋ ନୂତନା।୧୩।

 

ନିର୍ମଳ ହୃଦେ ଦିଗମ୍ବର ଧାରଣ

ହେତୁ ଅମ୍ୱର ନ ସହିଲା ।

ନୂଆ ହରଗଉରୀ ଯୋଗ ହେଲା ।

ନିଶ୍ଚେ ଜଣାଗଲା ଏଥିପାଇଁ ନିକି

ମଦନ-ଘର ବୁଡ଼ିଲା। ଗୋ ନୂତନା ।

ନିଜ ଆଚରଣ ମନେ ନ ଧରି ।

ନୃପତିରେ କରି ଲୋଡ଼ ଗୁହାରି ।

ନିଅ ଯେ ଯାହାର ବାସ ଚିହ୍ନି ନ

ଦେଲେ ଦୋଷ ଆମ୍ଭରି । ଗୋ ନୁତନା ।୧୪।

 

ନବୀନାମାନେ ଏ ବାଣୀ ଶୁଣି

ଲାଜ--ହରଷ ରସରେ ମଜ୍ଜନ ।

ନ କରେ କି ଅନାୟତ୍ତ ବିଧାନ ।

ନ ଗଲେ ତ ପ୍ରତିକାର ନାହିଁ ଆଉ,

ଭାଳି ବାଳା ଛନ୍ନମନ । ସେ ନୂତନା ।

ନିଜ କରେ ମର୍ମସ୍ଥାନ ଆଚ୍ଛାଦି।

ନଦୀ ଜଳୁଁ ବାହାର ନେତ୍ରମୁଦି ।

ନତ ବଦନେ ଅପଥ ପଥ କଲେ

ମୁଖମୋଡ଼ି କନ୍ଧେ ଲଦି । ସେ ନୂତନା । ୧୫ ।

 

ନବୀନ ସୁନ୍ଦର ଲାଟବାସ ଘେନି

କନ୍ଦମ୍ବ ବୃକ୍ଷରୁ ଓହ୍ଲାଇ।

ନୂତନାକୁ କହୁଛନ୍ତି ଗୋଲାଇ ।

ନବ ଯଉବନ ଗରବରେ ଦେଲ

ମଦନ-ଘର ବୁଡ଼ାଇ। ଗୋ ନୂତନା

ନାହିଁ ଏ କଷ୍ଠୁଁ ତରିବାକୁ ଗତି ।

ନମସ୍କାର ନୋହିଲେ ରତିପତି।

ନକଲେ ଗତି ନାହିଁ, ଭାଳି ନବୀନା

ଏକକରେ ଓଳଗନ୍ତି । ସେ ନବୀନା ।୧୬।

 

ନାଗର ହସି ଭାଷିଲେ ଗୋ ନବୀନା

ଧର୍ମଶାସ୍ତ୍ର କି ଶୁଣା ନାହିଁ ।

ନମସ୍କାର ହସ୍ତକେ ଅଛି କାହିଁ ।

ନେଇ ବେନି କର ଶିରେ ଦିଅ ବେଗେ

ସ୍ତୁତି ଦୈନ୍ୟ ଭାଷା କହି । ଗୋ ନୂତନା ।

ନାରୀ ଅନାୟତ୍ତେ ହସି କହନ୍ତି ।

ନ ଜାଣୁ କେ ଦେବତା ଦେବାଗତି ।

ନିଖିଳ ଦେବ ଦେବଙ୍କୁ ଜାଣୁ କହି

କଲେ ବିହିତ ପ୍ରଣତି । ସେ ନୂତନା ।୧୭।

 

ନୟନ ମୁଦିବା ଦେଖି ହସି ହରି

ବୋଇଲେ ଚିହ୍ନି ନିଅ ବାସ

ନଗପତନ ମଣି ନାରୀ ବଂଶ ।

ନ ଫାଟିଲା ମହୀ, ପଶିବା କାହିଁରେ,

ଭାବନା କରି ବିଶେଷ । ସେ ନବୀନା ।

ନଟ ନାଗର ହଟିଆ ଶେଖର ।

ନାଟ ସରିବ ଏତେକେ ତୁମ୍ଭର ।

ନାଟ ଦିଅ କାହିଁ, ଧରାଧରି ହୋଇ

ପିନ୍ଧିଲେ ଯେଝା ଅମ୍ବର । ସେ ନବୀନା ।୧୮।

 

ନୟନେ ମିଶାଇ ଲାଜ ସ୍ନେହଭଙ୍ଗୀ

ରଙ୍ଗିମା ଓଷ୍ଠେ ମନ୍ଦହାସ ।

ନନ୍ଦସୁତ ମତି କଲେ ଉଲ୍ଲାସ ।

ନିର୍ମଳ ପ୍ରେମ ମନ ଜାଣି ତାଙ୍କର

ହୋଇଲେ ଗୋବିନ୍ଦ ତୋଷ । ସେ ନାଗର ।

ନୂତନାଙ୍କୁ କହନ୍ତି ମନ୍ଦେ ହସି ।

ନବ ବ୍ରତେ ଅଛି ଯାହା ମନାସି ।

ନିଷ୍ଠା କରିବି ସେକଥା ଏଥିପାଇଁ ସାକ୍ଷୀ

ଏ ମୋହନ ବଂଶୀ । ଗୋ ନୂତନା ।୧୯।

 

ନବଘନ ଧ୍ୱନି ଶୁଣିଲା ଚାତକୀ

ପରାୟେ ଗୋପିକା ହୋଇଲେ ।

ନିଜ କରେ କୁସୁମ ମାଳାକଲେ ।

ନେଇ କୃଷ୍ଣ ଗଳେ ଲମ୍ବାଇ ଆନନ୍ଦେ

ହୁଳହୁଳି ଧ୍ୱନି କଲେ । ସେ ନୂତନା ।

ନବ ଅନୁରାଗ ଧନ ଅର୍ଜନ ।

ନେଇ କଲେ ପରସ୍ପରେ ସଞ୍ଚନ ।

ନବରକୁ ବିଦା ହୋଇଗଲେ ଗୋପୀ

କୃଷ୍ଣ ପାଦେ ରଖି ମନ । ସେ ନାଗର ।୨୦।

 

ନବଘନ ଶ୍ୟାମ ତ୍ରିଭଙ୍ଗିମ ଠାଣି

ମୁରଲୀ ମୁଖ ମନୋହର।

ନିଶିଦିନେ ଧ୍ୟାନ ହେଉ ମୋହର

ନିରକ୍ଷରକ୍ଷକ ନାମ ସାର୍ଥନ ହେଉ ବୋଲେ

ସାମନ୍ତ ସିଂହାର । ହେ ନାଗର।

ନ ପୂର୍ବାନୁପ୍ରାସ ଶେଷଛାନ୍ଦ

ନାହିଁ କଷ୍ଟ ଅର୍ଥ ଘେନ କୋବିଦ।

ନିଖିଳ –ରସାନନ୍ଦ-ରସ ଆସ୍ୱାଦ

କଲେ ପାଇବଟି ସ୍ୱାଦ। ହେ ନାଗର।୨୧।

 

ଊନବିଂଶ ଛାନ୍ଦ

ଦ୍ୱିଭଙ୍ଗ ଅନୁପ୍ରାସ

ଦିଶ-ଢଗ ମୁକ୍ତାବଳୀ

 

ଜଗବାନ୍ଧବ ଲୀଳା ସାଧବ ଜନେ ଶୁଣି ଦେଇମନ।

ଯହୁଁ ସୁମନା ଗଲେ ବିମନା ହେଲେ ଶ୍ରୀ ନନ୍ଦନନ୍ଦନ ।୧।

 

ଚନ୍ଦ୍ରାମୂରତି ଚିନ୍ତୁ କରତି ପକାଉଛି କାମଛାତି।

ଲଭିବା ଆଶେ ବୁଦ୍ଧି ନ ଆସେ ଚିନ୍ତାଭର ମତି ଅତି।୨।

 

ଏହିକାଳରେ ସେହିସ୍ଥଳରେ ସବ୍ୟାସାଖୀ ପରବେଶ।

ଦେଖି ଗୋବିନ୍ଦ ସେ ଅରବିନ୍ଦବଦନାର ହସ ହସ।୩।

 

ଚନ୍ଦ୍ରା ସଜନୀ ହେବ ରଜନୀକରମୁଖୀ ବିଚାରିଲେ।

କୃଶ ଉଦରୀ କାହା ସୁନ୍ଦରୀ ଏକା ବୁଲୁ ପଚାରିଲେ।୪।

 

ସବ୍ୟା ହସିଲା ମନ୍ଦେ ଭାଷିଲା ଶୁଣହେ ନାଗର ବର।

ରସ ବିଗ୍ରହ ହୋଇ ନିଗ୍ରହ ଅନୁଗତି ଜନେକର।୫।

 

ତୁମ୍ଭ ଆଶାରେ ମଦନଶରେ ଚନ୍ଦ୍ରାବଳୀ ଆସି ସରେ

ତବ ଉତ୍ତର ମୋହମନ୍ତର ଜାଣିଲୁଁ ଆମ୍ଭ ବିଚାରେ ।୬।

 

ଆଶା ଦେଖାଇ ନ ଦେଲେ ଖାଇବାକୁ ଅପରାଧ ସିନା।

ନଥିଲୁ ମଣି ରସିକମଣି ଯୁବତୀ-ପରାଣ-ଘେନା ।୭।

 

ତୁମ୍ଭ କାତର ପ୍ରେମ ଉତ୍ତର ଶୁଣି ଆମ୍ଭେ ବଶ ହେଲୁଁ।

ଗୁଣବତୀ କି ତବ ପ୍ରୀତିକି କେତେମତେ ଜଣାଇଲୁ ।୮।

 

ବୁଢୀ ଆକଟ ମହାସଙ୍କଟ ବଟି ବ୍ୟାଧି-ଶାନ୍ତି-ଛଳେ।

ପଦ୍ମାବୁଦ୍ଧିରେ ରସନିଧିରେ ଆଣିଅଛୁଁ ବଳେ ବଳେ।୯।

 

ପୂଜି ଗଉରୀ ଚମ୍ପାଗଉରୀ ବେଗେ ଯିବେ ନିଜ ପୁର।

ସକଳ ମିତେ ତୁମ୍ଭ ନିମିତ୍ତେ କରୁଛୁଁ ଏତେ ବିଚାର।୧୦।

 

ଉମାତୀର୍ଥରେ ଅଛନ୍ତି ଖରେ ଜଣାଇଲି ଶ୍ରୀଛାମୁରେ।

ଆଉ ଭରସା ନାହିଁଟି ରସାମୋହୀକି ଆଣିବୁଁ ବାରେ ।୧୧।

 

ଶୁଣି ମୋହନ କଣ୍ଠୁ ବହନ ହାର ଉପହାର ଦେଲେ।

ମୋ ଜୀବଦାନ ଦେଲୁ ନିଦାନ ଆତୁରଛନ୍ନେ ବୋଇଲେ।୧୨।

 

ଉଚ୍ଚାରି ଜୟେ କଲେ ବିଜୟେ ସବ୍ୟା ସଙ୍ଗେ ସଙ୍ଗେ ହରି।

ଉମାବାସରେ ମିଳି ଆଶରେ ବସିଲେ ମୁରଲୀଧାରୀ।୧୩।

 

ଏହି କାଳରେ ସଖି ମେଳରେ ବିଜେ କଲେ ଚନ୍ଦ୍ରାବଳୀ।

ଅତି ମୋଦରେ ଜୟନାଦରେ ସଖୀ ହେଲେ ହୁଳିହୁଳି।୧୪।

 

ଦେଖି ପୁରତେ କାମ ଆରତେ କୃଷ୍ଣତନୁ କମ୍ପମାନ।

ଅଧୋବଦନେ କମ୍ପି ମଦନେ ଚନ୍ଦ୍ରାବଳୀ ଛନ୍ନ ଛନ୍ନ।୧୫।

 

ଭଦ୍ରାବଚନ କଲା ରଚନ କି ଯୋଗେ ଅଇଲୁଁ ଆଜ।

ନୋହୁ ଦର୍ଶନ ଉମା ପ୍ରସନ୍ନ ଭେଟିଲୁଁ ରସିକରାଜ।୧୬।

 

ରମଣୀବର ନିଜ ଦେବର ବ୍ରଜରାଜ ସୁତ ସିନା

ଛାଡ଼ ଅନ୍ତର ଚିତ୍ତ ବୟସୀ ପୂରୁ କାମନା।୧୭।

 

କରୁଣାକାର ଏକାଳେ କର ଧରି କରନ୍ତି ବିନତି।

ଆରେ ରମଣୀ-ମୁକୁଟ ମଣି ଘେନ ଏ ଦୀନ ଭଗତି।୧୮।

 

ଗଜେନ୍ଦ୍ର ଗତି ତୋ ବିନା ଗତି ଆନେ ନାହିଁ ମନେ କର।

ଦେଖା ଦିନରେ ଭାବଧନରେ ହୋଇଛି କିଣା କିଙ୍କର।୧୯।

 

ସଖୀ ଚତୁରବର ଆତୁର ଜାଣନ୍ତେ ଅନ୍ତର ହେଲେ।

ସେହୁ ଦମ୍ପତି ସୁଖସମ୍ପତ୍ତି ବୃଷ୍ଟି ହେଲା ବିଚାରିଲେ।୨୦।

 

ସଙ୍କେତ କୁଞ୍ଜେ ଆନନ୍ଦ ପୁଞ୍ଜେ ବିଜେ କୋଳେ ଘେନି ହରି।

ରାମା ଡରଇ ତନୁ ଥରଇ ନବ ଅନୁଭବୁଁ କରି।୨୧।

 

କରକ ବୁକେ କର ଚିବୁକେ ଦେଇ ଚାଟୁ ଆରମ୍ଭିଲେ ।

ଘନଶ୍ୟାମ ତ ମୋର ସାମନ୍ତ ଦୀନ ଅଭିମନ୍ୟୁ ବୋଲେ ।୨୨।

 

ପ୍ରସଙ୍ଗାର୍ଥରେ ରସ ଏଥରେ ନୋହିଲା ଅତି ରଞ୍ଜନ।

ମର୍ମଜ୍ଞ ଧୀରେ ଘେନ ହେ ଧୀରେ ଦ୍ୱିଭଙ୍ଗୀ ଯମକ ସ୍ଥାନ।୨୩।

 

ବିଂଶତି ଛାନ୍ଦ

ଶ୍ରୀକୃଷ୍ଣଙ୍କ ଚନ୍ଦ୍ରାବଳୀଙ୍କୁ ଚାଟୁ

ନିୟମ, ଯମକ ବାଣୀ-କଳଶା

 

ଧୀରେ ଧୀରେ ଧୀରେ ଘେନ ଏଥି ଦେଇ ଶ୍ରୁତି।

ଧର ଧର ଧରଣୀ ଶୋଭୀ କି କହୁଛନ୍ତି ଯେ ।୧।

 

ଶତ ଶତ ଶତ କୋଟି ଘାନ ଜାତ ଶର ।

ବାର ବାର ବାରଣ ଗମନା ମାରେ ମାର ।୨।

 

ଥର ଥର ଥରଇ ଥରକୁ ଥର ଅଙ୍ଗ।

କର କରକରଦନା ମୋର ଦର ଭଙ୍ଗ।୩।

 

ସୁର ସୁର ସୁରସଦା ଥିଲେ ସେ ନାହନ୍ତି।

ଭାବ ଭାବ ଭାବବତୀ ବନାକେ ମୋଗତି ।୪।

 

ଜୀବଞ୍ଜୀବ ଜୀବ ଦୁଃଖୀ ବଚନ୍ଦ୍ରେ ଯେମନ୍ତ।

ଜୀବ ଯିବ ଜୀବନଜନେତ୍ରାରେ ତେମନ୍ତ ।୫।

 

ସର ସର ସର ଆଶାୟୀ ମୁଁ ମୀନବତ।

ଘନ ଘନ ଘନ ରସଦାୟିନୀର ରତ।୬।

 

ମନ ମନ ମନ ଧ୍ୱନି ଶ୍ରବଣେ ଇଚ୍ଛଇ।

ଆନ ଆନ ଆନନେ ବହିଛୁ କାହିଁପାଇଁ।୭।

 

କନ କନ କନକାଙ୍ଗୀ ମୃଗୀ ପରା ନୁହ।

ଦର ଦର ଦରକଣ୍ଠି ଗୁଣକୁ ନବହ।୮।

 

ଜର ଜର ଜର ଅନ୍ତ ସ୍ୱେଦ ପରା ତନୁ

ଝର ଝର ଝରଇ ତ ଲୋତକ ନୟନୁଁ।୯।

 

ତର ତର ତରଳାକ୍ଷି ହାସ ଦେଖିବାରେ।

ବଧୁ ବନ୍ଧୁ ବଧୁଲି ଅଧରୀ କିମ୍ପା ମୋରେ।୧୦।

 

ସାର ସାର ସାରସାକ୍ଷି କୁଚ ଜାନୁ ପାଲି

ବିହି ବିହି ବିହିତେ ଦେଇଛି ଖେଳବୋଲି।୧୧।

 

ଦାନ ଦାନ ଦାନଦକ୍ଷ ହୋଇ ସୁଖୀ ହୁଅ।

ମାନ ମାନ ମାନସ ପଶାକୁ ଫିଙ୍ଗି ଦିଅ।୧୨।

 

ତାର ତାର ତାରପତି ମୁଖ ଟେକିମିତ।

ଗର ଗର ଗରକଣ୍ଠପର କଲାନି ତ ।୧୩।

 

ଆନ ଆନ ଆନନକୁ ନରସେ ମୋ ମନ।

ହରି ହରି ହରିମନ ନେଉଛି ତୋ ମାନ।୧୪।

 

ଶୁଚି ଶୁଚି ସୂଚୀରକୁ ତେଜି ଦାନ କର।

ଚିନ୍ତା ଚିତା ଚିନ୍ତାମଣି ରସଢାଳି ହର।୧୫।

 

ଯାର ଯାର ଜାରପ୍ରୀତି ତରା କିଏ ରୀତି।

ଅନା ଅନା ଅନାୟତ୍ତେ କମ୍ପୁଛି ମୋ ଛାତି।୧୬।

 

ଭାଷ ଭାଷ ଭାଷଇଁ ନଭାସଇଁ ସୁମନା

ସରୁ ସରୁ-ସରୂପା –କୃପାରେ ମୋ ବେଦନା।୧୭।

 

ଉରୁ ଉରୁ ଉରୁବଶୀ ନଚା ପରିବନ୍ଧେ ।

ହୁଁ ହୁଁ ହୁଁ ହୁଁ ହୁଁ ହୁଁ ଗାନେ କରା ଅବରୋଧ ।୧୮।

 

ରସ ରସ ରସନା ବଜାଇ ମୋତେ କିଣ।

ବଳା ବଳା ବଳାରତି ହେବି ଏହିକ୍ଷଣ।୧୯।

 

ଧନ ଧନ ଧନ ପତି ସିଦ୍ଧି କେଉଁ ବର।

ନାକ ନାକ ନାକଲା ଭଙ୍ଗୀରେ ହେବ ଚୂର।୨୦।

 

ନାଗ ନାଗ ନାଗବନ୍ଧ ହେଲେ ଭାଜିଯିବ।

ମାନ ମାନ ମାନବର ଦେଖି କି ରହିବ।୨୧।

 

ହାରେ ହାରେ ହାରେ ବନ୍ଧୁ ଛନ୍ଦିଟି ପ୍ରୀତିରେ ।

ଭିନ୍ନ ଭିନ୍ନ ଭିନ୍ନ କଳାକେଶୀ କରି କିରେ।୨୨।

 

ଧରାଧରା ଧରାପରା କହୁଁ ଏ ବିଧିରେ।

ଗୁଣି ଗୁଣି ଗୁଣମଣି ଶୁଣି ଚାହିଁ ଧୀରେ ।୨୩।

 

ହରି ହରି ହରିପଦ-ଦ୍ୱନ୍ଦ ହୃଦେ ଚିନ୍ତି ।

ଦିନ ଦିନ ଦୀନ ଅଭିମନ୍ୟୁ ନେଉ ନିତି ।୨୪।

 

Unknown

ଏକବିଂଶ ଛାନ୍ଦ

ଚନ୍ଦ୍ରାବଳୀ ସମ୍ଭୋଗ

ମ ପୂର୍ବାନୁପ୍ରାସ । ବାଣୀ-ମୁନିବର ।

 

ମାଧବ ସଂଭୋଗ ରସ।

ମହତ ମାନସ ଝସ ।

ମଜ୍ଜନେ ହୋଇବ ତୋଷ ।

ମ ଅନୁପ୍ରାସ ୟେ । ୧ ।

 

ମୁରଲୀଧର ବଚନେ ।

ମଦାଳସୀ ତୋଷ ମନେ ।

ମନ୍ଦହାସ ପରକାଶେ ।

ମଦନାବେଶେ ୟେ । ୨ ।

 

ମୋହନ ରାୟେ ତା ଜାଣି।

ମରି ବନ୍ଧୁ ଛନ୍ନେ ଭଣି।

ମଣ୍ଡିଲେ ଗଣ୍ଡେ ଚୁମ୍ବନ ।

ମତି ପ୍ରସନ୍ନ ୟେ ।୩।

 

ମଦକଳା ଲାଜ ବହି ।

ମଥା ପୋତି ଉହୁଁ କହି ।

ମଧୁପର କରେ ନୀବି ।

ମୋକ୍ଷଣ ଭାବି ୟେ ।୪।

 

ମନ୍ଦାକ୍ଷେ ବାରଇ ବାଳୀ ।

ମୃଣାଳ ସୂତ୍ରେ ସମ୍ଭାଳି।

ମନ୍ଦୋତ୍କଟ ଦନ୍ତୀ ନୋହେ ।

ମିଥ୍ୟା ଆଗ୍ରହେ ୟେ ।୫।

 

ମୁକ୍ତ କରି ଚୀର ହରି।

ମର୍ଦ୍ଦନ ଉରଜ କରି ।

ମତ୍ତେ ବନ୍ଧ ଆରମ୍ଭିଲେ।

ମନୋଜ ବଳେ ୟେ ।୬।

 

ମହିଳା ଅତି ଅଥୟେ ।

ମୁଦେ ନୟନ କ୍ରୀଡ଼ାୟେ ।

ମନାସେ ବିହି କି କଲା ।

ମହତ୍ତ୍ୱ ଗଲା ୟେ ।୭ ।

 

ମନୋରମା ତ୍ରପା ହେଜି ।

ମୃଗାଙ୍କକୁ ଖୋଜି ଖୋଜି ।

ମାର ମିତ୍ର ବାଦେ ଭୁଷେ ।

ମନ ସରସେ ୟେ ।୮।

 

ମହିଳା-ଶ୍ରବଣ-ବିଳେ ।

ମିଶାଇ ରସନା ଚାଳେ।

ମଉ ଭୋଳେ ମଦାଳସୀ ।

ମଦନେ ରସି ୟେ ।୯।

 

ମନ୍ଦାକ୍ଷ ତୁଟିଲା ମନୁ।

ମୋହ ପରାୟେ ସୁତନୁ ।

ମାର ମୂର୍ତ୍ତୀ ଶାନ୍ତିମତ ।

ମୋହନ କୃତ ୟେ । ୧୦ |

 

ମିଳାଇ ଜିହ୍ନା ଚୁଚୁକେ ।

ମର୍ଦ୍ଦି ନିତମ୍ବ କରକେ ।

ମୁଖ ବାୟୁଶ୍ରୁତି ବିଳେ।

ମଧୁରେ ଦେଲେ ୟେ । ୧୧।

 

ମୁଷ୍ଟିକ ଜଙ୍ଘେ ଫେରାଣ।

ମୂର୍ଦ୍ଧା ଘ୍ରାଣ ଚୁମ୍ବ ପୁଣ।

ମୃଗାଙ୍କକୁ ଥୟେ କଲେ ।

ମୃଗାଙ୍କ ଛଳେ ୟେ ।୧୨।

 

ମାତି ନାନା ବନ୍ଧ ମତେ ।

ମଜ୍ଜିଲେ ଆନନ୍ଦ ମତ୍ତେ ।

ମନ୍ମଥ ଶବଦ ଜାତ ।

ମନ୍ଦ ହୁଁକୃତ ୟେ ।୧୩।

 

ମିଶି ସୀତ୍କାର ବିକାର ।

ମିଥ୍ୟା ନାନା ଅନିର୍ବାର ।

ମର୍ଷଣେ କେଳତି ପତି ।

ମୁଦ ଦମ୍ପତି ୟେ ।୧୪।

ମନ୍ଦାକ୍ଷ ବସନ ସଙ୍ଗେ ।

ମିଳିଲା ରାମା ଶ୍ରୀଅଙ୍ଗେ ।

ମଥା କରି ବାଳୀ ନତ ।

ମଉନ ବ୍ରତ ୟେ |୧୫|

 

ମୋହନା ରତାନ୍ତ-ଭାତି ।

ମଣିଲାଇଁ ଗ୍ରୀଷ୍ମ ରୀତି ।

ମିତ୍ରକର ଜ୍ୱାଳା ଅତି ।।

ମରୁତେ ମତି ୟେ ।୧୬।

 

‘ମଲି’ ମୁଖେ ବିକଶିତ ।

ମହା ସ୍ୱେଦରେ ରଞ୍ଜିତ ।

ମୋକ୍ଷ ହେଲେ ପତ୍ରାବଳୀ ।

ମିଥୁନ ସଳି ୟେ ।୧୭।

 

ମହତ୍ତ୍ୱ ଗଣ୍ଡ ଖଣ୍ଡନ ।

ମଣ୍ଡିବା ଚାନ୍ଦନୀ ମନ ।

ମର୍ଯ୍ୟାଦା ଏପରି ଦେଖି।

ମାଧବ ଦୁଃଖୀ ୟେ ।୧୮।

 

ମରି ବନ୍ଧୁ କହି କରି ।

ମୁଖ ଚୁମ୍ବି କୋଳେ ଧରି ।

ମଧୁକାଳ କଲେ ବେଶେ ।

ମହା ଉଲ୍ଲାସେ ୟେ ।୧୯।

 

ମରମ ପରମ ପ୍ରୀତି ।

ମୂଳ କରି ସେ ଦମ୍ପତି ।

ମଲ୍ଲମାତେ ଭୟ କଲେ ।

ମେଲାଣି ହେଲେ ୟେ ।୨୦|

 

ମଲ୍ଲ ନଗରେ ମିଳିଲେ ।

ମିଥ୍ୟରେ ସଖା ବୋଇଲେ ।

ମାତା ତୁମ୍ଭ ବଧୂ ଆଜ।

ମହା ନିରୁଜ ୟେ |୨୧|

 

ମହାମାୟା ଦୟା ହେଲା ।

ମଦକଳା ବ୍ୟାଧି ଗଲା।

ମଲ୍ଲମାତା ଶୁଣି ତୋଷ ।

ମନେ ବିଶେଷ ୟେ ।୨୨।

 

ମୁଁ ନିଷେଧ ନକରିବି ।

ମୂଳ କରି ପୂଜୁ ଦେବୀ ।

ମଲ୍ଲମାତା ଆଜ୍ଞା ଦେଲେ।

ମିତଣୀଜାଳେ ୟେ । ୨୩ ।

 

ମନ ଘେନା କରି ତହିଁ।

ମଦନା ସଜନୀ କହି ।

ମିଥ୍ୟା ଅପବାଦ ପାଇଁ ।

ମୁହିଁ ଡରଇଁ ଗୋ ।୨୪।

 

ମହା ଶୋଭା ତୁମ୍ଭ ବଧୂ ।

ମାଧୁର୍ଯ୍ୟେ ସୁରସ ସିନ୍ଧୁ ।

ମଧୁସୂଦନ ଚଞ୍ଚଳ ।

ମହାପ୍ରବଳ ଗୋ ।୨୫।

 

ମଲ୍ଲ ସାନଭାଇ ଯେଣୁ ।

ମାନିନୀ ଦେବର ତେଣୁ ।

ମିଳିବେ କାଳେ ସେ ବନେ ।

ମାୟା ଭୀମନେ ୟେ ।୨୬।

 

ମଲ୍ଲ ମାତା ବାକ୍ୟ ଦତ୍ତ ।

ମୋ ବଧୂ ଦେବର ସତ ।

ମୋ ଭୀତି ଇଙ୍ଗିତେ ନାହିଁ ।

ମୁକୁନ୍ଦ ତହିଁ ଗୋ ।୨୭।

 

ମନେ ମନେ ଆନ ରୀତି ।

ମାନ ଜଗିଥିବ ନିତି।

ମଣିଲେ କିଛି ତା ଦ୍ରୋହ ।

ମୋ ଆଗେ କହ ଗୋ ।୨୮।

 

ମହତ୍ତ୍ୱ ସାରିବି ତାର ।

ମଧ୍ୟମ କଲେ ଆଚାର।

ମିତେ ଏତକ ଶୁଣିଲେ ।

ମୁଦ ହୋଇଲେ ୟେ ।୨୯।

 

ମିଳନ ସେ ଦିନୁ ନିତି ।

ମହୋତ୍ସବରେ କରାନ୍ତି ।

ମହାମାୟା ପୂଜା ଛଳେ।

ମନ ପ୍ରବଳେ ୟେ ।୩୦।

 

ମୁରଜିତ ତ୍ରିଭଙ୍ଗୀୟା।

ମୁରଲୀ ମୁଖ ରଙ୍ଗାଆ।

ମଧୁ ମଙ୍ଗଳ ସଙ୍ଗୀୟା।

ମାନ ଭଙ୍ଗୀୟା ୟେ ।୩୧।

 

ମନମଥ-ମୋହନୀୟା ।

ମହାସୁଖ-ସଦନୀୟା

ମରକତ-ପିତୁଳୀୟା।

ମିତ୍ର-ମେଳୀୟା ୟେ।୩୧।

 

ମୟୂର ଚୂଳୀୟା ଭାବି ।

ମନେ ଅଭିମନ୍ୟୁ କବି।

ମହାନନ୍ଦ ସଦାଦିନ ।

ମହାନ୍ତେ ଘେନ ୟେ ।୩୩।

 

ଦ୍ୱାବିଂଶ ଛାନ୍ଦ

ପ୍ରାନ୍ତାନୁପ୍ରାସ

ରାଗ-ଆନନ୍ଦ । ଚାରୁ ଲବଙ୍ଗଲତା ବାଣୀ ।

 

ଧୀରେ ଶୁଣ କୃଷ୍ଣରସ ବାଣୀକି ।

ସ୍ଵାଦୁ ସମାନରେ ସୁଧା ଆଣିକି ।

ସୁମରି, ରାଧାଗୁଣ ଶ୍ରେଣୀକି ।

କୃଷ୍ଣ ନପାରନ୍ତି ରଖି ଆଣିକି । ୧ ।

 

ଲଭିଲେ ବରଜ ନବ ବାଳୀଙ୍କି ।

ସୁଖେ ଭୋଗକଲେ ଚନ୍ଦ୍ରାବଳୀଙ୍କି ।

ତେବେ ହେଁ, ନିତି ବନମାଳୀଙ୍କି ।

କାମଦେଲା ଚିନ୍ତା ଜପାମାଳିକି । ୨ ।

 

ଦେଖିବାରୁ କୃଷ୍ଣ ଦୁଃଖ ରାଶିକି।

ଚିନ୍ତାପ୍ରାପ୍ତ ହେଲା ପୂର୍ଣ୍ଣମାସୀଙ୍କି ।

କହନ୍ତି ହସି ଗିରିଧାରୀଙ୍କି ।

କି ହୋ ନାଗରେନ୍ଦ୍ର ଏ ଚାତୁରୀ କି ।୩।

 

କୋଟି କାମ-ଶୋଭା ଉଣା ଯହିଁକି ।

ସେ ତନୁ ମଳିନ ଦିଶେ କାହିଁକି ।

ନିନ୍ଦଇ, ମୁଖ, କଳାନିଧିକି ।

କିମ୍ପା ଭଜିଛି ବିରସ ବିଧିକି । ୪ ।

 

ହୋଇ ଅଛଇ ଅତନୁ ବ୍ୟାଧିକି ।

ଦେଲ ମନ କଉଁ ରସନିଧିକି।

ନ କହ, ମୋତେ କାହିଁ ପାଇଁକି ।

ଦେବା ଔଷଧ ମଦନ ବାଇ କି ।୫ ।

 

ଦେଖି ତବ ମୁଖ ତୁଚ୍ଛ ନାରୀକି ।

ରମାଲୋଭେ ଛାଡ଼ି ଦେବେ ହରିଙ୍କି ।

ଧରିବ, ଆଉ କେବା ଧୃତିକି ।

ଧନ୍ୟ ଯେ ମୋହିଲା ତୁମ୍ଭ ମତିକି । ୬ ।

 

ଇଛା ଏ ଛାର ବ୍ରଜରମଣୀକି ।

ଦେଖି ମୁଖ ଧରିଛି କେ ଆଣିକି ।

ନାହିଁ ସେ, ତୁମ୍ଭ ନାମ ଶୁଣି କି ।

କା ଦମ୍ଭ ଦଳିଛି ପବି-ଆଣିକି । ୭ ।

 

ଧନ୍ୟ କହିବା ନା ସେ ଛଇଳୀକି ।

ହେଲା ମୋହନ ମୋହିବା ଭଳିକି ।

ବୋଲହୋ, ଚିଭ ଦେଲ କାହିଁକି ।

ଜାଣିଲେ କହିବା ବୁଦ୍ଧି ତହିଁକି ।୮।

 

ଦେବି ଶିକ୍ଷା ମନ୍ତ୍ର ତନ୍ତ୍ର ବିଧିକି ।

ଆକରଷିବ ଦେବବାମାଧୀକି ।

ଅଙ୍ଗନା, ବାମ-ପଦ ଧୂଳିକି ।

ମନ୍ତ୍ରି ମଣ୍ଡିବ ନିଜ ମଉଳିକି । ୯ ।

 

ତ୍ରିବୀଜ ରତି ପୀରତି ଧୃଳିକି !

କୁସୁମବାଣାୟ ନମୋ ଏତିକି ।

ଏ ଧୂଳି, ମନ୍ତ୍ରରାଜ ଭେଳିକି । ।

ମୋହି ନୋହିବ ଅବଳା ବଳ କି । ୧୦ ।

 

କାମବୀଜ ନାରୀନାମ ଯେତିକି ।

ବିଶ୍ଵଜୟାୟ ମିଶାଇ ତେତିକି ।

ମିଳାଇ, କାମ ଅଷ୍ଟାକ୍ଷରୀକି ।

ବଂଶୀ ବୋଇଲେ ରହିବେ ନାରୀକି । ୧୧ ।

 

କାମ-ଜଗନ୍ମୋହ-ମନ୍ତ୍ର-ରୀତିକି ।

ଅସାଧ ତିନିଲୋକ ଯୁବତୀ କି ।

ବଳିବ, ଦ୍ରବିପବି ପାଣିକି ।

ମୋହିବାର ତୁଚ୍ଛ ଇନ୍ଦ୍ରାୟଣୀ କି । ୧୨ ।

 

ଶୁଣି କୁଷ୍ଣ ହସି ଚାହିଁ ଆଜୀଙ୍କି ।

ବୋଇଲେ କି ଭାଗ୍ୟ ମୋର ଆଜିଛି।

କହିଲ, ଯାହା ଦିବ୍ୟବାଣୀକି।

କିଣିଲ କିଣିଲ ବେଣୁପାଣିକି । ୧୩ ।

 

ବୋଧି ବିଦାକରି ଭଗବତୀଙ୍କି ।

କିଶୋରୀ ଭାବରେ ଥୋଇ ମତିକି ।

ବିଜୟେ, ହଳିପ୍ରିୟ କିତିକି ।

ପରିଖିବାକୁ ମୁରଲୀ ରୀତିକି।୧୪।

 

ନଟବର ବେଶ ମୋହେ କ୍ଷିତିକି।

କେକୀଚନ୍ଦ୍ରକ ଚୂଡ଼ା ସଙ୍ଗତିକି । ।

ମାନିଛି, ତାହା ପରା ତହିଁକି।

କବି ତୁଳନା କେ ଦେବ କାହିଁକି।୧୫।

 

ଗୁଞ୍ଜରାପାଟି ଅଳକାବଳୀକି ।

ମକର କୁଣ୍ଡଳ ଗଣ୍ଡସ୍ଥଳୀକି ।

ମୋହଇ, ଘନଶ୍ୟାମ କାନ୍ତିକି।

ଦେଖି ସୁରଆଖି ଲଭେ ଗତିକି ।୧୬।

 

ନାସେ ଚାରୁ ଗଜମୋତି ଛବିକି ।

କଉଁ ଅନ୍ଧ ଲକ୍ଷ୍ୟ ଦେବ କବିକି ।

କଦମ୍ବ, ପଦ୍ମମୋତି ମାଳିକି ।

ଶୋଭା ହେଲେ ପାଇ ହୃଦସ୍ଥଳିକି। ୧୭ ।

 

ପୀତବାସ ପିନ୍ଧା ପରିପାଟୀକି ।

ଉଦ୍ଧରି ଧରିଛି କ୍ଷୀଣ କଟିକି ।

ସୁବେଶ ସାର-ଶୋଭା-କୁଟୀକି ।

କହି ଆସିବ କି କୋଟି ପାଟିକି ।୧୮।

 

ଦେଖ୍ ସେକାଳ ତ୍ରିଭଙ୍ଗୀ ଠାଣିକି ।

ମୋହି ନୋହିବେ ହର ରମଣୀକି ।

ଅଧରେ, ହାସୋପମା ଏତିକି।

ଅନୁରାଗ ସୁଧାକରେ ବାନ୍ତିକି । ୧୯ ।

 

ଯୋଖି ଅଧରେ ମୋହନ ବଂଶୀକି ।

ମୋହ ମାଦକ ଗଲେ ବରଷି କି।

ବାଦନ, ଚାରୁ ସ୍ୱର ଗୋଟିକି।

ମାର ଶରବୃଷ୍ଟି ଗଲା ଘାଟିକି । ୨୦ ।

 

ସିଂହରଡ଼ି ପ୍ରତେ ଦିଗଦନ୍ତୀ କି ।

ନାଗେ ଭୟଗଜେ ଖଗପତିକି ।

ରାକ୍ଷସେ କଲେ ମହାଭୀତିକି ।

ଭାଳିଲେ ଏ ସୁଦର୍ଶନ ଗତିକି । ୨୧ ।

 

ଶତକୋଟି ଭୟ ହେଲା ଗିରିକି ।

ମଙ୍ଗଳ ଶୁଭିଲା ସୁରପୁରୀକି ।

ପ୍ରକାଶେ, ଅଲୌକିକ ଶକ୍ତିକି ।

ଚିହ୍ନିପାରିବ କେ ବଂଶୀ ଉକ୍ତିକି । ୨୨ ।

 

ଯମୁନା ପାଣି ଟେକେ ଉଜାଣିକି।

ପଥରେ ଦ୍ରବିଲେ ବଳି ପାଣିକି ।

ସ୍ଥକିତ, କଲା ଜୀବପନ୍ତିକି।

ଶୁଷ୍କତରୁ ଯୋଗ୍ୟ ଜୀବଗତିକି । ୨୩ ।

 

ଶିଥିଳତା କଲା ଗାଢ଼ ନୀବୀକି ।

ଭାଙ୍ଗେ ପତିବ୍ରତା ଦମ୍ଭ ପବିକି ।

ସୁଜିତ, କରାଇଲେ ରବିକି ।

ଦିବିଚରେ ଗତିକଲେ ଭୂବିକି । ୨୪ ।

 

ଆଗ ଗ୍ରାସିଲା ଯୁବା ରମଣୀଙ୍କି।

ବିବେକ ସେ ଫିଙ୍ଗାଇଲା ପାଣିକି।

ସମ୍ଭାଳି ନପାରିଲେ ବୁଦ୍ଧିକି।

ମଣିଲେ ଆସେ କାମଜଳଧିକି।୨୫।

 

ଯା ଧୂନି ମୋହେ ବ୍ରହ୍ମାଣ୍ଡାବଳୀକି।

ତହୁଁ ନାଗରୀ ପାରିବେ ବଳି କି।

ଗୋଟିକ, ସ୍ୱର ଦହେ ଧୃତିକି।

ସପତ ସ୍ୱରରେ ହେବ ବର୍ତ୍ତିକି?।୨୬।

 

ଚିନ୍ତି ସେ ମୋହନ ବଂଶୀଧାରୀକି।

ରାଧାମୋହନ ବ୍ରଜ ବିହାରୀଙ୍କି।

ବୋଲଇ ଅଭିମନ୍ୟୁ-ପାତକୀ।

ତୋ ଭାବେ ଥିବ ସଦା ମୋ ଚିତ୍ତକି।୨୭।

 

ତ୍ରୟୋବିଂଶ ଛାନ୍ଦ

ଶ୍ରୀରାଧା ତ୍ରିପୁଂସ ଭ୍ରମ

ଆଦ୍ୟ ପ୍ରାନ୍ତ ମଧ୍ୟାନୁପ୍ରାସ।

ରାଗ-ଭୁପାଳ

 

ଧୀରେ ଧୀରେ ଶୁଣ ରସ କିଶୋରୀ

ବିରସ କରି ପଟରେ ସଞ୍ଚିତ ଚିତ୍ତ।

ହର ହର ମୋ ବେଦନା ବୋଲେ ସୁବଦନା

ହେଉ ଚିତ୍ର ପୁଂସ କାନ୍ତ କାନ୍ତ।୧।

 

ଦର୍ପ ଦର୍ପକ କରଇ କାର୍ମୁକ

ଧରଇ କରିବା ପାଇଁ ଅବଧ ବଧ ।

ବର-ବରନା କାରଣ ନିବାରଣ

ନୁହନ୍ତି ଆନ ବିବିଧ ବୁଧ । ୨ ।

 

ମନ ମନଜ ଦହିଲା କହନ୍ତି ମହିଳା

ସହି ଏଥର ମୋ ଜୀବ ଯିବ ।

ଚିତ୍ତ ଚିନ୍ତଇ ନିକର ଜଇବାତୃକର

ଆଶାୟୀ ଯେମନ୍ତ ଜୀବଞ୍ଜୀବ ।୩।

 

ସାର ସାରସଲପନ ଚିତ୍ର ଉଦ୍ଦୀପନ

ବଢ଼ାଇଲା ମୋର ଘନଘନ ।

ତାର ତା-ରସେ ମଜାଇ ପ୍ରେମ

ଉପୁଜାଇ ନୋହିଲେ ହେବ ଗିଆନ ଆନ ।୪।

 

ଭାଷ ଭାଷନ୍ତେ ଏସନ ସ୍ଫୁରେ ବଂଶୀସ୍ଵନ

ଶ୍ରବଣେ ରାଧା କାତର ତର ।

ମାର ମାରଣା ତରଜି ଆସେ କି ତରଜି

ଏହି ଚିନ୍ତା ହେଲା ମରମର । ୫ ।

 

ଧୀର ଧୀର ପଳାଇଲା ଲୋଭ ବଳାଇଲା

କୃଷ୍ଣ ମୁରଲୀ ସଙ୍ଗୀତ ଗୀତ ।

କର କର-ଶ୍ରୀ-ରଦନା କରେ ନିବେଦନା

ଏ କି ଶୁଭେ ଅପ୍ରମିତ ମିତ ।୬।

 

ନିବୀ-ନିବିଡ଼-ବନ୍ଧନ ଫିଟିଲା,

ବର୍ଦ୍ଧନ ହୋଇଲା ମୋର ହୃଦର ଦର।

ସହି ସହିତ ନୋହିବ ନିଶ୍ଚୟ

ଦହିବ ମାରି କରି ଫୁଲଶର ଶର ।୭।

 

ଅଙ୍ଗ ଅଙ୍ଗନାର ଥରେ ନୟନ ପଥରେ

ଦେଖି ନସ୍ପୁରେ ସଙ୍ଗୀର ଗିର ।

ଭାଳେ ଭାଲେ କର ମାରି କେ ଏ

ସୁକୁମାରୀ ଗତି ବେଳକୁ ଶଙ୍କର କର ।୮।

 

ଆଳୀ ଆଳିଏ ବୋଇଲେ ଏରୂପ

ହୋଇଲେ ହେବସିନା ଅପଖ୍ୟାତି ଖ୍ୟାତି ।

ନୀର ନିରତରେ ବହିଲା ନେତ୍ରୁଁ

ନ ରହିଲା ଦୁଃଖେ ନ ମଜ୍ଜା ସୁମତି ମତି ।୯ ।

 

ତନୁ ତନୁ ହୋଇଲାନି କେତେ ସହିଲାନି

ହୃଦରେ ଜଳଇ ଚିନ୍ତା ଚିତା ।

ବାରି ବାରିଜମୁହାଁ କି କହେ କେ ସହୀକି

କେ ହୋଇବ ଏହାର ତାରନ୍ତା ।୧୦ ।

 

ଭାବି ଭାବିନୀ ନିରତ ବଢ଼ିଲା

ଆରତ କେ କରିବ ଗଜଗତି ଗତି ।

ଲୋକେ ଲୋକେଶ ବିପକ୍ଷ ହେଲେ କେ

ବା ପକ୍ଷ ହେବ ଶୁଣି ନାହିଁ ଶ୍ରୁତି ଶ୍ରୁତି । ୧୧ ।

 

ଦିନ ଦିନକୁ ଦୀନ ତ ହେଲା ଜୀବନ

ତ ନିରତେ ଜାତ ବ୍ୟାକୁଳ କୁଳ ।

ଜୀବ ଯିବ ଏହିକ୍ଷଣି ବୋଲେ ସୁଲକ୍ଷଣୀ

ନୀରତେ ଜାତ ବିକଳ-କଳ ।୧୨

 

ଭାବି ଭାବିନୀ କରମେ ଏ ଦଶା

ଭରମେ ରଖିଥଲା ପୁଣି ବିହି ବିହି ।

ପ୍ରିୟ ପ୍ରିୟ ନ ପାଇଲେ କି ହେବ

ବୋଇଲେ ପାରିବ କେହି ବିରହୀ ରହି ।୧୩।

 

ପାଞ୍ଚ ପାଞ୍ଚ ଜଣ ଯିବା କାନନେ

ଖୋଜିବା କେ କାହିଁ ବଜାଏ ବଂଶୀ ।

କିତ କିତବ କିଦ୍ୱେଷୀ ନାରୀର ବିଦେଶୀ

ଆଗତ କାହିଁରୁ ରୁଷି ଋଷି । ୧୪ ।

 

ଶୂର ସୁର ବା ଅସୁର-ଘେନାକି ଅସୁର

କି ଅବା ନାଗ କିନ୍ନର ନର ।।

ସେ କେ, ସେ କେମନ୍ତ ଲୋକ, କଲେ ତ

ଆଲୋକ, ଜାଣିମା ସିନା ଅସାର ସାର । ୧୫ ।

 

ସହୀ ସହିତେ ଏସନ ବିଚାରି

ପ୍ରସନ୍ନମୁହାଁକି କହନ୍ତି ଜୀବ ଯିବ ।

ଧର ଧରମ ଭରସା ନିକଟେ ସୁରାସାଳୟା

କରିବେ ବା ଶିବ ଶିବ।୧୬।

 

ଆଜ ଆଜନ୍ମ ସୁଖି-ରେ ଅଇଲେ

ଦେଖି ରେ ଯୋଗ୍ୟ ହେଲେ କାଲି ବର ବର ।

ତୁଳା ତୁଳାଅଙ୍ଗୀ ରଙ୍ଗ ହେଲାନି କୁରଙ୍ଗ

ନୟନା କାନ୍ଦି ନିବାର ବାର ।୧୭।

 

ମହ ମହତ୍ତ ଜଗିବା ଉପାୟେ ଲାଗିବା

ମାନ ଆମ୍ଭ ସରସ୍ୱତୀ ସତି ।

ବଚ ବଞ୍ଚନା ଆଳୀର ଶ୍ରବଣେ ବାଳୀର

ଧୀସରେ ସ୍ମରେ ବିପତି-ପତି ।୧୮।

 

କର କରମରେ ମାରି ନରେନ୍ଦ୍ର କୁମାରୀ

ବୋଲେ ରେ କାମ ପାମର ମର ।

ପର ପରବଶ ଜନେକରୁ, କି ଅର୍ଜନେ

ଗର୍ଜିପ୍ରହାରୁ ଅସର ଶର । ୧୯ ।

 

ଗୁଣି ଗୁଣୀମଣି ଧୀରେ କହିଲେ

ଅଧୀରେ ସହି ସରିଲା ଗୁମାନ ମାନ।

ଧିକି ଧିକି ମୁଁ ବରତୀ ତିନି ଫୁସେ ରତି

ହେବାର କଲି ନିଦାନ ଦାନ | ୨୦ |

 

କାମୀ କାମିନୀ ଗଣିତ ହୋଇଲି ପୁଣି

ତ ପୋଡୁ ହେବାର ରମଣୀମଣି।

ସରୁ ସରୂପ କହୁଛି କଳଙ୍କ ରହୁଛି

ବେଗେ ପକାଅ ସିହାଣି ହାଣି । ୨୧ ।

 

ଆନ ଆନନ ଚାହିଁବି କି କରି ସହିବି

କେହି ଲୋକେ ଅପବାଦ ବାଦ ।

ବିହି ବିହିଛି କପାଳେ ହସିବେ ଗୋପାଳେ

ଅରଜିଲି ଏ ଆପଦ ପଦ । ୨ ୨ |

 

ପର ପରଚେ ହେବାର ସେ ବି ଲୁଚିବାର

କାଲି ଯିବତ ଏ ପୁରୀ ପୂରି ।

ଆଶ ଆସନ୍ତତ ହେଲା,

ଲବେ ନୋହେ ହେଳା,

ଯିବ ତା ନାମ ସୁମରିମରି ।୨୩।

 

ଧ୍ରୁବ ଧ୍ରୁବ ଲୋକ ବଳି ମୋ ନିନ୍ଦାଆବଳୀ

ଗଲେ କି ତାହା ତେଜିବ ଜୀବ।

ମୂର୍ଚ୍ଛି ମୁଁ ଛି କଲେ ତାକୁ ମନ ମମତାକୁ

ଛଡ଼ାଇ କି କାମଦେବ ଦେବ । ୨୪ ।

 

ଭାବ ଭାବର ମୂରତି ବିନା କି ବରତି

ହେବ କଷ୍ଟ ଅକୂପାର ପାର ।

କର, କର ମୁଁ ଧରୁଛି, ଉପାୟ ସରୁଛି

ରାଧାନା, କୃପା ବିସ୍ତାର, ତାର । ୨୫ ।

 

ସଙ୍ଗୀ ସଙ୍ଗୀତ ପଣ୍ଡିତା ଜଗତ ମଣ୍ଡିତା

ବାଣୀ ଶ୍ରବଣେ ଦୁଃଖରେ ଖରେ ।

ବାଚ ବାଚକ ହୋଇଲେ ସ୍ୱରୁପ ବୋଇଲେ

ଚିତ୍ତ ନମଜ୍ଜା ଆତୁରେ ତୁରେ ।୨୬।

 

ନାଗ ନାଗର ସେ ଏକ ତୃତୀୟ ନାୟକ

ଭ୍ରମ ତେଜ ସେ ନନ୍ଦ ନନ୍ଦନ ।

ବର ବରଜ ରମଣୀଙ୍କର ହୃଦମଣି

ଯେ କାମୀ ତପ୍ତ ଜୀବନ ବନ ।୨୭।

 

ସୁଧା ସୁଧାର ଉତ୍ତର ଶ୍ରବଣେ ମିତର

ବଢ଼ିଲା ରାଧା-ଆନନ୍ଦ-ନଦ।

ଶଶ ଶଶଧର ବତ ସେ ବାଣୀ ଜୀବତ

ମଣିବାରୁ ଧୀ-କୁମୁଦ ମୁଦ ।୨୮।

 

ବିଦ୍ୟୁ ବିଦ୍ୟୁତ ଗଉରୀ ସୁକର ଭଉଁରୀ

ଭାବ ସମାନ୍ତ ସିଂହାର ହାର ।

ପ୍ରାନ୍ତ ପ୍ରାନ୍ତ ଆଦ୍ୟନ୍ତର ଯମକ ଗୀତର

ମର୍ମଜ୍ଞ ବିନା ଜଡ଼ର ଡର।୨୯।

 

ଚତୁର୍ବିଂଶ ଛାନ୍ଦ ।

ଶ୍ରୀ ରାଧାଠାରେ ଦୂତୀ ଉକ୍ତି ।

ଆଦ୍ୟବର୍ଣ୍ଣାନୁପ୍ରାସ ।

ରାଗ-କଲ୍ୟାଣଆହାରୀ ।

 

ରସିକେ ରସବତୀରସ ରସିଣ

ଶ୍ରବଣ କର ଦେଇ ମତି ।।

ରସାଳସା ଯୋଷା ଦଶା ଦେଖି

ସଖୀ ଦୁଃଖିତ କରି ମତିଅତି । ରସିକା ।

ରଣରଣ-ତାପ ନାଶନେ ।

ଋତୁ ଉଦ୍ଦୀପନ ଶାନ୍ତି ଉପଚାର

ପ୍ରଚାର କରନ୍ତି ଯତନେ।୧।

 

ରମଣୀ କେ ପୁଣି ଗୋଳି

ଘନସାର ଦେଉଅଛି ହୃଦରେ ।

ରାଜୀବନାଳ ମାଳ ମାଳ କରି କେ

ଲମ୍ବାଇ ଦେଉଛି ଗଳାରେ । ରସିକା।

ରତନ ଯତନ ପାଇଁ କି।

ରଚେ କେ ଶତ ଶତଦଳ ତଳପ

ନୟନେ ଥକାଇ ପାଣି କି। ୨ ।

 

ରାମାକେ ଉଷୀର ବାଟୁଛି,

ଛୁଟୁଛି ବାତାୟନ ବାଟ ଫାଟକୁ ।

ରଚନା କଉଁ ସୁଲୋଚନା କରଇ

ଅହିଚିତ୍ର ବାତ ହତକୁ । ରସିକା ।

ରମ୍ୟ ପାଇଁ କେ ମନେ ଭାଳି ।

ରୁତବନ୍ତ ପରଭୃତକୁ ଲଉଡ଼ି

ଘେନି ଦଉଡ଼ି ଦିଏ ଗାଳି ।୩।

 

ରସନିଧିରେ ଏ ବିଧିରେ ବଞ୍ଚାନ୍ତି,

ଘୁଞ୍ଚାନ୍ତି ଅଳପ ତାପକୁ ।

ରଜନୀଶମୁଖୀ, ସଜନୀ କେ ବୋଲେ

ଅରଜି ଅଛି ଏ ପାପକୁ । ରସିକା ।

ରସ ଭାବନେ ଅଚେତନା ।

ରହିତ ନୁହେତ ସାନ୍ତ୍ୱନା କଲେତ

ନୂତନା ଅମପା ବେଦନା ।୪।

 

ରସାମଣ୍ଡନା ଦଣ୍ଡ ନାଶ ଯିବକି,

ଶିବଙ୍କୁ ସେବା କରାଇବା ।

ରୁଚିର ମନ୍ଦାର ହାର ଛେଳି ବଳି

ଦେଇ ଶିବାଙ୍କୁ ମନାଇବା । ରସିକା ।

ରାଧା ବାଧା ହିତ ପାଇଁ କି।

ରମାଙ୍କୁ ପୂଜିବା ରଞ୍ଜିବା ଅନେକ

ଦେଇ ହେଇ ହେମ ପଦ୍ମ ମାଳିକି । ୫ ।

 

ରହିଛନ୍ତି ସହୀ ଏହିପରି କରି

ବିଚାର ନିର୍ବେଦକୁ ପାଇ ।।

ରୂପବନ୍ତୀ କାମସେନୀ ସେହିକାଳେ

ପ୍ରବେଶ ହେଲା ତହିଁ ଯାଇ । ରସିକା ।

ରସାଶୟନ ଦେଖୁ ଭାଳେ।

ରତି ପତି ବିନା ନବୀନା-ବେଦନା-କାରୀ

କେ ଅବନୀ ମଣ୍ଡଳେ ।୬ |

 

ରସରାଜ କାର୍ଯ୍ୟ କମଳଜ ଆଜ

ସିଦ୍ଧ କରିବ କି ସତେହେଁ ।

ରଖି ଏ ଭାବନା ବୋଲଇ ଅଙ୍ଗନା

କି ବ୍ୟାଧି ରସନିଧି ଦେହେଁ । ରସିକା ।

ରୂପ ତ ଦିଶୁଛି ବିବର୍ଣ୍ଣ ।

ରତନା ବେଶୀ ବିରହ ବେଶ ଦେଖି

ଧଇର୍ଯ୍ୟ ମୋର ହେଲା ଚୂର୍ଣ ।୭।

 

ରାଜକୁମାରୀ ସୁକୁମାରୀ ଛଇଳା

ଅଲେଳା କିଶୋରୀ ରତନ ।

ରସ ବାସ ବେଶ ହାସ ନୀତି ରୀତି

ଏହି କାଳରେ ରସେ ମନ । ରସିକା ।

ରଞ୍ଜନ ନ ପାରିଲୁ କରି ।

ରହି ଏତେ ସହୀ କି କରୁଛି ଆଉ

ବୋଲାଅ ପରା ପ୍ରାଣ ପରି ।୮।

 

ରସିବ ବିହାରେ ଯାହାରେ ତାହାରେ

ଅଣାଇବାରେ କଉଁ ଚିତ୍ର ।

ରଥାଙ୍ଗଧର ପୁରନ୍ଦର କୁମାର ମାର

ସୁରତ ଅଳ୍ପ ମାତ୍ର । ରସିକା ।

ରସିଛି କାହାଠାରେ ମତି ।

ରେକକଟି କଷ୍ଟୀ ହେବା ଦେଖି

ଫାଟି ଯାଉଛି କଷ୍ଟରେ ମୋ ଛାତି I୯I

 

ରଖିଛି ଅନ୍ତର ମୋତେ କରି ପର,

ନ କହ କାହିଁକି ସଜନୀ ।

ରଜନୀ କାମିନୀକି ଦେଖୁନାହଁ କି

ସାନ୍ଦ୍ର ଦିଶଇ ଚନ୍ଦ୍ର ଘେନି । ରସିକା ।

ରସଶାସ୍ତ୍ର-ଅବଗାହିନୀ ।

ରହିବ କି କରି ଧଇର୍ଯ୍ୟକୁ ଧରି

ରସିକା ବିନା ରସିକିନୀ । ୧୦|

 

ଋଷି ରମଣୀ ରସିଲେଟି ଚନ୍ଦ୍ରଙ୍କୁ

ସାର ସୁନ୍ଦର ଦେଖି କରି ।

ରମାପତି ପଦ ତେଜି ଆସି ଗଙ୍ଗା

ହୋଇଲେ ସାୟନ୍ତନୁ ନାରୀ । ରସିକା।

ରତିକି ଏମନ୍ତ ପଦାର୍ଥ ।

ରସଜ୍ଞା ହେଲେ ଜାଣିବା ସିନା

ତହୁଁ ନାହିଁଟି ଆଉ ପୁରୁଷାର୍ଥ ।୧୧।

 

ରମ୍ୟଅଙ୍ଗୀ ଅଙ୍ଗୀକାର କଲେ

ଭେଟାଇବି ଦିବ୍ୟସାର ସୁନ୍ଦର ।

ରସରାଜ ଅଙ୍ଗ ହୀନ ସେ ନାଗର

ସୁଷମା-ସୂର୍ଗ-ପୁରନ୍ଦର । ରସିକା ।

ରଚନା ନୋହେ ସେ ବିଧିରେ ।

ରସାମୃତ ମୂର୍ତ୍ତି ଏମନ୍ତ ପ୍ରତୀତି

ହେଉଛି ମୋହର ବୁଦ୍ଧିରେ ।୧୨।

 

ରୂପ ତୁଳନାକୁ ସେହି ସେ ତାହାକୁ

ସମାନ ନାହିଁ ଆନ କେହି ।

ରାତିପତି ମୁଖ ଭାତିକି ଦେଖୁଲେ

ଧୂଷର ଦିଶେ ଲାଜ ବହି । ରସିକା ।

ରସଧର ଦେଖି କାନ୍ତିକି ।

ରଖିପାରଇ ନାହିଁ ନିଜ ଶରୀର

ବହେ ଆନ ଆନ ରୀତିକି ।୧୩।

 

ରୁଚିର ଚରଣ ତଳକୁ ତଳକୁ

ଜବା କରିବା ଅନୁଚିତ।

ରଙ୍ଗ ରାଜୀବ ପତ୍ର ନେତ୍ର ବୋଇଲେ

ପବିତ୍ର ହୋଇଯିବ ସେତ। ରସିକା ।

ରାଗ ଅନୁରାଗ ମିଶିବ।

ରକ୍ତ ବ୍ୟକ୍ତ ଓଷ୍ଠ ପୃଷ୍ଠ ଉପମିତ

ହେବାକୁ ତେବେ ବା ଆସିବ ।୧୪।

 

ରୀତି ନୀତି ଶୋଭା ଶେଷ ଗଣେଶରେ

ଶେଷ ନ ନୋହିବ କହିଲେ।

ରସବତୀ ପ୍ରୀତି ପାଇଁ ଅନୁରୂପ ସେହି

କବେଳ ରବିତଳେ। ରସିକା ।

ରାହୁକୁ ସୁଧା-ଭୋଗ ପରି।

ରସନା ଆଜ ସାର୍ଥ ହେଲା

ମୋହର ତା ଶୋଭା-ରୀତି କହି କରି।୧୫।

 

ରାମାସଖୀ ଶ୍ରେଣୀ ଦୂତୀ ବାଣୀ ଶୁଣି

ଆନନ୍ଦ ମନେ ପଚାରିଲେ।

ରୁଭବ ସେ, କି ମନୁଷ୍ୟ, କେଉଁ ଦେଶୀ,

ଜନମ କଉଁ ରାଜକୁଳେ। ରସିକା ।

ରସିକାକୁ ଯୋଗ୍ୟ ହେବନା ।

ରସଲତା-ଚିତ୍ତ-ଚାତକକୁ - ଘନ-

ଗର୍ଜନ ଶୁଣାଇଲ ସିନା ।୧୬।

 

ରାମ ଅନୁଜ ନନ୍ଦରାଜା ନନ୍ଦନ

ଜଗବନ୍ଦନ, ଦୃତି କହେ ।

ରଙ୍କ ରତନ ଆଚ୍ଛନ୍ନ ଯତନରେ

କରଇ ପାଇଲେ ଆଗ୍ରହେ । ରସିକା।

ରଖି ସେବି ଧୀରେ ବିଧିରେ । ।

ରୁଷ୍ଟ କରି ରାଧା ଦୂତୀକି ହୋଇଲେ,

ସବୁ ହୋଇପାରେ ବିଧିରେ ।୧୭।

 

ରସା ଉଲଟିବ, କମଳ ଫୁଟିବ

ଯଦ୍ୟପି ପର୍ବତ ଶିଖରେ ।

ରଞ୍ଚିବ ବିରଞ୍ଚି ଆକାଶେ ସୁମନ,

ମେରୁହିଁ ଚଳିବ ପ୍ରଖରେ । ରସିକା ।

ରବି ପଶ୍ଚିମେ ଉଦେ ହେଲେ।

ରାଧା ପତିବ୍ରତା-ବ୍ରତ ଅଚଳ କେ

ଟାଳିଲେ ଟଳେ ନିକି ତଳେ ।୧୮।

 

ରହନା ମୋ ଆଗେ, ଯା ଯା ବେଗେ

ବେଗେ, ପାପ ଘୋଟିବ ତୋ ବଚନେ ।

ରାମ ନୟନା ରାମ ରାମ ସୁମରି

ଅଙ୍ଗୁଳି ଦେଲେ ଦୁଇକାନେ । ରସିକା।

ରୋଷ ଶୁଣି ଦୂତୀ ଚଳିଲା।

ଋ ଋ ନୟନାର ଧଇର୍ଯ୍ୟ ଗାମ୍ଭୀର୍ଯ୍ୟ

ବ୍ୟାଜ ଗୁଣ ବୋଲି ଜାଣିଲା । ୧୯।

 

ରକ୍ ସାମ ଯଜୁ ଅଥର୍ବ ବେଦରେ

ମହିମା ଯାର ଅଗୋଚର ।

ରାସେଶ୍ୱରୀ ପ୍ରେମରସ ଇଚ୍ଛାକରି

ଅଧୀର ବର୍ଦ୍ଧନ ତାହାର । ରସିକା।

ରାଧିକା ରାଗସାର ମୂର୍ତ୍ତି।

ରହୁ ଅଭିମନ୍ୟୁ ସାମନ୍ତ ସିଂହାର

ମତି ସେ ରସେ ଦିବାରାତି । ୨୦ ।

 

ପଞ୍ଚବିଂଶ ଛାନ୍ଦ

କୃଷ୍ଣ ଛାମୁରେ ଦୂତୀ କଥନ ।

 

ରାଗ-କୌଶିକ-ପ୍ରାନ୍ତାନୁପ୍ରାସ ।

ରସିକେ ଦୂତୀ ବିଳମ୍ବରୁ ଗୋବିନ୍ଦ

ତନୁ ଅବଶ ହୋଇଲାନି ।

ଦୂର ଦୁର୍ଲ୍ଲଭ ଦୁନ୍ଦୁଭି ଦୁ ପୂର୍ବାଦି

ଭାଷାରେ ଆଶା ହୋଇଲାନି। ସେହି କାଳକୁ ।

ଦୂତୀ ସେଠାକୁ ଅଇଲାନି ।

ତା କଥନମୁଖ ଦେଖି ହରିହୃଦେ

ଆନନ୍ଦ ଚନ୍ଦ୍ର ଉଇଁଲାନି । ୧ ।

 

ଦୂତୀ ରସେ ହସେ,

ଭାଷେ, ହେ ନାଗର ।

ତୁମ୍ଭର ଶୁଭ ଦିଶିଲାନି ।

କିଶୋରୀର ବିନେ ଯତନେ ମଦନ

କଦନ ଦେଇ ତ୍ରାସିଲାନି । ନବନାଗରୀ ।

ଶ୍ରୀ ଅଙ୍ଗେ ଦଶା ଦିଶିଲାନି ।

ହାସ ରସ ବେଶ ଗ୍ରାସ ଆଶ

ବିଷ ସମାନ ରସିଲାନି । ୨ ।

 

ପ୍ରଚାର ଉପଚାର ଏତେ ବିଚାର,

ସଗୁଁ ସାରସ ସରିଲାନି ।

ଦଳତଳପ ନାଳମାଳ ଦେବାର

ପ୍ରିୟ କରି ଆଦରିଲାନି । ନବନାଗରୀ ।

ହା ହା ଶବ୍ଦ ଉଚ୍ଚାରିଲାନି ।

ଘନସାର ସାର-ସାରସଲପନା

ସାର ହିତ ବିଚାରିଲାନି ।୩।

 

ପ୍ରାତ ରଜନୀ ରଜନୀଶ ବଦନୀ

ରଜନିକରେ ଗଡ଼ିଲାନି ।

ଆବେଶେ ଏବେସେ ଅବଶେ ଅବେଶେ

ଭୂରେ ପଣତ ପାଡ଼ିଲାନି । ନବନାଗରୀ ।

ଶୋକ ସାଗରେ ବୁଡ଼ିଲାନି ।

ଜାତ ବେଦ-ଜାତ-ଯାତନା ଅତନୁ

ସୁତନୁ-ତନୁ ପୋଡ଼ିଲାନି ।୪।

 

ରଦେ ରଦବାସ ବାସବମୋହୀତ

ମୋ ହିତ ପାଇଁ ଭିଡ଼ିଲାନି ।

ଅନ୍ତର ଭିତର ଭୀତି ଅତିତର,

ଆତୁର ପଙ୍କେ ସଡ଼ିଲାନି । ନବନାଗରୀ ।

ବରନାଗର ଲୋଡ଼ିଲାନି ।

ଲାଜ ଧଇର୍ଯ୍ୟ କୁଳଶୀଳ ବିବେକ

ଚଡ଼ାଇ ବେକ ମୋଡ଼ିଲାନି । ୫ ।

 

ଅନେକ-ଦହକ-କନକଗଉରୀ-

ତନୁ-ଧୂଷର ଦିଶିଲାନି ।

ରସାଳସା ରସା ଦରପଣ କରି

ଦରପଣରୁ ରସିଲାନି । ନବନାଗରୀ ।

ଶିବ ଶିବ ତ ଘୋଷିଲାନି ।

ଗିରିଦରୀ ସରି ପୁରୀକି ବିଚାରି

କରଜେ ମହୀ ଚଷିଲାନି ।୬।

 

ରାମ ଆରାମ ରାମନେତ୍ରୀ ସକାଶୁଁ

ମାଳୀ ଭାଳି, ତ କାଟିଲାନି ।

ସଜ-ନିକର ସଜନୀଙ୍କର କର ଆଦର

ତାର ତୁଟିଲାନି । ନବନାଗରୀ ।

ରୀତି ଗୋପେ ଚହଟିଲାନି ।

ମନ୍ଦ ନଣନ୍ଦ ଦ୍ଵନ୍ଦ୍ୱକରି ପଚାରୁଁ

ବ୍ୟାଧି ବିଧିରେ ବଟିଲାନି ।୭ ।

 

ତା ମନା କାମନା ଶ୍ୟାମା ବେଦନାରୁ

ସାମବେଦନା ଲୁଚିଲାନି ।

କଞ୍ଜ-ଖଞ୍ଜନ ଗଞ୍ଜନ ନୟନରୁ

ନୀର ନିରତେ ମୁଞ୍ଚିଲାନି । ନବନାଗରୀ ।

ଗଣ୍ଡ ପାଣିରେ ସଞ୍ଚିଲାନି ।

ଚମ୍ପାଗାତ୍ରୀ ସବୁ ରାତ୍ରି ଶିବରାତ୍ରି

କରି କାଳକୁ ବଞ୍ଚଲାନି ।୮।

 

କଳକଣ୍ଠ କଣ୍ଠୀ ପଣତରେ ଗଣ୍ଡି

କି ମମତାରେ ପାଡ଼ିଲାନି ।

ଦୁର୍ଜନ ଜନ କୁବଚନ ରଚନ

ଶରକୁ ଶିର ଆଡ଼ିଲାନି । ନବନାଗରୀ ।

ମନ-ତାପରେ ପଡ଼ିଲାନି ।

ନିତିପ୍ରତି ପ୍ରୀତିବତୀ ମୂର୍ତ୍ତିଲତା

ବିଭାତି ପତ୍ର ଝଡ଼ିଲାନି ।୯।

 

ସଞ୍ଚ ଘଞ୍ଚ ଉଚ୍ଚ କୁଚ ପରେ ଧୀରେ

ମୁଖ ଚନ୍ଦ୍ରକୁ ଥୋଇଲାନି ।

ବନଜ ନିୟନୁଁ ବନ ଘନ ଘନ ମୁଞ୍ଚି

ପତ୍ରାଳି ଧୋଇଲାନି । ନବନାଗରୀ ।

ସଖୀ ପଣତ ଧଇଲାନି ।

“ଯିବ ଜୀବ ଜୀବଧବନ କରକୁ,

ମୋ ଆଶା ଛାଡ଼” ବୋଇଲାନି । ୧୦ ।

 

କାଳୀକି ବଳି ଦେବାରୁ ଛେଳି ଆଳି

ମେଷହିଁ ଶେଷ ହୋଇଲାନି ।

ମାଳୀ ଆଳି କରେ ଚମ୍ପାମାଳି

ଦେଇ ଶୂଳୀ ସେବା କରାଇଲାନି । ନବନାଗରୀ ।

ସବୁ ବିଧୁ କରାଇଲାନି ।

ଆଶା ଭରସା ରସା ଶୋଭୀ ନ ଲଭି

କର କପାଳେ ମାଇଲାନି ।୧୧।

 

ଅନୁମାନୁ ଘେନୁ ଅଛି, ଅତନୁ

କୁସୁମ ଧନୁ ଆଞ୍ଚିଲାନି ।

ଧରମ-କରମ-ଭରମ-ମରମ-

ପୋଡ଼ା ଶରହିଁ ଯୋଚିଲାନି । ନବନାଗରୀ ।

ଏଣୁ ତନୁ ରୋମାଞ୍ଚିଲାନି ।

ପ୍ରକଟ ଲମ୍ପଟ ହୃଦୟ ତଟରେ

ପଟ ପକାଇ ବଞ୍ଚିଲାନି ।୧୨।

ଅବଳା ଦୁର୍ବଳା କଳାହୀନ

କଳାନିଧି ବିଧିର ବଳିଲାନି ।

ବୀଣା ଗୁଣାଜିଣା ବଚନା-ଝୁଣ୍ଟିଆ

ବଳା ହେବାକୁ ଭାଳିଲାନି। ନବନାଗରୀ ।

ଗରିମା ପଣ ଟଳିଲାନି ।

କେ କେତେକ ଗୁରୁ, ଗୁରୁ ଭରୁ

ଭୀରୁ ପ୍ରେମ ଧର୍ମକୁ ତୁଳିଲାନି ।୧୩।

 

କଳାବତୀ କଳା କଳାକରେ କଳା

ବିଚିତ୍ର ଚିତ୍ର ଲିହିଲାନି ।

ତମ ତମାଳ ଖ-ତମାଳ ମାଳକୁ

ଲାଳସେ ଚାହିଁ ରହିଲାନି । ନବନାଗରୀ ।

ନୀଳ ବାସହିଁ ରହିଲାନି ।

ଅମଳ କଳା କମଳ ଚାହିଁ ନେତ୍ରେ

ନୀର ଥକାଇ ରହିଲାନି ।୧୪।

 

ଋତୁ ଉଦ୍ଦୀପନମାନ ମାନସରୁ

ସବୁତାର ଛଡ଼ାଇଲାନି ।

ଦଣ୍ଡଦଣ୍ଡକେ ଉଦ୍ଦଣ୍ଡ ଫୁଲକାଣ୍ଡ

ଦଣ୍ଡ ସୁଖ ଏଡ଼ାଇଲାନି । ନବନାଗରୀ ।

ରସେ ମନ ବୁଡ଼ାଇଲାନି ।

କି ବିଚାରି ଚାରିଅଙ୍କ-ମଧ୍ୟା ତବନାମେ

ଶାରୀ ପଢ଼ାଇଲାନି ।୧୫।

 

ମୁକୁରକୁ ଚାହିଁ ବିକାର ବଦନେ

ପୂରି ଚୁମ୍ୱ ଉପୁଜିଲାନି ।

ଗୁଣି ତିଳକ ତିଳକ ତିଳକରେ

ଆଦର ଏଣୁ ତେଜିଲାନି । ନବନାଗରୀ ।

ମନ ପ୍ରେମରେ ମଜ୍ଜିଲାନି ।

ତୁନି ତୁନିକରି କି ମନ୍ତର
ତରଳାକ୍ଷୀ ଏଥର ଭଜିଲାନି ।୧୬।

 

ଗଣେଶ ଚତୁର୍ଥୀ ତିଥି ଚନ୍ଦ୍ରାଦର

ସର୍ବଦା ଏବେ ସେ କଲାନି ।

ରାତି ଅରାତି ମଣିଲାନି।

ଚଡ଼କ ପିକଡ଼ାକମଣି କାକକୁ

କୁନ୍ଦଦନ୍ତୀ ଗାଳି ଦେଲାନି । ନବନାଗରୀ ।

ଦିନକୁ ଦିନ ଦୀନ ଦୀନ କଲାରୁ

ଅବକାଶ ନ ରହିଲାନି ।୧୭।

 

ଲାଜ ବ୍ୟାଜ ଧୈର୍ଯ୍ୟ ଗାମ୍ଭୀର୍ଯ୍ୟ

କେବଳ ପ୍ରବଳା ବଲୁଁ ବଳିଲାନି ।

ଏ ଘେନ ମଣୁଛି ଅନ୍ତର ଭିତର

ହୀରା ବାନ୍ଧିକି ଝାଳିଲାନି । ନବନାଗରୀ ।

ମୋ ବୋଲହିଁ ନ ପାଳିଲାନି।

ନଜାଣି ଧୃତି ଆତୁର ରଣେ ପୁଣି

କେ କାହାବଳ ଟାଳିଲାନି ।୧୮।

 

ଶୁଣି ଏଣୀକ୍ଷଣୀରୀତି “ ମରି ମରି”

ହରି ମୁଖୁଁ ଉଚ୍ଚାରିଲାନି ।

ବିଚାରି ପଚାରିଲେ ମୋହୋ

ପାଇଁକି ସତେ ଏତେ ଆଦରିଲାନି ।

ନବନାଗରୀ ।

ସତେ କାମକୁ ଡରିଲାନି ।

ଦୂତୀ କହେ ତାର ଆରମ୍ଭ ଅପାର

ଅଥୟେ ତନୁ ଥରିଲାନି ।୧୯।

 

ମହୀମୋହିନୀ ମୋହିତ ମୋହିତରେ

ସତେ ଦଇବ ବିହିଲାନି ।

ଭାଷି ଭାଷିଲେ ହରିହରିଣାକ୍ଷୀ

ପ୍ରାପ୍ତିଙ୍କ ଆଣ ରହିଲାନି । ନବନାଗରୀ ।

ଭାବ ହୃଦୟ ଦହିଲାନି ।

ତାଙ୍କ ଦୁଃଖେ ଦୁଃଖୀ ହୋଇ

ଅଭିମନ୍ୟୁ ନୟନୁ ଲୁଅ ବହିଲାନି ।୨୦ ।

 

ଷଷ୍ଠ ବିଂଶ ଛାନ୍ଦ

ସୂକ୍ଷ୍ମାଳଙ୍କାର । ଦୂତୀ କଥନ ।

ରାଗ-ଶଙ୍କରାଭରଣ।

 

ଏ ଉତ୍ତାରୁ ଶୁଣହେ ରସିକେ ଦେଇ ମନ ।

ଦୂତୀକି ପୁଚ୍ଛନ୍ତି ପୁଣି ଉଚ୍ଛନ୍ନ ମୋହନ।

କହ କହ ବେଗକରି ।

ଭେଟିଲା ବେଳେ କି କରୁଥିଲା ସେ କିଶୋରୀ । ୧।

 

ତୁ କି କହିଲୁ କହିଲେ କି କି ସଖୀମାନେ ।

ତା ଶୁଣି କି କି ବିକାର ହେଲା କଉଁ ସ୍ଥାନେ।

ସେ ତ ଅଲେଳା ଛଇଳା ।

କଉଁ କଥାରୁ କି ଭଙ୍ଗୀ କାହିଁକି ଆଣିଲା । ୨ ।

 

ଦୂତୀକା ହସିଭାସିଲା, ଶୁଣ ହେ ନାଗର ।

ଗତୁଁ ଗତାଗତରୀତି ଥିଲା ତ ମୋହର

ତେଣୁ ଗଲି ନିଶଙ୍କରେ।

ପ୍ରବେଶ ହୋଇଲି ଅଭିମନ୍ୟୁ ସେନ-ପୁରେ ।୩।

 

ଉପଚାର ପ୍ରଚାର ସଜନୀ କରୁଛନ୍ତି ।

ଶତଦଳ ଦଳେ ଗୁଣୀମଣି ଶୋଇଛନ୍ତି ।

ବ୍ୟସ୍ତ ଦିଶୁଛି ଏସନ ।

ନୀଳାମହୀରେ ଦ୍ୱିତୀୟା ଶଶୀ କି ପତନ । ୪ ।

 

କି କଷଟି କଷା ବାରବାନି ସୁନାଗାର। ।

ଫିଟି ଗଣ୍ଠି ରତନ ପତନ ପରକାର।

ଏତେ ବିପତ୍ତିରେ ଭାତି ।

ଶାଣ ଶୀର୍ଣ୍ଣ ମାରାଗ

ପରାୟେ ଦିଶେ ଜ୍ୟୋତି ।୫।

 

ପଡ଼ିଛି ପୃଷ୍ଠରେ ବେଣୀ ଅସ୍ତବ୍ୟସ୍ତ ହୋଇ ।

ସ୍ୱର୍ଣ୍ଣ-ମହୀରେ କି କେତୁ ଅଛି ଶୋଇ ?

ମଣି ହଜାଇ ଭୁଜଙ୍ଗ ।

ରଙ୍ଗ ତେଜି ସ୍ଥକିତ କରିଛି ନିଜ ଅଙ୍ଗ ।୬।

 

ସଜନୀଙ୍କି ପଚାରିଲି; ଧନୀ ଏଡ଼େ ଶୀର୍ଣ୍ଣା ।

ସୁନ୍ଦରୀ ପୁରନ୍ଦରୀର ହେଲା କି ବେଦନା

ବିରହିଣୀ ଉପଚାର।

ଦେଖିମାଗୁଁ ମାରଦର ହେଉଛି ବିଚାର ।୭ ।

 

ସଖୀ ଗୁଣ ଦେଖାଗଲା ନାହିଁ କିଛି ।

ପାଖେ ଥାଉଁ ଥାଉଁ

ରାଧା ଏ ଦୁଃଖ ପାଉଛି । ସବୁ କହିବା ବିଧିକି ।

ଆଜନମ ସୁକୁମାରୀ ଏ ଦଣ୍ଡ ଯୋଗ୍ୟ କି ? ।୮।

 

ରମାବର ଚନ୍ଦ୍ରମାର ଅଶ୍ୱିନୀ କୁମାର ।

ପୁରନ୍ଦର କୁମାର ତ ମୋହିବା ଇତର ।

ଆଉ କାହିଁ ଦେଲା ମତି ।

ପ୍ରୀତି କି ଅନୁରୂପ କେ ଅଛି ଏ ଧରିତ୍ରୀ।୯।

 

ମିତେ ବୋଇଲେ, ବାମନ ଚନ୍ଦ୍ରଧରା ଆଶ ।

କରିବାରୁ କିଶୋରୀ ପାଉଛି ଏତେ କ୍ଳେଶ ।

କି କହିବା ସେ ଚରିତ ।

କଉଁ କଥା ନୁହଇ ଗୋ ଦଇବ ଆୟତ୍ତ । ୧୦ ।

 

ମୁଁ ବୋଇଲି ବନେ ଯେବେ ଫୁଟଇ ସୁମନ ।

ମଧୁପକୁ ଲୁଚଇ କି ଏ କଥା ନ ଘେନ ।

ପର ପରା କଲ ମୋତେ ।

ଜାଣି ନଥିଲି ଅନ୍ତର ଏତେ ଅଛି ଚିତ୍ତେ । ୧୧ ।

 

ନବୀନାମଣି ପାଉଛି ଏ ଜାତି ବେଦନା ।

ଧିକ ଧିକ ମୋହୋର ଜୀବନ ଯାଉକିନା।

ଜଣା ହୋଇଲେ କାମନା।

ମଣାଇଁ ସୃଷ୍ଟି ଯୁବାଙ୍କୁ ପାରଇ ମୁଁ ସିନା ।୧୨ ।

 

ଏପଟ ଦେଖି କରୁଛି ମନେ ଅନୁମାନ ।

ନନ୍ଦ ନନ୍ଦନଙ୍କୁ ରାଧା ବଳାଇଛି ମନ ।

କେହି ହେଲା ଏ ଗୋଚର ।

ଅଳ୍ପ ଭାଗ୍ୟ ନୁହଇ ତ ତାଙ୍କୁ ଲଭିବାର ।୧୩।

 

ଅତନୁ ଯାହାଙ୍କୁ ଦେଖ୍ ହୋଇବ ମୋହନ।

କଉଁ ସୁକୃତୀ ପାରିବ ହରି ତାଙ୍କ ମନ ।

ଗୁଣନିଧ ନୀତିବନ୍ତ ।

ଗଭୀର ସାଗର ଧୀର ମନ୍ଦର ସଞ୍ଜାତ ।୧୪।

 

ମହତ୍ଵ-ମର୍ଯ୍ୟାଦା-ଧର୍ମଶୀଳ ବିଚକ୍ଷଣ ।

ଘେନିଛି ତାହାଙ୍କ ହୃଦପବିରୁ କଠିଣ ।

ଏହା ଶୁଣି ଗୁଣୀମଣି ।

ମୁଖ ଦିଶିଗଲା ରବିଅସ୍ତ-ପଦ୍ମ ଜାଣି ।୧୫।

 

ବଡ଼ କରି ପକାଇଲା ଗୋଟାଏ ନିଶ୍ଵାସ ।

ଢଳ ଢଳ ଲୁୟେ ହେଲା ନୟନ ସାରସ ।

ଦେଖି ଏ ଜାତି ରୀତିକି ।

ଆଶଭାଷ ପ୍ରକାଶ ମୁଁ କଲଇଁ ଏତିକି ।୧୬।

 

ନାଗର ସାଗର-ଲୀଳା ଲହରୀ ଗୋବିନ୍ଦ ।

ପ୍ରୀତିରୀତି ବିଚକ୍ଷଣ ନାମ ରସାନନ୍ଦ ।

ଦୀନବନ୍ଧୁ ଭାବଗ୍ରାହୀ ।

ଅନୁଗତ ଜନବଶ କୃପାସିନ୍ଧୁ ସେହି । ୧୭ ।

 

ଏହା ଶୁଣି ଗଣ୍ଡପାଳି ରୋମାଳି ପୁଲକ ।

ମୁଖ ଶୋହେ ଉଷାକାଳ ପଙ୍କଜ ପ୍ରାୟେକ ।

କଣ୍ଟି ହୋଇଲା କପୋଳ।

ଭୂସନ୍ଧିକି ଲୁଚି ଯାଏ ବେନି ଡୋଳ।୧୮।

 

ଏ ରୀତି ଦେଖୁ ମୁଁ ପଚାରିଲି ବିମ୍ୱୋଷ୍ଠୀକି ।

ମନାଇବ ତାଙ୍କୁ ସୀଉକାର ହେବଟିକି ।

ଶୁଣି ମୁଖ କରି ନତ ।

ବୋଲେ ଚୁମ୍ବ ସ୍ୱରେ ସବୁ ଭାଗ୍ୟକୁ ପ୍ରାପତ । ୧୯ ।

 

ତୁ କହିଲୁ ମାତ୍ର କେ କହନ୍ତା ଆଉ ପୁଣି।

ମନକଥା କାହାର କେ ପାରଇ କି ଜାଣି ।

ଯା ଯା ଜାଣିଲି ଜାଣିଲି ।

କାହାକୁ କି କହୁଛୁ ତୁ, କେ ଏଥିକି ଭଳି । ୨୦ |

 

ପ୍ରେମଶୀଳା ଲଜ୍ଜାବତୀ ଗାମ୍ଭୀର୍ଯ୍ୟ ନିପୁଣା ।

ଉକ୍ତି ଚାତୁର୍ଯ୍ୟରୁ ଧଇର୍ଯ୍ୟ ତା ଗଲା ଜଣା ।

ସବୁ କହିଲି ଛାମୁରେ ।

ବିଚାର ମନ ମମତା କେମନ୍ତ ଏଥିରେ। ୨୧ ।

 

ଚୁମ୍ବ ସ୍ୱରେ ହା ହା କହି ନେତ୍ର ମୁଦି ହରି ।

ଶ୍ଵାସ ତେଜି ଭାଷିଲେ ହା ବନ୍ଧୁ ମରି ମରି ।

ନେତ୍ର ନୀରେ ଜର ଜର ।

ଛନ୍ନେ ପଚାରିଲେ ପୁଣି କହ ତା ସୁନ୍ଦର । ୨୨ ।

 

ଶୋଭା ଗୁଣ ଯଶ ଶୁଣି ହୋଇବି କୃତାର୍ଥ ।

ମୋ ପାପ ତାପ ନାଶନେ ସେ ମଦନ ତୀର୍ଥ ।

ଅର୍ଥ ପୁରୁଷାର୍ଥ ସେହି ।

ତା କଥା ବାହାରେ ମୋତେ ଆନ ଦିଶୁନାହିଁ । ୨୩ ।

 

ସେ ରାଧା ଗୋବିନ୍ଦ ଭାବ ମନେ କରି ଧ୍ୟାନ।

ଦୀନ ଅଭିମନ୍ୟୁ ସାରିବକି ସବୁଦିନ।

ଦିବ୍ୟ ସୂଷ୍ମ ଅଳଙ୍କାର ।

ଏ ଛାନ୍ଦରେ କିଛି ଅଛି ସୁଜନେ ବିଚାର ।୨୪।

 

ଅନିୟମ ନିୟମ ଏ ଛାନ୍ଦ ବିରଚନା ।

ଆର ଛାନ୍ଦ ଶୁଣିମ ହେ ସୁଷମା ବର୍ଣ୍ଣନା ।

ତୋଷ ହୋଇବେ ରସିକେ।

ଗ୍ରାହକ ବିନା କି ଗମ୍ୟ ରସ ଅବିବେକେ । ୨୫ ।

 

ସପ୍ତବିଂଶ ଛାନ୍ଦ

କୃଷ୍ଣଙ୍କ ଛାମୁରେ କିଶୋରୀଶୋଭା-ଦୂତୀ କଥନ ।

ବ ପୂର୍ବାନୁପ୍ରାସ । ବାଣୀ-ରସ କୋଇଲା ।

 

ବରଜବନ୍ଧୁ ହେ ପଚାର ଯାହା।

ବିଶ୍ଵ ମଧ୍ୟରେ କେ କହିବ ତାହା।

ବର୍ଣ୍ଣିବା ପାଇଁ କି ଯା ଶୋଭା ଗୁଣ।

ବିଶ୍ୱସୃକ ଚାରିମୁଖ ଘଟଣା ସେ।

ବାମଦେବ ପଞ୍ଚାନନ ଯେ ।

ବାହୁଳେୟ ଋତୁ ଆନନେ

ଗାୟନ କରୁଛନ୍ତି ପ୍ରତିଦିନ ଯେ । ୧।

 

ବିଶେଷ ବଦନ ଶେଷ ହୋଇଲେ।

ବିଶ୍ୱମୋହୀଗୁଣ ବର୍ଣ୍ଣିବାଛଳେ।

ବଦନେ କରୁଁ ହେଲା ଲାଳାୟିତ ।

ବର୍ଦ୍ଧନେ ଲୋଭେ ଦ୍ୱିଜିହ୍ୱ ହେଲେ ତ ସେ ।

ବଶ ଶୋଭାଗୁଣେ ହୋଇ ଯେ ।

ବିଚାରି ଚକ୍ଷୁଶ୍ରବ ହୋଇଗଲେ

ସେ ସୁଖ ଆସ୍ୱାଦନ ପାଇଁ ଯେ ।୨ ।

 

ବିନାୟକ ବକ୍ରତୁଣ୍ଡ ହୋଇଲେ ।

ବିଭାତି ଲବ ବର୍ଣ୍ଣି ନ ପାରିଲେ ।

ବିଚାରି କବି ଏକ ଦୃଷ୍ଟି ହେଲେ ।

ବାଚସ୍ପତି ଗଣା ଗଣକେ ଗଲେ ସେ ।

ବିଶ୍ରମ୍ଭେ ସାରଦା ମନେ ଯେ ।

ବାଣୀ ସ୍ଵରୂପ ହେଲେ ନିନ୍ଦା ବଚନ

ପାଇ ଅଖିଳ ବଦନେ ଯେ ୩ ।

 

ବହୁତ ରୂପ ଧଇଲେ ଗଉରୀ ।

ବଳି ନ ପାରି ସୁଷମାରେ ହାରି ।

ବିଧୁ ଶେଖର-ଶରୀରେ ଲୁଚିଲେ ।

ବହି ଧବଳ ଅଙ୍ଗୀ ଭାବିଗଲେ ସେ ।

କ୍ରୀଡ଼ା ପାଇ ଅଷ୍ଟନିଧି ଯେ ।

ବନଜ ଦର ଆଦିରୂପ ଧରିତ

ରହିଲେ ପଦ ଆରାଧି ଯେ ।୪।

ବିଷ୍ଣୁ ପାଟରାଣୀ ସପତ୍ନୀ ଡରେ।

ବାସକଲେ ଗୁଣୀମଣି ଅଙ୍ଗରେ ।

ବଡ଼ କେ ଆଉ ବ୍ରହ୍ମାଣ୍ଡ ମଣ୍ଡଳେ ।

ବିଲକ୍ଷ ହେବ ସେ ଶୋଭାକୁ ତିଳେ ସେ ।

ବାସବ ଦେଖି ଭାଳିଲେ ଯେ।

ବିଜ୍ଞାଜନଙ୍କର କ୍ରୋଧହିଁ ସେ ବର,

ଗଉତମ ଭଲ କଲେ ଯେ ।୫।

 

ବିଲକ୍ଷ ହେବାକୁ ନାହିଁତ ସ୍ଥାନ।

ବୋଲିବା କି ପ୍ରତିବିମ୍ବ ସମାନ ।

ବିଚେଷ୍ଟା ପରତନ୍ତ୍ରେ ତ ବୋଲିବା !

ବାତୁଳ ହେଲେବା ତୁଳ କରିବା ସେ ।

ବର୍ଣ୍ଣି ବସିଲେ ତା ଗୁଣ ଯେ ।

ବାଇ ବଦନେ ବ୍ୟାକରଣ ପଢ଼ିଲେ

ହୁଅଇ କି ସୁଲକ୍ଷଣ ଯେ ।୬।

 

ବିଶ୍ଵ କାନ୍ତି ସାର ପୀୟୂଷେ ବୋଳି ।

ବିଧି ବନାଇଛି ଶୋଭା ପିତୁଳୀ ।

ବରଦୀପ୍ତି ଟାଙ୍ଗଣାରେ ଝାଳିଲା ।

ବିଚିତ୍ର ହେମ ରସାଣେ ଶାଣିଲା ସେ ।

ବିଗ୍ରହ ଲାବଣ୍ୟ ନୀରେ ଯେ ।

ବୁଡ଼ାଇ ଥୋଇ ଜୀବନ୍ୟାସ କରିଛି

ପରା ମୋହନ ମନ୍ତ୍ରରେ |୭|

 

ବତିଶ ଲକ୍ଷଣ ଗୁଣନିପୁଣା ।

ବିଶ୍ଵକେତୁ କେଳି କଳା-ପ୍ରବୀଣା ।

ବିଧି ଅଷ୍ଟବିଂଶ ଅଳଙ୍କାରର ।

ବାସ ବିଚେଷ୍ଟା ବିଶେଷ ଭଙ୍ଗୀର ।

ବିଶେଷ କୃପନିଧାନୀ ଯେ ।

ବରାଙ୍ଗୀ ପ୍ରେମ ବଇଭବ ଭଣ୍ଡାର

ଶୋଭା ପ୍ରଭା-ବରଧନୀ ଯେ ।୮।

 

ବିବେକୀ ଶାନ୍ତା ସୁଶୀଳା ଅଲେଳା ।

ବିଶେଷ ମଦନ ଶାସ୍ତ୍ର କୁଶଳା ।

ବଡ଼ ତାର୍କିକୀ ସ୍ୱଜନ ବତ୍ସଳା ।

ବାରିନିଧିରୁ ଗମ୍ଭୀର ଛଇଳା ସେ।

ବାଳା ସୁଧାସ୍ୱାଦୁ ଭାଷି ଯେ ।

ବରପରସନ୍ନାନନୀ ଆହ୍ଲାଦିନୀ

ମନ୍ଦଝଟକ-ସୁହାସୀ ଯେ ।୯।

 

ବସିଲେ କହି ତାହା ଗୁଣ ଲେଶ ।

ବୟସ ଶେଷର ହୋଇବ ଶେଷ।

ବିଗତ ହୋଇଗଲେ ତିନିକାଳ ।

ବର୍ଣ୍ଣିବା ଭଳି କେବା ପାଦତଳ ସେ ।

ବୋଲୁଛି ଯେତେକ ମୁହିଁ ଯେ ।

ବୋଲନ୍ତି ସୁଧାକୁ ସ୍ଵାଦୁ ଯଥା ଜନେ

ତଥା ଏ କଥାକୁ କହି ଯେ । ୧୦ ।

 

ବରାଙ୍ଗୀକୂଟ ମଉଳି ମୁକୁଟ ।

ବ୍ରହ୍ମାଣ୍ଡ ଭାଣ୍ଡର ସାର ପ୍ରକଟ।

ବୋଲିବାକୁ ମୁଖ ଲାଜ ପାଉଛି ।

ବର ଉପମାକୁ କରୁଛି ଛି ଛି ସେ ।

ବିରସ ବଦନ ଆଣି ଯେ ।

ବିଧୁ ବନଜ ଦର୍ପଣ ପଣ ପଣ

ହେଲେ ପାରିବେକି ଆଣି ଯେ । ୧୧ ।

 

ବାଳୀ ଚଳି ଗାଳି ଦେଲା ଭାଷାକୁ ।

ବୋଲିବା କି ସୁଧା ସ୍ଵାଦୁ ଲକ୍ଷକୁ ।

ବିକଳ କଳ ତୁଳ ବୀଣା ବାଣୀ ।

ବନ୍ଧୁତ୍ୱ କଲେ କି ପିକରେ ଗଣି ସେ ।

ବିରହ କାଳରେ ଅବା ଯେ ।

ବର ବରନା ବରନକୁ ଉପମା

କନକ ଚମ୍ପକ ଦେବା ଯେ ।୧୨।

 

 

ବିଭୂଷିତର ଭୂଷିତ ବିଚାର ।

ବିଶେଷ ଅଳଙ୍କାର ଅଳଙ୍କାର ।

ବିଚିତ୍ର ଲାବଣ୍ୟ ଜନମ ସ୍ଥଳ ।

ବାଞ୍ଛାନିଧି ଭାବ ଲତିକା ମୂଳ ସେ ।

ବିଶ୍ଵକର୍ମା-ଗୁରୁ ଧନୀ ଯେ ।

ବର-ଉପମାମାନ-ଦାନ କାରିଣୀ

ଭଙ୍ଗା ଗୁଣ କୃତାର୍ଥିନୀ ଯେ ।୧୩।

 

ବିଶ୍ୱ ପବିତ୍ର ପ୍ରେମରସ ପାତ୍ରୀ।

ବିଧାତା ବିଧାନ ନିତି କରତ୍ରୀ।

ବିଜ୍ଞାନୀଙ୍କ ଦମ୍ଭ ବାସ କତୁରୀ।

ବ୍ରହ୍ମାଣ୍ଡ-ବିଜୟୀ ଶର ନାଗରୀ ସେ।

ଦର ଯୁବା-ମୋହ ଫାନ୍ଦ ଯେ।

ବିଲୋକନ ଜନ ଆନନ୍ଦ ସାଗର

ବୁଦ୍ଧିକି ଶ୍ରୀମୁଖ ଚାନ୍ଦ ଯେ।୧୪।

 

ବାରଣ ଗତି-ମୂର୍ଦ୍ଧା-ପଦଦତ୍ତା।

ବନିତା ସଙ୍ଗୀତ ନୀତି ପଣ୍ଡିତା।

ବିଚକ୍ଷଣ ଯୁବା ମୋହ ପଦାର୍ଥ।

ବିଶ୍ୱକେତୁ-ତାପ ପାପକୁତୀର୍ଥ ସେ।

ବୋଲିବା କି ପୁରୁଷାର୍ଥ ଯେ।

ବଡ଼ କଠିନ ଶ୍ଳୋକ ମୂର୍ଖ ମୁଖରେ ଯେମନ୍ତ ହୁଅଇ ଅର୍ଥ ଯେ।୧୫।

 

ବିଶ୍ଵସୃକ କର ସାର୍ଥକ ପାଇଁକି ! ବିକଳ୍ପି ଶ୍ରୀରାଧା ଚିତ୍ର ମୂର୍ତ୍ତିକି।

ବିଶେଷ କାନ୍ତ ସାର ସୁଧାଗୋଳି। ବାରବାର ଛାଣି କରି ତ୍ରିଭଳି ସେ।

ବନାଏ ଆଗ ଅସାର ଯେ।

ବିଚାରି ହାତବଳା କଲା ଯାହା ସେ ହେଲେ ଅପସରୀ ବାର ଯେ।୧୬।

 

ବନାଇଲା ମଧ୍ୟ ଭଳିକି ପୁଣି । ବିଦ୍ୟ ଉମା ରତି ବର ତରୁଣୀ ।

ବଡ଼ସାର ଭଳି ଦ୍ଵିଭାବ କଲା । ବିଚିତ୍ରେ ରମା ରୂପ ବନାଇଲା ସେ ।

ବିଚାରଣା ବସି କଲା ଯେ ।

ବିଚିତ୍ର ତନୁ ତଳିପା-ତଳ ତୁଳ ଭଳିତ କେହି ନୋହିଲା ଯେ ।୧୭ ।

 

ବୃଥାଶ୍ରମ ହେଲା ବିଚାରି ରାଗେ ! ବେଗେ ଫିଙ୍ଗିଦେଲା ସକଳ ଦିଗେ ।

ବରୁଣାଳୟେ ରମା ଅପସରୀ । ବନେ ରତି, ହିମାଳୟେ ଗଉରୀ ସେ ।

ବନା ରହିତ ଭାଗକ ଯେ।

ବିଧୁ ହେଲା କୁଶ ଦ୍ୱୀପେ ପଡ଼ି, କହି ବସିବା କେତେ ତାଟେକ ଯେ ।୧୮।

 

ବ୍ରହ୍ମା ହାତ ଧୁଆ ଜଳ ପତନେ । ବିଶ୍ୱ ମଧ୍ୟେ ଖ୍ୟାତ କେତେ ବିଧାନେ ।

ବୃକ୍ଷ ପକ୍ଷୀ ଜୀବ ଫୁଲ ପଟଳ । ବିଚିତ୍ର ମଞ୍ଜୁଳ ଲାବଣ୍ୟ ସ୍ଥଳ ସେ । ।

ବରାଙ୍ଗୀ ଉପମା ଭଳି ଯେ ।

ବିଧ ରଚନା ଆନ ନୋହେ, ଏଣୁ କରି ମନେ କଳି ଯେ ।୧୯।

 

ବାଛି ଉପମାକୁ ବୋଇଲେ ଛି ଛି । ବଡ଼ ପୁରୁଷାର୍ଥ ତାକୁ ହୋଇଛି ।

ବହିଥିଲୁ ଦେହ ଯହିଁ ପାଇଁକି । ବିଶେଷ ଯୋଗ୍ୟତା ନୋହୁ ତହିଁକି ସେ ।

ବିଦୁଷେ ଧନ୍ୟ ବୋଇଲେ ଯେ ।

ବସୁଧା ବିଶୁଦ୍ଧା ଉପମା ଆଭାସେ ଛି ଛି ହେଲେହେଁ ତ କଲେ ଯେ |୨୦|

 

ବର ପତିବ୍ରତା-ଶିର ମୁକୁଟ । ବନଜ ପଦ ଲୁଳିତ ଦୁର୍ଘଟ |

ବିଷ୍ଣୁପଦୀ ତାରା ତାରା ଅହଲ୍ୟା । ବାଳୀ ଦ୍ରୌପଦୀ ମନ୍ଦୋଦରୀ ଲୀଳା ସେ।

ବଲ୍ଲଭ ବ୍ରତୀ ବୋଲନ୍ତି ଯେ ।

ବିଚାରି ଏହା ନୀତି ଆମ୍ଭ ନିନ୍ଦନ କରୁଥିବେ ସେତ ନିତି ଯେ |୨୧|

 

ବଚନ ଦୂତୀର ଶୁଣି ଏମନ୍ତ । ବନମାଳୀ ହୃଦେ ବାଜିଲା କୁନ୍ତ ।

ବୋଇଲେ ସୁଧାରେ ସ୍ନାନ କରାଇ । ବଜ୍ର ପ୍ରହାରିଲୁ ମୁଣ୍ଡ କି ପାଇଁ ଯେ ।

ବିଶେଷେ ଆଶା ତରୁକୁ ଗୋ ।

ବଚନ ରଚନେ ବଢ଼ାଇ ଚଢ଼ାଇ କାଟିଲୁ କଉଁ ଯଶକୁ ଯେ । ୨୨।

 

ବୋଇଲା ଦୂତୀ ହେ ନାଗର ମଣି। ବଲ୍ଲବୀ–କୁଚ ମହୀଧର ଜାଣି।

ବିଶ୍ୱକେତୁ ଫୁଲ ଶର ନ ଭେଦେ। ବନିତା ଦମ୍ଭ ଅଛି ଏଣୁ ହୃଦେ ସେ।

ବର ଉପାୟ ସଙ୍ଖଳ ହେ।

ବାଳାମଣି ହୃଦ ପଥରକୁ ପାଣି କଲେ ହୋଇବ କୁଶଳ ଯେ।୨୩।

 

ବ୍ୟଥା ଏ କଥାରେ କୃଷ୍ଣଙ୍କୁ ଦେଇ । ବିଦା ହୋଇ ଦୂତୀ ପୁରେ ଚଳଇ।

ବରଜ ବୀର ଆତୁର ସାଗରେ। ବୁଦ୍ଧି ଉଚ୍ଛନ୍ନ ଲହରୀ ପ୍ରଖରେ ସେ

ବିଶେଷ ଭ୍ରମ ଭଉଁରୀ ଯେ।

ବୁଡ଼ାଏ ଉଠାଏ ରାଘବ କୁମ୍ଭୀର ଭୀର ଦଶା ଭୟକାରୀ ଯେ।୨୪।

 

ବ୍ରହ୍ମାଣ୍ଡେଶ୍ୱର ଯାହା ଅଂଶୁ ଜାତ। ବିବଶ ରସରେ ହେଲେ ଏମନ୍ତ।

ବଢେ ଦଗ୍‌ଧ-ସୁନା-ପ୍ରୀତିବାନ। ବିଚିନ୍ତ୍ୟ ସ୍ୱଇଚ୍ଛା ପ୍ରୀତି ସନ୍ଧାନ ସେ।

ବିଚାରି ସାଧବେ ଘେନ ଯେ।

ବିଦର୍ଭହାସୀ ରାଧାକୃଷ୍ଣ ଭାବନେ ଯାଉ ଅଭିମନ୍ୟୁ ଦିନ ହେ।୨୫।

 

ଅଷ୍ଟାବିଂଶଛାନ୍ଦ

ଶ୍ରୀକୃଷ୍ଣଙ୍କଉକ୍ତି

ଆଦ୍ୟ ପ୍ରାନ୍ତାନୁପ୍ରାସ।ରାଗ-ଘଣ୍ଟାରବ।

 

ସରସେ ଛାନ୍ଦ କରିବି। ସନ୍ଥ ମାନସ ହରିବି।।

ସଞ୍ଚାରୀ ଗମନେ ଗୋବିନ୍ଦ ବିମନେ ବୋଲନ୍ତି, କେହି ତରିବି।୧।

 

ସୁମନସେ ମନାଇବି। ସୁମନସ ଚଢ଼ାଇବି।।

ସୁମନା ଆନନ ଆନନ୍ଦସଦନ ଦର୍ଶନ ଅବା ପାଇବି |୨|

 

ସନ୍ତୋଷ ହେବାକୁ ଦେବୀ। ସରଙ୍ଗ ମନ୍ଦାର ଦେବି।।

ସରାଗ ନବୀନା ନକଲେ ତାବିନା ଜୀବନ ନିକି ନ ଦେବି।୩।

 

ସକଳ ଶାସ୍ତ୍ରେ ଖୋଜିବି। ସବୁ ଉପାୟ ସର୍ଜିବି।।

ସ୍ଵବଶ ତାହାକୁ ନକଲେ ଦେହକୁ ପ୍ରୟାଗରେ ବିସର୍ଜିବି।୪।

 

ସତେହେଁ ଯେବେ ପାଇବି। ସଂସାର ସାର ହୋଇବି।

ସମସ୍ତ ଲୋକରେ ମୁହଁ ରସିକରେ ନୃପଛତି ଟେକାଇବି।୫।

 

ଶୁଭାଙ୍ଗୀ ଭଙ୍ଗୀ ଦେଖିବି। ସୁଭାଗ୍ୟ ନେତ୍ର ଲକ୍ଷିବି।

ସୁନାସୀର ପଦ ସୁନାସୀର ପଦତଳେ କାହିଁକି ଲେଖିବି।୬।

 

ସାର ବଚନ ଶୁଣିବି। ସାରଙ୍ଗେ କିମ୍ପା ଗଣିବି।

ଶାରଦାବୀଣାକୁ ମନ ଫୁରୁଣାକୁ ପାଣିକି କିମ୍ପା ଆଣିବି।୭।

 

ସୁନ୍ଦରୀ ମୁଖ ଚାହିଁବି। ସୁଧାଂଶୁକୁ ନଚାହିଁବି।

ଶୁଝିଲି ତୋ ଦାଉ, ମୋତେ ନକମ୍ପାଉ ଏବେ, ସେକାଳ କହିବି।୮।

 

ସୁନାଙ୍ଗୀ ସଙ୍ଗ ପାଇବି। ସୁନାଗର ବୋଲାଇବି।

ସୁମନଶର ଶରାସନ ନ ଧର ଏଥର, କି ଛଳାଇବି।୯।

 

ସମ୍ଭୋଗ ରଙ୍ଗେ ସର୍ଜିବି। ସନାଦବଳା ଖଞ୍ଜିବି।

ଷଟପଦନାଦ ବାଦ ନ ସମ୍ପାଦ କି ବୋଲି ସତେ ତର୍ଜିବି।୧୦।

 

ସୁମତି ଅଙ୍ଗେ ଜଡ଼ିବି। ସୁଧା ସମୁଦ୍ରେ ବୁଡ଼ିବି।।

ସୁବାସ କର୍ପୂର ଚନ୍ଦନ ଆଦର କାହିଁ ପାଇଁ ନଛାଡ଼ିବି।୧୧।

 

ଶ୍ରୀପଦେ ଲାକ୍ଷା ସର୍ଜିବି। ଶ୍ରୀପଦ ସବୁ ଅର୍ଜିବି।

ଶ୍ରୀମୁଖ ଅନାଇଁ ମୁହୂର୍ତ୍ତେ କିପାଇଁ ଗରୁଡ଼ ରୀତି ବର୍ଜବି।୧୨।

 

ସେବା ସ୍ନେହ ବଢ଼ାଇବି। ଶେଯଶୁଆ ଛଡ଼ାଇବି।

ସେ କୋମଳାଙ୍ଗୀ କି ଆନନ୍ଦଦାୟୀ କି ଛାତିରେ ପହୁଡ଼ାଇବି।୧୩।

 

ସାଭିଳାଷ ନ ଏଡ଼ିବି। ଶାଢ଼ି ପରାୟେ ଜଡ଼ିବି।

ସାହିତ୍ୟ ପଠିନୀ ଗହଣ ଖଟଣି ଛାଇପ୍ରାୟ ନ ଛାଡ଼ିବି।୧୪।

 

ସୁଲକ୍ଷଣାକୁ ଚାହିଁବି। ଶୁଭ ଆଉ କି କହିବି।

ସୁର ଆଚରଣ ପଣକୁ ସେକ୍ଷଣ ଇକ୍ଷଣ ଦାନ ବିହିବି।୧୫।

 

ସରାଗେ କୋଳ ରଞ୍ଚିବି। ସବୁ ସମ୍ପତ୍ତି ସଞ୍ଚିବି।

ସରିତ ସାଗର ଅଭେଦ ହେବାର କଉଁ ଅଧୁକ ପାଞ୍ଚବି।୧୬।

 

ଶରୀର ସାର୍ଥ କରିବି। ସର୍ପବନ୍ଧ ଆଚରିବି।

ସକମ୍ପ ଶ୍ରୀମୁଖେ ଛାଡ଼ ଛାଡ଼ ଦୁଖେ ବୋଇଲେ କିସ କରିବି।୧୭।

 

ସତ୍ୟ ଆଗ କରାଇବି। ସର୍ଜି ଖେଳେ ହରାଇବି।

ସନାଦ କିଙ୍କିଣୀ କଟିତଟେ ପୁଣି ଜୀବଥିବ ଭରାଇବି।୧୮।

 

ସୁମତିକି ଛଳାଇବି। ଶୁଝିବାକୁ ବଳାଇବି।

ସୁଝୀନ-ବସନା ବୋଲିବେ ସତେନା ଋଣୀ ହେବୁ ଚଳାଇବି।୧୯।

 

ସୁମତି-କର ଧରିବି। ଶୁଣା କିଙ୍କିଣୀ, ତରିବି।

ଶୁଣି ମୋହେ ଭାଷା ବଳା ଖଞ୍ଜୁଁ ଯୋଷା ଚରଣ ଧରି ବାରିବି।୨୦।

 

ସୁବେଶୀ ନାଟ ଦେଖିବି। ସୁମେରୁ ପଦ୍ମେ ରଖିବି।

ସୁମତି ମୋ ବାଣୀ ଶୁଣି ନାସାମଣି ନଚାଇବ ପରଖିବି।୨୧।

 

ସପତ ମୋର ଭାଷିବି। ସପ୍ତଦ୍ୱିବୟା ତୋଷିବି।।

ସପ୍ତକିନୀନାଦ ଶୁଣି ମୁଁ ଆନନ୍ଦ-ରସ-ସାଗରେ ଭାସିବି।୨୨।

 

ସେ ଅନ୍ତେ ବାସ ହରିବି। ସ୍ନେହରସ ବିଚାରିବି।

ସେ ବ୍ୟାଜ ରୋଦନେ ଧୂନନେ ଆନ ଦେଲେ କି କରିବି।୨୩।

 

ସାରଣା ଆଗ କରିବି। ଶାଢ଼ି ଦେବା ଆଚରିବି।

ଶାତକୁମ୍ଭ ଗୋରି ବୋଲି ସତ୍ୟକରି ‘‘କାମନାକୁ ନ ବାରିବି’’ |୨୪|

 

ସବିନୟ ମୁଁ ହୋଇବି। ସତ୍ୟ ଏତେ କରାଇବି।

ଶଶୀ କିରଣରେ ଚୂର୍ଣ୍ଣ ପ୍ରାଙ୍ଗଣରେ ବିପରୀତ ମଙ୍ଗାଇବି।୨୫।

 

ସୁମନେ ବେଶ ସାଜିବି। ସୁ-ମକରୀ ସରଜିବି।

ସୁପତ୍ରାବଳୀ କି ଲେଖନେ ବାଳୀକି ମନାଇଁ ନଖ ମାଜିବି।୨୬।

 

ସୁଗ୍ରୀଷ୍ମ ଦେଖି ଡରିବି। ସୁମନା ମନ ହରିବି।।

ସୁମନ-ବନରେ ଜଳଯନ୍ତ୍ର-ପୁରେ ବସି ଦିନକୁ ସାରିବି।୨୭।

 

ଶ୍ରୀଖଣ୍ଡ ସ୍ତନେ ଲେପିବି। ଶ୍ରୀଉର ଉରେ ସ୍ଥାପିବି।

ଶ୍ରୀଅଙ୍ଗ ଶୀତଳ ପାଇଁ ଗ୍ରୀଷ୍ମକାଳ-ତାପେ ଆଉ ନ ତାପିବି।୨୮।

 

ଶ୍ୟାମା ମତି ବଢ଼ାଇବି। ସାମୁଦ୍ରିକ ପଢ଼ାଇବି।

ସାର ଏ ବରଷା ବୋଲି ରସାଳସା ବାହୁ କଣ୍ଠେ ବେଢ଼ାଇବି।୨୯ |

 

ଶରଦ ଯହୁଁ ଦେଖିବି। ସରୋଜାକ୍ଷୀକି ଲେଖିବି !

ସରୁଛି ମୁଁ ଭୂରେ ତୁପରା ପ୍ରଭୁରେ ମୋ ଜୀବ କେହି ରଖିବି।୩୦।

 

ସ୍ନେହେ ତାକୁ ଦ୍ରବାଇବି। ସେହିକ୍ଷଣି ଅଣାଇବି।

ସେ ସଙ୍ଗୀତ ରଙ୍ଗ କରିବ ଅନଙ୍ଗ ମୁଖେ କାଳି ଲଗାଇବି।୩୧।

 

ଶୀତଳ ଋତୁ ପାଇବି। ଶିବାରିକି କମ୍ପାଇବି।

ସ୍ମିତହାସେ ଠାରିଦେବି ଏ ଶର୍ବରୀ ବନ୍ଧୁହିତ ଜଣାଇବି।୩୨।

 

ସିହାଣୀ ପାଦେ ଖଟିବି। ଶୀତ କଲାତ ବଟିବି।

ଶୀଘ୍ରରେ ପଣନ୍ତ ଘୋଡ଼ାଇଲେ ମୁଁ ତ ଶିଶିର ଭୟ କାଟିବି।୩୩।

 

ସାର ଋତୁକୁ ଚାହିଁବି। ସାରଙ୍ଗୀ କରେ ବାଇବି।

ସାର ପିକମାନ କରି ଗୀତଗାନ ମୋ’ରାଣ ଦେଇ କହିବି।୩୪।

 

ସୁମତି କର ଧରିବି। ସୁମନା ତୋଳା ବାରିବି।

ସୁମନା ଏରୀତି କଲେ ଦାସ ଗତି କିସ ଆଉ ପଚାରିବି।୩୫।

 

ସେ ବନେଁ ଭ୍ରମୁଁ ଚାହିଁବି। ସେବକ ପଣ ବିହିବି।

ଶେଷାଞ୍ଚଳ ଧରି ଶ୍ରମସ୍ୱେଦ ବାରିବାର ଭାଗ୍ୟକି କହିବି।୩୬।

 

ଶେଯ ହିଁ ସଜଡ଼ାଇବି। ସେବତୀକି ପଡ଼ାଇବି।

ସେ ତ ସୁକୁମାରୀ ବାଧିବାକୁ ଡରି ବୃନ୍ତ ଯତ୍ନେ ଛିଣ୍ଡାଇବି।୩୭।

 

ସୁମନେ ପଙ୍ଖା ରଞ୍ଚିବି ସୁମରୁଁ ଧନେ ବିଞ୍ଚିବି।

ସୁମତି ତା ଜାଣି ମାଗିଲେ ତ ପୁଣି କଉଁ ବ୍ୟାଜ ବିରଞ୍ଚିବି।୩୮।

 

ସୁମନା ମନା କରିବି। ସଖୀମୁଖ ଅନାଇବି।

ସୁକାନ୍ତି ଏ ଦେହ କାହାର ନକହ, ଏହି ବଚନେ ତରିବି।୩୯।

 

ଶତଦଳ ଛିନାଇବି। ସହୀମୁଖ ଅନାଇବି।

ସଦା ପ୍ରସନ୍ନତା ଥିବ ନା ବନିତା ବୋଇଲେ ଲାଜ ପାଇବି।୪୦।

 

ସେକ୍ଷଣି ପାଦ ଧରିବି। ସେ ଚଳିଲେ ନଡରିବି।

ସେବକର ଦୋଷ କ୍ଷେମା ହେଲା ଭାଷ, କବି ଦୋଷୀ ଉଚ୍ଚାରିବି।୪୧।

 

ସତେ ମୁଁ କତି ପାଇବି। ଶଶିରୁ ସୁଧା ପିଇବି।।

ସ୍ଵପନ ସମ୍ପତ୍ତି ଭୋଗକୁ ପ୍ରାପତି ହେବ ପ୍ରତେ ଜନ୍ମାଇବି।୪୨।

 

ସାର ଯଶ ରଖାଇବି। ସାଧୁ ସୁଖ ବଢାଇବି

ସାମନ୍ତସିଂହାର ବୋଲେ ଦାମୋଦର ରାଧାତୁଲେ ମିଳାଇବି।୪୩।

 

ଊନତ୍ରିଂଶ ଛାନ୍ଦ

ଶ୍ରୀକୃଷ୍ଣ ରୂପ ଭାବନ

ଅବନା ନିୟମ। ରାଗ-କାଳୀ।

 

ସଜ୍ଜନଗଣ କର ଶ୍ରବଣ ନନ୍ଦନନ୍ଦନ ଅଙ୍ଗ।

ବ୍ରଜ କଳତ୍ର ମଦନଶସ୍ତ୍ର ଉଚ୍ଛନ୍ନ ଭକ୍ତ ରଙ୍ଗ।୧।

 

ସଜଳ-ନବଘନ-ସମ୍ଭବ ବରନ ବରଯତ୍ନ।

କୃଷ୍ଣ-କମଳ-ପ୍ରଚ୍ଛଳ ଦଳ ମରକତ ଗଞ୍ଜନ।୨।

 

ରମ୍ୟ କଜ୍ଜ୍ୱଳ ବର ଉଜ୍ଜ୍ୱଳ ତମସଚୟ ଜୟ।

ଭ୍ରମର ସଞ୍ଚ ମସ୍ତକ-କଚ-ବନ୍ଧନସ୍ମର-ଭୟ।୩।

 

ବରହବର ମଣ୍ଡନ କ-ର ନବପଲ୍ଲବ ସଙ୍ଗ।

ଅର୍ଦ୍ଧଚନ୍ଦ୍ରକ କମଳସ୍ରକ ବନ୍ଧନ ଛନ୍ଦରଙ୍ଗ।୪।

 

ରତ୍ନ ସଞ୍ଜତ ମକରବତ ଶ୍ରବଣ ଅବତଂସ।

ରମ୍ୟ ଅଞ୍ଜନ ଅକ୍ଷରଞ୍ଜନ କରି ମନ ବଶ।୫।

 

ମଦନ ମନ ଅକ୍ଷ ବନ୍ଧନ ପରତକ୍ଷ ଲପନ।

କଳଙ୍କ ହତ ଚନ୍ଦ୍ର ମହତ କରଇ ତ ଦଳନ।୬।

 

କଜ୍ଜ୍ୱଳ ବର୍ଣ୍ଣ ପଙ୍କଜ ଯତ୍ନ ଘଟନ ଅଘଟନ।

ମର୍କତ ଦରପଣର ବରପଣ ତ ଅଯତନ।୭।

 

ପବନ ବହ ସର ସଂଗ୍ରହ ସହ-ଅର୍ଣ୍ଣବଫଳ।

ଚନ୍ଦ୍ରର ଖଣ୍ଡ ପ୍ରଚ୍ଛଳ ଗଣ୍ଡ ଦର୍ପକ ଦର୍ପସ୍ଥଳ।୮।

 

ପଲ୍ଲବରଙ୍ଗ ଅଧର ଭଙ୍ଗ କରଇ ପରତକ୍ଷ।

ମନ୍ଦ ସରସ ଝଟକ ହସ ଅମୃତ ତ ଅଲକ୍ଷ।୯।

 

କଣ୍ଠତ ଦର-ମହତ ହର କଳରବ ଗଞ୍ଜନ।

ପଦ୍ମକଦମ୍ବ ରତନ ଦମ୍ଭହରକ ସ୍ରକ ଯତ୍ନ।୧୦।

 

ଉର ମର୍କତ ଅରର ବତ ଅଲକ୍ଷତ ଲକ୍ଷଣ।

ଗଜ ପ୍ରମତ୍ତ କର ସଞ୍ଜତ ହସ୍ତଦଣ୍ଡ ଘଟଣ।୧୧।

 

ପତଙ୍ଗ କୃତ ରଙ୍ଗ ବ୍ୟକତ କରପତ୍ର ପ୍ରକଟ।

ମଧ୍ୟର ସମ ବଜ୍ର ଉପମ ଏଣଇନ୍ଦ୍ର ଅଘଟ।୧୨।

 

ଉଦର ଶତ ପତ୍ରର ଶତପତ୍ର ମହତ ହର।

ବରଚରମ ଫଳକ-ରମ୍ୟ-ଗରବ-ଖର୍ବକର।୧୩।

 

କନକ-ଯତ୍ନ ଜୟବସନ ସନକ-ଦମ୍ଭହର।

ମଧ୍ୟ-ମଣ୍ଡନସ୍ୱନ ମଦନ-ମନ-ଧନଚଉର।୧୪।

 

ଘନଜଘନ ମଲ୍ଲମଜ୍ଜନ-ସ୍ତମ୍ଭ ଦମ୍ଭ-ତସ୍କର।

ତଳର ଜଙ୍ଘ ଖଡ଼ଗଶୃଙ୍ଗ ଗଜବନ୍ଧନ-କର।୧୫।

 

ଚରଣତଳ ରଙ୍ଗ କମଳ-ମଦ-ମର୍ଦ୍ଦନକର।

ପଦର ବକ୍ରଛନ୍ଦନ ଶକ୍ରମନ ଆକର୍ଷଭର।୧୬।

 

ବକ୍ର ମଧ୍ୟର କଣ୍ଠ-କରର ଶଙ୍କର ଦମ୍ଭହର।

ନଟବର ତ ବଲ୍ଲଭବ୍ରତ ମମ ମନର ହର।୧୭।

 

ଜଗତ ନର ସଦ୍ରବ କର ବଂଶଯନ୍ତର ଧର।

ଦମ୍ଭ ଭଞ୍ଜନ ମନ ମଜ୍ଜନ ଶ୍ରବଣ ଜନଙ୍କର।୧୮।

 

ପଥର ତରଳଇ ତ ସ୍ୱର ସ୍ପରଣ ପ୍ରଚରଣ।

ମରଣ ଗଛ ପଲ୍ଲବ ସ୍ୱଚ୍ଛ ବସନ ତ ସ୍ଖଳନ।୧୯।

 

ଚନ୍ଦ୍ରତପନ ଜନ ପବନ ପତଙ୍ଗ ସ୍ତମ୍ଭକର।

ମମ ଧଇର୍ଯ୍ୟ ମନ ମନଜ ହୃତକର ମନ୍ତର।୨୦।

 

ସଙ୍ଗ ସଙ୍ଘଟ ଇଚ୍ଛଇ ଘଟ-ଘଟକ କମଳଜ।

କର ସଙ୍ଘଟ ବରଲମ୍ପଟ ଅକ୍ଷମନଭଞ୍ଜ।୨୧।

 

ଜୟ ଶଙ୍କର ବରଶଙ୍କର ଦତ୍ତ ସଙ୍ଗତ କର।

ବଲ୍ଲଭ-ପନ-ସ୍ପର୍ଶ ସମ୍ପଦ ବର ଅମରଙ୍କର ।୨୨।

 

ମନ କଳ୍ପଇ ବଚ ଜନ୍ମଇ ସତତ ଧର ଧର।

ଅସମଛନ୍ଦ ଅଜ୍ଞତ ଧନ୍ଦ ଶ୍ରବଣ ଜନଙ୍କର।୨୩।

 

ନନ୍ଦନନ୍ଦନ ଜଗବନ୍ଦନ ପଦଦ୍ୱନ୍ଦ ଯତନ।

ମନ ସନ୍ତତ ସ୍ମରଣବନ୍ତ ଶକ୍ରଜୟ ନନ୍ଦନ।୨୪।

 

ତ୍ରିଂଶ ଛାନ୍ଦ

ଯୁଗଳ ସ୍ୱପ୍ନ-ଦର୍ଶନ

ରାଗ-ଚୋଖୀ

ଏ ଉତ୍ତାରୁ ସୁବିଦୁଷ

ସାବଧାନେ ଘେନ ରସ

 

ନିଶିମୁଖ ଆଗମନ ଦିବସ ଶେଷ

ବାରୁଣୀ ବିଳାସୀରବି

ପୂର୍ବେ ଉଦେ ଶଶି ଛବି

ରଙ୍ଗିମା ଶୁକ୍ଳିମା ମନୋହର ପ୍ରକାଶ।

ସହଜରେ ଶରଦକାର। ଋତୁମୁଖ ଜାତ ତିଥି ମିଶି ମଞ୍ଜୁଳ।୧।

 

ବିଚାରି କି ପଦ୍ମଯୋନି       ସୁଧା ଅନୁରାଜ ଘେନି

ବିଶ୍ୱତୁଳନାରେ ତୁଳି କଳନା କରେ।

ଉଶ୍ୱାସ ଭାଗ ଉଠିଲା       ଗରୁଆ ତଳକୁ ଗଲା

ଉଚ୍ଚନୀଚ ଉଚ୍ଚ ଜଣା ବିଧିରେ।

ସୁଧା ଅନୁରାଗ ସଙ୍ଗତେ। ସରିକରି ବୋଲି ପାରିବ କେ କେମନ୍ତେ।୨।

 

ତାତ ସିଦ୍ଧିକି ବଳିବ             ବିଚାରି କି କାମଦେବ।

ମାଣିକ୍ୟ ହୀରା ରଥାଙ୍ଗ ପେଷି ଦେଇଛି।

ବିଯୋଗୀ ସୁଖ-ଦୁଃଖଦ      ସଂଯୋଗୀ ସୁଖ-ଦୁଃଖଦ

ପରସ୍ପରରେ ବିରୋଧାଭାଷକୁ କରୁଛି।

ତମ ନାଶନେ ତ ପ୍ରୟୋଗ। ତମେ ପଶେ, ତୁମଁ ଆସେ, ଏକ ସଂଯୋଗ।୩।

 

ଦନ୍ତି ଦନ୍ତ-ସମୁଦ୍‌ଗକ       ପ୍ରବାଳ ଢାଙ୍କୁଣୀ ଟେକ

ଦିଗ-ବଣିକ କି ଫେଡ଼ି ଭିନ୍ନେ ଥୋଇଛି।

ତାର ତାର ତାରମୋତି

ଗୋଟି ଗୋଟିକେ ଗଣନ୍ତି।

କରୁଛି ପରା ଅମ୍ବରେ ପ୍ରତେ ହେଉଛି।

ସ୍ଥାନ ସ୍ଥିତି ନୀଳେନ୍ଦ୍ର ମଣି।

ଗୋଟିକେ କି ଭ୍ରମଭାଳେ କି ହେବଗଣି।୪।

 

ଦିନକୁ କଲେ ବିନାଶ

ବାରୁଣୀରେ ହେଲେ ବଶ

ଦ୍ୟୁମଣି ଦ୍ୱିଦୋଷ ହତେ ସିନ୍ଧୁ ମଜ୍ଜନ।

ଦିନ ତାପ ବିନାଶନ

ତମସ କୁଳ ଖଣ୍ଡନ

ପୁଣ୍ୟର ମାନ ପାଇଲେ ବିଧୁ ବହନ।

କର କୀର୍ତ୍ତି ଘୋଟିଲାମହୀ ।

ରଜତ ସୃଷ୍ଟି ସର୍ଜକ ହେଲା କରି ବିହି।୫।

 

ଶିବାଙ୍କୁ ହୋଇଲେ ଭୀମ

ଅଛନ୍ତି ନାହାନ୍ତି ଭ୍ରମ

ଭୀମ ଗଙ୍ଗାକୁ ଲୋଡ଼ିଲେ ଜଟା ଫିଟାଇ।

କୁସୁମବତୀ ବ୍ରତତୀ ଅଦୃଷ୍ଟ ରଜାର ରୀତି

ମୋତି ହାରବନ୍ତୀ ମତି ଚିନ୍ତାକୁ ପାଇ।

ଭ୍ରମରେ ଭ୍ରମରେ ଭ୍ରମନ୍ତି।

ମଧୁପ ପରାୟେ କୁମୁଦିନୀ ଲୋଡ଼ନ୍ତି।୬।

 

ଏକାଳକୁ ଅନୁଲକ୍ଷି ଦୁଃଖୀ ସଖୀ ହୋଇ ସୁଖୀ

ସ୍ନେହେ ଧନୀ ପାଶେ ମିଳି କହିଲେ ଛଳି।

ହେ କଳାନିଧି ଆଶାୟି ଏ କଳାନିଧି ଦିଶଇ

ବର-ବରଦ ସକାଶୁଁ ପୂଜନ୍ତି ବାଳୀ।

ପୋତୁ ମୁଖ ସ୍ୱୀକାର ଜାଣି।

ସେବା ବ୍ୟାଜେ ବଳେ ବେଶ କଲେ ମିତଣୀ।୭।

 

ଶ୍ରୀ ବୃଷଭାନୁ ଆତ୍ମଜା

ବିଧି ପୂର୍ବେ କରି ପୂଜା

ପ୍ରେମ ମର୍ମ ଭ୍ରମେ କଲେ ବିନତି ସ୍ତୁତି।

ଜୟପ୍ରଭୁ ରାମଚନ୍ଦ୍ର ସଲକ୍ଷଣ ଗୁଣେ ସାନ୍ଦ୍ର

ସକଳ ମଣ୍ଡନ ସଦା ଅନନ୍ତ ଗତି।

ତମ ତାପଦା ଶୁଚିକର।

ବାଳୀ ନାମରେ ମାତ୍ରକ ଭ୍ରମ ନକର।୮।

 

ଜୟ ଜୟ କଳାନିଧି ଅମୃତ କର ପ୍ରସିଦ୍ଧି

ସଦାଶିବ ଶିରୋଧାର୍ଯ୍ୟ ଉଜ୍ଜ୍ୱଳ ମୂର୍ତ୍ତି।

ସୁନ୍ଦର ସୁଲକ୍ଷ ବକ୍ଷ ସୁର ସୁଖୋଦୟେ ଦକ୍ଷ।

ଦିନତାପ ବିନାଶନ ବିରାଜ ପତି।

ବିଧୁବର ଆହ୍ଳାଦ କର।

କମଳିନୀ ନାମେ ଭ୍ରମ ହେବା ଅସାର।୯।

 

ହରିକି ବିଚାରି ହରି

କର ବିକ୍ଷେପନେ ଡରି

ବାହୁ କମ୍ପିତ ଘୋଡ଼ାଇ ଦେଲେ ଉରଜ।

ଏ ବିଭ୍ରମ ଦେଖି ସଖି ହରି ଭାବ ମନେ ରଖି।

ସୁଧା ଚତ୍ୱରେ ସତ୍ୱରେ ଶେଯାଇ ଶେଯ।

ପହୁଡ଼ାଇ ଦେଲେ ଧନୀକି ।

ଅମୃତ କର ପ୍ରତୀତି ଆଣି ମତିକି।୧୦।

 

ତେଣେ ରସିକ ଶେଖର

ମଣ୍ଡି ଚାନ୍ଦନୀ କାତର

ବିଧୁରେ-ବିଧୁରେ ଚାହିଁ ଭ୍ରମେ କଥିତ।

ନାମ ଗୁଣ ଚିହ୍ନ ଅଛି

ମିତ୍ରହାନି ନିକିଇଛି

ମମଲୋଭ ସ୍ଥଳେ ନାମ ଭ୍ରମ କି ଜାତ।

ଜ୍ୟୋତି ଧର ନାମହିଁ ସତ।

ବିଚାର କରେ କେ ରବି କେହୁ ଖଦ୍ୟୋତ।୧୧।

 

ହାବଭାବ ବଚରଙ୍ଗ

ଧମିଲ୍ଲ ନୟ ପ୍ରସଙ୍ଗ

ପରସ୍ପରେ ନାଗର ନାଗରୀ ସ୍ମରଣେ।

ଉଚ୍ଚରେ ଭାଷା କେ ବର୍ଣ୍ଣେ ସ୍ୱର ଭଙ୍ଗ ଅତିଶୀର୍ଣ୍ଣେ

ତେବେହେଁ ଭାବ ଭାବନା ଥାଇ କାରଣେ

ଦୂ-ପୂର୍ବାଦି ଶବଦ ଶୁଣି।

ଦୂତୀ ଅଇଲା କି ଭ୍ରମେ ହୁଅନ୍ତି ଗୁଣି।୧୨।

 

ଆତୁର ରସାବ୍‌ଧିବତ ଭାବୋତ୍କଣ୍ଠା ତରଙ୍ଗିତ

ବିଭ୍ରମ ଭଉଁରୀ ମଧ୍ୟେ ମନ ପତନ।

ଭାବ ଶାବଲ୍ୟ ପ୍ରବଳ ବିବିଧ ପାଞ୍ଚଅଥଳ

କୋଳ-କୂଳ ବାଞ୍ଛିତ କେବଳ ନିଦାନ।

ରତି ରତ୍ନ ପ୍ରେମ ପୀୟୁଷ।

ଆଶା ନାଶ ଲେଶ ନୋହେ ଲଭିଲେ କ୍ଳେଶ ।୧୩।

 

ପରସ୍ପର ରୂପଧ୍ୟାନ ତନ୍ମୟ ଭାବରେ ମଗ୍ନ

କେତେ ବେଳାନ୍ତରେ ନିଦ୍ରା ହେବାର ଜାଣି।

ତୁଣ୍ଡଗୋଳ ନିବର୍ତ୍ତାଇ ସ୍ୱମିତ୍ରେ ମଣ୍ଡଳୀ

ହୋଇ ଶଶୀକି ପରିଧି ବିଧି ଶୟନ ପୁଣି ।

ଅଧଯାମେ ଅଛି ଯାମିନୀ।

ଯୋଗମାୟା ଦୟାକଲେ ମାନସ ଘେନି।୧୪।

 

ଦେବମାତା ପରା କରି ହରିଙ୍କର ନିଦ୍ରାହରି

ମହାମାୟା ମାୟା କରି ବହନ ନେଲେ।

କିଶୋରୀ ଶୟନ ସ୍ଥାନେ ଛାଡ଼ିଗଲେ ଅନ୍ତର୍ଦ୍ଧାନେ

ଚକ୍ଷୁ ଘଷି ଚାହାନ୍ତେ ଆଶ୍ଚର୍ଯ୍ୟ ଦେଖିଲେ।

ଜ୍ୟୋତିପୁଞ୍ଜ ମଧ୍ୟେ କି ରବି ।

ନିରେଖି କ୍ଷଣକେ ରୂପ ପାଇଲେ ଭାବି।୧୫।

 

ବିଚାରିଲେ କାନ୍ତିକୁଳ–

ଦେବୀ ଏ ମୂର୍ତ୍ତି ମଞ୍ଜଳ

ବିହି ବିହି ଲୁଚାଇ ଥୋଇଛି ଏ ପାଞ୍ଚେ

ପରସ୍ପର ଦୃଷ୍ଟିପାତେ

ବିମୋହ ହେବେ ଜଗତେ

ବିଷ୍ଣୁ ବିଶ୍ଵ ଚିନ୍ତା ନ କରିବେ ସୁସଞ୍ଚେ ।

ଏହା ସାହା ପାଇଲେ କାମ ।

ନରଖିବା ଡରେ ଯୋଗୀ ହେଲେ କି ଭୀମ ।୧୬।

 

ଅହଲ୍ୟା ହରଣ ପାପ

ସହସ୍ରାକ୍ଷ ସୁର ନୃପ

ଲଜ୍ଜା ନାହିଁ ହୃଷ୍ଟ ଦେଖିବାରୁ ଜାଣିଲି ।

ବିଧି ଶଙ୍କର କୁମାର ।

ଶେଷ ନେତ୍ର ସୁଖ ସାର

ଏବେ ଏଥର ହୋଇବ ପରତେ କଲି।

ଗୁରୁ କବି ଗଣେଶ ବାଣୀ !

ଗୁରୁ କବି ଗଣେଶ-ବାଣୀର କାରେଣୀ ।୧୭।

 

ଲକ୍ଷ୍ମୀ ବୋଲନ୍ତାଇ ଭ୍ରମେ

ଦାସୀଗଣ ତ ସେ ସମେ

ଆଭାସୁଅଛି ମନକୁ କହିବା କେହି ।

ବିଶ୍ଵ ଫେରି ଗତିକରୀ ।

ମୁକତିକି ଗତିକରି ।

ଶ୍ରାନ୍ତିପାଇ ପହୁଡ଼ିଛି ସମ୍ଭବେ ଏହି ।

ସିଦ୍ଧିଦାୟୀ କି କରିବାର ।

ବିଧି ରୂପାକୁ ହୋଇବ କି ଲକ୍ଷିବାର ।୧୮।

 

ବିଶ୍ୱଚିତ୍ତ ବଶ ପାଇଁ

ପ୍ରୀତି ମୂର୍ତ୍ତିବନ୍ତ ହୋଇ ।

ଅଣିମାଦି ଦେବ ଅଣି ହୋଇ ଶୋଇଛି ।

ପାଣି ଦେବା ଗଣ୍ଡତଳେ

ଶଶୀ କୋକନଦ କୋଳେ

ପହୁଡ଼ିବାର ଶୋଭାକୁ ହସି ଦେଉଛି ।

କୃଷ୍ଣବର୍ଣ୍ଣ ଶେଯେ ଶୟନ ।

ସଜଳ ଘନେ ସ୍ଥକିତ ବିଦ୍ୟୁ ସମାନ ।୧୯।

 

ସୁରାଗ ମାଣ୍ଡିରେ ପାଦ

ବକ୍ର ନ୍ୟାସ ଦିଆ ମୁଦ

ରଙ୍ଗବାଡ଼େ ହେମଲତା ମାଡ଼ିଲା ତୋରା ।

ସହଜେ ପଦପଲ୍ଲବ

ଅଙ୍ଗୁଳି ବଞ୍ଜୁଳ ଭାବ

ଶରଣ ରକ୍ଷଣ ଫଳ ଫଳିବ ପରା ।

ଲାକ୍ଷା ରେଖା ଦୁର୍ଗ ପ୍ରତୀତ ।

ଅଭୟ ନୋହିବ କେ ତା ହେଲେ ଆଶ୍ରିତ । ୨୦ ।

 

ଲାବଣ୍ୟ ରତ୍ନଭଣ୍ଡାର

ଲୁଁଠନେ ନେତ୍ର ଚଉର ।

ତର ତରେ କାହିଁ କେତେବେଳେ ମିଳଇ

ମନ ହୋଇ ତାହାସଙ୍ଗୀ

ଆଚରିଲା ସେହି ଭଙ୍ଗୀ

ଚଞ୍ଚଳା କାନ୍ତି ମନେ ଥୟନୁହଇ।

ଏହିଘେନି କଲି କଳ୍ପନା।

ଅସ୍ତବ୍ୟସ୍ତ କରିକଲେ ଶୋଭା ଭାବନା ।୨୧।

 

ରାମଚରମରେ ବେଣୀ

ବ୍ୟସ୍ତ ପତନକୁ ମଣି ।

ମଣିହଜା ଫଣୀ ସ୍ଥକିତ କି ହୋଇଛି ?

ଅଗ୍ରେ ରତ୍ନଝୁମ୍ପି ସ୍ଵଚ୍ଛ ।

ସୁସୁମାର ମୂର୍ତ୍ତି ପୁଚ୍ଛ ।

ତାରାପୁଞ୍ଜ ଉଦୟକୁ କରୁଛି ଛି ଛି ! !

ମୂଲବନ୍ଧା ମାଣିକ୍ୟମଣି ।

ଘନକୋଳେ କି ପଶୁଛି ମିହିରମଣି ।୨୨।

 

କାଠି ହୀରା ଝରା ମୋତି

ଶୋଭା ଶଶୀ ଭାନୁରୀତି ।

ଦେହବନ୍ତ ତମଗିଳେ ଖୋସନ୍ତେ ଭଳି

ନାନାବର୍ଣ୍ଣ ପୁଷ୍ପମାଳୀ

ବେଢ଼ାଇ ଦେବାରୁ ଆଳୀ

ଗଳ ରୁନ୍ଧିତ କଲେ କି ତାରାଏ ମିଳି ।

ସିତରଙ୍ଗ କୁସୁମଝରା ।

ସୁଧା ରୁଧିର ବମନ କରୁଛି ପରା ।୨୩।

 

ଉତ୍ତମାଙ୍ଗ ସଙ୍ଗପାଇ

ମୋତି ଜାଲି କି ଶୋହଇ

ମର୍କତ-ଗବାକ୍ଷେ ବିଧୁ କିରଣ ଗଳା।

ପୀତ-ନୀଳ-ରଙ୍ଗ-ରତ୍ନ

ସୀମନ୍ଥି ଗୁନ୍ଥିବା ଯତ୍ନ ।

ବନ୍ଧା ଅଧା ଇନ୍ଦ୍ରଧନୁ ଉଦୟ ତୁଳା ।

ତହିଁ ଦିଆ ସିନ୍ଦୂର ଗାର ।

କାଳିନ୍ଦୀ ମଧେ କି ସ୍ଥିତ ସାରଦା ଧାର ।୨୪।

ଅଳକେ ଅଳକା ପାଟି

ଶିଶୁ ଅଳି ପରିପାଟୀ ।

ଶ୍ରୀମୁଖକୁ କଞ୍ଜ ଭାଳି ବେଢ଼ିଛନ୍ତି କି ?

ଶୋହେ ଚାରୁଚନ୍ଦ୍ର ଝୁମ୍ପୀ

ଦେଖି ହୃଦ ଯାଏ କମ୍ପି

କଳା ଘନୁ ଶଶୀ ଅଳ୍ପ ବାହାରିଛି କି ?

ଝିଲିମିଲି ମାଳୀ ମାଧୁରୀ ।

ବିଦ୍ୟୁରେଖା ନବଘନେ ମିଶିଲା ପରି । ୨୫ ।

 

ଝଲକା ପାନ ପତରୀ

ଧଇର୍ଯ୍ୟ-ବାସ କତୁରୀ କେଶ-ରାହୁ

ଜିହ୍ନା ବଢ଼ାଇବା ବିଧିରେ ।

ଭ୍ରମରିକା ଶ୍ରେଣୀ ସଙ୍ଗୀ

ଟୋପି ଚନ୍ଦନ କି ଭଙ୍ଗୀ

ହସେ, ଦନ୍ତ ଦିଶେ, ମୁଖ ଚନ୍ଦ୍ର ଲୋଭରେ ।

ଗଣ୍ଡେ ଲେଖା ବାଙ୍କ ମକରୀ ।

ସିତ ଚାରୁ କୁଣ୍ଡଳୀ କୁଣ୍ଡଳୀ ଚାତୁରୀ ।୨୬।

 

ତିଳକ ଚନ୍ଦନ ପାଟୀ

କି ବର୍ଣ୍ଣିବ କୋଟି ପାଟି

ଶ୍ରୀମୁଖ ଲାବଣ୍ୟ-ସିନ୍ଧୁ କଳନେ ବିହି

ବନାଇ ରଜତ ତରୀ

କ୍ଷେପଣୀ ତିଳକ କରି

ଥଳ ନ ପାଇଲା ଲାଜରେ ବୁଡ଼ିଲା ସେହି

ଅଧୋମୁଖେ ତରୀ ଭାସୁଛି ।

ତାର ଶିର ଟୋପର ସିନ୍ଦୂର ମଣୁଛି ।୨୭।

 

କର୍ଣ୍ଣେ ମର୍କତ ତାଟଙ୍କ

ଗଣ୍ଡେ ବିମ୍ବିଛି ଝଟକ

ଶଶୀ ଅଙ୍କେ ପହୁଡ଼ାଇଛି କି ନିଶିକି ।

ବାଳୀ ନାମୁଁ ହେଲା ବାଳୀ

ବାଳୀ କି ତୋଢର ଭାଳି

ବୀରେନ୍ଦ୍ର ସକାଶୁଁ ବହେ ଫୁଲ ଛତିକି ।

ତାତସିଦ୍ଧି ରଖିବା ପାଇଁ ।

ବିଜ୍ରବତ ବଜ୍ର ମଲକଢ଼ି ବହଇ ।୨୮।

 

ଧନୀ ମୁଖ ବିଧୁବର

କୋଳେ ନେତ୍ର ଇନ୍ଦୀବର

ଥିଲା ଓଷାରୁଣ ଚାହିଁ କି ସଙ୍କୋଚିତ ।

ଗୁନ୍ଥା ହୋଇଛି ବଡ଼ିଶେ

କଳା ଲାଞ୍ଜ ସୂତ୍ର ଦିଶେ

ଅଚେଷ୍ଟ ଝସ କମଳେ ଥୋଇଲା ବତ।

ମୁଦାନେତ୍ର କି ଶୋଭା ଦିଶେ

ପକ୍ଷ୍ମ କୋଷେ ଛୁରୀ ମୁନ ଲାଞ୍ଜ ଆଭାସେ । ୨୯ ।

 

ଶ୍ୱାସେ ପ୍ରଫୁଲ୍ଲିତ ଘୋଣା

ଶୋହେ ନୀଳା-ନାକଚଣା

ଓଷ୍ଠାରୁଣେ ଛାୟା ବିପରୀତ ପ୍ରତୀତି।

ଆର ପାଶେ ଜାଲିନଥ

ଫାନ୍ଦ ପାତି କି ମନ୍ମଥ

ଦୃଷ୍ଟି-ମୃଗ ଧରିବାକୁ କରିଛି ମତି ।

ପାନ ବୋଳେ ଅଧର ଜ୍ୟୋତି ।

ଫଗୁ ଖେଳା ଶ୍ରାନ୍ତ ଶୁଆ ଅରୁଣ ରୀତି ।୩୦ ।

 

ପାଞ୍ଚଜନ୍ୟ ଶଙ୍ଖଭାଳି

ନିଯୋଜିତ ହେଲେ ମାଳୀ ।

ପଞ୍ଚରତ୍ନ ସ୍ରକେ ପୂଜା ପାଇଲା ଗ୍ରୀବା

ନାନା ରତ୍ନ ଚାପସରୀ

ବିଚିତ୍ର ଫାଶର ପରି ।

କପୋତ ଲକ୍ଷରୁବନ୍ଦୀ ହେଲା ଭାଳିବା।

ହାର ଶିର-ମଣି ପଛରେ ।

କାର୍ତ୍ତିକ ପୁଞ୍ଜା ଗୋପିତ କିଏ ସ୍ୱଚ୍ଛରେ ।୩୧।

 

ନୀଳ ଚୋଳ କୁଚେଲାଗି

ଦିଏ ଦୃଷ୍ଟିମାନ ଭାଙ୍ଗି

ହେମଗିରି ଗିଳିଅଛି କି କଳା ଘନ ?

ମଦନ ମାଦକ ସ୍ଥଳ

ବିଶ୍ୱ ବିମୋହନ ଫଳ ।

ଭାଳି ବିହି ଘୋଡ଼ାଇଛି ଘେନୁଛି ମନ ।

କାଳୀ ଅଙ୍ଗେ ଗୋପ୍ୟ କି ଶମ୍ଭୁ ।

ମଦନ କି ଡେରିଅଛି ସୁବର୍ଣ୍ଣ ତମ୍ବୁ ।୩୨।

 

ଚାରୁ ସରୁ ସୁରୋମାଳି

କାମ-କାୟଥ କି କାଳି ।

ଘେନି ଲେଖି ଦେଇ ଅଛି ସୁବର୍ଣ୍ଣାବଳୀ

ଏ ବାଳୀ ସକଳବାଳୀ-

ମଉଳି କୁସୁମ ମାଳୀ ।

ପ୍ରଣୟସୁଖ-ସଙ୍ଖାଳି ସୁରସ ସ୍ଥଳୀ ।

ଆଉଯେତେ ଉପମାଅଛି ସେମାନଙ୍କ

ମାନକୁ ସେ କରୁଛି ଛି ଛି ।୩୩ ।

 

ତାଡ଼ ବାଜୁବନ୍ଧ ବାହେ

ଝୁମ୍ପା ଜଗଜ୍ଜନ ମୋହେ ।

କଳ୍ପଲତାରେ ସୁମନ ଫୁଟିଛି ପରା

ଫଳିବ ବାଞ୍ଚିତ ଫଳ ।

ଆଶ୍ରିତ ଜନେ ସଫଳ

ହେବାକୁ ହେଉଛି ସତ୍ୟ ଅତ୍ୟନ୍ତ ତୋରା

ତାଡ ଭିଡନ ଯେ ପାଇବ ।

କାମ-ତାଡକ ତାଡନ ସେହି କରିବ ।୩୪।

 

ପଦ୍ମରାଗ କଡ଼ିଆଳି

ନାନାରତ୍ନ କମ ଝଳି

ଦନ୍ତିଦନ୍ତ-ଚୁଡ଼ି ଶରଧାରେ ଘେନିଛି

ମୁଦି ଶୋଭା ଅଙ୍ଗୁଳିରେ ।

ମୁଦ ଦତ୍ତ କି ବିଧିରେ · ।

ବରକର ଗ୍ରହଣକୁ ପାଞ୍ଚ ସଞ୍ଚିଛି ।

ଉରୁ ସରି ଲାଗି କି ଶୋଭା ।

କରି କରେ ଧରି ରହିଅଛି କି ରମ୍ଭା ୩୫ ।

 

ଉତ୍କଳ ଦେଶ ବସନ

ପିନ୍ଧା ନୀବି କି ଶୋଭନ

ମାର-ସରଘରର ତେଲଙ୍ଗା କୁଞ୍ଚି କି ?

ପୁରୁଷ ହେଲେ ଆୟତ୍ତ

ଜୟବାଦ୍ୟ ବାଜିବତ

କିଙ୍କିଣୀ-କିଣି ସ୍ଥକିତ ଏଣୁ ହେଲା କି ?

ବଳା ନୁପୁରାଦି ପାଞ୍ଚିଲେ ।

ରିପୁ ଜୟ କାଳେ ଜୟ ବୋଲିବେ ବଳେ ।୩୬ ।

 

ଭାଗ୍ୟ କଳ୍ପତରୁଫଳ

କେତେମାତ୍ରକ, ଏ ଫଳ ।

ପାଇଁ ନିଷ୍ଫଳ ହେଲେ କି ପ୍ରାଣ ରହିବ

କରୁ ନକରୁ ସ୍ୱୀକାର

ଛୁଇଁଥିବି କଳେବର ।

ଦୁଇ ମତେ ଅମୃତ ଦାୟୀତ ହୋଇବ ।

ଏତେଭାଳି ଆତୁର ହୋଇ

ଭୀରୁ ଚାରୁ ଉରୁ ଧରି ଦେଲେ ଝୁଲାଇ ।୩୭ ।

 

ନିଦ୍ରାମୁଦ୍ରାଗଲାଭାଙ୍ଗି

ଅଳସ ଭାଙ୍ଗିବା ଭଙ୍ଗୀ

କୁଚ ମଙ୍ଗଳ କଳଶ ଦେଖାଇଲା କି ?

ଊର୍ଦ୍ଧ୍ୱ କରି ଛନ୍ଦୁ ପାଣି

କି ଶୋଭା ଶ୍ରୀମୁଖ ଆଣି

ହେମପ୍ରଭାରେ ଚନ୍ଦ୍ରମା ବିଜେ କଲା କି ?

ଜୃମ୍ଭାକାଳେ ତୁଣ୍ଡମାଧୁରୀ ।

ରଙ୍ଗ ସମ୍ପୁଟକ ଅର୍ଦ୍ଧ ଫିଟିଲା ପରି ।୩୮।

 

ଅଳସାନ୍ତେ ନେତ୍ର ଦତ୍ତେ

କୃଷ୍ଣ ଶୋଭାବଧି ଅମୃତେ

ବଡ଼ଶୀ ବୁଡ଼ାଇ ମନ-ମୀନ କି ଧରେ ।

ଟାଣିନେଲା ଝଟକରି

କୁଚ କଳସୀରେ ଭରି

ପାଳନା କଲା କି ହାସାମୃଦ ଦାନରେ ।

ସ୍ନେହ ଲାଜ ସଂଭ୍ରମ ମିଶା ।

ସମ୍ଭାବନା କଲାପରି ଉଠିଲା ଯୋଷା ।୩୯ ।

 

ମୀନ ଛଟକ ଝଟକ

ନେତ୍ର ପୁଟକ ଅଟକ

ନାଟକ ପଠିନୀ ଲାଜେ ପୋତୁ ଲପନ

ସ୍କୁଟକଞ୍ଜ କୁଚଟଙ୍କ-

ଧରେ ଦେଇ କି ପ୍ରକଟ ।

ତାଟଙ୍କାଳତିରେ ବନ୍ଦାପନା ବିଧାନ।

ବର ଚରଣକୁ ମନାସି।

ବରବରନା କି ହେଲା ସେବାଭିଳାସୀ ।୪୦।

 

ବିଚାରଇ ଏ ସୁନ୍ଦର-

ସୃଷ୍ଟିସାର ପୁରନ୍ଦର

ଭାଗ୍ୟମାତ୍ର କେତେ ଏ ଦର୍ଶନ

ହେବାକୁ ନୟନ ସୁକୃତ ପଣ

ବିଧି ନେଇଥିଲା ରୁଣ

ନିତିବାଣ ଦ୍ୱିଗୁଣରେ ଲେଖି ଦେବାକୁ ।

ବଳେ ତାହା ଶୁଝିଲା ଆଜ।

ଦୀନ ଦେଖି କୃପା କଲେ କି ଦେବରାଜ।୪୧ ।

 

ଶଶୀ ବିବର୍ଣ୍ଣ ବିଲକ୍ଷ

ପୁରନ୍ଦର ସହସ୍ରାକ୍ଷ ।

ମିତ୍ର-କୁମାର କୁମାର ଆନନ ନାହିଁ

ଅଦେହତ ଫୁଲ ଧନୁ

ଦେହବନ୍ତ ଫୁଲ ଧନୁ

ଥିଲେ ଛାଇ ତୁଲ କିବା କରନ୍ତା କାହିଁ ।

ଚିନ୍ତାମଣି ମୂର୍ତ୍ତି ବୋଲନ୍ତି ।

ଯାଚି ବରଦ ନୁହଇ କଠୋର ଅତି ।୪୨।

 

ବିରାଜ ବୋଲିବି କେହି

ବିରାଜ ବିଜୟ ନାହିଁ

ମାତ୍ର ଅନ୍ତର ନୁହଇ ଶୁଣା ଅଛଇ ।

ସେ ହୋଇଥିଲେ କୁମାର ।

ଲାଜେ ରହନ୍ତା କି ମାର ।

ଦରଶନେ କୋଟିଗୁଣେ ପ୍ରଭା ବହଇ ।

ବିନାଶନେ ଅରିଦରକୁ ।

ଶ୍ରୀଭୁଜରେ ବହିଥାନ୍ତେ ଅରି ଦରକୁ ।୪୩।

ପଞ୍ଚଶର ପଞ୍ଚଶର

ଶୃଙ୍ଗାର-ରସ ନିଜର

ପ୍ରେମଭାବ ମଦନ ମାଦକ ପୀୟୁଷ

କେଳି କଳା ଭଙ୍ଗୀଲୀଳା

ଲାବଣ୍ୟ ମାଧୁର୍ଯ୍ୟ ମିଳା

ମିଳି ଜନମିଛି କି ସୁଷମା ପୁରୁଷ

ବଶ ମାନସରେ ମନାସେ ।

ଜୀବ କି ପରମେ ମନ ପୁରୁଷ ମିଶେ ।୪୪।

 

ଏ କାଳରେ ଯୋଡ଼ିପାଣି

ରସିକ ମୁକୁଟ ମଣି

ତ୍ରାହି ବନ୍ଧୁକର ବୋଲି ବିନତି କଲେ

ସୁଷମା ଧନରେ ବିକି

ବଳେ ହୋଇଲି ଏଗିକି

ଊଣା କାହାକୁ ବିଚାର ବାଧା ହୋଇଲେ ।

ଦୟାନିଧି ଦାସ ବତ୍ସଳା ।

ଅନା ବାନା ଉଡ଼ୁ ଲୋକେ ସୁପ୍ରେମଶୀଳା ।୪୫ ।

 

କଳ୍ପଳତା କି କୃପଣ

କରୁନାହୁଁ ପ୍ରଭୁପଣ ।

ଶ୍ରୀଅଙ୍ଗ ସେବା ସମର୍ପି ପରଖ ଧୀରା

ସେବା ଅଯୋଗ୍ୟ ସେବକେ

ବିଚାର କରି ବିବେକେ

ଅଧରାମୃତ ଦାନରେ ପାଳନ୍ତି ପରା ।

ପାଇବି ମୁଁ ଶ୍ରୀପଦକରେ ।

କୃତାର୍ଥ ହେଲିନି ଛୁଇଁ ଶ୍ରୀପଦ କରେ ।୪୬।

 

ତନୁଜା ଅନୁଜା ତୁ କି

କାମ ନୋହିଲେ କାହିଁକି ।

ଚାହିଁଲାକୁ ଶର ମାରି ସାରି ଦେଉଛି

ନିଦ୍ରାଳସେ ନେତ୍ର କଷା

ସୁଧା ଅନୁରାଗ ମିଶା

ଜଳିବାରୁ ଜୀବ ନ ଯାଇଅଛି ।

ମୋର ବୋଲ ସ୍ୱୀକାର କର।

ତନୁଦାନରେ ପାଇବି ଅଭୟ ବର ।୪୭ ।

 

ରସିକ ବିନୟ ବିଧୁ

ବଢ଼ାଇ ଆନନ୍ଦ ସିନ୍ଧୁ

ଧଇର୍ଯ୍ୟ ଲାଜ ତୀରକୁ ବୁଡ଼ାଇ ଦେଲା

ବଳେ ବଢ଼ି ରସ୍ତେ ମୁଦ

ନୟନ ହାସ କୁମୁଦ

ପ୍ରସନ୍ନ ପୀୟୁଷ ସ୍ନାନ ପରି ଦିଶିଲା ।

ହରି ହରି ରୀତିକି ଦେଖି ।

ମୁକତିରୁ ବଡ଼ ଲାଭ ଥିଲାତ ଲକ୍ଷି ।୪୮।

 

ଜାଣି ହେଲା ଅଙ୍ଗୀକାର

କୋଳ କରି ବେଣୁଧର

ପଲ୍ୟଙ୍କେ ଅଙ୍ଗରେ ବସି ବସାଇ କୋଳେ

ବାମକର ନେଇ ବୁକେ

ଦକ୍ଷିଣ କର ଚିବୁକେ।

ଶ୍ରୀମୁଖ ଦେଖା ବିଧିରେ ମୁଦ୍ରିକା ଦେଲେ ।

ଗାନ୍ଧର୍ବୀଙ୍କ ରୀତିକି ଭାଳି ।

କୃଷ୍ଣ କଣ୍ଠେ ଦେଲାବାଳୀ ରତନ ମାଳୀ।୪୯ ।

 

ବଧୂ ବଧୁରୀ-ଅଧର ମଧୁ ମଧୁର ଭଣ୍ଡାର

ଦୁର୍ଲ୍ଲଭ ଲୋଭରେ ହରି ଚୁମ୍ବିବା ବେଳେ

ଯୋଗମାୟା ମାୟା ଦୂର

କଲେ ହୋଇଲେ ଅନ୍ତର

ହରି କରି ହରିଙ୍କି ସ୍ୱ ସ୍ଥାନେ ରଖିଲେ ।

ଶତ କୋଟି ପଡୁ କୁଳିଶ ।

କାହାକୁ ହିଁ ଦିନେ ନୋହୁ ଏ ଜାତି କ୍ଲେଶ ।୫୦ ।

 

ଶ୍ରୀ ରାଧା ଗୋବିନ୍ଦ ସଙ୍ଗ

ଭଙ୍ଗ ହେବାର ପ୍ରସଙ୍ଗ ।

ଅନୁରାଗୀ ଜନଙ୍କର ଜୀବନ ଯିବ ।

ହୋଇବ ପ୍ରଣୟ ବୃଦ୍ଧି

ଏ ପାଞ୍ଚ ହେଲା ଔଷଧି ।

ଅନୁରାଗୀ ଜନଙ୍କର ଜୀବ ନ ଯିବ

କୃଷ୍ଣ ବୋଲି ବିସ୍ମୟ ଚିତ୍ତ ।

ଅଭିମନ୍ୟୁ ସାମନ୍ତ ସିଂହାର ରଚିତ ।୫୧ ।

 

ଏକତ୍ରିଂଶ ଛାନ୍ଦ

ଶ୍ରୀ କିଶୋରୀ ସ୍ଵପ୍ନାନ୍ତର ବିଳାପ।

ରାଗ-କେଦାର କାମୋଦୀ

 

ଘେନ ସାଧବ ଭିନ୍ନ ମାଧବ ଚାହିଁ ।

ଚେତି କାମିନୀ ଦେଖେ ଯାମିନୀ ନାହିଁ ଯେ ।

ମାଦକୀ ପରା ଭାଳେ ମୁଦ କି ହେଲା ।

ନିଦର ପାଲଟ କିଏ ଦର ଦେଲା ଯେ । ୧ |

 

କଳପ-ତରୁ ଫଳ ଅଳପ ତପେ ।

ନ ଖାଇଲି ହରିଲା ଦେଖାଇ ପାପେ ଯେ ।

କତିରେ ମୁକତି କି ଦେଇ ହରିଲା।

ଅବିଧିବନ୍ତକୁ କେ ବିଧି ବୋଇଲା ଯେ ।୨।

 

ନାଗର ମଣି ହା ହା ପ୍ରେମ ସାଗର।

ତରଙ୍ଗକୁ ତ ବଳଇ ରଙ୍ଗ ସାର ଯେ ।

ଯତନ ଭଙ୍ଗୀ ରତନରେ ନିପୁଣ ।

ବଚନରେ ପୀୟୂଷ ସଞ୍ଚନ ଗୁଣ ଯେ ।୩।

 

ଶିରୀକି ସଂଗ୍ରହଣ କରି କି ନାହିଁ ।

ବାରିକି ଦିଏ ପାପୀ ବାରିକି କାହିଁ ଯେ ।

ଶୁଚିତ ଲଭିବାକୁ ଶୁଚିତ୍ତ ଥିଲା ।

ଉଚିତ ସିଦ୍ଧି କିପାଁ ବଞ୍ଚିତ ହେଲା ଯେ ।୪।

 

ହା ହା ବଲ୍ଲଭ କେଡ଼େ ସୁଲଭ ଦେଲ।

ଲଭନ ନୋହୁଁ ସେବା ଦୁର୍ଲଭ ହେଲ ଯେ ।

ଚିନ୍ତାମଣି କି ପାଇଁ ଚିନ୍ତାମଣି କି ।

ଆଣିକି ଦେଖାଇଲ ଟାଣ ଆଣିକି ହେ ।୫।

 

ମୋହନ ଦେଖି ହେବ ଶୋଭା ମୋହନ ।

ମଦନ ସରିଯିବ ଗ୍ରହୁଁ ମଦନ ଯେ ।

ମଣେତ ସେବା ଯୋଗ୍ୟ କରି ମଣେତ ।

ପଣେତ ରମା ତୁଚ୍ଛ ଦାସୀ ପଣେତ ଯେ ।୬।

 

କି କରିବା ହୀନ ହେବି କିଂ କରିବା ।

ଶଙ୍କରୀ ସେବାହୀନା କିସ କରିବା ଯେ ।

ଅଙ୍ଗ-ନା-ଶରେ ଆସି ଅଙ୍ଗ ନାସରେ।

ଭୂରେ କି ଯଶ ଘେନ ପ୍ରଭୁରେ ଯେ ।୭।

 

ନତି ଦେଖି ତେଜିଲି ନାହିଁ ଉନ୍ନତି।

ମତିରେ ଘେନିଛି କି ମୁଁ ତ କୁମତି ଯେ ।

କରିଷକିରୀ ସେବା ଯୋଗ୍ୟ କି କରି ।

କରିକି ଦୋଷୀ ହେଲେ ବଧକିଙ୍କରୀ ଯେ ।୮।

 

ମଧୁ ମଧୁର କେତେ ପାରିବି ଲକ୍ଷି ।

ବିଧୁ ବିଧୁର ହେବ ଶ୍ରୀମୁଖ ଦେଖି ଯେ ।

ଦର ଦରପଣ କି ପାଇବ ନାହିଁ ।

ସାର ସାରସ ତୁଲ୍ୟ ବୋଲିବି କେହି ଯେ ।୯।

 

ମୁଖରେ ମୁଁ ଖରେତ ଚାହିଁବାବେଳେ ।

ମନ୍ଦାକ୍ଷ ମନ୍ଦାକ୍ଷକୁ ଘେନିଲା ବଳେ ଯେ ।

ଧିକି ଧିକି କିକଲି ମନ୍ଦ ଅଭାଗୀ।

ସୁଧା ସୁଧାର ପଥ ଆଇଲି ଭାଙ୍ଗି ଯେ ।୧୦।

 

ଜୀବ ଜୀବନ-ବୋଲା ଶ୍ରବଣ ହେଲା ।

ଶେଷ ଶେଷ ସେବନ ଫଳ ହୋଇଲା ।

କୃତ କୃତ ଯୁଗର ସୁକୃତ ଥିଲା ।

ଅଙ୍ଗ ଅଙ୍ଗାନାଛାର ସ୍ପରଶ କଲା ଯେ ।୧୧ ।

 

ଶାତ ସାତସାଗର ଲବ ମାତର।

ଆନ ଆନନ୍ଦବାର କି ତୁଲ୍ୟ ତାର ଯେ ।

ପଦ ପଦତଳରେ ସବୁରି ଥିଲା ।

ବିମ୍ବ ବିମ୍ବକ ଉଲଟିଲା ଘଟିଲା ଯେ ।୧୨।

 

ଉଚ୍ଚେ ବୋଲଇ ହାହା ନାଥରେ ଥରେ।

ଦେଖାଅ ମୁଖନେତ୍ର ପଥରେ ଥରେ ହେ।

ନ ପକାଅ ପ୍ରୀତି ପଥରେ ପଥରେ ।

କୃପାରେ ଅନାଅଥରେ ଅନାଥୀରେ ଯେ ।୧୩।

 

ଦିଶେ ଦିଶେ କି ସେ କି ବାତୁଳ ତୁଳ।

ଆଶେ ଆସେ ପ୍ରବଳେ ବିକଳ କଳ ଯେ ।

ବିଧି ବିଧୀରେ କଲା ବ୍ୟାକୁଳ କୁଳ ।

ଚିତ୍ତେ ଚିନ୍ତେ ତାଙ୍କର ସକଳ କଳ ହେ ।୧୪।

 

ଶ୍ୟାମ ସୁନ୍ଦର ବିନା ନୟନ ରହେ ।

ସଭ୍ରମେ ସର୍ବଭୂତେ ନୟନ ରହେ ଯେ ।

ନେତ୍ର ମୁଦିଲେ ରହେ ଚିତ୍ତଭିତରେ ।

ବିବେଙ୍କୁ ପ୍ରାଣାଶ ମୁତ ଭୀତରେ ଯେ ।୧୫।

ଦର ସନକ ମୋହୀ ପାଇ ଛନ୍ନରେ ।

ଦରଶନ ଲୋଭକୁ ବୃଦ୍ଧି ମନରେ ଯେ ।

ଅକ୍ଷ-ପିତୁଳା ସେ କି ଭ୍ରମକୁ ରଖି ।

ଅକ୍ଷପି ତୁଳାଅଙ୍ଗୀ ନପାରେ ଲକ୍ଷି ଯେ ।୧୬।

 

ଅ ସମ୍ଭାବିତ କେହି ସମ୍ବାଇଲାତ ।

ଭାବିନୀ ରତହେଲା ଭାବି ନିରତ ଯେ ।

ମୁଦଇ ନେତ୍ର ଆସି ଦେବେ ବା ମୁଦ ।

ପଦକେ ବୋଲେ ହା ମୋ ସୁଖ ସମ୍ପଦ ଯେ ।୧୭।

 

ଧୀଆନ ନଘେନଇ ସେଇ ଧିଆନ ।

ଗିଆନ ଆନ ହେଲା ହେଲା ଗୀ ଆନ ଯେ ।

ବଞ୍ଚନ ହେବି କେହି ଜାତ ବଚନ ।

ଭାବର ଧନ ମୋର ଭା ବରଧନ ଯେ ।୧୮।

 

ବାଳୀ ରୋଦନ ଶୁଣି ନିଦ୍ରା ବିଗତ ।

ଆଳୀ ବୋଇଲେ, କହ କି ବିପରୀତ ଗୋ ।

ଭାଳି ବାତ ବିନାତ ଗମନ ନାହିଁ ।

କାଳୀ ଲଗା ବଚନ କହୁଛୁ କେହି ଗୋ |୧୯|

 

କାନ୍ତର ସମାଗମ ତୋହର ନାହିଁ ।

କାନ୍ତର ଗୁଣ ଜାଣିପାରିଲୁ କେହି ଗୋ ।

ଚିତ୍ତର ସୁଖଦାତା ହୋଇଲେ ଯେବେ ।

ଅନ୍ତର କରିଗଲେ କାହିଁକି ତେବେ ଗୋ।୨୦।

 

ଅରଜିଲୁ ଯେତେ ତୁ ବିଚିତ୍ର ଲାଭ ।

ବରଜିଲୁ କି କରି ତେଡ଼େ ସୁଲଭ ଗୋ ।

ରାଣ ଦେଉଛୁ କହୁନାହୁଁ ତ ସ୍ୱଚ୍ଛେ ପରାଣସଙ୍ଗୀ

ବୋଲୁଥାଉ କି ମିଛେ ଗୋ ।୨୧।

 

ଛପନ କୋଟି କାମ ଗୋଟିଏ ହେବ ।

ଲପନ ଦେଖିଲେ ତ ମୋହ ପାଇବ ଗୋ ।

ସପନ କି କାହାକୁ ଦେଖିଲି ସହି ।

କମ୍ପନ ହେତୁ ଜାଣିପାରିବୁ କେହି ଗୋ |୨୨|

 

ଧୀରା ହୀରା କଥିତ ସଖୀ ବଚନେ ।

ରସାର ସାର ଯୁବା ଏହି ଶୟନେ ଗୋ ।

ବସି ରସିବାବେଳେ ମୋହୋ ସ୍ନେହରେ ।

ଚଳା ଚଞ୍ଚଳାପରି ଅନ୍ତରଖରେ ଗୋ ।୨୩।

 

ମିତ ଉତ୍ତର କଲା ସପନ ସତ।

ମଣି ରମଣୀମଣି ଏତେ ବ୍ୟଥିତ ଗୋ ।

ବାତ ହାତମୁଠାରେ ହୁଏ କି ଧରି ।

କିଞ୍ଚିତ ଚିତ୍ତରେ ତ ନଭାଳୁ ଗୋରି ଗୋ । ୨୪ ।

 

କୁମୁଦ ମୁଦ ଚିତ୍ର ଚନ୍ଦ୍ର କି କରେ।

ଚିତ୍ର ଚିତ୍ର କଞ୍ଜ କି ତୋଷେ ଭ୍ରମରେ ଗୋ

ଏହି ସେହି ବିଧିଟି ପରସ୍ପରରେ।

ଭ୍ରମେ ଭ୍ରମେଟି ମନ ବୃଥା ଶ୍ରମରେ ଗୋ |୨୫|

 

ରାଧିକା ଧିକ୍‌କାରିଲେ ଛି ଛି ନୟନ ।

ସୁନ୍ଦର ଦରଶନ କଲୁ ତ ଭିନ୍ନରେ ।

ଏ ସଖୀ ପର ପରପଞ୍ଚ ଉତ୍ତର ।

ଶ୍ରବଣ ଶ୍ରବଣରେ ନୋହୁ ବଧିରରେ ।୨୬।

 

ଯା ବିନା ବିନାଶନ ଏ କ୍ଷଣି ହେବି ।

ତା ଭାବ-ଭାବନା କି କରି ତେଜିବି ଯେ ।

ପ୍ରାଣ ବିକିଛି କିଛି ଅଛି କି ମିଛ ।

ସତ ବଳିଲା ଲୀଳା ବୋଲୁଛି ତୁଚ୍ଛ ଗୋ ।୨୭।

 

ହୋଏ ପର ପରତେ ଦେହ ପରାଣ ।

ଆନ ଯେ କିଛି କିଛି ହିତ କିଜାଣ ଗୋ ।

ଯହିଁ ଅଛି ଅଛିଦ୍ର ଲୋଭ ମୋହର ।

ସଖୀବାର ବାରଣ କି କରି କର ଗୋ ।୨୮।

 

ଜାଣ ପରା ତୁମ୍ଭେ ମୋ ହୃଦ ବେଦନା।

ଲୁଚାଇଦେଲ ଗ୍ରାମେ ସାମବେଦନା ଗୋ ।

ସେହି ମୁଁ ସେହି ତୁମ୍ଭେ ଦୁଃଖଛେଦନା ।

ପରିହାସେ ଘେନୁଛି ମୋ ନିବେଦନା ଗୋ ।୨୯ |

 

ଶଙ୍କି ବଙ୍କିମନେତ୍ରୀ ବଚନେ ଆଳୀ ।

ଚିତ୍ତ-ରୁଚିତ ଭାଷା ବୋଇଲେ ଭାଳି ଯେ ।

ପର ପରଚେ ଅତି ଗୁପତ ସିନା ।

ଅଘଟ ଘଟନା ଏ ବିଧି ରଚନା ଗୋ ।୩୦।

 

ନଭପଦକେ ଘୋଡ଼ାହେଲା ଦଇବେ ।

ତୋ ମନୋରଥ ସାର୍ଥ କି ନ କରିବେ ଗୋ ।

ଯେ ଯାର ସେ ତାର କି ହେଲେ ହୋଇବ ।

ଯୋଗରେ ଭୋଗ ସିନା ଘଟନା ହେବ ଗୋ ।୩୧।

 

ବିଶ୍ୱମୋହୀ ମୋହିତକୁ କେ ଭାଜନ ।

ବିଚିତ୍ର ଚିତ୍ରମୂର୍ତ୍ତି କି ତହୁଁ ଆନ ଗୋ ।

ଘନ-ଆଚ୍ଛନ୍ନ ହୃଦନଭ ନକର ।

କହି ସହୀ ସନ୍ଦେହ ବହନ ହର ଗୋ ।୩୨।

 

ଧନିଷ୍ଠା ନିଷ୍ଠା କରି ବୋଇଲା ଚାହିଁ ।

ନ ବିଚାର ପଚାର କାହିଁକି ସହି ଗୋ ।

ଅନା ଅନାମିକାରେ ମୁଦି ସନ୍ତକ ।

ନୀଳ କମଳ ବରସ କେଡ଼େ ମାଦକ ଗୋ ।୩୩।

 

ତାମ୍ବୁଳ ବୋଳ ଗଣ୍ଡ ଚୁମ୍ବନେ ଝଳି ।

ହେମ ଆଳବାଳେ କି ରାଗ କନ୍ଦଳୀ ଗୋ ।

ଦ୍ୱିଜ ପୂଜନେ ଶୋଭା ଓଷ୍ଠ ଅରୁଣ ।

ପ୍ରକଟ କୀଟ ଭେଦ ପ୍ରବାଳ ଗଣ ଗୋ ।୩୪ ।

 

ବର ବରଣ କରି ଦେଇଛି ହାର ।

କେହି ଜାଣିମା ହେଲା କି କି ବିହାର ଗୋ ।

ପରକରି ନକହେ ପ୍ରକଟ ବିଧି।

ଆଉ କଥାମାନ ତ ଗୁପତ ନିଧି ଗୋ ।୩୫ ।

 

ଏବେ ସେ ହୋଇଛି କି ଆମ୍ଭ ମିତଣୀ ।

କାହୁଁ କିକରି ମନ ହୋଇବ ଜାଣି ଗୋ ।

ହୋଇ ପରମ ଶୁଭ ନୋହୁଁ କହିବା ।

ଲାଭର ଭାଗୀ ଆମ୍ଭେ ନିକି ନୋହିବା ଗୋ ।୩୬ ।

 

ସଙ୍ଗୀ ଭଙ୍ଗୀ ବଚନେ ଇଙ୍ଗିତଶାଳୀ ।

ସନ୍ତକ ଅନ୍ତକଲା ବିରସା ବଳୀ ଯେ ।

ନାଥ ଶ୍ରୀହାଥ ମୁଦି ମୁଦିତ କରେ ।

ଶିରେ ଉରେ ଲଗାଏ ମାନ୍ୟ ସ୍ନେହରେ ଯେ ।୩୭।

 

ରସିକା ରସି କାନ୍ତ ଭାବ ଗୋପନେ ।

ରାଗ ସରାଗ ଝଳି ଦିଶେ ବଦନେ ଯେ ।

ଆଶ ନିରାଶ ବଳେ ଅଶ୍ରୁଜନିତ ।

ଧରେ ଅଧରେ କମ୍ପ କୋପ ଘେନିତ ଯେ ।୩୮ ।

 

ଥରକୁ ଥର ଥର ଜାତ ଅଙ୍ଗରେ ।

ତରଙ୍ଗ ରଙ୍ଗ କି ଲାବଣ୍ୟ ସାଗରେ ଯେ ।

ପୁଲକ ତୁଲ ଗାତ୍ର-କ୍ଷେତ୍ରରେ ଆଣି।

କାମ କି ପ୍ରେମ ବୀଜ ଦେଇଛି ବୁଣି ଯେ ।୩୯ |

 

ରଙ୍ଗ ବିରଙ୍ଗ ଶ୍ଵାସ ଓଷ୍ଠରୁ କଲା ।

ଅମାପ ତାପ ରତ୍ନ ଯତ୍ନ ହରିଲା ଯେ ।

ଚିତ୍ର ପତ୍ରକ କଲା ଧଉତ ସ୍ୱେଦ ।

ଦମ୍ଭ ଆମ୍ଭର ଭାଙ୍ଗି ହେଉଛି ଖେଦ ଯେ ।୪୦|

 

ଦେଖି ସଖୀଏ ମନ୍ଦ ନଣନ୍ଦ ଡରେ ।

ବାରି ବାରିଜ ଗନ୍ଧା ବିଥିର ଖରେ ଯେ ।

ହରି ହରିବେ ଚିନ୍ତା ବୋଧି ବୋଇଲେ।

ସାରି ସାରୀ ବାଦିନୀ ନିତିକି ଦେଲେ ଯେ ।୪୧।

 

ଇଚ୍ଛା ଚିକିତ୍ସା ପ୍ରେମ ବ୍ୟାଧିକି ଯେତେ।

ପଚାରି ଉପଚାରୀମାନଙ୍କୁ ମିତେ ଯେ।

ସୁମନାକୁ ସୁମନା ଅଜିରୁଁ ନେଲେ।

ବୀଣା ପ୍ରବୀଣା କରଗତ ନକଲେ ଯେ।୪୨।

 

ପ୍ରେମ ମଞ୍ଜରୀ ସାରୀ-ପଞ୍ଜରୀ ଥିଲା।

କ୍ଷଣେ ଈକ୍ଷଣେ ଆଉ ଦେଖା ନଗଲା ଯେ।

ସାନ୍ଦ୍ର ଚନ୍ଦ୍ର ଆଲୋକ ଆଲୋକ ନାହିଁ।

ଅକ୍ଷ ଗବାକ୍ଷ ଦତ୍ତ ହେବାର ନାହିଁ ଯେ।୪୩।

 

ମଲ୍ଲୀ ପ୍ରେମବଲ୍ଲୀର ଫୁଲେ ଗ୍ରହଣ ।

ଅତୁଲ୍ୟ ଅତୁଲ୍ୟ ଭୂଷଣେ ଯେ।

ଭାବନା ବିନା ନାହିଁ ଭାବାଦି ଭୂଷା।

କେବଳ ପ୍ରବଳତା ସନ୍ତାପ ଦଶା ଯେ।୪୪।

 

କି କିଶୋରୀ ରତନ ଏ ଦଣ୍ଡ ଭଳି।

କି କି କରି ନ ପାରେ ବିଧାତା ବଳୀ ଯେ।

ହା ହା କହି ସାମନ୍ତ ସିଂହାର ଜୀବ।

ଯା ଯା ବାହାରି ଭାବି ଶ୍ରୀରାଧା ଭାବରେ ।୪୫।

 

Unknown

ଦ୍ୱାତ୍ରିଂଶ ଛାନ୍ଦ

ଶ୍ରୀ କିଶୋରୀ ସ୍ୱପ୍ନାନ୍ତ୍ରର କନ୍ଦର୍ପାଦି ନିନ୍ଦା

ରାଗ-ଚିନ୍ତା କାମୋଦୀ,ଧନାଶ୍ରୀ ଦିଶ

 

ଘେନ ହେ ସଜ୍ଜନ

ମାନସ-ମଜନ

ରସିକ ରଞ୍ଜନ ଛାନ୍ଦ।

ସ୍ୱପନ ପ୍ରସଙ୍ଗ

ମନେ ହୋଇ ସଙ୍ଗ

ଭାଙ୍ଗେ ଯୋଗ ଭଙ୍ଗୀ ମୁଦ।

ମାର ମାରଣା ବଶେ।

ଶିବ ଶିବ ଅହର୍ନିଶ ଘୋଷେ।୧।

 

ବୋଲେ ସଦାଶିବ

ହେଲେ ସଦାଶିବ

କି କରନ୍ତା ମାର ଛାର।

ଦହିକଲ ଚିତ୍ତ-

ଜାତ ଏ ଉଚିତ

ନଥିଲା ତ କରିବାର।

ଚିନ୍ତ ଚିତ୍ତରେ ଭଲା।

ଅଙ୍ଗ ଅଙ୍ଗନା ଶରଣ କଲା ।୨।

 

ରଖି ବଡ଼ପଣ

ନୋହିଲେ କୃପଣ

ସର୍ବଜ୍ଞ-ପଣ ତ ଥିଲା ।

ଜଣକୁ ଶଙ୍କର

ବୋଇଲେ ଶଙ୍କର

ବିଶ୍ୱନାଥ ସିଦ୍ଧି ହେଲା।

ଦେବ ଦେବ ବୋଲାଇ।

ବର ବରଦ ନୁହଁ କିମ୍ପାଇ।୩

 

ତୁମେ ତ ତ୍ରିପୁର-

ବିଜୟୀ ତ୍ରିପୁର-

ବିଜୟୀରୁ କାନ୍ତ ମତ।

ହୋଇ ଭୂତପତି

କର ଭୂତପତି

ସଙ୍ଗ ଗୁଣ ଏବେ ଖ୍ୟାତ।

କାନ୍ତ କାନ୍ତ ଗୋରୀର।

ତଲେତ ଲେଶେ ମିତେ ନ କର।୪।

 

ପୁଣି ରସବତୀ

ବୋଲେ ହୈମବତୀ

ଅନୀତି ତୁମ୍ଭେ ନ କର।

ହେଲେ ବାମଦେବ-

ବାମା ବାମଦେବ

ବାମାକୁ କି ପୁରସ୍କାର।

କାନ୍ତ କାନ୍ତ ବରଦା ।

ଲୋକେ ଲୋକେ ପୂଜ୍ୟ ତେଣୁ ସଦା।୫।

 

ବଲ୍ଲଭ ଅନ୍ତର

ହେବାର କାତର

ନୋହିବାରୁଁ ଅନୁଭବ।

ଦୀନ ନିବେଦନା

ଘେନିତ ବେଦନା-

ଛେଦନୀ ଯେବେ ନୋହିବ ।

ଜନ ଜନନୀ ବିଥି ।

ଚିନ୍ତ ଚିତ୍ତରେ କି ହେବ ସିଦ୍ଧି।୬।

 

ପୁଣି ବୋଲେ ବିଧି

କଲୁତ ଅବିଧି

କଉଁ ନିଧି ଅରଜିଲୁ।

ଭୋଖୀ କି ପରଶି

ସୁଧା ଭୁଞ୍ଜି ରସି

ଶିରେ ପବି ବରଷିଲୁ।

ବାତୁ ବାତୁଳ ହେଲୁ।

ଧିକି ଧିକି ଏ ଅନୀତି କଲୁ।୭।

 

କରୁଣା କୃପଣ

ହେଲେ ପ୍ରଭୁପଣ

ଅସୁନ୍ଦର ସରଜିଲୁ।

ଦୀନକରେ ଧନ

ଦେଇ ତ ନିଧନ-

ଦଶା ଦେଇ ହରି ନେଲୁ।

ମାନ ମାନବେ ଜାଣି।

ସେ ବା ସେବା ନ କରନ୍ତି ପୁଣି।୮।

 

ଶେଷଶାୟୀ ବିଧୁ

ଶଶଧର ବିଧୁ

ଈଶ ପାଉଁଶ ମଣ୍ଡନ।

କୃତ ବିବେକତ

ହୋଇଚି ବ୍ୟକତ

କି କହିବା ଆଉମାନ।

ସ୍ୱୟଂ ସ୍ୱୟମ୍ଭୁ କେହି।

ଆନ ଆନତେ ଲାଜ ନାହିଁ।୯।

ପୁଣି ବୋଲେ ମାର

ତୁ ପରା କୁମାର

ବଡ଼ ଲୋକର ବୋଲାଉ।

ଯେ ବୋଲଇ ମାର

ତାକୁ କିପାଁ ମାର

ନିନ୍ଦାକୁ ତ୍ରପା ନ ପାଉ।

ପୁଣ୍ୟ ପୁଣ୍ୟଜନର।

ଆଣି ଆଣି କରୁଛୁ ପ୍ରଚାର।୧୦।

 

କସ୍ତୂରୀ ଦୀକ୍ଷାକୁ

କରୁଛୁ ଶିକ୍ଷାକୁ

ଦାନାନଳ ପ୍ରାୟେ ହେବୁ।

ଜାତସ୍ଥଳ ହତ

କଲେ ତ ଦେହ ତ

କାହିଁ ଆଉ ବିଶ୍ରାମିବୁ।

କଲୁ କଳୁଷ ବନ୍ତ।

ପରା ପରାଣ ମିତ ଶଶୀତ।୧୧।

କଉଁ ଜନକରେ

ନାଶ ଜନକରେ

ତାହା ନିଜ କରେ କଲ।

କଲା ଯେ ପାଳକ

ପୋଷିଲା କାଳକ

ତାର ତନୁ ଭୋଗୀ ହେଲେ।

ଧୀରେ ଧୀ-ରେ ବିଚାର।

ପର ପରମଦ କଉଁ ବର।୧୨।

 

 

ଦଇବ ବଲ୍ଲଭ-

ମେଳକୁ ସୁଲଭ

କରିଥିଲା କୃପା କରି।

ସେ ତୋ ଯୁବତୀକି

ଦିଅନ୍ତେ ମତିକି

ଭିନ୍ନ କଲୁ ଦୋଷ ଧରି।

ବଧୂ ବଧୁ ଏଥିକି।

କାନ୍ତ କାନ୍ତ ପରା ବୋଲିକି କି।୧୩।

 

ପ୍ରାଣୀଙ୍କି ଅସର

ନାହିଁ ଧନୁଶର

ଫୁଲରେ ଧରୁ ଅନଙ୍ଗ ।

ଦେହ ଲୋହ ଅଂଶୁ

ଥିଲେ ଧରି ଅସୁ

ନ ଥାନ୍ତେ ବିରହି ବର୍ଗ ।

ସ୍ମର ସ୍ମରଣ କର।

ଦଣ୍ଡ ଦଣ୍ଡକେ ଦେଲେ ଶଙ୍କର ।୧୪।

 

ଯୁବତୀ ଘେନାଇଁ

ମନକୁ ମନାଇଁ

ଚିତ୍ତଜ ହେଲୁ ଜାଣୁନା।

ଆଉ ତାଙ୍କ ଥରେ

ନୟନ ପଥରେ

ପଡ଼ିଲେ ଜାଣିବୁ ସିନା

ଧୀରେ ଧୀରେ ମାରଣେ।

କୋପ କୋପନାରେ କରୁଁ ଏଣେ।୧୫।

 

ତାତ ଦୀନବନ୍ଧୁ

ତୁ ତ ଦୀବନଧୂ

କଉଁ ସିଦ୍ଧ ରଖିବାକୁ।

ଚକ୍ର ସୁଖ ହରି-

ଥିବାରୁ କି ହରି

ବିନାଶୁ ଚକ୍ର ସୁଖୁକୁ।

ବାମା ବାମାତ୍ୱ ତୋର।

ପ୍ରିୟା ପ୍ରିୟାତ୍ମାରୁ ତାକୁ ବର।୧୬।

 

ପୁଣି ସେ ମାଧବ-

କୁ ବୋଲେ ମାଧବ

ନାମ ମିତ୍ର ତୁମ୍ଭେ ପରା।

ତାଙ୍କର ଦକ୍ଷିଣ

ରୀତିକି ଦକ୍ଷିଣ

ଆଗମନରୁ କି, ତୋର।

ନିତି ନୀତିକି ଅନା ।

ପର ପରତୀତ କି ସୁମନା।୧୭।

 

ଜଗତ ପରାଣ

ବୋଲାଇ ପରାଣ

ନେବାର ବଡ଼ାଇ କେତେ।

ଧନ୍ୟ ପୁଣ୍ୟବଳ

ଭୁଜଙ୍ଗ କବଳ

ଅବଶେଷ ଫଳ ଏତେ।

ସାପେ ଶାପେ କି ଅଛି ।

ସତ ଶତମନ୍ୟୁ ତ ଛାଡ଼ିଛି।୧୮।

 

ପୁଣି ସେ ରାଧିକା

ପ୍ରେମ ଆରାଧିକା

ବୋଲନ୍ତି ଚାହିଁ ଶଶୀକି।

ଲକ୍ଷ୍ମୀ ସହୋଦର

ହୋଇ ଦେଉଦର

କଉଁ ଦୋଷେ ବିଯୋଗୀଙ୍କି

ବୀର ବିରହୀ ନୋହେ।

ବର ବରନା ଦହୁ କି କୋହେ।୧୯।

 

ଅମୃତ କର

ଅକାର ହତକର

କି ପୂର୍ବ ପୂର୍ବେ ରାତିକି।

କି ତୁହି ନକର

କିବା ଦୋଷାକର

ଦେଖାଉ ପରା କୀର୍ତ୍ତିକି।

ଅଙ୍କ ଗତରେ ।

ଯାର ଜାରତ୍ୱ ଗୁରୁପତ୍ନୀରେ ।୨୦।

 

ଜଳଧି ପ୍ରକାଶ

କୁମୁଦ ବିକାଶ

ସର୍ବଦା ଅମୃତବନ୍ତ।

ଭଜି ବିଷ୍ଣୁପଦ

ସୁର ସୁଖପଦ

ଦେବାରେ କୁଶଳ ଚିତ୍ତ।

ବିଧୁ ବିନ୍ଧୁ ନାଗରୀ ।

ଗୁଣ ଗୁଣ ଅଛି ମାର ନାରୀ।୨୧।

 

କାନ୍ତମିତ ମୁହିଁ

ଶୁଣି ଚନ୍ଦ୍ର ମୁହୀଁ

ବିଭାବରୀ ହୋଇଅଛି।

ପଦ୍ମିନୀ ନାମରେ

ମାରୁଛି ଭ୍ରମର

ନ ଚାହୁଁ ତହିଁକି କିଛି।

ତମ ତମରୁଁ ତେଣେ।

କରୁଁ କରୁଣା ଊଣା କି ଏଣେ।୨୨।

 

ପୁଣି ସେ ଭ୍ରମର

ଚାହିଁ ବୋଲେ ମର

ଫୁଲଧନୁ ଗୁଣ ଛିଡ଼ୁ।

କାମ ଅହଙ୍କାର

କଷୁଣି ଟଙ୍କାର

ହୁଙ୍କାର ଝଙ୍କାର ପୋଡ଼ୁ।

ସାର ସାର ସେ ରସୁ।

ଦୀନ ଦନକେ କରୁ କି ଦୋଷୁଁ ।୨୩।

 

ଯେଣୁ ଷଟପଦ

ଦେଣୁ ଶଠପଦ

ସୁନ୍ଦର ମାନଇ ତୋତେ।

ସ୍ୱଭାବ ମଧୁପ

ସକାଶୁ ମଧୁପ

ନାମ ବୋଲନ୍ତି ଜଗତେ।

ଭାବ ଭାବନା ତର୍କି।

ରସ ରସଇ ନାହିଁ କେତକୀ।୨୪।

 

କଳା ବର୍ଣ୍ଣଙ୍କର

ବିପରୀତ କର

ମାତ୍ରାକୁ ଯେ ହେବ ସେହି ।

ଚାଟୁ କହୁଥାଉ

ଚୁମ୍ବ ଦେଉଥାଉ

ମର୍ମ ପୋଡ଼ି ଦେଉ କେହି।

ସାର ସାରସମତି।

ଗୁଣ ଗୁଣ ଜାଣି ନ ଥାଇ ତ।୨୫।

 

ପୁଣି କୋକିଳକୁ

କଥିତ କଳକୁ

ମଧୁର ବୋଲନ୍ତି ପରା।

ସଞ୍ଚିଥିଲୁ ପାଞ୍ଚ-

ସ୍ୱର କରି ପାଞ୍ଚ-

ଶର ମାରିବାକୁ ଧୀରା।

କଳ କଳନା ହେଲା।

କରେ କରେ କେ ଆକାର ଦେଲା।୨୬।

 

କଲା ଯେ ପାଳକ

ବିଧିରେ କାଳକ

ତାହାର ନୋହିଛୁ ଯହିଁ ।

ପର ପରାଭବ

କଉଁ ଅସମ୍ଭବ

କିକରି ବୋଲିବା ତହିଁ।

ମାର ମାରଣା ହୋଇ।

ବଳୀ ବଳିଭୁକ୍‌ ବଳି ଖାଇ।୨୭।

 

ବ୍ୟାଧ ଜଳଧର

ବଧ ଗିରିଧର

ଭେଟ ପାଇବୁ ଅବଶ୍ୟ।

ବକୁଳ ମାଦକୀ

ତୋତେ ପ୍ରମାଦ କି

ଦେବାର ନିର୍ଲ୍ଲଜ ଆସ୍ୟ।

ବିହି ବିହିଛି ଯାହା।

ମନା ମନାକେ କରେ ତାହା ।୨୮।

 

ପୁଣି ସେ ରାତିକ

ଅପୂର୍ବ ନୀତିକି

କହିଲ ନିକି ଗୋ ବୋଲେ।

ଯୁବତୀ ବେଦନା

କଲେ ନିବେଦନା

ଯୁବତୀ ଘେନନ୍ତି ଭଲେ।

ମାନ ମାନବୀ ମୁହିଁ।

ବିଧୂ ବିଧୁରେ କି ନୋହୁ ତୁହି ? ।୨୯।

 

ପୁଣି ସେ ଯୁବତୀ ବୋଲେ

ନିଦ୍ରାବତୀ କଉଁ ଅପରାଧ କଲି।

ନୟନୁ ଅନ୍ତର ହୋଇଲେ

କାତର-ଦଶାନଦେ ଭାସିଗଲି।

କଲ କଲବଲ ତ।

କାନ୍ତ କାନ୍ତ ଭିନ୍ନ ମୃତ୍ୟୁ ସତ।୩୦।

 

ପୁଣି ବୋଲେ ବଧୂ ହା ହା

ପ୍ରାଣବନ୍ଧୁ କରିଗଲେ ଅନାଥିନୀ ।

ପ୍ରଣୟ –ପୋତକୁ ବିଯୋଗ

ବାତକୁ ଭେଟାଇଲା ପଦ୍ମଯୋନି।

ଯାର ଯାର ପୀରତି ।

ତାର ତାର କର ଏ କି ରୀତି।୩୧।

 

ଭାଗ୍ୟ କଳ୍ପତରୁ ଫଳ ଫଳକରୁ

ପୁଣ୍ୟ ଭୋଗକୁ ନଥିଲା ।

ପରାଣ ହରିବା ଭୂମିକା କରିବା

ବିହିଆଣି ଦେଖାଇଲା ।

ଜୀବନ ଯିବ କି ମୋର ।

ଭାଷ ଭାଷଣ ବେଳେ ବନ୍ଧୁର ।୩୨।

 

ରସିକିନୀ ସାର ବୋଲିବେ

ସଂସାର-ଭିତରେ ମଲେ ପ୍ରୀତିକି ।

ଶଶ ଶଶୀବିଧ ହେବ କି ଅବିଧି

ପାଇବି ଶୋଭା ମୂର୍ତ୍ତିକି।

ଅଛି ଅଛିଦ୍ର ଆଶ ।

ନାଶ ନାଶକର ନାହିଁ ତ୍ରାସ ।୩୩ ।

 

ଏମନ୍ତ ସଜନୀ ଶୁଣିଲେ ରଜନୀ

କାନ୍ତ ମୁଖୀକି ବୋଇଲେ ।

ଥିଲେ ବା ଜୀବନ ଦେଖିବୁ ଭୁବନ-

ମୋହନ ମୂରତି ଡୋଳେ ।

ସହି ସହି ବିପତ୍ତି ।

ପାଞ୍ଚ ପାଞ୍ଚଶର ପ୍ରାପ୍ତ ରତି ।୩୪।

 

ଥିଲା ପାଇ ଘଟ ଜାନକୀ

ସଙ୍ଘଟ ରାମ ସଙ୍ଗେ ପୁଣି ହେଲେ ।

କାମ କଳ୍ପତରୁ ଜିଭଛ ଦୁସ୍ତରୁ

କରିବୁ ଅବଶ୍ୟ ବେଳେ ।

ବାଟ ବାଚକ ଧନୀ ।

ମୂର୍ଚ୍ଛି ମୁଁ ଛି ଜୀବନ କଲିନି ।୩୫ ।

 

ସୁତମାଳ ମାଳ ଖତମାଳ

ମାଳ ଦେଖିଥିବାକୁ ମୋ ମନ।

ଯିବ ହୃଦଦକ ମର୍କତ

ପଦକ ଭୂଷଣ କର ବହନ।

ଘନ ଘନ ବରନ।

ଚୀର ଚିର କରି କରଦାନ।୩୬।

 

ଗଲେ ଏ ଜୀବନ କାଳିନ୍ଦୀ

ଭୁବନ-ଶାୟୀ ତନୁ କରାଇବ।

ଜୟ ନବଘନ –ଶ୍ୟାମଘନ ଘନ

ଅନ୍ତକାଳେ ଶୁଣାଇବ।

ଭାଷ ଭାଷଣ ଏତେ।

ମୋହି ମୋହନକୁ ଚିନ୍ତ ଚିତ୍ତେ।୩୭।

 

ଉରେ ଆଉଜାଇ ଲୁଅ ଉପୁଜାଇ

ନିଃଶ୍ୱାସ ବାରନ୍ତି ମିତେ।

ସେକାଳ ଆକୁଳ ମହାସିନ୍ଧୁ

କୁଳ ପାର ପାଇବ କେ କେତେ।

ବାରି ବାରିଜାନନେ ।

ମିତେ ମିତେ ସିଞ୍ଚିଲେ ଚେତନେ।୩୮।

 

ଦରିଦ୍ର ନିଧିକି ଲଭିଲା

ସିଦ୍ଧିକି ପାଇ ଉପଚାର କଲେ।

ଏହି ସମୟରେ ଭାଗ୍ୟ ଉଦୟରେ

ପୌର୍ଣ୍ଣମାସୀ ଆସି ହେଲେ।

ତନୁ ତନୁ ଦେଖିଲେ।

ଆଶ ଆଶୟେ ବର୍ଦ୍ଧନ କଲେ।୩୯।

 

ବୋଇଲେ ଆନନ୍ଦ

ହୋଇଣ ଶ୍ରୀନନ୍ଦ-

ନନ୍ଦନ ତନୁ ସୌରଭ।

କିଶୋରୀ ରତନ

ଅଙ୍ଗରେ ନୂତନ

କାହୁଁ ହୋଇଲା ସୁଲଭ ।

ହରି ହରିଣ ମଦ।

ଆଣି ଆଣିଛି କି ସୁଖପ୍ରଦ।୪୦।

 

ଜାଣି ଭଙ୍ଗି ଭାଷା

ମିତେ ଭାଷି ଭାସା-

ତକୁମ୍ଭ ଗୋରୀ ସାଧବୀ

କସ୍ତୂରୀ ପତ୍ରକ

ହେବାରୁ ଚିତ୍ରକ

ବାସ ପ୍ରସରଇ ଦେବି

ବହ ବହନ ସ୍ନେହ।

ବ୍ୟାଧି ବ୍ୟାଧି ଘାତନାରୁ ଦହ।୪୧।

 

ଶୁଣି ଭଗବତୀ

ଭଣି ରସବତୀ

ବିଶ୍ୱ ବିମୋହିନୀ ପାଇଁ

ଗୋକୁଳ ତ୍ରାଣାୟ

କୁସୁମ ବାଣାୟ

ଧୀମହି ଓଁ ପୂର୍ବେ ଦେଇ।

ଯିବ ଜୀବ ଆରତ।

ମାନି ମାନିନୀ ଭଜୁ ନିରତ।୪୨।

 

ରାମା ଶିରୋମଣି

ସଜନୀଏ ମଣି

ଆନନ୍ଦ ଜାତ ଚିତ୍ତରେ।

ପୌର୍ଣ୍ଣମାସୀ ଗତି

ସ୍ୱପୁରେ ଭଗତି-

ଜନେ ଘେନ ମରମରେ।

ଶ୍ୟାମ ସାମନ୍ତ ମୋର।

ରସେ ରସେ ସାମନ୍ତ ସିଂହାର।୪୩।

 

ତ୍ରୟସ୍ତ୍ରିଂଶ ଛାନ୍ଦ

ଶ୍ରୀକୃଷ୍ଣଙ୍କର ସ୍ୱପ୍ନାନ୍ତରେ ବିଳାପ।

ଚକ୍ରସିଂହାବଲୋକନ । ରାଗ-ବଙ୍ଗଳାଶ୍ରୀ ।

 

ଧୀରେ ଏ ଛାନ୍ଦ ଆନନ୍ଦସିନ୍ଧୁ ଚାନ୍ଦ

ବିଚାରଣା କର ଧୀରେ ।

ଧୀରେ ଭାବନା କଲେ ହୋଉଁ

ଚେତନା ଗୋବିନ୍ଦ ସୁଶୟନରେ।୧।

 

ଶୟନରେ ମୁଁ କି ସ୍ଵପନ

ଦେଖୁଲି ନାଗରୀ ମୁକୁଟ ମଣି।

କୂଟ ମଣିବି କି କରି କୋଳେ

ଧରିଥିଲି ସୁସାର କ୍ଷେପଣୀ ।୨।

 

ସୁଧାର ସେକ୍ଷଣି ହେଲି,

ହରାଇଲି ସୁରବର ସମ୍ପତ୍ତି କି ।

ସୁରବର ସମ୍ପତ୍ତି କି ନ ଲଭିଲି

ପାଇ ତାର ମୁଁ କତିକି ? ୩ ।

 

ତାର ମୁକତିକି ବଚନରେ

ଅଛି ଅମୃତ ରସ ନିଧିରେ ।

ସନ୍ନିଧିରେ ଧୀରେ ଜଣାଣ

ମଣାଣ ନ କଲି ବିହି ବଶରେ ।୪।

 

ସରେ ତା ଗୁଣଗଣ ଭାବି

ଏଥର ଶରଣ ପ୍ରାଏ କାହାର ।

ଏକା ହାର ହୃଦେ ଚାହିଁ ବିବେକନ୍ତେ

ହେଲି ଭାବେ ସୁନାଶୀର ୫ ।

 

ଭାବେ ସୁନାସୀର ଅନୁଗ୍ରହ

ହେଲା ମାରନା କୁସୁମ ଶର ।

ମାର-ନା କୁସୁମ ଶର ଯେ

ବୋଲିଛି ଛି ଛି ବିବେକ ତ ତାର ।୬।

 

ବିବେକ ତ ତାର ତରଣୀ

ତରୁଣୀ ମଦନ ରତ୍ନାକରକୁ।

ରତ୍ନାକରକୁ ଦେଇ କରେ ହରିଲା

କି କହିବା ଦଇବକୁ ।୭ ।

 

ବଙ୍କୁ-ନେତ୍ରୀ କି ମନାଇଁ ନ

ଶୁଣିଲି ସରତେ କିଙ୍କିଣୀବଳା।

କିଣି ବଳରାତି ପଦବୀ

ଦିଅନ୍ତା ସୁଜଘନ କରତୁଳା ।୮।

 

ଘନ ବରତୁଳା ରତ୍ନସାନୁ

ସ୍ତନ ମାନସ ତ ହରିକର।

ମାନସ ତ ହରି କରନ୍ତା

ହରନ୍ତି ଧରି ପାଦ ସାରସର ।୯।

 

ପଦ ସାର ସରଜାକ୍ଷୀ ପଦଚିତ୍ର

ମାତ୍ରକରେ ପରାପତି ।

ପରା ପତିତତ୍ରାଣୀ ସେ ଅଙ୍ଗୀକାରେ

ହୁଅନ୍ତା ଦୀନସମ୍ପତ୍ତି ।୧୦|

 

ପତିତପାପନ ପୁରତେ ବି

ପତି ପରାଥିବୀ ମାନ ସତ ।

ମାନସତ ଇନ୍ଦ୍ର ଅକ୍ଷଭାବେ ଲୋଭୀ

ତନୁ ବସନର କୃତ ।୧୧।

 

ବସନର କୃତଘନ କି ବିହିତ

ଭାସିବି ଭାବି ନିରତେ । ।

ଭାଷିବି ଭାବିନି ରତେ କଣ ମୋତେ

ବାଜୁ ନାଗରା ଜଗତେ ।୧୨।

 

ନାଗରା ଜଗତେ ମୋର ବୋଲ

ହୋଉ ଭୀ ବିଶ୍ଵକେତୁ ରାଜକୁ ।

ତୁ ରାଜକୁମାରୀ ପରିଚାର

କଲେ ସାଜୁଥିବି କବରକୁ ।୧୩।

 

ରଙ୍କୁନେତ୍ରୀ କି ଏ ରୂପେ

ମନାଇବା ସୁଭାଗ୍ୟ ଦିଶୁନାହିଁ ତ ।

ସୁନା ହିଁ ତ ତନୁକାନ୍ତି କି ନୀରସ

ସ୍ତନ ସୁନାଗରିୟା ତ।୧୪।

 

ସୁନାଗରୀ ଆତଯାତ-ଭଙ୍ଗୀ

ସଙ୍ଗୀ ହସିବାର ସୁଗତି କି।

ହଂସୀବାର ସୁଗତି କି କରି ଜିଣେ

ହସେ ହରିର କରୀ କି ।୧୫।

 

ହରିର କରୀକି ଲକ୍ଷ ଗମନକୁ

ଖସିଯାଉ ପଲଙ୍କରୁ ।

ପଲକରୁ ସେ ଚାତୁରୀ ଯାଉନାହିଁ

କେତେ ଅନା କୋଳକରୁ ।୧୬।

 

କରୁଁ ନିଧି ହରାଇଲି ଭାଗ୍ୟ

ଶେଷ କି ପତନରୁ ଚିବୁକେ ।

ରୁଚି ବୁକେ ଶମ୍ଭୁ ସେବା-ଦ୍ରୋହ

ଫଳେ ହେଲି ମୁଁ ଦୀନ ରସିକେ।୧୭।

 

ମୁଦି ନ ରସି କେହି କାହା ସଙ୍ଗତେ

ହରିବା ଆନ ନ ଦିଶେ ।

ହରିବା ଆନନ୍ଦ ଦିଶେ ଦେଖାଇଛି

ସତ ସେ ମାନସେ ଆସେ ।୧୮।

 

ସେ ମାନସେ ଆଶେ କରି

ଭସାଉଛି ତାରୁବେଳେ ଉରୁ କୋଳେ ।

ଉରୁ କୋଳେ ଥିଲେ ସରି ତ-ସାଗରେ

ହସିବି ଅଭେଦ ବଳେ ।୧୯।

 

ବଳେ ତହିଁ କି ହାରକୁ

ଅଙ୍ଗହାର କରିଦେଇଛି ଜୀବନ ।

ଛି ଜୀବନ ଭିନ୍ନ ସହି ରହିଅଛୁ

ନ ଲଭି ସୁ ଦରଶନ ।୨୦।

 

ଭୀ ସୁଦରଶନ କର ହର,

ଦିଅ ସଦାଶିବ ଗଉରୀ କି।

ସଦାଶିବ-ଗଉରୀଙ୍କି ହସିବି କି

କୋଳେ ଧରି ବାନ୍ଧବୀ କି ।୨୧।

 

ଧରି ବାନ୍ଧିବି କି ହେଲା ଦାସ

ସିନା ବାହୁ ପାଶେ ସତତରେ ।

ସତତରେ ରଖୁଥିଲେ ଅକ୍ଷି

ଥିବ ଚାରୁ ଶ୍ରୀମୁଖ ବିଧୁରେ ।୨୨।

 

ଧୂରେ ଥାଇ ଭୃଙ୍ଗ କତିକି

ନିଅଇ ବାସ ପେଷି ପଦ୍ମିନୀତ ।

ପଦ୍ମିନୀ ତ ବନ୍ଧୁ ସେ ରୀତି ନୋହୁଛି

ହେଲା ଭାବି ନିରତ ।୨୩।

 

ଭାବିନୀରତ ତ ବରତନ

ମୋର ଚିତ୍ର ଶ୍ରୀପଦ କିଙ୍କର।

ଚିତ୍ର ଶ୍ରୀପଦ କି କରରେ ଧଇଲେ

ତୁ ସାଗର ଅମୃତର ।୨୪।

 

ଗର ଅମୃତର ଗୁଣକର

ଦୀନ ମଣିଟି ସନ୍ନିପାତରେ।

ନିପାତରେ ମୋର କି ହାନି

ନୋହିବ ସଞ୍ଚିଛୁ ସୁଧା ହାସରେ |୨୫|

 

ଶରେ ସାର ମାର ପରମଣି

ଭ୍ରମେ ନାମ ମାତ୍ର ପଶୁପତି।

ପଶୁପତି ହେଲେ ନ ଥାନ୍ତା କି

ମୋର ଅଙ୍ଗେ ଗଉରୀ ବିଭୂତି।୨୬।

 

ଗଉରୀ ବିଭୂତି ମଣ୍ଡନ

ଭୂଷଣ କରେତ ରଜନୀକର।

କରେ ତ ରଜ ନିକର ମଣ୍ଡି

ହେଲି ଉରେ ତାର ନାଗେଶ୍ୱର।୨୭।

 

ତାର ନାଗେଶ୍ୱର ହୃଦେ ବିରାଜଇ,

ଧୃତ କର କମଳର।

କମଳର ଧୃତକର ମୋର

ପୁଣି ସେ ରିପୁ କନ୍ଦରପର।୨୮।

 

ପର ମୁହିଁତ ହୋଇଛି ତାର

ଏବେ ବୋଲନ୍ତି ସେ ଶଙ୍କରତ।

ଶଙ୍କର ତ ମୋର ନାହିଁ,

ତାହାଙ୍କର ରମ୍ୟ ସୁବାସ ହରି ତ।୨୯।

 

ସୁବାସ –ହରି ତ –ବାସ ମୁଁ

ସେ ଧୃତ ସୁର-ତରଙ୍ଗିଣୀ ବର।

ସୁରତ ରଙ୍ଗିଣୀ ବରଣ

ହାରରେ ଆନ ଧିଆନ ନକର ।୩୦।

 

ଧୀ ଆନ ନ କର କାହିଁକି ନ

ଭାଳ ମୁହିଁସତ ବିଯୋଗୀରେ ।

ବିଯୋଗୀରେ ମୋତେ ଗଣିତ

ମାରୁଛୁ ବନ୍ଧୁ ସାହା ନୋହିବାରେ ।୩୧।

 

ବାରେ ଏ ପରା ଦୁଃଖଦ ହେଲେ

ଧନ ସହିବ କି ବିଦେହରେ।

ବିଦେହରେ ତୁଳା ଶିରୀଷ କି

ତୁଳା ପୂର୍ଣ୍ଣ ସେ ଘନରସରେ ୩୨ ।

 

ସେ ଘନରସରେ ଶରଧୀ

ମୁଁ ହଂସ ବିଚ୍ଛେଦୁ ଦିନ ସରେ କି।

ବିଚ୍ଛେଦୁଁ ଦୀନ ଶରେ କି ଯଶ

ଅଛି ସରେ ଗୁଣି ତିଳକ କି ।୩୩ ।

 

ଗୁଣିତିଳକ କି କରି ଦିନ ନେବ

ଏ ଦାସକୁ ଭାବନାରେ ।

ଭାବ ନାରେ ସହୀ କହିବେ

ଆହୁରି ଘେନିବ କେହି ମନରେ ।୩୪।

 

ନରେଶ ଦୁଲାଳୀ ସେବକ

ବତ୍ସଳୀ ପୁଣି କୃପାନିଧିବର ।

ନିଧିବର ଦେବା ତୁଲ୍ୟ କି ମୋ

ବନ୍ଧୁ ପ୍ରେମ ବିତରଣୀ ସାର ।୩୫ ।

 

ବିତରଣୀ ସାରସାକ୍ଷୀ ମୋର

ନାହିଁ ଭାସିବି ମାର ଜୀବନେ।

ଭାଷିବି ମାର ଜୀବନେ କି

ଦୋଷରେ ମୁଁ ତ କିଙ୍କର ସୁମନେ।୩୬।

 

କିଙ୍କର ସୁମନେ ପରପରା

ବୁଦ୍ଧି ପ୍ରୀତିକି ଏ ପରମାଦ।

ପରମାଦକୀ ପରା ହୋଇ

ବିହ୍ୱଳ ଭାଳନ୍ତେ ଭାଜିଳା ମୁଦ।୩୭।

 

ମୁଦନ୍ତି ଆଖି ଦେଖିବା ଅବା

ପୁଣି ତନ୍ମୟତା ବିଭାବରେ।

ବିଭାବରେ ଚିତ୍ତ ଭିତ୍ତରେ

ଦେଖନ୍ତେ ମଣି ମାନ ସମାନରେ।୩୮।

 

ମାନସମାନରେ ମଜ୍ଜନ

କର ନା ଭାସୁଛି ଜୀବ ଜୀବନ।

ଭାସୁଛି ଯିବ ଜୀବନ ଭାଳୁ

ଭିନ୍ନ ତା ମୂରତି ଆଲୋକନ।୩୯।

 

ରତି ଆଲୋକନ କି ସୁଖ ଭାଳିଲେ

ପାପ କଲୁ ଲୋକନ ରେ।

ଲୋକନରେ ଦେଖି ବଳେ ହେବେ

ଯାର ମୂର୍ଚ୍ଛି ରହିଛୁ ତାହାରେ।୪୦।

 

ହାରେ ଜୀବ ଯାରେ ବନ୍ଧୁଗଲା

ପଥେ ପାଇବୁଟି ସୁଗତିକି !

ସୁଗତି ତେଜି ରହିଛୁ ଅଜିବୁ

ବିଶେଷତ ତ ପତିକି । ୪୧ ।

 

ସତତ ପତିକି ଯୁବତୀ ରତନ

ବିଚ୍ଛେଦ ନ ହେବାର ତ।

ବିଚ୍ଛେଦନ ହେବାର ତ ସାର

ତହୁଁ ଧୀ ବିକା ମନା ମାନତ । ୪୨ ।

 

କାମନାମାନ ତ ଏ ବିଧିରେ

କରୁଁ ହରି ବିଚେତନ

ବିଚେତନରେ ଦେଇ ଯେ ଏ ଛାନ୍ଦ

ଚକ୍ରସିଂହା ବଲୋକନ ।୪୩।

 

କନକାଙ୍ଗୀ ରାଧା ଘନଶ୍ୟାମ

କୃଷ୍ଣ ଯୁଗଳ ପଦ ସାରସେ।

ରସେ ଅଭିମନ୍ୟୁ ସାମନ୍ତ ସିଂହାର

ମନ ଅଳି ଅଧୁରସେ |୪୪|

 

ଚତୁସ୍ତ୍ରିଂଶ ଛାନ୍ଦ

ଶ୍ରୀକୃଷ୍ଣ ସ୍ଵପ୍ନାନ୍ତର ବିଳାପ।

ଏ ଛାନ୍ଦ ପଦଭିନ୍ନ ନିୟମ, ରାଗ-ଧନାଶ୍ରୀ ।

 

ବିରୋଧାଭାସ ।

ଧୀରେ ଅଧୀରେ ଗୋବିନ୍ଦ ଥିଲେ ଶୟନରେ

ଚେତ ଅଚେତ ଭାଜିଲା ପ୍ରାତ ପବନରେ।

ଭାଷନ୍ତି ବିଭାଷନ୍ତି ଅଙ୍ଗନା ବର ଘେନି।

କାମ ନିଷ୍କାମରେ କିପାଁ କରୁ ଦୀନ ଗ୍ଲାନି ।୧।

 

ବିରୋଧାଭାସ ।

କାନ୍ତଗତିଅଛି ତ ନାହିଁ ତ କାନ୍ତ ଗତି ।

ଇଚ୍ଛଇ ମୁରତି ତ ନ ଇଚ୍ଛଇ ମୁଁ ରତି ।

ଅଛି ଧିଆନରେ ବନ୍ଧୁ ନାହିଁ ଧୀ ଆନରେ।

ଭାଷେଁ ଅନାଥରେ ମୁଁ ନ ଭାସେ ଅନାଥରେ ।୨।

 

ରୂପକ

ଧନ-ମୁଖ ଚନ୍ଦ୍ରମାକୁ ମୋ ନେତ୍ର ଚକୋର।

ପଦ –ସାରସ-ମଧୁକୁ ମାନସ ଭ୍ରମର।

ମୁଁ ଦୀନକୁ ସେ ଧନ ଅଛଇ ମନେ ଭାବି

ବର ସଫଳ କୃତକୁ ସେହି ମହାଦେବୀ।୩।

 

ମହାରୂପକ

ଦେହ ପଞ୍ଜରୀ ପରାଣସାରୀ ଜୀବା ତୁ ସେ।

ମନମୀନ ପ୍ରେମବନ ବର୍ଦ୍ଧନୀ ଆଭାସେ।

କାମ ତାପ କୃପା ଗଙ୍ଗା କୁଚ ଶିବେ ଅଛି।

ରସ ରତ୍ନ ମାନ କୋଷ ନିଧାନୀ ମଣିଛି।୪।

 

ମହାମହା ରୂପକ।

ଘନ ରସଦାନୀ ପ୍ରେମ ସାଗରୀ ନାଗରୀ।

କଳାନିଧି ଶୁଚି ପଦ ବର୍ଦ୍ଧନେ ଶର୍ବରୀ ।

ପରମାନନ୍ଦ ସୁଖକୁ ଦେବାରେ ସେ ଶିରୀ ।

କଞ୍ଜନେତ୍ର ରୋଚନକୁ ସତତ ଗଉରୀ।୫।

 

ସଭଙ୍ଗ ଶ୍ଳେଷ।

ଚିନ୍ତାମଣି ଲିଭିବାର ହେଲା ଅର୍ଥ ଭିନ୍ନ ।

ଭାବିନୀ ରତନ ଲଭିଥିବାରୁ କି ଦୀନ।

ମନ୍ଦାକ୍ଷରେ କାହା ମୁଖ ଚାହିଁବୁ ସେ ନାହିଁ।

ଧୀ ଆନରେ ତା ପରା ରସିବୁ ଅବା କାହିଁ।୬।

 

ଅଭଙ୍ଗ ଶ୍ଳେଷ।

ଭାବବତିଶ ଲକ୍ଷଣା ସୁର ତରଙ୍ଗିଣୀ।

ଶୁଚି ପଦଦା ସେହି ତ ବି ବନ୍ଦିତା ବାଣୀ।

ମନୁ କେତେ ଯିବ ଗୁଣି ତିଳକ ନାକରେ

ନାଗରମଣି ଶ୍ରୀପଦଦାହି ସେ ଲୋକରେ।୭।

 

ଭଙ୍ଗାଭଙ୍ଗ ଶ୍ଳେଷ ।

ଦିନତାପ ବିନାଶନ ପାଇଁ କି ସେ ହରି।

ଉଜ୍ଜ୍ୱଳ ତ ନୋହୁଛି ଅଛି ତ ବିଭାବରୀ

କୁମୁଦକାରୀ ସତ ବିଚ୍ଛେଦ ତମବାର

ସର୍ବ ଶରୋଧାର୍ଯ୍ୟ ପୁଣି ଆହାଲାଦକାର ।୮।

 

ସ୍ତବକିତ ଚାରିଅର୍ଥ ।

ରାମ ନୟନାନନ୍ଦଦା କୁଧଇରଜା ତୁକି।

ବିଭାବେ ସାରଙ୍ଗ ବିମୋଦନା ନୋହିବୁ କି ।

ହରିକରେ ନାଗର କି ମୁଦ ହେବ ନାହିଁ।

ସୁମଦସରେ ସାରଙ୍ଗ ରଞ୍ଜନକୁ ବିହି।୯।

 

କୁସୁମିତ ତିନି ଅର୍ଥ ।

କଳାବନ୍ତ ଛବିଧର ପ୍ରିୟା ନ ରୁଚଇ।

ଅମୃତ ପରାପତି କି ତାପ ବିମୁଞ୍ଚଇ।

ରସନା ବାଦନ ବିନା ଆନନ ଇଚ୍ଛଇ।

ହରିଚନ୍ଦନ ଦାତା କି ଆହ୍ଳାଦେ ମଣଇ।୧୦।

 

ବକ୍ରିତ ଶେଷାନ୍ତର ଶ୍ଳେଷ ।

ଭାବେ ହରି ଆନନକୁ ବିମନ କୁମୁଦ ।

ହରି ଭାବେ ବାଧର କି କାରଣି କୁମୁଦ ।

କୁମୁଦ କରି ସୁଗତି ବହୁ ହରି ପଦ ।

କୁମୁଦ କରି ସୁଗତି ହରି ଇଚ୍ଛୁ ଖେଦ ।୧୧।

 

ଲକ୍ଷଣା ଶ୍ଳେଷ ।

ମନ୍ଦାର ଅଧର ଚଳିବାର ତ ଦେଖିଛି ।

ପୟୋଧର ଅମ୍ବର ଆଚ୍ଛନ୍ନେ ବିରାଜିଛି ।

ଘନରସ ବୃଷ୍ଟି କାହିଁ ପାଇଁ ହଉନାହିଁ ।

ବିଦେହ ତାପ ବିଲୋପ ହେବ ବନ୍ଧୁ କେହିଁ ।୧୨।

 

ଏକ ପଦ ଶ୍ଳେଷ ନିରର୍ଥକ ।

ଶର ବ୍ୟୟ କରୁଛି ପାମର ମାରଉର।

ଚିନ୍ତା ବ୍ୟାକୁଳ ଆକୁଳ ତାପ କୁଳବର ।

ସୁରସ ଭାବନା ବିନା ଜୀବିକାତ ନାହିଁ ।

ସମଦଶା ଘେନି ଦୁଃଖୀ ମିତ ମୋର ତୁହି ।୧୩।

 

ବ୍ୟଙ୍ଗଶ୍ଳେଷ ଅପ୍ରୟୋଜନାର୍ଥ ।

ସୁରସ ନିଧିରେ ଦାସ ଆସ ବୋଲୁ ନାହୁଁ ।

ଦର୍ପକର ଶରେ ଛେଦି ଦେଲି ଚାହୁଁ ଚାହୁଁ ।

ଭାବରେ-ଧନୀକି ପାଇ ହେଉଛି ମୁଁ ଦୀନ ।

କୃତାର୍ଥ ପଦବୀ ଥରେ କରୁକିନା ଦାନ ।୧୪।

 

ଅବନା ।

ମଦମତ୍ତ ଉନ୍ନତ-ଗଜ-ମସ୍ତକ ବତ ।

ଉଲଟ ତବଲ ରମ୍ୟ ମଣ୍ଡପତ ସତ।

ଦନ୍ତଶଠ କରକ ରତନ ଧର ଯତ୍ନ ।

ପ୍ରକଟ କନକ ଘଟ ଘଟନ ତ ସ୍ତନ।୧୫।

 

ବନା

ଧୀରେ ଧୀରେ ବେଳେ ଦେଖେ ଛାତିକି ମୋ ଯୋଖି ।

ଦିଶେ ଦିଶୁ ଆସୁନାହିଁ କି ଦୋଷେ ସୁମୁଖି ।

ଭାବେ ଭାବିନୀ ଭାବିଛି ମୁଁ ତ୍ରାହି ହେବି ।

ନାଶିଲେ ତୁ ମୂରୁଛି ବା ମୁଁ କେହି ପାରିବି।୧୬।

 

ସରୋଷ୍ଠକ

ଭାବି ମୁଁ ମୋ ପାପେ ଭବ-ବାମ ଭାବେ ଭ୍ରମେ ।

ଭୀମଭୀ ବିଭବି ବପୁ ଭା ଭାବି ବିଭ୍ରମେ।

ବିବପୁ ଭବ ବାପା ମା ପ୍ରେମେ ମୋ ବିଭାବ ।

ଭବେ ପୂର୍ବଭୂପ ବୈଭବ ପ୍ରାଭବ ଭାବ।୧୭।

 

ବିମ୍ବର ନିରୋଷ୍ଠକ।

ଚରଣ ଶରଣ ରଣ ରଣ ଦରହର ।

ଯତନ ରତନ ଘରସ୍ତନ ତ ରଙ୍କର ।

ଅଙ୍ଗ ଅନଙ୍ଗର ଶର ସଦନ ତ ସତ ।

ନୟନ ଦର୍ଶନ ଜନ ରଞ୍ଜନ ସତ ତ ।୧୮।

 

ପୁନରୁକ୍ତି ବଦାଭାସ ।

ରାଜ-ନୃପତି ନନ୍ଦନ ସହଜେ ତୁ ପରା ।

ତନୁ ଅଳ୍ପଦାନରେ କୃପଣ ନୁହ ଧୀରା ।

ସ୍ମର ଦର୍ପକର ଶରେ ମରାଇ କି ଯଶ ।

ପର ଶତ୍ରୁକୁ କେବେହେଁ ନ ଦେଇ ପୌରୁଷ ।୧୯।

 

ପୁନରୁକ୍ତି ପଦାଭାସ ।

ହରିବାର କରତାପ କମଳ ନାଶଇ ।

ହରିବାର କରକୃପା ତାପ ବିନାଶଇ ।

ହରି-ବାରଣ ସୁଗତି, ବୋଲନ୍ତି ସମସ୍ତେ ।

ହରି ବାରଣ ସୁଗତି କରିବୁ କେମନ୍ତେ |୨୦|

 

ତର୍କ ସନ୍ଧି ।

ଭାବି ନିରତରେ କାମିନୀ ରତରେ ମନ ।

ଜୀବ ନ ଯିବ ଅପୂର୍ବ କୃପା କଲେ ଧନ ।

ମୀନ ନୟନ କୁମୁଦ ଦାସରେ କି ଭାବ ।

ବିରହେ ବିରହୀ ଧ୍ୟାନ ଅଛି କି ନ ହେବ ।୨୧।

 

ଲକ୍ଷଣା ତର୍କ ।

ସମୀର ମଧ୍ୟ ଇକାର ହରି ଇଚ୍ଛା କରି ।

ଅନଳ ମଧ୍ୟରେ ଦେଇ ପେଷିଛୁ କି ଗୋରୀ।

ଅବଧିତ ଅବଧି ତ କଲୁ କାହିଁ ପାଇଁ ।

ଅମୃତ ଆଦ୍ୟରେ ପରା ବନ୍ଧୁ ଅଛୁ ଦେଇ ।୨୨।

 

ଶ୍ଳେଷ ରୂପକ ଛଳାଶୟା-

ଭାସ ଶଙ୍କର ।

ସୁନାସୀର ଦାସ ନିକି ଧନ ବିନା କ୍ଳେଶୀ।

ଘନରସଦା ତୁ କାମ ଦହେ ପ୍ରେମ କୃଷି।

ନାଗର ମରି ତ ମଧୁ ମଧୁକର ବତ।

ସୁର ତରୁଣୀ ମୋହିତ ଧନି ତୁହି ସତ।୨୩।

 

ବିତିତ୍ର ଲକ୍ଷଣା ।

ଆସ୍ୟ କଞ୍ଜେ ବସା ନେତ୍ର ଖଞ୍ଜରୀଟ ଯୁଗ।

ଦେଖି ଭାଳେ ଅଙ୍ଗ ଦେଶ ହେବ କି ମୋ ଭୋଗ।

ଘଞ୍ଚ ଉରଜ ବସତି ତହିଁରେ ତ ଭାବି ।

ଗଉରୀ ପ୍ରସନ୍ନେ ଶିରୀ ଭୋଗୀ କି ନୋହିବି।୨୪।

 

ଲକ୍ଷଣା ।

ଅନୁଗତେ ଅହି ଭସ୍ମ ବହନ୍ତି ଶଙ୍କର।

ଭ୍ରମେ ବରୁଁ ଗଙ୍ଗା ପତ୍ନୀ ଶାୟନ୍ତାନୁଙ୍କର।

ମିତ୍ର କାନ୍ତ ଅଛି ଭୃଙ୍ଗେ ପଦ୍ମିନୀର ପ୍ରୀତି।

ଅନୁଗତ ଅଙ୍ଗୀକୃତ ଧୀରେ ତ ପାଳନ୍ତି।୨୫।

 

ଦୃଷ୍ଟାନ୍ତର।–

ଆଶ ନାଶ ଦୋଷ ଶଶିଅଙ୍କେ ଅଛି ଦେଖ।

ଚନ୍ଦ୍ର ଚକୋରାଶା ପଦ୍ମ ଭୃଙ୍ଗରେ ନ ଲେଖ।

ବନ ବିନା ମୀନ ଦିନ କ୍ଷୀରେ ସରେ ନିକି।

ପବି ଥିଲେ ଘନ ଆଶା ଚାତକ ତେଜେ କି ।୨୬।

 

ଲକ୍ଷଣା ଉପମା ଦୃଷ୍ଟାନ୍ତର-

ରୂପକ ସଙ୍କର।

ନେତ୍ର ଶର ଘାତେ ହୃଦ ବ୍ୟଥା ରୋଗୀ ମୁହିଁ।

ଚୁମ୍ବକେ ବାହାର କର ଲୋହ ଫଳ ସହି।

ନିରୁଜ ହୋଇବି ମୁଁ ଅଧରାମୃତ ପାନେ

ସ୍ତନ ମାତୁଲଙ୍ଗ ଅଛି ଭୋଗ ବିରୋଚନେ।୨୭।

 

ଆଶୟ ଉପମା ।

ମୁଖ ନେତ୍ର ଓଷ୍ଠ ରଦ ଗଣ୍ଡ ସୁଚିବୁକ।

ଶ୍ରୁତି କେଶ ବାସ ସ୍ତନ ପାଦ ପାଣି ନାକ।

ଜାତ କାନ୍ତି ମିତି ସୁମନସରେ ପୂଜିତ ।

ସାରଙ୍ଗ ସଙ୍ଗ ରଙ୍ଗକୁ ବାର୍ଦ୍ଧିନୀ ନୋହୁତ।୨୮।

 

ଚତୁର୍ବିଧ ସଙ୍କରାଦ୍ଭୁତ।

ଅବ୍‌ଜରସଭୋଗୀ ହେବେ ଭ୍ରମର ଚକୋର ।

ଅବ୍‌ଜ ପୂଜନେ ଶୋଭନ ହେବେ ସର୍ବସୁର।

ଅରୁଣ ଲୋକନେ ମୁଦ କୁମୁଦ ହୋଇବ।

ବିପରୀତ କଥାରେ ସୁଗତି ନ ମିଳିବ।୨୯।

 

ଅଦ୍ଭୁତୋପମା।

ଲତାରେ ଫଳିଛି ବେନି ଶଇଳ ସୁଫଳ।

କମଳରେ ବହୁଅଛି କାଳିନ୍ଦୀର ଜଳ ।

ବିଧୁରୁ ଅରୁଣ ଅରୁଣରୁ ବିଧୁଜାତ ।

ତାପୁ କମ୍ପୁ କମ୍ପୁ ସ୍ୱେଦ ଦେଖି ବିଜନିତ ।୩୦।

 

ଅପଶଦ୍ଦାଭାଷ।

ସୁକରଜା ତନୁ ଭୋଗ ହରିଲାତ ବିଧି।

ସେ କୁକର ହୋଇ କଲା ଏଡ଼େ ମନ୍ଦବୁଦ୍ଧି।

ଦାନବର ପତି ପଦ ଦେଇ ନେଲା କେହି।

କିସ ସ୍ୱଭାବକୁ ତା ପ୍ରଶଂସିବି ସୁମୁହୀଁ ।୩୧।

 

ମହାଯମକ ।

ରମ୍ଭା ଉରୁବଶୀ ବାର ଆଣି କି ଲୋକରେ ।

ରମ୍ଭା ଉରୁ ବସିବାର ଆଣିକି ଲୋକରେ।

ଖରେ ହଂସ ଗତି ରହେ କାନ୍ତ ଆଲୋକରେ ।

ଖରେ ହଂସଗତି ରହେ କାନ୍ତ ଆଲୋକରେ ।୩୨।

 

ସର୍ବଯମକ ।

ବିଭାବରେ ହରିବର ସୁମନର ଶରେ ।

ବିଭାବରେ ହରିବର ସୁମନ ରସରେ ।

ବିଭାବରେ ହରିବର ସୁମନର ଶରେ।

ବିଭାବରେ ହରିବର ସୁମନ ରସରେ ।୩୩।

 

ଛଳ-

ଭୂରେ ପ୍ରଭୁର କି ଯଶ ଦାସରେ କ୍ଳେଶରେ ।

ରସିକିନୀ ହସିବେଟି ଆଶ ବିନାଶରେ ।

ଜୀବଧନ କରିବାର ପାଇଁକି ବାଞ୍ଛିତ।

ଜୀବଧନ କରି ନେବା କୁଇଚ୍ଛା ଅଛି ତ ।୩୪।

ଗୁରୁ ଲଘୁ ବର୍ଣ୍ଣାଭାସ।

ବର୍ଣ୍ଣ ସ୍ୱର୍ଣ୍ଣ ମୂର୍ତ୍ତି ବୃତ୍ତି ଅଛଇ ଯୁଗତେ ।

ବ୍ୟର୍ଥ ଅର୍ଥ ପୃର୍ଥୀ ଅର୍ଥୀ ହୁଅନ୍ତି ଜଗତେ ।

ବିଷ୍ଣୁ ଜିଷ୍ଣୁ ଭର୍ଗ ସର୍ଗ ତୁଚ୍ଛ ବନ୍ଧୁ ଭୋଗେ।

ଭକ୍ତି ମୁକ୍ତି ଅଳ୍ପ କଳ୍ପଲତା କୃପା ସଙ୍ଗେ ।୩୫।

 

ସ୍ୱର ସଂଯୋଗାଭାସ ।

ଅକ୍ଷ ଆକ୍ଷେପରେ ଈଶ ଇତସ୍ତତ ହର।

ଉରୁ ଉଜ୍ଜ୍ୱଳକୁ ରୁଚିରୂପା ଦାନକର।

ଲୁଟି ଲୁବ୍‌ଧି ଏକ ଐକ୍ୟ ଭାବନାକୁ ମନ।

ଓଜ ଔଷଧି ଅଙ୍ଗରେ ଅଛି କର ଦାନ ।୩୬।

 

ଉପମା ବୈଚିତ୍ର୍ୟ ।

କାନ୍ତି ଗୁଣରେ ଗଉରୀ ହେବ କି ଯତନ।

ମଧୁରକୁ ଘେନି ସୀତା ନୋହିବ ସମାନ।

କାମ ବିନୋଦରେ ରତି ହେବ କି ରଞ୍ଜନ।

ଲାଳିତ୍ୟରେ ବାଣୀ ଆଣି କେତେକ ଶୋଭନ ।୩୭।

 

ଅନ୍ତର୍ଲିପିନ୍ୟାସ।

ଚାରି ବେଦନାମ ତିନି ବର୍ଣ୍ଣେ ବିରଚନା ।

ମଧ୍ୟ ଦାନ କଲେ ସେ ମୋ ଚାରିବର୍ଗ ସିନା ।

ଚାରି ଦେବୀ ନାମ ଏହି ବିଧିରେ ବିଧାନ।

ବିତରଣୀ ହେଲେ ହବେ କେ ମୋର ସମାନ।୩୮।

 

ବହର୍ଲିପି ।

ସୁଦରଶନ –ବହକ ବିନା ଗତି କାହିଁ।

ଅପୂର୍ବ ବାଞ୍ଛିତ ପଦାର୍ଥହି ଅଛି ତହିଁ।

ବିମୁଦନ ନାନାପରି ପ୍ରସଙ୍ଗେ ହୋଇବ।

ଅସ୍ତ ବ୍ୟସ୍ତ ବର୍ଣ୍ଣ ହେଲେ ଭାବ ଜଣାଯିବ ।୩୯।

 

ଶୃଙ୍ଖଳା ସିଂହାବଲୋକନ ।

କଞ୍ଜ ଚନ୍ଦ୍ର ଦରପଣ ବଦନ ରଞ୍ଜନ।

ଜନ ହରଷ ଜନକ ବର ପରସନ୍ନ।

 

ଅବନା ।

ସନକ-ମନ –ବଶକ ସଦନ ତ ହସ।

ହଂସ ଗମନ ରଖଇ ଦଶନ ତରାସ ।୪୦।

 

ମଣ୍ଡୁକପ୍ଳୁତ ଶୃଙ୍ଖଳା ।

ବର ବାରଣ ଗମନା ମନାଉଛି ଅନା ।

ଅନାୟତ୍ତରେ ସୁମୁହିଁ ମୁହିଁତ ବିମନା ।

ମନାକ କରୁଣା କର କରକ ଦଶନା ।

ସନାଥ ହେବି ନିରତେ ରତ ପାଇ ସିନା ।୪୧।

 

ଗଙ୍ଗା ସ୍ରୋତାଧିକାର ଶୃଙ୍ଖଳା।

ବରରସ ସର ରସା ସାରରସ ସହି ।

ହିତତ ସେ ସେବିବି ଭୀ ଭୀ ବ ବତ ତହି ।

ହୀନନର ରସ ସଦା ଦାସ ସଦା ଦାହି ।

ହିତେ ତେବେ ବେଶେ ସେବି ବୀର ରସେ ସେହି ।୪୨।

 

ସର୍ବାଙ୍ଗ ପାଦ ଶୃଙ୍ଖଳା ।

ସାରଙ୍ଗ ରଙ୍ଗତ ଗତରୁ ତରୁଣୀ ଋଣୀ ।

ବିତ ପତପର ପରମ ରମଣୀ ମଣି ।

ଧନିର ନିରତ ରତ ରତର କରକ ।

ବିହିତ ହିତହି ତହିଁର ହୀରକ ରଙ୍କ ।୪୩।

 

ବର୍ଣ୍ଣାର୍ଥ ବୈଚିତ୍ର୍ୟ ।

ଗଞ୍ଜନରେ ସଂହନନ ଭୀଦ କଞ୍ଚନରେ ।

ପଟରେ ଅଲକ୍ଷ ଉମା ମାତତ ବଡ଼ ରେ।

କଚଟତପ ଗଜଡ଼ଦବ କଲେ ଅର୍ଥେ।

ଗଜଡ଼ଦବ କଚଟତପ କଲେ ଅର୍ଥେ ।୪୪।

 

ଭାଷାର୍ଥ ବୈଚିତ୍ର୍ୟ ।

ଭାବାର ଧନ ଭାବନ୍ତି ଅବିରତେ ତାହି ।

ଅଭିମନ୍ୟୁ ଏ ଭାବନା ତେଜିବ କି କେହି।

ପାଞ୍ଚ ଚତୁର ଏ ଛାନ୍ଦ ଗଣନା ଏତିକି ।

ବାଳିଶ ଭାବ-ସମୁଦ୍ର କଳିବେ ସେ ବାକି ।୪୫।

 

ପଞ୍ଚତ୍ରିଂଶ ଛାନ୍ଦ

ବର୍ଣ୍ଣାର୍ଥ ବୈଚିତ୍ର୍ୟ, କୃଷ୍ଣ ବିଳାପ, ମିତ୍ର ଭକ୍ତି ।

ରାଗ-ଚକ୍ରକେଳି।

 

ଏକ ବର୍ଣ୍ଣାନୁପ୍ରାସ

ସନ୍ଥ ଜନେ ଘେନ ଏ ଦିବ୍ୟ ରସ।

ସଖା ଶୁଣି ଗୋବିନ୍ଦ ଚିନ୍ତାଭାଷ।୧।

 

ଦ୍ୱିବର୍ଣ୍ଣାନୁପ୍ରାସ‌

ତର ନ ସହି ଇଚ୍ଛନ୍ତେ ଉତ୍ତର।

ତରକିଲେ ଦେଖି ମହାକାତର।୨।

 

ତ୍ରବର୍ଣ୍ଣାନୁପ୍ରାସ

ଭାବରଙ୍କ ଅଙ୍ଗେ ଦଶା ଭାବର।

ଆଶାରସେ ନେତ୍ରୁଁ ଜାତ ଆସାର।୩।

 

ଚତୁର୍ବର୍ଣ୍ଣାନୁପ୍ରାସା।

ହାସ ବଦନେ ନାହିଁ ହାଶବଦ।

ଯେ କୁମୁଦନ୍ତି ସେ ଭଜେ କୁମୁଦ ।୪।

 

ପଞ୍ଚାକ୍ଷରାନୁପ୍ରାସ

କାମିନୀ ରତେ ସେ କାମୀ ନିରତେ।

ଭାବର ଚିତ୍ତେ ସୁଭାବ ରଚିତେ।୫।

 

ଉପମାତ୍ରାନୁପ୍ରାସ

ମିତେ ପୁଚ୍ଛିଲେ କହ ଏ କି ବାକ୍ୟ।

ଏତେ ଦୁଃଖଦ ହେବାକୁ କେଶକ୍ୟ।୬।

ବିଶ୍ୱ ମୋହିତ ଯାକୁ ନୋହେ ଚିତ୍ର।

ଧୃତିହାରୀ କି ତାର ରାମା ମାତ୍ର।୭।

 

କ୍ଲିଷ୍ଟ କ୍ଳିଷ୍ଟରେ ଗୋବିନ୍ଦ କଥନ ।

କ୍ଳେଶ କି ବୋଇ ଯାଉଛି ଜୀବନ ।୮।

 

ବ୍ୟାଧି ବନ୍ତର ବାଞ୍ଚା ମଉଷଧି ।

ବ୍ୟକ୍ତ କରି ଭେଟାଇ ଥିଲା ବିଧି ।୯।

 

ନବ ନାଗରୀ ପ୍ରେମସୁଧା ସଦ୍ମ।

କୋଳେ ଥିଲା ଏକ୍ଷଣି ହେଲା ଛଦ୍ମ ।୧୦।

 

ନେତ୍ର ଭ୍ରମର ମୁଖ କଞ୍ଜେ ମଗ୍ନ।

ଚିତ୍ତ ସରଘା ରସପାନେ ଭଗ୍ନ ।୧୧।

 

କୃତ ସୁକୃତ ଏତ ମିତ ଗିର।

ବୃଥା ଚିନ୍ତା ସ୍ୱପ୍ନକୁ ଏତେ କର।୧୨।

 

ପ୍ଳୁତ ଭଙ୍ଗୀ ସଙ୍ଗୀର ଜାଣି ହରି।

କ୍ଳୁପ୍ତ ଯୋଗଭଙ୍ଗୀ ଭାବ ସୁମରି।୧୩।

 

ଶଶ ଗାଲିକାଣ୍ଡ ଦଣ୍ଡ ପ୍ରମାଣି।

ଯା ଯା ତା ଗଲାପଥେ ପ୍ରାଣ ଭଣି।୧୪।

 

ଛି ଛି ଏହା ବୋଲଇ ମିତେ ଭାଷି।

କୁକୁନ୍ଦର ଶୋଭିନୀକି ମନାସି।୧୫।

 

ସେ ସେନେହ ମିଳିବ ଥିଲେ ଜୀବ।

ବୈ ବୈଶ୍ରବଣ ବିଭୂତିକି ଦେବ।୧୬।

 

ଗୋ ଗୋଷ୍ଠକୁ ଚାଲ ବସି ଭାଳିବା।

କୌ କୌଶଳା ସେ କି କରି ଜାଣିବା।୧୭।

 

କଙ୍କଣକୁ ନ ତେଜ ମଧୁଭଣି।

କଃ କଂ କଞ୍ଜାକ୍ଷ କଲେ ଶୁଭ ଆଣି।୧୮।

 

ବର୍ଗାନୁପ୍ରାସ

କଞ୍ଜନୟନ ଅଛି ହୃଦେ ହାର।

ଚମତ୍କାର ଏ ସ୍ୱପ୍ନ ଅଙ୍ଗୀକାର।୧୯।

 

ଟଳିଅଛି ଏଥି ପାଇଁ ଧୀରତି।

ତଥ୍ୟ କାହୁଁ ଘେନନ୍ତା ଆମ୍ଭ ମତି।୨୦।

 

ପରପରା ଆମ୍ଭ ଗିର ନ ଧର।

ଖରେ ବୃନ୍ଦାବନକୁ ବିଜେ କର ।୨୧।

 

ଛଳି ଛଇଲ ବର କୁଞ୍ଜେ ନେଲେ ।

ଠକପଣେ ହାରକୁ ଚିହ୍ନାଇଲେ।୨୨।

 

ଥୟେ ଜାଣିଲେ ଯେ ହାର ଯାହାର।

ଫରଚାର ନ ବୋଇଲେ ଉତ୍ତର।୨୩।

 

ଗତାଗତ ନେତ୍ରରେ ଠରା ଠରି।

ଯତ୍ନେ ଜାଣି ସୁବଳ ଲାଜ କରି।୨୪।

 

ଡକା କରୁଛି କାମ କୃଷ୍ଣ ଭାଷି।

ଦହି ହେଲିଟି ରଖ ସଖା ରାଶି।୨୫।

 

ବଚ ବାଚକ ମଧୁ ମଧୁରରେ।

ଘନ ରସଦା ମନ୍ତ୍ର ଘୋଷ ଖରେ।୨୬।

 

ଝସ ନୟନା ବିନା କବଚରେ।

ଢମ ଆନ ଉପାୟ ସବୁ ଭୂରେ।୨୭।

 

ଧର ଧର ଉପଦେଶ ପାଇଲେ।

ଭଙ୍ଗୀ ଭାବରେ ଅଙ୍ଗନ୍ୟାସ କଲେ ।୨୮।

 

ଉଙ୍କାରିଲେ ଓଁକାର ରତିବୀଜ।

ନ୍ୟାସି କାମ ଗାୟତ୍ରୀକ ସହଜ।୨୯।

 

ଣ କାରକୁ ଦେବତା ମୂଳ କଲେ ।

ନମୋ ଗଉରୀ ରୂପଧ୍ୟାୟୀ ହେଲେ।୩୦।

 

ମନ ମୁଦ୍ରା ମଦନ ୠଷି ଛନ୍ଦ।

ଅକ୍ଷମୟୀ ନ୍ୟାସ ଆସନ ବନ୍ଧ।୩୧।

 

ଅଙ୍ଗ ଅଙ୍ଗନାବର ରକ୍ଷାକରୁ।

ଆର୍ତ୍ତ ଆହାଲାଦିନୀ ବେଗେ ହରୁ।୩୨।

 

ଇଚ୍ଛା ଇଙ୍ଗିତଶୀଳା ପୂର୍ଣ୍ଣକରୁ ।

ଇତସ୍ତତ ଇନ୍ଦିରାଜିତା ହରୁ।୩୩।

 

ଉରୁ ଶୋଭିନୀ ମାନସରେ ବସୁ।

ଉଇସ୍ତନା ପରାଣକୁ ଆଶ୍ୱାସୁ।୩୪।

 

ୠଷି ମୋହିନୀ ରକ୍ଷା କରୁ ଶିର।

ରୁଚି ରୂପା ଲଲାଟ ରଖୁ ମୋର ।୩୫।

 

ଲୁଳିତାଳକୀ ଶ୍ରୁତି କି ଉଦ୍ଧରୁ।

ଲୁକର୍ଣ୍ଣା ମୋ ଭ୍ରୂଲତା ସ୍ଥାନ କରୁ।୩୬।

 

ଏଣୀ ନୟନୀ ନୟନରେ ରସୁ।

ଐରାବତଗତି ନାସେ ବିଳସୁ।୩୭।

 

ଓଷଧୀଶାନନୀ ପାଳୁ ଗଣ୍ଡକୁ।

 

ଔଦାର୍ଯ୍ୟ ଯେ ରଖୁ ମୋର ଓଷ୍ଠକୁ।୩୮।

 

ଅଂସ ଶୋଭିନୀ ରସୁ ରସନାକୁ।

ଆର୍ଯ୍ୟା ଆଦରି ରହୁ ବଚନକୁ।୩୯।

 

କମ୍ବୁକଣ୍ଠୀ ଚିବୁକେ କରୁ ବାସ।

ଖଞ୍ଜାନାକ୍ଷୀ ଉଦ୍ଧରୁ କଣ୍ଠ ଦେଶ।୪୦।

 

ଗଜଗମନା କନ୍ଧେ ବିଜେ କରୁ।

ଘନ ଜଘନା ବାହୁକୁ ଉଦ୍ଧରୁ।୪୧।

 

ଉଜ୍ଜ୍ୱଳତା କରୁ କର କାରଣ।

ଚକ୍ରନିତମ୍ବାଉର ବିମୋକ୍ଷଣ।୪୨।

 

ଛଳବଚନା ରଖୁ କକ୍ଷ ବକ୍ଷ।

ଜଗବନ୍ଦନୀ ଉଦରକୁ ରକ୍ଷ।୪୩।

 

ଝଳିବରନା ନାଭିବିଳାସିନୀ।

ନ୍ୟାୟନିଧାନୀ ସୁପୃଷ୍ଠ ମଣ୍ଡନୀ।୪୪।

 

ଟଳ ଟଳ ଗମନା ମଧ୍ୟେ ବସୁ।

ଠଣ ଚରଣୀ ନିତମ୍ବ ଆକର୍ଷୁ ।୪୫।

 

ଡରନାଶିନୀ ସଘନ ଜଘନେ ।

ଢକ୍‌କା ବଜା କୃପାଳୁ ଉରୁ ସ୍ଥାନେ।୪୬।

 

ଣଷବିଲୋମେ ପୁଷ୍ଠାଙ୍ଗୀ ଜାନୁରେ।

ତୁନୁ ପାତଳୀ ବିହରୁ ଜିହ୍ୱାରେ।୪୭।

 

ଥୟମନା ଗୁଳ୍‌ଫ ଦେଶେ ବସତି।

ଦମ୍ଭହରା ପଦରେ ରହୁ ନିତି ।୪୮।

 

ଧରାତ୍ରୀଶ ପୁତ୍ରୀ ରଖୁ ଅଙ୍ଗୁଳି।

ନବଘନ କେଶୀ ରଖୁ ପା-ତଳି।୪୯।

 

ପଦ୍ମିନୀ ଯେ ପାରୁଶ ରକ୍ଷାକରୁ ।

ଫଣୀ ବେଣୀ ଶୋଭୀ ଊର୍ଦ୍ଧ୍ୱ ଆବୋରୁ। ୫୦।

 

ବନ୍ଧୁ ରହୁ ବିବେକ ବିଚାରରେ ।

ଭବପର ଦରହାରୀ ଭାବରେ ।୫୧।

 

ମଦାଳସୀ ମହତୀ ପ୍ରେମେ ମଜ୍ଜୁ ।

ଯଶ ଉଦୟା ନାନା ସୁଖେ ଭଜୁ ।୫୨।

 

ରସନିଧି ରସ ରସୁ ନିରତି ।

ଲଳିତାଙ୍ଗୀ ବନ୍ଧକୁ ରସିବତି ।୫୩।

 

ବରବରନା ରଖିବ ଶୟନେ ।

ଶ୍ରୀମତୀ ଯେ ଉଦ୍ଧରୁ ରାତ୍ର ଦିନେ ।୫୪।

 

ସରୁକଟି ସ୍ୱପନେ ହଉ ସଙ୍ଗ ।

 

ସରୋଜାକ୍ଷୀ ଜାଗ୍ରତେ କରୁ ରଙ୍ଗ ।୫୫।

 

ହରି ହରି ଭାବି ମୁଦ ଏମନ୍ତ ।

କ୍ଷତ ହରିଣ ନିଶିରେ ଯେମନ୍ତ ।୫୬।

 

ସିଦ୍ଧିପ୍ରଦ ଶ୍ରୀରାଧା କୃଷ୍ଣପଦ ।

ଧୀରେ ସୁମର ଲଭିବ ଆନନ୍ଦ ।୫୭।

 

ରସେ ସାମନ୍ତ ସିଂହାର ଅଧୀନ ।

ସ୍ତବନରେ ସଦା ରହୁ ବଚନ ।୫୮।

 

ଷଟ୍‌ତ୍ରିଂଶ ଛାନ୍ଦ

ଶ୍ରୀକୃଷ୍ଣ ବିଭ୍ରମ ବିଳାପ ଉକ୍ତି ଯମକମାଳ ।

ରାଗ-କାମୋଦି ।

 

ବିଶ୍ରାମାନୁପ୍ରାସ ।

ଘେନ ଆହେ ଅନଘ ସୁରମ୍ୟ

ଛାନ୍ଦ ଅଘ-ନାଶନ ପ୍ରେମରସ ଶ୍ଲାଘ।
ରସିକ ଜନ ରାଘ-ବର ଆନନ୍ଦ

ଓଘ ଘନ ରସଦାୟକ ମେଘ ହେ ।

ବିଜ୍ଞ ସିଂହ । ଅଖିଳଜନଙ୍କର ଅଘ।

ଛାଗ ବିନାଶନକୁ ବାଘ ।

ମହା ଅଜ୍ଞାନ ସଂହନନକମ୍ପନେ

ମାଘ ଭଜି ଦୁଃଖସାଗର ଲଙ୍ଘ ହେ । ୧ ।

 

ଯୁଗ୍ମାନ୍ତାନୁପ୍ରାସ

କୃଷ୍ଣ ବୃନ୍ଦା କାନନ ମଧ୍ୟେ ବସି

ଆନନ ଭାବନ୍ତି ରାଧାର ସତତ ।

ଶରବାର ମାରର ପଡ଼ିଲା ଭିଦୁରର

ସମକୁ ବଳିଲା ଘାତତ ହେ।

ବୋଲୁ ହା ହା । ଛନ୍ନ ହେଲେ ଯେମନ୍ତ ଋର ।

ଆଶ୍ରୟୀ ହୋଇଲେ ତରୁରୁ ।

କମ୍ପଇ ସଂହନନ ଚିନ୍ତାବାଣୀ ଜନନ

ଗୁଣ କୀର୍ଭନ ସୁଭୁରୁର ହେ । ୨ ।

 

ମଧ୍ୟାନୁପ୍ରାସ ।

ହାହା ନବ ରମଣୀ-ମଣି ତୋ

ଗୁଣ ଗୁଣି ଗୁଣି ଯିବ କି ମୋର ଜୀବ।

ସତେ ଭାଗ୍ୟ ଦିଶିବ ଶିବ କି ପ୍ରକାଶିବ

ଶିବ ପର ତ ନ ମାରିବରେ।

ନବ ବଧୂ ତୋ ତୋ ସୁମରି ମରିବାର ।

ମୁକତି କତିକି ସଞ୍ଜର ।

ନ ହେଲେ ତୋର ପଦ-ପଦକ କି

ସମ୍ପଦ ପଦ ପାଇବ ଜୀବ ଛାରରେ ।୩ ।

 

ଛେକାନୁପ୍ରାସ

ତୋହୋ ପ୍ରାପ୍ତି ଆଶାରେ ବାଞ୍ଛାବଟ

ପାଶରେ ତପ ସାଧିବି ନିରାଶରେ।

ଶ୍ରୀପଦ ସାରସରେ ଗଣା ହେବି ଦାସରେ

ତେବେ ମୁଁ ଲେଖା ପୁରୁଷରେ ରେ। ସୁଯଶରେ ।

ମୋ ନାମ ରସ ଆରଷରେ ।

ରହିବ ରସିକ ବିଶରେ।

ବନ୍ଧୁ କୃପା ଲେଶରେ ପ୍ରେମ ପଉରୁଷରେ

କମ୍ପାଇବି ରତି ଈଶରେ ।୪।

 

ଅନ୍ତର୍ନିହିତାନୁପ୍ରାସ

ନବୀନା ବିନା ମୁହଁ ସନ୍ୟାସ ନ୍ୟାସ

ବହି ଧିଆନ ଆନ ନ କରିବି।

ଭଙ୍ଗୀର ଗିର ସ୍ମରି ଜୀବିତ ବିତ୍ତ କରି

ଭୁବନ ବନ ଭୂ ଫେରିବି ରେ ।

ଭାବବତି । ଶ୍ରୀପଦ ପଦ ଧୂଳି ଦେବ ।

ବିଭୂତି ଭୂତି ବା ସେ ହେବ।

ନିରତ ରତ ନାମେ ମଜ୍ଜିବ ଜୀବ ପ୍ରେମେ

କନ୍ଦର୍ପ ଦର୍ପ କି କରିବରେ ।୫।

 

ଏକାକ୍ଷରାଦ୍ୟ ଯମକ

ଝଳି ମୁଖ ନଳିନ ଝସଜିତ

ନୟନ ଝସ କେତନ-ଶର ଘର ।।

ଝର ଝର ନିରତ ଝରୁଥାଇ ଅମୃତ

ଝଟକ ହାସରେ ତୋହୋରରେ ।

ଝଲକାଙ୍ଗି ଝଙ୍କାର ବୀଣା ଜିଣା ଗିର ।

ଝନନ କିଙ୍କିଣୀ ମଧୁର।

ଝଝରା ସୁହଂସକ ଝଲକା ଦିଏ

ଦକ ଝଟତି ମୋତେ ତିନି ପୁରରେ । ୬ ।

 

ଦ୍ୱିବର୍ଣ୍ଣାଦ୍ୟ ଯମକ

ଗଗନାଦି ତ୍ରିଲୋକ ସୁସୁଖ ସୃଷ୍ଟିଯାକ

କିଛି କରୁଛି ମନେ ଭାବି ।

ମମତା ସଦା ମୋର ନାନା ଭଙ୍ଗିମା

ତୋର ବିବିଧ ମତେ ଦେଖୁଥିବିରେ ।

ବିବିଦଗ୍‌ଧା । ମୁଁ ମୁମୁକ୍ଷୁବତ ହୋଇଛି ।

ଶଶ ଶଶୀ ନ୍ୟାୟତ ଅଛି ।

ଶେଷେ ସେବା ତ ନାହିଁ ସୁମୁଖ ହେବ

କାହିଁ ଧୀ ଧୀର ଏ ଘେନି ନୋହୁଛି ରେ |୭|

 

ଆଦ୍ୟ ଯମକ

ସରଳ ସହୃଦୟେ ସରସତା

ଉଦରେ ଶରଣ ବତ୍ସଳା ନିପୁଣ ।

ସରଙ୍ଗ ଚାରୁ ଦୃଷ୍ଟି-ଶରକୁ କଲୁ

ବୃଷ୍ଟି ସରସ କୃପା ମିଶାଇଣ ରେ।

ସରଜାକ୍ଷି । ସରଞ୍ଜନ ହାସ

ପୀୟୂଷ ସରଜି ସିଞ୍ଚି କଲୁ ଦାସ ।

ସର-ଉଲଟ-ଦାନୀ ସରଇ,

ହେବ ହାନି ସରବ ପର କଲେ ନାଶରେ ।୮ ।

 

ଦ୍ଵନ୍ଦ୍ୱାଦ୍ୟ ଯମକ

ବର ବରନା ଅଛୁ ଦିଶେ ଦିଶେ ଦିଶୁଛି

ମାର ମାରଣ; ମାରୁ ଅଛି ।

ଆସ, ଆଶ ନ ନାଶ, ତୋଷ ସଞ୍ଚା ଦାସ,

ବସ, ବଶ ହୋଇ ମାଗୁଛିରେ ।

ଜୀବ ଜୀବ । କରୁ କରୁଣା ଜଣା ଯେବେ ।

ଲୋକେ ଲୋକେ ହସିବେ ତେବେ ।

ରସି ରସିକା ବର ଭାଷ ଭାଷ ମଧୁର,

ତାର ତାରକା ଶୋଭି ଏବେ ରେ ।୯।

 

ଦ୍ୱିରୁକ୍ତି ଯମକ

ସ୍ୱେଦରେ ଗମ ଗମ ବଦନ ତମ

ତମ ଦିଶଇ ରୀତି ଆନ ଆନ ।

ଶରୀର ଝମ ଝମ ହୃଦୟ ଦମ

ଦମ କାମ କରୁଛି ଘନ ଘନରେ ।

ବାର ବାର। ଲୁହ ବହଇ ଧାର ଧାର ।

ଗତି ହେଲାନି ଥର ଥର ।

ପ୍ରେମରେ ଗର ଗର ଡାକୁଛି ହର ହର

ଭାସୁଛି ବନ୍ଧୁ ଧର ଧର ରେ । ୧୦ ।

 

ଯୁଗ୍ମ ଯମକ

ସୁକଳା କର କର-ହାସ ସୁଧାର

ଧାର ହରେ ଜୀବ-କାତର ତର ।

ମୋ ତାପ ବାର ବାର ତୁତ

ସଂସାର ସାର ସ୍ୱଯଶକୁ ବିସ୍ତାର ତାରରେ।

ପ୍ରାଣ ପ୍ରାଣ । ନ ବହ ଗୁଣ ଦରଦର ।

ଦୁର୍ଗତି ଅଦେହର ହର।

କୃପାରେ ବର ବରନି । ତୁ କିଙ୍କର କର

ନୋହିଲେ ନାହିଁ ଧର ଧର ରେ ।୧୧।

 

ଅନୁଛନ୍ଦ ଯମକ

ରମଣୀ ମଣି ସର ସରସ

ରସ ସାର ସାରଙ୍ଗ-ରଙ୍ଗ-ବରଧନ ।

ଧନର ନ ରସିବା ଶିବାରି ବାରି

ଦେବା ଦେବାଦି ବାଦିର କି ମନରେ।

ମାନିନୀର। ନୀରସ ରସଦା ହେବାର ।

ବର ତରତରେ ବିହର ।

ହରଷ ରସ ଭାବ ଭାବିନି ବନୀ ଯିବ

ଜୀବର ବର ସୁଖ ଘରରେ ।୧୨।

 

ସମଗ୍ର ଯମକ

କୁନ୍ଦର କୋରକର ସୁନ୍ଦର

ସୁରଦର ହୁନ୍ଦର ହରଷର ସର ।

ଭଙ୍ଗୀର ପରସ୍ପର ସଙ୍ଗୀରଗିର

ବର ଯୋଗୀର ଧୀରପୁର ଚୋରରେ।

ଦରହର । ତୁ ମାରବୀର ଶରଘର ।

ରମାର ତର ତର ହର।

ଶିବାର ପରଚୁର ସେବାର ପରଚାର

ହେବାର ବର ବର ତୋର ରେ ।୧୩।

 

ଯମକ

ବାରଣ ଗତି ସାର-ଚରଣ ଫନ୍ଦା ମୋର

ଶରଣ ରକ୍ଷଣୀ ବୋଲାଅ।

ମାରଣ କରେ ମାର କାରଣ ନାହିଁ

ମୋର ତାରଣ ଧନି ମୋର ହୁଅରେ।

ମରଣକୁ। ବରଣ କରିଅଛି ମୁହିଁ।

ହରଣ କର କୃପା ବହି।

ଚୂରଣ ଦମ୍ଭପବି ସ୍ମରଣ ମୁଖ ଛବି

ସ୍ଫୁରଣ ଆନ ରଖୁ ନାହିଁ ରେ।୧୪।

 

ଆଦ୍ୟନ୍ତ ଯମକ

ସୁରମଣୀ ଅସୁର ସର ତାପ

ନାଶର ସାରଙ୍ଗ ମୁହିଁ ତ ଆସର।

ବାରଣ ଦୁଃଖ ବାର କରକ ଦନ୍ତିକର

ଧରମ କରିଣ ଉଦ୍ଧର ରେ ।

ରସା ସାର। ବରଷ ସୁନାଗରୀ ବର ।

ହରଷେ ହୃଦଦାହ ହର।

ଚରଣ ଅନୁଚର ନିରବଧି ଧନୀର

ପାର କର ଭୀ-ଅକୂପାର ରେ।୧୫।

 

ତ୍ରିବୃତ୍ତ ଯମକ

ବନ୍ଧୁମାନ ବିଷେ ତ ଯେତେ ମାନବୀ

ସେ ତ ହେବେ ମାନବିଷେତ ଧ୍ୱଂସ।

ରମା ତନୁପାତଳୀ ସମେ ତନୁପାତଳି

ତୁଳ ତନୁପାତ ଲୀଳାଶୀ ରେ ।

ସୁବିଲାସି। ମୋହେ ରମ୍ଭା ସୁରମଣି

କି ସେକି ସରି ସୁରମଣୀ କି।

ଧନ ତ ସୁର ତରୁ ତୁଳିତସୁର-ତରୁ

ଲକ୍ଷିତ ସୁର ତରୁଣୀ କିରେ ।୧୬।

 

ଯମକ ସାରଯମକ ।

ନାଗରମଣୀ ଗଣ ନାଗର ମଣି

ଗଣନ ନୋହି ଦେଇଣ ପୂଜିବେ ।

ସଦାଶିବ ଗଉରୀ ସଦାଶିବ ଗଉରୀ

ଦେଖିଲାଣି ତେଜି ଦେବେରେ ।

ଶଶଦୃଶି । ଉରୁବଶୀ ଉରୁବଂଶୀ କି ।

ତିଳେତ୍ତମା ତିଳୋତ୍ତମା କି ।

କଳାକର ସୁନ୍ଦର କଳାକର ସୁଦର

ପାଇବ ଶ୍ରୀମୁଖ ବିଲୋକି ରେ ।୧୭ ।

 

ସମପାଦ ଯମକ

ହରି-ଭା-ବରଧନ ସଦା ଇଚ୍ଛଇ

ମନ ହେବୁ ହରିଭାବର ଧନ ।

ବନ୍ଧୁ ଜୀବ ଜୀବନ ନୋହିଲେ ତ ନିଦାନ

ମୋର ବନ୍ଧୁ ଯିବ ଜୀବନରେ ।

ହା ସୁଦେହା ! ଭାରତୀ ସମକି ଭାରତୀ ।

ସୁରତି ତୁଳ କି ସୁରତି । କିଙ୍କରୀ ତ ବରତୀ

ହେବେ ଦେଖୁ ମୂରତି ବିନା

କି କରି ତବ ରତିରେ ।୧୮।

 

ଧ୍ୱନି ଯମକ

ସରସ ରସ ରତ, ରସର ସର

ସତ ରାଜି ରାଜି ରାଜୀବ ତୋଷେ ।

ସାର ସାର ସାରତ ରସାର ସାର ସାତ

ମାନ ମାନ ମାନସ ରସେ ରେ।

ଜୀବ ଜୀବ। ରତ ରତ ରତନ

ସତା ତର ତର ରତଣୀତୁ ତ।

ରହ ରହ ରହ ସେ ହର ହର

ହର ଷେ ଭାଷି ଭାଷି ଭାସିଲି ମୁଁ ତରେ।୧୯।

 

ଶ୍ୟାମ ପ୍ରେମ ଉନ୍ମାଦେ କାମବାମ

ପ୍ରମାଦେ କରିହରି ଚିନ୍ତା ଏପରି।

ଲବ ଭାବନ୍ତି କଳ୍ପେ ଜୀବଥିବ ସଂକଳ୍ପେ

ଦେବ ଭାବ କି ପ୍ରାଣେଶ୍ୱରୀ ହେ।

ଧରବର। ଶେଷ ବିଂଶପଦେ

ସ ରସ ବୁଧ ବୋଧକ ଅଜ୍ଞ ବିଷ।

ହେମ ଯମକମାନା କମ କର୍ମଳ ମିଳା।

ଅଭି ଅଭିମନ୍ୟୁ ମାନସ ହେ।୨୦।

 

Unknown

ସପ୍ତତ୍ରିଂଶ ଛାନ୍ଦ

ଶ୍ରୀକୃଷ୍ଣ ଉତ୍କଣ୍ଠା-ସ୍ତନ ଭାବନା

(ନିୟମ ଅବନା ଶୃଙ୍ଖଳା, ରାଗ କଳସା)

 

କର ଶ୍ରବଣ ସଜ୍ଜନଜନ ରସବର।

ବରଜ-ଈଶ-ନନ୍ଦନ ସରମ୍ୟ ଉତ୍ତର।୧।

 

ତରସ୍ତ ହରଣ ବ୍ରଜ କଳତ୍ର ପ୍ରସଙ୍ଗ।

ସଙ୍ଗ ଅସଙ୍ଗ ସ୍ୱପନ ଘନବତ ଭଙ୍ଗ।୨।

 

ଭଙ୍ଗ ଅର୍ଣ୍ଣବର ସମ ମମ ମନସତ।

ସତତ ଯତନ ସ୍ତନ ସ୍ମରଣ ସଞ୍ଜତ।୩।

 

ଯତନ ମଦନ ମଦ ସଦନ ସଂଘଟ।

ଘଟଣ କନକ ଘଟ ଲକ୍ଷଣ ପ୍ରକଟ ।୪।

 

କଟକ ଅମରଙ୍କର ଯଉଁ ବରଧର।

ଧରଇ ରତନଚୟ ନ ଘଟଇ ବର।୫।

 

ବରଦ ଅମର ପଦ ଉର ସ୍ପରଶର।

ସରଞ୍ଜନ କଞ୍ଜକଡ଼ ଅକ୍ଷ ମରନ୍ଦର।୬।

 

ଦର ମଦନର ହର ପର ତକ୍ଷ ହର।

ହରଷ ରସମଣ୍ଡନ ମନ ମନ୍ଥନର।୭।

 

ନର-କର ସଫଳର ଫଳତ ଯତନ।

ତନମନ ରତନ ସଦନ ରଞ୍ଜନ ।୮।

 

ଜନକ ସନକ-ମନନୟନ-ବଶକ।

ସକଳ ଘନ ରସଦ ସନ୍ତପ୍ତ ହରକ ।୯।

 

ରଙ୍କ ରତ୍ନଲବ୍‌ଧନ ରସବନ୍ତ ମନ।

ମନଜଦର୍ପ ଜଳଇ ସ୍ପର୍ଶ ଅପଘନ ।୧୦।

 

ଘନ ମଦମତ୍ତ ଗଜ ମସ୍ତକ ଉନ୍ନତ।

ନତ କରଇ ତ ଯଶ ପ୍ରକଟ ଜଗତ।୧୧।

 

ଗତ ଉଲଟ ତବଲ ଉନତ ମହତ।

ହତ ଦମ୍ଭକର କର ଉରସ ବ୍ୟକତ।୧୨।

 

କ ରତଣ ବସନ ସଦନ କମ୍ପଇତ।

ଇତସ୍ତବ ବନ୍ତଶଠ ଛଦ ଅନ୍ତଗତ।୧୩।

 

ରତ ଉଲଟ ଉତ୍ସବ ଇଚ୍ଛଇ ଦର୍ଶନ ।

ସନମତ ମତ୍ତଭର କମ୍ପ ଘନ ଘନ।୧୪।

 

ଘନ ଘନ ଧରର କନକ ଗଛ ଥର।

ଥର ଥର ପବନ ପ୍ରଖର ସ୍ପରଶର।୧୫।

 

ସରଗଈଶ ସମ୍ପଦ ପଦତଳ କର।

କରପଦ୍ମ ଦତ୍ତଫଳ ବର ତପ କର।୧୬।

 

କରଜ ରଞ୍ଜନ ଚମକର ବରରଙ୍ଗ

ରଙ୍ଗ ଅଧର କମ୍ପନ ଦରଶନ ଭଙ୍ଗ।୧୭।

 

ଭଙ୍ଗ ଅମର ଅଶନ ନଦନ ଅଲକ୍ଷ।

ଲକ୍ଷ ଲକ୍ଷ ଦନ୍ୟକମଳଜ ରକ୍ଷ ରକ୍ଷ।୧୮।

 

ରକ୍ଷପର ବଚଧନ ସ୍ତନର ସ୍ମରଣ।

ରଣରଣ ଦବଦର୍ପ ଅଟଇ ହରଣ ।୧୯।

 

ରଣକ୍ଷତ ଏଣବତ ଗତ ତ ହରଷ।

ରସବଚ ଇନ୍ଦ୍ର ଜୟ-ନନ୍ଦନର ରସ।୨୦।

 

ଅଷ୍ଟାତ୍ରିଂଶ ଛାନ୍ଦ

କିଶୋରୀ ଉତ୍‌କଣ୍ଠା ବିଳାପ।

(ଯମକ ପ୍ରାନ୍ତ ଶୃଙ୍ଖଳା, ରାଗ-ଭୂପାଳ)

 

ଧୀର ଚକୋର ଆନନ୍ଦବରଧନ ଚାନ୍ଦ

ଏ ଛାନ୍ଦ ରସ ସଂସାର ସାର।

ସାରସବାସୀ ରାଧିକା ସୁପ୍ରେମାଧିକା

ମଦନେ ହୋଇ କାତରତର।୧।

 

ତର ତର ବାଣୀଜାତ କହନ୍ତି ଗୋ ମିତ,

ଶ୍ୟାମବନ୍ଧୁ ଲାଗି ଜୀବ ଯିବ ।

ଜୀବନର ଭିନ୍ନ ମୀନ ପରାୟେ

ଉଚ୍ଛନ୍ନ ବଢିଲାନି କି ଦିଶିବ ଶିବ।୨।

 

ଶିବପର ଶରବାର, ମାରେ ବାର

ବାର, ଅଗ୍ନିସମ କଳାକର କର।

କରତଇ ଧୀରତିକି, ମନ୍ଥଇ ମତିକି,

ଦିଶେ ଦିଶେ ଦିଶେ ଧର-ଧର।୩।

 

ଧରତୀରେ ଅଭାଗିନୀ ମୋ ପରା

ଦୁଃଖୀନୀ ନ ଥିବେ ଆଉ ରମଣୀ ମଣି।

ମଣିବନ୍ଧର କଙ୍କଣ ଗଳେ କ୍ଷଣ

କ୍ଷଣ ଶ୍ରବଣେ କୃଷ୍ଣ କିଙ୍କିଣୀ କିଣି।୪।

 

କିଣି ରଖିଲା ମତିକି,ଆଉ ମୋ

ଗତିକି ଉପାୟ ଥିଲେ ବିସ୍ତାର, ତାର।

ତାର ବଙ୍କିମା ଚାହାଣି କୁନ୍ତ ହୃଦେ

ହାଣିବାରୁ ପୀଡ଼ା ହେଲା ମରଣର।୫।

 

ମରକତର ପିତୁଳୀ ନେତ୍ର, ହୃଦେ

କେଳି କରି କରୁଛି ଗିଆନ ଆନ।

ଆନନ୍ଦର ସୀମା ନାହିଁ, ଦୁଃଖ ନୋହେ କହି,

ବିଷ ପୀୟୂଷ ସମାନ ମାନ।୬।

 

ମାନ ବିକି ତା ପାଦରେ , ଭଜିବ ସାଦରେ,

ନ ମାରିବ ଫୁଲ ଶର ଶର।

ସରଜକ ସେ କାମର, ପ୍ରେମ ସରଘର,

ତେଣୁ ଯିବ ବା ହୃଦର ଦର।୭।

 

ଦରଶନ ପାଇବାର ଉପାୟ ବିଚାର,

ନେଇ ତାହା ପରିକର କର।

କର ଧରୁଛି ତୁମ୍ଭର, ଏତେ ମାତ୍ରକର

କର ପାର କଷ୍ଟ ଅକୂପାର।୮।

 

ପାର ଯେବେ ସଙ୍ଗୀକର ନୋହିଲେ

ରାଧାର ଶିରେ ପକାଅ ପଥରେ ଥରେ।

ଥରେ ଦେଖ କଳେବର। ବାଞ୍ଛାହୋୟେ

ମୋର ଦେଖିବାକୁ ଜଳଧରେ ଧରେ।୯।

 

ଧରେ ଏ ବିଚାର ମନ ମୟୁର

ନଟନ ଦେଖୁଥିବି କି ସଧୀରେ ଧୀରେ।

ଧୀରେ ହୁଅନ୍ତା ଆନନ୍ଦ ହେଲେ

କଳାଚାନ୍ଦ ଆନେ ଦିନ କି ଆଶରେ ସରେ।୧୦।

 

ଶରେ ଦହୁଛି ମଦନ ହେଉଅଛି

ମନ ପଶିବି ତମାଳ ମାଳ।

ମାଳତୀରେ ଆଖି ପଡ଼ି ହୃଦଯାଏ ପୋଡ଼ି

ନିରତେ ଜାତ ବ୍ୟାକୁଳ କୁଳ।୧୧।

 

କୁଳ ବୁଡ଼ାଏ ଦୁର୍ଦ୍ଦଶା ପଦ୍ମେ ଭୃଙ୍ଗ

ବସା ଧୈର୍ଯ୍ୟ ଧରେ କି ଆଲୋକ ଲୋକ।

ଲୋକ ମଧ୍ୟରେ କୀଚକ-ଧ୍ୱିନି

ମୋ କାଟୁଛି ବସି ବିବେକ –ବେକ।୧୨।

 

ବେକତ ମୋ ଦମ୍ଭହରା ଏ ଗୁଞ୍ଜ

ଗୁଞ୍ଜରା ତରିବା ଉପାୟ ଭାଷ ଭାଷ ।

ଭା ସକଳ ସ୍ଥାନେ ତାର ଦେଖିବାକୁ

ମୋର ଦେହ ନିଷ୍ଠା ଯମବାସ ବାସ।୧୩।

 

ବାସବର ପବି ପଡ଼ୁନାରୀ ଜନ୍ମ ପୋଡ଼ୁ

କେ ପାରିବ ଦୁଃଖ ସହି ସହି।

ସହି କଲି କରହତ ଏହା ମୋ ଭାଲେତ

ବେଳହୁଁ ଅଛଇ ବିହି ବିହି ।୧୪।

 

ବିହିତରେ ପତିବ୍ରତୀ-ଧୃତି-ହରା-ମୂର୍ତ୍ତି –

ଭଙ୍ଗୀ ମାର ମାରଗଣ ଗଣ।

ଗଣପତି ଗଣନାରେ ଗୁଣ ନିକି ସରେ

କଲ୍ପିଲେ କଳ୍ପ ଲକ୍ଷଣ କ୍ଷଣ।୧୫।

 

କ୍ଷଣଦାର ପତିକାମ –ବିମୋହନ

ପ୍ରେମ ମିଶି ଖ୍ୟାତ କଳେବର ବର।

ବର ଇଚ୍ଛିବେ ତ ବରରମଣୀ ନିକର

ଶ୍ରବଣରେ ଦେଖିବାର ବାର।୧୬।

ବାରପତି-ସୁତା ପତି ହେବାର ସୁକୃତି

କୀର୍ତ୍ତି ବିଖ୍ୟାତି ଦିଶିବ ଶିବ ।

ଶିବ-ବ୍ରହ୍ମା-ମୁନିବାର-ମୋହିତ-ମନ୍ଦିର

ନାରୀ କେ ଚାହିଁ ଋଷି ବସିବ।୧୭।

 

ଶିବପର-ଶର ସହିପାରିବ କେ ରହି

ବୋଲାଏ ଯେ ଦର୍ପହର ହର ।

ହରିଣୀକି ବ୍ୟାଧଘାତ ପରାୟେ ମୁହିଁ

ତ ହେଲି ଉପାୟ ନିକର କର ।୧୮।

 

କରଧରି କହେ ମିତ ନୁହ ଗୋ ଆରତ

ପ୍ରେମର ମାର ପ୍ରଚାର ଚାର ।

ଚାରଣାଦି ସୁରନରେ ପଶୁ ପତଙ୍ଗରେ

ପ୍ରୀତି ବୋଲାଏ ସଂସାର ସାର ।୧୯।

 

ସାରଙ୍ଗର ଘନ ବନ ସାରସର ବନ

ଏକାଙ୍ଗୀ ପ୍ରୀତି ଆଶ ତ ସତ। ସତତରେ

ଯୋଗେ ସୁଖ ବିଯୋଗରେ ଦୁଃଖ

ଯୁଗ୍ମାଙ୍ଗୀ ପ୍ରୀତି ବିହିତ ହିତ |୨୦|

 

ହିତ କେ କାହର କରେ କେ କାହାର

ହରେ ପର ପ୍ରୀତି ଲୋଭ ଯାର ଯାର ।

ଜାରଇ ସେ ଜ୍ୱରା ପରି ବି ଲାଭରୁ

ଲଭିବା ସୁଖ ସୁଧାର ଧାର ।୨୧।

 

ଧାରଣ ତୁ ସେହି ଦୀକ୍ଷା କରିବାକୁ କକ୍ଷା

କାମ ପ୍ରେମ କରେ ବାରେ ବାରେ ।

ବାରେ ସହୀ ରାଧା ସୁରସୁତ ଆଣି

ଅଧର ଶୁଖେ ଦୁଃଖରେ ଖରେ।୨୨।

 

ଖରେ ଚାହିଁ ଛନ୍ନ ଛନ୍ନ ଶ୍ୱାସ ଘନ ଘନ

ଚିତ୍ତସୁତ- ବର –ଶରେ ସରେ ।

ସରେ ଭାସଇ ନଳିନ କରି ମରଦନ ଅନ୍ତେ

ସ୍ଥିତ ସେ ବିଧୀରେ ଧୀରେ ।୨୩।

 

ଧୀରେ ସାମନ୍ତ ସିଂହାର ସେ ଭାବକୁ

ହାର କରିଥିବ କିଏ ଜୀବ ଯିବ ।

ଜୀବର ଭିନ୍ନ ମୀନ କ୍ଷୀରେ ସାରେ

ଦିନ କିବା ଧୀରେ ଏହି ଭାବ ଭାବ।୨୪।

 

ଊନଚତ୍ୱାରିଂଶ ଛାନ୍ଦ ।

ଶ୍ରୀରାଧା-ବିଶାଖା-ଉକ୍ତି - ପ୍ରତ୍ୟୁକ୍ତି

(ରାଗ ବରାଡ଼ି – ଆଷାଢ଼ ଶୁକ୍ଳ ବାଣୀ)

 

ଧୀରଚକ୍ର ହୃଦ ପଦ୍ମ ମିହିର।

ରସିକ ରସ ରତନ ଭଣ୍ଡାର ।

ଗ୍ରାହକ ପ୍ରେମ ବଣିକ ପସରା ।

କାମି-କାମଦା ଚିନ୍ତାମଣି ପରା ।

ଏ ଛାନ୍ଦ ଗରିମା ଗୋ ।

ପ୍ରୀତିଆ ଆନନ୍ଦ ସିନ୍ଧୁ ଚନ୍ଦ୍ରମା ।୧ ।

 

ନ ଲଭିବାରୁ ଗୋବିନ୍ଦ ପୀରତି ।

ଅଧୀରେ ଧୀରା ରତନ ଆରତି ।

କହନ୍ତି ଧରି ବିଶାଖିକା ହାଥ ।

କହ ପୀରତି କି ଜାତି ପଦାର୍ଥ ।

କାହୁଁ ଏ ଅଇଲା ଗୋ ।

କଉଁ ଦଇବ ଏହା ଭିଆଇଲା । ୨ ।

 

କହେ ସହୀ ଶୁଣ କିଶୋରୀ ମଣି ।

ବିଧି ରଚନା କି ପୀରତି ପୁଣି ।

ଅବ୍ୟୟ ଅକ୍ଷୟ ନିତ୍ୟ ପଦାର୍ଥ ।

କେ ଜାଣିବ ପ୍ରୀତି ଶବଦ ଅର୍ଥ ।

ଅର୍ଜିତ ଇନ୍ଦ୍ରିୟ ଗୋ ।

ବଳେ କରନ୍ତି ପୀରତି ଆଶ୍ରୟ ।୩।

 

 

ସମାନ ବୁଦ୍ଧି ବୟ ଶୋଭା ଗୁଣ ।

ସ୍ୱଚ୍ଛ ଆରଦ୍ର ସ୍ୱଭାବ ଲକ୍ଷଣ ।

ରସ ରତ୍ନ-ଚିହ୍ନା ଗ୍ରାହିକା ଶକ୍ତି ।

ଏତେ ଲକ୍ଷଣେ ଯୁକ୍ତ ଯେଉଁ ବ୍ୟକ୍ତି ।

ସଂଯୋଗ ସଂବନ୍ଧୁ ଗୋ ହୃଦେ

ଉଦେ ହୋୟେ ପ୍ରଣୟ ବିଧୁ।୪।

 

ନିକୃଷ୍ଟ ଠାରେ ଛାୟା ବିମ୍ବ ବତ ।

ମଧ୍ୟ ଭଳିରେ ପ୍ରତିବିମ୍ବ ଖ୍ୟାତ ।

ଅକ୍ଷୟ କ୍ଷୁଣ୍ଣ ଅଙ୍କ ରହିତ ।

ଉତ୍ତମ ଜନ ମନରେ ଉଦିତ ।

ଅମୃତ ଆହ୍ଲାଦ ଗୋ । ଲଭିବାରୁ

ହୃଦେ ପୂର୍ଣ୍ଣ ଆନନ୍ଦ ।୫।

 

ଆହୁରି ଶୁଣିଛି ପ୍ରଣୟ ବୀଜ ।

ହୃଦାଳ ବାଳେ ପୋତେ କାମ ରାଜ।

ନବଯୁବା କାଳେ ଅଙ୍କୁର ହୋଏ।

ସୁରସ ବୃଷ୍ଟି ସଂଯୋଗକୁ ପାୟେ ।

ତିନି ବିଧି ଲେଖା ଗୋ । ହାବ

ଭାବ ପରିହାସ ବିଶାଖା ।୬ ।

 

ନାନା କ୍ରୀଡ଼ା କ୍ଷୁଦ୍ର ଡାଳ ପ୍ରଚାର।

ଭଙ୍ଗୀ ଚାତୁର୍ଯ୍ୟ ପଲ୍ଲବ ବିସ୍ତାର ।

ସୁଖ ସୁମନ ରାଗାମୃତ ଫଳ

ଆନନ୍ଦ ଆସ୍ୱାଦନେ ମତି ଭୋଳ ।

ଦୁର୍ଜୟ ମାଦକ ଗୋ ।

ଛାଡ଼ଇ ନାହିଁ ଜୀବ ଥିବା ଯାକ ।୭।

 

ସଂସାରେ ଏ ଦେହ ମନ ଆୟତ୍ତ ।

ସେ ମନ ଗୋ ପୁଣି ଇନ୍ଦ୍ରିୟ ରତ ।

ଇନ୍ଦ୍ରିୟ ପୁଣି ଗୋ ପ୍ରକୃତି ବଶ ।

ପ୍ରକୃତି ସ୍ଵଭାବ ବଳେ ପ୍ରକାଶ।

ମଦନ ଅଧୀନ ଗୋ। ଏମାନେ

ସବୁ ହୁଅନ୍ତି ଟି ଘନ ।୮।

 

ସେ ମଦନ ପୁଣି ସୁରତି ବଶ ।

ସେ ରତି ହୋୟେ ପୀତିରୁ ପ୍ରକାଶ ।

ଭାବ ସମ୍ବନ୍ଧ ପ୍ରୀତି ଆଲମ୍ବନ ।

ନାନା କ୍ରୀଡ଼ାରୁ ପ୍ରୀତି ଉବ୍ଦୀପନ ।

ତହୁଁ ସୁଖ ଜାତ ଗୋ ।

ତହୁଁ ଆନନ୍ଦ ହୁଅଇ ସମ୍ଭୂତ ।୯।

 

ତହୁଁ ମଦନ ସାଗର ସମ୍ଭୂତ ।

ମାଦନ ଲହରୀ ତହିଁରୁ ଖ୍ୟାତ ।

ଅହ୍ଲାଦା ମୃତ ତହିଁରୁ ଜନନ ।

ତହୁଁ ମୋହନ ନିଧି ଉତପନ ।

ତାହା ଯେ ଲଭଇ ଗୋ ।

କିଛି ନ ଗଣେ ଗର୍ବେଶ୍ଵର ହୋଇ ।୧୦।

 

ଯେ ଯେତେ ପରଚେ ହୋୟେ ପ୍ରୀତିକି !

ସଂଯୋଗ ସୁଖ ସେ ଲଭେ ତେତିକି ।

ବିଯୋଗେ କୋଟି ଗୁଣ ଦୁଃଖ ଦିୟେ ।

ଏ ଦୁଇ ସ୍ୱଭାବ ତାର ଉଦୟେ ।

ଅନୁଭବୀ ବିନେ ଗୋ ।

ଦୁଃଖ ସୁଖ କହି ନୋହେ ବଚନେ ।୧୧।

 

କୋଟି ବ୍ରହ୍ମାଣ୍ଡ-ସୁଧା-ଶିରୀ ସାର ।

ସଂଭୋଗ କାଳେ ସେ ଛାର ଛିକାର ।

କୋଟି ବ୍ରହ୍ମାଣ୍ଡ ଦୁଃଖ ସିନ୍ଧୁ ଲବ ।

ବିଛେଦ କାଳକୁ ତୁଳ ନହେବ ।

କ୍ରୋଟଗତ ସର୍ପ ଗୋ ।

ଅଗ୍ନି-ଆଚ୍ଛାଦନ ତାପ ଅଳପ ।୧୨।

 

ସେ ପୀରତି ଆପେ ହୁଅଇ ବିଧି।

ଅବିଧି ବିଧିମାନ କରେ ସିଦ୍ଧି ।

ପର ଆପଣା ଚିହ୍ନାଇ ନ ଦିୟେ ।

ମନକୁ ଜ୍ଞାନ ଅଗୋଚର ହୋୟେ ।

ଥାଉ ସୁଖବାର ଗୋ ।

ଦେହ ପରାଣକୁ ମଣଇଁ ପର ।୧୩।

 

ଜଗତେ ଅପକୀର୍ତ୍ତି ହାଟ ବସେ ।

କଳଙ୍କ ପସରା ତହିଁ ବିଶେଷେ ।

ଜାତିକୁଳ ଜ୍ଞାନ ମାନ ବିକାଇ ।

ଚିନ୍ତା ଉଚ୍ଛନ୍ନ ରତନ କିଣଇ ।

ନିନ୍ଦା ଢୋଲ ବାଜେ ଗୋ ।

ନିରପତ୍ରପ ଫଳ କିଣି ଭୁଞ୍ଜେ ।୧୪।

 

କ୍ଷଣେ କ୍ଷଣକେ କେତେ ପରି ହୋଇ।

ଭାବ ଜଳଧି କଲ୍ଲୋଳ ଉଠଇ ।

କ୍ଷଣେ ବୁଡ଼ାଏ କ୍ଷଣକେ ଉଠାଏ।

ଏକ ଯାଉଁ ଯାଉଁ ଆରକ ପାଏ।

ଭାବ ଶାବଲ୍ୟତା ଗୋ।

କେତେ ମତେ. ଚିତ୍ତେ ଦିଅଇ ଚିନ୍ତା ।୧୫।

 

ସମ୍ଭୋଗେ ରୀତିମାନ ଆନ ଆନ ।

ଭିତରେ ଆନନ୍ଦ ବାହାରେ ମାନ।

ତ୍ରପା କୃପା ବେନି ଅକ୍ଷ ପଲକେ ।

ହାସ ରୁଷ୍ଟ ଓଷ୍ଠେ ଜାତ ଲବକେ।

ନୁହଇ ସେ କଳି ଗୋ । ରାଗ

ସରାଗ ଲୀଳା ବଳାବଳି ।୧୬।

 

ଅପ୍ରାକୃତ ପ୍ରେମ ତା ନାମ କାମ।

ଆୟତ୍ତ ରହେ କି ସେ ହେଲେ ବାମ।

ପରବଶ ହୋଏ ଯାହାର ଜୀବ ।

ତାର କି ରହେ କୁଳ କ୍ରିୟା ଭାବ ।

ମନେ ଘେନ ଧୀରା ଗୋ ।

ପ୍ରୀତି ଯେ କଲା ସେ ଗଲାଟି ମରା । ୧୭ ।

 

ଅନଳ ନୁହଇ ଦେହ ଦହଇ ।

ଅସ୍ତ୍ର ନୁହଇ ମରମେ ଭେଦଇ ।

ନୁହଇ ତ ଜଳ ବୁଡ଼ାଏ କୂଳ ।

ନୁହଇ ମାଦକ କରେ ବିହ୍ୱଳ।

ନୁହଇ ବଡ଼ଶୀ ଗୋ ।

ବଳେ ମନ ମୀନ ନିଏ ଆକର୍ଷି ।୧୮।

 

ପଦାର୍ଥ ଜ୍ଞାନ କଲେ ନ ଘଟଇ ।

ସ୍ଵାଦୁ ଆସ୍ୱାଦନ କରି ନୁହଇ ।

ଦେଖି ନ ଥାଇ ରୂପ ନୟନେ ତ ।

ସତତ ମୋହିତ କରଇ ଚିତ୍ତ ।

ଦେହ ଥିଲେ ତାର ଗୋ । ନଥାନ୍ତା

ଆଉ ପ୍ରୀତିୟା ସଂସାର ।୧୯।

ନିଜ ନିଜ ସୁଖ ମନେ ମନାସି ।

ସର୍ବେନ୍ଦ୍ରିୟ ରହେ ପ୍ରୀତିକି ରସି ।

ନ ପାଇ ଧନ ବିକି ହୋଏ ପ୍ରାଣ ।

ସଂସାର ସୁଖ ଯାକ ଗଣା ତୃଣ।

ପ୍ରୀତିୟା ପୀରତି ଗୋ ।

ସର୍ବ ଭୂତମୟ ପ୍ରାୟ ଦିଶନ୍ତି । ୨୦ ।

 

ବଡ଼ କଠିଣ ସେ ପ୍ରୀତି ପାଳିବା ।

ତୀକ୍ଷ୍‌ଣ ଅସିଧାରେ ପଥ ଚାଲିବା।

ଶୂନ୍ୟ ଆରୋହଣ ଠାରୁ କଠିଣ ।

ପବନ ଫାନ୍ଦେ ଧରିବା ଲକ୍ଷଣ।

ପ୍ରୀତି ରକ୍ଷାଠାରେ ଗୋ ।

ଯଥା ପାରଦ ରଖିବା ମୁଠାରେ ।୨୧।

 

ଲାଖ ଘୋଡ଼ା ନବନୀତ ସୁଆର ।

ପ୍ରଚଣ୍ଡାନଳେ ପଥ ଚାଲିବାର ।

ତହୁଁ କି କରି ରହିବ ଶରୀର ।

ତହୁଁ ଅଧୁକ ପ୍ରୀତି ପାଳିବାର ।

କହୁଛି ଏତିକି ଗୋ ।

ଦୂଗୁଁ ଜୁହାର ପୀରତି ରୀତିକି । ୨ ୨ ।

 

ପ୍ରଥମେ ପ୍ରୀତି କରିବାର ମନ୍ଦ।

ପରପ୍ରୀତି କୋଟିଗୁଣେ ପ୍ରମାଦ ।

ଶୋଭାବନ୍ତ ଗୁଣବନ୍ତ ପୀରତି ।

ସେ ପୁଣି ପ୍ରମାଦେ ପ୍ରମାଦ ଅତି ।

ପଥିକ ପରଚେ ଗୋ। ଜୀବନ

ଯିବା ଅଉଷଧି ସଞ୍ଚେ । ୨୩ ।

 

ବାରୁଦ ଅନଳ ପ୍ରାୟେ ପୀରତି ।

ସଂଯୋଗ ବାରଣେ ବାରି ନୁହଁନ୍ତି ।

ଦୁହେଁ ନିର୍ବିଶେଷ ହେଲେ ସରଇ ।

ଉଭୟ ପ୍ରୀତିୟା ତେମନ୍ତ ହୋଇ ।

ଜୀଇଥିବା ଯାକେ ଗୋ ।

ବାରଣ ପ୍ରୀତି କରି ପାରିବ କେ।୨୪।

 

ଯେଣେ ଚାହିଁଲେ ତେଣେ ସେହି ଦିଶେ ।

ଚକ୍ଷୁ ବୁଜିଲେ ହୃଦରେ ପ୍ରକାଶେ।

ନିଦ୍ରା ଅଇଲେ ସ୍ୱପନେ ଦେଖଇ ।

ଜାଗ୍ରତେ ଥିଲେ ଜ୍ଞାନ ହିଁ ନଥାଇ ।

କାୟ ମନୋବାକ୍ୟ ଗୋ ।

ତା ବିନା ସାର ନିଗଣେ ତ୍ରିଲୋକେ ।୨୫।

 

ଯାହି ବୋଇଲେ ତାହା ନାମ ସ୍ଫୁରେ ।

ନାନା କର୍ମକରେ ସେହି ହେତୁରେ।

ପାଦ ପାଣି ହାସ ମୁଖ ନୟନ ।

ଉଦର ଉରଜ ବାହୁ ପ୍ରସନ୍ନ ।

ପଦ୍ମ ବିଲୋକନେ ଗୋ । ତଦାଭାସ

ଜ୍ଞାନ ଜନିତ ମନେ ।୨୬।

 

ଗୁରୁଜନ ମେଳେ ଥିଲେ ଆକଟେ ।

ପୀତିୟା ପ୍ରତିଭା ଦ୍ରବ୍ୟ ଲମ୍ପଟେ ।

ଅଶ୍ରୁ ଭଙ୍ଗା ହାସ ପୁଲକ ସ୍ନେହ ।

ଏକୈକ ପ୍ରଦେଶେ ବହଇ ଦେହ ।

ଲଜ୍ଜା ସ୍ନେହ ଘେନି ଗୋ।

ଉଦେ ହୋଏ ବଳାତ୍କାରେ ସଜନି।୨୭।

 

ବନ୍ଧାଇବ ଯେ ହୀରାରେ ଛାତିକି ।

ମତି ବଳାଇବ ସେହି ପ୍ରୀତିକି ।

ଜୀବନ ଯାହା ସ୍ୱ ଆୟତ୍ତେ ଥିବ ।

ସେହି ତ ପ୍ରୀତି ପଥେ ପଦ ଦେବ ।

ପ୍ରୀତି ମହାପାପ ଗୋ ।

କୃତର୍ଥ ହେତୁ ପ୍ରେମମନ୍ତ୍ର ଜପା ।୨୮ ।

 

ଶୁଣି ମିତଣୀ ବାଣୀ ଧୀରା ଧୀରେ ।

ପଚାରନ୍ତି ସ୍ନେହଭରା ଅଧୀରେ।

କଉଁ ଗ୍ରାମରେ ଗୋ ପୀରତି ନାହିଁ ।

କହିଲେ ତହିଁକି ଯିବଇ ମୁହିଁ ।

ବେଗେ କହ କିନା ଗୋ ।

ପ୍ରୀତି ପାସୋରା ମନ୍ତର ଅଛି ନା ।୨୯।

 

ଏମନ୍ତ ପାପୀକି ମହୀ ସହିଲା ।

କଉଁ କୁବୁଦ୍ଧି ଏଥିକି ଆଣିଲା ।

ଅକାଳ କାଣ୍ଡ ପ୍ରୀତି-ମୁଣ୍ଡେ ପଡୁ ।

ପ୍ରପଞ୍ଚ ପ୍ରୀତି ହାତଗୋଡ଼ ଛିଡ଼ୁ।

ପରମ ପଦାର୍ଥ ଗୋ। ଧୀରେ

ବୋଲନ୍ତି ପାଇ କଉଁ ଅର୍ଥ ।୩୦ ।

 

ଏକେ ଅବଳା ଦୁଜେ ପରବଶ ।

ଜାତି କୁଳ ଲଜା ବୁଦ୍ଧି ବିଶେଷ ।

ଦାଣ୍ଡ ଦେହଳି ଦୃଷ୍ଟି ଅଗୋଚର ।

ପ୍ରୀତି-ବେଦନା ତହିଁ ବଳୀୟାର ।

ରସରେ ଆଶାୟୀ ଗୋ ।

ତୃଷା ତୃଷ୍ଣା ଅନାୟତ୍ତ କରଇ ।୩୧ ।

 

 

ବିଶାଖା କହଇ କୃଷ୍ଣ ନାଗର।

ପଦ୍ମିନୀ ମୂଳ ସଂଯୋଗ ହେବାର ।

ରସ ପରିପାକ ଘଟଣା ଯୋଗେ ।

ଶୁଚିବନ୍ତ ହୋଇ ପିଅ ସରାଗେ ।

ଦେହ ଦାୟ ଜ୍ୱର ଗୋ।

ଘୁଞ୍ଚିଯିବ ପାଞ୍ଚି ବହନ କର ।୩୨ ।

 

ହା ହା ଏହା କେ ଦେବ, କହି ରାଧା ।

ବିମୋହ ହେଲେ ପ୍ରେମେ ପାଇ ବାଧା।

ସଖୀ ଜଳ ସିଞ୍ଚି ସାନ୍ତ୍ୱନା କଲେ ।

ଧଇର୍ଯ୍ୟ କରି ମଣାଇ କହିଲେ ।

ବୋଲନ୍ତି କିଶୋରୀ ଗୋ। ଯା ଯା

ଜୀବନ ବହନ ବାହାରି ।୩୩ ।

 

ଏତେ କଦର୍ଥନା ପାଇ କାହିଁକି ।

ଶଶ ଶଶୀ ପ୍ରାପ୍ତି ହେତୁ ନାହିଁ କି ।

କୁମ୍ଭକାର କୀଟ ଦୀକ୍ଷାକୁ ବହ ।

କୃଷ୍ଣ ଦେହ ପାଇ ନିଶିନ୍ତ ରହ ।

ଶ୍ୟାମ ନାମ ଧରିରେ। ଯା ଯା

ଅନୁକୂଳ କରି ବାହାରି ।୩୪ ।

 

ପୁଣି କହନ୍ତି ସଜନୀକୁ ଚାହିଁ ।

ଜୀବନ ଯିବାର ସନ୍ଦେହ ନାହିଁ ।

ସଖୀଗଣ ଗୁଣ ଏତିକି କର ।

ଶ୍ୟାମ ପଦଧୂଳି ବୋଳ ମୋ ଶିର ।

ତାଙ୍କ ଚିତ୍ରମୂର୍ତ୍ତି ଗୋ ।

ଦେଖାଇ ଥାଅ ପାଉ ନେତ୍ର ଗତି ।୩୫ ।

 

ଜୀବନ ଗଲେ ଏତିକି କରିବ ।

ଶ୍ୟାମ ନାମ ମୋର ହୃଦେ ଲିହିବ ।

ଶ୍ୟାମ ରୂପ ମୂର୍ତ୍ତି ହୃଦେ ଲଦାଇ ।

ଶ୍ୟାମ ବସନ ଅଙ୍ଗରେ ଘୋଡ଼ାଇ ।

ଶ୍ୟାମ ଗତି ପଥେ ଗୋ ।

ମୋ ଶବ ପୋତିବ ଆପଣା ହାଥେ ।୩୬।

 

ଯେବେ ଏମନ୍ତ କରି ନ ପାରିବ ।

ତମାଳେ କୋଳ କରାଇ ଥୋଇବ।

କୃଷ୍ଣ ବଂଶୀ ଶୁଭୁଥିବ ଯେଣିକି ।

କର୍ଣ୍ଣ କରି ଦେଇଥିବ ତେଣିକି ।

ସବୁ ସଜନୀଙ୍କି ଗୋ ।

ହାତ ଧରି ମୁଁ ମାଗୁଛି ଏତିକି ।୩୭ ।

 

ପ୍ରୀତିୟା ପୁରେ ନାଗରା ବଜାଇ ।

ପାପୀ ପ୍ରୀତିକି ଦେବ ନିବର୍ଭାଇ ।

ମୋ ପରା କେହି ପ୍ରୀତି ଦୁଃଖୀ ନୋହୁ ।

ପରପ୍ରୀତି ଲୋଭ ସଂସାରୁ ରହୁ ।

ଏତେ କହି ଧନୀ ଗୋ ।

ଚିନ୍ତା ବିମୋହେ ଭଜିଲେ ଅବନୀ ।୩୮।

 

ତପ୍ତ ଲୋହ ପାତ ମତ୍ସ୍ୟ ପରାୟେ ।

ତନୁ ବିଚେଷ୍ଟା ହୋଇଲା ପଦୟେ ।

କ୍ଷୀର ସିନ୍ଧୁ କି ମନ୍ଥର ମନ୍ଦର ।

ତେମନ୍ତ ହେଲା ହୃଦୟ ଭିତର।

ପ୍ରାଣ ସନ୍ତାପିତ ଗୋ ।

ଯଥା-ଗର୍ତ୍ତ-ଜୀବ ଧୂମ-ଧୂପିତ ।୩୯ ।

 

ଦେଖି ସଖୀକୁଳ ହେଲେ ଆକୁଳ ।

ବହନ ଧୂଳି ଝାଡ଼ି କଲେ କୋଳ ।

ଜଳ ସିଞ୍ଚି ବିଞ୍ଚି ବିଚାରି ଚୂର୍ଣ୍ଣେ ।

ଗୋବିନ୍ଦ ନାମ ଶୁଣାଇଲେ କର୍ଣ୍ଣେ ।

ମୃତ୍ୟୁ-ସଞ୍ଜୀବନୀ ଗୋ ।

ସେହି କାଳରୁ ତା କଲେ ସଜନୀ ।୪୦ ।

 

ଯୁବା ଯିବା ଜୀବ ବାହୁଡ଼ା ବିଜେ ।

ଗଣ୍ଡ ପାଳିରେ ପୁଲକ ବିରାଜେ ।

ଦେଖି ସଖୀଏ ଧଇର୍ଯ୍ୟ ହୋଇଲେ ।

ନାନା ଉପଚାର ପ୍ରଚାର କଲେ ।

ଚେତି କହେ ଧନୀ ଗୋ ।

ମୋ ପ୍ରତି ଆଶା ଛାଡ଼ ଗୋ ସଜନୀ ।୪୧ ।

 

ପ୍ରାଣ ସଜନୀରେ ଶୁଣି ଏ ବାଣୀ ।

ଧଇର୍ଯ୍ୟ ଧରିବ କଉଁ ମିତଣୀ ।

ଦୀନ ଅଭିମନ୍ୟୁ ଜୀବନ ଯାଉ ।

ପ୍ରୀତି ବେଦନା ଭଗାରି ନ ପାଉ ।

ଉମା ମହେଶ୍ୱର ହେ । ମୋ

ବିନତି ଘେନି ଏତିକି କର ।୪୨।

 

ଚତ୍ୱାରିଂଶ ଛାନ୍ଦ

ଗ ଆଦ୍ୟାନୁପ୍ରାସ-କୃଷ୍ଣଗୁଣ କଥନ ।

(ରାଗ-କାମୋଦୀ। ଆହାରି ବାଳଚରିତ ବାଣୀ)

 

ଗୁଣ ପ୍ରେମ ଗୋବିନ୍ଦର ଶୁଣି ଗୋରୀ।

ଗରଗର ପ୍ରେମେ ହୃଦୟକୁ କରି।

ଗୁଣୀମଣି ମିତଣୀର ପାଣି ଧରି ।

ଗୁଣ କହ ପଚାରନ୍ତି ବେଗ କରି।୧।

 

ଗିରିବରଧର ସାର ଗୁଣ ଗୁଣି ।

ଗତି ଶ୍ରୁତି ମତି ହେବ ଏଇକ୍ଷଣି।

ଗୁରୁ ଉପଦେଶ ହେଉ ତୋହୋ

ବାଣୀ । ଗଲେ ଜୀବ ନ ପାଇବ ତାପଶ୍ରେଣୀ ।୨ ।

 

ଗଜଗତିବାଣୀ ଶୁଣି ସଖୀ ଭଣି ।

ଗୁରୁ ନିତମ୍ବିନୀ ଏ କି କଥା ପୁଣି।

ଗୋପୀନାଥ ଗୁଣାବଳୀ ସୁଧା ଆଣି ।

ଗୁଣ ଶୁଣିଲେ କି ଜୀବ ଯିବ ପୁଣି ।୩।

 

ଗୁଣ ଗଣ ଗଣନେ ଗଣକ ବାରେ ।

ଗଣେଶ ହିଁ ସହି ନ ପାରିବେ ଗାରେ ।

ଗୁଣି ଶେଷକେ କରିବି କି ରୂପରେ ।

ଗତ ଅନନ୍ତ ବୟସ ହେବ ଖରେ ।୪।

 

ଗାଇ ଗାଇ କାମ ଗାଈ ଲକ୍ଷେ ମୁଖେ ।

ଗଣି ନ ପାରିବ ଯାହା ଏକ ରେଖେ ।

ଗୋପ୍ୟ ଗୁଣାବଳୀ ବେଦ ଖୋଜି ଦୁଃଖେ ।

ଗମି ନ ପାରି ନିଗମ ନାମ ରଖେ।୫।

 

ଗୁରୁ ବୋଲାଇଲ ଲୋକେ ବୁଦ୍ଧିପତି ।

ଗିର ଆଶ୍ରୟକୁ କଲେ ସରସ୍ୱତୀ।

ଗୋଚର ଏ ନପାଇଲେ ଭାବିନିତି ।

ଗର୍ବ କେ ଆଉ କରିବ ରସବତୀ ।୬।

 

ଗ୍ରହପତିରୁ ଅଧିକ ତେଜବନ୍ତ ।

ଗରୀଆନ ଶଶୀଠାରୁ ଶୀତଳ ତ।

ଗଭୀରତା ସିନ୍ଧୁବଳୀ ଅକଳିତ ।

ଗୋତ୍ର ଶ୍ରେଷ୍ଠକୁ ଅଧିକ ଧୀର ଖ୍ୟାତ ।୭ ।

 

ଗୁଣୀ ଗଣରେ ଗଣନା ସଦାଶିବ ।

ଜ୍ଞାତା ଯେ ଯୋଗ୍ୟଯୋଗ୍ୟରେ ସେତ ଦଇବ ।

ଗାଢ଼ ଧଇର୍ଯ୍ୟ ଅଟଇ ପବିଭାବ ।

ଗୁଣବନ୍ତଠାରେ କରକାରୁ ଦ୍ରବ।୮।

 

ଗୁରୁ ଗଣେଶଙ୍କୁ ବଳି ବିଦ୍ୟା ବୁଦ୍ଧି ।

ଗୋତ୍ରଠାରୁ ସହିଷ୍ଣୁତା ପରସିଦ୍ଧି ।

ଗୋତ୍ର ଭୟଦକୁ ବଳି ନିତି ବିଧି ।

ଗରିମାରେ ତ ପ୍ରଳୟ ପୟୋନିଧି ।୯।

 

 

ଗାଧି ରାମ ପୃଥୁ ଜିଣି କୀର୍ତ୍ତିକର ।

ଗୀତ ବାଦ୍ୟ ନୃତ୍ୟ ଜିତ ବିଦ୍ୟାଧର ।

ଗର୍ବ କେ କରିବ ଦାନୀ ପଣେ ବଳି ।

ଗଭା ମଣ୍ଡନ କରିବ ଶୁଣି ବଳି । ୧୦ ।

 

ଗାତ୍ର ଲକ୍ଷକେ ମଦନ ଗଲା ଜଳି ।

ଗଉତମ ଧନ୍ୟ ଇନ୍ଦ୍ର ବୋଲେ ଭାଳି ।

ଗ୍ରାବ ହେଲା ଚିନ୍ତାମଣି ଦୟା ଦେଖି ।

ଗଲା ଦ୍ରବି ସୁଧା ହାସ ଭାଷ ଲକ୍ଷି ।୧୧।

 

ଗର୍ବ ରହିତ ଧୀର ଧୀବନ୍ତ ଶାନ୍ତ ।

ଗୋରୁ ବିପ୍ର ପ୍ରିୟଧର୍ମୀ ସତ୍ୟବନ୍ତ ।

ଗ୍ୟାନୀ ମାନୀ ଦାନୀ ଅନୁଗତ-ବଶ ।

ଗୁରୁଜନ-ଗଉରବୀ ସଦା ତୋଷ ।୧ ୨ ।

 

ଗୋତ୍ର-ମିତ୍ର ସାଧୁ ବନ୍ଧୁ ବତ୍ସଳ ସେ ।

ଗୁଣଗ୍ରାହୀ ନର୍ମଭାଷୀ ନିଜ ଦାସେ ।

ଗୀତ ସଙ୍ଗୀତ ଇଙ୍ଗିତ ବିଶାରଦ ।

ଗେଲ ହାସ ପରିହାସ ରସ ପଦ ।୧୩।

 

ଗର୍ବ ଓ ଶୌର୍ଯ୍ୟ ଧୈର୍ଯ୍ୟ ତେଜବନ୍ତ ।

ଗାଢ଼ ଶୂର ସମର୍ଥ ସବଳ ଯୁକ୍ତ ।

ଗ୍ରାହକ ସେ ଅନୁରାଗ ରତନର।

ଗାମ୍ଭୀର୍ଯ୍ୟତା ତାର୍କିକ ଚତୁରବର ।୧୪।

 

ଗ୍ଳାନି ଜନ ବନ୍ଧୁ କ୍ଷମା ଦୟାନିଧି ।

ଗୀର୍ବାଣାଦି ବନ୍ଦ୍ୟ ବୁଦ୍ଧ ବୋଧ ବୁଦ୍ଧି ।

ଗ୍ୟାନ ତାନ ମାନ କଳା ଲୟ ଗ୍ୟାନୀ ।

ଗୁରୁ ନୃତ୍ୟ ଅଭିନୟ ବିଧି ଦାନୀ । ୧୫ ।

ଗିର ଚାତୁରୀ ଯାହାର କାମ ଶାସ୍ତ୍ର ।

ଗୋ ଭଙ୍ଗିମା ସ୍ଵଜନ ମୋହନ ଯନ୍ତ୍ର ।

ଗୋଷ୍ଠ ଜନମାନଙ୍କର ବାଞ୍ଛାନିଧି ।

ଗୋପୀ ନୟନ-ଚକୋରୀ କଳାନିଧି ।୧୬।

 

ଗତି ମତି ଆକର୍ଷଣ ମନୋହର ।

ଗଜ ରାଜ ହଂସ-ଗର୍ବ ଖର୍ବ କର ।

ଗର ଧର ପର ବିମୋହନ ମୂର୍ତ୍ତି ।

ଗୋଳା କର୍ପୂର ଚନ୍ଦନ ଶୀତ ଅତି ।୧୭।

 

ଗତ ପ୍ରାଣ ତରୁ ପଲ୍ଲବିତ କର ।

ଗିରି ଗ୍ରାବ ଦ୍ରବ୍ୟକାରୀ ବଂଶୀଧର ।

ଗ୍ରାମ୍ୟ ରସ ବଶ ରତି ମତି ଚୋର ।

ଗିରିଜାଦି-ବିଚିନ୍ତିତ ଗୋପୀଜାର ।୧୮।

 

ଗତାଗତ ହେଲେହେଁ ଅକ୍ଷୟ ରୂପ।

ଗମ୍ୟ ତ୍ରିକାଳ ସର୍ବଜ୍ଞଙ୍କର ଭୂପ।

ଗତି ନୁହଇ ବହଇ ନିତ୍ୟ-ନୂତନ ।

ଗୁରୁ ସଚ୍ଚିଦାନନ୍ଦ ସାନ୍ଦ୍ରାପଘନ । ୧୯ ।

 

ଗତିଦାତା ନିଧି ସିଦ୍ଧି ଗଣଙ୍କର ।

ଗୂଢ଼ ଅବିଚିନ୍ତ୍ୟ ମହାଶକ୍ତି ଯାର ।

ଗାତ୍ର ଅନନ୍ତ କୋଟି ବ୍ରହ୍ମାଣ୍ଡ ବଳି।

ଗତାଗତ ଯହୁଁ ଅବତାରାବଳି । ୨୦ ।

 

ଗତି କାରଣ ମାରଣ ରିପୁ ଗଣେ ।

ଗୁଣେ ଆକର୍ଷନ୍ତି ଆତ୍ମାରାମ ପଣେ ।

ଗଭୀରତା ସିନ୍ଧୁ ଲୀଳା କଲ୍ଲୋଳର ।

ଗ୍ୟାନ-ମନ-ଚମତ୍କାରୀ ଜଗତର । ୨୧ ।

 

ଗୁପ୍ତ ଅସମାନ ପୂର୍ଣ୍ଣ ପ୍ରେମ ବିତ ।

ଗଉରବୀ ପ୍ରିୟ ମଣ୍ଡଳରେ ଦତ୍ତ ।

ଗିରି ସୁସ୍ୱର ମଧୁରତର ବଂଶୀ ।

ଗୋଲୋକାଦି ବିଶ୍ଵଜନ ମନାକର୍ଷୀ ।୨୨ ।

 

ଗଚ୍ଛିବାକୁ ନାହିଁ ବର ଶୋଭା ମୂର୍ତ୍ତି ।

ଗଲେ ନରେ ବିସ୍ମାପିତ ବିଶ୍ୱମତି ।

ଗୁଣ ସାର ସାର କରି ଦେଲି କହି ।

ଗଣି ପାରିବେ ନାହିଁ କୋଟିଏ ବହି । ୨୩ ।

ଗାଉ ଥିଲେ ଦିନେ ଗୁଣ ମୁନିମାନେ ।

ଗମିଥିଲି କିଛି ଶୁଣିମାଗୁଁ କାନେ ।

ଗତି ସେ ବିନା ଆନ ଦେବାକୁ ନାହିଁ ।

ଗାଢ଼େ ଉପାସନା କର ପ୍ରାଣବହି ।୨୪।

 

ଗୁଣ ଗିଣ ଶ୍ରୀରାଧିକା ମହାମୁଦ।

ଗଲା ଅପସରି କିଛି ହୃଦ ଖେଦ ।

ଗିର ସାର୍ଥକଲା ଅଭିମନ୍ୟୁ କବି ।

ଗୁଣବନ୍ତ ଗ୍ରାହକେ ରସିବେ ଭାବି ।୨୫।

 

ସପ୍ତଷଷ୍ଟି ଛାନ୍ଦ

ରାଗ-ଜୟନ୍ତ

(କଳା କାଇଁଚବାଣୀ)

 

ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ ।

ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ ।

କଳାମାଣିକରେ ।୧।

 

ନିଧନ ସଙ୍ଖାଳି ମୋର (ରେ)

ଦରିଦ୍ର ପସରା ।

ଅନ୍ଧରଲଉଡ଼ି ବାବୁ (ରେ)

ହୃଦରତ୍ନହାରା ।

କଳାମାଣିକରେ ।୨।

 

ମୋ ଜୀବ ଜୀବନ ତୁହି (ରେ)

ନୟନ ପ୍ରତିମା ।

ତୋତେ କି ପାସୋରି ହେବ (ରେ)

ମୋର ସୁଖସୀମା ।

କଳାମାଣିକରେ ।୩।

 

ଡରୁଥାଇ ଅନ୍ଧାରକୁ (ରେ)

ରଖିଯାଉ ଗୋରୁ ।

ଜନକ ଜନନୀ ସୁଖ (ରେ)

କାହିଁପାଇଁ ସାରୁ ।

କଳାମାଣିକରେ ।୪।

 

ବୃଦ୍ଧକାଳେ ତୁ ମୋହର (ରେ)

ଏକଇ ନନ୍ଦନ ।

ହୃଦ-ତାପ-ବିନାଶନେ (ରେ)

ତୁ ହରିଚନ୍ଦନ । କଳାମାଣିକରେ।୫।

 

ଗୋଟିକା ଅଧାମ ସର (ରେ)

ନ ରୁଚଇ ତୋତେ।

ନାଚି ଲାଞ୍ଚ ମାଗୁଥାଉ (ରେ)

ଲବଣୀ କେମନ୍ତେ।

କଳାମାଣିକରେ।୬।

 

ତୋଳି ମୁଁ ଧଇଲେ ଗୋଳି (ରେ)

ହୋଇଗଲୁ ତୁହି।

ତୋ ଦୁର୍ବଳ ଦେଖି କାହିଁ (ରେ)

ପଶିବଇଁ ମୁହିଁ।

କଳାମାଣିକରେ । ।୭।

 

ଡାକିନୀ ଲୋଭାନ୍ତି ବୋଲି (ରେ)

ଡରୁଥାଇ ମନେ।

ବାର ବାର ବାରୁଥାଇ (ରେ)

ଯିବା ପାଇଁ ବନେ । କଳାମାଣିକରେ ।୮।

 

ନିଶାଚର ମାତିବାର (ରେ)

ଶୁଭୁଛି ଶ୍ରୁତିକି।

ମୁଁ ଡଙ୍କୁଣୀ ଛାଡ଼ିଦେଲି (ରେ)

ବନକୁ କାହିଁକି।

କଳାମାଣିକରେ।୯।

 

ଝାଳ ବହୁଥିବ ଅଙ୍ଗୁ (ରେ)

ଲାଗି ଝାଞ୍ଜି ଖରା।

ଶ୍ରମ ପାଇ ତରୁତଳେ (ରେ)

ବସୁଥିବୁ ପରା ।

କଳାମାଣିକରେ ।୧୦।

 

ନେଲୁ ନାହିଁ କାହିଁପାଇଁ (ରେ)

ତୋ କଠାଉ ଛତା।

 

ବନେ କଣ୍ଟା ଲାଗି ହୋଏ (ରେ)

ମୃଦୁ ପାଦ ଚିନ୍ତା । କଳାମାଣିକରେ ।୧୧।

 

କାନ ଡେରିଥାଇ ଏକା (ରେ)

ତୋ ବେଣୁ ଗୀତକୁ।

ଆଜି କିମ୍ପା ଶୁଭୁନାହିଁ (ରେ)

ଭାବୁଛି ମନକୁ।

କଳାମାଣିକରେ।୧୨।

 

ତୋ ଠାରୁ ଅଧିକ ବାଇ (ରେ)

ତୋର ବଡ଼ଭାଇ।

ବୋଧକରି ଗଲା ନାହିଁ (ରେ)

କାହିଁକି ରଖାଇ।

କଳାମାଣିକରେ।୧୩।

 

ତୋ ମାଧୁରୀ ସୁଚାତୁରୀ (ରେ)

ଦେଖି ସୁଖୀ ଆକ୍ଷି।

ଅନ୍ଧ କରିଗଲୁ ବଳା (ରେ)

କି ମମତା ରଖି।

କଳାମାଣିକରେ ।୧୪।

 

ଛାଇକି ଅନାଇ ଛାତି (ରେ)

ଫୁଲାଇ ତ୍ରି ଭଙ୍ଗେ ।

ମୁରଲୀ ବଜାଉ ଥାଉ (ରେ)

କି ଚାତୁରୀ ରଙ୍ଗେ।

କଳାମାଣିକରେ।୧୫।

 

କୋଳି ପାଇଁ ଅଳି କରି (ରେ)

ଗଡୁ ତ ଧୂଳିରେ।

ବେଶ ହୋଇଥାଉ ରସି (ରେ)

କୁସୁମମାଳିରେ ।

କଳାମାଣିକରେ।୧୬।

ନଟବର ପରିପାଟୀ (ରେ)

ବେଶ ମନୋହର ।

ରଙ୍ଗିମା ଅଧରେ ହାସ (ରେ)

କି ଜାତି ସୁନ୍ଦର ।

କଳାମାଣିକରେ।୧୭।

 

ନୟନ ହୁନ୍ଦର ମାନେ (ରେ)

ଭ୍ରୂଲତା ନାଟକୁ ।

ଅଳତା ଆବୃତ ଶୋଭା (ରେ)

ଲଲାଟ ପଟକୁ।

କଳାମାଣିକରେ।୧୮।

 

ନାକେ କାବ୍ୟ ତାରା ମୋତି (ରେ)

ବସୁଣୀ କି ଶୋଭା।

ମୋ ଆକ୍ଷି ଦେଖିବା ପାଇଁ (ରେ)

ନିରବଧି ଲୋଭା ।

କଳାମାଣିକରେ।୧୯।

 

ମକର କୁଣ୍ଡଳ ଯୁଗ (ରେ)

ଆନ୍ଦୋଳେ ଗଣ୍ଡରେ ।

ଦେଖି ଆନନ୍ଦରେ ଭାଷା (ରେ)

ନ ଆସେ ତୁଣ୍ଡରେ ।

କଳାମାଣିକରେ।୨୦।

ଗୁଞ୍ଜବେଡ଼ା ବାଙ୍କଚୂଡ଼ା (ରେ)

ଖୋଷା ଜାମୁଡ଼ାଳି।

କି ସୁନ୍ଦର ଦିଶୁଥାଉ (ରେ)

ଆସୁ ଢଳି ଢଳି ।

କଳାମାଣିକରେ।୨୧।

କେଡ଼େ ସ୍ୱଚ୍ଛ କେକୀପୁଚ୍ଛ (ରେ)

ସୁଗୁଞ୍ଜରା ପାଟି।

ଆସିବ କାହା ପାଟିକି (ରେ)

ତେତେ ପରିପାଟୀ।

କଳାମାଣିକରେ।୨୨।

 

କସ୍ତୁରୀ ତିଳକ ନାସେ (ରେ)

ଭାଲେ ଗୋରଚନା ।

ଭାଲରେ ଚନ୍ଦନପାଟି (ରେ)

ମନ ବଶ ସିନା ।

କଳାମାଣିକରେ।୨୩।

ରଙ୍ଗମାଟି କି ରଙ୍ଗରେ (ରେ)

ହୃଦରେ ଚିତ୍ରିତ।

କଉସ୍ତୁଭ ବନମାଳ ( ରେ)

ସୁଷମା ବିଚିତ୍ର।

କଳାମାଣିକରେ।୨୪।

 

କାଇଁ କଙ୍କଣ କରେ (ରେ)

କଟିରେ କିଙ୍କିଣୀ ।

ନୂପୁର ଶବଦ ମୋର (ରେ)

ମନ ନିଏ କିଣି।

କଳାମାଣିକରେ।୨୫।

 

ସୁନ୍ଦର ହୃଦର ଭଙ୍ଗି (ରେ)

ନ ଦେଖି ତୋହର।

ବାଇବୁଦ୍ଧି ହୋଇଲାନି (ରେ)

ଆସି ତ ମୋହର।

କଳାମାଣିକରେ।୨୬।

 

କଷ୍ଟ କରିଥିଲୁ ପରା (ରେ)

କାହିଁକି ନଇଲୁ।

କାହା ସଙ୍ଗତରେ ଅବା (ରେ)

ପୁଣି କଳି କଲୁ।

କଳାମାଣିକରେ।୨୭।

 

କି ଦୂର ବନକୁ ଗଲୁ (ରେ)

ତଥ୍ୟ ନ ଜାଣିଲି।

ମୁଁ ପାପିଷ୍ଠା କାହିଁ ପାଇଁ (ରେ)

ତୋ ସଙ୍ଗେ ନ ଗଲି ।

କଳାମାଣିକରେ।୨୮।

 

ରବିକର ଚାହୁଁଅଛି (ରେ)

କ୍ଷତମୃଗୀ ପରି ।

ଦିନ ସରୁନାହିଁ ଲବ (ରେ)

ହେଲା ଯୁଗ ସରି ।

କଳାମାଣିକରେ।୨୯।

 

କେ ଯାଇଁ କହନ୍ତା ତୋତେ (ରେ)

ମୋହର ବେଦନା ।

ଅବଶ୍ୟ ହୁଅନ୍ତୁ ତୁହି (ରେ)

ମାତା ସ୍ନେହଘେନା ।

କଳାମାଣିକରେ।୩୦।

 

ଦଉଡ଼ି ଯିବି କି ବନେ (ରେ)

ହେଉଛି ଆତୁର।

ପୟୋଧରୁ କ୍ଷୀର ସ୍ରାବି (ରେ)

ପଡ଼େ ଧାର ଧାର।

କଳାମାଣିକରେ ।୩୧|

 

ମନ ଛନଛନ ବନ (ରେ)

ନେତ୍ରୁଁ ନ ରହିଲା।

ତୋ ଅଇଲା ପରା ଛାଇ (ରେ)

ମୋତେ ପ୍ରତେ ହେଲା ।

କଳାମାଣିକରେ ।୩୨।

ଖତମାଳେ ସୂତମାଳେ (ରେ)

ରହିଲା ନୟନ।

କୃପୂର୍ବ ଭାଷାରେ ମୋର (ରେ)

ବନ୍ଦୀ ହେଲା ମନ।

କଳାମାଣିକରେ।୩୩।

 

ଅନେକ ଆପଦୁଁ ତୋତେ (ରେ)

ରଖିଲେ ଅମ୍ବିକା।

ନାମ ଦେଇଅଛି କାହ୍ନୁ (ରେ)

କହ୍ନା କିଣାବିକା

କଳାମାଣିକରେ ।୩୪।

 

ଅପତିଅଣିଆ ବୋଲି (ରେ)

ବିନ୍ଧି ନାକ କାନ।

ଖଞ୍ଜିଲି ବସୁଣୀ ବାଳି (ରେ)

ଲୋକନେ ଶୋଭନ।

କଳାମାଣିକରେ ।୩୫।

 

ମନ୍ଦଦୃଷ୍ଟି ନବାଧିବ (ରେ)

ବିଚାର ମୋହର।

କଳାବିନ୍ଦୁ ଦେଇଥାଇ (ରେ)

କପାଳରେ ତୋର।

କଳାମାଣିକରେ।୩୬।

 

ଗୋରଜ ଲେପଥ ଅଙ୍ଗେ (ରେ)

ଆପଦ ହରଣେ।

ପଦରଜ ଦେଉଥାନ୍ତି (ରେ)

ବୃଦ୍ଧ ଗୋପୀମାନେ।

କଳାମାଣିକରେ।୩୭।

 

ରଙ୍ଗ କାଛ ନ ଦିଅଇ (ରେ)

ଡାକିନୀଙ୍କି ଡରି।

ତୁଚ୍ଛ ବେଶ କରିଥାଇ (ରେ)

ଲୋଭକୁ ନ ପାରି।

କଳାମାଣିକରେ ।୩୮।

 

କୋଳେ ଶୋଇଥାଉ ନିଦ (ରେ)

ଭାଙ୍ଗିଗଲେ ତୋର।

ଚମକି ମୋ ଗଳା ଛନ୍ଦି (ରେ)

ଡାକୁ ମାତା ଗିର।

କଳାମାଣିକରେ।୩୯ |

 

ଏମନ୍ତ ନନ୍ଦନ ପୁଣି (ରେ)

ବନବାସୀ ହେବ।

ଜନନୀ ଜୀବନ ଧରି (ରେ)

କି କରି ରହିବ।

କଳାମାଣିକରେ ।୪୦ |

 

କାହାକୁ କି ସୁତ ଦେଲା (ରେ)

ନାହିଁରେ ଦଇବ ।

ତୋ ପରି ଅବୁଝା ପୁଣି (ରେ)

କେ କାହିଁକି ହେବ ।

କଳାମାଣିକରେ।୪୧।

 

ବିଭ୍ରମରେ ସନ୍ନିକଟ (ରେ)

ଦୂର ନ ଜାଣିଲେ।

ଆସ ବାପ ଭାଇ ଧନ (ରେ)

ଛାଇକି ବୋଇଲେ।

କଳାମାଣିକରେ।୪୨।

 

ଅୟନେ ନୟନ ଦେଲେ (ରେ)

ଦଉଡ଼ି ଦାଣ୍ଡକୁ।

ହୃଦେ କର ମାରି ଯତ୍ନ (ରେ)

ନ କଲେ ପିଣ୍ଡକୁ।

କଳାମାଣିକରେ।୪୩।

 

ରୋହିଣୀ ବାରିଲେ ଆସି (ରେ)

କହି ବୋଧକରି ।

ଧୀରେ ଘେନ ଏ ବାତ୍ସଲ୍ୟ (ହେ)

ବଚନ ମାଧୁରୀ ।

କଳାମାଣିକରେ ।୪୪।

 

ସାମନ୍ତ ସିଂହାର ଦୀନ (ହେ)

କରିଛି କାମନା ।

କୃଷ୍ଣ ପ୍ରେମରସ ବିନା(ହେ)

ନୋହିବ ଭାବନା ।

କଳାମାଣିକରେ ।୪୫।

 

Unknown

ପ୍ରଥମ ଛାନ୍ଦ

 

୧।ଅପ୍ରାକୃତ –ଅଲୌକିକ, ମାୟାଶୂନ୍ୟ। ପ୍ରେମମୂର୍ତ୍ତି-ପ୍ରେମମୟ ସ୍ୱରୂପ। ଅବ୍ୟକ୍ତ ଲୀଳା- ଅପ୍ରକାଶିତ ଲୀଳା; ଯେଉଁ ଲୀଳା ଶ୍ରୀକୃଷ୍ଣଙ୍କର ଅବତାର ଗ୍ରହଣ କରିବା ପର୍ଯ୍ୟନ୍ତ ପ୍ରକାଶ ପାଇନଥିଲା । ବ୍ୟକ୍ତ କର, ପ୍ରକାଶ କର। ଅବତାରି – ଅବତାର ଗ୍ରହଣ କରି।

 

୨।ଆଦି- ପ୍ରଥମ, ମୂଳ । ଅନାଦି – ଯାହାର ମୂଳ ନାହିଁ । କାରଣ– ସୃଷ୍ଟିର କାରଣ, ସୃଷ୍ଟିର ସ୍ରଷ୍ଟା ଓ ଉପାଦାନ । ନିର୍ଗୁଣ – ଗୁଣଶୂନ୍ୟ ; ତୁମେ ଯେତେବେଳେ ପରଂବ୍ରହ୍ମ ସେତେବେଳେ ତୁମ୍ଭେ ସତ୍ତ୍ୱ, ରଜ ଓ ତମ ଗୁଣଶୂନ୍ୟ । ସଗୁଣ– ଗୁଣଯୁକ୍ତ; ତୁମେ ଯେତେବେଳେ ଅବତାର ଗ୍ରହଣ କରି ସେତେବେଳେ ତୁମେ ସତ୍ତ୍ୱ, ରଜ ଓ ତମ ଗୁଣଯୁକ୍ତ । ଆତ୍ମାରାମ- ଯେ ନିଜ ଆତ୍ମାରେ ରମଣ କରେ; ସ୍ଵୟଂ ଆନନ୍ଦମୟ । ସନାତନ– ଚିରନ୍ତନ; ବର୍ତ୍ତମାନ, ଭୂତ ଓ ଭବିଷ୍ୟତରେ ଯାହାର ଅସ୍ତିତ୍ୱ ସ୍ୱୀକୃତ । ବ୍ରହ୍ମନିରୂପଣ- ଯେ ବ୍ରହ୍ମ ଉପରେ ନିରୂପିତ ହୋଇଅଛନ୍ତି।

 

୩ । ଈଶ୍ୱର – ଜଗତର କର୍ତ୍ତା । ସ୍ୱତନ୍ତ୍ର – ନିଜ ଇଚ୍ଛାଧୀନ । ସ୍ଵୟଂ ଭଗବାନ– ତୁମେ ନିଜେ ଭଗବାନ; "କୃଷ୍ଣସ୍ତୁ ଭଗବାନ ସ୍ୱୟଂ” ଉକ୍ତିର ପ୍ରତିଧ୍ୱନି; ଭଗର ଅର୍ଥ ହେଉଛି, ଐଶ୍ୱର୍ଯ୍ୟ, ବୀର୍ଯ୍ୟ, ଯଶ, ଶ୍ରୀ, ଜ୍ଞାନ ଓ ବୈରାଗ୍ୟ । ଏସବୁ ଯାହାଙ୍କଠାରେ ଅଛି, ସେ ଭଗବାନ । ଇଚ୍ଛାମୟ– ଯେ ନିଜ ଇଚ୍ଛାରେ ଲୀଳା କରନ୍ତି; ଭଗବାନ ନିଜ ଇଚ୍ଛାରେ ସୃଷ୍ଟି କରନ୍ତି ଓ ନିଜ ଇଚ୍ଛାରେ ଚାଳିତ ହୁଅନ୍ତି । ସର୍ବ ଶକ୍ତିବନ୍ତ – ସମସ୍ତ ଶକ୍ତିର ଅଧିକାରୀ। ତତ୍ତ୍ୱବିହି- ଯେ ପଞ୍ଚଦଶ ତତ୍ତ୍ୱକୁ ବିଧାନ କରିଅଛନ୍ତି ।

 

୪ । ଈଶ– ଶିବ। ଶେଷାଦି– ବାସୁକୀ ପ୍ରଭୃତି । ସେବକ ସେବାକାରୀ; ଭୃତ୍ୟ । ସେବ୍ୟ – । ସେବାର ଯୋଗ୍ୟ । ଇଷ୍ଟ – କାମ୍ୟବସ୍ତୁ । ଅଭୀଷ୍ଟଦ– ଯେ ଇଚ୍ଛା ଅନୁସାରେ ଫଳଦାନ କରେ, କାମନା ଅନୁସାରେ ଯେ ଫଳଦାନ କରନ୍ତି । ଦୟାନିଧ– ଦୟାର ସାଗର । ଭାବଗ୍ରାହୀ– ଯେ ଭକ୍ତର ଭାବକୁ ଗ୍ରହଣ କରନ୍ତି ।

 

୫ । ଉତ୍ପତ୍ତି– ସୃଷ୍ଟି । ପାଳନାନ୍ତ- ପାଳନ ଓ ବିନାଶ । ଭ୍ରୂଭଙ୍ଗୀ ବିକାରେ– ଭ୍ରୂଭଙ୍ଗୀର । ପରିବର୍ତ୍ତନରେ ବା ଆଖିର ପତା ଲେଉଟାଇବା ମାତ୍ରେ । ଉତପ୍ଳୁତ– ଛନ୍ଦାଛନ୍ଦି । ତନ୍ତୁବାୟ ସୂତ୍ର– ତନ୍ତୀର ଲୁଗାବୁଣା ସୁତା ।

 

୬। ଊର୍ଣ୍ଣନାଭି-ବୁଢିଆଣୀ। ଇଚ୍ଛାଶକ୍ତି ବଳେ- ନିଜ ଇଚ୍ଛା ଅନୁସାରେ । ଉଦ୍ଭବ ହୋଇ- ଅବତାର ଗ୍ରହଣ କରି। କାଳେକାଳେ –ଯୁଗେ ଯୁଗେ । କବିଙ୍କର ଏହି ପଦ ଉପରେ ଶ୍ରୀମଦ୍‌ ଭଗବଦ୍‌ ଗୀତାର ‘‘ ଧର୍ମ ସଂସ୍ଥାପନାର୍ଥୀୟ ସମ୍ଭବାମି ଯୁଗେ ଯୁଗେ’’ର ପ୍ରଭାବ ସ୍ପଷ୍ଟ।

 

୭। ୠକ୍‌- ଋକ୍‌ବେଦ। ଯଜୁ-ଯଜୁର୍ବେଦ। ସାମ-ସାମବେଦ। ସ୍ମୃତିଶାସ୍ତ୍ର –ନୀତିଶାସ୍ତ୍ର; ମନୁ,ପରାଶର ପ୍ରଭୃତିଙ୍କ ଦ୍ୱାରା ରଚିତ ନୀତିଶାସ୍ତ୍ର ସମୂହ। ସମ୍ପାଦେ-ଚରିତରେ।

 

୮। ରୁଚିର –ସୁନ୍ଦର । ଚରଣ-ପାଦ । ଛଟା –କାନ୍ତି । ଋକ୍ଷସଂଖ୍ୟା –ନକ୍ଷତ୍ର ସଂଖ୍ୟା; ଅସଂଖ୍ୟ । କଳ୍ପେ –ସହସ୍ରଯୁଗ। କଳ୍ପି –କଳ୍ପନା କରି।

 

୯। ଲୁବ୍‌ଧକ-ଶବର, ଜରାଶବର। ତାରକ-ତ୍ରାଣକର୍ତ୍ତା । ହର –ଶିବ । ହର –ହରଣକାରୀ। ଲୁବ୍‌ଧକତାରକ- ଜରାଶବର ତୁମ୍ଭର ପାଦରେ ଶର ବିଦ୍ଧ କରିଥିଲେହେଁ ତୁମ୍ଭେ ତାକୁ ମୁକ୍ତି ପ୍ରଦାନ କରିଅଛ। ବ୍ରହ୍ମା ହର ଗର୍ବହର-ତୁମ୍ଭେ ବ୍ରହ୍ମା ଓ ଶିବଙ୍କର ଗର୍ବକୁ ହରଣ କରିନିଅ। ବ୍ରହ୍ମା ବତ୍ସାହରଣ କରିବାରୁ ତୁମ୍ଭେ ନିଜ ଅଙ୍ଗରୁ ବତ୍ସା ସୃଷ୍ଟିକରି ବ୍ରହ୍ମାଙ୍କର ଗର୍ବକୁ ହରଣ କରିଅଛି। ଶିବ ଭସ୍ମାସୁରକୁ ବରଦେଇ ବିପଦରେ ପଡ଼ିଥିବା ସମୟରେ ତୁମ୍ଭେ ମୋହିନୀ କନ୍ୟା ରୂପ ଧାରଣ କରି ଶିବଙ୍କୁ ରକ୍ଷା କରିଅଛି।

 

୧୦। ଲୁଠ-ଭୂମିରେ ଗଡ଼ିଯାଅ। ଲୋଲୁପ- ପାଇବାକୁ ଇଚ୍ଛୁକ । ଗୋପୀବଦନାମ୍ବୁଜ ପୀୟୁଷ –ଗୋପୀମାନଙ୍କର ମୁଖରୂପକ ପଦ୍ମର ମଧୁ ବା ଅମୃତ।

 

୧୧ । ମହିମାବନ୍ତ – ସର୍ବଗୁଣଯୁକ୍ତ, ମହିମାମୟ । ପ୍ରେମଭକ୍ତି ରସ– ମାଧୁର୍ଯ୍ୟରସ ଏକନିଷ୍ଠେ– ଏକାଗ୍ରତିଭରେ ।

୧୨ ।ଐରାବତ ଗତି – ଗଜଗମନା ସୁନ୍ଦରୀ ନାରୀ, ଇନ୍ଦ୍ରପଦ । ଅଣିମା – ଅଷ୍ଟୈଶ୍ୱର୍ଯ୍ୟ । ଭୋଗ– ସଂସାରିକ ସୁଖଭୋଗ । ମୁକ୍ତି – ମୋକ୍ଷ ।

 

୧୩ ।ଓଷଧୀଶାନନ– ଚନ୍ଦ୍ରବଦନ । କିଶୋରୀ– ଶ୍ରୀରଧା। ଶ୍ରୀରଧାଙ୍କର ଦାସୀତ୍ୱ ପାଇବା ପାଇଁ ଏଠାରେ କବି କାମନା ପ୍ରକାଶ କରି ଅଛନ୍ତି ।

 

୧୪ ।ଔଦାର୍ଯ୍ୟ– ଉଦାରତା । ଗାମ୍ଭୀର୍ଯ୍ୟ– ଗମ୍ଭୀରତା । ନିପୁଣ– ପରିପୂର୍ଣ୍ଣ । ଏହି ପଦକୁ ଦୁଇ ପ୍ରକାରରେ ଅର୍ଥ କରାଯାଇ ପାରେ-

 

(୧) ଔଦାର୍ଯ ଗାମ୍ଭୀର୍ଯ୍ୟାଦି ଗୁଣରେ ତୁମ୍ଭେ ପରିପୂର୍ଣ୍ଣ । ମୁଁ ସଂସାରରେ ଦୁଃଖ ରୂପକ ରୋଗ ଭୋଗୁଅଛି । ଏଥିରୁ ମୁକ୍ତିପାଇବା ପାଇଁ ତୁମ୍ଭର ଚରଣାଶ୍ରୟୀ ମୋ ପକ୍ଷରେ ଔଷଧ ସ୍ୱରୂପ। ତେଣୁ ତୁମ୍ଭର ପଦସେବା ଦ୍ଵାରା ତୁମ୍ଭଙ୍କୁ କ’ଣ ମୁଁ ସନ୍ତୁଷ୍ଟ କରିପାରିବି ?

 

(୨) ଏହି କାବ୍ୟରେ ଔଦାର୍ଯ୍ୟ ଗାମ୍ଭୀର୍ଯ୍ୟାଦି ଗୁଣବିଶିଷ୍ଟ ପଦାବଳୀ ରଚନା କରିଅଛି । ତୁମ୍ଭଙ୍କୁ ବଶ କରିବା ନିମନ୍ତେ ସୁନ୍ଦର ପଦରେ ତୁମର ଲୀଳାଗାନ କରିବାକୁ ମୋର ଏକମାତ୍ର ଔଷଧ ବୋଲି ଧରିନେଇ ଅଛି । ସତେ କ’ଣ ତୁମେ ଏହାଦ୍ୱାରା ସନ୍ତୁଷ୍ଟ ହେବ ?

 

୧୫ । ଅନନ୍ତ – ଅଶେଷ, ଅସଂଖ୍ୟ । ଅକୈତବ– ଅକପଟ, କପଟଶୂନ୍ୟ । କରୁଣା- ଦୟା । ଅକୈତବ କରୁଣା– କବି ଏଠାରେ କପଟ ଶୁନ୍ୟ ଦୟାପ୍ରାର୍ଥୀ ହୋଇଅଛନ୍ତି । କପଟଶୂନ୍ୟ ଦୟା କହିବାର ତାତ୍ପର୍ଯ୍ୟ ରହିଛି । ଭଗବାନ ମୋକ୍ଷାଦି ପ୍ରଦାନ କରି ଭକ୍ତମାନଙ୍କୁ ଭଣ୍ଡାଇ ଦିଅନ୍ତି । କବି ସେ ପ୍ରକାର ମୋକ୍ଷ ଚାହାନ୍ତି ହୋଇ ନାହିଁ । ତେଣୁ ସେ ଅକୈତବ କରୁଣାପ୍ରାର୍ଥି ହୋଇ ଅଛନ୍ତି।

 

୧୬।       ଅନନ୍ତ ସିଦ୍ଧି- ଅସୀମ ସିଦ୍ଧି । ପଦାର୍ଚ୍ଚିତ– ପଦସେବା । ଅବିଘ୍ନେ – ବିଘ୍ନଶୂନ୍ୟ ଭାବରେ

ବାଧାହୀନ ଭାବରେ ।

୧୭।       କାମନା କଳପତରୁ – କାମନା କରିବାରେ ଯେ କଳ୍ପତରୁ ସଦୃଶ । ଚିନ୍ତାମଣି – ମନୋବାଞ୍ଛା ପୂରଣକାରୀ ସ୍ଵର୍ଗୀୟ ମଣି । କଳ୍ପୁଛି– କଳ୍ପନା କରୁଛି । କବିତ୍ୱେ– କବିତ୍ୱ ବଳରେ, କବିତାରେ ।

 

୧୮ । ଖଗପତି – ଗରୁଡ଼ ପତି, ବିଷ୍ଣୁ । ମାନସ– ମନସ୍କାମନା । କ୍ଷିତି– ଜଗତ । ପାବନ-

ପବିତ୍ରକାରୀ ।

 

୧୯। ଗୁଣ ଗ୍ରାହକେ– ଗୁଣଗ୍ରାହୀମାନେ । ଚିନ୍ତିଲା ସୁପ୍ରେମ- ଅଭିଳଷିତ ଶ୍ରୀହରି ପ୍ରେମଲୀଳା, ପ୍ରେମଭକ୍ତି ।

୨୦ । ନିର୍ବାଣ– ମୋକ୍ଷ । ଘୃତବତ – ଘୃତସଦୃଶ । ରସିକ– ରସଗ୍ରାହକ । ରବି– ସୂର୍ଯ୍ୟ ।

 

୨୧ । ଉଆଁସ– ଅମାବାସ୍ୟା । ଧୀରଚକ୍ର – ପଣ୍ଡିତ ରୂପକ ଚକ୍ରବାକ ।

୨୨ ।       ବିମଳ– ଉଜ୍ଜ୍ୱଳ । ଚରିତ- ରାଧାକୃଷ୍ଣ ଚରିତ । ଅଥଳ – ଅତ୍ୟନ୍ତ ଗଭୀର ।

 

୨୩ । ଛଦ୍ମାର୍ଥିକ– ଛଦ୍ମ ଅର୍ଥକାରୀ, ଯେ ଛଦ୍ମ ଅର୍ଥ କରେ । ଦମ୍ଭଧର – ଦମ୍ଭରୂପକ ପର୍ବତ । ଚୂରଣକୁ ଚୂର୍ଣ୍ଣ କରିବା ପାଇଁ । ପବି– ବଜ୍ର । ଛଇଳ– ଛବିଳ, ରସିକ । ନବ ଗୁଣବତୀ– ନବୀନ ଗୁଣଯୁକ୍ତା କାମିନୀ ।

 

୨୪ । ଯମକାଦି– ଯମକ, ଅନୁପ୍ରାସାଦି ଅଳଙ୍କାର । ଚିତ୍ରକାବ୍ୟ – ବିଚିତ୍ର ରଚନା, ଯେଉଁ ବର୍ଣ୍ଣନାର ବର୍ଷଗୁଡ଼ିକୁ ଚିତ୍ରାକାରରେ ସଜ୍ଜିତ କରାଯାଏ ତାହାକୁ ଚିତ୍ରକାବ୍ୟ କୁହାଯାଏ । ପ୍ରବନ୍ଧ କାବ୍ୟ – ଯଥାଜାତ – ମୂର୍ଖ । ଧନ୍ଦା– ଅବୋଧ୍ୟ । ବୁଧ– ପଣ୍ଡିତ ମନବୋଧ– ପ୍ରୀତିପଦ ।

 

୨୫ । ଝଳିମାର୍ଗ– ନିର୍ମଳ ପଥ, ଉଜ୍ଜ୍ୱଳ ପଥ । ଝଗଡ଼ା- କନ୍ଦଳ, ଛଦ୍ମ। ଦମୀ– ଥକିଯିବା, ଦବିଯିବା ।

 

୨୬ । ନ୍ୟାୟାଦି- ନ୍ୟାୟ ପ୍ରଭୃତି ଷଟ୍‌ଦର୍ଶନ, ଗୌତମଙ୍କ ନ୍ୟାୟ, କଣାଦଙ୍କ ବୈଶେଷିକ, କପିଳଙ୍କ ସାଂଖ୍ୟ, ଜୈମିନୀଙ୍କ ପୂର୍ବ ମୀମାଂସା, ପାତଞ୍ଜଳିଙ୍କ ଯୋଗ,ବ୍ୟାସଦେବଙ୍କ ଉତ୍ତର ମୀମାଂସା। ପୁରାଣ- ଅଷ୍ଟାଦଶ ପୁରାଣ । ବେଦ- ଋକ୍, ସାମ, ଯଜୁ ଓ ଅଥର୍ବ । ଆଗମ– ତନ୍ତ୍ରଶାସ୍ତ୍ର । କାବ୍ୟ– ନୈଷଧ, ମାଘ ପ୍ରଭୃତି କାବ୍ୟ । ନ୍ୟାସ– ଆୟତ୍ତ । ଭାବ୍ୟ– ଭାବନାର ବିଷୟ ।

 

୨୭ । ନା-ରଦ – ଦାନ୍ତ ନଥିବା ଲୋକ । ଟେକ – ବଡ଼ପଣ । ଓଜ– ବଳ ।

୨୮। ଠିକେ – ଅଳ୍ପ ଆୟାସରେ, ସହଜରେ । ଏଥି– ଏଥିରେ ଥିବା । ମର୍ମ- ଗୂଢତତ୍ତ୍ୱ।

 

୨୯। ଡାକି- ଘୋଷଣା କରି, ଆହ୍ୱାନ କରି । ରାଗମାର୍ଗ– ରାଗାନୁଗା ଭକ୍ତିମାର୍ଗ,  ଶୁଦ୍ଧା ଭକ୍ତିମାର୍ଗ । ଡେରିକର୍ଣ୍ଣ – କାନଡେରି। ସସ୍ନେହତା କର – ସ୍ନେହ ପ୍ରକାଶ କର । ମୋ ବଚନେ– ମୋ ବର୍ଣ୍ଣନାକୁ ।

 

୩୦।      ଢମପଣେ ଆଡମ୍ବର ସହକାରେ । ଗୋବିନ୍ଦ ଚରିତ– ଶ୍ରୀକୃଷ୍ଣଙ୍କ ରଚିତ ।

୩୧। ଅମ୍ବୁ– ଜଳ । ଯେ ହେଉ ସେ ହେଉ– ଯାହା ହେଉ ନା କାହିଁକି, ଯାହା ହେଲେ ହେଁ । ପାଦୋଦକ- ପାଦୁକ ।

 

୩୨। ତତ୍ତ୍ୱ– ଈଶ୍ଵରଙ୍କର ମାହାତ୍ମ୍ୟ । ରସିବ– ଗ୍ରହଣ କରିବ, ଆକୃଷ୍ଟ ହେବ । ତୁଚ୍ଛ– ହେୟ । ବଚନୁଚ୍ୟୁତ– ବାକ୍ୟରୁ ବାହାରିଅଛି।

୩୩ । ଦ୍ରାକ୍ଷା– ଅଙ୍ଗୁର । ପାକ– ରସୋଚିତ ଶବ୍ଦ ବିନ୍ୟାସ । ଦ୍ରାକ୍ଷାପାକ– ସର୍ବାଙ୍ଗ କୋମଳ । ମାତ୍ର ମଧ୍ୟ ଅଳ୍ପ କଠିନ । ଗୁଡ଼ପାକ– ସର୍ବାଙ୍ଗ କୋମଳ । ନାରିକେଳ ପାକ- ବାହାର ଅଂଶ କଠିନ ଏବଂ ଭିତର ଅଂଶ କୋମଳ । ଖର୍ଜୁର ପାକ- ବାହାର ଅଂଶ କୋମଳ ଏବଂ ଭିତର ଅଂଶ କଠିନ ।

 

୩୪। ଦିବ୍ୟ– ସଂସ୍କୃତ । ଅଦିବ୍ୟ – ପ୍ରାକୃତ । ମହାଜନମାର୍ଗ– ମହାଜନମାନଙ୍କର ପ୍ରଦର୍ଶିତ ମାର୍ଗ ।

୩୫ । ଧ୍ରୁବ– ଯଥାର୍ଥ । ଶବ୍ଦ – ବେଦାଦି ଆଗମ । ସାକ୍ଷାତ- ପ୍ରତ୍ୟକ୍ଷ ।

 

୩୬ । ନୀରସ– ସ୍ଵାଦୁହୀନ । ଗୋରସ – ଗାଈଦୁଧ । ପରିପାକ– ସିଦ୍ଧ ।

୩୭ । ପ୍ରେମ ପରିପାକ ଧୀର- ଯେଉଁ ପଣ୍ଡିତମାନେ ପ୍ରେମତତ୍ତ୍ୱକୁ ଉତ୍ତମରୁପେ ହୃଦୟଙ୍ଗମ କରିଅଛନ୍ତି । ଘନ- ମେଘ । ଖାର – ଖାରିଆ । କ୍ଷୀର– ମଧୁର । ଏକତ୍ୱ – ଏକତ୍ର ।

 

୩୮ ।      ଫନ୍ଦା – ଆଶ୍ରୟ । ପଦ– ପାଦ । ପଦ– କାବ୍ୟର ପଦ ।

୩୯ ।       ବିବେକ- ବିବେକୀ । ଗ୍ରାହକ– ସମାଲୋଚକ । କୋଟିଆୟୁ – ଦୀର୍ଘାୟୁ । ବର୍ତ୍ତିଥିଲେ–ବଞ୍ଚିଥିଲେ । ମ୍ଳାନି-ମଳିନ ।

 

୪୦ । ଭାବେ– ଭାବରେ, ଭାବସମୁହରେ । ବୈଶ୍ୟ– ପୋଟଳିବଣିଆ । ପସରା- ବିକ୍ରୟ ନିମିତ୍ତ ଥିବା ପଦାର୍ଥର ଟୋକେଇ । ଭାବ– ବିଚାର କର । ଗ୍ରାହକ– ଗରାଖ । ଲୋଡ଼ା – ଆବଶ୍ୟକ ।

୪୧।      ମହୁରା– ବିଷ । କବିତ୍ୱଦୋଷ – କବିତାରେ ଥିବା ଦୋଷ । ଖଳେ –ଖଳଲୋକମାନେ।

 

୪୨।      ଯଥାଜାତ ବୁଦ୍ଧି – ମୂର୍ଖବୁଦ୍ଧି । ଶୁନୀପୁଚ୍ଛ – କୁକୁରୀ ଲାଙ୍ଗୁଳ । ଯଥୋଚିତ- ଯଥାର୍ଥ । ନିନ୍ଦନ- ନିନ୍ଦା । ବନ୍ଦନ– ପ୍ରଶଂସା।

 

୪୩।      ବିଧନ୍ତୁଦ– ରାହୁ, ଚନ୍ଦ୍ରକୁ ପୀଡ଼ା ଦେଉଥିବା । ରସନିନ୍ଦୁକେ – ରସର ନିନ୍ଦାକାରୀ ।ଅଖିଳେ– ଜଗତରେ ।

 

୪୪।      ଦଂଶନ୍ତି- ଦଂଶନ କରନ୍ତି, କାମୁଡ଼ନ୍ତି । ଲୀଳାକରି – ଶ୍ରଦ୍ଧାର ସହିତ । ରସ– କ୍ଷୀର । ଉଦ୍‌ଗାରନ୍ତି – ବାନ୍ତି କରନ୍ତି ।

 

୪୫। ବାଇ– ପାଗଳ । ଚିତ୍ର- ବିଚିତ୍ର ।

୪୬ ।      ସୁମନା – ପଣ୍ଡିତ , ଫୁଲ । ସୁରସ– ପୁଷ୍ପରସ, କାବ୍ୟରସ । ଏକତ୍ୱ– ଏକତ୍ର ।

 

୪୭ । ସରଘା– ମହୁମାଛି । ମଧୁକୋଷ– ମହୁଫେଣା।

୪୮ । ଆସ୍ୱାଦନ କଲେ– ଚାଖିଲେ। ସଂସାର ସାଗର ବୁଡ଼ା ବାଧ ବ୍ୟାଧି– ସଂସାର ରୂପକ ସାଗରରେ ବୁଡ଼ି ରହିବା କଷ୍ଟକୁ ଏଠାରେ ରୋଗ ଭାବରେ ବର୍ଣ୍ଣନା କରାଯାଇଅଛି ।

୪୯ । ତତ୍ତ୍ୱ– ମର୍ମ । ସାଧବ-ସାଧୁଜନମାନେ ।

୫୦ ।      କ୍ଷମାନିଧି– କ୍ଷମାସାଗର, କ୍ଷମାର ଆଧାର । କ୍ଷମେ– କ୍ଷମାପ୍ରାର୍ଥନା ପୂର୍ବକ।

 

ଦ୍ୱିତୀୟ ଛାନ୍ଦ

 

୧। ଧୀରେ – ପଣ୍ଡିତମାନେ । ଧୀରେ – ସ୍ଥିର ଭାବରେ । ଚରିତ- ବିଷୟବସ୍ତୁ । ପୁଣ୍ୟ– ଧର୍ମଭାବ । ପୁଣ୍ୟଜନେ– ରାକ୍ଷସମାନେ। ହତ– ନଷ୍ଟ ।

 

୨।ମହୀ– ପୃଥିବୀ । ମହୀଶ– ରାଜା । ତାପ– କ୍ଳେଶ । ଅମାପ– ଅତି ଅଧିକ । ନାଗ– ସାପ, ବାସୁକି । ନାଗରେ – ହସ୍ତୀମାନଙ୍କ ଦ୍ୱାରା, ପୌରାଣିକ ପରମ୍ପରା ଅନୁସାରେ ହସ୍ତୀମାନେ ବାସୁକିକୁ ବହନ କରିଥାନ୍ତି । ଅବନୀ- ପୃଥିବୀ ।

 

୩।ପର –ଶତ୍ରୁମାନେ । ପରଜା –ପ୍ରଜା। ବିତ୍ତ –ଧନ । ହରିଲେ ବଳେ- ବଳ ପ୍ରୟୋଗ ପୂର୍ବକ ହରଣ କଲେ । ସୁର –ଦେବତାମାନେ। ସୁରଦ୍ୱେଷ –ଅସୁର । ତ୍ରାସେ-ଭୟରେ। ବିରସ –ଦୁଃଖିତ।

 

୪।ନରଙ୍କ –ଲୋକମାନଙ୍କର। ନରକ-ଯନ୍ତ୍ରଣା। ତପ- ତପସ୍ୟା। ତପବନ୍ତ-ମୁନି। ଥୟ -ସ୍ଥିର।

 

୫।ବିଧିରେ –ବ୍ରହ୍ମାଙ୍କୁ। ବିଧୀରେ –ଅଧୀର ଭାବରେ। ଅସୁର –ଦେବତ୍ୱ ହୀନ। ଅସୁରଦର୍ପେ-ରାକ୍ଷସମାନଙ୍କର ଉପଦ୍ରବରେ। ଦେବେ-ଦେବତାମାନେ।

 

୬।ଲୋକେ-ଲୋକମାନଙ୍କ ପ୍ରତି। ଲୋକେଶ-ବ୍ରହ୍ମା । ସର୍ବ-ଶିବ । ସର୍ବସୁର ମୁନି- ସମସ୍ତ ଦେବତା ଓ ମୁନିମାନଙ୍କୁ । ଘେନି ବାହାରି -ସଙ୍ଗରେ ନେଇ ବାହାରିଲେ।

 

୭।ଚିତ୍ତେ-ମନରେ । ଚିନ୍ତେ –ଧ୍ୟାନ କଲେ । କ୍ଷୀରସିନ୍ଧୁତୀରେ-କ୍ଷୀର ସମୁଦ୍ର କୂଳରେ। ବିଧାତା-ବ୍ରହ୍ମା। ହର-ହରଣ କର। ହରଷରେ –ଆନନ୍ଦ ଚିତ୍ତରେ । ହରି-ବିଷ୍ଣୁ।

 

୮।ଅନନ୍ତ-ନାରାୟଣ। ଅନନ୍ତ ଶୟନରେ –ବାସୁକି ଶଯ୍ୟାରେ ଥିବା ଅବସ୍ଥାରେ। ଲେକେ-ମର୍ତ୍ତ୍ୟଭୂମିରେ । ଲୋକେ- ଲୋକମାନଙ୍କୁ। ତାରିବି-ରକ୍ଷା କରିବି।

 

୯।ନିଦରେ – ନିର୍ଭୟରେ । ନିଦରେ – ନିଦ୍ରାରେ । ବିଧିରେ – ବ୍ରହ୍ମାଙ୍କୁ । ସିତା ସିତାଙ୍ଗଜ ରେ।ମ– ନିଜ ଦେହର ଧଳା ଓ କଳା ରୋମ।

 

୧୦।ବ୍ରହ୍ମାଣ୍ଡ କରତା– ବିଷ୍ଣୁଙ୍କର । ଚିତ୍ତେ ଚିନ୍ତେ– ମନରେ ବିଚାର କଲେ । ଏ ରୂପେ– ଏହିପରି ଭାବରେ, ଅର୍ଥାତ୍ କଳାରୋମଟି ହେଲା ଶ୍ରୀକୃଷ୍ଣଙ୍କ ଜନ୍ମର ସୂଚନା ଏବଂ ଧଳା ରୋମଟି ବଳରାମଙ୍କ ଜନ୍ମର ସୂଚନା । ଗୋସାଇଁ– ପ୍ରଭୁ ।

 

୧୧।ସୁମନସେ- ଦେବତାଙ୍କଠାରେ । ସୁମନସେ – ଆନନ୍ଦିତ ମନ । ବିଧାତା– ବ୍ରହ୍ମା । ହୋଇ– କାରଣ ହୋଇ । ଦର– ଭୟ । ଦରଧର- ଶଙ୍ଖଧାରୀ ବିଷ୍ଣୁ । ବିନାଶିବେ– ବିନାଶ । କରିବେ ।

୧୨। ଅରି – ଶତ୍ରୁମାନଙ୍କୁ । ଅରି – ଚକ୍ର । ହରି – ବିଷ୍ଣୁ । ଶ୍ରବଣେ– କର୍ଣ୍ଣରେ । ଶ୍ରବଣେ–ଶୁଣିବାରୁ । ସୁରମୁନିଏ– ଦେବତା ଓ ମୁନିମାନେ । ତୋଷ– ଆନନ୍ଦିତ

 

୧୩ । ସାତ୍ୱତ– ସନାତନ ବିଷ୍ଣୁ । ସାତ୍ୱତକୁଳେ– ଯଦୁକୁଳରେ । ଜାତ ଜନ୍ମଗ୍ରହଣ କରିବା ପାଇଁ । ଇଚ୍ଛିଲେ– ଇଚ୍ଛାପ୍ରକାଶ କଲେ ।

 

୧୪। ଦେବକୀ-ବସୁଦେବଙ୍କ ପତ୍ନୀ । ଦେବ କିନ୍ନରେ– ଦେବତା ଓ କିନ୍ନରମାନଙ୍କୁ ତାରଣ ଉଦ୍ଧାର । ଜନ ନିବାସ- ଲୋକାଧାର, ବିଷ୍ଣୁ । ଜନନୀବାସକୁ – ମାତା ଗର୍ଭରେ ରହିବାକୁ ।ଧ୍ୟାୟି – ଚିନ୍ତାକଲେ ।

 

୧୫। ଲୋକେ – ଜଗତରେ । ଲୋକେ – ଲୋକମାନଙ୍କ ମଧ୍ୟରେ । ଧର। ଧରା- ବିଷ୍ଣୁ, ବରାହ ରୂପରେ ଯେ ଧରାକୁ ଦନ୍ତାଗ୍ରରେ ଧାରଣ କରିଥିଲେ । ଜାତ– ଜନ୍ମହେଲେ ମାତା- ଦେବକୀ। ଧରାର ପୁରୀ– ବନ୍ଦୀ କରିଥିବା ପୁରୀ ଅର୍ଥାତ୍ କଂସ ଦେବକୀଙ୍କୁ ବନ୍ଦୀ କରିଥିବା ମଥୁରାରେ ।

 

୧୬ । ଜନକ – ପିତା ବାସୁଦେବ । ଜନଙ୍କ ନଜାଣିମାରେ – ଲୋକମାନଙ୍କ ଅଜ୍ଞାତରେ । ଗୋପେ-ଗୋପପୁରରେ । ଗୋପ୍ୟ- ଗୋପନରେ । ବହନ– ଶୀଘ୍ର । ଥୋଇ-ରଖିଆସିଲେ।

 

୧୭। ନନ୍ଦନନ୍ଦନ- ନନ୍ଦପୁତ୍ର, ଶ୍ରୀକୃଷ୍ଣ । ମାୟା- ଯୋଗମାୟା । ଜାତଯାତନା- ଜନ୍ମକଷ୍ଟ । ସ୍ୱହିତେ– ନିଜର ହିତପାଇଁ, ନିଜର ଲୀଳାମୟ ଆନନ୍ଦ ଉପଭୋଗ ନିମିତ୍ତ ।

 

୧୮ । ଅଙ୍ଗ ଅଙ୍ଗ– ବସୁଦେବ ନନ୍ଦନ ଶ୍ରୀକୃଷ୍ଣଙ୍କ ଅଙ୍ଗ ନନ୍ଦନନ୍ଦନ ଶ୍ରୀକୃଷ୍ଣଙ୍କ ଅଙ୍ଗରେ ମିଶିଗଲା,ଅର୍ଥାତ୍ ବସୁଦେବ ନନ୍ଦନ ଶ୍ରୀକୃଷ୍ଣ ନନ୍ଦନନ୍ଦନରେ ପରିଣତ ହେଲେ । ଘନ-ବିଦ୍ୟୁ – ମେଘ ଦେହରେ ବିଜୁଳି । ପର– ଶ୍ରେଷ୍ଠ । ଜୀବ- ଜୀବାତ୍ମା।

 

୧୯ । ଶକ୍ତି– ନନ୍ଦଙ୍କର କନ୍ୟାରୂପରେ ଜନ୍ମ ହୋଇଥିବା ଯୋଗମାୟା । ଶକ୍ତିବନ୍ତ– ସର୍ବଶକ୍ତିମାନ୍‌ ଶ୍ରୀକୃଷ୍ଣ । ତାତେ – ପିତାଙ୍କୁ, ବସୁଦେବଙ୍କୁ । ପାଲଟ – ବଦଳ । ମାୟା ଯୋଗମାୟାଙ୍କୁ । ମାୟାରେ – ମାୟାବଳରେ ।

 

୨୦।      କଷଣ– କଷ୍ଟ । ବିହିଲା– ଦେଲା । ପ୍ରାତେ ପ୍ରଭାତରେ । ତା’ ଜାଣି- ଦେବକୀଙ୍କର ସନ୍ତାନ ଜନ୍ମିଥିବାର ଜାଣି । ଖରେ– ଶୀଘ୍ର । ଖରେ – ଆକାଶରେ । ଅନ୍ତର୍ଦ୍ଧାନ- ଉଭେଇ ଗଲେ । ସେ ଠାକୁରାଣୀ- ଯୋଗମାୟା ।

 

୨୧ । ଅରି- ଶତ୍ରୁ । ଅରିଧର – ଚକ୍ରଧର, ବିଷ୍ଣୁ । ଭୂ-ଲୋକେ– ଜଗତରେ । ଜୀବ– ପ୍ରାଣ । ଶୂନ୍ୟରେ– ଆକାଶରେ ।

 

୨୨। ଶ୍ରବଣେ– କର୍ଣ୍ଣରେ । ଶ୍ରବଣେ– ଶୁଣି । ଦେବୀ ଭାରତୀ- ଯୋଗମାୟାଙ୍କ କଥା । ବୁଦ୍ଧି ବୃଦ୍ଧିକଲା– ବହୁ ଭାବରେ ଚିନ୍ତାକଲା । ବିଷ୍ଣୁବାଦେ– ଶ୍ରୀକୃଷ୍ଣଙ୍କ ସହିତ ବିବାଦ କରିବା ନିମିତ୍ତ ।

 

୨୩ । ବଳଭଦ୍ର- ବଳଶାଳୀ । ବଳଭଦ୍ର- ବଳରାମ । ଅନନ୍ତ– ଅବିନାଶୀ । ଅନନ୍ତମୂର୍ତ୍ତି-ଶେଷାବତାର । ଆଗହୁଁ ଖ୍ୟାତ– ପୂର୍ବରୁ ପ୍ରକାଶ ହୋଇ ଅଛନ୍ତି ।

 

୨୪। କୃଷ– ଶ୍ରୀକୃଷ୍ଣ । କୃଷ୍ଣମୂର୍ତ୍ତି– ଶ୍ୟାମମୂର୍ତ୍ତି, ଶ୍ୟାମଳବର୍ଣ୍ଣ । ଯଶୋଦୟା– ଯଶୋଦାଙ୍କର । ଯଶୋଦୟାକାରୀ- ଯଶ ଓ ଦୟାର କାରଣ ବା ଯଶ ଉଦୟର କାରଣ।

 

୨୫। ସିତାସିତାମ୍ବୁଜ ମୁଖ ଯୁଗଳ– କଳା ଓ ଧଳାପଦ୍ମ ସଦୃଶ ଦୁଇଟି ମୁଖ, ଶ୍ରୀକୃଷ୍ଣ ଓ ବଳରାମଙ୍କର । ଜନନୀ- ମାତା ଯଶୋଦା ଓ ରୋହିଣୀ, ଶ୍ରୀକୃଷ୍ଣ ଓ ବଳରାମଙ୍କର ମାତା ନୁହେଁ । ଜନନିଚୟ– ଜନ ସମୂହ ।

 

୨୬ । ରାମ – ରମଣୀୟ । ରାମ- ବଳରାମ। ଶ୍ୟାମ-ଶ୍ରୀକୃଷ୍ଣ । ବାଳକାଳ ପାଳନ-ବାଲ୍ୟକାଳର ଚରିତ । ଶେଷ – ଅନନ୍ତ, ସହସ୍ର ମୁଖରେ । ଶେଷ କରିବେ କି- ସମାପ୍ତ କରିପାରିବେ କି । କଲେ କଥନ – ବର୍ଣ୍ଣନା କଲେ ।

 

୨୭।      ଆନ –ଅନ୍ୟ ।ଲକ୍ଷ୍ୟ –ତୁଳନା । ଜନ –ଲୋକମାନଙ୍କର । ଜନକଜନନୀ ପିତାମାତାଙ୍କର । ମନକୁ ମୋହେ– ମନକୁ ମୋହିତ କଲେ ।

 

୨୮ । ପୂତନାମା – ପବିତ୍ରନାମା, ଶ୍ରୀକୃଷ୍ଣ । ପୂତନାମାରଣକୁ ପୂତନା ନାମ୍ନୀ ରକ୍ଷସୀର ବିନାଶ । ଶକଟ - ଶକଟାସୁର । ସଂକଟରୁ – ଉପଦ୍ରବରୁ । ନିଶଙ୍କେ – ନିର୍ଭୟରେ । ତରିଲେ– ରକ୍ଷା ପାଇଲେ ।

 

ପୂତନା – ଶ୍ରୀକୃଷ୍ଣଙ୍କ ଜୀବନ ବିନାଶ ନିମନ୍ତେ କଂସ ବହୁ ଉପାୟ ଅବଲମ୍ବନ କରିଥିଲା । ସେ ଏଥିପାଇଁ ପୂତନା ନାମ୍ନୀ ଜଣେ ରାକ୍ଷସୀକୁ ପଠାଇଥିଲା । ପୂତନା ନିଜ ସ୍ତନରେ ବିଷ ବୋଳି ଗୋପପୁରର ବହୁ ଶିଶୁ ସନ୍ତାନଙ୍କୁ କ୍ଷୀରଦାନ କରି ସେମାନଙ୍କର ପ୍ରାଣନାଶ କରିବା ପରେ ଶ୍ରୀକୃଷ୍ଣଙ୍କୁ କ୍ଷୀରଦାନ କରିବା ସମୟରେ ଶ୍ରୀକୃଷ୍ଣ କ୍ଷୀର ସହିତ ତାର ପ୍ରାଣକୁ ଶୋଷିଦେଲେ। ସୁନ୍ଦରୀ ନାରୀର ଛଦ୍ମବେଶରେ ଆସିଥିବା ପୂତନା ବିକଟାଳ ଗର୍ଜ୍ଜନ କରି ରାକ୍ଷସୀ ରୂପରେ ମୃତ୍ୟୁଲାଭ କଲା । ପୂତନା ତାର ପୂର୍ବଜନ୍ମରେ ଥିଲା ବଳିକନ୍ୟା ରତ୍ନମାଳା । ବାମନଙ୍କୁ ଦେଖୁ ତା' ମନରେ ବାତ୍ସଲ୍ୟମମତା ଜାତ ହୋଇଥିଲା ଓ ସେ ତାଙ୍କୁ ସ୍ତନ୍ୟପାନ କରାଇବାକୁ ଇଚ୍ଛାପୋଷଣ କରିଥିଲା । ଭଗବାନ ତାର ମନକଥା ଜାଣିପାରି ଦ୍ଵାପରଯୁଗରେ ଶ୍ରୀକୃଷ୍ଣ ରୂପରେ ତା'ଠାରୁ ବିଷଲେପିତ ସ୍ତନ୍ୟ ପାନକରି ତା’ର ମୃତ୍ୟୁ ଘଟାଇବା ସଙ୍ଗେ ସଙ୍ଗେ ତାକୁ ମୁକ୍ତି ପ୍ରଦାନ କରିଥିଲେ । ସେ ଅଘା ଓ ବକାସୁରର ଭଗିନୀ ଥିଲା ।

 

ଶକଟ – ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବରେ ଯଶୋଦୀ କର୍ମରତ ଥିବାରୁ ନାନାପ୍ରକାର ପଦାର୍ଥରେ ପୂର୍ଣ୍ଣଥିବା ଗୋଟିଏ ଶକଟ ତଳେ ତାଙ୍କୁ ଶୁଆଇ ଦେଇଥିଲେ । ହଠାତ୍ ଶ୍ରୀକୃଷ୍ଣଙ୍କ ନିଦ ଭାଙ୍ଗିଯିବାରୁ ସେ ଦୁଇଗୋଡ଼ ଉପରକୁ ଟେକି କାନ୍ଦି ଉଠିଲେ । ତାଙ୍କର ଗୋଡ଼ ଶକଟରେ ବାଜିବାରୁ ଅସୁରାବିଷ୍ଟ ଶକଟ ଭୟଙ୍କର ଗର୍ଜନ କରି ଭାଙ୍ଗିଗଲା ।

 

୨୯।      ତୃଣା- ତୃଣାବର୍ତ୍ତ ରାକ୍ଷସ; ପାଣ୍ଡ୍ୟ ଦେଶର ରାଜା ସହସ୍ରାକ୍ଷ ଗନ୍ଧମାଦନ ପର୍ବତରେ ଥିବା ଅରଣ୍ୟରେ ପତ୍ନିମାନଙ୍କ ସହିତ କ୍ରୀଡ଼ା କରୁଥିଲେ । ଶିଷ୍ୟମାନଙ୍କ ଗହଣରେ ଦୁର୍ବାସାଋଷି ସେହି ପଥରେ କୈଳାସକୁ ଯାଉଥିଲେ । କାମମୋହିତ ରାଜା ଋଷିଙ୍କୁ ଯଥାବିଧି ସମ୍ମାନ ପ୍ରଦର୍ଶନ ନ କରିବାରୁ ଋଷି କ୍ରୋଧାନ୍ୱିତ ହୋଇ ଲକ୍ଷେ ବର୍ଷ ଅସୁର ହୋଇ ଭାରତରେ ରହିବାକୁ ଅଭିଶାପ ଦେଲେ । ରାଜା ଶାପମୋଚନାର୍ଥେ ଋଷିଙ୍କୁ କାକୁତି କରନ୍ତେ, ଶ୍ରୀକୃଷ୍ଣଙ୍କ ପଦସ୍ପର୍ଶରେ ଗୋଲୋକପ୍ରାପ୍ତ ହେବେ ବୋଲି ଋଷି କହିଥିଲେ । ତୁଣାବର୍ତ୍ତ ଶ୍ରୀକୃଷ୍ଣଙ୍କ ହାତରେ ବିନାଶପ୍ରାପ୍ତ ହୋଇଥିଲା । ତୃଣାବଳୀ– ଘାସବିଡ଼ା । ବତ୍ସା – ବତ୍ସାପୁର, ବୃନ୍ଦାବନ ନିକଟରେ ଶ୍ରୀକୃଷ୍ଣ ବତ୍ସାଚାରଣ କରୁଥିବା ସମୟରେ ଗୋଟିଏ ଅସୁର ବତ୍ସାରୁପ ଧାରଣ କରି ବତ୍ସାମାନଙ୍କ ସଙ୍ଗରେ ଚରୁଥିଲା। ଶ୍ରୀକୃଷ୍ଣ ତାହା ଜାଣିପାରି ତାହାର ଦୁଇଗୋଡ଼ ଧରି ବୁଲାଇ ଗୋଟିଏ କଇଁଥ ଗଛରେ ତାକୁ ପିଟି ମାରି ପକାଇଲେ । ବତ୍ସାରଖାଠାରେ – ବତ୍ସାଚାରଣ ସ୍ଥାନରେ ।

 

୩ ୦ । ବକ ବକତ୍ର– ବକାସୁରର ଥଣ୍ଟ, ମଧୁବନରେ ବକାସୁର ଶ୍ରୀକୃଷ୍ଣଙ୍କୁ ଗିଳିଦେଲା । ଶ୍ରୀକୃଷ୍ଣ ତା’ର ପେଟକୁ ବ୍ରହ୍ମାଗ୍ନିରେ ଜାଳି ଦେବାରୁ ସେ ତତ୍‌କ୍ଷଣାତ୍ ତାଙ୍କୁ ବାନ୍ତି କରିଦେଲା । ସେ ପୁଣି ଥରେ ଶ୍ରୀକୃଷ୍ଣଙ୍କୁ ମାରିବାକୁ ଆସିବାରୁ ସେ ତାର ଥଣ୍ଟକୁ ଦୁଇଫାଳ କରି ଚିରି ତାକୁ ମାରିଦେଲେ । ଅଘ– ଅଘାସୁର , ସେ ଅଜଗର ରୂପ ଧାରଣ କରି ସବତ୍ସା ଧେନୁ ଓ ଗୋପ ବାଳକମାନଙ୍କୁ ଉଦରସାତ୍ କଲା । ସର୍ବଶେଷରେ ସେ ଶ୍ରୀକୃଷ୍ଣଙ୍କୁ ଗ୍ରାସ କରନ୍ତେ ଶ୍ରୀକୃଷ୍ଣ ନିଜ କାୟା ବିସ୍ତାର କରି ତାକୁ ରୁଦ୍ଧଶ୍ଵାସ କରି ମାରି ଦେଇଥିଲେ । ଅଘମରଷଣ- ପାପ ବିନାଶକ, ଶ୍ରୀକୃଷ୍ଣ ।

 

୩୧ । ଯାମଳା- ଯାଆଁଳା। ଯାମଳା- ଯାମଳାର୍ଜ୍ଜୁନ ବୃକ୍ଷ, କୁବେରଙ୍କର ଦୁଇପୁତ୍ର ନଳକୁବର ଓ ମଣିଗ୍ରୀବ ସୁରାପାନ କରି ଗନ୍ଧର୍ବ ଯୁବତୀଙ୍କ ସହ ଜଳକ୍ରୀଡ଼ାରେ ମାତି ଥିବା ସମୟରେ ମହର୍ଷି ନାରଦଙ୍କୁ ସମ୍ମାନ ପ୍ରଦର୍ଶନ କରି ନଥିଲେ । ସେମାନେ ନାରଦଙ୍କର ଅଭିଶାପ ଫଳରେ ଏକଶତ ବର୍ଷ ଶ୍ରୀକୃଷ୍ଣଙ୍କ ସାନ୍ନିଧ୍ୟଲାଭ ପର୍ଯ୍ୟନ୍ତ ଯାମଳାର୍ଜୁନ ବୃକ୍ଷ ରୂପରେ ଗୋପପୁର ରେ ରହିଥିଲେ । ଯଶୋଦା ଶ୍ରୀକୃଷ୍ଣଙ୍କୁ ଯାମଳାର୍ଜ୍ଜୁନ ବୃକ୍ଷରେ ବାନ୍ଧିଥିଲେ। ଶ୍ରୀକୃଷ୍ଣ ଯାମଳାର୍ଜ୍ଜୁନ ବୃକ୍ଷକୁ ଉପାଡ଼ିଦେଇ ନଳକୁବର ଓ ମଣିଗ୍ରୀବକୁ ଉଦ୍ଧାର କରିଥିଲେ । ବୃଷ – ଷଣ୍ଢାସୁର। ବୃଷଶ୍ରେୟେ – ମୁକ୍ତି ଉଦେଶ୍ୟରେ ।

 

୩୨ । ଧେନୁକ– ଧେନୁକାସୁର, କଂସର ଗର୍ଦ୍ଦଭରୂପୀ ଅନୁଚର ଅସୁର । ତାହାକୁ ବଳରାମ ତାଳବନରେ ବଧ କରିଥିଲେ । ଧେନୁକପାଳ– ବତ୍ସା ରଖିଥିବା ବଳରାମ। ତାଳାର୍ଥେ-ତାଳ ଖାଇବା ପାଇଁ ତାଳ ବନରେ ପ୍ରବେଶ କରି । ଫୁଟି ଫୁଟିଲାର ପରି– ଫୁଟିକାକୁଡ଼ି ଫାଟିବା ପରି । ନାଶିଲା- ନିଜେ ନିଜେ ନାଶଗଲା । କେଶୀ– କେଶୀ ନାମକ ଅସୁର , ଶ୍ରୀକୃଷ୍ଣ ଭାଣ୍ଡୀର ବନରେ କଂସର ଦୁର୍ଦ୍ଧର୍ଷ ଅନୁଚର କେଶୀକୁ ବଧ କରିଥିଲେ ।

 

୩୩ । କାଳୀ– କାଳୀୟ ସର୍ପ । କାଳିଆ ଚରଣେ ଶ୍ରୀକୃଷ୍ଣଙ୍କ ପାଦଦ୍ଵାରା । ଧରାଧରଣେ- ଗୋବର୍ଦ୍ଧନ ଗିରିକୁ ଧାରଣ କରିବାଦ୍ୱାରା । ବାଦେ– ବିବାଦରେ । କାଳୀୟ ଦଳନ– କଂସ ଶତଭାର କମଳ ପଠାଇବା ଲାଗି ନନ୍ଦଙ୍କ ନିକଟକୁ ପତ୍ରପ୍ରେରଣ କଲା । କାଳନ୍ଦୀ ହ୍ରଦରେ କାଳୀୟ ସର୍ପର ଭୟ ହେତୁ ପଦ୍ମଫୁଲ ତୋଳିବାକୁ କେହି ସାହସ କଲେ ନାହିଁ । ଶ୍ରୀକୃଷ୍ଣ ନିଃଶଙ୍କ ଚିତ୍ତରେ କାଳନ୍ଦୀ ହ୍ରଦରେ ପ୍ରବେଶ କରି ପଦ୍ମଫୁଲ ତୋଳିବା ସମୟରେ କାଳୀୟ ସର୍ପ ତାଙ୍କ ପାଦରେ ଦଂଶନ କରି ତାଙ୍କର ଅଙ୍ଗକୁ ଛନ୍ଦିବା ପାଇଁ ଚେଷ୍ଟା କଲା। ଶ୍ରୀକୃଷ୍ଣ କାଳୀୟ ସର୍ପର ଫଣା ଉପରକୁ ଉଠି ତାକୁ ପାଦରେ ଦଳି ମାରି ଦେଇଥିଲେ । ଧରଧରଣେ– ଗୋପବାସୀମାନେ ଇଦ୍ରୋତ୍ସବ ପାଳନ କରୁଥିଲେ, କିନ୍ତୁ ଶ୍ରୀକୃଷ୍ଣ ତାଙ୍କୁ ଇନ୍ଦ୍ରପୁଜା ନକରିବା ନିମନ୍ତେ ପରାମର୍ଶ ଦେବାରୁ ଇନ୍ଦ୍ର ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ସପ୍ତଦିବସ ପର୍ଯ୍ୟନ୍ତ ମୂଷଳଧାରାରେ ବୃଷ୍ଟି କଲେ । ଗୋପପୁରକୁ ଧ୍ୱଂସମୁଖରୁ ରକ୍ଷା କରିବା ନିମନ୍ତେ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତକୁ କାଣି ଆଙ୍ଗୁଠିରେ ଧାରଣ କରିଥିଲେ । ଏହା ଫଳରେ ଇନ୍ଦ୍ରଙ୍କର ଗର୍ବ ଖର୍ବହେଲା ।

 

୩୪ । ବିଧୀରେ – ବିଶେଷ ଧୀରଭାବରେ । ବିଧିରେ– ବ୍ରହ୍ମାଙ୍କୁ । ବତ୍ସା ହରଣେ– ଅଘାସୁର କବଳରୁ ଶ୍ରୀକୃଷ୍ଣ ଗୋପାଳ ବାଳକମାନଙ୍କୁ ଉଦ୍ଧାର କରିବା ଦେଖି ବ୍ରହ୍ମା ବିସ୍ମିତ ହୋଇଥିଲେ । ସେ ଶ୍ରୀକୃଷ୍ଣଙ୍କର ଲୀଳା ଦେଖିବା ଆଶାରେ ଦିନେ ଶ୍ରୀକୃଷ୍ଣ ଗୋପାଳ ବାଳକମାନଙ୍କ ସହିତ ବନରେ ଭୋଜନ କରୁଥିବା ସମୟରେ ମାୟାକରି ବତ୍ସା ଏବଂ ବତ୍ସାପାଳକମାନଙ୍କୁ ନେଇ ଅନ୍ୟତ୍ର ଲୁଚାଇଥିଲେ । ଶ୍ରୀକୃଷ୍ଣ ଏହା ଜାଣିପାରି ନିଜ ଶରୀରରୁ ବତ୍ସା ଏବଂ ବତ୍ସାପାଳକମାନଙ୍କୁ ଜାତ କରାଇ ବ୍ରହ୍ମାଙ୍କର ମାୟାକୁ ଖଣ୍ଡନ କରି ଥିଲେ । ଗୋକୁଳ–ଗୋପପୁର । ଗୋକୁଳସୁତ– ଗୋପବାଳକ । ହୋଇଣ ରଞ୍ଜି– ମନୋରଞ୍ଜନ କରିଥିଲେ ।

୩୫। କଦମ୍ବ -କଦମ୍ବାସୁରକୁ । କଦମ୍ବ ତଳେ – କଦମ୍ବ ବୃକ୍ଷ ମୂଳରେ । ରାମ- ବଳରାମ। କଦମ୍ବାସୁର– ମନସିଜ ନାମରେ ସ୍ୱର୍ଗରେ ଜଣେ ଗନ୍ଧର୍ବ ଥିଲା । ସେ ମେନକାଙ୍କୁ ଉପଭୋଗ କରିବାକୁ ଇଛା କରିବାରୁ ଇନ୍ଦ୍ରଙ୍କ ଦ୍ୱାରା ଅଭିଶପ୍ତ ହେଲା । ତା'ର ଅଭିଶପ୍ତ ଜୀବନରେ ସେ ଦାନବରୂପ ଧାରଣ କରି ଗୋମତୀ ତୀରରେ ବାସ କରୁଥିଲା । ବଳରାମ ତାହାକୁ ବଧ କରିଥିଲେ । କନ୍ଦରେ – ପର୍ବତ କନ୍ଦରରେ । କନ୍ଦରେ – କନ୍ଦରାସୁରକୁ ।

 

୩୬। ବ୍ୟୋମ-ବ୍ୟୋମାସୁରକୁ । ବ୍ୟୋମପଥେ– ଆକାଶ ପଥରେ । ନେଉଁ – ନେବା ସମୟରେ । ବ୍ୟୋମାସୁର – ଥରେ ଗୋପବାଳକମାନେ ପଶୁପାଳନ ଓ ମେଷ ରୂପ ଧରି ଖେଳ ଖେଳୁଥିଲେ । ଏହି ସମୟରେ ବ୍ୟୋମାସୁର ପଶୁପାଳକ ରୂପ ଧରି ଗୋପବାଳକମାନଙ୍କୁ ଚୋରି କରି ଗିରିଗହ୍ୱରେ ବନ୍ଦ କରି ରଖିଲା। ଶ୍ରୀକୃଷ୍ଣ ଏକଥା ଜାଣିପାରି ବ୍ୟୋମାସୁରକୁ ବଧ କଲେ ଓ ଗୋପାଳବାଳକମାନଙ୍କୁ ଉଦ୍ଧାର କଲେ । ପ୍ରଳମ୍ବା–ପ୍ରଳମ୍ବାସୁରକୁ । ପ୍ରଳମ୍ବକେଶ- ଲମ୍ବକେଶ ଯାହାର, ବଳରାମ ।

 

୩୭। ନନ୍ଦ – ନନ୍ଦଙ୍କୁ । ନନ୍ଦକଧାରଣ– ଶ୍ରୀକୃଷ୍ଣ, ଶ୍ରୀକୃଷ୍ଣଙ୍କର ଖଡ଼୍‌ଗର ନାମ ନନ୍ଦକ । ବନ୍ଦିରୁ ତାରି – ବନ୍ଦୀମୁକ୍ତ କଲେ, ନନ୍ଦ ଦ୍ୱାଦଶୀ ଦିନ ଆସୁରୀ ବେଳା ନମାନି ରାତ୍ରି ସମୟରେ କାଳନ୍ଦୀ ଜଳରେ ସ୍ନାନ କରୁଥିଲେ । ଏଥିଯୋଗୁଁ ବରୁଣଙ୍କର ଜଣେ ଭୃତ୍ୟ ତାଙ୍କୁ ଧରିନେଇ ବରୁଣଙ୍କ ସମୀପରେ ଉପସ୍ଥାପିତ କଲା ନନ୍ଦ ବରୁଣାଳୟରେ ବନ୍ଦୀ ହୋଇ ରହିଲେ । ଶ୍ରୀକୃଷ୍ଣ ବରୁଣାଳୟକୁ ଯାଇ ନନ୍ଦଙ୍କୁ ମୁକ୍ତକରି ଆଣିଥିଲେ । ଜାତବେଦ –ଯାହାଙ୍କଠାରୁ ବେଦ ଜାତ ଅର୍ଥାତ୍ ଶ୍ରୀକୃଷ୍ଣ । ଜାତିବେଦ-ଅଗ୍ନି ; ଏରଣ୍ଡ ବନରେ ଅଗ୍ନି ଜଳି ଉଠି ବ୍ରଜବାସୀମାନଙ୍କୁ ଘେରିଯାଇ ଜାଳିଦେବାକୁ ଆରମ୍ଭ କଲେ । ବ୍ରଜବାସୀମାନେ ବିପଦରେ ପଡ଼ି ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କଲେ । ଶ୍ରୀକୃଷ୍ଣ ଅଗ୍ନିକୁ ପାନକରି ବ୍ରଜବାସୀମାନଙ୍କୁ ରକ୍ଷା କରିଥିଲେ ।

 

୩୮। ମହୀ– ପୃଥିବୀ । ମହିମା ଶ୍ରୀକୃଷ୍ଣଙ୍କର ମହିମା । ଗଣେଶ- ପ୍ରଥମଗଣଙ୍କର ପତିଗଣେଶ– ଗଣନାଥ ।

 

୩୯ । ଏମାନ– ଏହି ଲୀଳାସମୂହ । ବାଲ୍ୟ- ପାଞ୍ଚବର୍ଷ ପର୍ଯ୍ୟନ୍ତ ବୟସ ମଧ୍ୟରେ । ପୌଗଣ୍ଡେ – ଦଶବର୍ଷ ପର୍ଯ୍ୟନ୍ତ ବୟସ ମଧ୍ୟରେ । କବି- ଶୁକ୍ର । କବିହେଲେ – କବିଭାବରେ ବର୍ଣ୍ଣନା କଲେ । କହି ନୋହିବ ତୁଣ୍ଡେ- ବର୍ଣ୍ଣନା କରିପାରିବେ ନାହିଁ ।

 

୪୦ । ନ ବରଷେ– ନବମ ବର୍ଷରେ । ନବରସେ – ନୂତନ ରସରେ, ମାଧୁର୍ଯ୍ୟ ରସରେ । ଆର- ତାହା । ଆର ଛାନ୍ଦେ– ପରବର୍ତ୍ତୀ ଛାନ୍ଦରେ ।

 

୪୧ । ବିଦଗ୍‌ଧ– ପଣ୍ଡିତମାନେ । ବିଦଗ୍‌ଧ ଚିନ୍ତାମଣି ଏ– ଏହା ବିଦଗ୍ଧ ଚିନ୍ତାମଣି କାବ୍ୟ; ଏହା ବିଦଗ୍ଧ ଜନମାନଙ୍କର ଚିନ୍ତାର ମଣି । ଶ୍ୟାମ– ଶ୍ରୀକୃଷ୍ଣଙ୍କୁ । ସାମନ୍ତସିଂହାର - ଅଭିମନ୍ୟୁ ସାମନ୍ତସିଂହାର । କରଇ ଲୟେ– ଲୟ କରୁଅଛି, ଧାନ କରୁଅଛି ।

 

ତୃତୀୟ ଛାନ୍ଦ

 

୧। ପଉଗଣ୍ଡ– ପୌଗଣ୍ଡ, ପାଞ୍ଚବର୍ଷଠାରୁ ଦଶବର୍ଷ ପର୍ଯ୍ୟନ୍ତ । କିଶୋର ବୟ– କୈଶୋର ,ଦଶବର୍ଷଠାରୁ ଷୋଳବର୍ଷ ପର୍ଯ୍ୟନ୍ତ । ବିଚେଷ୍ଟା– ବିଭିନ୍ନ ଚେଷ୍ଟା। ଭଙ୍ଗୀ। ଦୀପ୍ତିବନ୍ତ – ଉଜ୍ଜ୍ୱଳ । ସ୍ଥାନ ଅନ୍ତରେ – ସ୍ଥାନ ମଧ୍ୟରେ । ଧୀବନ୍ତେ – ପଣ୍ଡିତମାନେ ଅନୁଆନ– ନୂଆ ନୂଆ ରୀତି- ପ୍ରକାର । ଅତିତରେ – ଅତିଶୟ ଭାବରେ, ଅତିବେଗରେ ।

୨। ଝଳି – ଉଜ୍ଜ୍ୱଳ ! ଇନ୍ଦ୍ରନୀଳମଣି...ଦର୍ପଣ- ଇନ୍ଦ୍ରନୀଳମଣିରେ ନିର୍ମିତ ହୋଇଥିବା ଉଜ୍ଜ୍ୱଳ ଦର୍ପଣ । ଯୋଖ କରିବା- ଯୋଡ଼ିବା । ବଡ଼ପଣ- ଗର୍ବ, ବଡ଼ିମା । ଲାବଣ୍ୟ– ତରଳ ସ୍ଵଚ୍ଛକାନ୍ତି । ରୂପ ଗୋସ୍ଵାମୀଙ୍କ ଉଜ୍ଜ୍ୱଳ ନୀଳମଣିରେ ଲାବଣ୍ୟ ସମ୍ବନ୍ଧରେ କୁହାଯାଇଛି-

“ମୁକ୍ତା ଫଳେଷୁ ଛାୟାୟା, ସ୍ତରଳ ତ୍ୱମିବାନ୍ତରା ପ୍ରତିଭାତି ଯଦଙ୍ଗେଷ ଲାବଣ୍ୟଂ ତଦି ହୋଚ୍ୟତେ ।” ରୋପଣ- ସ୍ଥାପନ । ଚିତ୍ରଭଙ୍ଗୀ - ବିଚିତ୍ର ଭାବଭଙ୍ଗୀ । ଗାତ୍ରସଙ୍ଗୀ– ଦେହକୁ ଆଶ୍ରୟ କରି । ମୂର୍ତ୍ତିବନ୍ତ – ଜୀବନ୍ତ ଭାବରେ ପ୍ରକାଶିତ ।

 

୩।ସାର– ଶ୍ରେଷ୍ଠ । ବିହି- ବିଧାତା । ମର୍କତ – ହରିଦ ବର୍ଣ୍ଣ ମଣି ବିଶେଷ । ରସାଣ– ତରଳ ଲେପ । ରସାଣିଲା – ଉଜ୍ଜ୍ୱଳୀକୃତ କଲା, ପ୍ରଦୀପ୍ତ କଲା । ମର୍କତ ରସାଣିଲା– ମର୍କତ ମଣିର ତରଳ ଲେପ ଦେଇ ଉଜ୍ଜ୍ୱଳ କଲା । ଉପମା ସୃଷ୍ଟି – ଉପମା ର।ଜ୍ୟ, ଉପମା ଜଗତ। ଜୀବନ୍ୟାସ କରି – ପ୍ରାଣଦାନ କରି ।

 

୪। ରତି– କନ୍ଦର୍ପର ପତ୍ନୀ । ଶିବଙ୍କୁ...ପୀରତି ଯେ- ଶିବ କନ୍ଦର୍ପକୁ ଭସ୍ମ କରିଥିବାରୁ ରତି ଶିବଙ୍କୁ ପ୍ରଶଂସା କରିବ, କାରଣ କନ୍ଦର୍ପ ଥିଲେ ଶ୍ରୀକୃଷ୍ଣଙ୍କ ସହିତ ତାକୁ ତୁଳନା କରି ପରବର୍ତ୍ତୀ କାଳର ଲୋକମାନେ କନ୍ଦର୍ପକୁ ନିନ୍ଦା କରିଥାଆନ୍ତେ । ପତିର ନିନ୍ଦା ଶୁଣି ପତିବ୍ରତା ରତିର ଛାତି କରତି ହୁଅନ୍ତା । ଶ୍ରୀକୃଷ୍ଣଙ୍କର ରୂପ ଶୋଭାକୁ ଦେଖି କେଉଁ ପତିବ୍ରତା ନାରୀ ବ୍ୟାକୁଳତା ସହକାରେ ଉତ୍ତମ ରତି ପାଇବା ପାଇଁ ତାଙ୍କ ପ୍ରୀତିରେ ଆସକ୍ତା ହେବ ।

 

୫। କଳାକମଳ– କଳାପଦ୍ମ । ମର୍କତ– ମର୍କତ ମଣି । ଆରଶି– ଦର୍ପଣ । ଆନନ- ମୁଖ ।ଶ୍ରୀକୃଷ୍ଣଙ୍କର ମୁଖ କଳାପଦ୍ମ ବା ମର୍କତମଣିର ଦର୍ପଣ । ଭରସି– ସାହସ କରି । ସ୍ମିତସୁଧାକୁ- ମନ୍ଦହାସ୍ୟ ରୂପକ ଅମୃତକୁ । ଘନରସ– ଶୃଙ୍ଗାର ଭାବ। ନାଗରୀ- ରସିକା ।

 

୬। ସୁଷମାତରଙ୍ଗ-ଶୋଭାଲହରୀ। ରଙ୍ଗ– ଭଙ୍ଗୀ। ଇକ୍ଷଣ – ଚକ୍ଷୁ । ଚଞ୍ଚଳେ – ଚଞ୍ଚଳତାରେ । କୁରଙ୍ଗ– ମୃଗ । ମଦବିଘୂର୍ଣ୍ଣିତ – ଯୌବନ ମଦରେ ଘୂର୍ଣ୍ଣିତ । ରଙ୍ଗ– ଲାଲ । କାମ ସାରଙ୍ଗ– କନ୍ଦର୍ପର ଧନୁ । ଇଙ୍ଗିତ ଭଙ୍ଗିମା- ଠାରିବାର ଠାଣି । ସାରଙ୍ଗ– ମୃଗ ।

 

୭। ଗତି- ଗମନ । ମତି– ମନ । ଚଞ୍ଚଳ– ଚଞ୍ଚଳ ଭାବ । ନେତ୍ର ବିଧିରେ –କଟାକ୍ଷପାତରେ । ବ୍ରୀଡ଼ା- ଲଜ୍ଜା । ବିଚାର- ବିବେକ । ବିଧିରେ – ସହଜରେ । ସୁରସ– ଉତ୍ତମରସ, । ଶୃଙ୍ଗାର । ବିଧିରେ– ବିଧାତାରେ, ବିଧାତା ଏସବୁକୁ ବର୍ଣ୍ଣନା କରିପାରିବେ ନାହିଁ । ଭଙ୍ଗିମା– ଭଙ୍ଗୀ । ସିଦ୍ଧିରେ – କାର୍ଯ୍ୟସାଧନରେ ।

 

୮। ବିଶ୍ଵସୃକ– ବ୍ରହ୍ମା । ଅନାୟତ୍ତ- ଆୟତ୍ତହୀନ, ଅଣାୟତ୍ତ । ଅବିଧି– ଅଘଟଣ । ଏଥିରେ–ଏହାଦ୍ୱାର । ଦ୍ରବିତ ହେଲେ- ତରଳିଗଲେ। ପଥରେ- 'ପଥରସବୁ । ଗଉତମ – ଗୌତମ ଋଷି । ବାଞ୍ଛା– ଭାବ । ଅମର ନାଥରେ– ଇନ୍ଦ୍ରଙ୍କଠାରେ । ଗୌତମଙ୍କ ଶାପ ଫଳରେ ଇନ୍ଦ୍ରଙ୍କର ସହସ୍ରଚକ୍ଷୁ ହୋଇଥିଲା । ଇନ୍ଦ୍ର ତାଙ୍କର ସହସ୍ର ଚକ୍ଷୁରେ ଶ୍ରୀକୃଷ୍ଣଙ୍କୁ ଦେଖି ଆନନ୍ଦରେ ଗୌତମଙ୍କୁ ପ୍ରଶଂସା କଲେ ।

 

୯। ହଟିଲା– ଦୂରହେଲା । ତୁଟିଲା– ଛାଡ଼ିଗଲା । ସମବୟା– ସମବୟସ୍କ । ଚାତୁରୀ କଥାମାନ- ରସରସିଆ କଥା ପ୍ରକଟିଲା- ପ୍ରକାଶ ପାଇଲା । କାମଚେଷ୍ଟା- କନ୍ଦର୍ପ ବିକାର। ଚହଟିଲା –ପ୍ରସାରିତ ହେଲା। ପତିବ୍ରତୀ- ପତିବ୍ରତା ନାରୀ । ମତି-ଧୃତି- ସମ୍ପତ୍ତି– ମନର ଧୈର୍ଯ୍ୟରୂପକ ସମ୍ପତ୍ତି ।

 

୧୦ । ଭଙ୍ଗିମାବାର – ଭଙ୍ଗୀସବୁ । ଇଙ୍ଗିତରଙ୍ଗେ – ଇଙ୍ଗିତ ଭଙ୍ଗୀରେ । ନେତ୍ର ଠାରିବା-ଆଖିଠାରିବା । ମନ୍ଦହାସ – ଅଳ୍ପହସ। ମତ୍ତବୃଷଗତି – ମତ୍ତ ବୃଷଭପରି ଚାଲିବା । ଗଜଗତିମତି – ଗଜଗମନା ନାରୀଙ୍କ ମନ ।

 

୧୧। ତନୁଯତନରେ– ଦେହର ଯତ୍ନନେବାରେ। ଭୂଷା– ଭୂଷଣ ।ଚୂଡ଼ା – ଚୁଳ । ସଜଡ଼ା – ସଜ୍ଜିତ । ସୁମନରେ – ଫୁଲରେ । ସୁମନରେ – ସରସମନରେ ।

 

୧୨। ପ୍ରେମ ଲମ୍ପଟରେ– ପ୍ରେମର ଲମ୍ପଟତାରେ । କଣ୍ଡୁର– ବାଇଡ଼ଙ୍କ । ଲାଟରେ – । ଲୁଗାରେ । ସୁନ୍ଦର ପୁରନ୍ଦର – ସୁନ୍ଦର ଶ୍ରେଷ୍ଠ । ଆକଟରୁ ପିତାମାତାଙ୍କ ଶାସନ ହେତୁ । କପଟରେ – ତୁଳନାରେ । ଭଙ୍ଗୀ– ଗୁତୁରୀ କଥା ।

 

୧୩ । ଗଣ୍ଠିଆ- ନିପୁଣ, ଦକ୍ଷ । କାହା– କୌଣସିନାରୀ। କଟିସ୍ଥିତ- କଟିରେ ଧରିଥିବା । ବେଠିଆ- ବିନା ପାରିଶ୍ରମିକରେ ଭୃତ୍ୟ । ଅପାଠିଆ- ଅପାଠୁଆ ଅଶିକ୍ଷିତ ।

 

୧୪ । ଘାଟକୁ ମାସୁଲ । ତନୁ – ଶରୀର । ତନୁ ପୁରଟକୁ – ଶରୀର ରୂପକ ସୁନାକୁ । ପଟକୁ ଲୁଗାକୁ । ଲଟକୁ – ନଟକୁ । ଗୋ-ରସ ଦେବା – ରସଦାନ କରିବା, ସମ୍ଭୋଗ ଦାନ କରିବା।

 

୧୫। ଭଙ୍ଗୀଛଳ– ବ୍ୟଙ୍ଗୀର୍ଥଯୁକ୍ତ କଥା । ଆକଟ – ସାବଧାନ କରି । ରାଟ– ରାଜା । ନନ୍ଦଚାଟ- ନନ୍ଦସୁତ । ମୂର୍ଚ୍ଛିଲେ – ଛାଡ଼ିଲେ । ଘଟ – ଶରୀର, ଦେହ ।

 

୧୬ l       ଔଦାର୍ଯ୍ୟଭଙ୍ଗୀ – ଚତୁରତା ସହ ହୃଦୟର ଉଦାର ଭାବ ପ୍ରକାଶ । ବିଟ – ଜାର ପୁରୁଷ । ଧିଟ-ଧୂର୍ତ୍ତ। ସେହ୍ନା– କବଚ।

୧୭ । ପେଣ୍ଠୀ- ମୋଟୀ ଓ ଗେଡ଼ୀ । ହୃଦକଣ୍ଠି – ହୃଦୟ ହାର । କଥାଗଣ୍ଠି – କଥା ସନ୍ଧି । ବଇଠି- ଆଧାର ।

 

୧୮ ।       ସ୍ନେହଭଙ୍ଗୀ– ଚତୁରତା ସହିତ ଗୋପୀମାନଙ୍କର ସ୍ନେହବାଣୀ । ତନୁଦାନ- ଦେହଦାନ । ମଲେ ତ ଆମ୍ଭେ ମଲାଇଁ- ଆମେ ମରିଗଲେ ମରିଯିବୁ। ପାଦ ମୁଦିରେ – ଗୋଡ଼ ମୁଦିରେ ।

 

୧୯। ଗର୍ବଭଙ୍ଗୀ– ଚତୁରତା ସହ ଗୋପୀଙ୍କ ମୁଖରେ ଶ୍ରୀକୃଷ୍ଣଙ୍କ ଗର୍ବଭାବ । ବଡ଼ାଇ- ବଡ଼ପଣ । ଗର୍ବେଶ୍ୱର ପଣ– ଅତି ଗର୍ଭଭାବ । ମନ୍ଦିର – ପ୍ରାସାଦ, ବାସସ୍ଥାନ । ତଡ଼ାଇ– ଧ୍ୱଂସ ।

 

୨୦।       ତର୍ଜନାଭଙ୍ଗୀ – ଚତୁରତା ସହ ଆକଟ ଛଳରେ ଗୋପୀଙ୍କ ଭାଷା । ଦାଣ୍ଡରେ – ଗୋପ ଦାଣ୍ଡରେ । ଚାଣ୍ଡରେ – ବେଗରେ । ଫୁଲକାଣ୍ଡ – କନ୍ଦର୍ପଶର । ଚଣ୍ଡ– ଉଦ୍ଧତ । ବିଖଣ୍ଡ – ଅସୁନ୍ଦର କଥା ।

 

୨୧। ତର୍ଜନା– ବିରକ୍ତି ପ୍ରକାଶ କରି ବାଭଳି । ଭଙ୍ଗୀରେ ଗର୍ଜନା – ଚିତ୍କାର କରନାହିଁ । ବଚନା ସର୍ଜନା- କଥା ବାହାର କରନା, କଥା କହନାହିଁ । ଅର୍ଜନା-- ଅର୍ଜନ କର ନାହିଁ । ବର୍ଜନା– ବର୍ଜନ କରନାହିଁ । ମାରନୃପବର – କନ୍ଦର୍ପରାଜା । ମାର୍ଜନା- କ୍ଷମା ।

 

୨୨ । ଗୋପୀବଂଶ– ଗୋପୀମାନେ । ପ୍ରେମସୁରସ– ପ୍ରଣୟ । ଗୋରସ – ଦୁଗ୍ଧ, ରସ– ଶୃଙ୍ଗାର ରସ ବା ପ୍ରୀତି । ମୁଖ ସାରସ– ମୁଖପଦ୍ମ । ବଢ଼ାଇଲନିତ ରସ –ପ୍ରଣୟକୁ ତ ବଢ଼ାଇ ଦେଲଣି । ବଞ୍ଛା- ମନସ୍କାମନା, ଇଛି । ଆଦରଶ- ଦର୍ପଣ ।

 

୨୩। ଲାଳସା ଭଙ୍ଗୀ ଉକ୍ତି – ଶ୍ରୀକୃଷ୍ଣଙ୍କର ଅତ୍ୟଧିକ ଇଚ୍ଛା ପ୍ରକାଶ । କିଣା କିଙ୍କର – କିଣା ଚାକର । ସାରେଣୀ- ଲଟୁ, ଖେଳନା । ଯାବକ- ଅଳତା । ଶାକର– ମଧୁରତା । କୁଚ - ଶଙ୍କର – କୁଚରୂପକ ଶମ୍ଭୁ ।

 

୨୪। ଦୈନ୍ୟଭଙ୍ଗୀ ଉକ୍ତି- ପରସ୍ପରଙ୍କର ଦୀନହୀନ ଭାବର ଭାଷା । ବକ୍ରନେତ୍ରେ ଚାହିଁଲେ-କଣେଇ ଚାହିଁଲେ । ଜଗତମୋହନ – ଶ୍ରୀକୃଷ୍ଣ । ଭାବସନ୍ଧାନ– ଭାବର ଆରମ୍ଭ । ବିଧାନ- ସ୍ଥିତି । ବରଧନ- ବୃଦ୍ଧି । ମାନସେ – ମନରେ ।

୨୫। ହଟନାଟ– ବିଭିନ୍ନ ପ୍ରକାରର ଉଦ୍ଦେଶ୍ୟପୂର୍ଣ୍ଣ ନାଟ । ପତିବରତୀ- ପତିବ୍ରତା । ଆରତି – ଆର୍ତ୍ତି, ଦୁଃଖପୂର୍ଣ୍ଣ । ଧିରତି– ଧୃତି ।

୨୬। କଣ୍ଟ– ପୂର୍ବ ନିର୍ଦ୍ଧାରିତ ସ୍ଥାନ ଓ ସମୟ ।

୨୭। ପରିଜନ– ସେବକ । ବିହାର – କ୍ରୀଡ଼ା । ଜୁହାର – ପ୍ରଣାମ ।

 

ଚତୁର୍ଥ ଛାନ୍ଦ

 

୧। ଧୀରେ– ପଣ୍ଡିତମାନେ । ତକ୍ସ – ତଥ୍ୟ, ମୂଳକଥା । ସାଧୁଶାସ୍ତ୍ରେ ଗୋସ୍ଵାମୀମାନଙ୍କ ଗ୍ରନ୍ଥ ସମୂହରେ ବା ଗୁରୁ ସାଧୁଚରଣ ଦାସଙ୍କ ‘ଚୌର ଚିନ୍ତାମଣି’ କାବ୍ୟ ଓ ଅନ୍ୟାନ୍ୟ ଶାସ୍ତ୍ରରେ । ଭାନୁବଂଶୀ– ସୂର୍ଯ୍ୟବଂଶୀ । ହେଜ– ସ୍ମରଣ କର । ଦନୁଜ– ରାକ୍ଷସ । ବିଭାବ– ବିରୁଦ୍ଧାଭାବ । ଗୋକୁଳ ଯାବଟରେ – ଗୋକୁଳର ଯାବଟ ଗ୍ରାମରେ । ନନ୍ଦାସ୍ପଦେ– ନନ୍ଦଙ୍କର ବାସ ସ୍ଥାନରେ । ଗୋକୁଳ– ଗୋରୁପଲ । ବୃତ୍ତି– ଜୀବିକା ।

 

୨।ମହିଷୀ- ପାଟରାଣୀ । ରସି – ଭକ୍ତିକରି । ଜାତକ ବିଧି ସିଦ୍ଧିବନ୍ତ – କୋଷ୍ଠୀ ବା ଜାତକ ଗଣନା ବିଦ୍ୟାରେ ପାରଦର୍ଶୀ । ର– ସୁବର୍ଣ୍ଣ । ରଶ୍ମି – ତେଜ ଦୀପ୍ତି । ରସ – ମାଧୁର୍ଯ୍ୟ ରସ । ଅଗ୍ନିବୀଜ– ଅଗ୍ନିଦେବଙ୍କର ବୀଜମନ୍ତ୍ର ହେଉଛି 'ର' । ନା – ନାମ ।

 

୩ । ଶ୍ରୀମତ – ଶ୍ରୀମନ୍ତ, ଶୋଭାଯୁକ୍ତ । ଉନ୍ନତ – ବିଶେଷ ଭାବରେ । ପୂର୍ଣ୍ଣମାସୀ- ପୌର୍ଣ୍ଣମାସୀ । ବୃନ୍ଦା– ବୃନ୍ଦାବନର ଅଧିଷ୍ଠାତ୍ରୀ ଦେବୀ। ସାର୍ଥକରି – ସାର୍ଥକ କରି । ରସି- ଆନନ୍ଦିତ ହୋଇ ।

 

୪। ତ୍ରିରାତ୍ର- ତିନିରାତ୍ରି ପର୍ଯ୍ୟନ୍ତ । ବିମୁଦ୍ରିତ – ବନ୍ଦ ହୋଇ ରହିବା । ବିଲୋକନ୍ତେ- ଦେଖନ୍ତେ । ବିଲୋକିଲେ– ଦେଖିଲେ । ଶୁଭସୁଲକ୍ଷଣୀ– ଉତ୍ତମ ଲକ୍ଷଣଯୁକ୍ତା ରାଧା ।

 

୫ । କୃଷ୍ଣ-ସର୍ବେନ୍ଦ୍ରିୟ ଆହ୍ଲାଦିନୀ – ଶ୍ରୀକୃଷ୍ଣଙ୍କର ଇନ୍ଦ୍ରିୟ ସକଳର ଆନନ୍ଦଦାୟିନୀ, ରାଧା । ସର୍ବେନ୍ଦ୍ରିୟ ଆନନ୍ଦ ବରଧନ– ସମସ୍ତ ଇନ୍ଦ୍ରିୟର ଆନନ୍ଦବର୍ଦ୍ଧନକାରୀ, ଶ୍ରୀକୃଷ୍ଣ । ସନ୍ଧିନୀ କଳାପ– ବିଶୁଦ୍ଧ ସତ୍ତ୍ୱମୟୀ ନାରୀ ସମୂହ, ଗୋପୀମାନେ । ଦିନୁଦିନୁ – ଦିନକୁ ଦିନ । ଭଗବାନ ଶ୍ରୀକୃଷ୍ଣଙ୍କର ତ୍ରିଶକ୍ତି- ସନ୍ଧିନୀ, ସଂବିତ୍ ଓ ହ୍ଲାଦିନୀ । ଭଗବାନ ସଦାତ୍ମା ହୋଇ ମଧ୍ୟ ଯେଉଁ ଶକ୍ତିଦ୍ୱାର ସତ୍ତା ଧାରଣ କରନ୍ତି ଓ ପ୍ରାଣୀକୁ ସଭା ପ୍ରଦାନ କରନ୍ତି, ତାହା ସନ୍ଧିନୀ ଶକ୍ତି । ଏହା ସତ୍ତ୍ୱମୟୀ। ଭଗବାନ ସ୍ଵୟଂ ସଂବିଦାତ୍ମା ହୋଇ ମଧ୍ୟ ଯେଉଁ ଶକ୍ତିଦ୍ଵାର। ନିଜେ ଜ୍ଞାନବାନ ହୁଅନ୍ତି ଓ ଜୀବଜୁ ଜ୍ଞାନବାନ କରାନ୍ତି, ତାହା ସଂବିତ୍ ଶକ୍ତି । ଏହା ଜ୍ଞାନମୟୀ । ଭଗବାନ ହ୍ଲାଦାତ୍ମା ହେଲେହେଁ ଯେଉଁ ଶକ୍ତିଦ୍ଵାର। ହ୍ଲାଦବାନ ହୋଇ ପ୍ରାଣୀକୁ ଆହ୍ଲାଦ ପ୍ରଦାନ କରନ୍ତି, ତାହା ହ୍ଲାଦିନୀ ଶକ୍ତି । ଏହା ଆନନ୍ଦମୟୀ ବା ପ୍ରେମମୟୀ ।

 

୬ । ସୁରଙ୍ଗ – ଲାଲ । ବାଙ୍କିଆ– ଦୋଳି । ରଙ୍ଗା । ଦୋଳନ – ସୁନ୍ଦର ଝୁଲଣା । ପ୍ରବାଳ- ପୋହଳା । କଳାନିଧି– ଚନ୍ଦ୍ର । କଳାବୃଦ୍ଧିନିଧି– ଚନ୍ଦ୍ରକଳା ବଢ଼ିବା ପରି । ରସନିଧି-ରସର ଆଧାର , ଶ୍ରୀରାଧା ।

୭। ଅଗୁଳି– ଅଗ । ବାଡ଼– କାନ୍ଥ । ରତିପତି- କନ୍ଦର୍ପ । ସାହାରେ- ସାହାଯ୍ୟରେ । ଅମୋହ ଅସ୍ତ୍ର– ଅମୋଘ ବାଣ । ଧାତାର– ବିଧାତାର ।

 

୮ । କାଛ– କାଛେଣି । ଗାତ୍ର– ଶରୀର । ଗୋରଜ– ଗୋରୁମାନଙ୍କ ଖୁରାରେ ଉଡ଼ୁଥିବାଧୂଳି । ସ୍ୱେଦ– ଝାଳ । ମୃଗାଙ୍କ– ଚନ୍ଦ୍ର । ଅଙ୍କ– କୋଳ । ରେମୋଦ୍‌ଗମେ– ଲୋମ ମୂଳରେ । ପ୍ରଚାର – ପ୍ରକଟିତ, ପ୍ରକାଶିତ ।

 

୯ ।      ପଞ୍ଚସଂବତ୍ସରେ – ପାଞ୍ଚବର୍ଷ ବୟସରେ । ଦୟକୁମ୍ଭଭଙ୍ଗୀ– ଦଢ଼ ମାଠିଆରେ ପାଣି ପୂରି । ରହିବା ପରି ଅର୍ଥାତ୍ ପୂର୍ଣ୍ଣଭାବରେ ବିଦ୍ୟା ରହିଲା । ଅସମା– ଅନୁପମା । ନବସମା– ନବମ ବର୍ଷ ବୟସ । ବାଣୀ- ସରସ୍ଵତୀ । ଗୁଣି ହୋଇଲେ– ବିଚାରିଲେ।

 

୧୦।      ରୋହିଣୀ- ନବବର୍ଷ ବୟସ୍କା କନ୍ୟା । ଗଉରୀ– ଅଷ୍ଟବର୍ଷ ବୟସ୍କା କନ୍ୟା । ବୟ – ବୟସ । କନ୍ୟା- ଦଶବର୍ଷ ବୟସ୍କା କନ୍ୟା । ସନ୍ଧିକାଳ– ବାଲ୍ୟ ଓ ଯୌବନର ମଧ୍ୟ ସମୟ ।ବିଶ୍ୱକର୍ମା- ଦେବ ଶିଳ୍ପୀ । ସିଦ୍ଧିପାଇ– କୃତିତ୍ୱ ଲାଭ କରି । ରସନିଧି ମୁର୍ତ୍ତି – ରସମୟୀ ଶ୍ରୀରାଧାଙ୍କର ମୂର୍ତ୍ତି । ମଦନ- କନ୍ଦର୍ପ । କୁମାରୀ ପ୍ରୀତି- କୁମାରୀ କନ୍ୟାମାନଙ୍କର ପ୍ରୀତି । ସୁକୁମାରୀ– ସୁକୁମାରୀ ଶ୍ରୀରାଧା । ପରିହାସୀ ପରିହାସ ନିପୁଣା। ମାନସରେ – ମନରେ ।

 

୧୧।      ସୁମତି – ଉତ୍ତରମତି ଶ୍ରୀରାଧା । ଦୃଗଞ୍ଚଳକୁ – ଚକ୍ଷୁକୋଣକୁ । କଟି – ନିତମ୍ବ । ଉନ୍ନତ ପ୍ରକଟି – ଉଚ୍ଚ ଦେଖାଯିବାରୁ । ଭୀରୁ– ଭୀରୁ ଶ୍ରୀରାଧା ଗୁରୁ– ସୁନ୍ଦର । ଉରୁ-ନିଘନ । ଗୁରୁତା– ବୃଦ୍ଧି । ଅତୁଳା- ଅତୁଳନୀୟା । ପିତୁଳାଲୀଳା – କଣ୍ଢେଇ ଖେଳ । ସମ୍ବନ୍ଧ– ସମ୍ବନ୍ଧ ସ୍ଥାପନ କଲେ । ବନ୍ଧପଟଳ– ଚଉଷଠି ପ୍ରକାର ରତିବନ୍ଧ । ନିର୍ବନ୍ଧ– ଆଗ୍ରହ । କାନ୍ତେ- ପତିଙ୍କଠାରେ । ଏକାନ୍ତେ – ଏକାନ୍ତରେ । ନିମଜ୍ଜି– ନିମଜ୍ଜିତ ହୋଇ ।

 

୧୨।      ହରଧର ରଜତର – ରୁପାରେ ନିର୍ମିତ ଶିବଙ୍କ ପର୍ବତ, କୈଳାସ । ମାର –କନ୍ଦର୍ପ । ପର-ପରଶଂସା – ଶତ୍ରୁର ପ୍ରଶଂସା, ଶିବଙ୍କ ପ୍ରଶଂସା । କନକ-ସୁନା ମଞ୍ଜୁଳ ଶଇଳ ଯୁଗଳ- ସୁନ୍ଦର ପର୍ବତ ଦୁଇଗୋଟି । ସାର ଉରଦେଶେ - ଉତ୍କୃଷ୍ଟ ବକ୍ଷ ଦେଶରେ । ବିହି - ବିଧାନ କରି, ନିର୍ମାଣ କରି । ଉନ୍ନତ – ଉଚ୍ଚତା । ମଦନ ମୋହନ – ମାଦକତ୍ୱ ଓ ମୋହନତ୍ୱ। ସଦନ – ବାସ ।

 

୧୩ । ପ୍ରେମ ହେମ ଚିତ୍ରଲତା– ପ୍ରେମମୟ ସୁବର୍ଣ୍ଣ ନିର୍ମିତ ବିଚିତ୍ର ଲତା । ଶ୍ରୀଫଳ ଯୁଗ – ଦୁଇଟି ନଡ଼ିଆ। ରତିପତି – କନ୍ଦର୍ପ । ପ୍ରୀତି ଯୋଗସାଧନେ ପ୍ରୀତିରୂପକ ଯୋଗସାଧନ ନିମିତ୍ତ । ଉଟଜ ଯୁଗ– ଦୁଇଟି କୁଡ଼ିଆ । ସରଜିଲା – ସୃଷ୍ଟି କଲା, ତିଆରି କଲା । ସୁରତରଙ୍ଗିଣୀ-ଉତ୍ତମରତି ରଙ୍ଗରେ କୁଶଳା, ଶ୍ରୀରାଧା ରସା- ଭୂତଳ । ରସାଗମନରେ – ଭୂତଳକୁ ଆଗମନରେ । ଐରାବତ – ନାରଙ୍ଗ ଫଳ, ଏଠାରେ ଶ୍ରୀରାଧାଙ୍କର କୁଚ ଲକ୍ଷିତ । ଗୁରୁ ଭେଦନେ– ଗରୁତାକୁ ଭେଦ କରିବା ପାଇଁ, ଗରୁତାକୁ ବଳିଯିବା ପାଇଁ । ଦ୍ୱନ୍ଦ୍ୱରେ – ପ୍ରତିଦ୍ୱନ୍ଦ୍ୱିତାରେ ।

 

୧୪ ।       ସ୍ତନଉନ୍ନତ ଚକ୍ରବାଡ଼ ସୀମା- ଉନ୍ନତ ସ୍ତନରୂପ ଲୋକାଲୋକ ପର୍ବତର ସୀମା। ନେତ୍ରକମଳ– ଚକ୍ଷୁରୁପକ ପଦ୍ମ । ତରୁଣ ଅରୁଣ ଚରଣ ଯୁଗଳ– ବାଳସୂର୍ଯ୍ୟ ପରି ଲାଲବର୍ଷର ପାଦ ଦୁଇଟି । ଆଲୋକ- ଦର୍ଶନ । ରୋମାଳୀ– ରୋମାବଳୀ । କଳି – କଳନା କରି । କୁଚକରି – କୁଚରୁପକ ହସ୍ତୀ। ଶିକଳୀ– ଶିକୁଳ । କାଳୀ କୁଣ୍ଡଳି – କଳାସାପ । ନାଭିବିଳେ – ନାଭିଗର୍ଭରେ । ସ୍ତନପେଟିକା – ସ୍ତନରୁପକ ପେଡ଼ି । ନିକିଳି – ବାହାରି ।

 

୧୫ । ଉପମାମାନେ– ଉପମାସମୂହ; ଚନ୍ଦ୍ର, ପଦ୍ମ ଆଦି । ଅପମାନେ ପଡ଼ିଲେ– ଅପମାନ ପାଇଲେ । ସୁଷମା- ଶ୍ରୀରାଧାଙ୍କର ସୌନ୍ଦର୍ଯ୍ୟ । ରମା– ଲକ୍ଷ୍ମୀ । ଉମା– ପାର୍ବତୀ । ରତି- କନ୍ଦର୍ପର ପତ୍ନୀ । ବାଣୀ- ସରସ୍ୱତୀ। ଆଣି– ଟେକ । ଖ୍ୟାତି ହୋଇଲା ନାମ ଆଭାସରେ– କେବଳ ନାମମାତ୍ରାରେ ପ୍ରକାଶିତ ହେଲା । ଅଲକ୍ଷରେ – ଲକ୍ଷ୍ୟ ନହେବାରୁ । ତିକ୍ତ – କଟୁ, ପିତା। କଣ୍ଟକୀ ଦୁର୍ଗ– କଣ୍ଟା ଭିତରର ଦୁର୍ଗ । ଦାହିଲା – ପୋଡ଼ିହେଲା ।

 

୧୬ । ନୟନ- ନେତ୍ର । ଆନନ- ମୁଖ । ହାସ– ହସ । ବାସ- ଦେହର ସୁଗନ୍ଧି । ବାହୁ ବାହା । କର– ହସ୍ତ । ଚରଣ- ପାଦ । ଉଦର – ପେଟ । ଆଭାସେ – ପ୍ରକାଶରେ । ବିମନ- ଦୁଃଖ । ପଙ୍କଜ– ପଦ୍ମ । ତପ– ତପସ୍ୟା ବିଷମେ– ଅତି କଷ୍ଟରେ । ଜଳପ୍ରବଳରେ– ପାଣି ବଢ଼ିଯିବାରେ । ମାନରେ– ସମ୍ମାନ ରକ୍ଷାରେ । ହିମେ– ଶୀତକାଳ ।

 

୧୭ । ଗଜ– ହସ୍ତୀ । ଲାଜମତିରେ – ଲାଜ ଲାଜ ହୋଇ, ଲାଜ ପାଇ । ଗତି – ଶ୍ରୀରାଧାଙ୍କ ଗମନ । ମୁଖ ସାନ୍ଦ୍ରକୁ ପୂର୍ଣ୍ଣମୁଖକୁ । ନଘଟି– ଲକ୍ଷ୍ୟ ନ ହୋଇ । ଘଟିଲା ଦେହ ଚିନ୍ତା ବହି– ଚିନ୍ତାରେ ଦେହକୁ କ୍ଷୀଣ କଲା । ଅଧିକରେ– ଅଧାହେଲେ ମଧ୍ୟ । ତୁଳ– ତୁଳନା ଖଣ୍ଡତ୍ରିଭାଗ– ତିନିଭାଗରୁ ଏକଭାଗ । ଦଳା– ଦଳାହେଲା । ଚାରିକଳା- ଚାରିଭାଗରୁ ଏକଭାଗ ।

 

୧୮ । କଳାକରେ – ଏକ କଳାରେ । ପ୍ରପଦେ – ପାଦ ଅଗରେ । ସୁଧାପିଣ୍ଡ – ଅମୃତର ଦେହ ।

୧୯। ବରତୁଳା– ବର୍ତ୍ତୁଳତା। ତୁଳା- ତୁଳନା, ସମାନ । କଦଳୀ– କଦଳୀବୃକ୍ଷ । ଅନୁମାନୁ ଘେନୁଥାଇ – ଅନୁମାନ କରୁ । ସଂପୁଟକ– ଫରୁଆ। ଅଧର ଋଣୀ- ଶ୍ରୀରାଧାଙ୍କର । ଅଧର ନିକଟରେ ଅରୁଣ ଋଣୀ । ଆନତା– ଅନ୍ୟ ପ୍ରକାର । ପ୍ରଖରେ – ଅତିଶୀଘ୍ର ।

 

୨୦। ବିମ୍ବା– ବିମ୍ବଫଳ । ବିରାଗରେ – ବୈରାଗ୍ୟରେ । ବଳାଇ ମାନକୁ – ଅଭିମାନ ବଳାଇ । ହିଙ୍ଗୁଳ– ହିଙ୍ଗୁଳ ରଙ୍ଗ । ବଳିବା– ବଳିଯିବା। ଭାବନେ– ଇଛାରେ , ଭାବନାରେ । ଜବା– ଜବାଫୁଲ । ଶିବା– ଦୁର୍ଗା । ବିଭଙ୍ଗ ଗୁମାନେ– ଟେକରେ ପରାଜିତ ହୋଇ ।

 

୨୧। ସୁଧା– ଅମୃତ । ବସୁଧା ବିଶୁଦ୍ଧା ହାସ – ପୃଥିବୀରେ ଶୁଦ୍ଧସ୍ଵଭାବ ହସ, ଶ୍ରୀରାଧାଙ୍କର ହସ । ସଦ୍ରବେ– ତରଳିଯାଇ । ପୁରସ୍କାର – ପ୍ରଶଂସା । ତିକ୍ତ – ପିତା । କୁମୁଦ– କଇଁଫୁଲ । ଜଳଦୁର୍ଗ– ପାଣି ଭିତରେ ଦୁର୍ଗ । ତୁଚ୍ଛ– ହୀନ । ପଉରୁଷ– ବଡ଼ପଣ । କାଶ– କାଶତଣ୍ଡୀ। କୁଶ– କୁଶଫୁଲ ।

 

୨୨।      ଲୋକନ– ଚକ୍ଷୁ । ବିଲୋକନେ– ଦେଖିବାରୁ । ଚକିତ – ଭୀତା। କୁରଙ୍ଗ– ମୂଗ । ଗଞ୍ଜନ ହୋଇ -ପରାଜିତ ହୋଇ । ଖଞ୍ଜନ – କଜ୍ଜଳପତ୍ରୀ ପକ୍ଷୀ । ଭଙ୍ଗୀ ପ୍ରସଙ୍ଗ – ଶ୍ରୀରଧାଙ୍କର ଭଙ୍ଗୀ ପ୍ରସଙ୍ଗ । ମାର- କନ୍ଦର୍ପ । ସାୟକ- ବାଣୀ। ଗୁରୁ– ସୁନ୍ଦର ଭୂରୁ – ଭ୍ରୁଲତା । ନତ- ନମ୍ର। ଆମଞ୍ଚନେ– ଆକର୍ଷିବା ପାଇଁ । ଗୁଣବନ୍ତ – ଗୁଣଯୁକ୍ତ, ଗୁଣଦଉଡ଼ି । କାମୁକ – ଧନୁ ।

 

୨୩ । ଦର – ଶଙ୍ଖ। ଦର– ଭୟ । ସୁକଣ୍ଠୀ– ଉତ୍ତମକଣ୍ଠୀ ଶ୍ରୀରଧା। ବିଲୋକନେ– ବିଶେଷ ଦୃଷ୍ଟିରେ । କରତାଇ– କରତି ହେଲା, ଚିରିହେଲା । ବହନେ– ଶୀଘ୍ର । ଭେଦ – ଫୋଡ଼ା । ଦାଡ଼ିମ୍ବ– ଡାଳିମ୍ବ ।

 

୨୪। ପ୍ରବୀଣ – ନିପୁଣା ରଧା। ସ୍ଵନ – ଶବ୍ଦ । ଲଭଲ୍ୟ– ଲେ।ଳତା, ତରଳତା । ମଧୁରେ – ମାଧୁର୍ଯ୍ୟରେ । ପିକ– କୋକିଳ । ପାଟଳି – ପାଟଳି ଫୁଲ । ପାଟଳି ଯାଏ– ପାଦ ଟଳିଯାଏ, ଝଡ଼ିପଡ଼େ । ଶ୍ରୁତି– କାନ । ଚରମ– ପୃଷ୍ଠଦେଶ, ପିଠି । ମନୋରମ– ସୁନ୍ଦର । ଫଳକ– ଢାଲ । କମ୍ପେ– ଥରି ଥରି । ସ୍ତନରେ – ଶବ୍ଦକରି । ଲକ୍ଷି – ଲକ୍ଷ୍ୟ କରି ।

 

୨୫। ନାକଟେକ– ନାକର ବଡ଼ପଣ । ତିଳ ସୁମନସ– ତିଳ ଫୁଲ । ମହୀତ ଭଜଇ – ମହୀକୁ ଭଜଇ, ଝଡ଼ିପଡ଼େ । ତୁଣୀ- ତୁଣୀର , ଶରମୁଣା। ଗୁଣି- ଭାବି । ଅଶରଣ- ଶରଣହୀନ, ଆଶ୍ରୟହୀନ । ଶରଣ ହୁଅଇ– ଆଶ୍ରୟ କରେ । ଅବିଧି– ଅକାର୍ଯ୍ୟ । ପ୍ରେମଧାମା- ପ୍ରେମାଧାର । ରାମା- ମନୋହରିଣୀ । ବାମ– ସ୍ତ୍ରୀ। ନାମାଭାସେ– ନାମର ପ୍ରକାଶରେ, ଆଭାସରେ । ବାମା- ପ୍ରତିକୂଳା ।

 

୨୬ । ପେଟି- ପେଡ଼ି । ଘଟିତ – ତୁଳିତ । ବନ୍ଧନ ଲୋକରେ ଯାଉଛି – ସଂସାରରେ ବନ୍ଧା ହେଉଅଛି । ମୃଦୁଳା– କୋମଳ ଶରୀର , ଶ୍ରୀରଧା। ତୁଳା- ତୁଲ୍ୟ । ପିଞ୍ଜାଇ– ଭିଣାଇ, ଫିଟାଇ । ଅଶେଷ – ଶେଷ ନାହିଁ । ଶେଷରେ – ଶେଷଦେବଙ୍କ ଦ୍ୱାରା, ଅନନ୍ତ ବା ବାସୁକୀଙ୍କ ଦ୍ଵାରା। ଅଳଂକୃତ - ଶୋଭିତ ।

 

୨୭ ।       ଅପ୍ରମିତ- ଅସଂଖ୍ୟ । ବିଗଣିତ – ଅଗଣିତ, ଅସଂଖ୍ୟ । ଅନ୍ତରଙ୍ଗା– ଆତ୍ମୀୟସଖୀ । ନକ୍ଷତ୍ର –       ସତେଇଶ ନକ୍ଷତ୍ର; ଅଶ୍ଵିନୀ, ଦ୍ଵିଜା, କୃତ୍ତିକା, ରୋହିଣୀ, ମୃଗଶିରା, ଆର୍ଦ୍ରା ପୁନର୍ବସୁ ପୁଷ୍ୟା, ଅଶ୍ଳେଷା, ମଘା, ପୂର୍ବ ଫାଲ୍‌ଗୁନୀ, ଉତ୍ତର ଫାଲ୍‌ଗୁନୀ, ହସ୍ତା, ଚିତ୍ରା, ସ୍ଵାତୀ, ବିଶାଖା, ଅନୁରାଧା, ଜ୍ୟେଷ୍ଠା, ମୂଳା, ପୂର୍ବାଷାଢ଼ା, ଉତ୍ତରାଷାଢ଼ା, ଶ୍ରବଣା, ଧନିଷ୍ଠା,ଶତଭିଷା, ପୂର୍ବଭାଦ୍ରପଦ, ଉତ୍ତରଭାଦ୍ରପଦ ଓ ରେବତୀ ।

 

ନିଧି– ନବନିଧି; ମୁକ୍ତା, ମାଣିକ୍ୟ, ବୈଦୂର୍ଯ୍ୟ, ଗୋମେଦ, ବଜ୍ର ବା ହୀରକ, ବିଦ୍ରୁମ ବା ପ୍ରବାଳ, ପଦ୍ମରାଗ, ମରକତ ଓ ନୀଳକାନ୍ତ।

 

ସିଦ୍ଧି- ଅଷ୍ଟସିଦ୍ଧି; ଅଣିମା, ଲଘିଂମା, ମହିମା, ବ୍ୟାପ୍ତ, ପ୍ରାକାମ୍ୟ, ଈଷିତା, ବଶିତା ଓ କାମାବସାୟିତା ।

 

ନାମା- ନାମରେ । ସଂଖ୍ୟାରେ – ନକ୍ଷତ୍ରନାମଧାରିଣୀ ସତେଇଶ, ନିଧିନାମରେ ନଅ ଓ ସିଦ୍ଧିନାମରେ ଆଠ । ଏହିପରି ଚଉରାଳିଶ ସଖୀ। ପାଞ୍ଚପ୍ରକାର- ଶ୍ରୀରାଧାଙ୍କର ଅନ୍ତରଙ୍ଗା ସଖୀମାନେ ପାଞ୍ଚଭାଗରେ ବିଭକ୍ତ; ସଖୀ, ନିତ୍ୟସଖୀ, ପ୍ରିୟସଖୀ, ପ୍ରାଣସଖୀ ଓ ପରମଶ୍ରେଷ୍ଠ ସଖୀ। ବିଭେଦ– ବିଭକ୍ତ । ତାପିନୀ ପ୍ରଭେଦ – ରଧାତାପିନୀ, ଗୋପାଳତାପିନୀ, ପୁରୁଷୋତ୍ତମ ତାପିନୀ ପ୍ରଭୃତି ଶାସ୍ତ୍ରରେ ପ୍ରବୀଣ ।

 

୨୮ । ପ୍ରଭା- କାନ୍ତି । ସିନ୍ଧୁସମ୍ଭବା – ଲକ୍ଷ୍ମୀ । ପରଭବାବିଭା– ଯେଉଁ ବିଭା ବା କାନ୍ତି ପରାଜିତ କରୁଛି, ଅର୍ଥାତ୍ କାନ୍ତିରେ ଯେ ବଳି ପଡ଼ିଛି । ବିଭ– ବିବାହ । ମହୀଶ– ର।ଜା ବୃଷଭାନୁ । ମହିଷୀ- ପାଟରଣୀ କୀର୍ତ୍ତିଦା । ପୁରତେ – ସମ୍ମୁଖରେ । ତୁଲେ – ଠାରେ । ସନମତ –ସମ୍ମତ ।

୨୯। ସେ ପଦେ– ସେକଥା ଶୁଣି । ଶାସ୍ତ୍ର ପ୍ରବର୍ତ୍ତାଇ – ଶାସ୍ତ୍ର ଅନୁଯାୟୀ ସିଦ୍ଧାନ୍ତ କରି । ସ୍ଥାୟୀ-ସ୍ଥିର । ଶ୍ରେୟ – ମଙ୍ଗଳ । ପ୍ରେମ ସର୍ଜକ- ପ୍ରେମର ସୃଷ୍ଟିକାରୀ । ପରକୀୟା– ପର ସ୍ତ୍ରୀଠାରେ ପ୍ରୀତି । ରସ– ଆନନ୍ଦ ।

 

୩୦ । କିଶୋରୀରତନ– କିଶୋରୀମାନଙ୍କ ମଧ୍ୟରେ ରତ୍ନ ସଦୃଶା, ଶ୍ରୀରଧା। ନୂତନ ଯତନ ସୁଷମା- ନୂତନ ଯୌବନ ଓ ସଯତ୍ନ ସଂପାଦିତ ମନୋହର ସୌନ୍ଦର୍ଯ୍ୟ । ସାଧବେ– ସାଧୁଜନମାନେ । ମାଧବେ– ଶ୍ରୀକୃଷ୍ଣଙ୍କୁ । ବିଶ୍ଵବଇଭବା– ସମଗ୍ର ଜଗତର ବିଭବ ସ୍ଵରୂପିଣୀ ଶ୍ରୀରଧା, ସର୍ବ ଐଶ୍ୱର୍ଯ୍ୟମୟୀ ଶ୍ରୀରାଧା । ଭବାବ୍‌ଧି– ସଂସାର ରୂପକ ସାଗର ।

 

 

ପଞ୍ଚମ ଛାନ୍ଦ

 

୧।ଅପୂର୍ବାନୁପ୍ରାସ – ଅ’ ପୂର୍ବରେ ଥାଇ ଅନୁପ୍ରାସ । ଅକୈତବରେ – ଅକପଟରେ । ବିଦୁଷ –ପଣ୍ଡିତ ।

୨। ଅଜ– ଜନ୍ମର ହିତ । ଅନଘ – ନିଷ୍ଠାପ। ଅନନ୍ତ– ଅବିନଶ୍ୱର । ଅଚ୍ୟୁତ – ଶ୍ରୀକୃଷ୍ଣ । ଅନଙ୍ଗ – କନ୍ଦର୍ପ ।

 

୩। ଅବସରେ– ବିଶ୍ରାମ ସମୟରେ । ଚାରିମିତ୍ର- ଦାମ, ଶ୍ରୀଦାମ, ସୁବଳ ଓ ମଧୁମଙ୍ଗଳ ।

୪। ଅନ୍ୱେଷଣା କରନ୍ତି– ଖୋଜନ୍ତି । ଅଙ୍ଗନା- ନାରୀ।

 

୫। ସୁବଳ ଲଜକଲା – ସୁବଳ ଶ୍ରୀରଧାଙ୍କର ଭାଇ ହୋଇଥିବାରୁ ଲାଜ କଲା ।

୬। ଅକ୍ଷଠାରି – ଆଖିଠାରି ।

 

୭।ଅମ୍ୱୁଜାକ୍ଷ – ପଦ୍ମନେତ୍ର, ଶ୍ରୀକୃଷ୍ଣ । ଅନ୍ତର୍ଗତରେ – ମନ ଭିତରେ ।

୮। ଶୁଭକଥା– ମଙ୍ଗଳ କଥା, ଭଲକଥା । ଭଣ୍ଡୁଛ– ଠକୁଅଛ ।

 

୯। ଅଶନି– ବଜ୍ର । ଅସୁଧର – ପ୍ରାଣରୂପକ ପର୍ବତ । ନାଶନ ନାଶ, ଧ୍ୱଂସ ।

୧୦।      ଅଶ୍ରୁତି – ନଶୁଣିବା କଥା। ମାଧବ– ମଧୁମଙ୍ଗଳ । ଅତି ଭାଗ୍ୟରେ – ଅତ୍ୟନ୍ତ ସୌଭାଗ୍ୟବଶତଃ ।

 

୧୧। ଅଥର୍ବାଦି ବେଦରେ – ଅଥର୍ବ ବେଦର ଉପନିଷଦ ଓ ତାପିନୀଗ୍ରନ୍ଥାଦିରେ । ଅଗମ୍ୟ –ଗମନର ଅସାଧ୍ୟ । ଏଭୂମି – ବୃନ୍ଦାବନ। ଚିନ୍ତାମଣି – ଶ୍ରୀକୃଷ୍ଣ, କିମ୍ବା ଏହି ଭୂମି ଅଗମ୍ୟ ଓ ଚିନ୍ତାପୂରଣକାରୀ।

 

୧୨।       ହରିବ– ହରଣ କରିବ, ଦୁର କରିବ । ଅଘଟଣ- ଯାହା ଘଟିବା ଅସମ୍ଭବ । ଦଇବ– ବିଧାତା।

୧୩।       ଅମ୍ୱୁଜାଙ୍ଗ–ମେଘବର୍ଣ୍ଣ ଶ୍ରୀକୃଷ୍ଣ । ଅଙ୍ଗେ – ଶରୀରରେ ।

 

୧୪।       ଅକସ୍ମାତେ- ହଠାତ୍ । ଅବୟବ– ଶରୀର । ଦକ୍ଷିଣଅକ୍ଷ – ଡାହାଣ ଆଖି । ବାହୁ- ଡାହାଣ ବାହୁ । ଜାନୁ- ଡାହାଣ ଜାନୁ । ୟୁରେ – ସ୍ପନ୍ଦିତ ହେଲା, ଡେଇଁଲା ।

 

୧୫ । ଅନୁକୂଳ– ପୋଷକ, ମଧୁ । ସମୀର-ପବନ । ଅମରାଳୟେ– ସ୍ଵର୍ଗରେ । ସ୍ପୁରେ –ପ୍ରକାଶପାଏ, ନିନାଦିତ ହୁଏ ।

୧୬ ।      ଅତନୁମୋହନ – ମଦନମୋହନ । ଅବଳା- ନାରୀ। ନିଦାନ– ନିଶ୍ଚୟ ।

 

୧୭। ଅଗ୍ରେ – ସମ୍ମୁଖରେ । ମିଳିଲେ – ଉପସ୍ଥିତ ହେଲେ । ପୂର୍ଣ୍ଣମାସୀ– ଯୋଗମାୟା ।

୧୮।       ଅବତାର – ଶରୀର ଧାରଣ କରିଛନ୍ତି । ଅବ୍ୟକ୍ତ- ଅପ୍ରକାଶିତ, ଲୋକମାନଙ୍କୁ ଅଜଣା । ମାୟାଶକ୍ତି ଯୁଗତେ – ମାୟାଶକ୍ତିଯୁକ୍ତ ହୋଇଥିବାରୁ ସେ ଯୋଗମାୟା ।

 

୧୯। ଅବନୀରେ– ପୃଥିବୀରେ, ମର୍ତ୍ତ୍ୟରେ । ଗୋବିନ୍ଦ ପ୍ରେମବିଧି – ଶ୍ରୀକୃଷ୍ଣଙ୍କର । ପ୍ରେମରଲୀଳା । ଅନୁସନ୍ଧାନକୃତକୁ ଯୋଗାଇବାକୁ । ବିଧି– ବିଧାତା ।

 

୨୦ । ଅବାରଣ– କେହି ବାରଣ କରିବା ବା ଅମାନ୍ୟ କରିବା ଅସମ୍ଭବ । ବ୍ରଜେ– ଗୋପପୁରରେ । ବଚନ- କଥା । ଅତିତରେ – ଅତିଶୟ ଭାବରେ । ସବୁରି – ସମସ୍ତଙ୍କର ।

 

୨୧।       ଅନ୍ତିକରେ – ନିକଟରେ । ଅଭିବନ୍ଦନା– ସମ୍ମାନଜ୍ଞାପନ ।

୨୨।       ହୃଷ୍ଟେ – ଆନନ୍ଦରେ । ଅଛିଦ୍ରରେ – ନିର୍ବିଘ୍ନରେ ।

 

୨୩। ଅବନତ ମୁଖ– ନିମ୍ନମୁଖ, ତଳକୁ ମୁହଁକଲେ । ଅଭୀଷ୍ଟଦା-ଅଭୀଷ୍ଟଦାତ୍ରୀ, ମନୋବାଞ୍ଚା ପୂରଣକାରିଣୀ ।

୨୪। ଅଞ୍ଚଳରୁ ଲୁଗାକାନିରୁ । ସମର୍ପିଲେ – ଦେଲେ ।

 

୨୫। ଅନୁମୋଦେ– ଆନନ୍ଦରେ ଗ୍ରହଣ କରି ।

୨୬। ସୁବାସେ- ସୁଗନ୍ଧିରେ । ମନ ନେଲା ମୋହି– ମନକୁ ମୋହିତ କଲା ।

 

୨୭। ଲଡୁକା- ଲଡୁ । ଦେବୀ – ପୌର୍ଣ୍ଣମାସୀ । ଭଣି- ପ୍ରକାଶ କଲେ ।

୨୮। କରସ୍ପର୍ଶ ବାସ- ହାତ ଲାଗିଥିବାର ବାସନା ଅନୁପମ – ଅତୁଳନୀୟ । ନାମ କାମ ଉଲ୍ଲାସ – ଏହାର ନାମ କାମୋଲ୍ଲାସ, ଏହା କାମୋଦ୍ରେକ କରେ ।

 

୨୯। କୃପା– ଦୟା । ଆଜୀ - ଆଈ ।

୩୦। ଅଇଲ- ଆସିଲ । ଏଣୁ- ଏଦିଗରୁ । କେଣୁ- କେଉଁଠାରୁ ।

 

୩୧। ଅକୁଣ୍ଠିତେ ଅକପଟରେ । ଭଗବତୀ- ପୌର୍ଣ୍ଣମାସୀ।

୩୨ । ଅବନୀଶ – ରାଜା । ବୃଷଧ୍ୱଜ ନନ୍ଦନା- ବୃଷଭାନୁ ଜେମା; ଶ୍ରୀରାଧା ଅମରାଦି-

 

ସ୍ୱର୍ଗାଦି । ତ୍ରଇଲୋକ୍ୟ – ତିନିଲୋକରେ । ବନ୍ଦନା- ପୂଜନୀୟା ।

୩୩।       ଅଶ୍ରୋତବ୍ୟ- ଶୁଣା ନଥିବା । ଗୁଣଶୋଭା ସଦନ– ଗୁଣ ଓ ସୌନ୍ଦର୍ଯ୍ୟର ସ୍ଥାନ। ଅସରଳ ସୂତା– ବିବାହ ପୂର୍ବରୁ କନ୍ୟା ହାତରେ ବନ୍ଧାଯିବା ସୂତା ।

 

୩୪।       ଅକ୍ଷସାର୍ଥ – ଚକ୍ଷୁକୁ ସାର୍ଥକ କଲି । ଅଇଲଇଁ – ଆସିଲି ।

୩୫।       ଅନୁରାଗୀ– ସ୍ନେହୀ । ଅଭୟରେ – ଭୟଶୂନ୍ୟ ଭାବରେ ।

 

୩୬।       ଅଘମର୍ଷଣ- ପାପନାଶକାରୀ, ଶ୍ରୀକୃଷ୍ଣ । କୃତକୃତ୍ୟ – କୃତାର୍ଥ । ଅବଶରେ – ଆସକ୍ତ ଭାବରେ । ପ୍ରଣପତ୍ୟ – ପ୍ରଣିପାତ ।

୩୭। ଅଗାରକୁ – ଗୃହକୁ । ମହାମାୟୀ- ପୌର୍ଣ୍ଣମାସୀ।

 

୩୮ । ଅବିଛିନ୍ନାନନ୍ଦମୟୀ – ପୂର୍ଣ୍ଣ ଆନନ୍ଦରୂପିଣୀ । କିଶୋରୀ– ଶ୍ରୀରାଧା । ଅଜ– ଜନ୍ମରହିତ । ନିର୍ଗୁଣ-ଗୁଣାତୀତ । ପ୍ରେମପୂର୍ଣ୍ଣକରି- ପ୍ରେମପୂର୍ଣ୍ଣକାରିଣୀ।

 

୩୯ । ଅନୁଭୂତି – ସାଧାରଣ ଅନୁଭବ ବା ମୂଳ ବିଭୂତି (ବିଭୂତି ସତ୍ତ୍ୱାତ୍ମିକ ଓ ଚିନ୍ମୟୀ) । ବିଭୁତିର ଷୋଡ଼ଷ କଳା ବା ମହିମା- ଶ୍ରୀ, ଭୁ, କୀର୍ତ୍ତି, ଈଳା, ଲୀଳା, କାନ୍ତି, ବିଦ୍ୟା, ବିମଳା, ଉତ୍‌କର୍ଷିଣୀ, ଜ୍ଞାନା, କ୍ରିୟା, ଯୋଗ, ପ୍ରହ୍ୱୀ, ସତ୍ୟା, ଈଶାନା ଓ ଅନୁଗ୍ରହା) । ସାନୁଭୂତି ଉଲ୍ଲାସ– ପରମାନନ୍ଦ ବା ମହାବିଭୂତି, ଆତ୍ମଜ୍ଞାନ । ଅତି ଅଗମ୍ୟ– ମିଳେ ନାହିଁ । ନିଗୁଢ଼ ବିଶେଷ – ବିଶେଷ ଗୁପ୍ତ ଭାବରେ ଥାଏ।

 

୪୦। ଅତଦ୍‌ବିଦ– ତାହା ଜାଣି ନପାରି । ଅମୁଦ୍ରିତ ଭଣ୍ଡାର – ଉନ୍ମୁକ୍ତ ପ୍ରେମର ଭଣ୍ଡାର।

୪୧। ଅନୁରାଗ– ପ୍ରୀତି । ନୂତନ ସରଜନା- ନୂତନ ସୃଷ୍ଟି ।

 

୪୨। ଅଧ– ପାତଳାଦି ଅଧଲୋକରେ । ଊର୍ଦ୍ଧ୍ୱ – ସ୍ୱର୍ଗାଦି ଉର୍ଦ୍ଧ୍ୱଲୋକରେ । ବ୍ୟାପିତ – ବ୍ୟାପି

ରହିଛି । ସେହୁ ଲୀଳା ଶ୍ରୀକୃଷ୍ଣଙ୍କର ଲୀଳା । ଅର୍କଘଟସ୍ଥ - ସୂର୍ଯ୍ୟମଣ୍ଡଳସ୍ଥ । ପର– ପ୍ରାୟ । କାମକଳା- ଲୀଳା ।

 

 

ଷଷ୍ଠ ଛାନ୍ଦ

 

୧।କୋବିଦେ-ପଣ୍ଡିତମାନେ । ଶ୍ରବଣେ– କର୍ଣ୍ଣରେ । ଆଦିକନ୍ଦ – ମୂଳ କାରଣ, ଶ୍ରୀକୃଷ୍ଣ।

୨। ଆଜୀ- ଆଈ, ପୌର୍ଣ୍ଣମାସୀ।

 

୩ ।ବେନିବର୍ଣ୍ଣ – ଦୁଇଅକ୍ଷର । ଆକଳନା – ଭାବନା । ବର୍ଣ୍ଣ – ଶରୀରର ବର୍ଣ୍ଣ

୪।ଅତ୍ମଭୂତମାନ୍ଧ – କାମନାଜନିତ ଅଜ୍ଞାନରେ ଅନ୍ଧ । ଆନନ୍ଦ -ତଟିନୀ– ଆନନ୍ଦରୂପକ ନଦୀ । ତଟ-ଘଟନା- ନଦୀର ଉଭୟ ତୀରର ବନ୍ଧ ।

 

୫ ।ରତି- କନ୍ଦର୍ପର ପତ୍ନୀ । ପୀରତି- ପ୍ରୀତି । ଧରତୀ– ଧରିତ୍ରୀ ।

୬।ଆଦ୍ୟ ବେନି ପତ୍ର- ପ୍ରଥମ ଦୁଇ ପତ୍ର । ଅନୁରାଗ– ସ୍ନେହ । ବୀଜର – ମଞ୍ଜିର । ଆନ ତୁଳନା- ଅନ୍ୟତୁଳନା । ତରକି- ତର୍କଣାକରି, ଚିନ୍ତାକରି ।

 

୭।ଆଞ୍ଚି– ଆମଞ୍ଚନ କରି, ଓଟାରି । ଅତନୁ -କନ୍ଦର୍ପ । ଆତ୍ମା ଅବଶୁଁ – ଚିତ୍ତ ଅବଶ ହୋଇଯିବାରୁ । ବିବର୍ଣ୍ଣ – ମଳିନ । ତନୁ – ଶରୀର ।

୮ । ଆରମ୍ଭ– ଗର୍ବ । ଦମ୍ଭ- ଟାଣ । ଆସକତ – ପରିଶ୍ରାନ୍ତ । ତନୁ – ଶରୀର । ଚିନ୍ତାଦରେ – ଚିନ୍ତା ଓ ଭୟରେ ।

 

୯। ଅମୃତସର – ଅମୃତର ସାର । ସେବିଧିରେ – ସେହି ପ୍ରକାରେ ।

୧୦।ଆବେଶେ – ଅତି ଆଗ୍ରହରେ , ତନ୍ମୟ ହୋଇ । ଲେହନ୍ତି – ଲେହନ କରନ୍ତି ଆଚ୍ଛନ୍ନ କରନ୍ତି – ଘୋଡ଼ାଇ ପକାନ୍ତି । ସ୍ନେହାଦରେ – ସ୍ନେହ ଓ ଆଦରରେ ।

 

୧୧।      ଆଉଜିଲେ ସଖାଙ୍କ ଉରକୁ – ସଖାଙ୍କ ଛାତିକୁ ଆଶ୍ରାକରି ଢଳି ବସିଲେ । ବେଣୁଧର -ଶ୍ରୀକୃଷ୍ଣ । ଆରତିଶ୍ଵାସେ – ଦୁଃଖ, ନିଶ୍ୱାସରେ । ବିରଙ୍ଗ - ବିବର୍ଣ୍ଣ ।

 

୧୨। ଆତଙ୍କ ହୋଇ– ଭୀତ ହୋଇ । ସଖାଏ– ସଖାଙ୍କୁ । ଛନ୍ନେ – ଚକିତ ଭାବରେ ।

୧୩। ବଞ୍ଚାଇ – ଭୁଲାଇ । ରସେଶ୍ୱର– ରସରାଜ, ଶ୍ରୀକୃଷ୍ଣ । ଆଶବଶେ– ଆଶାବଶତଃ ମନରେ ଆଶାର ସଞ୍ଚାର ହେତୁ । ରାଧାସ୍ୱର– ରାଧାଶବ୍ଦ ।

 

୧୪।       ଆଶୟରୁ– ଅଭିପ୍ରାୟରୁ । ବିଷୟ – ଶ୍ରୀକୃଷ୍ଣଙ୍କର ମନୋଗତ ଭାବନା । ସଖାବାର – ସଖାମାନେ । ଆସ୍ପାଦବଚନ – ଆଶ୍ୱାସପୂର୍ଣ୍ଣ କଥା। ମଧୁ- ସଖା ମଧୁମଙ୍ଗଳ । କଲା କହିବାର – କହିବାକୁ ଆରମ୍ଭ କଲା ।

 

୧୫। ବିଷେ - ଏକ ବିଷୟ ।

୧୬। ଆନନ - ମୁଖ ! ଲୁଆଇଁ – ନୁଆଇ । ଆର୍ତ୍ତି- ଦୁଃଖ । ପ୍ରେମବଳ– ସ୍ନେହରଶକ୍ତି । (ସୁବଳ ତଳକୁ ମୁହଁ କରି ବସିବାର କାରଣ ସେ ଶ୍ରୀରାଧାଙ୍କର ଭାଇ। ତେଣୁ ଶ୍ରୀରଧାଙ୍କୁ କେନ୍ଦ୍ରକରି ପ୍ରେମଜନିତ ବିଷୟ ଆଲୋଚନାରେ ସେ ଲାଜ ପାଇଛନ୍ତି ।)

୧୭। ଆରଦ୍ର-ଆର୍ଦ୍ର, ସହାନୁଭୂତିପୂର୍ଣ୍ଣ । ଆଶ୍ଵାସି– ଆଶ୍ୱାସନା କରି । ପ୍ରବୋଧି- ପ୍ରବୋଧନା ଦେଇ ।

 

୧୮। ଆରଷେ – ଋଷିପ୍ରଣୀତ ଶାସ୍ତ୍ରରେ । ଚିନ୍ତାମଣି- ମନୋବାଞ୍ଛା। ପୂରଣକାରୀ । ଆତୁର ହୋଇ– ଦୁଃଖିତ ହୋଇ, ଦୁଃଖରେ ବ୍ୟଗ୍ର ହୋଇ । ଚିନ୍ତାମଣି– ସବୁଠାରୁ ଅଧିକ ଚିନ୍ତିତ ।

 

୧୯। ନିକଟେ – ନିକଟରେ, ଅଳ୍ପ ସମୟ ମଧ୍ୟରେ । ଆଦ୍ୟା– ଆଦ୍ୟଶକ୍ତି, ଦୁର୍ଗା । ସାହା– ସହାୟ । ସଙ୍କଟେ – ବିପଦରେ ।

୨୦।       ଆପାଦି– ଆଶ୍ଵାସନା କରି ।

 

୨୧। ମଧୁ- ମଧୁମଙ୍ଗଳ । ଆଜନ୍ମ – ଜନ୍ମ ସମୟରୁ । ପ୍ରେମମଧୁ- ପ୍ରେମର ମଧୁରତା।

୨୨।       କଣ୍ଡୁର– ବାଇଡଙ୍କ । ଗାତ୍ରରେ– ଦେହରେ । ବାରିଲେ ନେତ୍ରରେ– ଆଖିଠାରି ବାରଣ କଲେ ।

୨୩। ଆରତଞ୍ଜନ- ଦୁଃଖନାଶନ, ଶ୍ରୀକୃଷ୍ଣ । ଆକଳ୍ପନା- ବିଚାର ।

୨୪। ଆଭୋଗ– ସମୂର୍ଣ୍ଣ । ରସିକରେ – ରସପିପାସୁମାନଙ୍କୁ, ରସଗ୍ରାହୀମାନଙ୍କୁ ।

 

ସପ୍ତମ ଛାନ୍ଦ

 

୧।ଇ-ପୂର୍ବାନୁପ୍ରାସ – ଇ ପୂର୍ବରେ ଥାଇ ଅନୁପ୍ରାସଯୁକ୍ତ । ଦୀର୍ଘ ହ୍ରସ୍ୱ ବେନି ନିୟମ ହ୍ରସ୍ୱଇ ଓ ଦୀର୍ଘଇ ଉଭୟ ବର୍ଣ୍ଣ ବ୍ୟବହୃତ । ଧୀରେ – ପଣ୍ଡିତମାନେ । ପ୍ରସଙ୍ଗ ବିଧିରେ- ଅନୁସାରେ ।

 

୨। ଇଭଗତି – ଗଜଗମନା । ଇଚ୍ଛି – ଇଚ୍ଛାକରି । ନବ ଅନୁରାଗ– ନୂତନ ପ୍ରେମ। କରଣେ – କରିବାକୁ ।

୩ । ଇଜ୍ୟା– ପୁଜ୍ୟ । ଭଗବତୀ– ପୌର୍ଣ୍ଣମାସୀ। ବାଣୀ– କଥା । ଭଣି– କହି, ପ୍ରକାଶ କରି । ଇତସ୍ତତ– ଏଣେତେଣେ । ମନକରୁଛୁ- ମନବଳାଉଛୁ ।

 

୪ । ଇନ୍ଦ୍ରପଦ– ଇନ୍ଦ୍ରପଣ । ଈନ- ସୂର୍ଯ୍ୟ ଓ ପତି ଶ୍ରୀକୃଷ୍ଣ । ରସଲତା- ରସମୟୀ ଶ୍ରୀରାଧା ।

୫ । ଇତି ପ୍ରତିଭକ୍ତି- ଏହାର ପ୍ରତ୍ୟୁତ୍ତରରେ । ଇରାବତୀ– ପଣ୍ଡିତା ଶ୍ରୀରାଧା । ମତି – ମନ । ରଜନୀବାସରେ – ଦିନରେ ଓ ରାତିରେ ।

 

୬।      ଇଷ୍ଟ-ପ୍ରିୟ,ପତିପ୍ରାପ୍ତି। ଅଭୀଷ୍ଟ-ମନୋବାଞ୍ଛା। କେହି –କିପରି। ମିତ୍ରକୁ-ସୂର୍ଯ୍ୟ ଓ ଶ୍ରୀକୃଷ୍ଣଙ୍କୁ । ଧନୀ– ଶ୍ରୀରାଧା । ଇତର କଥା- ସାମାନ୍ୟ କଥା। ଗଞ୍ଜନ୍ତି – ଗଞ୍ଜନା କରନ୍ତି, ତିରସ୍କାର କରନ୍ତି ।

 

୭ । ଇଙ୍ଗିତ- ସୂଚନା । ଜଟିଳା– ଶ୍ରୀରାଧାଙ୍କ ଶାଶୁ । ଇଷ୍ଟରିଷ୍ଟ– ଅଭିଳଷିତ ପଦାର୍ଥକୁ । ପାଇବାର ବିଘ୍ନ, ପତିଙ୍କର ଅନିଷ୍ଟ । ମିହିର – ସୂର୍ଯ୍ୟ ।

 

୮ । ଇଶିତ୍ୱନିଧି– ଐଶ୍ଵର୍ଯ୍ୟ ସମ୍ପଭି, ଶ୍ରୀକୃଷ୍ଣ । ପରାପତ– ପ୍ରାପ୍ତ । ଦିନେଶ– ସୂର୍ଯ୍ୟ ।

୯ । ଈଷଦ୍ଧାସେ– ଈଷତ୍‌ହାସ ସହିତ, ଅଳ୍ପ ହସି ହସି । ଇଶାନ୍ୟେ – ଉତ୍ତରପୂର୍ବ କୋଣରେ, ଐଶାନ୍ୟ ଦିଗରେ । ମିତ୍ର – ସୂର୍ଯ୍ୟ ଓ ସଖା ଶ୍ରୀକୃଷ୍ଣ ।

 

୧୦। ଇକ୍ଷିତକର – ଚାହଁ । ପଦ୍ମଜିତ ମୁଖ– ପଦ୍ମକୁ ଜୟ କରିଥିବା ମୁହଁ । ଇନ୍ଦୁଲେଖା– ଇନ୍ଦୁରେଖା- ଜଣେ ପରମଶ୍ରେଷ୍ଠ ସଖୀ । ଉଦବେଗ– ଅସ୍ଥିର । ଚିତ୍ତ- ମନ ।

 

୧୧ । ଈଦୃଶ– ଏପରି । ଈକ୍ଷଣ ଦୃଷ୍ଟି । ସାର୍ଥ– ସାର୍ଥକ। କାମଦା– କାମଦାୟିନୀ, କାମନା ପୂରଣକାରିଣୀ ।

୧୨। ଇଦଂବାକ୍ୟ – ଏହିକଥା । ଭଗବତୀ – ପୌର୍ଣ୍ଣମାସୀ। ପ୍ରତିଭକ୍ତି – ପ୍ରତ୍ୟୁକ୍ତି । ଇନ୍ଦିବରାକ୍ଷୀ– ନୀଳୋତ୍ପଳ ନୟନା । ପ୍ରାଣପଞ୍ଚଭୂତ – ପ୍ରାଣର ପ୍ରଧାନ ଅବଲମ୍ବନ ।

 

୧୩। ଇଦାନୀ- ଏହିକ୍ଷଣି, ବର୍ତ୍ତମାନ । ଇନ୍ଦୁକୋଟି ଜିତ – କୋଟି କୋଟି ଚନ୍ଦ୍ରକୁ ଜୟ କରିଥିବା ।

୧୪। ଇକ୍ଷୁରସସାର – ଆଖୁରସ ପରି ମଧୁର । ଇସି- ବିସ୍ମୟସୂଚକ ଅବ୍ୟୟ । ରସବତୀ – ରସମୟୀ ଶ୍ରୀରାଧା ।

୧୫। ଇନ୍ଦ୍ରିୟେ – ଇନ୍ଦ୍ରିୟ ସମୁହ, ଚକ୍ଷୁ କର୍ଣ୍ଣାଦି ଅଙ୍ଗସମୁହ । ବିଶେଷ – ଅଧିକ । ଇନ୍ଦୁର– ମୂଷା । ଭଗବତୀ ଭାରତୀ– ପୌର୍ଣ୍ଣମାସୀଙ୍କ ବଚନ । ଦମ୍ଭ ବସନକୁ – ଦମ୍ଭରୁପକ- ବସନକୁ ।

 

୧୬।       ଇନ୍ଧନ ପ୍ରତିମା- କାଠରେ ତିଆରି ମୂର୍ତ୍ତି । ତନୁକୁ – ଦେହକୁ । ସ୍ତମ୍ଭ – ନିଶ୍ଚଳ । ଈଶାନପର– ଶିବଙ୍କର ଶତ୍ରୁ କନ୍ଦର୍ପ ଆକର୍ଣ୍ଣାୟତ୍ତ କରି – କାନ ପର୍ଯ୍ୟନ୍ତ ଲମ୍ବାଇ ଦେଇ । ଆଞ୍ଚୁଛି– ଟାଣୁଛି।

 

୧୭। ଇଷୁ- ବାଣ । ଇଷିତେ- ଅଳ୍ପରେ ।

୧୮ । ଈନ– ସୂର୍ଯ୍ୟ । ବାରିବ– ବାରଣ କରିବ।

 

୧୯। ଇନ୍ଦିରାଦି-ଲକ୍ଷ୍ମୀ ଆଦି। ଈରିଷା –ଈର୍ଷା, ଅସହିଷ୍ଣୁତା। ଭିଆ୍ଇଲେ- ସୃଷ୍ଟି କଲେ। କି ଗୁଣେ– କେଉଁ ଗୁଣରେ, କେଉଁ ଧର୍ମରେ ।

 

୨୦।      ଇନ୍ଦ୍ରଗୋପଜିତରଙ୍ଗ ଚରଣୀ– ସାଧବବୋହୁ ପୋକର ରଙ୍ଗକୁ ଜିଣି ଅଧିକ ଲାଲବର୍ଣ୍ଣର ପାଦ ଯାହାଙ୍କର ,ଶ୍ରୀରାଧାଙ୍କୁ । ସୁମରି– ସ୍ମରଣକରି, ମନେକରି । ଇନ୍ଦ୍ରଜିତ ସୁତ- ଇନ୍ଦ୍ରଜିତ ସାମନ୍ତସିଂହାରଙ୍କ ପୁଅ ଅଭିମନ୍ୟୁ ସାମନ୍ତସିଂହାର।

 

ଅଷ୍ଟମ ଛାନ୍ଦ

 

୧। ଉଷତରେ – ଆନନ୍ଦରେ । ସୁଧୀରେ– ଅତ୍ୟନ୍ତ ଧୀର ଭାବରେ ବା ଉତ୍ତମ ବୁଦ୍ଧିରେ । ଧୀରେ– ପଣ୍ଡିତମାନେ । ‘ଉ’ ପୂର୍ବହିଁ – ଉ’ ବର୍ଣ୍ଣରେ ଅନୁପ୍ରାସ ।

 

୨। ଉତ୍ତମା- ଉକୃଷ୍ଟାନାରୀ, ଶ୍ରୀରାଧା ନାମରସେ – ନାମ ଶ୍ରବଣରୁ ଜାତ ରସରେ । ରସେ– ଆସକ୍ତା ହେଲେ । ଅବଶେ– ଅଶକ୍ତ ଭାବରେ ।

 

୩ ।       ଊର୍ଦ୍ଧ୍ୱନିଶ୍ୱାସ....ଛନଛନ– ଶ୍ରୀରାଧା ଉଦ୍ଧନିଃଶ୍ୱାସ ପକାଇ, ଉପରକୁ ଚାହିଁ ଛନଛନ ହେବା ଦ୍ୱାର ତାଙ୍କର ଶ୍ରୀକୃଷ୍ଣପ୍ରାପ୍ତି ନିମିତ୍ତ ଲାଳସା ଓ ଉଦ୍‌ବେଗ ପ୍ରକାଶିତ ।

 

୪ । ଊଣା...ତନୁ ତନୁ – ଶ୍ରୀରାଧାଙ୍କର ସବୁ ପ୍ରକାର ଇଚ୍ଛା କମିଗଲା । ତାଙ୍କର ଉଦ୍‌ବେଗରୁ ଚିନ୍ତା, ଚିନ୍ତାରୁ ବିରକ୍ତି, ବିରକ୍ତିରୁ ଉପବାସ ଫଳରେ କ୍ଷୀଣାଙ୍ଗ ଶ୍ରୀରାଧାଙ୍କର ଦେହ ଅତ୍ୟନ୍ତ କ୍ଷୀଣ ହୋଇଗଲା । ସୁତନୁ ତନୁ- କ୍ଷୀଣାଙ୍ଗୀ ଶୀରାଧାଙ୍କର ଶରୀର । ତନୁ–କ୍ଷୀଣ ।

 

୫ । ଉନ୍ନିଦ୍ରରେ – ଅନିଦ୍ରାରେ । ଦୀନ- କୃଶ । ଉଲୁସଇ – କମ୍ପଇ । ଗାତ୍ର – ଶରୀର । ନେତ୍ର ଥନ ଥନ– ଅଶ୍ରୁରେ ନେତ୍ର ଛଳଛଳ ।

 

୬ । ବାରବାର- ବାରି ସମୂହ, ଲୋତକର।ଶି । ଉରଜ– ସ୍ତନ ।

୭ । ଉଦ୍‌ଭାବିତ-ଜାତ । ଗରଗର – ଥରଥର ।

 

୮ । ଅବିରତ – ସର୍ବଦା । ରତ- ଆସକ୍ତ । ଚମକ– ଭୟ, କମ୍ପ । ଶତଶତ- ବହୁବାର ।

୯। ଉର– ବକ୍ଷ । ଉଦ୍‌ବେଗ– ଉତ୍କଣ୍ଠା ।

 

୧୦। ଉପାସ୍ୟ– ପୁଜ୍ୟ । ମରମର – ଅନ୍ତଃକରଣରେ । ଉଦାସିନୀ – ସଂସାରର ଅନ୍ୟ ବିଷୟ ପ୍ରତି ଯେ ଆଗ୍ରହଶୂନ୍ୟ । ଅସାର ସାର- ଭଲ ମନ୍ଦ ।

 

୧୧। ଉରୁଶୋଭିନୀ- ଉରୁର ସୌନ୍ଦର୍ଯ୍ୟରେ ମଣ୍ଡିତା, ସୁନ୍ଦରୀ । ଚେଷ୍ଟାମାନ- କାମ ବିକାର ସମୂହ ।

୧୨। ଉତ୍କରଷ– ଗୌରବ । ଜୀବଯାତ୍ରା- ଜୀବନ ବାହାରି ଗଲେ । ହେଳେ– ନିର୍ବାଧରେ, । ସହଜରେ । ଉଦ୍‌ଭାବିତ – ଜାତହୋଇ । ଏ ଚେଷ୍ଟା- କାମ ଚେଷ୍ଟା। ପ୍ରବଳେ ବଳେ– ପ୍ରବଳ ଭାବରେ ବଢ଼େ ।

 

୧୩ । ଉତ୍କଣ୍ଠିତ- ଉସୁକତା। ବାରବାର – ପ୍ରତିଥର । ଉପତାପ– ବିରହ ବ୍ୟାଧ । ଦର – ଭୟ ।

୧୪। ସହୀ– ସଖୀ । ହିତ – ଉପକାରିଣୀ । ଉଦ୍ଦାମରେ – ଅକୁଣ୍ଠିତ ଚିତ୍ତରେ ।

 

୧୫ । ଉରୁପଣ- ବଡ଼ପଣ । ଅପ୍ରମିତ – ଅଗଣିତ । ଉଚ୍ଚବାଚ – ଊଣା ଅଧିକ ।

୧୬ । ଉଦକାଶ – ଜଳାଶୟରେ । ଶିବ ମଙ୍ଗଳ ।

 

୧୭। ଏପୁରୀ ପୂରି – ଏପୁରକୁ ପୂର୍ଣ୍ଣକରି । ଉଗ୍ରହୋଇ- ଅଧିକ ହୋଇ, ବଢ଼ି । ତୁରି – ନିନ୍ଦା ପ୍ରଚାର ।

୧୮ ।       ଉପନିଷଦେ– ଶାସ୍ତ୍ରରେ । ଅପବାଦ– ନିନ୍ଦାବାଦ । ଉଗ୍ର – ଶିବ । ଆପଦ,ପଦ– ବିପତ୍ତିର ସ୍ଥଳ, ବିପତ୍ତିର କାରଣ ।

୧୯।      ସୀମନ୍ଥାନ ସ୍ଥାନ- ମସ୍ତକର ସ୍ଥାନ । ଉତ୍ତର କୁ ହେବ– ଉତ୍ତର ଦିଗକୁ ହେଉ । ଉଦିଯୋଗ-ଉଦ୍‌ଯୋଗ । ଦକ୍ଷିଣ ଗମନ- ଦକ୍ଷିଣ ଦିଗକୁ ଯାତ୍ରା, ଯମପୁରକୁ ଯାତ୍ରା ।

 

୨୦ । ଉଡୁକାନ୍ତ ଚନ୍ଦ୍ର । ଦମ୍ଭ – ଧୈର୍ଯ୍ୟ ।

୨୧। ଉର୍ଣ୍ଣନାଭ– ବୁଢ଼ିଆଣୀ । ସୁତ୍ର – ସୂତା। ସରୁ ସୂକ୍ଷ୍ମ । ମାନସରୁ ସରୁ – ବିବେଚନାରେ ସୂକ୍ଷ୍ମ ଉପରାଣ– ଓଢ଼ଣା । ନଗରୁ– ପର୍ବତଠାରୁ । ଗରୁ– ଭାରି ।

 

୨୨। ଉଦଧି– ସାଗର । ଉତପ୍ଳୁତ– ଓତପ୍ରୋତ, ସର୍ବତ୍ର ବ୍ୟାପୀ। ସେ ପ୍ରସଙ୍ଗ – ଶ୍ରୀକୃଷ୍ଣଙ୍କ ପ୍ରସଙ୍ଗ ।

୨୩ । ଉତ୍ସର୍ଗ ହେଲା- ଛଡ଼ାହେଲା । ଆଶ– ଆଶା । ହୁତ – ଅଗ୍ନି ।

 

୨୪। ଉହାଡ଼ରେ – ଅନ୍ତରାଳରେ । ଲିହିତ- ନିହିତ । ଉପଯୋଗ– ଆବଶ୍ୟକ ।

୨୫। ଉପାଧି- ଦେହର ମମତା। ସୁମତି – ରାଧା। ଉପଜୀବୀ - ଆଶ୍ରିତ । ଗଜପତି – ଗଜଗମନା ଶ୍ରୀରଧା। ଗତି - ସୁଖ ।

 

୨୬। ଇସି- ଇସି ଶବ୍ଦ । ଖରେ - ପ୍ରବଳବେଗରେ । ଉପବନ ଉଦ୍ୟାନ । ଅଧୀରେ – ଅଧୀରତା ହେତୁ । ଧୀରେ – ବୁଦ୍ଧିରେ

୨୭। ଉକୁଟନ୍ତେ – ବାଜି ଉଠନ୍ତେ । ରୁଚିତ – ରୁଚି ।

 

୨୮। ଉଛୁରରେ – ବିଳମ୍ବରେ । ନିତି – ନିତ୍ୟକାର୍ଯ୍ୟ । ନିତି – ପ୍ରତିଦିନ । ଉଷ୍ମ– ଉତ୍ତପ୍ତ । ଶଶିକର – ଚନ୍ଦ୍ର । ଅରାତି – ଶତ୍ରୁ

୨୯। ଉଦନ୍ତ – ବାର୍ତ୍ତା । କୃପକୃପ– କୃପାକର । ଉଦେଷଣା- ପ୍ରବଳ ଇଚ୍ଛା । ପ୍ରତାପ ତାପ– ବିରହିତାପର ପ୍ରଭାବ ।

 

୩୦। ଆଚ୍ଛନ୍ନରେ ନରେ– ଲୋକମାନଙ୍କୁ ଲୁଚାଇବାରେ ।

୩୧। ଉତ୍ପଳାକ୍ଷୀ- ନୀଳପଦ୍ମ ନେତ୍ରା । ଅସମ୍ଭାର – ଅସମ୍ଭାଳ । ଉଦ୍ଧତରେ – ଅତ୍ୟଧିକ ଦୁଃଖରେ । ଧରଧର – ଶ୍ରୀକୃଷ୍ଣ, ଧାରଣ କର, ଧାରଣ କର ।

 

୩୨। ଉପ୍ରୋଧରୁ – ପ୍ରୀତିର ମର୍ଯ୍ୟାଦା ଦୃଷ୍ଟିରୁ । ସହି– ସହ୍ୟକରି ।

୩୩। ଉତ୍‌ପାତ– ଅମଙ୍ଗଳ, ବିବାଦ । ଉତ୍କଟ - ବିଷମ । ନୁହ ରହ ରହ– ବାରଣ କରନାହିଁ ।

 

୩୪। ଉଜ୍ଜ୍ୱଳାଙ୍ଗର– ଶୋଭାଯୁକ୍ତ ଅଙ୍ଗର । ହରି– କାନ୍ତି, ଶୋଭା । ହରିନେଲା – ହରଣ କରିନେଲା । ଉଦାରତା– ଉଦାସୀନତା।

୩୫। ଉରଗରୁଁ – ସାପଠାରୁ । ଗରୁ– ପ୍ରଖର । ଉଜ୍ଜ୍ୱଳରେ – ଶୃଙ୍ଗାର ରସରେ । ନଭାଷ – ନକୁହ । ଭାଷ– କୁହ ।

 

୩୬। ଉପୁରି - ବାହାର ଲୋକ । କି ଗୁଣି ଗୁଣି – କି କଥା ଭାବି ।

୩୭। ଉପପତି – ଜାରପୁରୁଷ । ମତ୍ତ– ପାଗଳ । ଉଦ୍ଦୀପନ– କାମ ଭାବର ଉତ୍ତେଜନା। ବଧିତ– କୁଣ୍ଠିତ । ଧୀତ– ବୁଦ୍ଧିତ ।

 

୩୮। ଉପତାପେ– ବିରହ ତାପରେ । ଭୁରେ – ଭୂମଣ୍ଡଳରେ ।

୩୯। ଭକ୍ତି – ଉତ୍ତର । ଗିର – କଥା। ଉପକ୍ରୋଶେ– ନିନ୍ଦିତ କାର୍ଯ୍ୟଯୋଗୁଁ । ସୁହାସୀ- ମଧୁରହାସିନୀ ଶ୍ରୀରଧା ।

 

୪୦। ଉଭୟଥା- ଦୁଇ ପକ୍ଷରେ । ଆଳୀଆଳି– ସଖୀ ସମୂହ । ଉପଲକ୍ଷ – ଅନୁମାନ ।

୪୧। ଉପଇନ୍ଦ୍ର ପଦ – ଶ୍ରୀକୃଷ୍ଣଙ୍କର ପାଦ ଏବଂ କବି ଉପେନ୍ଦ୍ର ଭଞ୍ଜଙ୍କର ପଦାବଳୀ। ଉପେକ୍ଷା – ତ୍ୟାଜ୍ୟ, ତ୍ୟାଗର ବିଷୟ ।

 

୪୨। ଉତବାସନା – ଉତ୍କଟ ମନ । ସାଗର – ସଂସାରରୂପକ ସାଗର । ଗର - ବିଷ । ଧରଧର – ଗୋବର୍ଦ୍ଧନଧାରୀ ଶ୍ରୀକୃଷ୍ଣ ।

 

ନବମ ଛାନ୍ଦ

 

୧। ଚିନ୍ତା ସିନ୍ଧୁକୁ – ଶ୍ରୀରାଧାଙ୍କର ଚିନ୍ତାରୂପକ ସାଗରକୁ । ପୂର୍ଣ୍ଣମାସୀ– ପୂର୍ଣ୍ଣିମା ।

୨। ବିଚିତ୍ର– ବିଲକ୍ଷଣ । ଶ୍ରବଣେ– ଶୁଣିବାରେ । ଶ୍ରବଣେ– କର୍ଣ୍ଣ । କବିଙ୍କର ଏହି ରଚନା ଉପରେ ରୂପଗୋସ୍ଵାମୀକୃତ ବିଦଗ୍‌ଧ ମାଧବ ପ୍ରଥମ ଅଙ୍କ ତ୍ରୟତ୍ରିଂଶ ଶ୍ଳୋକ ପଞ୍ଚବିଂଶ ପଦର ପ୍ରଭାବ ସୁସ୍ପଷ୍ଟ ।

 

୩ । ଶେଷାନନ– ଅନନ୍ତ, ସହସ୍ର ମୁଖ । ଖରେ ଶୀଘ୍ର । ମାନସ – ମନ । ଜ୍ଞାନେନ୍ଦ୍ରିୟ –

ଚକ୍ଷୁ, କର୍ଣ୍ଣ, ନାସିକା, ଜିହ୍ଵା ଓ ଚର୍ମ । ଗୁମାନ – ଟାଣପଣ ।

 

୪ । କାମାନ୍ଧିନୀ– କନ୍ଦର୍ପର ପୀଡ଼ାରେ ଅନ୍ଧ ହୋଇଥିବା କାମିନୀ । କନୀନିକା – ଆଖି ପିତୁଳା । ପ୍ରୀତିନାରୀ– ପ୍ରୀତିରୁପକ ନାରୀ। ଶ୍ରୁତି – କର୍ଣ୍ଣ । ତାଟଙ୍କ– ତଡ଼କା, କର୍ଣ୍ଣାଳଙ୍କାର । ଭୁକ୍ତି– ଭୋଗ । ମୁକ୍ତି– ମୋକ୍ଷ । ଶ୍ରୁତି– ବେଦ ।

 

୫।      ଜୀବ- ଜୀବାତ୍ମା, ଅଣୁଚୈତନ୍ୟ । ପରମ- ପରମାତ୍ମା ପରଂବ୍ରହ୍ମ, ବିଶ୍ୱଚୈତନ୍ୟ। ସର୍ବଲୋକ– ସମଗ୍ର ଜଗତ । କାମିତମ– କାମୀମାନଙ୍କର ଅଜ୍ଞାନରୁପକ ଅନ୍ଧକାର । ଚନ୍ଦ୍ରାର୍କ – ଚନ୍ଦ୍ରସୂର୍ଯ୍ୟ । ଆନନ୍ଦ ଆହାଲାଦ ମୂରତି – ଆନନ୍ଦ ଏବଂ ଆହ୍ମାଦ ଉଭୟର ରୂପ । ଆହାଲାଦ– ପ୍ରୀତିପୂର୍ଣ୍ଣ ଆନନ୍ଦ । ରତି- ପ୍ରୀତି, ଅନୁରାଗ ।

 

୬ । ଉପମା- ତୁଳନା । କାହା- କାହା ସହିତ । ପରଶଂସା – ପ୍ରଶଂସା । ତୁଳା- ତୁଳନା । ବିଧି– ବ୍ରହ୍ମା । ପତିବରତ- ପତିବ୍ରତାପଣ ମାନସ ଆରତି- ମନର ଦୁଃଖ । ଅନୁବରତ – ଅନୁବ୍ରତ, ସର୍ବଦା।

 

୭। ବଡ଼ଶୀ- ବନିଶୀ । ମନ-ମତ୍ସ୍ୟ– ମନରୂପକ ମାଛ । ମତ୍ସ୍ୟର – ଗର୍ବ । ସହୀବାର- ସଖୀ ସମୂହ । ବଳାତ୍କାରେ– ବାଧ୍ୟହୋଇ, ବାଧ୍ୟରେ । ସହିବାର – ସହ୍ୟ କରିବାର ।

 

୮ । ସୁମରଣ- ସ୍ମରଣ । ବିହି- ବିଧାତା । ସୁମରଣ– ଉତ୍ତମ ମୃତ୍ୟୁ । ନିବାରଣ ନିଷେଧ। ତାରଣ– ରକ୍ଷା ।

୯। ନାରଙ୍ଗ – ନାରଙ୍ଗ ଫଳ । ଶ୍ଵେତ – ଧଳା । ନା- ନାମ । ନାମୀ ନାମଧାରୀ । ଶଙ୍କାଜନିତ – ସନ୍ଦେହ ଜାତ ହେଉଅଛି ।

 

୧୦ । ମାନସ– ମନ । ରତ – ଆସକ୍ତ । ସୁଧାସାର – ଅମୃତର ଭଣ୍ଡାର । ଆଭାସଇ – ପ୍ରକାଶ ପାଉଛି । ସଂଶୟତାରୁ-ସନ୍ଦେହରୁ । ନ ଭାଷଇ– କହିପାରୁ ନାହିଁ ।

 

୧୧। ଭାଷନ୍ତି- ପ୍ରକାଶ କରନ୍ତି । କଳାନିଧି– କାମକଳାର ଆକର । କଳାନିଧି– ଚନ୍ଦ୍ର । ନାମ ନାମୀ– ନାମ ଓ ନାମଧାରୀ ବ୍ୟକ୍ତି । ଅଧ୍ୟାହାରୁ– ଅନୁମାନରୁ, କାରଣରୁ । ନିର୍ବେଦ – ଉଦାସୀନ ।

 

୧୨ । ମର୍ମ ଦାରଣ– ହୃଦୟକୁ ବିଦାରଣ କରୁଅଛି । କାମଜନକ– କନ୍ଦର୍ପର ପିତା, ବିଷ୍ଣୁ । ପରାପତ– ପ୍ରାପ୍ତ, ମିଳିଲା ।

୧୩ । ଯୋଗିନୀ ଆଚରଣ– ସନ୍ନ୍ୟାସୀର ଆଚରଣ । ଧରତୀ – ଧରିତ୍ରୀ । ଆରତି- ଆର୍ତ୍ତି।

 

୧୪। ଧ୍ରୁବ– ନିଶ୍ଚୟ । ଲୋକରେ – ସଂସାରରେ । ଅପକୀରତି – ଅପକୀର୍ତ୍ତି, ନିନ୍ଦା । ଭରୁ – ପରିଯାଉ । ଧ୍ରୁବଲୋକରେ – ସମଗ୍ର ଜଗତରେ । ମତ୍ତବାରଣ ପାଗଳ ହାତୀ। ବାରଣ- ନିଷେଧ ।

 

୧୫। ଶ୍ରବଣରେ- କର୍ଣ୍ଣରେ । ରସନା – ଜିହ୍ୱା । ଆନେ– ଅନ୍ୟଠାରେ । ରସନା – ଆସକ୍ତ ହୁଅନା । ଶ୍ରୁତି– କର୍ଣ୍ଣ । ନଗଣିଲା– ମାନିଲା ନାହିଁ। ଶ୍ରୁତି – ବେଦ ।

 

୧୬। ମନାକାର-ମନର ଅଧିକାର । ଧିକ୍‌କାର – ତିରସ୍କାର । କୃଷ୍ଣ ପଦାର୍ଥ – କୃଷ୍ଣ ଶବ୍ଦର ଅର୍ଥ ।

୧୭। ନି-ଦରେ – ନିର୍ଭୟରେ । ନିଦରେ – ନିଦ୍ରାରେ । ତହିଁ ବାହାରେ- ତାହା ବ୍ୟତୀତ । ଯାହି- ଯାହାକିଛି । ବାହାରେ – ପ୍ରକାଶ ପାଏ ।

 

୧୮। ନିଧି– ଧନ । ବିଧିରେ – ପ୍ରକାରରେ । ବିଧୀରେ – ବିଶେଷ ଧୀର ଭାବରେ । ଖ୍ୟାତ – ପ୍ରକାଶିତ, ପ୍ରଚାରିତ । ମନ୍ଦାକ୍ଷ- ଲଜ୍ଜା । ମନ୍ଦାକ୍ଷ– ମନ୍ଦଚକ୍ଷୁ ।

 

୧୯। ପତିବରତ ଋଣୀ- ପତିବ୍ରତାପଣର ଧାରୁଆ । ବର ତରୁଣୀ-ଶ୍ରେଷ୍ଠ ତରୁଣୀ। ଧିଆନ– ଧ୍ୟାନ, ଭାବନା । ଧୀ-ଆନ- ବୁଦ୍ଧି ଅନ୍ୟ ପ୍ରକାର ହେଲା ।

 

୨୦ । ମୃଗତୃଷ୍ଣା- ମରୀଚିକା । ନୀର – ଜଳ । ଆଶ– ଆଶା, ବାଞ୍ଛା। ନିରତ – ସର୍ବଦା ।

୨୧। ସୁରମଣୀ – ଉତ୍ତମନାରୀ ଶ୍ରୀରାଧା । ଚିନ୍ତାମଣି ଶ୍ରୀକୃଷ୍ଣ । ଋଷିଭାରତୀ– ମୁନିବାକ୍ୟ, ଦୁର୍ବାସା ମୁନିଙ୍କ କଥା। ଭାରତୀ- ସରସ୍ୱତୀ ।

 

୨୨। ସେ କି– ସେ କି ଆଶ୍ଚର୍ଯ୍ୟ ପୁରୁଷ । ଆନ– ଅନ୍ୟ । ସୁଧା– ଅମୃତ । ପ୍ର-ତାପ– ଅତ୍ୟଧିକ। କାମପୀଡ଼ା ଓ ଦେହର ଉତ୍ତାପ । ବିଚିତ୍ରକର୍ମା – ଅଭୁତ କର୍ମ ସମ୍ପାଦନକାରୀ । ପ୍ରତାପ ପ୍ରଭାବ ।

 

୨୩। ସାଗର- ସମୁଦ୍ର । କରରେ – ହାତରେ । ଅଗସ୍ତି ଋଷି ସାତସମୁଦ୍ରକୁ ଚଳୁ କରିବା ସମୟରେ ତାଙ୍କ ହାତରେ ସାତସମୁଦ୍ର ରହି ଯାଇଥିଲା । ପଦକେ– ଏକ ପାଦରେ। ନଭ– ଆକାଶ । ବାମନ ଅବତାରରେ ଗୋଟିଏ ପାଦରେ ଭଗବାନ ଆକାଶକୁ ଆଚ୍ଛାଦିତ କରିଥିଲେ ।

 

୨୪। ସଖୀର – ଶ୍ରୀରାଧାଙ୍କର । ବାଞ୍ଛା– କାମନା । ନିରାଧାର – ଶ୍ରୀକୃଷ୍ଣ । ସୁମତି- ଶ୍ରୀରାଧା | ଉପାୟରେ – ଉପାୟ ବାହାର କରିବା ପାଇଁ, ଚେଷ୍ଟାରେ । ମତି– ମନ।

 

୨୫। ନବାନୁରାଗ– ନାୟକଠାରେ ପୂର୍ବରାଗରେ ଅନୁରକ୍ତି ଜାତହେବା ବିଷୟ । ତୋଷ ନୋହେ – ସନ୍ତୁଷ୍ଟ ନୁହେଁ । ସୁଖ ଲହରୀ- ସୁଖର ତରଙ୍ଗ ।

 

 

ଦଶମ ଛାନ୍ଦ

 

୧ । ଧୀରେ – ପଣ୍ଡିତମାନେ । ଧୀରେ – ବୁଦ୍ଧିରେ । ବିରସ– ଦୁଃଖିତ ।

୨ । ବରଜଯାକରେ – ସାରା ବ୍ରଜପୁରରେ, ଗୋପପୁରରେ । ବର ବରନା – ସୁନ୍ଦରୀ ଶ୍ରେଷ୍ଠା ଶ୍ରୀରାଧା କଷଣ – କଷ୍ଟ, ଦୁଃଖ ।

 

୩ । ନାନ୍ଦୀମୁଖୀ- ରାଧାକୃଷ୍ଣ ଗଣୋଦ୍ଦେଶ ଦୀପିକାରେ ନାନ୍ଦୀମୁଖୀଙ୍କ ବିଷୟରେ ବର୍ଣ୍ଣିତ ଯେ, ସେ ଗୌରବର୍ଣ୍ଣ ବିଶିଷ୍ଟା, ପଟ୍ଟବସ୍ତ୍ର ପରିହିତା, ସାନ୍ଦୀପନି ତାଙ୍କର ପିତା, ସୁମୁଖୀ ତାଙ୍କର ମାତା, ମଧୁମଙ୍ଗଳ ତାଙ୍କର ଭ୍ରାତା, ପୌର୍ଣ୍ଣମାସୀ ତାଙ୍କର ପିତାମହୀ । ସେ ବହୁବିଧ ରତ୍ନମଣ୍ଡିତା, କୈଶୋର ଅବସ୍ଥା, ବହୁବିଧ ସନ୍ଧାନରେ କୁଶଳା, ବହୁବିଧ ଶିଳ୍ପ ବିଧାୟିନୀ, ଦୁଇଟି ଆତ୍ମାର ମିଳନରେ ନିପୁଣା ଓ ସର୍ବଦା ପ୍ରେମଯୁକ୍ତା । ଦୀନେ– ଦୀନ ଭାବରେ, ବିନୀତ ଭାବରେ ।

 

୪ । ସଜନୀକି– ଶ୍ରୀରାଧାଙ୍କୁ । ବ୍ୟାଧି– ରୋଗ । ସଜ– ପ୍ରସାଧନ । ଆଦର କଲେନି ହେଲା – ଅନାଦର ପ୍ରକାଶ କଲେଣି।

୫ । ପୂର୍ଣ୍ଣମାସୀ ପୌର୍ଣ୍ଣମାସୀ । ପୂର୍ଣ୍ଣ ଚିନ୍ତାରେ – କେବଳ ଚିନ୍ତାରେ , ପୂର୍ଣ୍ଣ ମାତ୍ରାରେ ଚିନ୍ତାରେ ।

 

୬ । ସେ ନାମ – କୃଷ୍ଣନାମ । ଶ୍ରବଣ- କର୍ଣ୍ଣ । ଜବାଧରୀ– ଜବାଫୁଲ ପରି ଅଧର ଯାହାର, ଶ୍ରୀରଧା

୭। ଆନ– ଅନ୍ୟ । ଆନନୁଁ – ମୁଖରୁ । ହାର– ମାଳା ।

 

୮ । ବରସାଧ୍ୱୀ - ଶ୍ରେଷ୍ଠସତୀ । ସୁଜାଣ – ସୁବିଜ୍ଞା । ବରାଙ୍ଗୀ – ସୁନ୍ଦରୀ ଶ୍ରୀରଧା।

୯। ହଂସୀଗତି – ମରାଳଗମନା ଶ୍ରୀରାଧା । ବ୍ୟାଧି - ରୋଗ । ଯିବ – ଉପଶମ ହେବ । ପାଚନେ – ଔଷଧରେ, ଆୟୁର୍ବେଦ ବିଧାନାନୁସାରେ ପ୍ରସ୍ତୁତ ଔଷଧ ।

 

୧୦। ନାଗର – ଶୁଣ୍ଠି, ବିଳାସୀ ଶ୍ରୀକୃଷ୍ଣ । କୃଷ୍ଣ - ମରିଚ, ଶ୍ରୀକୃଷ୍ଣ । ନାଗକେଶର – ନାଗେଶ୍ଵର, ନାଗମାନଙ୍କର ଯମ ଯେ ଗରୁଡ ଓ ତାଙ୍କର ଈଶ ଅର୍ଥାତ୍ ଶ୍ରୀକୃଷ୍ଣ । ସୁର ସେ – ଉତ୍ତମ ରସରେ, ସମ୍ଭୋଗରେ ।

 

୧୧ । ରୁଚି – ଟିଭା ବା ଲୁଣ, ଅନୁରାଗ । ପଦ୍ମିନୀମୁଳ – ପଦ୍ମମୁଳ, ପଦ୍ମିନୀଜାତୀୟ ନାୟିକା ଶ୍ରୀରାଧାଙ୍କର ନିଶ୍ଚିତ ଅନୁରାଗ । ରୁଚିର ପରିପାକ– ଉତ୍ତମ ରୂପେ ସିଦ୍ଧକରି, ଶୋଭାର ପରିଣତ ଅବସ୍ଥାରେ ଅର୍ଥାତ୍ ସୁସଜ୍ଜିତ ଅବସ୍ଥାରେ ।

 

୧୨।      ସୂଚିକା ରସ - କେତକୀରସ, ଦୁତୀକା ଦ୍ୱାରା ରସସଂଯୋଗ । ବଟି – ବଟିକା, ନିଶ୍ଚୟାର୍ଥ । ଶୁଚି - ଶୁଦ୍ଧ, ଶୃଙ୍ଗାର ରସ । ପିଉ - ପାନକରୁ, ଭୋଗକରୁ ।

୧୩। ତାପ – ଉତ୍ତାପ । ସହୀନିକର – ସଖୀ ସମୁହ ।

 

୧୪। ବିଶାରଦ – ଦକ୍ଷ । ବୈଦ୍ୟ – ଚିକିତ୍ସକ ।

୧୫। ପଦାର୍ଥେ – ଏକ ପଦାର୍ଥ । ତା - ଶ୍ରୀରାଧାଙ୍କର । ରୋଚନେ – ରୁଚି ପାଇଁ ।

 

୧୬। ପୁରକୁ - ଘରକୁ । କୃଷ୍ଣପଟ – ଶ୍ରୀକୃଷ୍ଣଙ୍କର ଚିତ୍ରପଟ । ପୁରତେ – ସମ୍ମୁଖରେ । ମେଲାନ୍ତେ – ମେଲାଇ ଦେବାରୁ । ଆଣି ଟେକ, ବଡ଼ପଣ ।

୧୭। ବିଧାନ - ନିର୍ମାଣ ! ବିଶାଖିକା – ବିଶାଖା । ବିଧାତାକୃତ୍ୟ - ବିଧାତାକୃତ, ବିଧାତାକାର୍ଯ୍ୟ । ନ ଆଭାସେ – ଜଣାଯାଉନାହିଁ ।

 

୧୮। ପଟ ମୂର୍ତ୍ତି – ଚିତ୍ରପଟରେ ଅଙ୍କିତ ମୂର୍ତ୍ତି । କପଟ – ଛଳ । ସତତ – ସବୁବେଳେ। ଲମ୍ପଟ – ଆସକ୍ତ ।

୧୯। ଗୀର – ବଚନ । ଧୀରେ – ବୁଦ୍ଧିରେ । କାନ୍ତ – ପତି । ତୋ ସଙ୍ଗୀର – ଶ୍ରୀରାଧାଙ୍କର ।

 

୨୦। ତାତ – ପିତା, ନାନ୍ଦାମୁଖୀଙ୍କର ପିତା ସାନ୍ଦୀପନି । ଦତ୍ତ କଲାଦିନୁ – ଚିତ୍ର ପଟ ଦେବା ଦିନରୁ । ତଳିପା – ପାଦତଳ ।

୨୧। ପରମେଷ୍ଠୀ – ବ୍ରହ୍ମା । ପରମ ପଟକୁ – ଉତ୍କୃଷ୍ଟ ଚିତ୍ରପଟକୁ । ଲେଖିଥିବ – ଅଙ୍କନ କରିଥିବ । ସେବା – ସେ ଅବା ।

୨୨। ପରସନ୍ନେ – ପ୍ରସନ୍ନ ହୋଇ । ପରଚେ – ପରିଚିତ ।

 

୨୩। ଭାସିଲ। ଜନଙ୍କୁ – ପାଣିରେ ଭାସୁଥିବା ଲୋକକୁ ।

୨୪। ଆନନ – ମୁଖ । ପିକଭାଷୀ – କୋକିଳକଣ୍ଠୀ, ବିଶାଖା ।

 

୨୫।       ପୂରେ – ପୂର୍ଣ୍ଣହେଲା । ହା ରାବେ – ହାହାକାର ଧ୍ୱନିରେ । ପୁରୀ - ଗୃହ । ଉଦ୍‌ବେଗେ – ଆକୁଳତାରେ ।

୨୬ । ସତରଳନେତ୍ରା - ଚଞ୍ଚଳାନୟନା। ମୁଖ କଳାକରୁଁ – ମୁଖ ଚନ୍ଦ୍ରରୁ । ଗୋପ୍ୟ କରୁଁ କରୁଁ - ଲୁଚାଇରଖିଲେ ସୁଦ୍ଧା

 

୨୭ । ଉପଚାର – ବିରହ ଯନ୍ତ୍ରଣାରୁ ମୁକ୍ତିର ଉପାୟ, ଶୀତଳତା ପ୍ରୟୋଗ ।

୨୮ । ସଜ ସରୋଜ ବଦନ– ସଜ ଫୁଟା ପଦ୍ମପରି ମୁଖ । ସଜନୀ – ଶ୍ରୀରାଧା। ଅନୁବରତେ – ସବୁବେଳେ । ଅଜ୍ଞାନ – ଜ୍ଞ।ନଶୂନ୍ୟ, ସଂଜ୍ଞାହୀନ ।

 

୨୯। ବ୍ୟାଧିଛଳେ – ରୋଗ ଛଳନାରେ, ରେ।ଗ ଆଳରେ । ଜଟିଲେ – ଭଣ୍ଡିଦେଲେ । ସ୍ନେହବତ୍ସଳେ – ସ୍ନେହ ଓ ଶ୍ରଦ୍ଧାରେ ।

୩୦ । କହଇ – କହିଲା ହୀନକଥା – ନୀଚ କଥା

 

୩୧ ।      କୁଳଟା - ଅସତୀ। ଦୁଷଣ - ଦୋଷ । ଅଭୂଷଣ– ଅସୁନ୍ଦର ।

୩୨। ଜାତ ରାଧାବାକ୍ୟ – ରାଧାଙ୍କର ବାକ୍ୟ ପ୍ରକାଶ ପାଇଲା, ରାଧା କହିଲେ। ଜାତବେଦବତ – ଅଗ୍ନି ପରି ।

 

୩୩ । ବାସବମୋହୀ – ଇନ୍ଦ୍ରଙ୍କୁ ମୋହିତ କରିଥିବା ଶ୍ରୀରାଧା । ଭାରତୀ – କଥା । ବାସରୁ – ଲୁଗାରୁ । ସେ ମୂରତି – ସେହି ଚିତ୍ରପଟରେ ଅଙ୍କିତ ମୂର୍ତ୍ତି ।

 

୩୪ । ସ୍ତମ୍ଭୀଭୂତ – ଜଡ଼ । ଅନାୟତେ – ନିଜ ଆୟରେ ନରହି । ଅଦଭୁତ – ଆଶ୍ଚର୍ଯ୍ୟ ।

 

୩୫ । ମାନସ - ମନ । ଆକରଶି- ଆକର୍ଷଣ କରି, ଟାଣି । ଏଥି – ଏହାଙ୍କଠାରେ । ରସି - ମଜ୍ଜି, ଅନୁଗତ ହୋଇ ।

୩୬। ଅଛିଦ୍ର – ସଂପୂର୍ଣ୍ଣ ।

 

୩୭ । ଅନୁରୁପ – ସମାନ । ବ୍ରହ୍ମାଣ୍ଡ ବାହାର – ସଂସାର ବାହାର, ଅଲୌକିକ । ପ୍ରତେ – ପ୍ରତୀତ, ବୋଧ।

୩୮ । ସର୍ବକଳାବନ୍ତ – କାମକଳାଯୁକ୍ତ । ପୁରୁଷୋତ୍ତମ – ପୁରୁଷ ଶ୍ରେଷ୍ଠ । ସର୍ବପର – ଶିବଙ୍କର ଶତ୍ରୁ, କନ୍ଦର୍ପ । ତମ – ଗର୍ବ।

 

୩୯ । ଅବ – ଅବଶ୍ୟ । ବିହି – ବିଧାତା। ଅବଧ – ଅବାଧ୍ୟ । ଲିହି - ଲେଖି । ବିହି - ବିଧାନ କରି ଅଛି ।

୪୦ । ଅତିଚିତ୍ର – ଆଶ୍ଚର୍ଯ୍ୟ । କର – ହାତ । ଥୟେ – ସ୍ଥିର । ଲେଖିଲା – ଅଙ୍କନ କଲା ।

 

୪୧ । କାମନା କରୁଛି – ବିଚାରୁଛି । ଶକ୍ୟ – ସମର୍ଥ । ରଚିତେ – ରଚନା କରିବାକୁ, ଅଙ୍କନ କରିବାକୁ ।

୪୨ । ଅବଶ – ମୋହିତ । ତାର - କାନ୍ତି । ପୁରୁଷାର୍ଥ – ପୌରୁଷ ।

 

୪୩ । ଘନରସ – ଶୃଙ୍ଗାର ରସ । ଘନ ଚୟ ରୂପ - ମେଘମାଳାର ସ୍ୱରୂପ । ଖ୍ୟାତ - ପ୍ରକାଶିତ ।

୪୪ । ମଦନାର୍ବୁଦେ – ଅର୍ବୁଦ ସଂଖ୍ୟକ ମଦନ । ଲକ୍ଷକୁ – ତୁଳନାକୁ । ସମ – ସମାନ । ମଦ – ଗର୍ବ। ସୁଷମ – ସୌନ୍ଦର୍ଯ୍ୟ।

 

୪୫ । ଭଙ୍ଗିମାରୂପ – ଭଙ୍ଗୀଯୁକ୍ତ ସୌନ୍ଦର୍ଯ୍ୟ । କିଞ୍ଚିତ - ଅଳ୍ପକ୍ଷଣ, ସାମାନ୍ୟ ମାତ୍ର ।

୪୬। ସେ ସ୍ଵରୂପ- ତାଙ୍କର ଶରୀର । ମିଶାଅ– ମିଳନ କର।ଅ । ତନୁ ଥରେ – ଶରୀର । କମ୍ପୁଛି ।

 

୪୭। କରୁଁକୋଳ– କୋଳରେ ରଖିବାରେ । ସୁହାସୀ- ହାସ୍ୟମୟୀ ଶ୍ରୀରାଧା ।

୪୮ । ବାରବାର – ବହୁଥର । ଉର– ବକ୍ଷ । ବାରବୟା– ବାରବର୍ଷ ବୟସ୍କା, ଶ୍ରୀରାଧା । ତାପ- ମଦନ ସନ୍ତାପ । ତତପର – ତାହାପରେ।

 

୪୯ । ଆପଯୁକ୍ତ- ଜଳଯୁକ୍ତ, ଲୋତକପୂର୍ଣ୍ଣ । ଆପଣା ମୂରତି– ଆପଣ ମୂର୍ତ୍ତି, ଶ୍ରୀରଧାଙ୍କର ନିଜର ମୂର୍ତ୍ତି । ପାଦତଳେ – ଶ୍ରୀକୃଷ୍ଣଙ୍କ ପାଦତଳେ ।

 

୫୦ । ଭାଳେ– ଚିନ୍ତାକରେ । ପୁଣ୍ୟବର – ଉତ୍କୃଷ୍ଟ ସୁକୃତ । ଭାଲେ ଲିହିଥିବ– କପାଳରେ ଲେଖିଥିବ । ବେଦବର– ବିଧାତା, ବ୍ରହ୍ମା ।

 

୫୧।ଆରତି – ଦୁଃଖିତ । ସଜଡ଼ାଇ – ତିଆରି କରି ।

୫୨। କଳ୍ପକେ– ଯୁଗ ଯୁଗ ଧରି । କଳ୍ପେ – ବିଚାର କରେ । କଳ୍ପନା କରି– ଭାବନା କରି । ସରଜିବ– ଗଢ଼ିବ।

 

୫୩ । ଦୃଷ୍ଟି ଶ୍ରୁତିଗମ୍ୟ– ଦେଖାଶୁଣା । ଦୃଷ୍ଟି – ଦେଖୁପାରିବେ । ଶ୍ରୁତିବିଦେ - ବେଦଜ୍ଞ ।

୫୪ । ସରଜନା ସର୍ଜନା, ସୃଷ୍ଟି । ସରସେ – ସରସତାରେ । ମଜ୍ଜାଏ – ମୋହିତ କରେ ।

 

୫୫ । କାନ୍ତ- ପତି । କିଙ୍କରୀ– ଦାସୀ । କାନ୍ତବଦନା- ସୁନ୍ଦରମୁଖୀ ଶ୍ରୀରଧା ।

୫୬ ଅପ୍ରାପ୍ତ ହେଲେ- ନମିଳିଲେ । ଅପ୍ରାରବ୍‌ଧ କର୍ମ- ଯେଉଁ କର୍ମ ବା ପାପ ଅଦୃଷ୍ଟ ଭାବରେ ଆତ୍ମାରେ ଥାଏ ଏବଂ ଯାହାର ଭୋଗକାଳ। ଆସିନାହିଁ । ଭୁଞ୍ଜିବ– ଭୋଗ କରିବ ।

 

୫୭ । ସୁମତି – ଉତ୍ତମ ମତି । ପାଞ୍ଚି– ପାଞ୍ଚ କରି, ଭାବି । ବିମନରେ – ଦୁଃଖରେ। ଉଚ୍ଛନ୍ନରେ ବିହ୍ୱଳତାରେ, ବିହ୍ୱଳ ହୋଇ ।

୫୮ । ଅଭିନବ ବୟା– ନବୀନ ବୟସୀ ଶ୍ରୀରାଧା ।

 

୫୯ । ସରେ – ଶେଷ ହେଲା । ଚିତ୍ର- ବର୍ଣ୍ଣିତ ।

 

 

ଏକାଦଶ ଛାନ୍ଦ

 

୧। ରସବିଦୁଷେ-ରସିକମାନେ । ରସ-ଆଗ୍ରହର ସହିତ ଗ୍ରହଣ କର । ରସଳତା-ରସର ଲତା ସଦୃଶ,ଶ୍ରୀରାଧା । ରସଧର ଅଙ୍ଗଚିତ୍ର- ଜଳଧର ବା ମେଘପରି ଶ୍ୟାମଳବର୍ଣ୍ଣ ବିଶିଷ୍ଟ ଶ୍ରୀକୃଷ୍ଟଙ୍କର ଚିତ୍ରପଟ । ଘନରସ-ମେଘର ଜଳ ଓ ଗାଢ ଶୃଙ୍ଗାର ରସ।

 

୨।ହରଷରେ-ଆନନ୍ଦରେ । ସୁରସେ-କ୍ରୀଡା ରସରେ । ବିହର-ବିହାର କର । ହରବଇରି-ଶିବଙ୍କର ଶତ୍ରୁ,କନ୍ଦର୍ପ । ହର-ହରଣ କର । କ୍ଷତ ହେଲା ପରି-ଶରବିଦ୍ଧ ହେବାପରି । ବ୍ୟାକୁଳ-ବ୍ୟାକୁଳତା ।

 

୩।ମାନ-ଅଭିମାନ । କଥାମାନ-ମୋ କଥାକୁ ଗ୍ରହଣ କର । ମାନସତାପ-ମନର ସନ୍ତାପ । ଲୋପକୁ-ଦୂର କରିବାକୁ । ଅମୃତ ସମାନ-ଅମୃତ ପରି ଓ ଜଳପରି ।

 

୪।ବିମନା-ଦୁଃଖିତା । କାମନା-ତୁମ ଇଚ୍ଛା । ଭୃଙ୍ଗ-ଭ୍ରମର । ସୁମନା-ଫୁଲ ।

୫।ନୀଶାର-ରେଜେଇ ପରି । ସାରଙ୍ଗ-ଚାତକ । ଅସାର-ମେଘ । ସାରସ ଲପନ-ପଦ୍ମମୁଖ । ତାପହରା-ସନ୍ତାପ ହରଣକାରୀ। ଘନସାର-କର୍ପୂର ଓ ଜଳ ।

 

୬। ଫୁଲଶର- କନ୍ଦର୍ପ । ପାଦସାରସ – ପାଦପଦ୍ମ । ବାନା- ପତାକା । ଅପଯଶ – ଅପକୀର୍ତ୍ତି, ନିନ୍ଦା।

୭। କଳାକର – ଚନ୍ଦ୍ର । କ– ମସ୍ତକ।

 

୮। ଭା- କାନ୍ତିପୂର୍ଣ୍ଣ । ସରୋଜ ମୁଖ– ପଦ୍ମମୁଖ । ସୁଧାଭାସ– ଅମୃତ ତୁଲ୍ୟ । ଭାଷ– କୁହ । ଭାସକର – ସୂର୍ଯ୍ୟ । ଆଭାସ – ସୂଚନା ଦିଅ ।

 

୯। ରସରାଜେ– କନ୍ଦର୍ପକୁ । ହରଷ- ଆନନ୍ଦ । ରସ – ଅନୁରକ୍ତ ହୁଅ । ପୀୟୁଷ ଭାଷ ବରଷ – ଅମୃତମୟ ବଚନ ପ୍ରକାଶ କର । ରସବାଞ୍ଛା– ରସଭୋଗ ଇଚ୍ଛା । ପ୍ରତିବିମ୍ବିବାକୁ- ପ୍ରତିଫଳିତ ହେବାକୁ । ଆଦରଶ- ଦର୍ପଣ ।

 

୧୦। ସରଜକ– ସର୍ଜନାକାରୀ। ସରଘର – ଗନ୍ତାଘର, ଭଣ୍ଡାର । ବର ହରଷର- ଶ୍ରେଷ୍ଠ ଆନନ୍ଦର । ସର ବିପରୀତ– ରସ । ମାନସର– ମନରେ ।

 

୧୧। ପରମ ସୁଷମା ସ୍ୱରୂପର – ଆପଣଙ୍କର ପରମ ସୁନ୍ଦର ସ୍ୱରୂପ । ପରଚେ – ପରିଚିତ । ବାମା ଗୋପର – ଗୋପନାରୀ। ପରତକ୍ଷେ– ପ୍ରତ୍ୟକ୍ଷରେ । ବିଚେଷ୍ଟା- ଭିନ୍ନ ଭିନ୍ନ ଅବସ୍ଥା । ରସ କୂପର– ରସର ଆଧାର ।

 

୧୨। ରଜନୀଶ– ଚନ୍ଦ୍ର । ନୀରଜ– ପଦ୍ମ । ରଞ୍ଜନ ମୁଖେ – ସୁନ୍ଦର ମୁଖରେ । ସରଜ ସୃଷ୍ଟିକର । ରଜସମ– ଅଣୁମାତ୍ରାରେ । କୃପାକଟାକ୍ଷ କୃପାଦୃଷ୍ଟି । ଯୋଗେ– ଦ୍ଵାରା । ଗୋପୀମଦନ ମୋର କନ୍ଦର୍ପ ପୀଡ଼ା । ତରଜ– ତଡ଼ିଦିଅ।

 

୧୩ । ପଦପଦକ – ପଦେ ପଦେ । ଭାଷା ଆସ୍ପଦ– ଭାଷାର ପାତ୍ର । ପଦ- କଥା ବା ପାଦ । ପରିହର ଦେବ– ପରିହାର କରିବ, ଦୂର କରିଦେବ । କାମଦେବ ଗୁପ୍ତପଦଘାତ କନ୍ଦର୍ପର ଗୁପ୍ତ ପଦପ୍ରହାର ।

 

୧୪। ସଜକରି – ପ୍ରସ୍ତୁତ କରି । ଶେଯ– ଶଯ୍ୟା। ସଜ ସୁମନେ– ସଜ ଫୁଲରେ । ଶ୍ରୀମୁଖ କୁଶଜ– ଶ୍ରୀମୁଖ ପଦ୍ମ ।

୧୫ । ବାରଧର ତନୁ- ମେଘବର୍ଣ୍ଣ ଶରୀର । ବାରବାର – ବାରମ୍ୱାର । ଅନିର୍ବାର – ବାରଣ କରି ହୁଏ ନାହିଁ । ବାରବୟା– ବାରବର୍ଷ ବୟସ୍କା ଶ୍ରୀରାଧା । ଆଶା- ଆଶାପୋଷଣ କରେ । ଚିତ୍ରେ- ଚିତ୍ରପଟକୁ ।

 

୧୬ । ତାରତାର– ରକ୍ଷାକର, ରକ୍ଷାକର । ବନିତାର – ଶ୍ରୀରାଧାଙ୍କର । ତାର– ଆଖିଡ଼ୋଳା । ତରଳ– ଚଞ୍ଚଳା । ତାରପତିମୁଖୀ- ଚନ୍ଦ୍ରମୁଖୀ ଶ୍ରୀରାଧା । ଆଶ ନ ନାଶ – ଆଶାକୁ ନଷ୍ଟ କରିଦିଅ ନାହିଁ ।

 

୧୭ । ସଂକଳ୍ପ – ନିଶ୍ଚୟ । ଶଙ୍କରୀ– ଦୁର୍ଗା । କରିଗତି- ଗଜଗମନା ଶ୍ରୀରାଧା । କି କରି– କଣ କରିବି । କରୀଷ କରି – ଘଷି ତାରିବା ଗୋପାଳୁଣୀ ।

 

୧୮ । ଚିତ୍ତଜାତ- କନ୍ଦର୍ପ । ବଶ – ଅଧୀନ ହେବାରୁ । ଚିତ୍ତ ମୋହନା – ମନମୋହିନୀ ଶ୍ରୀରାଧା । ଚିନ୍ତନ କରୁ - ଚିନ୍ତା କରିବାରୁ । ଚିତ୍ରଚେତା- ଚିତ୍ରପଟର ଜ୍ଞାନ । ଉଦୟ- ଜାତ । କିଞ୍ଚିତ-ଅଳ୍ପ ।

 

୧୯। ମରଷଣ– ପୀଡ଼ା । ମରକତ କେଶୀ- ନୀଳକେଶୀ ଶ୍ରୀରାଧା। ମରମ – ମର୍ମର ହୃଦୟର । ପରମ– ଉତ୍କୃଷ୍ଟ । ଲଜଧନ ପେଡ଼ା- ଲାଜରୁପକ ଧନର ପେଡି । ଫେଡ଼ାଇଲୁ – ଖୋଲାଇଲୁ ।

 

୨୦ । ସରଞ୍ଜନ ନୋହେ ମାନସର – ମନକୁ ରଞ୍ଜନ କରୁନାହିଁ, ଭଲ ଲାଗୁନାହିଁ । ଶରାସନ- ଧନୁ ।

୨୧। ମାର- କନ୍ଦର୍ପ । ମାର– ମାରିଦିଅ । ମାରଣା- ଘାତକ । ରାମାର – ନାରୀର ।

 

 

୨୨। ଦରକଣ୍ଠୀ– ଶଙ୍ଖପରି କଣ୍ଠ ଯାହାର , ଶ୍ରୀରାଧା । ଚେତନେ- ଚେତା ଆସିବାରୁ । ଦର – ଭୟ । ଦରପଣ ମୁହିଁ– ସ୍ଵଚ୍ଛମୁଖୀ ଶ୍ରୀରାଧା । ବିଟପୀରୀତି – ବ୍ୟଭିଚାରିଣୀ ରୀତି ।

୨୩ । ପନ୍ତିମୁଖା– ଚତୁର୍ମୁଖା ବିଧାତା ! ପତିତରୀତି- ପାପୀର ରୀତି । ଅନ୍ତେ – ମୃତ୍ୟୁପରେ ।

 

୨୪ । ଧୀରେ – ପଣ୍ଡିତମାନେ । ଅବେଦ୍ୟ– ବୁଝି ହେବ ନାହିଁ । କୁବୁଦ୍ଧିରେ – ମନ୍ଦ ବୁଦ୍ଧିରେ । ଧୀରେ – ଉତ୍ତମ ବୁଦ୍ଧିରେ । ତୁଳିବ– ତୁଳନା କରିବ । ନିଧିରେ– କୁବେରଙ୍କ ସମ୍ପତ୍ତି ସହିତ । ଧୀରେ– ସ୍ଥିର ଭାବରେ । ରସ ନିଧିରେ – ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କୁ।

 

Unknown

ଦ୍ଵାଦଶ ଛାନ୍ଦ

 

୧ । ଧୀରେ – ପଣ୍ଡିତମାନେ । ସଧୀରେ – ସୁସ୍ଥିର ଭାବରେ । ବିଧିରେ - ବିଧିପୂର୍ବକ । ମିତର ପୁରତରେ – ମିତ୍ର ଆଗରେ ।

୨।ନାଁ –ନାମ। ମାରଣାରେ-କନ୍ଦର୍ପର ଶରାଘାତରେ। ରାଜୀବମୁଖୀ –ପଦ୍ମମୁଖୀ ଶ୍ରୀରାଧା।

 

୩ । ଚିତ୍ତର ମୋହପାଶୀ- ମନକୁ ମୋହିଦେବା ପାଇଁ ଫାଶ ସଦୃଶ । ମତ୍ତଗଜଗତି – ମତ୍ତଗଜଗମନା, ଶ୍ରୀରାଧା । ସଙ୍ଗତି- ମିଳନ ।

୪। ମାଧବ– ଶ୍ରୀକୃଷ୍ଣଙ୍କର ମିତ୍ର । ବିବେକ ଧ୍ୱଂସିଲା – ବୁଦ୍ଧିବଣା ହୋଇଗଲା । କଦନ ଅକୂପାର – ଦୁଃଖର ସାଗର ।

 

୫। ସାହସ ଉଡ଼ିଲା- ସାହସ ଭାଙ୍ଗିଗଲା । ଚାହୁଁଚାହୁଁ – କ୍ଷଣକରେ । କାମ- କନ୍ଦର୍ପ ।

୬ । ସଙ୍ଗୀର– ମିତ୍ରର । ଗିର – କଥା । ସଦନ ଭଙ୍ଗୀ– ପରିହାସର ଘର ।

 

୭। ନୁହସି – ନହୁଅ । ଆରତି – ଦୁଃଖିତ । ଜରତୀ– ବୃଦ୍ଧାଦୂତୀ। ପେଷିବା– ପଠାଇବା । ନବନାଗରୀ– ନବୀନା ଯୁବତୀ। ସୁରସ ନଗରୀ– ରସର ପୁରୀ । ସୁପ୍ରେମ ସାଗରୀ– ଉତ୍ତମ ପ୍ରେମର ସାଗରରୂପିଣୀ ଶ୍ରୀରାଧା ।

 

୮। କ୍ଷିତିରେ – ସଂସାରରେ । ଝଟତି- ଶୀଘ୍ର । ମୋହନ କରିବା– ମୋହିତ କରିବା । ଲଭି ନପାରିବା । ଲାଭକରି ନପାରିବା, ପାଇ ନ ପାରିବା ।

 

୯ । ଧୀ-କୂଟରେ– ବୁଦ୍ଧି କପଟରେ, କପଟ ବୁଦ୍ଧିରେ ।

୧୦ । ଅତନୁ କନ୍ଦର୍ପ । ସୁତନୁ-ସୁନ୍ଦରୀ ଶ୍ରୀରାଧା । ତନୁଦାନ- ଦେହଦାନ । ପାର୍ବତୀର ପତି – ଶିବ । ତପତି – ସନ୍ତାପ, ପୀଡ଼ା।

 

୧୧ ନୂତନା- ନବୀନା ଶ୍ରୀରାଧା । ଭାବ– ବିଷୟ । ବଞ୍ଚନ- ବଞ୍ଚୁବା ।

୧୨। କୃଷ୍ଣଚାମରୀ କେଶୀ– କଳା ଚଅଁର ପରି କେଶ ଯାହାର, ଶ୍ରୀରାଧା ନା- ନାମ। ସୁମରି – ମନେପକାଇ । ନିଷ୍ଠା- ନିଶ୍ଚୟ। ପ୍ରୟାଗ– ଗଙ୍ଗା ଓ ଯମୁନାର ସଙ୍ଗମ ସ୍ଥଳ। ଶିବ ନଗରେ – କାଶୀରେ । ଗଙ୍ଗାସାଗରେ – ଗଙ୍ଗା ମୁହାଣରେ ।

 

୧୩। ଦେହ ଥୋଇବି– ଧ୍ୟାନରେ ବସିବି । ମହୀଫେରି – ପୁନର୍ବାର ଜନ୍ମଗ୍ରହଣ କରି । ମଉଳିକି – ମସ୍ତକରେ ।.

 

୧୪। ବିଦେହ ପଥର – କନ୍ଦର୍ପ ପଥର । ସେ - ଶ୍ରୀରାଧା । ସଙ୍ଖଳି – ଧନ । କଙ୍ଗାଳୀ ବରତ ଥାଳ– କାଙ୍ଗାଳର ଭିକ୍ଷାପାତ୍ର । ଝୋଳି – ଝୁଲି ।

 

୧୫ । ଭାବଦର୍ଶନୀ- ଶୃଙ୍ଗାର ଭାବର ଦର୍ଶନକାରିଣୀ, ଶ୍ରୀରଧା। ଛାପରେ ଛାଇ ସ୍ୱରୂପରେ –ନିଜ ଦେହକୁ ତାର ନାମର ଛାପରେ ପୂର୍ଣ୍ଣ କରି ।

 

୧୬ । ରାଧା ଲମ୍ପଟରେ – ରଧା ପ୍ରାପ୍ତିଲାଗି । ତ୍ରିବେଣୀ ତଟ – ଗଙ୍ଗା, ଯମୁନା ଓ ସରସ୍ୱତୀର ମିଳନ ସ୍ଥଳ । କୁଟୀ– କୁଟୀର, କୁଡ଼ିଆ । ପଞ୍ଚାତପ– ପଞ୍ଚ।ଗ୍ନି, ଚାରିପାଖରେ ଅଗ୍ନି ଓ ଉର୍ଦ୍ଧ୍ୱରେ ସୂର୍ଯ୍ୟ । ତାପି- ସ୍ଥାପନ କରି । ସନ୍ତାପି– ସନ୍ତପ୍ତ । ହଟି – ଦୂର ହୋଇଯିବ ।

 

୧୭। ନିରଧାର – ନିରାଶ୍ରୟ । ଆଧାର – ଆଶ୍ରୟ । ଶଙ୍କର – ଶିବ । ଶଂ-ଙ୍କର – ମଙ୍ଗଳ କର । କିଙ୍କର- ଦାସ । ସୁତନୁ କନ୍ଦର୍ପ।

 

୧୮ ! ଗତି – ଉପାୟ । ଗଜଗତି – ଗଜଗମନା ଶ୍ରୀରାଧା । ଭଗତି ନବଜାତି – ନବଧା ଭକ୍ତି –ଶ୍ରବଣ, କୀର୍ତ୍ତନ, ସ୍ମରଣ, ପଦସେବା, ଅର୍ଜନ, ବନ୍ଦନ, ଦାସତ୍ୱ, ସଖ୍ୟ ଓ ଆତ୍ମସମର୍ପଣ। ଆଦ୍ୟ– ଶ୍ରବଣ, ଶ୍ରୀରଧାଙ୍କର ନାମ ଶ୍ରବଣ । ପ୍ରକଟ – ପ୍ରକାଶିତ । ପ୍ରାନ୍ତ – ଆତ୍ମସମର୍ପଣ। ଅପ୍ରକଟ – ଅପ୍ରକାଶିତ । ମଧ୍ୟରୀତି- ମଝିରେ ଥିବା ଅବସ୍ଥାଗୁଡ଼ିକ- କୀର୍ତ୍ତନ, ସ୍ମରଣ, ପଦସେବା, ଅର୍ଜନ, ବନ୍ଦନ, ଦାସତ୍ଵ ଓ ସଖ୍ୟ ।

 

୧୯। ଭାରତୀ– ବଚନ । ଆରତି – ଦୁଃଖିତ । ଉରେ– ବକ୍ଷରେ । ଲୁଅ– ଲୋତକ ।

୨୦। ବଧୁଁ - ନାଶକରୁ । ପରବଧୂ- ଅନ୍ୟର ପତ୍ନୀ । ମନରସା- ଯେ ମନକୁ ରସସିକ୍ତ କରେ । ରସା- ଜଗତ ।

 

୨୧ । ତ୍ରିଭୁବନ ମୋହନ– ତିନିଭୁବନର ମୋହନକାରୀ ଭବନ – ଘର । ସରେ – ଶେଷ ହେଉଅଛି ।

୨୨ । ସରି- ଅବସ୍ଥା । ହଟିଯାଉ– ଚାଲିଯାଉ, ଦୂର ହୋଇଯାଉ ।

 

୨ ୩ । ଏସନରେ– ଏ ପ୍ରକାରରେ । ବିମନରେ– ଦୁଃଖିତ ମନରେ । ଛନ୍ନରେ – ଆତୁରତାରେ । ତୋରା– ତ୍ୱରା, ଶୀଘ୍ର । ସୁମନ – ଫୁଲ । କାମସେନୀ– କାମସେନୀ ଦୂତୀ।

 

୨୪। ଗୋବିନ୍ଦ ବିଧୂର – କୃଷ୍ଣଚନ୍ଦ୍ରଙ୍କର । ବିଧୁର – ଦୁଃଖିତ, ବିବର୍ଣ୍ଣ । ଧୂରରୁଁ – ଦୂରରୁ । ଜଗତବନ୍ଦନ- ଜଗତର ପୂଜ୍ୟ , ଶ୍ରୀକୃଷ୍ଣ । କଦନ – ପୀଡ଼ା । ମଦନ – କନ୍ଦର୍ପ ।

 

୨୫ । ମାର- କନ୍ଦର୍ପ । ମୋହି– ମୋହିତ ।

୨୬ । ମାରେ– କନ୍ଦର୍ପ ଦ୍ୱାରା । ମୋହନ ହେବାରେ – ମୋହିତ ହେବାରୁ । ଗହନ – ଗୃଢ଼ । ଅବ୍ୟାଜେ– ଅକପଟରେ । ବହନ– ଶୀଘ୍ର । ମତିକି- ମନକୁ । ବରଯୁବତୀକି – ଶ୍ରେଷ୍ଠ ଯୁବତୀ, ଶ୍ରୀରାଧାଙ୍କୁ ।

 

୨ ୭ । ଶ୍ରୀମୁଖ– ଶ୍ରୀକୃଷ୍ଣଙ୍କର ମୁଖ । କଉଁ – କେଉଁ । ଏ କେତେକ କଥା – ଏ କିବା କଥା ।

୨୮ । ତାରିବ– ରକ୍ଷା କରିବ।

 

୨୯। ସଞ୍ଚାରୀ– ଦୂତୀ। ମହିଳା- ନାରୀ। ନୁନାରୀ- ମନୁଷ୍ୟନାରୀ । ଶଚୀ– ଇନ୍ଦ୍ରଙ୍କ ପତ୍ନୀ । ଭଳିଯିବ–ଭୁଲିଯିବ, ମଙ୍ଗିଯିବ ।

 

୩୦ । ସଞ୍ଚାଇବାର ହେବ– ସଞ୍ଚିତ କରି ରଖାଯିବ । ବାରୁଦ ଯତରେ – ବାରୁଦ ପରି।

 

୩୧। ପରଖ– ପରୀକ୍ଷା କର । ସିଦ୍ଧିକି – କୁଶଳତାକୁ, ଦକ୍ଷତାକୁ । ଅଷ୍ଟମ ନିଧି– ଅଷ୍ଟନିଧି, କୁବେରଙ୍କ ସମ୍ପତ୍ତି ନୀଳମଣି । କଳାନିଧି- ଚନ୍ଦ୍ର । ତରି – ଡଙ୍ଗା । ତରିଯିବାକୁ ପାର । ହୋଇଯିବାକୁ। ମନ୍ତ୍ରରୀ ବନାଇବି– ସମର୍ଥ ହେବି ।

 

୩୨ । କାନ୍ତ- ପତି । ସଙ୍ଗତେ ଏକାନ୍ତ- ମିଳିତ । ପୁରୁଷକାନ୍ତ– ସୁନ୍ଦର ପୁରୁଷ । ରଞ୍ଜାଇ– ରଞ୍ଜନ କରି, ମନାଇ । ସୁରସେ– ଶୃଙ୍ଗାର ରସରେ।

୩୩ । ଗୁମାନ ଅଭିମାନ, ଟାଣ । କୁଳିଶ– ବଜ୍ର । ଅତନୁ ବିହାର- କନ୍ଦର୍ପ ବିକାର ।

 

୩୪ । କଣ୍ଠହାର – ଗଳାରମାଳ । ତାରପତିମୁଖୀ– ଚନ୍ଦ୍ରମୁଖୀ ଶ୍ରୀରାଧା । ତାର– ରକ୍ଷା କର ।

୩୫ । ଅମର ନବୀନ – ଦେବକନ୍ୟା । ନା – ନାମ ।

 

୩୬ । ନାମଖ୍ୟାତି– ନାମର ଯଶ । ପହିଲେ– ପ୍ରଥମରୁ । ଏକମୂର୍ତ୍ତି– ଜଣେ ।

୩୭ । ଭାରତୀ- ବଚନ । ଧୂରତି – ଧେର୍ଯ୍ୟଧରି । ମା- ଲକ୍ଷ୍ମୀ । ସରି – ସମାନ ।

୩୮ । ମାନସ ବନ୍ଧନପାଶୀ– ମନବନ୍ଧା ଫାଶ ।

 

୩୯।ଆସବ– ମଦ । ଆଶବଶରୁ – ଆଶାଥିବାରୁ, ଆଶାର ବଶବର୍ତ୍ତୀ ହୋଇ । ଅବାରଣ- ବାରଣ କରି ହୁଏ ନାହିଁ । ପ୍ରମତ୍ତବାରଣ- ମତୁଆଲା ହାତୀ। ରଣରଣ-କନ୍ଦର୍ପ ।

 

୪୦। ସୁଜାଣ– ସୁଜ୍ଞାନ, ପଣ୍ଡିତା । ଯେ- ଯାହା । ଜବରେ– ଶୀଘ୍ର । ନବରେ– ନଅରକୁ।

୪୧ । ଶ୍ରବଣ-କୁହର -ସୁଖ– କର୍ଣ୍ଣସୁଖକର । ସନ୍ଦୋହ– ସମୁହ । ସାରଘର – ଶ୍ରେଷ୍ଠଘର । ତ୍ରିଭଙ୍ଗୀତ ନିୟମର – ତ୍ରିଭଙ୍ଗୀ ନିୟମ, ତିନି ସ୍ଥାନରେ ଅନୁପ୍ରାସ ଯୁକ୍ତ ।

 

୪୨ । ଶ୍ୟାମ– ଶ୍ରୀକୃଷ୍ଣ । ସାମନ୍ତ – ପ୍ରଭୁ । କାହିଁ ଆନ– ଅନ୍ୟ କେହି ନୁହେଁ । ଭଙ୍ଗୀ ଆଚରଣ- ଛନ୍ଦି ହୋଇଥିବା । ସୁମରଣ- ସ୍ମରଣ ।

 

ତ୍ରୟୋଦଶ ଛାନ୍ଦ

 

୧ । ସାଧବ– ସାଧୁ ବ୍ୟକ୍ତିମାନେ । ପ୍ରେଷଣ– ପ୍ରେରଣ ।

୨ । ମୋତେ କି ବଶ ହେବ– ମୋର ବଶ ହେବ କି । ଶିବ– ମଙ୍ଗଳ ।

 

୩ । ଦହିବ ନାହିଁ – ଦହନ କରିବ ନାହିଁ, ସନ୍ତାପିତ କରିବ ନାହିଁ । ହରଭଗାରି – ଶିବଙ୍କ ଶତ୍ରୁ, କନ୍ଦର୍ପ । କିଶୋରୀ- ଶ୍ରୀରାଧା |

୪ । ସଞ୍ଚରୀ– ଦୂତୀ ।

୫ । କେହି– କିପରି । ତରିବି– ପାରହେବି । ସୁର ସିନ୍ଧୁ – କନ୍ଦର୍ପର ସମୁଦ୍ର । ପାତକ- ପାପ ।

 

୬ । ମୋହନା – ମୋହନକାରିଣୀ ଶ୍ରୀରଧା। ମୋହନା– ମୋର ନାମ ।

୭। ଦଶ ଅବଶେ ଛନ୍ନ – କାମଦଶାରେ ଅଶକତ ହୋଇ । ବିଧୁର ବଦନ- ଶ୍ରୀକୃଷ୍ଣଙ୍କର ମୁଖ । ବିଧୁର– ମଳିନ, ଦୁଃଖିତ । ସ୍ୱେଦ– ଝାଳ । କମ୍ପ – କମ୍ପନ । ଜନନ- ଜାର ହେଲ।

 

୮। ଅବଶ ବେଳରେ– ଅଶକତ ହେବା ସମୟରେ । ଆରମ୍ଭରେ – ମର୍ଯ୍ୟାଦା ସହକାରେ । ମାନ୍ୟ ପ୍ରକାଶି– ସମ୍ମାନ ପ୍ରଦର୍ଶନ କଲେ ।

୯। କ୍ଷେମ – ଅମଙ୍ଗଳ । ନୀରସ- ଶୁଖିଲା । ବଦନସାରସ– ମୁଖପଦ୍ମ ।

୧୦। ମଦନ ରାଜନ- କନ୍ଦର୍ପ ରଜା । କଦନ– କଷ୍ଟ । କାହାରେ – କାହାଠାରେ । ବିହାରେ – ବିହାର କରିବାରେ, କେଳି କରିବାରେ ।

 

୧୧ । ନାଗରୀ– ଉତ୍ତମ ନାରୀ, ରସିକା ନାରୀ । ବରିଲା ନାହିଁ – ବରଣ କଲା ନାହିଁ । କେହି- କିପରି, କିଏ ।

୧୨। ଅନଙ୍ଗ ଭୂତ– କନ୍ଦର୍ପରୂପକ ଭୂତ ।

 

୧୩ । ଗୁଆଁରୀ– ହୁଣ୍ଡୀ, ବୁଦ୍ଧିହୀନା । କିଙ୍କରୀ– ଦାସୀ । ଶଙ୍କରୀ– ପାର୍ବତୀ। ରମା-ଲକ୍ଷ୍ମୀ । ଆତୁରୀ– ଆକୁଳେ

୨୪ । ବ୍ୟାଜରେ – ଛଳରେ । ମହତ– ମହତଲୋକ । ହେବ କି ଭାଙ୍ଗିବାର- କଥା ଭାଙ୍ଗିପାରିବ କି?

୧୫ । କି ରୂପ– କିପରି । ଦର୍ପ– କ୍ଷମତା । ଆଜୀ– ଆଈ ।

 

୧୬ । ଗୋକୁଳ– ଗୋପୁର । ଗୋକୁଳ– ଗୋରୁ ସମୂହ । ବ୍ୟାଧିବନ୍ତ – ରୋଗଗ୍ରସ୍ତ । ବିରସ ଦୁଃଖ ।

୧୭ । ଭାବନାନିକର – ଭାବନା ସମୂହ, ବହୁତ ଚିନ୍ତା । ଗୋଶାସ୍ତ୍ର ରାଶି– ଗୋ ଚିକିତ୍ସା ଶାସ୍ତ୍ର ସମୁହ ।

୧୮। ଗୋ-ବର୍ଦ୍ଧନକୁ- ଗୋରୁ ବଢ଼ିବାକୁ । ଗୋବର୍ଦ୍ଧନ ମଲ୍ଲ– ଚନ୍ଦ୍ରାବଳୀର ପତି ।

 

୧୯। ଆଶା- ଆଶା, ଇଚ୍ଛା । ଇଚ୍ଛିଲା କାର୍ଯ୍ୟ– ଇଚ୍ଛା କରୁଥିବା ବିଷୟ ।

୨୦ । ମୁଦରେ – ଆନନ୍ଦରେ ।

୨୧। ଗହଣେ- ସଙ୍ଗରେ । ଆବର – ଆହୁରି ।

 

୨୨। ଲେଖିଲା– ବିଚାର କଲା । ଇଷ୍ଟ ଆଗତ – ପ୍ରିୟଲୋକ ଆସିବା ।

୨୩ । ଚନ୍ଦ୍ରାବଳୀବଲ୍ଲଭ– ଚନ୍ଦ୍ରାବଳୀ ପତି, ଗୋବର୍ଦ୍ଧନ ମଲ୍ଲ ।

୨୪। ରଞ୍ଜାଇ– ଆନନ୍ଦ ଦାନ କରି । ଭୁଞ୍ଜାଇ ଖୁଆଇ । ସୁମନ – ଫୁଲ । ବସନ– ଲୁଗା। ସୁମନ – ଭଲମନ ।

 

୨୫ । ରହିଲା ଏବେ ବଳ ନନ୍ଦର – ନନ୍ଦଙ୍କର ଶକ୍ତିସାମର୍ଥ୍ୟ ଲୋପ ହୋଇଅଛି, ବାର୍ଦ୍ଧକ୍ୟ ଆସିଅଛି ।

୨୬ । ଅଚଳନିଧ– ଅକ୍ଷୟ ସମ୍ପତ୍ତି । ସମ୍ପ୍ରଧି– ବିପୁଳ ସମ୍ପତ୍ତି ।

୨୭ । ଆଦର ଅବା ନଆଦର – ଭଲରେ ଗ୍ରହଣ କର ବା ନକର । ସୋଦର – ଭାଇ ।

 

୨୮ । ଭାଷାକୁ ପୂର୍ଣ୍ଣମାସୀ ଉଚ୍ଚାରି – ପୂର୍ଣ୍ଣମାସୀ ଭାଷା ଉଚ୍ଚାରଣ କଲେ, କହିଲେ ।

୨୯। ଗୋରୁ ବିଦ୍ୟା – ଗୋ ସମ୍ବନ୍ଧୀୟ ବିଦ୍ୟା ।

୩୦ । ନିରତ– ସବୁବେଳେ ।

 

୩୧ । ରଚନ- ପ୍ରକାଶ ।

୩୨ । ବହନ – ଶୀଘ୍ର । ରିଝାଇ– ମନାଇ । ଗୁପ୍ତତଥି– ଗୁପ୍ତତଥ୍ୟ ।

୩୩ । ତୃଷ୍ଣରେ – ଆଗ୍ରହରେ । ପୁରୋଦର ଶୟନେ– ଘର ଭିତର ଶଯ୍ୟାରେ । ଜାୟାରେ ପତ୍ନୀକୁ ।ନିର୍ମାୟାରେ-ମାୟା ନରଖି,କପଟ ନରଖି ।

 

୩୪ । ସଜନୀସହରେ – ସଖୀମାନଙ୍କ ସହିତ । ସଜନି କରକୁ – ଅଳଙ୍କାର ସମୁହକୁ ।

୩୫ । ତରକି ଅଛ – ଆଡ଼ ହୋଇଅଛ । ସୁମଣିରତ୍ନମାଳ– ଉତ୍ତମମଣିଯୁକ୍ତ ରତ୍ନହାର ।

୩୬ । ରସାନନ୍ଦ – ଶ୍ରୀକୃଷ୍ଣ ।

 

୩୭ । ରଜନୀଶମୁଖୀ– ଚନ୍ଦ୍ରମୁଖୀ, ଚନ୍ଦ୍ରାବଳୀ । ଯତନ– ସୁନ୍ଦର, ଯତ୍ନ ସହକାରେ ।

୩୮ । ଅତନୁଦେବତା- କନ୍ଦର୍ପ । ସୁତନୁ– ଉତ୍ତମ ଶରୀର । ମଣି– ଭାବ । ସୁତନୁ ସୁନ୍ଦରୀ. ଚନ୍ଦ୍ରାବଳୀ । ଦେବର ସମ୍ବନ୍ଧେ – ଦିଅର ସମ୍ବନ୍ଧ ହେତୁ । ବରମାନ୍ୟ– ଶ୍ରେଷ୍ଠ ସମ୍ମାନ, ଅଧିକ ସମ୍ମାନ ।

 

୩୯ । ଧଡ଼ି– ଲୁଗାର ଧଡ଼ି । ଦନ୍ତବାସ– ଓଷ୍ଠ । ରସିକା – ଚନ୍ଦ୍ରାବଳୀ ।

୪୦ । ଆଡ଼ିଲା- ଆଢୁଆଳ କଲା । ବାସ ପଣନ୍ତ– ଲୁଗାର କାନି । ନେତ୍ରାନ୍ତ କୁନ୍ତ– କଣିଆଇ ଚାହିଁବା ରୁପକ ଅସ୍ତ୍ର ।

୪୧ । ଦଣ୍ଡକ– ଦଣ୍ଡେ ମାତ୍ର, ଅଳ୍ପକ୍ଷଣ । ପହଣ୍ଡକ– ଏକପାଦ । ତ୍ରପାକୃପାରେ– ଲଜ୍ଜା ଓ ସ୍ନେହରେ । ଶମ୍ପାଗଉରୀ ବିଦ୍ୟୁତ୍‌ବର୍ଣ୍ଣା, ଚନ୍ଦ୍ରାବଳୀ । ଗାତ୍ର- ଦେହ ।

 

୪୨ । ପଲକ– ଆଖିପତା। ପୁଲକ– ରେ।ମ ଟାଙ୍କୁରିବା। ଗଣ୍ଡ – ଗାଲ । ଗାତ୍ର- ଦେହ । ଭାବ– ଶୃଙ୍ଗାର ଭାବ । ଅଳଙ୍କାର ଭାବ– ଶରୀରର ଶୋଭାଜନକ ସତ୍ତ୍ୱଗୁଣ ଜାତ । ସ୍ଵାଭାବିକ ଧର୍ମ । ଅଙ୍ଗୀକାର – ସ୍ୱୀକାର ।

 

୪୩ । ଉଲ୍ଲାସ ହୋଇଲା – ଉଲ୍ଲସିତ ହେଲା, ଉଚ୍ଛ୍ୱସିତ ହେଲା, ପ୍ରକାଶିତ ହେଲା । ବିଳାସ – ପ୍ରିୟ ଦର୍ଶନରେ କାର୍ଯ୍ୟ ଓ ଶରୀରର ଅବୟବରେ ଯେଉଁ ଠାଣି ପ୍ରକାଶ ପାଏ । ଲୀଳ– ପ୍ରୀତିବଶତଃ ଶରୀର, ବେଶ, ଅଳଙ୍କାର, ପ୍ରେମକଥା ପ୍ରଭୃତିରେ ପ୍ରିୟର ଅନୁକରଣ । ଲଳିତ– କୋମଳତା ହେତୁ ଅଙ୍ଗମାନଙ୍କର ମନୋହର ଗୁଳନ । ରୀତି- ପ୍ରକାର । ଉତ୍କଟ – ଅଧିକ ମାତ୍ରାରେ । ପ୍ରକଟ – ପ୍ରକାଶିତ । ନାଗରୀନୀତି- ବିଳାସିନୀ ନାରୀର ବ୍ୟବହାର ।

 

୪୪।      କଳାକମଳ ମୁଖ– ଶ୍ରୀକୃଷ୍ଣଙ୍କର ପଦ୍ମମୁଖ । କଳାକର ବଦନା – ଚନ୍ଦ୍ରମୁଖୀ,ଚନ୍ଦ୍ରବଳୀ। ରସିଲା– ରସସିକ୍ତ ହେଲା, ଆସକ୍ତ ହେଲା । କାମ ଜଳେ -- କନ୍ଦର୍ପର ଜଳରେ। ସମୁଖୀ- ସୁନ୍ଦର ମୁଖୀ, ଚନ୍ଦ୍ରାବଳୀ ।

 

୪୫ । ବାଳ– ଚନ୍ଦ୍ରାବଳୀ । ମାଳାର ଦେବାବେଳେ – ମାଳା ଦେବାବେଳେ । ଆତୁର – ଊଚ୍ଛନ୍ନ ।

୪୬ । ମନବାରଣ- ମନ ରୁ ପକ ହସ୍ତୀ । ଅବାରଣ – ବନ୍ଦ କରି ହୁଏ ନାହିଁ । ଲମ୍ପଟେ - ଆସକ୍ତିରେ । ବିଚାର ମାହୁନ୍ତ – ବିବେକ ରୂପକ ମାହୁନ୍ତ । ପ୍ରଚାର – ପ୍ରକାଶିତ ହୋଇ । ଲଜ୍ଜାଙ୍କୁଶେ – ଲଜ୍ଜା ରୂପକ ଅଙ୍କୁଶ ଦ୍ଵାରା । ଆକଟେ – ଆୟତ୍ତ କରେ।

 

୪୭ । ବାହୁଡ଼ି ଆସନ୍ତେ – ଫେରି ଆସିବାବେଳେ । ହୁଡ଼ି ହୁଡ଼ି ଭ୍ରାନ୍ତିବଶତଃ । ପଥ – ବାଟରେ । ମନମଥ– କନ୍ଦର୍ପ ।

୪୮ । ଅରବିନ୍ଦମୁଖୀ– ପଦ୍ମମୁଖୀ, ଚନ୍ଦ୍ରାବଳୀ । ଅଚଳ– ପର୍ବତ ।

 

୪୯। ବାସବ ପବି– ଇନ୍ଦ୍ରଙ୍କର ବଜ୍ର । ସ୍ମର- କନ୍ଦର୍ପ । ହାଁକି ଟାଣି।

୫୦ । ଉଭୟ– ଶ୍ରୀକୃଷ୍ଣ ଏବଂ ଚନ୍ଦ୍ରାବଳୀ । ସ୍ମର ଭୟ- କନ୍ଦର୍ପ ଭୟ । ବିକାର – କାମ ବିକାର । | ସ୍ୱୀକାର ମଣି– ଉଭୟେ କନ୍ଦର୍ପ ଲୀଳାକୁ ସ୍ୱୀକାର କରି । ବୋଧିଲେ – ବୋଧଦେଲେ ।

 

୫୧। ମେଲାଣି- ବିଦାୟ । ବଟିଲେ – ଉଣ୍ଡିଲେ । ବାହ୍ୟ ଲୋକେ– ବାହାର ଲୋକଙ୍କୁ ।

୫୨ । ଅପ୍ରାସରେ– ଅକ୍ଳେଶରେ । ଧୀରେ– ପଣ୍ଡିତମାନେ ।

 

୫୩। ବିଦଗ୍‌ଧ– ପଣ୍ଡିତମାନେ । ପ୍ରବନ୍ଧ – ଗ୍ରନ୍ଥ । ବୁଧଙ୍କ – ପଣ୍ଡିତମାନଙ୍କର । ବୋଧକ, ବୋଧ୍ୟ, ବୁଝିବାର ଯୋଗ୍ୟ । ଅଜ୍ଞ– ମୂର୍ଖ । ଏଥିକି– ଏହି ଗ୍ରନ୍ଥକୁ ।

 

୫୪ । ଚାରୁ– ସୁନ୍ଦର । ଅରବିନ୍ଦ ପଦ– ପଦ୍ମପାଦ । ରସେ– ମକରନ୍ଦରେ । ମିଳିନ୍ଦ-ଭ୍ରମର । ହେଲେ– ଅକ୍ଳେଶରେ । ସୁଗନ୍ଧ ସ୍ୱାଦ– ଗ୍ରନ୍ଥର ଅଭିପ୍ରାୟ ରୂପକ ସୁଗନ୍ଧ ଓ ସ୍ୱାଦୁ।

 

୫୫ । ଭାଷି-କହଇ । ଭବଜଳେ– ସଂସାର ସାଗରରେ । ସାମନ୍ତ– ପ୍ରଭୁ । ଶ୍ୟାମ– ଶ୍ରୀକୃଷ୍ଣ ।

 

ଚତୁର୍ଦ୍ଦଶ ଛାନ୍ଦ

 

୧ । ଶ୍ରବଣେ– କାନରେ । ଧୀରେ – ପଣ୍ଡିତମାନେ । ଶ୍ରବଣେ– ଶୁଣିବା ଦ୍ଵାରା। ଧୀରେ - ବୁଦ୍ଧିରେ , ମନରେ । ଭବି ନିରତ – ସବୁବେଳେ ଭାବି । ଭାବିନୀରତ – ସ୍ତ୍ରୀ, । ଚନ୍ଦ୍ରାବଳୀଠାରେ ଆସକ୍ତ ହୋଇ । ପରମାନନ୍ଦ – ଶ୍ରୀକୃଷ୍ଣ ।

 

୨। ରସେ- ଶୃଙ୍ଗାରରସ ରୂପକ ଜଳରେ । ରସେ- ଅନୁରାଗରେ । ଗୁଣୀତିଳକ– ଗୁଣବତୀ ଶ୍ରେଷ୍ଠା, ଚନ୍ଦ୍ରାବଳୀ । ଗୁଣି- ଭାବନାକରି । ତିଳକ-କ୍ଷଣକ ।

 

୩ । ଦର – ଭୟ । ସନକ– ସନକ ମହର୍ଷି । ମାରେ– କନ୍ଦର୍ପକୁ । ତାର ମୂରତି- ଦୀପ୍ତିବନ୍ତ ମୂର୍ତ୍ତି । ତାର – ଚନ୍ଦ୍ରାବଳୀର । ରତି– କନ୍ଦର୍ପର ପତ୍ନୀ । ଲକ୍ଷିବି- ତୁଳନା କରିବି ।

 

୪ । ମୋହ ନାଶର– ମୋତେ ନାଶ କରିବା ନିମନ୍ତେ । ମୋହନାଶର – ମୋହକାରୀ ବାଣ । ସେହି- ଚନ୍ଦ୍ରାବଳୀ। ପରସଂସାରେ – ଅନ୍ୟର ସଂସାରରେ, ଶ୍ରେଷ୍ଠ ସଂସାରରେ । ପରଶଂସାରେ – ପ୍ରଶଂସା କରି । କେହି– କିପରି ।

 

୫ । ଚନ୍ଦ୍ରାବଳୀ – ଗୋପନାରୀ ଚନ୍ଦ୍ରାବଳୀ । ଚନ୍ଦ୍ରାବଳୀ -ଚନ୍ଦ୍ରସମୂହ । ଦରପଣ– ଅଇନା। ଦରପଣ– ଭୟ । ଯୋଖୁଁ – ତୁଳନା କଲେ ।

୬ । ସୁମନରେ – ଉତ୍ତମ ମନରେ । କି ସୁମନରେ – କେଉଁ ଫୁଲରେ । ମନାଇଥିଲି– ସନ୍ତୁଷ୍ଟ କରିଥିଲି । ହର – ଶିବ । ତାର ଆଲୋକ- ତାରାର ଦୀପ୍ତିପରି । ତାର ଆଲୋକ-ଚନ୍ଦ୍ରାବଳୀ ସହିତ ସାକ୍ଷାତ ।

 

୭ । ସୁରମଣୀକି -ସୁନ୍ଦରୀରମଣୀ, ଚନ୍ଦ୍ରାବଳୀ । ସୁରମଣିକି – ଇନ୍ଦ୍ରଙ୍କୁ । ଚିତ୍ର- ଆଶ୍ଚର୍ଯ୍ୟ । ରତିଭାରତୀ– କନ୍ଦର୍ପର ପତ୍ନୀ ଓ ସରସ୍ଵତୀ । ରତିଭାରତୀ– ଟିକିଏ କଥା । ସେ – ଚନ୍ଦ୍ରାବଳୀ । ଅଳଙ୍କାର– ତୁଳନାଯୋଗ୍ୟ ।

 

୮ । ମୋହ ନିମିତ୍ତ-ମୋ ପାଇଁ । ମୋହିନୀ-ମୋହକାରଣୀ, ମୋହିନୀ । ଆନ ନଭାବି-ଅନ୍ୟ କିଛି ନଭାବି । ଆନନ ଭାବି– ମୁଖକୁ ଅର୍ଥାତ୍ ଚନ୍ଦ୍ରାବଳୀର ମୁଖକୁ ଭାବିଲେ । ମନବନ୍ଦୀପାଶୀ– ମନକୁ ବାନ୍ଧି ରଖିବା ପାଇଁ ଫାଶ ।

 

୯ । ସୁନ୍ଦରପଣ– ସୌନ୍ଦର୍ଯ୍ୟ । ସୁଦରପଣ– ବଡ଼ଭୟ । ହର – ଶିବ । ଆନନରସି –ଚନ୍ଦ୍ରାବଳୀର ମୁଖଦର୍ଶନରେ ମୁଗ୍‌ଧହୋଇ । ଆନ ନରସି– ଅନ୍ୟରେ ଆସକ୍ତ ନହୋଇ । ଯୋଗୀ– ସନ୍ନ୍ୟାସୀ । ଇଛିବେ ଘର-ଘର ସଂସାର କରିବାକୁ ଆଗ୍ରହୀ ହେବେ ।

 

୧୦।      ଅପସରୀ– ଅପ୍‌ସରାମାନେ । ଅପସରି-ଆଡ଼େଇ ହୋଇଯିବେ । ମାନମ୍ଳାନେ–ଅପମାନରୁ । ଅଳକାପନ୍ତି – ଚୁର୍ଣ୍ଣକୁନ୍ତଳ । ଅଳକାପତି– କୁବେର । ଛନ୍ନେ- ଉତ୍କଣ୍ଠାରେ ।

 

୧୧ । ମନମଥର – କନ୍ଦର୍ପର । ମନ୍ଥରଗମନା– ମନ୍ଦଗମନା । ନ ବିନାଶେ କି- ବିନାଶ କରେ ନାହିଁକି ? ନବୀନା- ନବଯୁବତୀ ଚନ୍ଦ୍ରାବଳୀ । ଲୋକନରେ – ଦୃଷ୍ଟିରେ ।

 

୧୨ । ଧିଆନ– ଭାବନା । ଧୀ– ବୁଦ୍ଧି । ଆନ– ଅନ୍ୟ ପ୍ରକାର । ଛବି- ଶୋଭା । କୁସୁମଶର - କନ୍ଦର୍ପ । କୁସୁମଶର – ଫୁଲଶର । ପବି– ବଜ୍ର ।

 

୧୩ । ଜୀବନ– ପ୍ରାଣ । ଜୀବନଜୀବ– ପ୍ରାଣଧନ ସମ । ଚାନ୍ଦମୁହୀଁ – ଚନ୍ଦ୍ରବଦନା ଚନ୍ଦ୍ରାବଳୀ । ସୁନାସୀର – ଇନ୍ଦ୍ର । ସୁନାସୀ– ଉତ୍ତମ ନାସିକାଯୁକ୍ତ ଚନ୍ଦ୍ରାବଳୀ । ରତ- ସୁରତ, ସମ୍ଭୋଗ ।

 

୧୪ ଗତି– ଗମନ । ଗତି– ଅବସ୍ଥା ବା ଭଙ୍ଗୀ । କଳାବତୀ– କନ୍ଦର୍ପ କଳାକୁଶଳା ଚନ୍ଦ୍ରାବତୀ । ସୁମତିହରି- ବୁଦ୍ଧିମତୀ ଚନ୍ଦ୍ରାବଳୀର କାନ୍ତି। ସୁମତି– ଉତ୍ତମ ବୁଦ୍ଧି ।

 

୧୫ । ଦର୍ପକର ସେ– ସେ ଉତ୍ତେଜକ । ଦର୍ପକରସେ– କନ୍ଦର୍ପ ରସରେ, ଶୃଙ୍ଗାର ରସରେ । ଅଙ୍ଗନାବର – ଯୁବତୀ ଶ୍ରେଷ୍ଠ ଚନ୍ଦ୍ରାବଳୀ । ଅଙ୍ଗନାବର – ଅଙ୍ଗରୂପକ ନୌକା । ତରିବି- ପାରହେବି । କେହି – କିପରି ।

 

୧୬ । ହିତ – ମଙ୍ଗଳକର । ସେହିପ– ଚନ୍ଦ୍ରାବଳୀ । ତରକି– ଭାବି । ହିତର ମଙ୍ଗଳର ।

୧୭ । ବି ଚାର – ବିଶିଷ୍ଟ ଦୂତ, ପକ୍ଷୀକଭୂତ । କରିଗତି – ଗଜଗମନା ଚନ୍ଦ୍ରାବଳୀ । ଛାମୁକୁ- ନିକଟକୁ, ସମ୍ମୁଖକୁ । ପେଷ – ପଠାଅ । ବିଦେହଶରେ – କନ୍ଦର୍ପ ଶରଦ୍ଵାରା । ବି- ବିଶିଷ୍ଟ,ନିଶ୍ଚୟ। ସରେ –ଶେଷ ହେଉଅଛି, ନଷ୍ଟ ହେଉଅଛି। ପୂରାଅ ଆଶ- ଆଶା ପୂରଣ କର।

 

୧୮ । ହରିର ଭାଷ– ଶ୍ରୀକୃଷ୍ଣଙ୍କର କଥା। ହରିର – ନାୟିକା ଚନ୍ଦ୍ରାବଳୀର । ଭା- ଶୋଭା । ବିରସ ତେଜ– ଦୁଃଖଭାବ ଦୂର କର । ବୀର – ବଳବାନ୍ । ସତେଜ – ଧୀର ।

 

୧୯ । ଗୋବର ଧନ– ଗୋପାଳ । ଗୋବରଧନ କାନ୍ତୁା।– ଗୋବର୍ଦ୍ଧନ ମଲ୍ଲର ପତ୍ନୀ ଚନ୍ଦ୍ରାବଳୀ | । ଲେଖଲେଖ– ଚିଠିଲେଖ । ମାନବୀ– ମନୁଷ୍ୟର ସ୍ତ୍ରୀ । ମାନ– ପାଳନ କର, ସ୍ୱୀକାର କର । ବିଷେତ– ବିଶେଷତଃ ।

 

୨୦ । ଚିନ୍ତେ– ଚିନ୍ତାକରେ । ବାମାର – ଚନ୍ଦ୍ରାବଳୀର । ଚିତ୍ତେ – ହୃଦୟରେ, ମନରେ । ବା–ମଧ୍ୟ । ମର – କନ୍ଦର୍ପ । ପରମଦାର – ପ୍ରମଦାର, ଚନ୍ଦ୍ରାବଳୀର । ପରମ ଦାରଣ– ଭଲ ଭାବରେ କରତିବା ।

 

୨୧ । ନବରମଣୀ- ନବୀନା, ଚନ୍ଦ୍ରାବଳୀ । ନବର – ନଅର । ମଣିଅଛି – ଜାଣିଅଛି, ଚିହ୍ନିଅଛି । ଶଙ୍ଖାରି – ଶ୍ରୀକୃଷ୍ଣ । ଗୁଣ– ଭଲପଣ । ଶ୍ରୀଦାମ– ଶ୍ରୀକୃଷ୍ଣଙ୍କର ଗୁଣସଖା ।

 

୨୨ । ଭାବର ଲେଖ– ସ୍ନେହର ପତ୍ର । ଭାବର ଲେଖନ କରି- ଅଭିପ୍ରିୟ ଅନୁସାରେ ଲେଖି । ମିତେ – ଶ୍ରୀଦାମଙ୍କୁ । ମାଧବ– ଶ୍ରୀକୃଷ୍ଣ। ଭାଷି- କହିଲେ । ମାଧବ– ବିଷ୍ଣୁଙ୍କୁ । ଭାଷି – ଉଚ୍ଚାରଣ କରି ।

 

୨୩। ଉତ୍ତରକୁ – ଉତ୍ତର ଦିଗ । ଉତ୍ତରକୁ – ବାକ୍ୟକୁ । ଅଙ୍ଗନାଶରେ – କନ୍ଦର୍ପ ଦ୍ୱାରା, କନ୍ଦର୍ପ ଶରରେ । ଅଙ୍ଗନା ସରେ– ଚନ୍ଦ୍ରାବଳୀ ସରିଯାଉଅଛି ।

୨୪ । ରଜନିକର – କର୍ପୂର ଗୁଣ୍ଡି, ଧୂଳି । ରଜନୀକରମୁଖୀ– ଚନ୍ଦ୍ରବଦନା ଚନ୍ଦ୍ରାବଳୀ' । ଗାତ୍ରରେ – ଦେହରେ । ହା ରାବହିତ - ହା ହା ଶବ୍ଦ କରୁଅଛି । ହାରା ବହିତ ନପାରେ– ହାର ବା ମାଳକୁ ବହନ କରିବାକୁ ଅସମର୍ଥ ।

 

୨୫ । ସଜ ନିକର – ଅଳଙ୍କାର ସମୂହ । ସଜନୀ କର – ସଖୀର ହାତ । ପରଭାର – ବହୁତ ଭାରୀ । ବରଷା ରସ– ବର୍ଷାପାଣି ପରି ଲୁହ । ବର ସାରସ ନୟହୁଁ – ଉତ୍କୃଷ୍ଟ ପଦ୍ମରୂପକ ନେତ୍ରରୁ ।

୨୬। ରସି କାମରେ – କନ୍ଦର୍ପରେ ଆସକ୍ତ ହୋଇ । ରସିକା ମରେ– ଚନ୍ଦ୍ରାବଳୀ ମୃତ ପ୍ରାୟ । ଭଣେ – କହେ । ପଶୁପସୁତ– ଶିବପୁତ୍ର କାର୍ତ୍ତିକେୟ । ପଶୁପସୁତ– ଗୋପାଳ ପୁତ୍ର ଶ୍ରୀକୃଷ୍ଣ ।

 

୨୭। ନାଗ-ରମଣୀ- ନାଗଲୋକର ରମଣୀ । ନାଗରମଣି– ବିଳାସୀଶ୍ରେଷ୍ଠ ଶ୍ରୀକୃଷ୍ଣ । ସୁର ସମ୍ପଦ– ଦେବ ସମ୍ପତ୍ତି । ସୁରସପଦ– ମାଧୁର୍ଯ୍ୟାଦି ରସଯୁକ୍ତ ଶ୍ରୀକୃଷ୍ଣଙ୍କ ପାଦ ।

 

୨୮। ସୁର-ତରୁଣୀ- ଦେବତାଙ୍କର ତରୁଣୀ । ସୁରତ ଋଣୀ- ସମ୍ଭୋଗରେ ଅଧୀନ । ମାନବୀ କି- ମାନବୀ ବା କ’ଣ । ମାନ ବିକି - ଅଭିମାନ ଛାଡ଼ି । ଛନ୍ନେ– ଉତ୍କଣ୍ଠାକୁ ।

 

୨୯। କିଙ୍କରୀ ବର – ବଡ଼ଦାସୀ । କି କରି – କିପରି । ବରଜବୀର – ବ୍ରଜବୀର, ଶ୍ରୀକୃଷ୍ଣ । ସଙ୍ଗିନିକର – ହେ ସଖୀମାନେ । ସଙ୍ଗିନୀକର – ମିଳନ କରାଅ ।

୩୦ । ସାର ସମ୍ପଦ– ଉତ୍କୃଷ୍ଟ ସମ୍ପତ୍ତି, ପତିବ୍ରତାପଣ । ସାରସପଦ – ପଦ୍ମପାଦ । ମନ୍ଦାକ୍ଷରେ – ଲଜ୍ଜାରେ । ମନ୍ଦାକ୍ଷରେ – ମନ ଆଖିରେ । ସର୍ବାଙ୍ଗ– ସମଗ୍ର ଶରୀର ।

 

୩୧ । ଧ୍ରୁବ– ନିଶ୍ଚୟ । ଲୋକରେ – ଇହଲୋକରେ । ଧ୍ରୁବ ଲୋକରେ – ଧ୍ରୁବଲେ।କ ପର୍ଯ୍ୟନ୍ତ । ବିଧିର ବାମୁଁ – ବିଧାତାର ପ୍ରତିକୂଳତା ହେତୁ । ବିଧୀର – ଅଧୀର । ଧନ୍ଦା– ବାଉଳି ।

 

୩୨। ନକଲି କୋଳ– ଆଲିଙ୍ଗନ କଲି ନାହିଁ । ନକଲି କୋଳସ୍ତିରୀ- ମିଛରେ କୁଳସ୍ତ୍ରୀ ବା ଘୁଷୁରୀ ସ୍ତ୍ରୀ । ଭାବର ଧନେ– ଶୋଭାଯୁକ୍ତ ଶ୍ରୀକୃଷ୍ଣଙ୍କୁ । ଭାବର ଧନେ– ଭାବ ରୂପକ ଧନରେ, ସ୍ନେହ ରୂପକ ଧନରେ, ସ୍ନେହ ରୂପକ ଧନରେ।

 

୩୩। ଭାବ ମୂରତି –ପ୍ରେମମୟ ମୂର୍ତ୍ତି ଶ୍ରୀକୃଷ୍ଣ । ଭାବ- ବିଚାର କର। ରତି –ପ୍ରୀତି। କୁସୁମଧନୁ –କନ୍ଦର୍ପ ।କୁସୁମଧନୁ –ପୁଷ୍ପଧନୁ।

 

୩୪। ଧରମ ହାତ – ଧର୍ମ ନଷ୍ଟ ହେଲା । ଧର ମହତ– ମହତ୍ତ୍ୱ ରକ୍ଷା କର । ଏମନ୍ତର – ଏମନ୍ତ । ଏମନ୍ତ-ଏ ପ୍ରକାର । ରତ-ଅନୁରାଗ ।

 

୩୫ । କାନ୍ତବର– ସୁନ୍ଦର ଶ୍ରେଷ୍ଠ, ଶ୍ରୀକୃଷ୍ଣ । କାନ୍ତ ବରତ – ପତିବ୍ରତାପଣ । ପରମନୀଷା – ପରର ବୁଦ୍ଧି । ପରମ ନିଶା- କାଳରାତ୍ରି, ଶ୍ରେଷ୍ଠ ମାଦକ ଦ୍ରବ୍ୟ । ଅଗୋଚର – ଅଜଣା।

 

୩୬ । ପରମ ନର – ପରମ ପୁରୁଷ ଶ୍ରୀକୃଷ୍ଣ । ପର ମନ – ଅନ୍ୟ ଲୋକର ମନ। ସେବ ଶଙ୍କର – ଶିବଙ୍କୁ ସେବା କର । ସେ – ଶ୍ରୀକୃଷ୍ଣ। ବଶ କର – ଅଧୀନ, ବଶୀଭୂତ ।

 

୩୭ । ଶତକୋଟି– ଅସଂଖ୍ୟ । ଶତକୋଟି – ବଜ୍ର । ମିତଗିର– ସହୀର କଥା । ପରବେଶ– ଅନ୍ୟବେଶ, ଉତ୍କୃଷ୍ଟ ବେଶଧାରୀ। ପରବେଶ– ପ୍ରବେଶ । ଚାର – ଦୂତ।

 

୩୮। ଭାବର ମିତ – ଶ୍ରୀଦାମ । ଭାବର ମିତ କାଳେ – ଶ୍ରୀକୃଷ୍ଣଙ୍କ ଭାବରେ ଆସକ୍ତ ହୋଇଥିବାବେଳେ । ବିତର କରୁଁ – ବିତରଣ କରୁଁ, ଦେଉ ଦେଉ । ବିତରକରୁଁ - ତର୍କଣାରୁ । ସିହାଣୀ– ଚତୁର ଚନ୍ଦ୍ରାବଳୀ ।

 

୩୯। ଉରୁପଣ- ବଡ଼ପଣ ଯାହାର, ଚନ୍ଦ୍ରାବଳୀ । ଉରୁ– ବଡ଼ । ପଣତ – ଲୁଗାକାନି । ପ୍ରସାରି – ମେଲାଇ । ଲେଖ– ଚିଠି । ପୀୟୁଷକର ପୀୟୁଷ– ଚନ୍ଦ୍ରର ଅମୃତକୁ । କରଗତ– ହସ୍ତଗତ, ହାତରେ ପଡ଼ିବା ।

 

୪୦।       ମୁଦ ଶ୍ରବଣେ– ଚିଠି ଶୁଣିଲେ । ମୁଦ– ଆନନ୍ଦ । ଶ୍ରବଣେ– କର୍ଣ୍ଣରେ । ଧୀର– ପଣ୍ଡିତ । ବିଦଗ୍‌ଧ ଚିନ୍ତା– ଦୁଃଖୀର ଭାବନା ବା ରସିକ ଲୋକର ବିରହ ଚିନ୍ତା। ହରିବ– ହରଣ କରିବ । ଖରେ – ଶୀଘ୍ର ।

 

୪୧।      ପୂତନାମରା – ପବିତ୍ର ନାମଧାରୀ ଶ୍ରୀକୃଷ୍ଣ । ପୂତନା ମାରଣାଦି- ପୂତନା ରାକ୍ଷସୀ ବଧ ଇତ୍ୟାଦି । ଆନନ୍ଦରତ– ହର୍ଷରେ ମଜ୍ଜିଯିବା। ଆନ ଦର – ଅନ୍ୟ ଭୟ।

 

ପଞ୍ଚଦଶ ଛାନ୍ଦ

 

୧ । ରସ- ମନ ବଳାଅ । ବିଦୁଷ – ପଣ୍ଡିତମାନେ । ର ସ ଆଦ୍ୟପ୍ରାନ୍ତେ ବାସ– ଏହି ଛାନ୍ଦର ରଚନାରେ ପ୍ରତ୍ୟେକ ପାଦର ଆରମ୍ଭରେ ର ଓ ଶେଷରେ ସ ରହିଛି । ରସିାକ- ଚନ୍ଦ୍ରାବଳୀ । ମୁଦରେ – ପତ୍ରରେ । ମୁଦରେ – ଆନନ୍ଦରେ ।

 

୨। ରସାମୃତ– ରସରେ ଅମୃତ ପରି ମିଷ୍ଟ । କୃଷ୍ଣ ଭାଷ– ଶ୍ରୀକୃଷ୍ଣଙ୍କ ଭାଷା, ଶ୍ରୀକୃଷ୍ଣଙ୍କ ପତ୍ର । ରମଣୀ– ଚନ୍ଦ୍ରାବଳୀ । ପଠନେ ଆଶ- ପାଠ କରିବାକୁ ଆଶାକରି । ରସିଣ-ଅତ୍ୟନ୍ତ ଆଗ୍ରହରେ । ଟାଉ ଟାଉ ହେଲା ଦୃଶ– ଚକ୍ଷୁ ବିଶେଷ ଭାବରେ ତତ୍ପର ହୋଇପଡ଼ିଲା।

 

୩ । ରସନା – ଜିହ୍ଵା । ଶ୍ରବଣ କର୍ଣ୍ଣ । ଖରେ– ଶୀଘ୍ର । ସବୁରି ପାଖରେ – ସମସ୍ତ ଇନ୍ଦ୍ରିୟ ନିକଟରେ । ଆତୁରେ–. ଉତ୍କଣ୍ଠାର ସହିତ।

 

୪ । ଉଲ୍ଲାସ- ଆନନ୍ଦ । ଇନ୍ଦ୍ରିୟ ବଂଶ- ଇନ୍ଦ୍ରିୟ ସମୁହ । ରଞ୍ଜନେ – ଆନନ୍ଦ ପାଇଁ । ତାଙ୍କର – ଇନ୍ଦ୍ରିୟମାନଙ୍କର । ମୋକ୍ଷପଦ କରକୁ ଦେଲା-ଖୋଲିବାର ପାତ୍ର ହାତକୁ କଲା, ଅର୍ଥାତ୍‌ ହାତରେ ପତ୍ରକୁ ଖୋଲିଲା ।

 

୫ । ରଚନା ଆଦୌ – ଲେଖାର ଆରମ୍ଭରେ । ଶ୍ରୀଗିରୀଶ-– ଶିବ । ରଙ୍ଗ ଚରଣକୁ ଆଶ– ଶିବଙ୍କର ରଙ୍ଗଚରଣରେ ଆଶା, ଚନ୍ଦ୍ରାବଳୀଙ୍କର ରଙ୍ଗଚରଣରେ ଆଶା । ଶ୍ରୀପାଞ୍ଚ– ପାଞ୍ଚଗୋଟି ଶ୍ରୀ । ପାଞ୍ଚଶର ମୋହନା- କନ୍ଦର୍ପ ମୋହକାରିଣୀ, ଚନ୍ଦ୍ରାବଳୀ । ପ୍ରକାଶ– ନାମ ପ୍ରକାଶ ।

 

୬ । ରସ ନିଧିକି- ରସବତୀ ଚନ୍ଦ୍ରାବଳୀକୁ । ଅଶେଷ – ବହୁତ । ରୁବିର – ମନୋହର । ଭାଷ-କଥା। ରସାରେ – ସଂସାରରେ, ଜଗତରେ । ସ୍ତବକସ୍ତନା – ଫୁଲତୋଡ଼ ପରି ସ୍ତନ ଯାହାର, ଚନ୍ଦ୍ରାବଳୀ । ଯାବକ- ଅଳତା । ଦାସ- କିଙ୍କର ।

 

୭। ରତୀଶତାପେ- କନ୍ଦର୍ପର ତାଡ଼ନାରେ । ଅବଶ– ଅଶକତ । ରସଦାନୀ– ରତିଦାନୀ ଓ ମେଘ । ନୀରସ- ରସହୀନ ।

 

୮ । ରତ୍ନାକରେ – ରତ୍ନର ଖଣି ବା ସମୁଦ୍ର । ରମାପତି ରଥଗ୍ରାସ– ବିଷ୍ଣୁଙ୍କର ବାହନ ଗରୁଡ଼ର ଖାଇବା ପଦାର୍ଥ, କାଳୀୟ ସର୍ପ । ମନୋରଥ ଇଛା । ହେବ ଅପଯଶ – ନିନ୍ଦା ହେବ । (କାଳି ଗରୁଡକୁ ବର୍ଷକେ ଥରେ ଖାଦ୍ୟ ଯୋଗାଇଥାଏ । ମାତ୍ର ବର୍ଷେ ତାହା ନଦେଇ ଗରୁଡକୁ ପରାଜିତ କରିବା ଇଚ୍ଛାରେ ଯୁଦ୍ଧ କଲା । ଯୁଦ୍ଧରେ ନିଜେ ପରାଜିତ ହୋଇ ପ୍ରାଣ ଭୟରେ ପଳାଇଯାଇ ଯମୁନାରେ ଲୁଚି ରହିଲା ।)

 

୯। ରଜନୀଶ –ଚନ୍ଦ୍ର । ସୁସାରସ-ପଦ୍ମା ।ରମ୍ୟଜିତ-ଶୋଭାକୁ ଜିଣିଛି। ମୁଖହାସ -ଚନ୍ଦ୍ରାବଳୀର ମୁଖର ହସ । ଅସର – ସରୁନାହିଁ।

 

୧୦। ରଙ୍ଗିମା– ଲାଲ ରଙ୍ଗର । ଭଙ୍ଗୀ ବିଶେଷ– ଯେଉଁ ଭଙ୍ଗୀରେ ଗଣ୍ଡ ପ୍ରଭୃତି ସ୍ଥାନ ଲାଲ ପଡ଼ିଯାଏ । ପ୍ରାସ- ଦୁଃଖ । ବରଧନ – ବଢ଼ାଇବା । ନେତ୍ରେ – ଆଖିରେ । ସୁଧା ବିଷ-ଅମୃତ ଓ ବିଷ ।

 

୧୧ । ରଙ୍ଗ ଅଧରେ– ଲାଲ ବର୍ଣ୍ଣ ଓଷ୍ଠରେ । ରସାମୋହୀ ଜଗତମୋହିନୀ। ମାର- କନ୍ଦର୍ପ । ତେତକ– ସେତକ । ଆଶ୍ଳେଷ – ଆଲିଙ୍ଗନ ।

 

୧୨ । ମନ୍ଦାକ୍ଷ- ଲାଜ । ଉଲ୍ଲାସ- ଆନନ୍ଦ । ଭଙ୍ଗୀରସ – ଚତୁର ଭାବରେ। ରତନମାଳୀ – ରତ୍ନହାର । ଭାଳି କି ହେଲି - ଭାଳିହେଲି । ରସିକେ ସୁରେଶ– ରସିକମାନଙ୍କ ମଧ୍ୟରେ ଇନ୍ଦ୍ର ସଦୃଶ ।

 

୧୩ । ରସରସୁଁ – ତଳକୁ ମୁହଁ କରିବାରୁ । ନାରୀଈଶ– ନାରୀଶ୍ରେଷ୍ଠ, ଚନ୍ଦ୍ରାବଳୀ । ରମ୍ୟ–ସୁନ୍ଦର । କୁଚଦେଶ – ସ୍ତନଦେଶ । ରତ୍ନସାନୁ ଶିରପରେ – ମେରୁ ପର୍ବତର ଶିଖର ଉପରେ । ଶଶୀର– ଚନ୍ଦ୍ରର ।

 

୧୪ । ଫେରିବାସ– ପଣତ ଟାଣି । ଅଧା ଆଭାସ – କଷ୍ଟ ହେଲା ପରି । ରମ୍ୟ ଦୃଷ୍ଟିକୁନ୍ତ –ସୁନ୍ଦର ଦୃଷ୍ଟିରୂପକ ଅସ୍ତ୍ର । ହରଷ ପରାଶ– ଆନନ୍ଦ ଓ କ୍ଳେଶ ।

 

୧୫। ରଣିତ- ବାଜୁଥୁବା । ଘୋଷ-- ଶବ୍ଦ । ରସେ ଆଗ୍ରହରେ । ଶୁତି - କାନ । ପ୍ରାଣକିଙ୍କିଣ- ପ୍ରାଣର ସ୍ପନ୍ଦନ।

୧୬। ସୁରବାସ- ମେରୁପର୍ବତ । ରବିକର – ସୂର୍ଯ୍ୟକିରଣ । ମାନସ -ମନ । କରସାରଣୀ-ହାତର ଖେଳନା । କରଗତିବେଳେ - ହାତ ଚାଲିବା ବେଳେ । କରଗତି – ଦୁଃଖରୁ ରକ୍ଷା କର । ରସଦାନୀ ହୋଇ – ରସଦାନ କରି । ତୋଷ – ସନ୍ତୁଷ୍ଟ କର ।

 

୧୭। ରଣ ରଣେ- କନ୍ଦର୍ପ ଦ୍ଵାରା । ରସିକିନୀ କି- ରସିକାକୁ । ନୀରସ- ରସହୀନତା । ରଜନୀଶ କରେ – ଚନ୍ଦ୍ର କିରଣରେ । ଦିନେଶ – ସୂର୍ଯ୍ୟ ।

 

୧୮। ରଜ- ପାଉଁଶ । ଅହି– ସାପ । ଉତୁଈଶ – ଚନ୍ଦ୍ର । ମହେଶ– ଶିବ । ରହିତ ମୋ ଗୁଣ ମୋ ଗୁଣ ରହିତ ହେଲେ, ମୁଁ ଗୁଣ ଶୂନ୍ୟ ହେଲେ । ମନେଗୁଣ – ମନରେ ବିଚାର କର । ଅନୁଗତ ହେତୁ - ଅନୁସରଣ କରିବାରୁ । ରସ– ଅନୁରକ୍ତ ହୁଅ ।

 

୧୯। ରସାଧିକାର ସୁଯଶ– ଅଧୁକ ରସବତୀର କୀର୍ତ୍ତି ଅର୍ଥାତ୍ ଅଧିକ ରସବତୀ ଭାବରେ ତୁମର କୀର୍ତ୍ତି । ରସାରେ– ଜଗତରେ । ଶଶୀସଦୃଶ – ଚନ୍ଦ୍ରପରି । କୁମୁଦ ନୟନ- କଇଁପରି ଆଖି । ମୁଦ– ମୋଦଦାନ କର, ଆନନ୍ଦିତ କର । ଚିତ୍ତଚକୋର – ମନରୂପକ ଚକୋର ପକ୍ଷୀ । ତୋଷ – ତୃପ୍ତ କର ।

 

୨୦ । ରଙ୍କୁନେତ୍ରୀ – ମୃଗାକ୍ଷୀ । କାମତ୍ରାସ- କନ୍ଦର୍ପର ଭୟ । ଭାଷ – ପତ୍ର ।

୨୧ । ରତିପତିରେ – କନ୍ଦର୍ପ ଦ୍ଵାରା। ଅବଶ– ଅଶକତ । ରସରସୁଁ – ରସରେ ଆଗ୍ରହ ହେବାରୁ । ବୁଦ୍ଧିଭ୍ରଂଶ- ବିବେକ ହଜିଗଲା । ରସଦ- ରସଦାନକାରୀ, ଅନୁରାଗ ପ୍ରଦ । ସତର ବୟା-ସତର ବର୍ଷିୟା ।

 

୨୨ । ରସଧର ଅଙ୍ଗଭାଷ – ଶ୍ରୀକୃଷ୍ଣଙ୍କର ପତ୍ର,ର ଓ ସ ନିୟମରେ ରଚିତ ପତ୍ର । ରମଣୀ ମୁକୁଟ – ରମଣୀଶ୍ରେଷ୍ଠ ଚନ୍ଦ୍ରାବଳୀ । ମୁଦକୁଟ – ଆନନ୍ଦାତିଶଯ୍ୟ ।

 

୨ ୩ । ରଞ୍ଜନ – ଅନୁରାଗ ଜନ୍ମାଉଥୁବା । ଲେଉଟଭାଷ – ଉତ୍ତର । ରସିକା- ରସବତୀ ଚନ୍ଦ୍ରାବଳୀ । ସଖା- ମିତ୍ର, ଶ୍ରୀଦାମ । ଚାର- ଦୂତ କରି । ଗୋବିନ୍ଦ ପାଶ – ଶ୍ରୀକୃଷ୍ଣଙ୍କ ନିକଟକୁ ।

 

୨୪ । ରସାନନ୍ଦ- ରସ ଓ ଆନନ୍ଦମୟ ଶ୍ରୀକୃଷ୍ଣ । କ୍ଳେଶ – ସଂସାରର ଦୁଃଖକଷ୍ଟ । ରସାରେ – ଜଗତରେ । ସାମନ୍ତ – ପ୍ରଭୁ। ବୃଷଭାନୁ ସୁତାଈଶ- ବୃଷଭାନୁ ନନ୍ଦିନୀ ଶ୍ରୀରାଧାଙ୍କର ପତି, ଶ୍ରୀକୃଷ୍ଣ ।

 

ଷୋଡ଼ଶ ଛାନ୍ଦ

 

୧।ସର୍ବସୁଖାନନ୍ଦ - ସବୁ ପ୍ରକାର ସୁଖ ଓ ପରମାନନ୍ଦ । ସାର ମନ୍ଦିର – ଶ୍ରେଷ୍ଠ ଗୃହ। ସ ନିୟମ ପ୍ରଥମରେ – ପଦର ଆରମ୍ଭରେ ସ ଅକ୍ଷର । ପ୍ରାନ୍ତର – ପଦର ଶେଷରେ ର ଅକ୍ଷର । ସର– ସରୋବର ।

 

୨ । ସତ୍ୱର– ଶୀଘ୍ର । ମୁଦ- ପତ୍ର । ଶତଦଳ-ଦଳ– ପଦ୍ମପତ୍ର । ଅପାର – ଅସୀମ ।

୩ । ଶତ ରତନ- ଅସଂଖ୍ୟ ରନ୍ନ ବା ଅମାପ ଧନ । ରଙ୍କ –କଙ୍ଗାଳ । ସମ– ସମାନ ବା ସଦୃଶ । ସରାଗରେ – ଆନନ୍ଦରେ । ହୃଦପର– ହୃଦୟ ଉପରେ । ସଉତ୍ସୁକେ-ଉତ୍କଣ୍ଠାର ସହିତ । ଫେଡ଼ିଲେ– ଖୋଲିଲେ, ଫିଟାଇଲେ । ମୁଦସାର – ସାରପତ୍ର, ଶ୍ରେଷ୍ଠପତ୍ର ।

 

୪। ସରଞ୍ଜନ – ମନୋହର । ବର୍ଣ୍ଣାବଳୀ– ଅକ୍ଷର ସମୃହ । ସମ– ସମାନ ଆକାର ।ସମଶିର – ସବୁ ଅକ୍ଷରର ଉପରିଭାଗ ସମାନ । ଘନ – ଲାଗିଲାଗି । ଶଶଧର – ଚନ୍ଦ୍ର ।ସଦାନନ୍ଦ - ଶ୍ରୀକୃଷ୍ଣ । ପାର – ସୀମା।

 

୫ । ସର୍ବ ଶରଣ ରକ୍ଷଣ ଆଦ୍ୟର – ପତ୍ରର ଆରମ୍ଭରେ "ସର୍ବ ଶରଣ ରକ୍ଷଣ" ଲେଖାଥିଲା । ସରଜନା ଶ୍ରୀବର୍ଣ୍ଣ ତିନିବାର – ଶ୍ରୀ ଅକ୍ଷର ତିନିଥର ଲେଖାଥିଲା ଅର୍ଥାତ୍ ଶ୍ରୀ ଶ୍ରୀ ଶ୍ରୀ । ସଞ୍ଚ– ସୁନ୍ଦର । ଏ ଅନ୍ତେ– ଏହାପରେ । ସର୍ବୋତ୍କର୍ଷ କୃଷ୍ଣଗୁଣ ସାଗର – ସାଗର ସମାନ ଶ୍ରୀକୃଷ୍ଣଙ୍କର ଅସୀମଗୁଣ ସର୍ବୋତ୍କୃଷ୍ଟ ରୀତିରେ ବର୍ଣ୍ଣିତ ।

 

୬ । ଶମ୍ଭୁ- ଶିବ । ସ୍ଵୟମ୍ଭୁ- ବ୍ରହ୍ମା । ସୁରବାର – ଦେବତା ସମୂହ । ସତତରେ – ସଦାବେଳେ । ପୟର – ପାଦ । ସନାତନ– ସଦାସ୍ଥିତ, ସବୁବେଳେ ଯାହାର ଅସ୍ତିତ୍ୱ ଥାଏ । ଅବ୍ୟକ୍ତ - ଅପ୍ରକାଶିତ । ତତ୍ତ୍ୱସାର – ପରମ ତତ୍ତ୍ୱ, ଶ୍ରେଷ୍ଠତତ୍ତ୍ୱ । ସର୍ବ ନମସ୍କୃତ – ସମସ୍ତଙ୍କର ନମସ୍ୟ ।

 

୭ । ସର୍ବମନାକର୍ଷଣ – ସମସ୍ତଙ୍କର ମନ ହରଣକାରୀ । ଶକ୍ତିଧର – ଶକ୍ତିଯୁକ୍ତ । ରସବୀର – ଶ୍ରେଷ୍ଠ ରସିକ । ସରୋଜକୁ ବଳି – ପଦ୍ମଠାରୁ ଅଧିକ ।

 

୮ । ଶରବଣ– ଶ୍ରବଣ । ଋଷିଗିର– ଋଷିବଚନ ।

୯ । ସକରୁଣ– ଦୟାଯୁକ୍ତ । ହାସ ଦୃଷ୍ଟି – ହସ ଓ ଚାହାଣି । ମତି – ମନ ।

 

୧୦। ଶମ୍ବରାରି- କନ୍ଦର୍ପ । ସଜନିତ – ଜନ୍ମିଅଛି । ଅନିର୍ବାର – ଯାହାକୁ ବାରଣ କରାଯାଇ ପାରେନାହିଁ । ସଜନୀରେ – ସଖୀମାନଙ୍କ ଦ୍ଵାରା। ଉପଚାର – ବେଦନା ନିବାରଣ ନିମିତ୍ତ ଉପାୟ । ସରୁଁ– ସରୋବରରୁ । ସରିଲାନି-ଶେଷ ହେଲାଣି ।

୧୧ । ଶମନରପୁର – ଯମପୁର । ସଞ୍ଚୁଅଛି – ସଞ୍ଚୟ କରୁଅଛି । ସେ – ଜୀବ । ବାରି– ବାରଣ କରି । ବାରବାର – ବାରମ୍ବାର।

 

୧୨। ସଂଘନନ - ସଂହନନ, ଶରୀର । ନବଘନ - ନୂଆମେଘ । ସରାଇବ- ଶେଷକରିବ ।ତାପ- ସନ୍ତାପ। ଅଙ୍ଗଦେଶର – ଶରୀରର । ସନ୍ତେଷଦାନୀ-ତୃପ୍ତିଦାନକାରୀ ନେତ୍ର ଚାତକ। ଚକ୍ଷୁରୂପକ ଚାତକ । ଘନରସ– ମେଘର ଜଳ ଓ ନିବିଡ଼ ଶୃଙ୍ଗାର ରସ ।

 

୧୩ । ଶଶହୀନ- କଳଙ୍କଶୂନ୍ୟ । ଚନ୍ଦ୍ରମୁଖ ରୁଚିର - ଚନ୍ଦ୍ରର ସୁନ୍ଦର ମୁଖ । ସଦୀପ୍ତକ- ବିକଶିତ କରେ । ହୃଦୟ କୁମୁଦର – କଇଁଫୁଲର ହୃଦୟ । ସଂସର୍ଗୀ-– ସଂସ୍ପର୍ଶରେ ଆସିବି ।ସରିଯିବ ଦୂରହେବ । ଜୀବବାଧା- ପ୍ରାଣର ପୀଡ଼, ଦୁଃଖ, ବିପଦ । ବିଚାର- ଭାବ ।

 

୧୪ । ସନ୍ତାପିତ ଚିତ୍ତ ଚକ୍ରବାକୀର – ଚକ୍ରବାକୀର ଚିତ୍ତପରି ସନ୍ତାପିତ ଚନ୍ଦ୍ରବଳୀଙ୍କ ଚିତ୍ତ । ଶଙ୍କାହାରକ- ବିପଦ ହରଣ କାରକ । ଅରୁଣ ଅଧର – ଶ୍ରୀକୃଷ୍ଣଙ୍କର ଅରୁଣାଧର । ସନ୍ନିକଟ ହେବାର – ମିଳନ ହେବାର । ସରୋଜିନୀ- ପଦ୍ୱିନୀ । ବିରସଦର – ଦୁଃଖ ଓ ଭୟ। ହର – ହରଣ କର ।

 

୧୫ । ଶତକୋଟି ସମାନେ– ବଜ୍ରପରି । ମାର ବୀର – କନ୍ଦର୍ପବୀର । ଶଶ – ଶହ ଶହ । ସରେ – ସରୁଅଛି । ସଞ୍ଚରିବ– ପ୍ରସାରିତ ହେବ, ବ୍ୟାପିଯିବ । ବେଣୁଧର – ଶ୍ରୀକୃଷ୍ଣ ।

 

୧୬। ଶତଦଳ – ପଦ୍ମ । ହିମକର – ଚନ୍ଦ୍ର । ସବିତାରୁଁ – ସୂର୍ଯ୍ୟଙ୍କ ଛଡ଼ା । ନିନ୍ଦାନିକି ଆନର – ଅନ୍ୟର ନିନ୍ଦା ହୁଏ କି ? ଶମ୍ଭୁ- ଶିବ । ବିଭୂତି – ପାଉଁଶ । ପରାୟେ ଆଦର – ପରି ଆଦର କର ।

 

୧୬। ସଗୁଣ – ଗୁଣବତୀ । ଅନୁଗତ – ଅନୁସରଣ କରୁଛି । ଧୀର – ସମ୍ବୋଧନ। ଶଶୀ- ଚନ୍ଦ୍ର । ନିଶି ରସିଲା ପରି – ରାତ୍ରିକୁ ରସିଲା ପରି । ଷଟ୍‌ପଦ – ଭ୍ରମର । ସୁମନା- ଫୁଲ । ଦୁସ୍ତର – ଦୁର୍ଲ୍ଲଭ । କୂଟଜ- ଗିରିମଲ୍ଲୀ।

 

୧୮। ସଙ୍କେତ – ଠିକଣା ସ୍ଥାନ, ମିଳନ ସ୍ଥାନ । ସକୃପାରେ – ଦୟାର ସହିତ । ସଖୀ ସେବ୍ୟା ଓ ପଦ୍ମା ପ୍ରଭୃତିଙ୍କ ବିଚାର ଅନୁସାରେ।ସଙ୍ଗ –ମିଳନ। ସେବାବ୍ୟାଜେ –ସେବାଛଳରେ ବା ପୂଜା ଛଳରେ । ହେବ ପ୍ରଚାର – ପ୍ରଚାରିତ ହେବ ।

୧୯। ସଦାଶିବ ସେବା ପୁଣ୍ୟ ପ୍ରଚାର – ସଦାଶିବଙ୍କର ସେବାଦ୍ୱାର ପୁଣ୍ୟ ଯାହାଙ୍କର ପ୍ରଚାରିତ ହୋଇଅଛି, ଶ୍ରୀକୃଷ୍ଣ । ସନ୍ନିଧିକି – ନିକଟକୁ। ସଂଭ୍ରମରେ – ଉଦ୍‌ବେଗରେ ।

 

୨୦। ଶଙ୍ଖାରି- ଶ୍ରୀକୃଷ୍ଣ । ଅଧୀର –ଅଥୟ । ସନ୍ନିପାତୀ-ସନ୍ନିପାତ ରୋଗୀ। ନୀର ସ୍ନେହ-ଜଳପ୍ରତି ଆଦର । ତାହା- ଚନ୍ଦ୍ରାବଳୀ।

୨୧। ଗିର – ବଚନ । ରାମାର – ଚନ୍ଦ୍ରାବଳୀର । ସଂହରଣେ- ସନ୍ତାପ ନାଶ କରିବାରେ । ରସସାଗର – ଶୃଙ୍ଗାର ରସର ସାଗର ।

୨୨। ସଜନୀରେ – ସଖୀ ହାତରେ । ଗିର- କଥା । ଶଶପରି - ଠେକୁଆ ପରି, ଶଶକ ଓ ଚନ୍ଦ୍ର ଉପାଖ୍ୟାନ । ଶ୍ରବଣକୁ – କର୍ଣ୍ଣକୁ । ମୁଦଦ– ଆନନ୍ଦଦାୟକ ।

 

୨୩। ଧୀର- ପଣ୍ଡିତମାନେ । ସଞ୍ଚ ରଚନା- ସୁନ୍ଦର ରଚନା । ଷଣ୍ଢ ଦଣ୍ଡନ – ଷଣ୍ଢାସୁରର ଦଣ୍ଡଦାନକାରୀ, ଷଣ୍ଡାସୁରକୁ ବଧ କରିଥିବା । ଆଶା ମନ୍ଦିର- ଆଶାର ସ୍ଥାନ । ସଙ୍କଟ-ଦୁଃଖ । ଶକଟଭଞ୍ଜ – ଶକଟାସୁରର ନାଶକାରୀ । ହର- ହରଣ କର ।

 

ସପ୍ତଦଶ ଛାନ୍ଦ

 

୧।ପୁଷ୍ପଋତୁ– ବସନ୍ତ ଋତୁ । କାଳ ପରାୟେ- ଯମ ସଦୃଶ । ଗ୍ରୀଷମ- ଗ୍ରୀଷ୍ମଋତୁ । ରସ - ଜଳ ।

୨।ରତାନ୍ତ ନାୟିକା ରୀତି- ରତି ଶେଷରେ ନାୟିକାର ଅବସ୍ଥା । କଳେବର- ଦେହ । ସ୍ୱେଦ ରଞ୍ଜନ ଅତି- ଝାଳରେ ତିନ୍ତିଗଲା । ବ୍ୟଜନ- ବିଞ୍ଚଣା । ରଞ୍ଜନ ମନକୁ-ମନକୁ ରଞ୍ଜାଇଲା । କଟୁ ମଣେ- ତିକ୍ତ ମନେକଲା । ଚିତ୍ତ- ମନ । ମିତ୍ର କର- ସୂର୍ଯ୍ୟକିରଣ ଓ ପତିହସ୍ତ । କିଞ୍ଚିତ- ସାମାନ୍ୟ ମାତ୍ର । ବାସେ- ଲୁଗାରେ । କଳେବର- ଶରୀର । ଖର କରେ-ସୂର୍ଯ୍ୟ କିରଣରେ, ନଖକ୍ଷତରେ । ଜଳଇ – ବେଦନା ଦିଏ । କମନୀୟ ପୟୋଧରୁ ଖଣ୍ଡଇ-ସୁନ୍ଦର ମେଘରୁ ବଞ୍ଚିତ କଲା, ସ୍ତନର ସୌନ୍ଦର୍ଯ୍ୟ ଖଣ୍ଡନ କଲା ।

 

୩ । ଦ୍ୱିଜଚକ୍ର ପକ୍ଷୀ ସମୂହ, ଦନ୍ତକ୍ଷତ ଚିହ୍ନ ସମୂହ । ଗଣ୍ଡ- ଗଭୀର ଜଳରେ, ଗଣ୍ଡଦେଶ ବା ଗାଲରେ । କାନ୍ତ ରହିତ- ଶୋଭାଶୂନ୍ୟ, ପତିର ରତିଇଛା, ଗଣ୍ଡଦେଶର କ୍ଷତବିକ୍ଷତ ଅବସ୍ଥା । କର୍ପୂର ଚନ୍ଦନ- ଶୀତଳ ଉପଚାର । କମଳେ ଜଳରେ । ରସେ- ରତିରସରେ । ଚାନ୍ଦନୀରେ- ଚନ୍ଦ୍ରାଲୋକରେ ଚୂନଲିପା ଚଉପାଢ଼ୀରେ । କରେ ମଲ୍ଲିମୁଖେ ବିକଶିବାର- ମଲ୍ଲୀଲତାର ମୁଖକୁ ବିକଶିତ କରାଇଲା, ମଲି ମଲି ଶବ୍ଦ ପ୍ରକାଶ କଲା ।

 

୪। କମଳେ- ପଦ୍ମ ସମୂହ । ସ୍ଵାଧୀନଭର୍ଭୁକା - ଯେଉଁ ସ୍ତ୍ରୀ ସ୍ୱାମୀକୁ ସର୍ବଦା ନିଜ ଅଧୀନରେ ରଖିଥାଏ । ଗ୍ରୀଷ୍ମକାଳରେ ଦିନ ବଡ଼ ହେବାରୁ ପଦ୍ମ ତାର ପତି ସୂର୍ଯ୍ୟଙ୍କୁ ଅଧିକ ସମୟ ନିଜ ପାଖରେ ରଖିଲା । ଶିରୀ- ଶୋଭା । କୁମୁଦିନୀ- କଇଁଫୁଲ । ଦ୍ରୋହୀନାୟିକା - ବିରୋଧୀ ସ୍ତ୍ରୀ । ଗ୍ରୀଷ୍ମକାଳରେ ରାତି ଛୋଟ ହେବାରୁ ଚନ୍ଦ୍ର କୁମୁଦିନୀ ନିକଟରେ ଅଳ୍ପ ସମୟ ରହିଲେ, ଯେପରିକି ବିରୋଧୀ ସ୍ତ୍ରୀ ନିକଟରେ ତାର ପତି ଅଳ୍ପ ସମୟ ରହିଥାଏ । ସରି- ପରି, ସମାନ । କାନ୍ତାୟିନୀ - ପୁରୁଷ ପାଇବାକୁ ଇଚ୍ଛାପୋଷଣକାରିଣୀ ବିରହିଣୀ ନାୟିକା । ବିଟପୀବାର- ବୃକ୍ଷସମୂହ କ୍ଷୀଣ ହେଲେ, କୁଳଟାନାରୀମାନେ ନିଜ ନିଜ ପତିଙ୍କୁ ପାଇବା ପାଇଁ ଇଚ୍ଛା ପ୍ରକାଶ କଲେ । କାନ୍ତିବନ୍ତ କାଳ– ଶୋଭାବର୍ଦ୍ଧନର ସମୟ । ସୁନାରୀଙ୍କର- ସୁନାରୀ ଗଛର, ଉତ୍ତମନାରୀମାନଙ୍କର । ଗ୍ରୀଷ୍ମକାଳରେ ସୁନାରୀ । ଗଛରେ ଫୁଲ ଫୁଟେ ଏବଂ ସୁନ୍ଦରୀନାରୀମାନେ ସ୍ନାନାଦି ଦ୍ୱାରା ବିଶେଷ ସୌନ୍ଦର୍ଯ୍ୟସଂପନ୍ନା ହୁଅନ୍ତି । କାନନ- ବନ । ହୃଦ- ମଧ୍ୟ ଭାଗ, ଅଭ୍ୟନ୍ତର । ବିଯୋଗୀ- ବିରହୀ । କୃଶାନୁ-ଅଗ୍ନି । ବିରହୀ ବ୍ୟକ୍ତିର ହୃଦୟ ବିରହ ତାପରେ ସନ୍ତାପିତ ହେବାପରି ବନାଗ୍ନି ଜାତହେବାରୁ ବନର ଅବସ୍ଥା ସେହିପରି ହେଲା ।

 

୫। କିଙ୍କିଣୀ- କ୍ଷୁଦ୍ର ଘଣ୍ଟିକା । ରଟ- ରାବ । କୁରଙ୍ଗ - ହରିଣ । ଧକେ –ଧକାଇବାରେ। ରସନା-ଜିହ୍ୱା। ପ୍ରକଟ - ପ୍ରକାଶିତ । ରସନ – ଅଣ୍ଟାସୂତା। ପ୍ରକଟ-ଝୁଲିବା। ବିପରୀତ-ବିପରୀତ ରତି। କପୋତ –ପାରା, କାପ୍ତା। ନାଦେ –ଧ୍ୱନିରେ। ହୁଂକୃତ-ରତିକାଳରେ ହୁଂକୃତ ଶଦ୍ଦ। କୁଣ୍ଠିତ –ବନ୍ଦ । ପିକଋତ –ପିକର ଧ୍ୱନି । ଉଦିତ-ବସନ୍ତ ଋତୁରେ। ବିପରୀତ ରତିରେ-ସ୍ତ୍ରୀମାନଙ୍କର କୋକିଳ ପରି ଧ୍ୱନି ବନ୍ଦ ହୁଏ ଓ କପୋତ ପରି ଶଦ୍ଦ ହୁଏ । କଞ୍ଜ –ପଦ୍ମ । ମଧୁପ -ଭ୍ରମର । ପ୍ରମତ୍ତ-ପାଗଳ। ରତିରେ ପୁରୁଷ –ପଦ୍ମାପରି ମୁଖ ଚୁମ୍ବନରେ ମାତିଥାଏ।

 

୬ ।       ଚିତ୍ର- ଆଶ୍ଚର୍ଯ୍ୟ । ଧୀରେ – ବୁଦ୍ଧିରେ । ଲବକେ – କ୍ଷଣକେ । ଚେତି – ପୁଣି ଚେତା ପାଇ । ଭ୍ରମେ-ଭ୍ରମରେ, ଭୁଲରେ।

୭ । ଭଙ୍ଗ– ଭଙ୍ଗୀ । ଚିତ୍ତଜ – କନ୍ଦର୍ପ । ଅଙ୍ଗ - ଶରୀର । ଚତୁରବର- ଚତୁରଶ୍ରେଷ୍ଠ, ଶ୍ରୀକୃଷ୍ଣ । ଶ୍ରମେ– ଶ୍ରମ ସ୍ୱୀକାର କରି । ଚରିତ- ବିଷୟ । ଚିତ୍ତେ ମନରେ ।

 

୮ । ଚନ୍ଦ୍ରଚଦନ – ଶ୍ରୀକୃଷ୍ଣ । ଚଞ୍ଚଳା – ବିଜୁଳି ପରି ସୁନ୍ଦରୀ ବା ଚଞ୍ଚଳନେତ୍ରୀ । ବଶ ହୋଇବ – ଆୟତ୍ତ ହେବ । କେସନେ – କିପରି । ଚଡ଼କ – ବଜ୍ର । ଚତୁର ଚକ୍ର- ଚତୁର ବ୍ୟକ୍ତି ସମୂହ, ଚସିକ ସମୂହ, ରସିକ ସମୂହ । ଚମ୍ପାଙ୍ଗୀ– ଚମ୍ପକବର୍ଣ୍ଣା ।     

 

୯। ଚିତ୍ର- ଆଶ୍ଚର୍ଯ୍ୟ । ଚରାଚର – ସମଗ୍ର ଜଗତ । ଭାରା- ଦୁଃଖ । କେହି – କିପରି । ଚଉଦ ଲୋକ- ଚଉଦ ଭୁବନ । ଦୈତ୍ୟଭୋଗ ହେଉ- ଅସୁରମାନଙ୍କୁ ଭେ।ଗ ଦେହ । ଚତୁରମୁଖ– ବ୍ରହ୍ମା । କାମଦହନେ– କନ୍ଦର୍ପଦ୍ଵାର ଦଗ୍‌ଧିଭୂତ ହେବାରୁ ।।

 

୧୦ । ଚାମୀକର ଗୋରୀ- ସୁନାପରି ଗୋରୀ। କିଶୋରୀ ଚନ୍ଦ୍ରାବଳୀ । ଚଇତନ୍ୟ – ଚେତା । ଦମ୍ଭ-ଧୈର୍ଯ୍ୟ । ଚେତାଇବି– ମନେ ପକାଇବି । ଚରିତ ପୂର୍ବର – ପୂର୍ବ ବିଷୟ । ଚତୁରୀବାର – ଯୁବତୀ ସମୂହ । ଚପଳେ – ଶୀଘ୍ର । ବିଧ– ବ୍ରହ୍ମା । ଚଡ଼ାଇ – ହଂସ।

 

୧୧। ଟେକ ଚରଣ- ପୂଜନୀୟ ଚରଣ । ବିହି- ବିଧାତା, ବ୍ରହ୍ମା । ଟିକିକେ– ଅଳ୍ପକ୍ଷଣ ପରେ । ହଟି ରହି- ପଛକୁ ଘୁଞ୍ଚିଯାଇ । ଟଙ୍କଧର – ଶିବ । କିଙ୍କର – ଦାସ । ଟାଳିବ– ଅମାନ୍ୟ କରିବ । ଟଳିଛ – ପଡ଼ିଯାଇଛି, ଦୂର ହୋଇଛି । ହରଷ– ଆନନ୍ଦ । ଆନନ – ମୁଖ ।

 

୧୨। ଟାହିରେ – ଥଟ୍ଟାରେ । ପ୍ରଜାପତି – ବ୍ରହ୍ମା । ଟଙ୍କେ- ଅସ୍ତ୍ରରେ । ବିଦାରୁଛି – ଚିରି ପକାଉଛି, ତାଡ଼ି ପକାଉଛି । ମଦନ- କନ୍ଦର୍ପ । ଶରାସନ– ଧନୁର ଗୁଣ । ଟାଳି ଦେଉଛି – ପକାଇ ଦେଉଛି । ଟୋପ– ଖାତ । ମତ୍ତକାରୀ- ମତୁଆଳ ହାତୀ।

 

୧୩ । ଟାପରା- ପରିହାସ । ଟାକିରହିଛି - ଅନାଇଁ ରହିଛି । ଟେକାଇବ- ଟେକି ରଖିବ, ଯଶରଖିବ । ଛତି - ଛତ୍ର । ଟଙ୍କାରିବ– ଟାଣିବ। ଗୁଣ– ଧନୁର ଗୁଣ । ରତିପତି – କନ୍ଦର୍ପ । ଟିକାଏ- ଅଳ୍ପ । ଦନ୍ୟ – ନ୍ୟୁନ । ବଟକୁ – ବଂଶୀବଟକୁ ।

 

୧୪ । ଟୋକୀ - ଯୁବତୀ । ଟାଉଟାଉ– ତରତର , ଉଦ୍‌ବିଗ୍ନ । ସୁର ରମଣୀ– ଦେବ ସ୍ତ୍ରୀ । ଟଳଟଳ ହେବ– ଦୋହଲି ଉଠିବ । ଭୂଧର – ପର୍ବତ । ଟିକିଦିନୁ - ପିଲାଦିନରୁ । ଟହକହାସୀ– ଉଜ୍ୱଳହାସୀ । ଟବପରି- ଟଚ୍ ଶବ୍ଦକରି, ବୁଡ଼ିଯିବାର ଶବ୍ଦ ।

 

୧୫ ରେଚନା- ଗୋରଚନା । କପାଳେ – ଭାଲରେ । ଅଖିଳେ – ସମସ୍ତେ । ଟିକିଟିକି –କ୍ଷତବିକ୍ଷତ । ଟାଙ୍ଗଣା – ସୁନାକୁ ଉଜ୍ଜଳ କରିବାର ରାସାୟନିକ ଦ୍ରବ୍ୟ । ଟମକ ବଜାଇ– ଘୋଷଣା କରି । ଟପଟପଭାଷା ଭର୍ତ୍ସନା ।

 

୧୬ । ତୁରିତେ– ଶୀଘ୍ର । ବଟକୁ – ବଂଶୀବଟକୁ ।

୧୭ । ତ୍ରୈଲୋକ୍ୟ ମୋହନ– ଶ୍ରୀକୃଷ୍ଣ । ବିହି– ବ୍ରହ୍ମା । ଗମି– ଗଲେ । ହରଷେ – ବଂଶୀ ପ୍ରାପ୍ତିଜନିତ ଆନନ୍ଦ । ବିରସେ – ବିରହଜନିତ ଦୁଃଖ । ତପନଜାତୀରେ – ଯମୁନା ତୀରରେ । ବିଭ୍ରମେ – ଭ୍ରମରେ ।

 

୧୮ । ବୃଷଭାନୁସୁତା- ବୃଷଭାନୁନନ୍ଦିନୀ ଶ୍ରୀରାଧା । ବରବନିତା- ଶ୍ରେଷ୍ଠାନାରୀ । ତରସ୍ତ - ଭୟ । ରୁହାଅ ବନ୍ଦକର । ତରିବି ପାରହେବି । କାମପ୍ରେତ ଭୟ ବାରି – କନ୍ଦର୍ପରୂପକ ପ୍ରେତର ଭୟ ରୁପକ ଜଳ ।

 

୧୯। ତପନୀୟ ଗୋରୀ- ସୁନାଗୋରୀ, ଶ୍ରୀରାଧା । ବରନ- ବର୍ଣ୍ଣ ରଙ୍ଗ । ତଳ ପତଳ– ତଳେ ପଡ଼ିଥିବା । ପକ୍ୱ-ପାଚିଲା । ତୀର୍ଥ ପାବନ – ତୀର୍ଥ ପବିତ୍ରକାରୀ। ସ୍ଵଉରେ – ନିଜ ବକ୍ଷରେ । ତଦାକାର ଭାବ– ସେହି ରାଧାଙ୍କ ଆକାର ହେବା । ତରୁଣୀତିଳକ- ତରୁଣୀ ଶ୍ରେଷ୍ଠ । ସାହା – ସହାୟ ।

 

୨୦ । ତୁଳାଅଙ୍ଗୀ - ତୁଳାପରି କୋମଳାଙ୍ଗୀ, ଶ୍ରୀରଧା। ଅଙ୍ଗୀକାର – ସ୍ଵୀକାର । ସ୍ୱର୍ଗ ଅପବର୍ଗସୀମା– ମୁକ୍ତିର ଶେଷ ସୀମା । ସାର- ଉତ୍‌କୃଷ୍ଟ ଅଂଶ । ସୁଖ ପ୍ରତିମା- ଆନନ୍ଦର ପ୍ରତିମୂର୍ତ୍ତି ।

 

୨୧ । ପରଲୋକ – ପ୍ରେତଲୋକ, ଅନ୍ୟଲୋକ । ପ୍ରମଦା-- ନାରୀ। ମୁକୁଟମଣି – ମଉଡ଼ମଣି । ସୁଲକ୍ଷଣୀ - ଉତ୍ତମ ଲକ୍ଷଣ ବିଶିଷ୍ଟ ଶ୍ରୀରାଧା ।

 

୨୨। ପରମ ଦାରଣ - ଅତ୍ୟଧିକ ବିଦାରଣ । ମଦନ କାଣ୍ଡେ – କନ୍ଦର୍ପ ଶରରେ । ପିଣ୍ଡ – ଦେହ । ଉଦ୍ଦଣ୍ଡେ – ପ୍ରମତ୍ତ ଭାବରେ, ଦାରୁଣ ଭାବରେ । ପବି – ବଜ୍ର । ପତିତ ତ୍ରାଣ – ପତିତପାବନ, ପାପୀମାନଙ୍କର ଉଦ୍ଧାରକର୍ତ୍ତା ।

 

୨୩। ନୂତନା- ନବକାମିନୀ। ପରଚେ –ପରିଚିତ। ପାରଖି –ପରୀକ୍ଷା କରି।

୨୪।      ପରିଜନ-ଭୃତ୍ୟ । ଯାବକ –ଅଳତା। ମନାଇବି-ମନକୁ ସନ୍ତୁଷ୍ଟ କରିବି। ପିକଭାଷୀ-କୋକିଳ ଭାଷୀ, କୋକିଳ କଣ୍ଠୀ। ଧୀରା-ପଣ୍ଡିତା।

 

୨୫। ପୁରୁଷୋତ୍ତମ –ପୁରୁଷ ଶ୍ରେଷ୍ଠ, ଶ୍ରୀକୃଷ୍ଣ। ଭାବନା-ଚିନ୍ତା । ପରସନ୍ନେ-ପ୍ରସନ୍ନ ହୋଇ। ପୁରୁଷଶେଖର-ପୁରୁଷ ଶ୍ରେଷ୍ଠ, ଶ୍ରୀକୃଷ୍ଣ। ଭାବଭାବନେ –ଅବସ୍ଥା ଭାବି । ପତିତ- ପାପୀ । ବିରସ –ଦୁଃଖୀ ।ପଞ୍ଚବର୍ଗାଦି –କଚଟତପ ଅକ୍ଷର କ୍ରମରେ।

 

ଅଷ୍ଟଦଶ ଛାନ୍ଦ

 

୧।ନବଘନ ଶ୍ୟାମ – ନୂଆ ମେଘପରି କଳା ଶ୍ରୀକୃଷ୍ଣ । ନବୀନା – ନୂଆ। ଭାଳି – ଚିନ୍ତା କରି । ନିତବ୍ରତ – ଗୌରୀବ୍ରତ । ହର – ଶିବ । ଉମା– ପାର୍ବତୀ । ମାଧବ– ବୈଶାଖ ମାସ ।

 

୨ ।ନନ୍ଦନନ୍ଦନ-ଶ୍ରୀକୃଷ୍ଣ । ନିଷ୍ଠା- ନିୟମରେ । କାଳିନ୍ଦୀ– ଯମୁନା। ବିବସନ– ଉଲଗ୍ନ ।

 

୩।ନିରେଖି – ଦେଖି । କାଳିମା- କଳାରଙ୍ଗ । ନଳିନ – ପଦ୍ମ । ହୃଦ – ମଧ୍ୟଭାଗ ଓ ହୃଦୟ । ଶୋହଇ– ଶୋଭିତ । ଇନ୍ଦୀବର – ନୀଳକଇଁ । କୋକନଦ – ରକ୍ତପଦ୍ମ । କହ୍ଳାର – କଇଁ । ନୀଳଭ୍ରୂଭଙ୍ଗୀଭଙ୍ଗ– ନୀଳବର୍ଣ୍ଣ ଭ୍ରୁଲତାର ଭଙ୍ଗୀ ପରି ଲହରୀ । ଶଫରୀ– ଦଣ୍ଡିକିରୀ ମାଛି । ଛଟକ– ଓଲଟିବା ଗତି ।

 

୪ । ହୃଦ– ମଧ୍ୟଭାଗ । କୁଟିଳ– ବକ୍ର । ଅପାର – ବହୁତ । ରସାମୃତ- କୃଷ୍ଣ । ପଦ୍ମିନୀ- ପଦ୍ମଲତା। କୁମୁଦିନୀ- କଇଁଲତା । ନନ୍ଦନନ୍ଦନ – ଶ୍ରୀକୃଷ୍ଣ । ନାଗ- କାଳି, ସର୍ପ । ଦଳନରେ– ଦଳିବା ସମୟରେ । ନାଗର – ଶ୍ରୀକୃଷ୍ଣ, ଦିଳାସୀ। ସେହି– ଶ୍ରୀକୃଷ୍ଣଙ୍କର । ଆଚରଣ- ବ୍ୟବହାର ।

 

୫ । ଅଙ୍ଗଦାହତାପ- ଦେହର ଉତ୍ତାପ, କନ୍ଦର୍ପ ବାଧା। ନର୍ମମର୍ମଭାବେ – ସୁରତକ୍ରୀଡ଼ାର ପ୍ରକୃତ ଭାବରେ । ତନ୍ମୟ- ମଜ୍ଜିତ । କୃଷ୍ଣକର – ଶ୍ରୀକୃଷ୍ଣଙ୍କ ହସ୍ତ । ପ୍ରତେହେଲା – ଜଣାଗଲା । ନିର୍ହେତୁ, - କୌଣସି କାରଣ ନଥାଇ । ଗାତ୍ରରେ – ଶରୀରରେ । ଚେତି – ଜାଣିପାରି ।

 

୬ । ନିଷ୍ଠା-ଐକାନ୍ତିକ ଭକ୍ତି । ବନମାଳୀ– ଶ୍ରୀକୃଷ୍ଣ । ନଭସ୍ୱତେ – ପବନକୁ । ଲାଟ– ଲୁଗା। କଦମ୍ବରେ – କଦମ୍ବ ବୃକ୍ଷରେ । ନାରୀ– ଗୋପନାରୀ । ଅମ୍ବର – ଲୁଗା । ଘନସୁନ୍ଦର – ଶ୍ରୀକୃଷ୍ଣ ।

 

୭ । ନବୀନା- ନୂତନା ଗୋପୀଗଣ । ସତ୍ୱରେ– ଶୀଘ୍ର । ନିସ୍ତବଦ- ନିସ୍ତବ୍‌ଧ, ଆଚମ୍ବିତ । ଲାଟଚୋର– ବସ୍ତ୍ରଚୋର । କେହି- କିପରି । ବୋଧିବା– ବୁଝାଇବା । ତାହାକୁ- ଶ୍ରୀକୃଷ୍ଣଙ୍କୁ ।

 

୮। ହର-ଶିବ। ଗତି-ଉପାୟ। ନତି ବଚନେ –ବିନୟ ଭାଷାରେ । ପ୍ରବୋଧିବା- ବୁଝାଇବା। ତର୍ଜ୍ଜନା ଭର୍ତ୍ସନା –ଗାଳିଗୁଲଜ।

୯। ନବପଲ୍ଲବ –ନୂଆଁ କଅଁଳ ପତ୍ର। ନୂତନାମାନେ –ନବ ବୟସୀ ଗୋପୀମାନେ । ବାସ- ଲୁଗା । ନତି ମିନତି। ବେନୁପାଣି – ବଂଶୀଧର ଶ୍ରୀକୃଷ୍ଣ।

 

୧୦।ବ୍ରଜରାଜ କୁମାର – ନନ୍ଦକୁମାର ଶ୍ରୀକୃଷ୍ଣ। କୁମତି-ମନ୍ଦବୁଦ୍ଧି। ନାଟ ବସନ- ସୂକ୍ଷ୍ମ ବସ୍ତ୍ର। ଅଣଉଚିତ –ଅନୁଚିତ କାର୍ଯ୍ୟ।

୧୧। ବିବେକ ଶେଖର – ବିବେକୀ ଶ୍ରେଷ୍ଠ। ଚହଟ –ପ୍ରକାଶ । ଅବିହିତ –ଅନୁଚିତ । ଲଟ – ନବରଙ୍ଗ।

 

୧୨। ନିତମ୍ବିନୀ –କୁମାରୀ । ନରପତି ରାଜା,ନନ୍ଦରାଜା। ତଥ୍ୟ –ସ୍ଥିର । ବାଛିବ- ଦୋଷ ଧରିବ।

 

୧୩।      ବେଣୁଧର –ବଂଶୀଧର ଶ୍ରୀକୃଷ୍ଣ। ବାତ –ପବନ । ମନ୍ଦ ବିହ୍ୱଳେ –ଗର୍ବରେ ଭୋଳ ହୋଇ । ବ୍ରତବିଧି –ବ୍ରତ ନିୟମ।

 

୧୪। ଦିଗମ୍ବର ଧାରଣ- ଶିବଙ୍କ ପରି ସ୍ତନ । ଅମ୍ବର – ବସ୍ତ୍ର । ହରଗୌରୀ ଯୋଗ – ଶିବ ପାର୍ବତୀଙ୍କ ମିଳନ । ସ୍ତନ ହେଲା ଶିବ, ନାରୀହେଲେ ଗୌରୀ । ମଦନ – କନ୍ଦର୍ପ । ଘର ବୁଡ଼ିଲା - ନଷ୍ଟ ହେଲା । କନ୍ଦର୍ପର ଘର ହେଲା ନାରୀଙ୍କର ଯୌନାଙ୍ଗ, ତାହା ବୁଡିଲା ଅର୍ଥାତ୍ ପାଣିରେ ବୁଡ଼ିଲା ।

 

୧୫ । ନବୀନାମାନେ – ନବକାମିନୀ ଗୋପୀମାନେ । ଲାଜ ହରଷ ରସ - ଉଲଗ୍ନଜନିତ ଲାଜ, ଶ୍ରୀକୃଷ୍ଣ ଦର୍ଶନଜନିତ ହର୍ଷ ଓ ଆସକ୍ତିଜନିତ ରସ । ମଜ୍ଜନ - ବୁଡିଗଲେ । ଅନାୟତ୍ତ – ଆୟତ୍ତହୀନ । ବାଳୀ– ଗୋପବାଳୀମାନେ । ଛନ୍ନମନ– ବ୍ୟାକୁଳ ଚିତ୍ତ । ମର୍ମସ୍ଥାନ-ଗୋପନାଙ୍ଗ । ଆଚ୍ଛାଦି – ଆଚ୍ଛାଦନ କରି, ଲୁଚାଇ । ନେତ୍ରମୁଦି – ଆଖି ବୁଜି । ନତ ବଦନେ ମୁହଁପୋତି । ଅପଥ– ଅବାଟ । ପଥ– ବାଟ ।

 

୧୬ । ନବୀନ ସୁନ୍ଦର – ନବରୁଚିର ଶ୍ରୀକୃଷ୍ଣ । ଲାଟବାସ - ସୁକ୍ଷ୍ମବସ୍ତ୍ର । ରତିପତି- କନ୍ଦର୍ପ । ଏକକରେ – ଏକ ହାତରେ । ଓଳଗନ୍ତି – ପ୍ରଣାମ କଲେ ।

 

୧୭।      ନାଗର-ରସିକ ଶ୍ରୀକୃଷ୍ଣ । ହସ୍ତକେ –ଗୋଟିଏ ହାତରେ । କେ- କିଏ । ଦେବତା ଦେବା ଗତି –ମୁକ୍ତିଦାତା ଦେବତା। ନିଖିଳ ଦେବେଦେବ –ସର୍ବଦେବ ପୂଜ୍ୟ ।

 

୧୮।       ମୁଦିବା –ବନ୍ଦ କରିବା ।ନଗ ପତନ- ପର୍ବତ ପତନ। ନାରୀବଂଶ –କୁମାରୀମାନେ । ମହୀ –ଭୂଇଁ । ନାଟ –ଖେଳ ଓ ବସ୍ତ୍ର। ଅମ୍ବର-ବସ୍ତ୍ର।

 

୧୯। ରଙ୍ଗିମା –ଲାଲ। ଉଲ୍ଲାସ -ଆନନ୍ଦିତ । ମନାସି ମାନସିକ କରିଛି। ନିଷ୍ଠା –ନିଶ୍ଚୟ।

 

୨୦।      ନବଘନ ଧ୍ୱନି – ନୂଆ ମେଘର ଗର୍ଜନ। ନବ ଅନୁରାଗ- ନୂତନ ପ୍ରେମ । ସଞ୍ଚନ-ସଞ୍ଚୟ।

 

୨୧।      ନବଘନ ଶ୍ୟାମ- ନୂଆ ମେଘପରି ଶ୍ୟାମବର୍ଣ୍ଣ, ଶ୍ରୀକୃଷ୍ଣ । ତ୍ରିଭଙ୍ଗିମ ଠାଣି- ବେକ, ଅଷ୍ଟା ଓ ପାଦୁକା ବଙ୍କା କରି ଠିଆହେବାର ଶୋଭା । ମୁରଲୀ ମୁଖ– ମୁଖରେ ମୁରଲୀ ଧରି । ନିରକ୍ଷରକ୍ଷକ- ଅକ୍ଷରରକ୍ଷକ । ନ ପୂର୍ବାନୁପ୍ରାସ - ପୂର୍ବରେ ନ ଅର୍ଥାତ୍ 'ନ' ଅକ୍ଷର ଆଗରେ ଥାଇ ରଚନା । ନିଖିଳ ରସାନନ୍ଦରସ - ସମସ୍ତ ରସ ଓ ଆନନ୍ଦ ସ୍ଵରୂପ, ଶ୍ରୀକୃଷ୍ଣ ।

 

ଊନବିଂଶ ଛାନ୍ଦ

 

୧।ଜଗବାନ୍ଧବ ଜଗତର ବନ୍ଧୁ ଶ୍ରୀକୃଷ୍ଣ । ସାଧବଜନେ - ସାଧୁଜନେ । ସୁମନା- ଗୋପୀଗଣ । ବିମନା- ଦୁଃଖିତ । ଶ୍ରୀ ନନ୍ଦନନ୍ଦନ- ଶ୍ରୀକୃଷ୍ଣ।

୨।ଚନ୍ଦ୍ରାମୂରଡି - ଚନ୍ଦ୍ରାବଳୀ ରୂପ । ଚିନ୍ତା- ଚିନ୍ତା କରିବାରୁ । କାମ- କନ୍ଦର୍ପ । ଚିନ୍ତାଭର ଚିନ୍ତାପୂର୍ଣ୍ଣ ।

 

୩। ଗୋବିନ୍ଦ – ଶ୍ରୀକୃଷ୍ଣ । ଅରବିନ୍ଦବଦନା- ପଦ୍ମମୁଖୀ ।

୪।ଚନ୍ଦ୍ରାସଜନୀ– ଚନ୍ଦ୍ରାବଳୀର 'ସଖୀ । ରଜନୀକରମୁଖୀ– ଚନ୍ଦ୍ରମୁଖୀ, ସବ୍ୟା । କୃଶଉଦରୀ– କ୍ଷୀଣକଟି ।

୫। ରସବିଗ୍ରହ– ରସମୟ ମୂର୍ତ୍ତି । ନିଗ୍ରହ– ଉପେକ୍ଷା । ଅନୁଗତଜନ – ପ୍ରିୟଜନ ।

 

୬।ତୁମ୍ଭ ଆଶରେ– ତୁମ୍ଭ ସହିତ ମିଳନ ଆଶାରେ । ମଦନଶରେ– କନ୍ଦର୍ପଶରରେ । ସରେ – ସରୁଅଛି, କଷ୍ଟପାଉଅଛି । ତବଉତ୍ତର – ତୁମ୍ଭର ପତ୍ର । ମୋହମନ୍ତର- ମୋହ କରିବାର ମନ୍ତ୍ର ।

 

୭। ନଥିଲୁ ମଣି- ଭାବି ନଥିଲୁ । ରସିକମଣି- ରସିକଶ୍ରେଷ୍ଠ, ଶ୍ରୀକୃଷ୍ଣ । ଯୁବତୀ ପରଣ ଘେନା- ଯୁବତୀମାନଙ୍କର ପ୍ରାଣକୁ ଯେ ନିଏ ।

 

୮।      କାତର ପ୍ରେମଉତ୍ତର – କାତରତା ଓ ସ୍ନେହପୂର୍ଣ୍ଣ ପତ୍ର । ଗୁଣବତୀ- ଚନ୍ଦ୍ରାବଳୀ ।

୯।      ବୁଢ଼ୀ– ଶାଶୁ । ଆକଟ – ସାବଧାନ ଦୃଷ୍ଟି । ମହାସଙ୍କଟ – ବଡ଼ ବିଘ୍ନ । ବଟି ଠକି। ବ୍ୟାଧି ଶାନ୍ତିଛଳେ– ରୋଗରୁ ଆରୋଗ୍ୟଲାଭ କରିବା ବାହାନାରେ । ପଦ୍ମାବୁଦ୍ଧିରେ – ପଦ୍ମନାମ୍ନୀ ସଖୀର ବିଚାର ଅନୁସାରେ । ରସନିଧିରେ – ରସମୟୀ ଚନ୍ଦ୍ରାବଳୀଙ୍କୁ |

 

୧୦ । ଗଉରୀ– ପାର୍ବତୀ । ଚମ୍ପାଗଉରୀ– ଚମ୍ପକବର୍ଣ୍ଣା ଚନ୍ଦ୍ରାବଳୀ । ନିଜପୁର – ନିଜ ଘର ।

୧୧ । ଭରସା – ଆଶା, ସଠିକତା । ରସାମୋହୀ– ପୃଥିବୀକୁ ମୋହି ଦେଉଥିବା ଚନ୍ଦ୍ରାବଳୀ । ବାରେ– ଥରେ ।

 

୧୨ । ଜୀବଦାନ – ଜୀବନଦାନ, ବଞ୍ଚାଇଲୁ । ନିଦାନ – ନିଶ୍ଚୟ । ଆତୁରଛନ୍ନେ – ଉତ୍କଣ୍ଠାରେ ବିହ୍ୱଳ ହୋଇ ।

୧୩ । ଉମାବାସରେ – ପାର୍ବତୀଙ୍କ ମନ୍ଦିରରେ । ଆଶରେ – ଆଶାକରି । ମୁରଲୀଧାରୀ- ଶ୍ରୀକୃଷ୍ଣ ।

 

୧୪। ମୋଦରେ – ଆନନ୍ଦରେ ।

୧୫। ପୁରତେ– ସମ୍ମୁଖରେ । କାମ ଆରତେ- କନ୍ଦର୍ପ ପୀଡ଼ରେ । ଅଧୋବଦନେ– ତଳକୁ । ମୁହଁକରି । କମ୍ପି ମଦନେ– କନ୍ଦର୍ପ ପୀଡ଼ାରେ କମ୍ପିତ ହୋଇ ।

 

୧୬ । ଭଦ୍ରା– ଚନ୍ଦ୍ରାବଳୀଙ୍କର ସଖୀ । ନୋହୁ ଦର୍ଶନ – ରମାଙ୍କ ଦର୍ଶନ ନ ହେଉଣୁ । ଉମାପ୍ରସନ୍ନ– ଉମା ପ୍ରସନ୍ନ ହେବାରୁ । ରସିକରାଜ– ରସିକଶ୍ରେଷ୍ଠ ଶ୍ରୀକୃଷ୍ଣ ।

୧୭ ।       ଅନ୍ତର ଚିତ୍ତ-- ମନର ଭେଦ ବୁଦ୍ଧି । ସତର ବୟସୀ- ସପ୍ତଦଶ ବର୍ଷୀୟା ଚନ୍ଦ୍ରାବଳୀ ।

 

୧୮। କରୁଣାକର - ଶ୍ରୀ କୃଷ୍ଣ । ବିନତି – ବିନୟବାଣୀ । ରମଣୀ ମୁକୁଟମଣି- ରମଣୀ ଶ୍ରେଷ୍ଠ। ।

୧୯।ଗଜେନ୍ଦ୍ର ଗତି-ଗଜଗମନା । ଗତି –ମୁକ୍ତି, ଉପାୟ। ଦେଖା ଦିନରେ –ଦେଖାହେବା ଦିନଠାରୁ । ଭାବଧନରେ – ଭାବଭଙ୍ଗୀରୂପକ ଧନଦ୍ଵାର । କିଣାକିଙ୍କର – କିଣାଚାକର ।

 

୨o ।ଚତୁରବର - ଚତୁରଶ୍ରେଷ୍ଠ ଶ୍ରୀକୃଷ୍ଣ । ଆତୁର – ଉତ୍କଣ୍ଠା । ଅନ୍ତର ହେଲେ – ଛାଡ଼ି ଚାଲିଗଲେ। ସେହୁ ଦମ୍ପତି – ସେହି ଦମ୍ପତି ଚନ୍ଦ୍ରାବଳୀ ଓ ଶ୍ରୀକୃଷ୍ଣ ।

 

୨୧ ସଙ୍କେତ କୁଞ୍ଜେ –ପୂର୍ବରୁ ସଙ୍କେତ ଥିବା କୁଞ୍ଜରେ । ଆନନ୍ଦ ପୁଞ୍ଜେ- ଆନନ୍ଦ ସମୂହରେ। ରାମା-ଚନ୍ଦ୍ରାବଳୀ । ନବ ଅନୁଭବ –ନୂଆ ଅନୁଭୂତି।

 

୨୨।କରକ– ଏକହାତ। ଘନଶ୍ୟାମ– ଶ୍ରୀକୃଷ୍ଣ ।

୨୩ ।ପ୍ରସଙ୍ଗାର୍ଥରେ –ମିଳନ ପ୍ରସଙ୍ଗ ବର୍ଣ୍ଣନାରେ ।ରସ –ଶୃଙ୍ଗାରେ ରସ। ମର୍ମଜ୍ଞଧୀରେ –ତତ୍ତ୍ୱଜ୍ଞ ପଣ୍ଡିତଗଣ। ଧୀରେ –ବୁଦ୍ଧିରେ।

 

ବିଂଶତି ଛାନ୍ଦ

 

୧।ଧୀରେ – ପଣ୍ଡିତମାନେ । ଧୀରେ – ବୁଦ୍ଧିରେ । ଧୀରେ – ସ୍ଥିରଭାବରେ । ଶ୍ରୁତି – କର୍ଣ୍ଣ। ଧରଧର – ଗୋବର୍ଦ୍ଧନଧାରୀ ଶ୍ରୀକୃଷ୍ଣ।ଧରଣୀ ଶୋଭୀ– ଧରଣୀକୁ ଶୋଭିତ କରିଥିବା ଚନ୍ଦ୍ରବଳୀ ।

 

୨ । ଶତ ଶତ – ଶହ ଶହ । ଶତକୋଟି ଘାତ ଜାତ ଶର - ବଜ୍ର ପ୍ରହାର ପରି ପ୍ରହାର କରୁଥିବା ଶରସମୂହକୁ । ବାର ବାର – ବାରମ୍ବାର । ବାରଣଗମନା- ଗଜଗମନା । ମାର- କନ୍ଦର୍ପ ।

 

୩ । ଅଙ୍ଗ– ଶରୀର । କରକରଦନା – ଡାଳିମ୍ବବୀଜ ପରି ଦନ୍ତ ଯାହାର, ଚନ୍ଦ୍ରାବଳୀ । ଦର – ଭୟ ।

୪ । ସୁର ସୁର– ଶିବ । ସୁରସଦା – ରତିଦାୟିନୀ । ଭାବ ଭାବ– ଭାବନାକର । ଭାବବତୀ ଅନୁରାଗିଣୀ । ଗତି – ଆଶ୍ରୟ ।

 

୫ । ଜୀବଞ୍ଜୀବ– ଚକୋର । ଜୀବ– ପ୍ରାଣ । ବିଚନ୍ଦ୍ରେ ଚନ୍ଦ୍ର ନଥିଲେ । ଜୀବ– ମୋ ପ୍ରାଣ । ଜୀବନଜନେତ୍ରା– ପଦ୍ମନେତ୍ରା ।

୬। ସର ସରସର- ଜଳପୂର୍ଣ୍ଣ ପୁଷ୍କରିଣୀ । ଆଶାୟୀ- ଆଶା କରିଅଛି । ମୀନବତ- ମାଛପରି । ଘନଘନ- ବାରମ୍ବାର, ସର୍ବଦା । ଘନରସ ଦାୟିନୀ- ନିବିଡ଼ ରତିଦାୟିନୀ ।ରତ- ସମ୍ଭୋଗ ।

 

୭। ମନ- ମୋର ମନ । ମନ ମନ ଧ୍ୱନି– ସମ୍ଭୋଗକାଳୀନ ତୁମର ଗଦ୍‌ଗଦ ଶବ୍ଦ । ଶ୍ରବଣେ -ଶୁଣିବା ପାଇଁ । ଆନ ଆନ- ଅନ୍ୟ କଥା । ଆନନେ- ମୁଖରେ ।

 

୮। କନ କନ- ଛନ ଛନ । କନକାଙ୍ଗୀ - ସୁନାଗୋରୀ । ମୃଗୀ- ମୃଗୁଣୀ । ଦର- ଅଳ୍ପ । ଦରଗୁଣ- ଭୟ । ଦରକଣ୍ଠୀ- ଶଙ୍ଖପରି କଣ୍ଠ ଯାହାର ।

 

୯। ଜରଜର- ଜର୍ଜର, ଜୁଡ଼ବୁଡ଼ । ଜରଅନ୍ତ- ଜ୍ଵରଶେଷ । ସ୍ୱେଦ- ଝାଳ । ପରା- ପରି । ତନୁ- ଶରୀର ।

୧୦। ତରତର- ଉତ୍ସୁକ, ଉଚ୍ଛନ୍ନ । ତରଳାକ୍ଷୀ- ଚଞ୍ଚଳାକ୍ଷୀ । ବଧୂ- ବଧ କରୁଅଛୁ । ବଧୁଲି ଅଧରୀ- ବଧୁଲି ଫୁଲ ପରି ଓଠ ଯାହାର । ମୋରେ- ମୋତେ ।

 

୧୧ । ସାରସାର- ଉତ୍କୃଷ୍ଟ ପଶାସାର । ସାରସାକ୍ଷି – ପଦ୍ମନେତ୍ରୀ । କୁଚ– ସ୍ତନ । ଜାନୁ -ଜଘନ । ପାଲି- ପଶାପାଲି । ବିହି- ବିଧାତା । ବିହି ବିହିତେ- ବିଧି ଅନୁସାରେ, ଉଚିତରୂପରେ ।

 

୧୨ । ଦାନ ଦାନ- ପଶାଦାନ ପକାଇଲା ପରି ଦିଆହୋଇ । ଦାନଦକ୍ଷ- ଦାନଶୀଳା । ମାନ- ମାନିନିଆ । ମାନ ମାନସ ପଶା- ମନ ଅଭିମାନ ରୂପକ ପଶା ।

 

୧୩। ତାର- ତାରଣ କର, ତ୍ରାହିକର । ତାର- ଉଜ୍ଜଳ । ତାରପତିମୁଖ– ଚନ୍ଦ୍ରମୁଖ । ଗର ଗର ଖଣ୍ଡ ଖଣ୍ଡ । ଗରକଣ୍ଠପର- ବିଷକଣ୍ଠଙ୍କ ଶତ୍ରୁ, ଶିବଙ୍କ ଶତ୍ରୁ କନ୍ଦର୍ପ ।

 

୧୪ ଆନ- ରାଣ । ଆନ ଆନନ- ଅନ୍ୟମୁଖ । ହରି- ନାୟିକା । ହରି- ହରଣ କରି । ହରିମନ- ଶ୍ରୀକୃଷ୍ଣଙ୍କ ମନ, ମୋ ମନ । ମାନ- ଅଭିମାନ ।

 

୧୫। ଶୁଚି ଶୁଚି- ବିଶୁଦ୍ଧ ଶୃଙ୍ଗାର ରସ । ସୁଚୀରକୁ - ଝୀନ ବସନକୁ । ତେଜି- ଛାଡ଼ି । ଚିନ୍ତାଚିତା -ଚିନ୍ତାରୂପକ ଚିତାଗ୍ନି ! ଚିନ୍ତାମଣି- ବାଞ୍ଚିତ ଦାୟିନୀ । ରସ- ପ୍ରୀତିରୂପକ ଜଳ । ହର- ହରଣ କର; ନିବାରଣ କର।

୧୬। ଯାର ଯାର- ଯାହାର ଯାହାର । ଜାରପ୍ରୀତି- ପରପୁରୁଷ ସହିତ ପ୍ରୀତି । ଅନା ଅନା ଚାହଁ ଚାହଁ । ଅନାୟତ୍ତେ- ଆୟତ୍ତହୀନ ଅବସ୍ଥାରେ ।

 

୧୭। ଭାଷ ଭାଷ – କଥାକୁହ । ଭାଷଇଁ- କହୁଅଛି । ନ ଭାସଇ- ମୁଁ ଯେପରି ଭାସି ନଯାଏ । ସୁମନା- ଉତ୍ତମମନା । ସରୁ- ଶେଷ ହେଉ । ସରୁସରୂପା- କୃଶାଙ୍ଗୀ । କୃପା- ଦୟା ।

 

୧୮। ଉରୁ-ଜଘନ । ଉରୁଉରୁବଶୀ- ବଡ଼ ଉର୍ବଶୀ । ନଗ୍ନ – ନଚାଆ । ପରିବନ୍ଧେ – ସୁରତ ବନ୍ଧରେ । ହୁଁ ହୁଁ ହୁଁ ହୁଁ ହୁଁ ହୁଁ ଗାନେ– ସୁରତି ସମୟରେ ହୁଂକୃତି ଗାନ ଦ୍ୱାରା । ଅବରୋଧେ– ବାହୁପାଶରେ ବନ୍ଧନ । କର।– କର।ଅ ।

 

୧୯ । ରସ ରସ– ମୋଠାରେ ରତିକୁ ଆଦର କର । ରସନା ବଜାଇ – ଅଣ୍ଟାସୂତାକୁ ବଜାଇ । ମୋତେ କିଣ- ବିପରୀତ ରତିରେ ମୋତେ କିଣ। ବଳା ବଳା – ବଳାକୁ ରତିରେ ବଜାଅ । ବଳରାତି– ଇନ୍ଦ୍ର ।

 

୨୦। ଧନ – ହେ ଧନ, ସମ୍ବୋଧନ । ଧନ- ଧନସମ୍ପତ୍ତି । ଧନପତି ସିଦ୍ଧି – କୁବେର ଐଶ୍ୱର୍ଯ୍ୟ ବା ଧନପ୍ରାପ୍ତି । ବର – ଶ୍ରେଷ୍ଠ, ବଡ଼ । ନାକ ନାକ– ସ୍ଵର୍ଗସୁଖ । ନା କଲା ଭଙ୍ଗୀରେ – ସୁରତରେ ନାହିଁ କରିବା ଭଙ୍ଗୀରେ । ଚୂର– ଚୂର୍ଣ୍ଣ ।

 

୨୧ । ନାଗ- ରତିରେ ଲାଗ । ନାଗ– ସର୍ପମଧ୍ୟ । ନାଗବନ୍ଧ– ରତିବନ୍ଧବିଶେଷ । ଭାଜିଯିବ– ହାରିଯିବ । ମାନ – ଘେନ । ମାନ ମାନବର – ମନୁଷ୍ୟର ଗର୍ବ ।

 

୨୨ । ହାରେ – ଆହାରେଂ ସୁଖୋକ୍ତି । ହାରେ– ମାଳାକୁ । ହାରେ– ମାଳାରେ । ଭିନ୍ନ ଭିନ୍ନ ପୃଥକ୍ ପୃଥକ୍ । ଭିନ୍ନ କଳାକେଶୀ– ଦଳିତାଞ୍ଜନ କେଶୀ ।

 

୨୩ । ଧରା ଧରା– ବରାହ ଅବତାରରେ ପୃଥିବୀକୁ ଧାରଣ କରିଥିବା ଶ୍ରୀକୃଷ୍ଣ । ଧରାପରା- ଅଧୀନ ପରି । ଏ ବିଧିରେ– ଏହି ରୀତିରେ, ଏହି ପ୍ରକାରରେ । ଗୁଣି ଗୁଣି– ଭାବି ଭାବି । ଗୁଣମଣି– ଚନ୍ଦ୍ରାବଳୀ । ଗୃହିଁ ଧୀରେ– ଧୀରେ ଗୃହିଁଲେ ।

 

୨୪ । ହରି – ଇନ୍ଦ୍ରାଦି ଦେବତାମାନଙ୍କୁ । ହରି -- ଛାଡ଼ି । ହରିପଦ ଦ୍ୱନ୍ଦ୍ୱ- ଶ୍ରୀକୃଷ୍ଣଙ୍କ ପଦଯୁଗଳକୁ ।ହୃଦେ ବନ୍ତି - ହୃଦୟରେ ଚିନ୍ତାକରି । ଦିନ- ନିତିଦିନ । ଦିନ- ଦିନନେଉ । ଦୀନ ଦରିଦ୍ର ।

 

ଏକବିଂଶ ଛାନ୍ଦ

 

୧ । ସମ୍ଭୋଗରସ - ସମ୍ଭୋଗ ବର୍ଣ୍ଣନରୂପକ ଜଳ । ମହତ ମାନସ ଝସ - ମହତ୍ ଜନଙ୍କର ମନରୂପକ ମତ୍ସ୍ୟ । ମ ଅନୁପ୍ରାସ – ମ କାର ଅନୁପ୍ରାସରେ ରଚିତ ।

 

୨। ମୁରଲୀଧର – ବଂଶୀଧର ଶ୍ରୀକୃଷ୍ଣ । ମଦାଳସୀ-ଚନ୍ଦ୍ରାବଳୀ । ମଦନାବେଶେ-ମଦନ ଆବେଶରେ, କନ୍ଦର୍ପରେ ଘାରି ହୋଇ।

୩ । ମୋହନ ରାୟେ- ମୋହନ ଶ୍ରେଷ୍ଠ, ଶ୍ରୀକୃଷ୍ଣ । ଧରି – ଆନନ୍ଦସୁଚକ ଅବ୍ୟୟ । ଛିନ୍ନେ- ଉଦ୍‌ବେଗରେ । ଭଣି- କହି । ମଣ୍ଡିଲେ– ଶୋଭିତ କଲେ ।

 

୪ ।      ମଦକଳା– ମଦୋତ୍କଟା ଚନ୍ଦ୍ରାବଳୀ । ମଧୁପର ମଧୁ ଦୈତ୍ୟର ଶତ୍ରୁ , ଶ୍ରୀକୃଷ୍ଣ । କରେ - ହସ୍ତରେ । ନୀବି – ଖୋସଣୀ। ମୋକ୍ଷଣ– ଫିଟାଇବା । ଭାବି – ବିଚାରିଲେ ।

 

୫। ମନ୍ଦାକ୍ଷେ – ଲାଜରେ । ବାରଇ – ବାରଣ କଲା । ବାଳୀ- ବାଳା, ଚନ୍ଦ୍ରାବଳୀ । ମୃଣାଳ ସୂତ୍ରେ – ପଦ୍ମନାଡ଼ ମଧ୍ୟ ସୂତାରେ।ମଦୋତ୍କଟଦନ୍ତୀ-ମତ୍ତହସ୍ତୀ। ମିଥ୍ୟା ଆଗ୍ରହେ – ମିଛ ଆଗ୍ରହ ଦ୍ଵାରା ।

୬ । ମୁକ୍ତକରି – ଫିଟାଇ । ଚୀର – ବସ୍ତ୍ର । ଉରଜ– ସ୍ତନ । ମତ୍ତେ – ଉନ୍ମତ୍ତ ହୋଇ । ବନ୍ଧ – ରତିବନ୍ଧ । ମନୋଜ ବଳେ କନ୍ଦର୍ପ ବଳରେ, କନ୍ଦର୍ପ ପ୍ରଭାବରେ ।

 

୭। ମହିଳା – ଚନ୍ଦ୍ରାବଳୀ । ଅଥୟ– ଅସ୍ଥିର । ମୁଦେ– ବୁଜିଲା । କ୍ରୀଡ଼ାୟେ– ଲଜ୍ଜାରେ ! ମନାସେ– ବିଚାର କଲା । ବିହି– ବିଧାତା । ମହତ୍ତ୍ୱ– ମହତପଣ ।

 

୮ । ମନୋରମା- ସୁନ୍ଦରୀ, ଚନ୍ଦ୍ରାବଳୀ । ତ୍ରପା– ଲଜ୍ଜା । ହେଜି- ଜାଣିପାରି । ମୃଗାଙ୍କ- ଶରୀରସ୍ଥିତ ଚନ୍ଦ୍ର । ମାର ମିତ୍ର ବାଦେ– କନ୍ଦର୍ପର ମିତ୍ର ବୋଲି ବିବାଦରେ । ଭୁଷେ – ନକ୍ଷଦ୍ଵାର କ୍ଷତ କଲା ।

 

୯ । ମହିଳା – ଚନ୍ଦ୍ରାବଳୀ । ଶ୍ରବଣ ବିଳେ – କର୍ଣ୍ଣ ରନ୍ଧ୍ରରେ । ରସନା – ଜିହ୍ୱା । ମତ୍ତଭୋଳେ– ଅତ୍ୟନ୍ତ ଉନ୍ମତ୍ତ ଅବସ୍ଥାରେ ଭୋଳ ହୋଇ । ମଦାଳସୀ– କନ୍ଦର୍ପ ମଦରେ ଅଳସୀ, ଚନ୍ଦ୍ରାବଳୀ । ମଦନେ ରସି – କନ୍ଦର୍ପ ପୀଡ଼ିରେ ଆସକ୍ତ ହେଲେ ।

 

୧୦।      ମନ୍ଦାକ୍ଷ-ଲାଜ । ତୁଟିଲା-ଛାଡ଼ିଗଲା । ମୋହ ପରାୟେ-ମୂର୍ଚ୍ଛାଗତ ପ୍ରାୟ । ସୁତନୁ-ସୁନ୍ଦରୀ ଚନ୍ଦ୍ରାବଳୀ । ମାରମୂର୍ଚ୍ଛା ଶାନ୍ତିମତ-କନ୍ଦର୍ପଜନିତ ମୋହ ଛାଡ଼ିବା ରୀତି । ମୋହନ କୃତ- ଶ୍ରୀକୃଷ୍ଣ କଲେ ।

 

୧୧।      ଚୁଚୁକେ- ସ୍ତନ ଅଗ୍ରରେ । ମର୍ଦ୍ଦି-ମର୍ଦ୍ଦନ କଲେ । ନିତମ୍ୱ- ପିଚା । କରଳେ- ଏକ ହାତରେ । ମୁଖବାୟୁ- ମୁଖରେ ଫୁଙ୍କିବା ଦ୍ୱାରା ପବନ । ଶ୍ରୁତିବିଳେ- କର୍ଣ୍ଣ ରନ୍ଧ୍ରରେ ।

 

୧୨।      ମୁଷ୍ଟିକ- ମଠାକୁ । ଫେରାଣ- ପକାଇବା । ମୂର୍ଦ୍ଧାଘ୍ରାଣ- ମୁଣ୍ଡକୁ ଶୁଙ୍ଘିବା ! ମୃଗାଙ୍କକୁ- ଶରୀରସ୍ଥ ଚନ୍ଦ୍ରକୁ । ଥୟ-ସ୍ଥିର । ମୃଗାଙ୍କ ଛଳେ- ଚନ୍ଦ୍ର ଛଳନାରେ ।

 

୧୩।      ନାନାବନ୍ଧ ମତେ- ବହୁ ପ୍ରକାର ବନ୍ଧରେ । ମତ୍ତେ- ଉନ୍ମତ୍ତ ଭାବରେ । ମନ୍ମଥ ଶବଦ- କନ୍ଦର୍ପ କ୍ରୀଡ଼ା ଶଦ୍ଦ ।

୧୪।      ସୀତ୍କାର ବିକାର- ଇଷି ପ୍ରଭୃତି ବିକାର । ଅନିର୍ବାର- ଅନିବାରିତ । ମର୍ଷଣ- ପରାଜୟରେ । କେଳତିପତି- କନ୍ଦର୍ପ । ମୁଦ- ଆନନ୍ଦିତ ହେଲେ ।

 

୧୫।      ମନ୍ଦାକ୍ଷ- ଲାଜ । ବସନ ସଙ୍ଗେ- ବସ୍ତ୍ର ସହିତ । ରାମା- ସ୍ତ୍ରୀ, ଚନ୍ଦ୍ରାବଳୀ । ବାଳୀ- ଚନ୍ଦ୍ରାବଳୀ । ମଥାନତ କରି- ମଥା ନୁଆଁଇ । ମରନବ୍ରତ- ନୀରବ ରହିଲେ ।     

୧୬।      ମୋହନା– ମୋହନାଶକାରିଣୀ । ଚନ୍ଦ୍ରାବଳୀ। ରତାନ୍ତ ଭାତି – ରତି ଶେଷର ଶୋଭା । ଗ୍ରୀଷ୍ମରୀତି– ଗ୍ରୀଷ୍ମକାଳର ଅବସ୍ଥା ପରି । ମିତ୍ର କର ଜ୍ଵାଳା– ସୂର୍ଯ୍ୟକିରଣ ଦୀପ୍ତି । ମିତ୍ରକର ଜ୍ୱାଳା – ଗ୍ରୀଷ୍ମରେ ଓ ମିତ୍ର ଶ୍ରୀକୃଷ୍ଣଙ୍କର ନଖକ୍ଷତ ପୀଡ଼ା । ମରୁତେ – ବାୟୁରେ । ମତି – ମନ ରହିଲା ।

 

୧୭ । ମଲିମୁଖେ ବିକଶିତ – ମଲି ଶବ୍ଦ ମୁଖରେ ପ୍ରକାଶିତ ହେଲା, ଗ୍ରୀଷ୍ମ ଋତୁର ଆରମ୍ଭରେ ମଲ୍ଲୀଫୁଲ ପ୍ରଥମେ ଫୁଟିଥାଏ । ମହାସ୍ୱେଦ – ଅଧିକ ଝାଳ । ରଞ୍ଜିତ – ବ୍ୟାପ୍ତ । ମୋକ୍ଷ ହେଲେ– ଝଡ଼ିପଡ଼ିଲେ । ପତ୍ରାବଳୀ- ପତ୍ରସମୂହ, ଚନ୍ଦନଚିତା, ମକରିକ ପ୍ରଭୃତି । ମିଥୁନ– ସ୍ତ୍ରୀ ପୁରୁଷ ସଂଯୋଗ । ସଳି- ଶତ୍ରୁ, ଶଲ୍ୟ । ପତ୍ରାବଳୀ– ସ୍ତନାଦିରେ ଚିତ୍ର ରଚନା । ମୋକ୍ଷ ହେଲେ– ଲିଭିଗଲେ । ମିଥୁନ– ସ୍ତ୍ରୀ ପୁରୁଷ ମିଳନର । ସଳି – ଶତ୍ରୁ ।

 

୧୮ । ମହତ୍ତ୍ୱ ଗଣ୍ଡ ଖଣ୍ଡନ – ଗଣ୍ଡର ମହତ୍ତ୍ୱ ଖଣ୍ଡନ, ଜଳର ଗଭୀରତା ହାନି । ମଣ୍ଡିବା ଚାନ୍ଦନୀ ମନ– ମନ ତୋଷ କରେ । ଗଣ୍ଡ ଖଣ୍ଡନ-– ଗାଲରେ ଦନ୍ତକ୍ଷତ । ମହତ୍ତ୍ୱ – ଗଣ୍ଡର ମହତ୍ତ୍ୱ ବା ଶୋଭା ଖଣ୍ଡନ କଲା । ଚାନ୍ଦନୀକୁ– ଜହ୍ନ ରାତିକୁ । ମଣ୍ଡିବା – ନିଜ ଦ୍ଵାରା ଶୋଭିତ କରିବାକୁ, ଅର୍ଥାତ୍ ସେଠାରେ ବିଶ୍ରାମ କରିବାକୁ ମନ ବଳିଲା । ମର୍ଯ୍ୟାଦା – ଅବସ୍ଥା । ମାଧବ– ଶ୍ରୀକୃଷ୍ଣ ।

 

୧୯। ମଧୁକାଳ– ବସନ୍ତ ଅର୍ଥାତ୍ ଶୋଭିତ । ବେଶେ- ବେଶ କରିବା ଦ୍ଵାରା। ମହାଉଲ୍ଲାସେ– ଅତ୍ୟନ୍ତ ଆନନ୍ଦରେ ।

୨୦। ମରମ ପରମ ପ୍ରୀତି– ଅନ୍ତଃକରଣର ଗାଢ଼ ଅନୁରାଗ । ମୂଳ– ସ୍ଥିର । ମଲ୍ଲମାତେ– ଗୋବର୍ଦ୍ଧନ ମଲ୍ଲର ମାତା ଭାରୁଣ୍ଡାଙ୍କୁ । ମେଲାଣି– ବିଦାୟ ।

 

୨୧। ମଲ୍ଲନଗରେ – ଗୋବର୍ଦ୍ଧନ ମଲ୍ଲଙ୍କ ନଗରରେ । ବଧୂ – ବୋହୂ । ମହାନିରୁଜ– ଉତ୍ତମ ଭାବରେ ରୋଗଶୂନ୍ୟ ।

୨୨। ମହାମାୟା- ଗୌରୀ, ଅମ୍ବିକା । ମଦକଳା – ମଦମତ୍ତା ଚନ୍ଦ୍ରାବଳୀ । ବ୍ୟାଧି- ରୋଗ ।

 

୨୩। ନିଷେଧ– ବାରଣ । ମୂଳକରି – ନିଷ୍ଠାର ସହିତ । ମିତଣୀଜାଳେ – ସଖୀ ସମୁହଙ୍କୁ ।

୨୪। ମନଘେନା- ମନକୁ ଘେନିବା ଭଳି । ମଦନା – ଜଣେ ସଖୀ ।

 

୨୫। ମହାଶୋଭା– ଅତ୍ୟନ୍ତ ସୁନ୍ଦରୀ । ମାଧୁର୍ଯ୍ୟେ – ମନୋହରଣରେ । ସୁରସସିନ୍ଧୁ ରସସାଗର ସ୍ଵରୁପା ମଧୁସୂଦନ – ଶ୍ରୀକୃଷ୍ଣ । ମହାପ୍ରବଳ– ଅତ୍ୟନ୍ତ ବଳଶାଳୀ ।

 

୨୬। ମଲ୍ଲ- ଗୋବର୍ଦ୍ଧନ ମଲ୍ଲ । ମାନିନୀ- ମାନମୟୀ ଚନ୍ଦ୍ରାବଳୀ । ମିଳିବେ– ମିଳିତ ହେବେ । ମାୟାଭୀମନେ– ମାୟାରେ ମନରେ ଭୀତି ଜାତ ହେଉଅଛି ।

 

୨୭ । ମଲ୍ଲମାତା- ଭାରୁଣ୍ଡା । ବାକ୍ୟ ଦତ୍ତ – ବାକ୍ୟ କହିଲା । ଇଙ୍ଗିତେ- ପରିହାସ କରିବାରେ । ମୁକୁନ୍ଦ – ଶ୍ରୀକୃଷ୍ଣ ।

୨୮। ଆନରୀତ –ଅନ୍ୟ ମନ୍ଦ ଆଚରଣ। ମାନ –ସମ୍ମାନ ଦ୍ରୋହ-ଅନିଷ୍ଟ।

 

୨୯। ମହତ୍ତ୍ୱ -ବଡ଼ପଣିଆ । ମଧ୍ୟମ- ଚାଟୁକଥା। ଆଚାର-ଆଚରଣ। ମୁଦ ହୋଇଲେ-ଆନନ୍ଦିତ ହେଲେ ।

୩୦। ମହୋତ୍ସବରେ – ଅତି ଉତ୍ସବରେ । ମହାମାୟା- ଗୌରୀ । ଛଳେ– ବ୍ୟାଜରେ ।

 

୩୧। ମୁରଜିତ- ଶ୍ରୀକୃଷ୍ଣ । ତ୍ରିଭଙ୍ଗୀୟ- ତ୍ରିଭଙ୍ଗଠାଣିଆ ମୁରଲୀ ମୁଖ– ବଂଶୀବଦନ । ରଙ୍ଗୀୟା- ରଙ୍ଗରସ ନିପୁଣ । ମଧୁମଙ୍ଗଳ ସଙ୍ଗୀୟା– ମଧୁମଙ୍ଗଳ ସଙ୍ଗରେ ଯେ ଥାଆନ୍ତି। ମାନଭଙ୍ଗୀୟା– ମାନଭଞ୍ଜନକାରୀ ।

 

୩୨ । ମନମତ ମୋହନୀୟ- ମଦନମୋହନ । ମହାସୁଖ ସଦନୀୟ– ପରମ ସୁଖର ସ୍ଥାନ । ମରକତ ପିତୁଳୀୟ– ନୀଳମଣିର ପିତୁଳାପରି ସୁନ୍ଦର । ମିତ୍ରମେଳୀୟା– ମିତ୍ରଙ୍କ ମେଳରେ ଯେ ଥାଆନ୍ତି ।

 

୩୩ । ମୟୂର ଚୂଳୀୟା- ମୟୂରଚନ୍ଦ୍ରିକା ଯେ ଚୂଳରେ ପିନ୍ଧିଥାଆନ୍ତି । ମହାନନ୍ଦ – ପରମ ଆନନ୍ଦ । ସଦାଦିନ– ସବୁଦିନ । ମହାନ୍ତେ– ମହାପୁରୁଷମାନେ । ଘେନ – ଗ୍ରହଣ କର ।

 

Unknown

ଦ୍ୱାବିଂଶ ଛାନ୍ଦ

 

୧। ଧୀରେ – ପଣ୍ଡିତମାନେ । କୃଷ୍ଣରସ ବାଣୀ- ଶ୍ରୀକୃଷ୍ଣଙ୍କ ସମ୍ବନ୍ଧୀୟ ରସପୂର୍ଣ୍ଣ ବାଣୀ । ସୁଧା- ଅମୃତ । ଆଣି- ଟେକ। ଗୁଣଶ୍ରେଣୀ– ଗୁଣସମୂହ । ଆଣି– ଧୈର୍ଯ୍ୟ

 

୨ । କାମ – କନ୍ଦର୍ପ । ଜପାମାଳିକି – ଶ୍ରୀକୃଷ୍ଣ ସବୁବେଳେ ଗୋପୀଙ୍କ ବିଷୟ ମାଳି ଜପିବା ପରି ଚିନ୍ତା କଲେ ।

୩ । ଗିରିଧାରୀ- ଶ୍ରୀକୃଷ୍ଣ । ନାଗରେନ୍ଦ୍ର – ନାଗର ଶ୍ରେଷ୍ଠ । କି– କାହିଁକି ।

 

୪ । କୋଟି କାମ ଶୋଭା – କୋଟିଏ ବା ଅସଂଖ୍ୟ କନ୍ଦର୍ପର ସୌନ୍ଦର୍ଯ୍ୟ । ଉଣା– କମ୍ । ଯହିଁକି – ଯାହାକୁ । ତନୁ– ଶରୀର । କଳାନିଧି-ଚନ୍ଦ୍ର। ବିରସ ବିଧିକି- ଦୁଃଖିତ ପ୍ରକାରକୁ ।

 

୫ । ଅତନୁ ବ୍ୟାଧି– କନ୍ଦର୍ପ ପୀଡ଼ା କଉଁ – କେଉଁ । ରସନିଧିକି- ରସବତୀକୁ । ମଦନ ବାଇକି– କନ୍ଦର୍ପ ରୂପକ ବାତୁଳ ପାଇଁ ।

୬ । ରମା- ଲକ୍ଷ୍ମୀ । ଧୃତି – ଧେର୍ଯ୍ୟ । ମୋହିଲା – ମୁଗ୍‌ଧ କଲା, ମୋହପାଶରେ ଆବଦ୍ଧ କଲା ।

 

୭। ବ୍ରଜରମଣୀ ଗୋପୀ। ଆଣି– ଟେକ। ପବି-ଆଣିକି ବ୍ରଜର ଟାଣପଣକୁ ।

୮। ଛଇଳୀ– ସୁନ୍ଦରୀ । ଭଳି – ପରି ।

 

୯। ଦେବବାମଧୀ– ଦେବବାଳାମାନଙ୍କ ମନ । ଅଙ୍ଗନା – ସ୍ତ୍ରୀ । ମଣ୍ଡିବ– ମଣ୍ଡନ କରିବ, ଲଗାଇବ । ମଉଳି – ମସ୍ତକ ।

୧୦।      ତ୍ରିବିଜ-କ୍ଳୀଂ, ଶ୍ଳୀଂ, ହ୍ଳୀଂ, ବା କ୍ଳୀଂ, ପ୍ଳୀଂ, ଧ୍ଳୀଂ । କୁସୁମବାଣାୟ ନମୋ-ଏତିକି ମନ୍ତ୍ର। ଭେଳିକି –ପରାକ୍ରମ । ଅବଳା ବଳ କି-ଅବଳାର ବା ବଳ କେତେ।

 

୧୧ । କାମବୀଜ– କ୍ଳୀଂ । ନାରୀନାମ ଯେତିକି- ନାରୀର ନାମ ଯେତିକି ଅକ୍ଷର । ତେତିକି – ତହିଁରେ । କାମ ଅଷ୍ଟାକ୍ଷରୀ– କାମର ଅଷ୍ଟାକ୍ଷରୀ ମନ୍ତ୍ର, କୁସୁମବାଣାୟ ନମଃ । ରହିବେ ନାରୀକି ନାରୀମାନେ କ’ଣ ରହିପାରିବେ ? ଅର୍ଥାତ୍ ନାରୀମାନେ ବଶୀଭୂତା ହେବେ ।

 

୧୨। କାମ ଜଗନ୍ମୋହ ମନ୍ତ୍ର – କନ୍ଦର୍ପର ଜଗତକୁ ମୋହି ଦେବାରୁ ଏହି ମନ୍ତ୍ର । ରୀତିକି –ପ୍ରୟୋଗକୁ । ଅସାଧ୍ୟ– ଅସାଧ୍ୟ ହେବେ କି ? ପବି – ବଜ୍ର ।

 

୧୩ । ଆଜୀ - ଆଈ, ପୂର୍ଣ୍ଣମାସୀ । ଦିବ୍ୟବାଣୀ- ମନୋହର ବାଣୀ, ଶ୍ରେଷ୍ଠ ବାଣୀ।

୧୪। ବୋଧି- ବୋଧ ଦେଇ । ଭଗବତୀ- ପୁର୍ଣ୍ଣମାସୀ । ଜିଶୋରୀ- ଶ୍ରୀରଧା। ଭାବରେ – ପ୍ରେମରେ । ହଳିପ୍ରିୟ କତିକି – କଦମ୍ବ ନିକଟକୁ । ବିଜୟେ – ଗଲେ । ପରଖିବାକୁ- ପରୀକ୍ଷା କରିବାକୁ ।

 

୧୫ । କ୍ଷିତିକି ଜଗତକୁ । କେକୀଚନ୍ଦ୍ରକ- ମୟୂର ପୁଚ୍ଛ । ଚୂଡ଼ା– ଜୁଡ଼ା । ସଙ୍ଗତିକି- ସଙ୍ଗକୁ । ମାନିଛି – ଶୋଭା ପାଉଛି । କାହିଁକି – କାହା ସହିତ ।

 

୧୬ । ଗୁଞ୍ଜରାପାଟି - ଗୁଞ୍ଜର ପୋକର ଖୋଳପାରେ ତିଆରି ମାଳା । ଅଳକାବଳୀ– ଚୂର୍ଣ୍ଣକୁନ୍ତଳ ସମୂହ । ମକରକୁଣ୍ଡଳ– ମଗରାକୃତି କୁଣ୍ଡଳ । ଗଣ୍ଡିସ୍ଥଳୀକି- ଗାଲକୁ । ଶୋହଇ – ଶୋଭା ପାଉଛି । ଘନଶ୍ୟମକାନ୍ତି- ମେଘପରି କୃଷ୍ଣବର୍ଣ୍ଣ ଶ୍ରୀକୃଷ୍ଣଙ୍କର ଶୋଭା । ସୁରଆଖି – ଦେବତାମାନଙ୍କର ଆଖି ଗତିକି– ମୋକ୍ଷକୁ ।

 

୧୭। ନାସେ – ନାକରେ । ଚାରୁ- ସୁନ୍ଦର । ଛବିକି – ଶୋଭାକୁ । ଅନ୍ଧ – ଅବିବେକ । ଲକ୍ଷ୍ୟଦେବ – ତୁଳନା କରିବ । କବିକି – ଶୁକ୍ର ତାରାକୁ । କଦମ୍ବ... ସ୍ଥଳିକି – କଦମ୍ବ, ପଦ୍ମ ଓ ମୋତିମାଳା ଶ୍ରୀକୃଷ୍ଣଙ୍କ ବକ୍ଷସ୍ଥଳରେ ରହି ନିଜେ ନିଜେ ଶୋଭା ପାଇଲେ।

 

୧୮ । ପୀତବାସ – ହଳଦିଆ ଲୁଗା । ପରିପାଟୀ– ଭଙ୍ଗୀ । ଉଦ୍ଧରି ଧରିଛି – ଟେକି ଧରିଛି । କ୍ଷୀଣକଟି – ସରୁଅଣ୍ଟା । ସୁବେଶ – ସୁନ୍ଦର ବେଶ । ସାର ଶୋଭା କୁଟୀ– ଉତ୍କୃଷ୍ଟ ଶୋଭାର ସ୍ଥାନ । କୋଟି ପାଟି– ଅସଂଖ୍ୟ ମୁଖ।

 

୧୯ । ତ୍ରିଭଙ୍ଗୀଠାଣି- ତ୍ରିଭଙ୍ଗୀ ଶୋଭା । ହରରମଣୀ- ପାର୍ବତୀ, ଅଧରେ – ଓଷ୍ଠରେ।ହାସୋପମା-- ହାସର ତୁଳନା। ଅନୁରଗ ସୁଧା- ପ୍ରୀତିର ଅମୃତ ।

 

୨୦ । ମୋହ ମାଦକ- ମୋହିତ କରିବା ଓ ଉନ୍ମତ୍ତ କରିବା । ବାଦଶ- ବଂଶୀ ବଜାଇଲେ । ଗୁରୁସ୍ୱର – ମନୋମୁଗ୍‌ଧକର ସ୍ୱର । ମାରଶର - କନ୍ଦର୍ପର ଶର । ଘୋଟି- ବ୍ୟାପିଗଲା ।

 

୨୧ । ପ୍ରତେ– ପରତେ ହେଲା । ଦିଗଦନ୍ତୀ– ଐରାବତ ପ୍ରଭୃତି ଦଶଦିଗର ହାତୀ । ନାଗେ – ସର୍ପମାନଙ୍କୁ । ଖଗପତି– ଗରୁଡ଼ । ସୁଦର୍ଶନ ଗତି – ସୁଦର୍ଶନ ଚକ୍ରର ପ୍ରୟୋଗ ।

 

୨୨। ଶତକୋଟି – ବଜ୍ର । ଗିରି - ପର୍ବତ । ସୁରପୁରୀ- ସର୍ଗ । ପ୍ରକାଶେ ପ୍ରକାଶ କଲା । ଅଲୌକିକ ଶକ୍ତି – ଅସାଧାରଣ ଶକ୍ତି । ବଂଶୀ ଉକ୍ତି – ବଂଶୀସ୍ଵନ।

 

୨୩। ଟେକେ – ଉଠଏ । ଉଜାଣି ଉପରକୁ, ବିପରୀତ ଦିଗକୁ । ପଥରେ – ପଥର ସବୁ । ଦ୍ରବିଲେ– ତରଳିଗଲେ । ବଳିପାଣିକି – ପାଣିଠାରୁ ବଳି । ସ୍ଥକିତ – ଥକା । ଜୀବପନ୍ତି- ସମସ୍ତ ପ୍ରାଣୀ । ଶୁଷ୍କତରୁ- ଶୁଖିଲା ଗଛ । ଯୋଗ୍ୟ ଜୀବଗତିକି – ଜୀବନ ଲାଭ କଲେ।

 

୨୪ । ଶିଥିଳତା– ହୁଗୁଳା । ଗାଢ଼ ନୀବୀ – ଟାଣ ଖୋସଣି । ଦମ୍ଭପବି – ଧୈର୍ଯ୍ୟରୂପକ ବଜ୍ର । ସ୍ଥକିତ – ସ୍ଥିର । ରବି– ସୂର୍ଯ୍ୟ । ଦିବିଚରେ – ସ୍ଵର୍ଗର ଦେବତାମାନେ । ଗତିକଲେ – ଆସିଲେ । ଭୂବିକି – ମର୍ତ୍ତ୍ୟକୁ । ।

 

୨୫ । ଆଗ- ପ୍ରଥମରେ । ଯୁବାରମଣୀଙ୍କି - ଯୁବତୀମାନଙ୍କୁ । ବିବେକ - ବିଚାରଶକ୍ତି । ଫିଙ୍ଗାଇଲା - ପକାଇଦେଲା । ମଣିଲେ- ମନେକଲେ । କାମଜଳଧି- କନ୍ଦର୍ପର ସମୁଦ୍ର।

 

୨୬। ବ୍ରହ୍ମାଣ୍ଡାବଳୀ- ସମଗ୍ର ବ୍ରହ୍ମାଣ୍ଡ । ନାଗରୀ- ଯୁବତୀମାନେ । ପାରିବେ ବଳି କି- ବଳିଯାଇ ପାରିବେ କି । ଦହେ - ଦହନ କରିଦିଏ, ଜାଳିପୋଡ଼ି ଦିଏ । ସପତ ସ୍ୱରରେ – ସାତସ୍ୱରଯାକରେ । ବର୍ତ୍ତି- ବଞ୍ଚି ।

 

୨୭ ମୋହନ ବଂଶୀଧାରୀ- ମୋହନ ବଂଶୀଧାରଣ କରିଥିବା ଶ୍ରୀକୃଷ୍ଣ । ରାଧାମୋହନ- ରାଧାଙ୍କୁ ଯେ ମୋହିତ କରିଛନ୍ତି, ରାଧାପତି । ବ୍ରଜବିହାରୀ- ବ୍ରଜରେ ଯେ ବିହାର କରିଛନ୍ତି, ଶ୍ରୀକୃଷ୍ଣ । ପାତକୀ- ପାପୀ । ଭାବେ – ଭାବନାରେ । ଚିତ୍ତ- ମନ ।

 

ତ୍ରୟୋବିଂଶ ଛାନ୍ଦ

 

୧। ଧୀରେ- ପଣ୍ଡିତମାନେ । ଧୀରେ- ସ୍ଥିର ଭାବରେ । କିଶୋରୀ- ଶ୍ରୀରାଧା । ବିରସ - ଦୁଃଖିତା । କରି ପଟରେ ସଞ୍ଚିତ ଚିତ୍ତ- ଚିତ୍ରପଟରେ ମନଦେଇ । ହର- ଶିବ । ହର- ହରଣ କର । ବେଦନା- ଦୁଃଖ । ସୁବଦନା - ସୁମୁଖୀ, ଶ୍ରୀରାଧା । ଚିତ୍ର ପୁଂସ - ଚିତ୍ରରେ ଥିବା ପୁରୁଷ । କାନ୍ତ- ସୁନ୍ଦର । କାନ୍ତ- ପତି ।

 

୨। ଦର୍ପ- ଗର୍ବ। ଦର୍ପକ- କନ୍ଦର୍ପ। କାର୍ମୁକ – ଧନୁ । ଅବଧ– ଅବଧ୍ୟ । ବରବରନା– ସୁନ୍ଦରୀ ନାରୀ । କାରଣ ନିବାରଣ – ନିବାରଣ ବା ଦୂର କରିବାର ହେତୁ । ଆନ– ଅନ୍ୟ । ବିବୁଧ ବୁଧ– ଦେବତା ଓ ପଣ୍ଡିତଗଣ ।

 

୩ । ମଜ– ମନୋଜ, କନ୍ଦର୍ପ । ମହିଳା- ଶ୍ରୀରାଧା । ଚିତ୍ତ- ମନ । ନିଜର – ନିଶ୍ଚୟ ।ଜଇବାତୃକର– ଚନ୍ଦ୍ରର । ଆଶାୟୀ– ଆଶାପୋଷଣକାରୀ । ଜୀବଞ୍ଜୀବ- ଚକୋର ।

 

୪। ସାର-ଶ୍ରେଷ୍ଠ । ସାରସଲପନ– ପଦ୍ମମୁଖ। ଚିତ୍ର- ଶ୍ରୀକୃଷ୍ଣଙ୍କର ଚିତ୍ର । ଉବ୍ଦୀପନ-କନ୍ଦର୍ପର ଉଦ୍ଦୀପନା। ଘନଘନ- ବାରମ୍ୱାର । ତା ରସେ – ସେହି ଶ୍ରୀକୃଷ୍ଣଙ୍କ ରତିରେ । ତାର – ତ୍ରଣ କର । ଗିଆନ – ଜ୍ଞାନ । ହେବ ଆନ– ଅନ୍ୟଥା ହେବ, ବୁଡ଼ିଯିବ ।

 

୫ । ଭାଷ ଭାଷନ୍ତେ ଏସନ– ଏହି କଥା କହିବା ସମୟରେ । ସ୍ଫୁରେ ବଂଶୀସ୍ଵନ – ବଂଶୀସ୍ଵନ ପ୍ରକାଶ ପାଇଲା, ଶୁଭିଲା । ଶ୍ରବଣେ– ଶୁଣି। କାତରତର– ଅତ୍ୟନ୍ତ କାତର । ମାର ମାରଣା- କନ୍ଦର୍ପ ଘାତକ । ତରଜି– ଚଦି କରି । ମରମର– ହୃଦୟର ।

 

୬ । ଧୀର ଧୀର – ବୁଦ୍ଧିର ସ୍ଥିରତା । କର କର ଶ୍ରୀ ରଦନା- ଡାଳିମ୍ବ ବୀଜ ପରି ଶୋଭିତ ଦନ୍ତ ଯାହାଙ୍କର, ଶ୍ରୀରଧା। କରେ ନିବେଦନା – ଜଣାଇଲା । ଅପ୍ରମିତ – ଅକଳନୀୟ ।

 

୭। ନିବୀ ନିବିଡ଼ ବନ୍ଧନ – ନାଭି ସ୍ଥଳର ଶାଢିର ଗାଢ଼ ବନ୍ଧନ । ଦର – ଭୟ । ଫୁଲଶର - କନ୍ଦର୍ପ ।

 

୮।      ଅଙ୍ଗ – ଶରୀର । ଅଙ୍ଗନାର – ଶ୍ରୀରଧାଙ୍କର । ନସ୍ଫୁରେ – ପ୍ରକାଶିତ ହେଲା ନାହିଁ ।ସଙ୍ଗୀର – ସଖୀର । ଗିର– ବଚନ, କଥା। ଭାଲେ କରମାରି- ମଥାରେ ହାତଦେଇ । ଗତି- ରକ୍ଷା । ଶଙ୍କର – ଶିବ।

 

୯ । ଆଳୀ ଆଳିଏ– ସଖୀମାନେ । ଏରୂପ– ଏପରି । ଅପଖ୍ୟାତି – ନିନ୍ଦା । ଖ୍ୟାତି ପ୍ରକାଶିତ । ନୀର– ଲୋତକ । ନିରତରେ – ଅବିରତ, ସର୍ବଦା । ନ ମଜ୍ଜା-ବୁଡ଼ାଇ ଦିଅ ନାହିଁ । ସୁମତି– ଉତ୍ତମ ମତି ବିଶିଷ୍ଟା ଶ୍ରୀରାଧା । ମତି– ମନ ।

 

୧୦ । ତନୁ – ଶରୀର । ତନୁ – କ୍ଷୀଣ। ଚିନ୍ତା ଚିତା– ଚିନ୍ତାରୂପକ ଅଗ୍ନି । ବାରି – ଛାଡ଼ି, ବାରଣ କରି । ବାରିଜମୁହୀଁ– ପଦ୍ମମୁଖୀ, ଶ୍ରୀରାଧା । ତାରନ୍ତା– ତ୍ରାଣକର୍ତ୍ତା, ରକ୍ଷାକର୍ତ୍ତା ।

 

୧୧ । ଭାବି-– ଭାବନା କରି । ଭାବିନୀ- ଶ୍ରୀରାଧା । ନିରତ- ସର୍ବଦା । ଆରତ- ଦୁଃଖ । ଗଜଗତି– ଗଜଗାମିନୀ, ଶ୍ରୀରାଧା । ଗତି – ଉଦ୍ଧାର, ରକ୍ଷା । ଲୋକେ – ସଂସାରରେ । ଲୋକେଶ- ବିଧାତା, ରାଜା । ବିପକ୍ଷ ପ୍ରତିକୂଳ, ବିରେଧୀ । ପକ୍ଷ – ସହାୟ । ଶ୍ରୁତି- ବେଦରେ । ଶ୍ରୁତି– କର୍ଣ୍ଣରେ ।

 

୧୨ । ଦିନ ଦିନକୁ- ଦିନକୁ ଦିନ । ଦୀନ- ଦୁଃଖିତ । ବ୍ୟାକୁଳ କୁଳ– ବ୍ୟାକୁଳତା ସମୂହ । ସୁଲକ୍ଷଣୀ– ଉତ୍ତମ ଲକ୍ଷଣ ବିଶିଷ୍ଟ ଶ୍ରୀରାଧା ନୀରରେ- ଜଳରେ । ବିକଳ କଳ– । ବିକଳ ଧ୍ୱନି ।

 

୧୩ । ଭାବି – ଭବିଷ୍ୟତକୁ । ଭାବିନୀ କରମେ – ଭାବମୟୀ ଶ୍ରୀରଧାଙ୍କ କପାଳରେ । ଭରମେ– ଭ୍ରମବଶତଃ । ବିହି– ବିଧାତା । ବିହି- ବିଧାନ କରି । ପ୍ରିୟ– ପତି । ପ୍ରିୟ-ପ୍ରୀତି ।

 

୧୪।      ପାଞ୍ଚ – ବିଚାର କର । କିତ- କଅଣ । କିତବ – କପଟ । ବିଦ୍ୱେଷୀ ନାରୀର – ନାରୀର ଦ୍ୱେଷୀ । ବିଦେଶୀ-– ଅନ୍ୟ ଦେଶର ଲୋକ । ଆଗତ – ଆସିଛନ୍ତି । କାହିଁରୁ ଋଷି– କେଉଁ କାରଣରୁ କ୍ରୋଧ କରି । ଋଷି – ମୁନି ।

 

୧୫ । ଶୁର – ବୀର । ସୁର – ଦେବତା । ଅସୁର ଘେନାକି – ପ୍ରାଣ ସଂହାରକ । ଅସୁର – ରାକ୍ଷସ । ନାଗ– ସର୍ପ । କିନ୍ନର – କିଂ ପୁରୁଷ । ନର – ମନୁଷ୍ୟ । ଆଲୋକ- ଦର୍ଶନ । ଅସାର – ମନ୍ଦ । ସାର – ଉତ୍ତମ ।

 

୧୬ । ସହୀ ସହିତେ– ସଖୀମାନଙ୍କ ସଙ୍ଗରେ । ପ୍ରସନ୍ନମୁହଁ – ହର୍ଷମୁଖୀ ଶ୍ରୀରାଧା। ଧରମ ଭରସା– ଧର୍ମ ଆଶ୍ରୟ । ନିକଟେ – ଅଳ୍ପକାଳ ମଧ୍ୟରେ । ସୁରସାଳୟା-ଉତ୍ତମରସର ଆଳୟା । ଶିବ– ମହାଦେବ । ଶିବ– ମଙ୍ଗଳ ।

 

୧୭ । ଆଜନ୍ମ ସୁଖିରେ- ରେ ଆଜନ୍ମସୁଖି ରାଧା ବା ଶ୍ରୀକୃଷ୍ଣ । ବର ବର – ବରଣ କର । ତୁଳା ତୁଳାଅଙ୍ଗୀ –ତୁଳାପରି କୋମଳାଙ୍ଗୀ । କୁରଙ୍ଗନୟନା –ମୃଗନୟନା ରଙ୍ଗ ହେଲାନି- ଆଖ୍ ଲାଲ ହେଲାଣି । ନିବାର– ନିବାରଣ କର । ବାର– ରୁହ ।

 

୧ ୮ । ମହ– ତେଜ । ମହତ୍ତ୍ୱ- ଗୌରବ । ମାନ – ସ୍ୱୀକାର କର । ସରସ୍ଵତୀ –ବଚନ । ସତୀ-ହେ ପତିବ୍ରତା । ବଚ ବଞ୍ଚନା-ଠକିବା କଥା । ଆଳୀର- ସଖୀର । ବାଳୀର – ଶ୍ରୀରାଧାଙ୍କର । ଧୀ– ବୁଦ୍ଧି । ସରେ – ଶେଷ ହେଲା । ସ୍ମରେ – ସ୍ମରଣ କଲା । ବିପତି ପତି- ପକ୍ଷୀମାନଙ୍କର ପତି ଗରୁଡ଼ ଓ ତାଙ୍କର ପତି ବିଷ୍ଣୁ ।

 

୧୯।      କରମରେ- କପାଳରେ। ନରେନ୍ଦ୍ର କୁମାରୀ – ବୃଷଭାନୁ ରାଜକନ୍ୟା। କାମ- କନ୍ଦର୍ପ। ପାମର- ନୀଚ । ପର – ଶତ୍ରୁ । ପରବଶ ଜନେ- ପରଧୀନ ଲେ।କଙ୍କୁ । କି ଅର୍ଜନେ- କଣ ପାଇବା ପାଇଁ । ଅସର – ଅସରନ୍ତି ।

 

୨୦ । ଗୁଣି- ବିଚାର କରି । ଗୁଣୀମଣି ଗୁଣବତୀ ଶ୍ରେଷ୍ଠା, ଶ୍ରୀରାଧା । ଅଧୀରେ – ଆକୁଳତା ସହ । ଗୁମାନମାନ- ଅଭିମାନ ସବୁ । ଧିକିଧିକି– ଧିକ୍‌ଧିକ୍‌ । ବରତୀ– ପତିବ୍ରତା ତିନି ଫୁସେ– ତିନିଜଣ ପୁରୁଷଙ୍କୁ । ନିଦାନ– ନିର୍ଭର , ନିଶ୍ଚିତ ।

 

୨୧ । କାମୀ କାମିନୀ– କାମୁକା ନାରୀ । ଗଣିତ– ଗଣି । ରମଣୀମଣି- ରମଣୀ ଶ୍ରେଷ୍ଠା । ସରୁ ସରୂପ– ନିଜର ରୂପ ନଷ୍ଟ ହେଉ, ନିଜେ ମରିଯାଏଁ । କଳଙ୍କ – ଅପବାଦ । ସିହାଣି- ଚତୁରୀ ।

 

୨୨। ଆନ ଆନନ– ଅନ୍ୟର ମୁଖ । କେହି – କିପରି । ବାଦ– ପ୍ରବାଦ । ବିହି – ବିଧାତା । ବିହିଛି – ବିଧାନ କରିଛି । ଆପଦ ପଦ– ବିପତ୍ତିର ସ୍ଥାନ ।

 

୨୩ । ପର- ପର ପୁରୁଷ । ପରଚେ ହେବାର- ପରିଚିତ ହେବାର । ପୁରୀ- ନଗରୀ । ଆଶ– ଆଶା । ଆସନ୍ତତ- ସବୁ ପ୍ରକାରେ । ଲବେ– ଅଳ୍ପେ ।

 

୨୪ । ଧ୍ରୁବ- ନିଶ୍ଚୟ । ଧ୍ରୁବଲୋକ – ଆକାଶ । ବଳି – ଅତିକ୍ରମ କରି । ନିନ୍ଦାଆବଳୀ - ନିନ୍ଦାସମୂହ । ତାହା- ଶ୍ରୀକୃଷ୍ଣଙ୍କ ପ୍ରେମ । ମୁର୍ଚ୍ଛି – ତ୍ୟାଗ କରି । କାମଦେବ- କନ୍ଦର୍ପ ।

 

୨୫ । ଭାବ– ଜାଣ । ଭାବର ମୂରତି- ପ୍ରେମମୟ ମୂର୍ତ୍ତି । ବରତି – ବଞ୍ଚି । କଷ୍ଟ ଅକୂପାର- କଷ୍ଟର ସାଗର । ପାର – ପାରି । ବିସ୍ତାର – ପ୍ରକାଶ କର । ତାର – ଉଦ୍ଧାର ।

 

୨୬ । ସଙ୍ଗୀତ ପଣ୍ଡିତା- ଜ୍ଞାନନିପୁଣା। ଜଗତମଣ୍ଡିତା- ଜଗତର ମଣ୍ଡନକାରିଣୀ ଶ୍ରୀରାଧା । ଖରେ – ଶୀଘ୍ର । ବାଚ ବାଚକ ହୋଇଲେ– ବଚନ କହିଲେ । ସ୍ଵରୂପ– ଉଚିତ । ଆତୁରେ – ଉତ୍କଣ୍ଠାରେ ।

 

୨୭। ନାଗ ନାଗର – ରସିକଶ୍ରେଷ୍ଠ । ତୃତୀୟ ନାୟକ- ତିନିଜଣ ନାୟକ । ବର ବରଜ ରମଣୀଙ୍କର – ଶ୍ରେଷ୍ଠ ଗୋପୀମାନଙ୍କର । ହୃଦମଣି – ହୃଦୟର ରତ୍ନ । କାମୀ– କାମୀଜନମାନଙ୍କର । ତପ୍ତଜୀବନ – ସନ୍ତପ୍ତ ଜୀବନ, ସନ୍ତପ୍ତ ପ୍ରାଣ। ବନ – ଜଳ, ଶୀତଳକାରୀ ।

 

୨୮ । ସୁଧା-ସୁଧାର ଉତ୍ତର – ଅମୃତତୁଲ୍ୟ ବଚନ । ଶ୍ରବଣେ– ଶୁଣି । ଆନନ୍ଦନଦ- ଆନନ୍ଦନଦୀ । ଶଶ ଶଶଧର ବତ – ଶତଶତ ଚନ୍ଦ୍ରପରି । ସେ ବାଣୀ- ସଖୀର ବଚନ । ଜୀବତ – ଶ୍ରୀରାଧାଙ୍କର ପ୍ରାଣପରି । ଧୀ କୁମୁଦ – ମନରୂପକ କଇଁ । ମୁଦ– ଆନନ୍ଦ ।

 

୨୯ । ବିଦ୍ୟୁ– ପଣ୍ଡିତଗଣ । ବିଦ୍ୟୁତ ଗଉରୀ- ବିଜୁଳିବର୍ଣ୍ଣା ଶ୍ରୀରାଧା । ସୁକର ଭଉଁରୀ– ସହଜ ଭ୍ରମ । ଭାବ– ପ୍ରେମଭକ୍ତି । ହାର– ମାଳା । ପ୍ରାନ୍ତ ଆଦ୍ୟନ୍ତର ଯମକ – ପ୍ରାନ୍ତ, ଆଦ୍ୟ ଓ ମଧ୍ୟମ ଯମକଯୁକ୍ତ । ପ୍ରାନ୍ତ– ଶେଷ । ମର୍ମଜ୍ଞ– ସାରତତ୍ତ୍ୱଜ୍ଞ । ଜଡ଼– ମୂର୍ଖ । ଡର – ଭୟ ।

 

ଚତୁର୍ବିଂଶ ଛାନ୍ଦ

 

୧। ରସ ରସବତୀ ରସ– ରସିକା ଶ୍ରୀରାଧାଙ୍କର ଶୃଙ୍ଗାର ରସ ବର୍ଣ୍ଣନା । ରସିଣ– ଆଗ୍ରହରେ ଗ୍ରହଣ କରି । ରସାଳସା ଯୋଷା– ଶୃଙ୍ଗାର ରସରେ ନିବିଡ଼ ଭାବରେ ଆସକ୍ତ । ନାରୀ - ଶ୍ରୀରଧା। ଦଶା- ଅବସ୍ଥା । ରଣରଣ- କନ୍ଦର୍ପ । ତାପ ନାଶନେ– ତାପକୁ ଉପଶମ କରିବା ନିମନ୍ତେ । ଋତୁ ଭବ୍ଦୀପନ– ବସନ୍ତ ଋତୁରେ ବୃଦ୍ଧି ପାଉଥିବା । ଶାନ୍ତି ଉପଚାର – ଶୀତଳ କରିବା ସାମଗ୍ରୀ । ପ୍ରଚାର– ବିଧାନ।

 

୨। ଘନସାର – କର୍ପୂର । ର।ଜୀବନାଳ– ପଦ୍ମନାଡ଼ । ରତନ– ନାରୀରନ୍ନ, ଶ୍ରୀରାଧା । ଯତନ- ହିତ । ରଚେ– ରଚନା କଲେ । ଶତଦଳ ତଳପ– ଅସଂଖ୍ୟ ପଦ୍ମ ପାଖୁଡ଼ାର ଶଯ୍ୟା। ଥକାଇ- ଅଟକାଇ । ପାଣି- ଲୁହ ।

 

୩ । ଉଷୀର – ବେଣାଚେର । ବାତାୟନବାଟ ଫାଟ - ଝରକାର କଣା । ସୁଲୋଚନା – ସୁନୟନା ସଖୀ। ଅହିଚିତ୍ର- ସାପର ଚିତ୍ର । ବାତହତକୁ - ମଳୟ ପବନକୁ ନିବାରଣ କରିବା ପାଇଁ । ରମ୍ୟ ପାଇଁ – ମନୋରଞ୍ଜନ ପାଇଁ । ରୁତବନ୍ତ– ସ୍ୱନ କରୁଥିବା । ପରଭୃତ – କୋଇଲି । ଲଉଡ଼ି – ବାଡ଼ି ।

 

୪ । ରସନିଧି – ରସିକା ଶ୍ରୀରାଧା। ରଜନୀଶମୁଖୀ– ଚନ୍ଦ୍ରମୁଖୀ। ରସଭାବରେ – ରସ ଭାବନାରେ । ଅଚେତନା – ଚେତାହୀନ । ନୂତନା-ନବୀନା ଶ୍ରୀରାଧା। ଅମପା– ଅକଳନ୍ତି ।

 

୫ । ରସାମଣ୍ଡନା ଜଗତର ମଣ୍ଡନକାରିଣୀ । ଦଣ୍ଡ– ବିରହ ଦଶା । ରୁଚିର – ସୁନ୍ଦର । ଶିବାଙ୍କୁ- ଦୁର୍ଗାଙ୍କୁ । ହତ – ବିନାଶ, ଦୂର । ରମା- ଲକ୍ଷ୍ମୀ । ହେମ– ସୁନା ।

 

୬ । ନିର୍ବେଦ – ଜଡ଼, ବୁଦ୍ଧିହୀନ । ରସାଶୟନ- ଭୂମିରେ ଶୟନ । ରତିପତି– କନ୍ଦର୍ପ । ନବୀନା – ନବକାମିନୀ ଶ୍ରୀରାଧା । ବେଦନାକାରୀ– ଦୁଃଖର କାରଣ । ଅବନୀ – ପୃଥିବୀ ।

 

୭ । ରସରାଜ– ଶ୍ରୀକୃଷ୍ଣ । କମଳଜ- ବ୍ରହ୍ମା । ଅଙ୍ଗନା-- ଦୂତୀ। ରସନିଧି-ଶ୍ରୀରାଧା । ବିବର୍ଣ୍ଣ – ଶୋଥା । ରତନ ବେଶୀ- ରତ୍ନରେ ଆବେଶ ଥିବା ଶ୍ରୀରାଧା ।

 

୮ । ଛଇଳା- ଛବିଳ । ଅଲେଳା - ଅଲିଅଳୀ । ରସ- ଶୃଙ୍ଗାର । ବାସ- ଲୁଗା । ନୀତିରୀତି – ଆଚାର ବ୍ୟବହାର ।

୯ । ବିହାରେ - କେଳିରେ । ଯାହାରେ କାହାରେ – ଯାହାକୁ ତାହାକୁ । ଚିତ୍ର- ଆଶ୍ଚର୍ଯ୍ୟ । ରଥାଙ୍ଗଧର – ଚକ୍ରଧର, ବିଷ୍ଣୁ । ପୁରନ୍ଦର – ଇନ୍ଦ୍ର । ଜୁମାର – କାର୍ତ୍ତିକେୟ । ମାର- କନ୍ଦର୍ପ । ସୁର – ଦେବତା । ରେକକଟି – କ୍ଷୀଣକଟି, ଶ୍ରୀରଧା। କଷ୍ଟୀ– ଦୁଃଖିନୀ ।

 

୧୦ | ଅନ୍ତର – ଭେଦ । ରଜନୀ କାମିନୀ- ରାତ୍ରିରୂପିଣୀ ନାରୀ। ସାନ୍ଦ୍ର - ଶୋଭାପୂର୍ଣ୍ଣ । ଚନ୍ଦ୍ରଘେନି- ଚନ୍ଦ୍ର ସହିତ । ରସଶାସ୍ତ୍ର ଅବଗାହିନୀ – ରସଶସ୍ତ୍ର ପଣ୍ଡିତା । ରସିକା - ଶ୍ରୀରାଧା । ରସିକିନୀ- ସଖୀମାନେ ।

 

୧୧।      ଋଷିରମଣୀ- ବୃହସ୍ପତିଙ୍କ ପତ୍ନୀ ତାର । ରସିଲେ – ଆସକ୍ତ ହେଲେ । ସାର ସୁନ୍ଦର – ଅତ୍ୟନ୍ତ ସୁନ୍ଦର । ରମାପତି ପଦ – ବିଷ୍ଣୁଙ୍କର ପଦ, ଆକାଶ । ସାୟନ୍ତନୁ ନାରୀ-ଶାନ୍ତନୁଙ୍କର ପତ୍ନୀ । ରସଜ୍ଞା – ରସ ଭୋଗ କଲେ । ପୁରୁଷାର୍ଥ– ଧର୍ମ, ଅର୍ଥ, କାମ,ମୋକ୍ଷ ।

 

୧୨ । ରମ୍ୟଅଙ୍ଗୀ– ସୁନ୍ଦରୀ ଶ୍ରୀରାଧା । ଅଙ୍ଗୀକାର କଲେ– ସମ୍ମତ ହେଲେ । ରସରାଜ–ରସମୟ । ଅଙ୍ଗହୀନ– ଅନଙ୍ଗ । ସୁଷମା ସ୍ୱର୍ଗ ପୁରନ୍ଦର – ସୌନ୍ଦର୍ଯ୍ୟ ଆକାଶର ଚନ୍ଦ୍ର ।ରଚନା – ସୃଷ୍ଟି । ବିଧିରେ– ବିଧାତା ଦ୍ଵାରା। ରସାମୃତ ମୂର୍ତ୍ତି – ରସ ରୂପକ ଅମୃତରେ ଗଠିତ ମୂର୍ତ୍ତି ।

 

୧୩ । ରାତିପତି – ଚନ୍ଦ୍ର । ମୁଖ ଭାତିକି– ମୁଖର ସୌନ୍ଦର୍ଯ୍ୟକୁ, ମୁଖର ଉଜ୍ଜଳତାକୁ । ଧୂଷର –ମଳିନ । ରସଧର – ଜଳଧର, ମେଘ । କାନ୍ତି – ଶ୍ରୀକୃଷ୍ଣଙ୍କର ଶରୀରର କାନ୍ତି । ଆନ ଆନ– ଭିନ୍ନ ଭିନ୍ନ । ରୀତି- ରୂପ ।

 

୧୪। ରୁଚିର – ସୁନ୍ଦର । ଚରଣ ତଳ– ତଳିପା । ତୁଳକୁ – ତୁଳନା । ଜବା– ମନ୍ଦାର ଫୁଲ । ରଙ୍ଗରାଜୀବ ପତ୍ର ନେତ୍ର – ରକ୍ତପଦ୍ମ ପତ୍ର ସଦୃଶ ରକ୍ତିମ ନୟନ । ରଗ– ସ୍ନେହ । ଅନୁରଗ– ପ୍ରେମ । ରକ୍ତ ବ୍ୟକ୍ତ – ଲାଲବର୍ଣ୍ଣ ପ୍ରକାଶ କରୁଥିବା । ଓଷ୍ଠ ପୃଷ୍ଠ – ଓଠର ଉପର । ଉପମିତ ହେବାକୁ – ସଦୃଶ ହେବାକୁ, ତୁଳିତ ହେବାକୁ ।

 

୧୫ । ଶେଷ ଗଣେଶରେ – ବାସୁକୀ ଓ ଗଣେଶଙ୍କ ଦ୍ଵାରା। ଶେଷ – ସମାପ୍ତ । ରସବତୀ– ରସିକା ଶ୍ରୀରାଧା ଅନୁରୂପ– ଯୋଗ୍ୟ । ରବିତଳେ– ପୃଥିବୀରେ । ରାହୁକୁ ସୁଧା ଭୋଗ– ରାହୁ ଅସୁର ହୋଇ ମଧ୍ୟ ଅମୃତ ଭୋଗ କଲାପରି । ରସନା – ଜିହ୍ୱା। ସାର୍ଥ ହେଲ। – ସଫଳ ହେଲା । ତା ଶୋଭା ରୀତି – ଶ୍ରୀକୃଷ୍ଣଙ୍କର ସୌନ୍ଦର୍ଯ୍ୟାଦି ।

 

୧୬ । ରାମା- ଶ୍ରୀରାଧା । ସଖୀ ଶ୍ରେଣୀ-ସଖୀମାନେ । ଦୂତୀବାଣୀ– କାମସେନୀ ଦୂତୀର କଥା। ରୁଭବ– ଦେବତା । ରସିକାକୁ– ଶ୍ରୀରାଧାଙ୍କୁ । ରସଲତା- ରସମୟୀ ଶ୍ରୀରାଧା । ଚିତ୍ତଚାତକ– ମନରୂପକ ଚାତକପକ୍ଷୀ । ଘନ ଗର୍ଜନ- ମେଘ ଗର୍ଜନ ।

 

୧୭ । ରାମଅନୁଜ - ବଳରାମଙ୍କର ସାନଭାଇ,ଶ୍ରୀକୃଷ୍ଣ । ନନ୍ଦରଜାନନ୍ଦନ- ନନ୍ଦରାଜାଙ୍କ ପୁଅ । ଜଗବନ୍ଦନ – ସମଗ୍ର ଜଗତରେ ପୂଜ୍ୟ । ଆଚ୍ଛନ୍ନ– ଲୁଚାଇ ରଖେ । ଧୀରେ – ମନରେ । ବିଧିରେ– ବିଧିପୂର୍ବକ । ସେବି- ସେବାକରି । ରୁଷ୍ଟ କରି – କ୍ରୋଧପ୍ରକାଶ କରି । ବିଧିରେ - ବିଧାତା ଦ୍ଵାରା ।

 

୧୮ । ରସା - ପୃଥିବୀ । କମଳ– ପଦ୍ମ । ରଞ୍ଚିବ– ସୃଷ୍ଟି କରିବ । ବିରଞ୍ଚି– ବ୍ରହ୍ମା, ବିଧାତା। ସୁମନ – ଫୁଲ । ପ୍ରଖରେ – ବେଗରେ । ରବି- ସୂର୍ଯ୍ୟ । ରାଧା ପତିବ୍ରତାବ୍ରତ ଅଚଳ– ଶ୍ରୀରଧାଙ୍କର ପତିବ୍ରତାବ୍ରତ ରୂପକ ପର୍ବତ । ତିଳେ – ସାମାନ୍ୟ ।

୧୯ । ରାମନୟନା- ମୃଗନୟନା, ଶ୍ରୀରାଧା । ରୋଷ – କ୍ରୋଧବାଣୀ । ଋଋନୟନା – ମୃଗନେତ୍ରୀ ଶ୍ରୀରାଧା । ବ୍ୟାଜଗୁଣ– ଛଳନା ।

 

୨୦। ଯାର–ଯାହାର, ଶ୍ରୀକୃଷ୍ଣଙ୍କର । ରାସେଶ୍ୱରୀ- ଶ୍ରୀରାଧା । ଅଧୀର ବର୍ଦ୍ଧନ– ଅଧୀରତାର ବୃଦ୍ଧି । ରାଗାସର ମୂର୍ତ୍ତି– ପ୍ରେମମୟ ଶରୀର ।

 

ପଞ୍ଚବିଂଶ ଛାନ୍ଦ

 

୧। ଦୁ ପୂର୍ବାଦି ଭାଷା – ଦୁ ଅକ୍ଷର ମୂଳରେ ଥିବା ଶବ୍ଦ । କଥନମୁଖ– ମୁହଁକୁ କହିଲା ଭଳି । ଆନନ୍ଦଚନ୍ଦ୍ର – ଆନନ୍ଦରୂପକ ଚନ୍ଦ୍ର।

୨। ରସେ – ରସିକତା କରି । କିଶୋରୀ ରତନେ- ଯୁବତୀରତ୍ନ ଶ୍ରୀରଧାଙ୍କୁ । କଦନ- ପୀଡ଼ା । ତ୍ରାସିଲାନି– ଡରାଇଲାଣି । ଦଶା- କନ୍ଦର୍ପର ଦଶଦଶା । ବିଷସମାନ- ବିଷ ପରି । ରସିଲାନି– ମନେ କଲାଣି ।

 

୩ । ପ୍ରଚାର– ବିଧାନ ହେଉଅଛି । ଉପଚାର– ଶୀତଳ ଚିକିତ୍ସା । ସରୁଁ- ପୁଷ୍କରିଣୀରୁ । ସାରସ – ପଦ୍ମ । ଦଳତଳପ– ପଦ୍ମଦଳଶଯ୍ୟା। ନାଳମାଳ– ପଦ୍ମନାଡ଼ର ମାଳା । ଘନସାର କର୍ପୂର । ସାର ସାରସଲପନା- ଶ୍ରେଷ୍ଠ ପଦ୍ମମୁଖୀ, ଶ୍ରୀରାଧା । ସାରହିତ – ସବୁଠାରୁ ଉପକାରୀ ।

 

୪। ପ୍ରାତରଜନୀ- ଦିନରାତି।ରଜନୀଶବଦନୀ - ଚନ୍ଦ୍ରମୁଖୀ, ଶ୍ରୀରାଧା । ରଜନିକରେ –ଧୂଳିରେ । ଆବେଶେ– ଶୃଙ୍ଗାର ଭାବରେ ମଜ୍ଜିବା ହେତୁ । ଅବଶେ– ଅବସନ୍ନତା ହେତୁ । ଅବେଶେ – ବେଶ ନହୋଇ । ଭୂରେ – ଭୂମିରେ । ପାଡ଼ିଲାନି-– ପାରିଲାଣି । ଜାତବେଦ - ଜାତ-ଯାତନା – ନିଆଁରେ ପୋଡ଼ି ହେଲେ ଯେପରି କଷ୍ଟ ବା ପୀଡ଼ା । ଅତନୁ କନ୍ଦର୍ପ । ସୁତନୁ ତନୁ – ଉତ୍ତମ ତନୁ ଶ୍ରୀରାଧାଙ୍କ ଶରୀର ।

 

୫ । ରଦେ- ଦନ୍ତ ଦ୍ୱାରା। ରଦବାସ – ଓଷ୍ଠକୁ । ବାସବ ମୋହୀ– ଇନ୍ଦ୍ର ମୋହନକାରିଣୀ ଶ୍ରୀରାଧା । ଅନ୍ତର ଭିତର– ମନଭିତରେ । ଭୀତି – ଭୟ । ଅତିତର – ଅତି ଅଧିକ । ଆତୁର ପଙ୍କେ – ବ୍ୟାକୁଳତା ରୁପକ ପଙ୍କରେ । ବରନାଗର – ଶ୍ରେଷ୍ଠ ବିଳାସୀ ପୁରୁଷ । ଲୋଡ଼ିଲାନି– ଆବଶ୍ୟକ କଲାଣି । କୁଳ– ବଂଶ । ଶୀଳ– ଚରିତ୍ର । ବିବେକ – ବିଚାର ଶକ୍ତି । ଚଡ଼ାଇ – ପକ୍ଷୀ । ବେକ ମୋଡ଼ିଲାନି- ମାରି ପକାଇଲ।ଣି ।

 

୬ ।       ଅନେକ ଦହକ କନକ ଗଉରୀ ତନୁ – ବହୁବାର ଆଉଟା ହୋଇଥିବା ସୁନାପରି ଗୋରୀ ଶ୍ରୀରାଧାଙ୍କର ଶରୀର । ଧୂଷର – ପାଉଁଶିଆ, ମଳିନ । ରସାଳସା- ରସପୂର୍ଣ ଶ୍ରୀରାଧା । ରସା– ପୃଥିବୀକୁ । ଦରପଣ କରି – ଚାହିଁକରି , ତଳକୁ ମୁହଁ ପୋତି । ଦରପଣରୁ – ଭୟ ହେତୁ । ଘୋଷିଲାନି– ବାରମ୍ବାର ଉଚ୍ଚାରଣ କଲାଣି । ଗିରିଦରୀ– ପର୍ବତଗୁମ୍ଫା । ସରି –ପରି । ପୁରୀ– ଘର । କରଜେ– ନଖରେ । ମହୀଚଷିଲାନି– ଭୂଇଁରେ ଗାର କାଟିଲାଣି ।

 

୭। ରାମ ଆରାମ –ମନୋହର ଉଦ୍ୟାନ । ରାମନେତ୍ରୀ ସକାଶୁଁ-ମୃଗନେତ୍ରୀ ଶ୍ରୀରାଧାଙ୍କ ପାଇଁ ଭାଳିତ ଚିନ୍ତିତ ହୋଇ । ସଜ ନିକର – ଅଳଙ୍କାର ସମୂହ । କର ଆଦର- ହାତରେ ଧରିବାର ଆଗ୍ରହ । ତୁଟିଲାନି– ଲୋପ ପାଇଲାଣି । ଗୋପେ– ଗୋପପୁରରେ । ଚହଟିଲାନି– ପ୍ରସାରିତ ହେଲାଣି, ବ୍ୟାପିଲାଣି । ମନ୍ଦ – ଦୁଷ୍ଟ ,ଦ୍ୱନ୍ଦ୍ୱ – କଳହ । ବ୍ୟାଧି ବିଧିରେ – ରୋଗ ପ୍ରକାରରେ । ବଟିଲାନି- ଭଣ୍ଡିଲାଣି।

 

୮ । ତା ମନା କାମନା – ତା କାମନା ମନା, ଇଚ୍ଛା ବନ୍ଦ । ଶ୍ୟାମାବେଦନାରୁ – ଶ୍ରୀରଧାଙ୍କର କଷ୍ଟ ଯୋଗୁଁ । ସାମବେଦ – ଗାନ । ନା- ନାମ । ଲୁଚିଲାନି – ଲୋପ ପାଇଲାଣି । କଞ୍ଜ ଖଞ୍ଜନ ଗଞ୍ଜନ ନୟନ– ପଦ୍ମ ଓ ଖଞ୍ଜନପକ୍ଷୀ ଜିଣା ଆଖି । ନୀର – ଲୁହ । ନିରତେ– ସବୁବେଳେ । ମୁଞ୍ଚିଲାନି - ବୁହାଇଲାଣି । ଗଣ୍ଡ – ଗାଲ । ପାଣିରେ- ହାତରେ । ସଞ୍ଚିଲାନି-ରଖିଲାଣି । ଚମ୍ପାଗାତ୍ରୀ – ଚମ୍ପା ଗୋରୀ ଶ୍ରୀରାଧା । ଶିବରାତ୍ରି କରି– ଉଜାଗର ରହି । କାଳକୁ ବିଞ୍ଚିଲାନି– ସମୟ ଅତିବାହିତ କଲାଣି ।

 

୯ । କଳକଣ୍ଠକଣ୍ଠୀ– କୋକିଳକଣ୍ଠୀ ଶ୍ରୀରାଧା । ମମତାରେ – ଆଗ୍ରହରେ । ପାଡ଼ିଲାନି- ପକାଇଲାଣି । ଦୁର୍ଜନଜନ – ଦୁଷ୍ଟଲୋକ । କୁବଚନ ରଚନ ଶରକୁ – ନିନ୍ଦାବାକ୍ୟ ରଟନା ରୂପକୁ ଶରକୁ । ଶିର ଆଡ଼ିଲାନି-ମୁଣ୍ଡ ନୁଆଁଇଲାଣି । ମନତାପ– ମନର ଦୁଃଖ । ନିତିପ୍ରତି- ପ୍ରତିଦିନ । ପ୍ରୀତିବତୀ– ପ୍ରେମମୟୀ ଶ୍ରୀରାଧା । ମୁର୍ତ୍ତିଲତା- ଶରୀରରୂପକ ଲତା । ବିଭାତି ପତ୍ର- କାନ୍ତି ରୁପକ ପତ୍ର।

 

୧ o। ସଞ୍ଚ– ସୁଦର । ଘଞ୍ଚ– ଘନ। ମୁଖ ଚନ୍ଦ୍ରକୁ – ମୁହଁରୂପକ ଚନ୍ଦ୍ରକୁ । ବନଜ ନୟନୁ – ପଦ୍ମ ନେତ୍ରରୁ । ବନ– ଲୋତକ । ମୁଞ୍ଚି – ବୁହାଇ । ପତ୍ରାଳି – ଚନ୍ଦନପାଟି । ଜୀବଧବନବର – ଯମପୁର ।

 

୧୧ । କାଳୀକି- କାଳୀ ଠାକୁରାଣୀଙ୍କୁ । ଛେଳି ଆଳି – ଛେଳି ସମୂହ । ମେଷ – ମେଣ୍ଢା ।ମାଳୀଆଳି କରେ – ମାଳୀମାନଙ୍କ ହାତରେ । ଶୂଳୀ– ଶିବ । ରସାଶୋଭୀ –ପୃଥିବୀର ଶୋଭାକାରିଣୀ। କର କପାଳେ ମାଇଲାନି– କପାଳରେ ହାତ ଦେଲାଣି ।

୧୨ । ଅତନୁ– କନ୍ଦର୍ପ । କୁସୁମଧନୁ– ଫୁଲଧନୁ । ଆଞ୍ଚିଲାନି– ଓଟାରିଲ।ଣି । ଧରମ କରମ ଭରମ ମରମପୋଡ଼ା– ଧର୍ମ, କର୍ମ, ସଂଭ୍ରମ ଓ ମର୍ମକୁ ପୋଡ଼ି ପକାଉଥିବା ତନୁ ଶରୀର । ରୋମାଞ୍ଚିଲାନି-ରୋମ ଟାଙ୍କୁରିଲାଣି । ପ୍ରକଟ ଲମ୍ପଟ – ଅତ୍ୟନ୍ତି ଆସକ୍ତ । ହୃଦୟଟରେ – ବକ୍ଷ ଉପରେ । ପଟ – ଶ୍ରୀକୃଷ୍ଣଙ୍କର ଚିତ୍ରପଟ ।

 

୧୩। ଅବଳା –ଶ୍ରୀରାଧା । ଦୁର୍ବଳା-ବଳହୀନା। କଳାହୀନ- କ୍ଷୀଣ। କଳାନିଧି-ଚନ୍ଦ୍ର । ବୀଣାଗୁଣାଜିଣାବଚନା– ବୀଣାତାରର ସ୍ୱରକୁ ଜିଣୁଥିବା କଥା ଯେ କହେ, ଶ୍ରୀରଧା। ଝୁଣ୍ଟିଆ ବଳା ହେବାକୁ ଭାଳିଲାନି– ଶ୍ରୀରଧାଙ୍କ ତନୁ ଏପରି କ୍ଷୀଣ ହେଲାଣି ଯେ ଝୁଣ୍ଟିଆ ବଳାରେ ପରିଣତ ହେବାକୁ ଚିନ୍ତା କଲାଣି । ଗରିମାପଣ- ଟେକ । ଭୀରୁ - ଭୟଶୀଳା ଶ୍ରୀରାଧା । କେ କେତେକ ଗୁରୁ, ଗୁରୁ ଭରୁ – କିଏ ବେଶୀ ବଡ଼ । ପ୍ରେମଧର୍ମ – ପ୍ରେମ ଓ ଧର୍ମ ମଧ୍ୟରେ । ତୁଳିଲାନି – ତୁଳନା କଲାଣି ।

 

୧୪ । କଳାବତୀ– କଳାପ୍ରିୟା ଶ୍ରୀରାଧା । କଳା କଳାକରେ – ଅଳ୍ପ ଅଳ୍ପ କଳା ରଙ୍ଗରେ । କଳାବିଚିତ୍ର ଚିତ୍ର- କଳାବର୍ଣ୍ଣର ସୁନ୍ଦର ଚିତ୍ର । ଲିହିଲାନି ଲେଖିଲାଣି । ତମ– ଅନ୍ଧକାର । ତମାଳ– ତମାଳବୃକ୍ଷ । ଖତମାଳ ମାଳକୁ ମେଘମାଳାକୁ । ଲାଳସେ – ଲୋଭରେ । ନୀଳବାସ – କଳାଶାଢ଼ି । ଅମଳ– ଅମଳିନ । କଳାକମଳ– ନୀଳପଦ୍ମ । ନୀର – ଲୋତକ । ଥକାଇ – ଛଳ ଛଳ କରି।

 

୧୫।       ଋତୁ ଉବ୍ଦୀପନ- ବିଭିନ୍ନ ଋତୁରେ ମନରେ ଉଦ୍ଦୀପନା ଜାତ କରିବା ବିଷୟମାନ । ମାନ- ଅଭିମାନ । ମାନସରୁ - ମନରୁ । ଦଣ୍ଡଦଣ୍ଡକେ – ପ୍ରତି ମୁହୁର୍ତ୍ତରେ । ଉବ୍ଦଣ୍ଡ ଫୁଲକାଣ୍ଡ ଦଣ୍ଡ – ଉଦ୍ଧତ କନ୍ଦର୍ପ ପୀଡ଼ା । ରସେ – ଶୃଙ୍ଗାର ରସରେ । ଚାରିଅଙ୍କ ମଧ୍ୟା– କ୍ଷୀଣକଟି ।

 

୧୬ । ମୁକୁରକୁ – ଦର୍ପଣକୁ । ବିକାର - କନ୍ଦର୍ପ ବିକାର । ବଦନେ– ମୁଖରେ । ପୁରି-ପୂର୍ଣ୍ଣହୋଇ । ଚୁମ୍ୱ ଉପୁଜିଲାନି- ଚୁମ୍ବନସ୍ୱର ପ୍ରକାଶ ପାଇଲାଣି । ଗୁଣିତିଳକ – ଗୁଣବତୀ ଶ୍ରେଷ୍ଠା, ଶ୍ରୀରାଧା । ତିଳକ ତିଳକରେ– ଅଳ୍ପ ଚିତା ଘେନିବାରେ । ତରଳାକ୍ଷୀ– ଚଞ୍ଚଳନେତ୍ରୀ, ଶ୍ରୀରଧା l

 

୧୭ । ଗଣେଷ ଚତୁର୍ଥୀ ତିଥି ଚନ୍ଦ୍ରାଦର- ଗଣେଶଚତୁର୍ଥୀରେ ଚନ୍ଦ୍ର ପ୍ରତି ଆଦର, ଅର୍ଥାତ୍ ଚନ୍ଦ୍ରକୁ ନ ଦେଖିବା । ଅରାତି – ଶତ୍ରୁ । ପିକଡାକ– କୋକିଳର ସ୍ୱନ । ଚଡ଼କ– ବଜ୍ର । କୁନ୍ଦଦନ୍ତୀ- କୁନ୍ଦ ଫୁଲପରି ଦନ୍ତ ଯାହାର, ଶ୍ରୀରାଧା । ଦୀନଦୀନ– ଅତ୍ୟନ୍ତ ଦୀନ । ଅବକାଶ- ଅବସର ।

 

୧୮। ବ୍ୟାଜ– ଛଳନା । ଧୈର୍ଯ୍ୟ– ଧୀରପଣ । ଗାମ୍ଭୀର୍ଯ୍ୟ – ଗମ୍ଭୀରତା । ପ୍ରବଳା– ଶ୍ରୀରାଧା । ଅନ୍ତର ଭିତର – ମନଭିତରେ । ହୀରବାନ୍ଧିକି ଝାଳିଲାନି– କଠିନ କଲାଣି । ଧୃତି- ଧୈର୍ଯ୍ୟ । ଆତୁର– ବ୍ୟାକୁଳତା । ରଣେ– ଯୁଦ୍ଧରେ ।

୧୯। ଏଣୀକ୍ଷଣୀ- ମୃଗନେତ୍ରୀ, ଶ୍ରୀରାଧା । ହରି – ଶ୍ରୀକୃଷ୍ଣ । ଆରମ୍ଭ – ଉଦ୍ୟମ । ଅପାର – ଅସୀମ ।

୨୦। ମହୀମୋହିନୀ- ଜଗତମୋହନକାରିଣୀ, ଶ୍ରୀରାଧା ।ମୋହିତ –ମୁଗ୍‌ଧ କାମରେ । ମୋହିତରେ – ମୋ ହିତ ପାଇଁ। ହରି –ଶ୍ରୀକୃଷ୍ଣ । ହରିଣାକ୍ଷୀ –ମୃଗନେତ୍ରୀ ଶ୍ରୀରାଧା । ଭାବ –ଶୃଙ୍ଗାର ଭାବ । ଲୁଅ-ଲୁହ।

 

ଷଷ୍ଠବିଂଶ ଛାନ୍ଦ

 

୧। ଏ ଉତ୍ତାରୁ-ଏହାପରେ। ଉଚ୍ଛନ୍ନେ-ଉତ୍କଣ୍ଠାରେ। ମୋହନ- ଶ୍ରୀକୃଷ୍ଣ। ସେ କିଶୋରୀ –ଶ୍ରୀରାଧା।

୨। ବିକାର-ଅବସ୍ଥାନ୍ତର, ପ୍ରତିକ୍ରିୟା। ଅଲେଳା-ଅଲିଅଳୀ । ଛଇଳା-ଛବିଳା, ଅତ୍ୟନ୍ତ ସୁନ୍ଦରୀ।

୩। ଗତୁଁ –ଅତୀତରୁ,ପୂର୍ବରୁ। ଗତାଗତ- ଯିବାଆସିବା। ନିଶଙ୍କରେ –ନିର୍ଭୟରେ। ଅଭିମନ୍ୟୁ ସେନ-ଶୀରାଧାଙ୍କ ସ୍ୱାମୀ ଚନ୍ଦ୍ରସେଣା।

 

୪। ଉପଚାର –ଶୀତଳ ଚିକିତ୍ସା। ପ୍ରଚାର –ବିଧାନ। ଶତଦଳ ଦଳେ –ପଦ୍ମେ ପତ୍ରରେ । ଗୁଣୀମଣି –ଗୁଣବତୀ ଶ୍ରେଷ୍ଠା, ଶ୍ରୀରାଧା। ନୀଳା ମହୀରେ-ନୀଳମଣିର ଭୂମିରେ। ଦ୍ୱିତୀୟାଶଶୀ-ଦ୍ୱିତୀୟା ଚନ୍ଦ୍ର, କ୍ଷୀଣଚନ୍ଦ୍ର।

 

୫। ବାରବାନି ସୁନା –ଖାଣ୍ଟିସୁନା। ଭାତି –ଶୋଭା । ଶାଣଶୀର୍ଣ୍ଣ –ଶାଣରେ ଘଷା ହୋଇଥିବା । ମାରାଗ-ମର୍କତମଣି।

୬। ଅସ୍ତବ୍ୟସ୍ତ –ଅସଜଡ଼ା। ସ୍ୱର୍ଣ୍ଣମହୀ-ସୁନାର ଭୂମି। କେତୁ –କୃଷ୍ଣ ସର୍ପପରି। ଭୁଜଙ୍ଗ –ସର୍ପ। ରଙ୍ଗ -କ୍ରୀଡ଼ା। ସ୍ଥକିତ-ସ୍ଥିର, ନିଶ୍ଚଳ।

୭। ଧନୀ- ଶ୍ରୀରାଧା। ଶୀର୍ଣ୍ଣା- କ୍ଷୀଣା । ସୁନ୍ଦରୀ ପୁରନ୍ଦରୀ-ସୁନ୍ଦରୀ ଶ୍ରେଷ୍ଠା, ଶ୍ରୀରାଧା। ମାରଦର-କନ୍ଦର୍ପ ଭୟ।

୮। ବିଧିକି –ବିଧାତାକୁ। ଆଜନମ-ଜନ୍ମଠାରୁ।

 

୯। ରମାବର –ଲକ୍ଷ୍ମୀପତି, ବିଷ୍ଣୁ । ମାର –କନ୍ଦର୍ପ । ଅଶ୍ୱିନୀକୁମାର-ସ୍ୱର୍ଗବୈଦ୍ୟ । ପୁରନ୍ଦର- ଇନ୍ଦ୍ର । କୁମାର କାର୍ତ୍ତିକେୟ। ଇତର –ସାମନ୍ୟ। କାହିଁ –କାହାଠାରେ । ମତି –ମନ ଅନୁରୂପ-ଯୋଗ୍ୟ । ଧରିତ୍ରୀ –ପୃଥିବୀରେ।

 

୧୦ । ମିତେ- ସଖୀମାନେ । ଚନ୍ଦ୍ରଧରା ଆଶ– ଚନ୍ଦ୍ରକୁ ଧରିବା ଆଶା । କ୍ଳେଶ-ଦୁଃଖ। ଦଇବ– ବିଧାତା। ଆୟତ୍ତ– ଅଧୀନ ।

୧୧ । ସୁମନ – ଫୁଲ । ମଧୁପ– ଭ୍ରମର । ପର ପରା– ଭିନ୍ନ ଲୋକ ପରି । ଅନ୍ତର - ଭେଦ ।

 

୧୨ । ନବୀନାମଣି– ନବୀନା ନାରୀଶ୍ରେଷ୍ଠା, ଶ୍ରୀରାଧା । ଏ ଜାତି- ଏ ପ୍ରକାର । କାମନା –ମନକଥା, ଇଚ୍ଛା । ମଣାଇ– ରାଜିକରାଇ । ସୃଷ୍ଟି ଯୁବାଙ୍କୁ – ସମଗ୍ର ସୃଷ୍ଟିର ଯୁବକ କୁଳକୁ ।

 

୧୩ । ଏପଟ– ଶ୍ରୀକୃଷ୍ଣଙ୍କ ଚିତ୍ରପଟ । କେହି– କିପରି । ଗୋଚର – ଜଣା ।

୧୪ । ଅତନୁ କନ୍ଦର୍ପ । ମୋହନ– ମୋହିତ, ମୁଗ୍‌ଧ । ସୁକୃତୀ– ପୁଣ୍ୟବତୀ । ହରି – ହରଣ କରି । ଗୁଣନିଧି– ଗୁଣର ଆକର, ଶ୍ରୀକୃଷ୍ଣ । ନୀତିବନ୍ତ– ନ୍ୟାୟପରାୟଣ । ଗଭୀର ସାଗର – ସାଗର ପରି ଗଭୀର । ଧୀର ମନ୍ଦର- ମନ୍ଦର ପରି ଧୀର । ସଞ୍ଜାତ– ଅଟନ୍ତି ।

 

୧୫। ମହତ୍ତ୍ୱ – ମହତ୍ । ମର୍ଯ୍ୟାଦା– ମର୍ଯ୍ୟାଦାସମ୍ପନ୍ନ । ଧର୍ମଶୀଳ– ଧର୍ମାଚାରୀ । ବିଚକ୍ଷଣ- ଚୁତର। ଘେନିଛି-ଜାଣିଛି। ପବି- ବଜ୍ର । ଗୁଣୀମଣି ମୁଖ-ଗୁଣବତୀ ଶ୍ରେଷ୍ଠା ଶ୍ରୀରାଧାଙ୍କର ମୁଖ। ରବିଅସ୍ତ ପଦ୍ମ –ସୂର୍ଯ୍ୟାସ୍ତ ସମୟରେ ପଦ୍ମପରି ମୁଦ୍ରିତ, ମଳିନ।

୧୬ । ଲୁୟେ – ଲୁହରେ । ନୟନ ସାରସ- ନେତ୍ର ରୂପକ ପଦ୍ମ । ଏ ଜାତି- ଏ ପ୍ରକାର । ରୀତି – ଅବସ୍ଥା । ଆଶଭାଷ– ଆଶାଜନକ ବଚନ ।

 

୧୭ । ନାଗର ସାଗର ଲୀଳା ଲହରୀ– ବିଳାସ ସାଗରରେ ଖେଳୁଥିବା ତରଙ୍ଗ । ପ୍ରୀତିରୀତି- ପ୍ରେମଜନିତ ବ୍ୟାପାର । ବିଚକ୍ଷଣ – ଚତୁର। ରସାନନ୍ଦ – ରସରେ ଯେ ଆନନ୍ଦ ପାଆନ୍ତି । ଦୀନବନ୍ଧୁ- ଦରିଦ୍ର, ଦୁଃଖୀର ବନ୍ଧୁ । ଭାବଗ୍ରାହୀ– ଯେ କେବଳ ଭାବ ବା ଭକ୍ତିକୁ ଗ୍ରହଣ କରନ୍ତି । ଅନୁଗତଜନ- ସେବକ, ଶରଣାଗତ । ବଶ– ଅଧୀନ । କୃପାସିନ୍ଧୁ- କୃପାର ସାଗର, କୃପାମୟ ।

 

୧୮ । ଗଣ୍ଡପାଳି – ଗଣ୍ଡଦେଶ ବା ଗାଲ । ରୋମାଳି ପୁଲକ– ରୋମ ସବୁ ଟାଙ୍କୁରି ଉଠିଲା। ଶୋହେ- ଶୋଭା ପାଇଲା । ଉଷାକାଳ ପଙ୍କଜ– ପ୍ରଭାତର ଫୁଟିଲା ପଦ୍ମ । କଣ୍ଟି ହୋଇଲା- ଘର୍ମାକ୍ତ ହେଲା, ଝାଳ ବୋହିଲା । କପୋଳ– ଗଣ୍ଡଦେଶ । ଭୂସନ୍ଧିକି – ଭ୍ରୂଲତାର ସନ୍ଧିକୁ । ଲୁଚି ଯାଏ ବେନି ଡୋଳ– ଆଖିର ଡୋଳା ଲୁଚିଗଲା। ଅର୍ଥାତ୍ ଭାବାବେଶରେ ଆଖି ଖୋଷି ହୋଇଗଲା ।

 

୧୯। ଏ ରୀତି- ଏ ପ୍ରକାର ଅବସ୍ଥା । ବିମ୍ବୋଷ୍ଠୀକି-ବିମ୍ବାଧରୀ ଶ୍ରୀରାଧାଙ୍କୁ । ଚୁମ୍ବ ସ୍ୱରେ- ଚୁମ୍ୱନ ସ୍ୱରରେ।

୨୦। କେ ଏଥିକି ଭଳି- କିଏ ଏଥିରେ ଭୁଲିଯିବ।

 

୨୧। ପ୍ରେମଶୀଳା-ପ୍ରେମମୟୀ । ଲଜ୍ଜାବତୀ- ଲଜାକୁଳୀ। ଗାମ୍ଭୀର୍ଯ୍ୟ ନିପୁଣା –ଅତ୍ୟନ୍ତ ଗମ୍ଭରୀ। ଉକ୍ତି ଚାତୁର୍ଯ୍ୟ –କଥା କହିବାର ଚତୁର ଭଙ୍ଗୀ। ଧଇର୍ଯ୍ୟ -ଦମ୍ଭର ଛଳନା। ଛାମୁରେ –ସମ୍ମୁଖରେ। ମନ ମମତା-ମନର ଆସକ୍ତି। କେମନ୍ତ ଏଥିରେ –ଏଥିରେ କିପରି ଭାବରେ ଅଛି।

 

୨୨। ହରି-ଶ୍ରୀକୃଷ୍ଣ । ନୀରେ –ଲୁହରେ । ଛନ୍ନେ-ଉତ୍କଣ୍ଠାରେ । ସୁନ୍ଦର-ଶୋଭା, ସୈାନ୍ଦର୍ଯ୍ୟ।

୨୩।      କୃତାର୍ଥ-ଧନ୍ୟ । ନାଶନେ-ନାଶ କରିବା ନିମିତ୍ତ। ମଦନତୀର୍ଥ-କନ୍ଦର୍ପର-କନ୍ଦର୍ପର ତୀର୍ଥ କ୍ଷେତ୍ର । ଅର୍ଥ –ପ୍ରୟୋଜନ। ପୁରୁଷାର୍ଥ –ଧର୍ମ, ଅର୍ଥ, କାମ, ମୋକ୍ଷ।

 

୨୪। ଦିବ୍ୟ –ଉତ୍ତମ । ସୂକ୍ଷ୍ମ ଅଳଙ୍କାର –କୌଣସି ଭଙ୍ଗୀଦ୍ୱାରା ସୂକ୍ଷ୍ମ ଅର୍ଥ ସୂଚିତ ହେଲେ ତାହାକୁ ସୂକ୍ଷ୍ମ ଅଳଙ୍କାର କୁହାଯାଏ।

୨୫ । ଅନିୟମ ନିୟମ- ଅନୁପ୍ରାସ ପ୍ରଭୃତି ଚିତ୍ର ଅଳଙ୍କାର ରହିତ ନିୟମ । ସୁଷମା- ଶୋଭା ଗମ୍ୟ ବୋଧ୍ୟ। ଅବିବେକେ- ବିବେକଶୂନ୍ୟ ଲୋକଙ୍କ ଦ୍ୱାରା।

 

ସପ୍ତବିଂଶ ଛାନ୍ଦ

 

୧। ବରଜବନ୍ଧୁ – ହେ ଶ୍ରୀକୃଷ। ବିଶ୍ୱ ମଧ୍ୟରେ – ସମଗ୍ର ବିଶ୍ୱରେ । ବିଶ୍ୱସୃକ –ବ୍ରହ୍ମା । ବାମଦେବ-ଶିବ । ପଞ୍ଚାନନ-ପାଞ୍ଚମୁଖ। ବାହୁଳେୟ-କୀର୍ତ୍ତିକେୟ। ଋତୁ ଆନନେ - - ଛଅ ମୁଖରେ । ଗାୟନ – ଗାନ ।

 

୨ ।ବିଶେଷ ବଦନ– ସହସ୍ରମୁଖ । ଶେଷ– ଅନନ୍ତ । ବିଶ୍ୱମୋହୀ- ବିଶ୍ୱମୋହିନୀ, ଶ୍ରୀରାଧା । ବଦନେ କରୁ – ମୁହଁରେ ବର୍ଣ୍ଣନା କରିବାରୁ । ଲାଳାୟିତ ବର୍ଦ୍ଧନେ ଆଗ୍ରହ ବଢ଼ିଗଲା । ଲୋଭେ ଗୁଣଲୋଭରେ । ଦ୍ୱିଜିହ୍ୱ- ଦୁଇଜିହ୍ୱା ଯୁକ୍ତ । ବଶ ଶୋଭାଗୁଣେ- ଶୋଭା ଓ ଗୁଣ ଉଭୟରେ ବଶ ହେବାରୁ । ଚକ୍ଷୁଶ୍ରବ– ଚକ୍ଷୁରେ ଶୁଣିବା ଶକ୍ତି ।

 

୩ ।ବିନାୟକ – ଗଣେଶ । ବକ୍ରତୁଣ୍ଡ– ଶ୍ରୀରାଧାଙ୍କର ଗୁଣ ବର୍ଣ୍ଣନା କରିବାକୁ ଯାଇ ଗଣେଷ ବକ୍ରତୁଣ୍ଡ ହୋଇଗଲେ, ଅର୍ଥାତ୍ ତାଙ୍କର ତୁଣ୍ଡ ବଙ୍କା ହୋଇଗଲା । ବିଭାତି- କାନ୍ତି। - ଲବ ସାମାନ୍ୟ ମାତ୍ର । କବି – ଶୁକ୍ର । ଏକଦୃଷ୍ଟି ହେଲେ,– ଶ୍ରୀରଧାଙ୍କର ଶୋଭା ସନ୍ଦର୍ଶନ କରିବାକୁ ଶୁକ୍ର ଏକଦୃଷ୍ଟି ହେଲେ, ଅର୍ଥାତ୍ ଏକଆଖିଆ କଣା ହେଲେ । ବାଚସ୍ପତି – ବୃହସ୍ପତି ।ଗଣା- ଗଣା ହେଲେ । ଗଣକେ– ଗଣକମାନଙ୍କ ମଧ୍ୟରେ । ବିଶ୍ରମ୍ଭେ- ନିନ୍ଦାରେ ବିଶ୍ୱାସ କରି। ସାରଦା – ସରସ୍ଵତୀ । ବାଣୀ ସ୍ଵରୂପ ହେଲେ – ବଚନ ରୂପ ଧାରଣ କଲେ । ନିନ୍ଦାବଚନ- ନିନ୍ଦାବାଦ, ଶ୍ରୀରାଧାଙ୍କ ଶୋଭା ସହିତ ତୁଳନାରେ ନିନ୍ଦିତା ହେଲେ । ଅଖିଳ ବଦନେ ସମଗ୍ର ଜଗତର ଲୋକମୁଖରେ।

 

୪।ଗଉରୀ– ଦୁର୍ଗା । ବହୁତରୂପ– ଦଶ ମହାବିଦ୍ୟା ପ୍ରଭୃତି ବହୁତ ରୂପ । ବଳି ନପାରି ସୁଷମାରେ ହାରି- ଶ୍ରୀରଧାଙ୍କ ଶୋଭାକୁ ବଳିନପାରି ହାରିଯାଇ । ବିଧୁଶେଖର – ଚନ୍ଦ୍ରଶେଖର, ଶିବ। ଧବଳ ଅଙ୍ଗୀ– ଗଙ୍ଗା । ଭାବି– ଶ୍ରୀରାଧାଙ୍କର ଶୋଭାକୁ ଭାବି । ବହିଗଲେ– ନଦୀରୂପରେ ବହିଗଲେ, ତରଳିଯାଇ ବହିଗଲେ । କ୍ରୀଡ଼ା – ଲାଜ । ବନଜ– ପଦ୍ମ। ଦର – ଶଙ୍ଖ । ଅଷ୍ଟନିଧିମାନେ ଶ୍ରୀରାଧାଙ୍କର ଶୋଭା ଦେଖି ଲାଜ ପାଇ ପଦ୍ମ ଶଙ୍ଖ ଆଦି ରୂପ ଧାରଣ କରି ତାଙ୍କ ପଦସେବା କରି ରହିଲେ ।

 

୫ । ବିଷ୍ଣୁପାଟରାଣୀ- ଲକ୍ଷ୍ମୀ । ସପତ୍ନୀ ଡରେ – ସଉତୁଣୀ ହେବା ଭୟରେ । ବାସକଲେ – ରହିଲେ । ଗୁଣିମଣୀ ଅଙ୍ଗରେ – ଗୁଣବତୀ ଶ୍ରେଷ୍ଠା ଶ୍ରୀରାଧାଙ୍କର ଶରୀରରେ । ବିଲକ୍ଷ– ସମାନ ଲକ୍ଷ୍ୟ ହେବ । ତିଳେ – ସାମାନ୍ୟ ମାତ୍ରାରେ । ବାସବ– ଇନ୍ଦ୍ର । ବିଜ୍ଞଜନଙ୍କର କ୍ରୋଧହିଁ ବର – ପଣ୍ଡିତ ଲୋକମାନଙ୍କର କ୍ରୋଧ ଅନୁଗ୍ରହ ଭାବରେ କାର୍ଯ୍ୟକରେ । ଗଉତମ ଭଲକଲେ– ଗୌତମ କ୍ରୋଧ କରି ଇନ୍ଦ୍ରଙ୍କୁ ସହସ୍ର ଚକ୍ଷୁ ହେବାପାଇଁ ଯେଉଁ ଶାପ ଦେଇଥିଲେ ତାହା ତାଙ୍କର ଅନୁଗ୍ରହ ଭାବରେ କାର୍ଯ୍ୟକଲା, ଅର୍ଥାତ୍ ଇନ୍ଦ୍ର ସହସ୍ର ଚକ୍ଷୁ ପାଇବା ଦ୍ୱାରା ଶ୍ରୀରାଧାଙ୍କର ଶୋଭାକୁ ଉତ୍ତମ ଭାବରେ ସନ୍ଦର୍ଶନ କରିବାର ସୌଭାଗ୍ୟ ଲାଭ କଲେ ।

 

୬।ବିଲକ୍ଷ୍ୟ– ସମାନ । ପ୍ରତିବିମ୍ବ – ଛାୟା । ବିଚେଷ୍ଟା– ଭଙ୍ଗୀ । ପରତନ୍ତ୍ରେ ଅନ୍ୟର ଅଧୀନରେ, ଅର୍ଥାତ୍ ବିମ୍ବର ଭଙ୍ଗୀ ଅନୁସାରେ । ବାତୁଳ– ପାଗଳ । ତୁଳ– ତୁଳନା, ସମାନ । ବାଇବଦନେ– ବାତୁଳ ମୁଖରେ । ସୁଲକ୍ଷଣ– ବିଶୁଦ୍ଧ ।

 

୭ ।ବିଶ୍ଵକାନ୍ତି ସାର– ସମଗ୍ର ବିଶ୍ୱ ଶୋଭାର ସାରଅଂଶ । ପୀୟୁଷ – ଅମୃତରେ । ବିଧି– ବିଧାତା । ଶୋଭାପିତୁଳୀ– ସୌନ୍ଦର୍ଯ୍ୟର ମୂର୍ତ୍ତି । ବରଦୀପ୍ତି- ଶ୍ରେଷ୍ଠ ଝଟକ । ଟାଙ୍ଗଣା– ସୋହାଗା। ହେମରସାଣ– ସୁନାରସାଣ। ଶାଣିଲା– ଘଷି ଲା । ବିଗ୍ରହ– ମୂର୍ତ୍ତି । ଲାବଣ୍ୟନୀର – କାନ୍ତିର ତରଳ ଜଳ । ଜୀବନ୍ୟାସ – ପ୍ରାଣଦାନ । ମୋହନମନ୍ତ୍ରରେ- ମୋହନକାରୀ ମନ୍ତ୍ରରେ ।

୮।ବତିଶ ଲକ୍ଷଣ –ଉତ୍ତମ ନାୟିକାର ଶରୀରରେ ଥିବା ବତିଶ ଳକ୍ଷଣ ଯାହାଠାରେ ଅଛି। ଗୁଣନିପୁଣା- ଗୁଣବତୀ । ବିଶ୍ଵକେତୁ କେଳିକଳା ପ୍ରବୀଣ– କାମକ୍ରୀଡା କୌଶଳ ପଣ୍ଡିତା । ବିଧି- ସ୍ରଷ୍ଟା । ଅଷ୍ଟବିଂଶ ଅଳଙ୍କାର – ହାବଭାବ ପ୍ରଭୃତି ଅଠେଇଶ ପ୍ରକାର ନାୟିକାର ସ୍ଵାଭାବିକ ଅଳଙ୍କାର । ବାସ– ଗୃହ ସ୍ଵରୂପା । ବିଚେଷ୍ଟା ବିଶେଷ ଭଙ୍ଗୀର – ବ୍ୟାପାର ଅନୁସାରେ ଭିନ୍ନ ଭିନ୍ନ ଭଙ୍ଗୀର । ବିଶେଷ – ଅତିଶୟ । କୃପାନିଧାନୀ– ଦୟାନିଧି। ବରାଙ୍ଗୀ– ଶ୍ରେଷ୍ଠ ଶୋଭଙ୍ଗୀ ପ୍ରେମବଇଭବ ଭଣ୍ଡାର – ପ୍ରେମରୂପକ ବିଭବର ଭଣ୍ଡାରଘର । ଶୋଭା ପ୍ରଭାବରଧନୀ– ସୌନ୍ଦର୍ଯ୍ୟ ଝଟକ ବୃଦ୍ଧିଶାଳିନୀ ।

 

୯।       ବିବେକୀ – ବିଚାରଶୀଳା ! ଶାନ୍ତା– ଶାନ୍ତସ୍ଵଭାବା । ସୁଶୀଳା– ଉତ୍ତମ ଚରିତ୍ର ବିଶିଷ୍ଟା । ଅଲେଳା– ଅଲିଅଳୀ । ବିଶେଷ – ବିଶେଷ ଭାବରେ । ମଦନଶାସ୍ତ୍ର କୁଶଳା– ରତିଶାସ୍ତ୍ର ନିପୁଣା । ତାର୍କିକୀ– ତର୍କଶାସ୍ତ୍ରଜ୍ଞା ।ସ୍ୱଜନବତ୍ସଳା– ଆତ୍ମୀୟସ୍ନେହୀ। ବାରିଧିରୁ – ସମୁଦ୍ରଠାରୁ । ଛଇଳା– ଛବିଳା । ବାଳା-ନାରୀ,ଶ୍ରୀରାଧା। ସୁଧାସ୍ୱାଦୁଭାଷୀ- ଅମୃତପରି ମଧୁରଭାଷିଣୀ । ବରପରସନ୍ନାନନୀ- ଶ୍ରେଷ୍ଠା ପ୍ରସନ୍ନମୁଖୀ । ଆହ୍ଲାଦିନୀ ଆହ୍ଲାଦଦାୟିନୀ ।ମନ୍ଦଝଟକ ସୁହାସୀ- ମୃଦୁ ଶୁଭ୍ରସୁହାସିନୀ ।

 

୧୦ । ଲେଶ– ଅଳ୍ପ । ଶେଷ– ସହସ୍ର ମୁଖ ଅନନ୍ତଦେବ । ତିନିକାଳ– ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ । ପାଦତଳ– ଶ୍ରୀରାଧାଙ୍କର ତଳିପା । ସୁଧା- ଅମୃତ । ବୋଲନ୍ତି- ଅନୁଭବ ନଥାଇ ଯେପରି ଖାଲି କଥାରେ କହନ୍ତି ।

 

୧୧ । ବରାଙ୍ଗୀକୂଟ ମଉଳି ମୁକୁଟ – ସୁନ୍ଦରୀମାନଙ୍କର ମଥାର ମୁକୁଟ । ବ୍ରହ୍ମାଣ୍ଡ ଭାଣ୍ଡର – ସମଗ୍ର ଜଗତର । ସାର ପ୍ରକଟ – ଶ୍ରେଷ୍ଠ ରୂପେ ପ୍ରକାଶିତ । ବର ଉପମାକୁ – ଶ୍ରେଷ୍ଠ ଉପମାନକୁ । କରଛି ଛି ଛି- ନିନ୍ଦା କରୁଛି । ବିରସ ବଦନ – ଦୁଃଖିତ ସୁଖ । ଆଣି-– ଟେକ । ବିଧୁ-ଚନ୍ଦ୍ର । ବନଜ– ପଦ୍ମ । ଦର୍ପଣ- ଅଇନା । ପଣ ପଣ– ବହୁସଂଖ୍ୟାରେ ବା ଅଗଣିତ ।

 

୧୨ । ବାଳୀ– ଶ୍ରୀରାଧା। ଚଳି– ରାଗି । ସୁଧା– ଅମୃତ । ସ୍ୱାଦୁ ଲକ୍ଷକୁ – ମଧୁରତା, ସମାନ ହେବାକୁ । ବିକଳକଳ– ରାଗ ସମୟରେ ଖଣ୍ଡଖଣ୍ଡିଆ କଥା। ତୁଳ– ତୁଲ୍ୟ । ବୀଣା ବାଣୀ-ବାଣୀର ସ୍ଵର । ବନ୍ଧୁତ୍ୱ କଲେ– ବନ୍ଧୁତା ସ୍ଥାପନ କରିବାକୁ ଗଲେ । ପିକରେ – କୋକିଳକୁ । ଗଣି– ସମାନ କରି । ବିରହକାଳରେ – ବିରହ ଦଶା ଭୋଗ କରିବା ସମୟରେ । ବରବରନା– ବରବର୍ଣ୍ଣିନୀ, ଶ୍ରେଷ୍ଠ ବର୍ଣ୍ଣବିଶିଷ୍ଟ ଶ୍ରୀରାଧା । ବରନ– ବର୍ଣ୍ଣ । କନକ ଚମ୍ପକ– ସୁନାଚମ୍ପା ।

 

୧୩ । ବିଭୂଷିତର ଭୂଷିତ ଭୂଷଣମାନଙ୍କର ଭୂଷଣ। ବିଚାର- ବିଚାର କର, ଗ୍ରହଣ କର । ବିଶେଷ ଅଳଙ୍କାର ଅଳଙ୍କାର – ହାବଭାବ ଆଦି ଅଷ୍ଟବିଂଶ ନାୟିକାଙ୍କର ଅଳଙ୍କାରମାନଙ୍କର ମଣ୍ଡନକାରିଣୀ । ବିଚିତ୍ର ଲାବଣ୍ୟ– ବିସ୍ମୟଜନକ କାନ୍ତି । ବାଞ୍ଛାନିଧି– ମନୋବାଞ୍ଛା ପୂରଣକାରିଣୀ । ଭାବ ଲତିକା ମୂଳ– ପ୍ରେମରୂପକ ଲତାର ମୂଳ ସ୍ଵରୂପା । ବିଶ୍ଵକର୍ମା ଗୁରୁ-ବିଧାତା ବା ଦେବଶିଳ୍ପୀଙ୍କ ଶିକ୍ଷାଦାତ୍ରୀ । ଧନୀ – ସୁନ୍ଦରୀ ଶ୍ରୀରାଧା । ବର ଉପମା- ଶ୍ରେଷ୍ଠ ଉପମା। ମାନଦାନ କାରିଣୀ- ସମ୍ମାନଦାତ୍ରୀ । ଭଙ୍ଗୀ ଗୁଣ କୃତାର୍ଥିନୀ– ଭଙ୍ଗୀ ଓ ଗୁଣ , ସମୂହକୁ ସେ କୃତାର୍ଥ କରୁଅଛନ୍ତି ।

 

୧୪ । ବିଶ୍ୱ ପବିତ୍ର ପ୍ରେମରସ ପାତ୍ରୀ– ଜଗତର ଶୁଦ୍ଧ ପ୍ରେମରସର ଆଧାର ସ୍ୱରୂପିଣୀ । ବିଧାତା ବିଧାନ- ଶୋଭାଦିର ସୃଷ୍ଟି । ନିତି କରତ୍ରୀ- ପ୍ରତିଦିନ କରୁଛନ୍ତି । ବିଜ୍ଞାନୀ-ବିଶେଷ ଜ୍ଞାନୀ ବା ପଣ୍ଡିତ । ଦମ୍ଭବାସ– ଧୈର୍ଯ୍ୟ ରୂପକ ବସ୍ତ୍ର । ବ୍ରହ୍ମାଣ୍ଡ ବିଜୟୀ ଶର-ବ୍ରହ୍ମାଣ୍ଡକୁ ଜିଣିବାର ଶର । ନାଗରୀ- ରସିକା । ବରଯୁବା ମୋହ ଫାନ୍ଦ - ଶ୍ରେଷ୍ଠ ଯୁବକମାନଙ୍କ ମୋହ ଫାଶ । ବିଲୋକନ ଜନ – ଦେଖିବା ଲୋକଙ୍କର । ଆନନ୍ଦ ସାଗର – ଆନନ୍ଦରୂପକ ସମୁଦ୍ର । ବୃଦ୍ଧିକି – ବୃଦ୍ଧି କରିବା ନିମନ୍ତେ । ଶ୍ରୀମୁଖ – ଶ୍ରୀରଧାଙ୍କର ମୁଖ।

 

୧୫। ବାରଣ ଗତି ମୂର୍ଦ୍ଧା ପଦଦତ୍ତା-ଗଜଗାମିନୀ ନାରୀମାନଙ୍କ ମସ୍ତକରେ ପାଦ ଦେଇଛନ୍ତି। ବନିତା- ସୁନ୍ଦରୀ ଶ୍ରୀରାଧା । ସଙ୍ଗୀତ ନୀତି ପଣ୍ଡିତା- ସଙ୍ଗୀତଶାସ୍ତ୍ର ନିପୁଣା। ବିଚକ୍ଷଣ ଯୁବା- ଚତୁର ଯୁବକମାନଙ୍କର । ମୋହ ପଦାର୍ଥ– ମୋହର ବିଷୟ । ବିଶ୍ୱକେତୁ- କନ୍ଦର୍ପ । ତାପ ପାପକୁ – ଉତ୍ତାପ ଓ ପାପ ପ୍ରକ୍ଷାଳନ କରିବାକୁ । ତୀର୍ଥ– ପବିତ୍ର ଜଳମୟ ସ୍ଥାନ ତୀର୍ଥସ୍ଥାନ । ପୁରୁଷାର୍ଥ – ଧର୍ମ, ଅର୍ଥ, କାମ ଓ ମୋକ୍ଷ । ମୂର୍ଖ ମୁଖରେ ଅତ୍ୟନ୍ତ କଠିନ ଶ୍ଳୋକର ଅର୍ଥ ପ୍ରକାଶ କଲେ ତାହା ଯେପରି ଭୁଲ ହୁଏ, ଶ୍ରୀରଧାଙ୍କୁ ପୁରୁଷାର୍ଥ କହିଲେ ସେହିପରି ଭୁଲ ହେବ।

 

୧୬ । ବିଶ୍ଵସୃକ- ବିଧାତା । କର ସାର୍ଥକ ପାଇଁ କି ହାତକୁ ସଫଳ କରିବା ନିମନ୍ତେ । ବିକଳ୍ପି –କଳ୍ପନା କରି । ଶ୍ରୀରାଧା ଚିତ୍ରମୂର୍ତ୍ତି– ଶ୍ରୀରଧାଙ୍କର ଚିତ୍ରିତ ରୂପ । ବିଶେଷ କାନ୍ତିସାର ସୁଧା । ଗୋଳି– ଉତ୍କୃଷ୍ଟ ଲାବଣ୍ୟ ଓ ଅମୃତକୁ ଗୋଳାଇ । କରି ତ୍ରିଭଳି- ତିନି ପ୍ରକାର କଲା । ବନାଏ– ତିଆରି କଲା । ଅସାର – ନିକୃଷ୍ଟ ଭାଗ । ହାତବଳା କଲା- ହାତରେ ବଳିଲା । ଅପସରୀ ବାର– ଅପ୍ପସରା ସମୂହ।

 

୧୭।      ବନାଇଲା- ତିଆରି କଲା । ମଧ୍ୟ ଭଳି-ମଧ୍ୟ ଭାଗ ବା ମଧ୍ୟ ପ୍ରକାର । ବିଦ୍ୟ– ପ୍ରସିଦ୍ଧ । ଉମା- ପାର୍ବତୀ। ରତି– କନ୍ଦର୍ପ ପତ୍ନୀ । ବର ତରୁଣୀ- ଶ୍ରେଷ୍ଠ ନାରୀ । ବଡ଼ ସାର ଭଳି – ଉତ୍କୃଷ୍ଟ ଭାଗ ବା ପ୍ରକାରର ବଡ଼ ଭାଗକୁ । ଦ୍ଵିଭାଗ କଲା– ଦୁଇ ଭାଗରେ ବିଭକ୍ତ କଲା । ବିଚିତ୍ରେ- ବିଶେଷ ଶୋଭନୀୟ ରୀତିରେ । ରମା ରୂପ- ଲକ୍ଷ୍ମୀଙ୍କ ରୂପ । ବନାଇଲା- ତିଆରି କଲା । ବିଚାରଣା– ବିଚାର । ବିଚିତ୍ର – ଆଶ୍ଚର୍ଯ୍ୟ । ତନୁ କ୍ଷୀଣ । ତଳିପା ତଳ– ପାଦତଳର ନିମ୍ନ ଅଂଶ । ତୁଳ– ସମାନ।

 

୧୮ । ବରୁଣାଳୟ– ସମୁଦ୍ରରେ । ଲକ୍ଷ୍ମୀ, ଅପ୍‌ସରାମାନେ ସମୁଦ୍ରରେ, ରତି ବନରେ ଓ ଗୌରୀ ହିମାଳୟରେ ପଡ଼ିଲେ । ବନା ରହିତ ଭାଗକ- ଯେଉଁ ଭାଗକ ମୂର୍ତ୍ତି ଗଢ଼ା ହୋଇ ନଥିଲା । ବିଧୁ- ଚନ୍ଦ୍ର । ଟେକ– ବଡ଼ ପଣିଆ ।

 

୧୯ । ବ୍ରହ୍ମା ହାତଧୁଆ ଜଳ ପତନେ– ବ୍ରହ୍ମାଙ୍କର ହାତଧୁଆ ପାଣି ପଡ଼ିବାରୁ । ଖ୍ୟାତ- ପ୍ରକାଶିତ । ବିଧାନେ- ପ୍ରକାରରେ । ପଟଳ– ସମୂହ । ବିଚିତ୍ର- ଆଶ୍ଚର୍ଯ୍ୟଜନକ । ମଞ୍ଜୁଳ– ସୁନ୍ଦର । ଲାବଣ୍ୟ ସ୍ଥଳ– ଶୋଭାର ସ୍ଥାନ । ବରଙ୍ଗୀ– ସୁନ୍ଦରୀ ଶ୍ରୀରାଧା । ବିଧି– ବିଧାତା। ଆନ– ଅନ୍ୟ । ବିଧାତାଙ୍କର କଳ୍ପନା ଓ ରଚନା ଶ୍ରୀରାଧାଙ୍କର ଉପମା ଭଳି ହେଲେ ନାହିଁ ।

୨୦। ଉପମାକୁ ବୋଇଲେ ଛି ଛି-ଉପମାଙ୍କୁ ନିନ୍ଦା କଲେ । ପୁରୁଷାର୍-ପୌରୁଷ । ବିଦୁଷେ-ପଣ୍ଡିତମାନେ । ବସୁଧା ବିଶୁଦ୍ଧ – ବସୁଧାର ଶୁଦ୍ଧକାରିଣୀ ଶ୍ରୀରାଧା । ଉପମା ଆଭାସେ-ଉପମା ଦେବାବେଳେ । ଛି ଛି ହେଲେହେଁ ତ କଲେ ଯେ– ଛି ଛି କରିବା ବା ନିନ୍ଦା କରିବା ହିଁ ଧନ୍ୟର କାରଣ ।

 

୨୧। ବର ପତିବ୍ରତା ଶିର ମୁକୁଟ – ଶ୍ରେଷ୍ଠା ପତିବ୍ରତା ନାରୀମାନଙ୍କର ମଥାର ମୁକୁଟ ସଦୃଶା, ଶ୍ରୀରାଧା । ବନଜପଦ– ପଦୃତୁଲ୍ୟ ପାଦ । ଲୁଳିତ – ପଡ଼ିବାକୁ । ଦୁର୍ଘଟ – ଅଯୋଗ୍ୟ । ବିଷ୍ଣୁପଦୀ – ଗଙ୍ଗା । ତାର– ବୃହସ୍ପତିଙ୍କର ପନ୍ନୀ । ତାରା- ସୁଗ୍ରୀବଙ୍କର ପତ୍ନୀ । ବାଳୀ-ନାରୀ। ଲୀଳା– ମୟଦାନବର ପନ୍ନୀ । ବଲ୍ଲଭବ୍ରତୀ- ପତିବ୍ରତା । ଆତ୍ମନିନ୍ଦନ- ନିଜର ନିନ୍ଦା ।

 

୨୨। କୁନ୍ତ– ଅସ୍ତ୍ରବିଶେଷ, ତେଣ୍ଟା। ସୁଧାରେ – ଅମୃତରେ । ଆଶାତରୁ – ଆଶା ରୂପକ ବୃକ୍ଷ । ବଚନ ରଚନେ-କଥା କୁହାରେ । କଉଁ ଯଶକୁ – କେଉଁ ଯଶ ପାଇବାକୁ ।

 

୨୩। ବଲ୍ଲବୀ – ଗୋପୀ, ଶ୍ରୀରାଧାଙ୍କର । କୁଚ – ସ୍ତନ । ମହୀଧର – ପର୍ବତ । ବିଶ୍ୱକେତୁ- କନ୍ଦର୍ପର । ବନିତାଦମ୍ଭ– ପତିବ୍ରତା ଟାଣ । ବର ଉପାୟ– ଶ୍ରେଷ୍ଠ ଉପାୟ । ସଙ୍ଖଳ-ଖୋଜ। ବାଳମଣି –ଯୁବତୀ ଶ୍ରେଷ୍ଠା ଶ୍ରୀରାଧା। ହୃଦପଥର-ହୃଦୟରୁପକ ପଥର । ପାଣି କଲେ – ତରଳାଇ ଦେଲେ । କୁଶଳ – ସଫଳ ।

 

୨୪ । ବ୍ୟଥା- ପୀଡ଼ା । ବରଜବୀର – ଶ୍ରୀକୃଷ୍ଟ । ଆତୁର ସାଗରେ – ବ୍ୟାକୁଳତା ସମୁଦ୍ରରେ । ବୁଦ୍ଧି ଉଚ୍ଛନ୍ନ ଲହରୀ ପ୍ରଖରେ – ବୁଦ୍ଧିଭ୍ରଂଶ ରୂପକ ପ୍ରଖର ତରଙ୍ଗରେ । ବିଶେଷ ଭ୍ରମ- ଅଧିକ ଭ୍ରମ । ରାଘବ କୁମ୍ଭୀର – ରାଘବ ମତ୍ସ୍ୟ ଓ କୁମ୍ଭୀରମାନଙ୍କର । ଭୀର ଦଶା – ଭୟଜନକ ଭୟଙ୍କର ଅବସ୍ଥା ।

 

୨୫। ବ୍ରହ୍ମାଣ୍ଡେଶ୍ଵର – ବ୍ରହ୍ମାଣ୍ଡର ଈଶ୍ଵର , ବିଷ୍ଣୁ । ଅଂଶ– ଅଂଶରୁ । ବିବଶ- ବିହ୍ୱଳ । ରସରେ – ଶ୍ରୀରାଧାଙ୍କ ଭାବରେ । ଦଗ୍ଧ ସୁନା ପ୍ରୀତିବାନ- ଆଉଟା ସୁନା ରୂପକ ପ୍ରୀତିର ଜ୍ୟୋତି । ବିଚିନ୍ତ୍ୟ – ଚିନ୍ତନୀୟ । ସ୍ୱଇଛା ପ୍ରୀତି ସନ୍ଧାନ- ନିଜ ଇଚ୍ଛାରେ ପ୍ରୀତି ଯୋଗ । ବିଚାରି – ବିଶ୍ଚର କରି । ସାଧବେ– ସାଧୁଜନମାନେ । ଘେନ– ଗ୍ରହଣ କର । ବିଦର୍ଭହାସୀ – ମନ୍ଦହାସିନୀ ଶ୍ରୀରାଧା । ଭାବନେ– ଭାବନାରେ ।

 

ଅଷ୍ଟାବିଂଶ ଛାନ୍ଦ

 

୧।ସରସେ-ରସଯୁକ୍ତ କରି।କରିବି-ରଚନା କରିବି । ସନ୍ଥମାନସ-ସାଧୁଲୋକମାନଙ୍କ ମନ । ସଞ୍ଚାରୀ- ଦୂତୀ । ବିମନେ- ଦୁଃଖରେ। କେହି – କିପରି ।

୨ । ସୁମନସେ- ଦେବତାଙ୍କୁ । ସୁମନସ– ଫୁଲ । ସୁମନାଆନନ– ଉତ୍ତମମନା ଶ୍ରୀରାଧାଙ୍କର ମୁଖ । ଆନନ୍ଦ ସଦନ – ଆନନ୍ଦର ଘର।

 

୩ । ଦେବୀ- ଦୁର୍ଗା । ସରଙ୍ଗ – ଲାଲ । ସରାଗ- ଶ୍ରଦ୍ଧା । ନବୀନା- ନବକାମିନୀ ଶ୍ରୀରାଧା,। ଜୀବନ ନିକି ନଦେବି- ଜୀବନ ହାରିଦେବି ନାହିଁକି?

୪। ସକଳଶାସ୍ତ୍ରେ- ମନ୍ତ୍ର, ତନ୍ତ୍ର ଓ କାମସୁତ୍ର ପ୍ରଭୃତି ଶାସ୍ତ୍ରରେ । ସର୍ଜିବି - ସୃଷ୍ଟି କରିବି । ସ୍ୱବଶ -ନିଜ ଅଧୀନ । ବିସର୍ଜବି- ବିସର୍ଜନ କରିବି ।

 

୫। ସତେହେଁ - ସତରେ । ସାର- ଶ୍ରେଷ୍ଠ । ସମସ୍ତ ଲୋକରେ- ସମଗ୍ର ଜଗତରେ । ରସିକରେ-ରସିକମାନଙ୍କ ମଧ୍ୟରେ । ନୃପଛତି- ରାଜଛତ୍ର ।

 

୬। ଶୁଭାଙ୍ଗୀ ଭଙ୍ଗୀ– ସୁନ୍ଦରୀ ଶ୍ରୀରାଧାଙ୍କର ଭଙ୍ଗୀ । ସୁଭାଗ୍ୟ– ଅତ୍ୟନ୍ତ ଭଗ୍ୟବାନ । ନେତ୍ର- ଆଖିର । ଲକ୍ଷିବି – ବିଚାରିବି । ସୁନାମୀର ପଦ – ଇନ୍ଦ୍ରପଦ । ସୁନାମୀର ପଦତଳେ ସୁନ୍ଦର ନାସିକା ବିଶିଷ୍ଟ ଶୀରଧାଙ୍କର ପାଦତଳକୁ । ଲେଖିବି-ଗଣିବି ।

 

୭ । ସାରବଚନ – ଉତ୍କୃଷ୍ଟ କଥା । ସାରଙ୍ଗେ – ସାରଙ୍ଗୀ ବାଦ୍ୟକୁ । ଶାରଦାବୀଣା – ସରସ୍ଵତୀଙ୍କର ବୀଣା । ମନଫୁରୁଣାକୁ – ମନକୁ ପ୍ରଫୁଲ୍ଲ କରିବାକୁ । ପାଣିକି – ହାତକୁ ।

 

୮ । ସୁନ୍ଦରୀମୁଖ– ସୁନ୍ଦରୀ ଶ୍ରୀରାଧାଙ୍କ ମୁଖ । ସୁଧାଶୁଂ- ଚନ୍ଦ୍ର ।

୯। ସୁନାଙ୍ଗୀ– ସ୍ଵର୍ଣ୍ଣବର୍ଣ୍ଣା ଶ୍ରୀରାଧା । ସୁନାଗର – ଉତ୍ତମ ରସିକ । ସୁମନଶର – କନ୍ଦର୍ପ । ଶରସନ– ଧନୁ ।

 

୧୦ । ସମ୍ଭୋଗ– ସୁରତି । ରଙ୍ଗେ– କୌତୁକରେ । ସର୍ଜିବି– ସୃଷ୍ଟି କରିବି। ସନାଦ– ଶବ୍ଦ କରୁଥିବା, ବାଜେଣି । ଷଟପଦନାଦ– ଭ୍ରମର ସ୍ଵନ। ବାଦ– ବିବାଦ । ନ ସମ୍ପାଦ– ନ କର । ତର୍ଜିବି– ବାରଣ କରିବି, ସାବଧାନ କରିବି।

 

୧୧ । ସୁମତି– ଉତ୍ତମମତି ଶ୍ରୀରାଧା । ଅଙ୍ଗେ– ଶରୀରରେ । ଜଡ଼ିବି ମିଶିଯିବି । ସୁଧାସମୁଦ୍ର –ଅମୃତର ସମୁଦ୍ର । ସୁବାସ- ସୁଗନ୍ଧ ।

 

୧୨ । ଶ୍ରୀପଦେ ଶ୍ରୀରାଧାଙ୍କର ସୁନ୍ଦର ପାଦରେ । ଲକ୍ଷା– ଅନତା । ସର୍ଜିବି- ,ରଞ୍ଜିତ କରିବି, ଲଗାଇବି । ଶ୍ରୀପଦ – ଐଶ୍ଵର୍ଯ୍ୟ । ଶ୍ରୀମୁଖ– ଶ୍ରୀରଧାଙ୍କର ସୁନ୍ଦର ମୁଖ । ଗରୁଡ଼ରୀତି-ହାତଯୋଡ଼ି ଆଗରେ ଠିଆହେବା ବର୍ଜିବି-ବର୍ଜନ କରିବି, ତ୍ୟାଗ କରିବି।

 

୧୩ । ସେବାସ୍ନେହ- ସେବା କରିବାର ଆନନ୍ଦ । ଶେଯଶୁଆ– ଶେଯରେ ଶୋଇବା ଅଭ୍ୟାସ। କୋମଳାଙ୍ଗୀ– କୋମଳ ଶରୀରଧାରିଣୀ ଶ୍ରୀରଧା। ଆନନ୍ଦଦାୟୀ– ଆନନ୍ଦଦାୟିନୀ । ପହୁଡ଼ଇବି- ଶୁଆଇବି ।

 

୧୪ ! ସାଭିଳାଷ– ମନୋରଥ । ଜଡ଼ିବି– ଦେହରେ ଲ।ଗିଯିବି । ସାହିତ୍ୟ ପଠିନୀ-ସାହିତ୍ୟପାଠିକା ଶ୍ରୀରାଧା । ଗହଣ ଖଟଣି- ସଙ୍ଗସେବାକୁ।

 

୧୫ । ସୁଲକ୍ଷଣ– ଉତ୍ତମ ଲକ୍ଷଣ ବିଶିଷ୍ଟ ଶ୍ରୀରାଧା । ସୁର ଆଚରଣ ପଣ– ଦେବତାମାନଙ୍କର ଆଚରଣ, ନିର୍ବିଶେଷ ପଣ । ଇକ୍ଷଣ– ପଲକ ନ ପଡ଼ିବା । ବିହିବି– ଗୃହିଁବି।

 

୧୬ । ସରିତ– ନଦୀ । ଅଭେଦ-ଅଭିନ୍ନ ।

୧୭ । ସାର୍ଥ – ସଫଳ, ଧନ୍ୟ । ସର୍ପବନ୍ଧ – ରତିବନ୍ଧ ବିଶେଷ । ସକମ୍ପ ଶ୍ରୀମୁଖେ – ମୁଖ ହଲାଇ ।

 

୧୮। ଖେଳେ- କନ୍ଦର୍ପ କ୍ରୀଡ଼ାରେ, ରତିରେ । ସନାଦ– ବାଜୁଥିବା । ଭରାଇବି– ପିନ୍ଧାଇବି ।

୧୯। ଛଳାଇବି– ଛଳାଇ କହିବି । ସୁଝୀନବସନା – ଉତ୍କୃଷ୍ଟ ସରୁଲୁଗା ପିନ୍ଧିଥିବା ଶ୍ରୀରାଧା ।

 

୨ o। କର– ହାତ । କିଙ୍କିଣୀ- ଶବ୍ଦ । ଶୁଣା- ଶୁଣାଅ । ମୋହେ – ମୁଗ୍‌ଧହୋଇ । ଭାଷା-କଥା। ଯୋଷା– ଶ୍ରୀରାଧା । ବାରିବି– ବାରଣ କରିବି ।

 

୨୧ । ସୁବେଣୀନାଟ – ଶ୍ରୀରାଧାଙ୍କର ସୁନ୍ଦର ବେଣୀର ନାଚ; ବିପରୀତି ବନ୍ଧରେ ବେଣୀର ନାଚ । ସୁମେରୁ ଶ୍ରୀରାଧାଙ୍କର ସ୍ତନ । ପଦ୍ମେ- ଓଲଟାହାତରେ । ସୁମତି – ଉତ୍ତମମନା ଶ୍ରୀରାଧା । ନାସାମଣି ନଚାଇବ– ମୁଖଚାଳନ କରି ନାସାର ମଣିକୁ ହଲାଇବ। ପରଖିବି- ପରୀକ୍ଷା କରିବି।

 

୨୨। ସପତ –ଶପଥ, ରାଣ। ସପ୍ତଦ୍ୱିବୟା-ଦ୍ୱିସପ୍ତ ଅର୍ଥାତ୍‌ ଚଉଦବର୍ଷୀୟ ଶ୍ରୀରାଧା । ସପ୍ତକିନୀନାଦ –ପୁରୁଷାୟିତତରେ କଟିକିଙ୍କିଣିରୁ ଜାତ ଶଦ୍ଦ।

 

୨୩ । ବାସହରିବି– ବସ୍ତ୍ରକୁ ହରଣ କରିବି, ଉଲଗ୍ନ କରାଇବି । ବିଚାରିବି-ବିଚାରକରି ପ୍ରକାଶ କରିବି। ବ୍ୟାଜରୋଦନେ- ମିଛରେ କାନ୍ଦିଲେ, ଛଳନା କରି କାନ୍ଦିଲେ। ଆନନ ଧୂନନେ-ମୁହଁ ହଲାଇ। ଆନଦେଲେ-ରାଣପକାଇଲେ।

 

। ୨୪ । ସାରଣା- ଠିକ୍ କରିବି। ସାତକୁମ୍ଭଗୋରୀ- ସୁନାଗୋରୀ। କାମନା – ଇଚ୍ଛା । ନ ବାରିବି- ବାରଣ କରିବି ନାହିଁ ।

୨୫ । ଶଶୀକିରଣରେ – ଚନ୍ଦ୍ର ଆଲେକରେ । ଚୁର୍ଣ୍ଣପ୍ରାଙ୍ଗଣରେ – ଚୂନଲିପା ଅଗଣାରେ। ବିପରୀତ- ବିପରୀତ ରତି ପାଇଁ । ମଙ୍ଗୀଇବି- ରାଜି କରାଇବି ।

 

୨୬ । ସୁମନେ– ଫୁଲରେ । ସୁମକରୀ- ଉତ୍ତମ ମଗରଚିତା। ସରଜିବି – କରିବି । ସୁପତ୍ରାବଳୀକି- ସ୍ତନାଦିରେ ଲତାପତ୍ରାଦି ଚିତ୍ର । ଲେଖନେ- ଅଙ୍କନ କରିବାକୁ । ବାଳୀକି ମନାଇଁ ଶ୍ରୀରାଧାଙ୍କୁ ରାଜି କରାଇ । ନଖ ମାଜିବି – ନଖକୁ ଘଷି ସଫା କରିବି।

 

୨୭ । ସୁଗ୍ରୀଷ୍ମ – ବିଶେଷ ଉତ୍ତାପ, ଗ୍ରୀଷ୍ମଜନିତ ଉତ୍ତାପ । ସୁମନା-– ଉତ୍ତମମନା ଶ୍ରୀରଧା। ସୁମନବନରେ – ଫୁଲ ବଗିଚାରେ । ଜଳଯନ୍ତ୍ରପୁରେ- ଜଳଯନ୍ତ୍ର ରଖାଯାଇ ଥଣ୍ଡା କର।ଯାଉଥିବା ଘରେ ।

 

୨୮ । ଶ୍ରୀଖଣ୍ଡ– ଚନ୍ଦନ । ଶ୍ରୀଉର – ଶ୍ରୀରାଧାଙ୍କର ସୁନ୍ଦର ବକ୍ଷକୁ । ଉରେ – ମୋ ବକ୍ଷରେ । ଶ୍ରୀଅଙ୍ଗଶୀତଳ– ଶ୍ରୀରାଧାଙ୍କ ଦେହର ଶୀତଳତାକୁ । ତାପେ- ତାତିରେ ।

 

୨୯। ଶ୍ୟାମା- ଶ୍ରୀରାଧା । ମତି– ମନ । ସାମୁଦ୍ରିକ – ମନୁଷ୍ୟର ଲକ୍ଷଣାଦି ବର୍ଣ୍ଣିତ ଶାସ୍ତ୍ର ।ସାର – ଶ୍ରେଷ୍ଠ । ରସାଳସା- ରସପୂର୍ଣ୍ଣା ଶ୍ରୀରାଧା ।

 

୩୦ । ଶରଦ- ଶରତ୍‌ଋତୁ । ସରୋଜାକ୍ଷୀ– ପଦ୍ମନେତ୍ରୀ ଶ୍ରୀରାଧା। ଲେଖିବି– ପତ୍ର ଲେଖିବି । ଭୂରେ– ପୃଥିବୀରେ । ପ୍ରଭୁ – ମାଲିକ, ରକ୍ଷାକାରିଣୀ। କେହି– କିପରି ।

 

୩୧। ଦ୍ରବାଇବି – ତରଳାଇଦେବି । ସଙ୍ଗୀତରଙ୍ଗ – ଗାନକୌତୁକ । ଅନଙ୍ଗ – କନ୍ଦର୍ପ । ମୁଖେ କାଳି ଲଗାଇବି- ମୁହଁରେ କାଳି ଲଗାଇବି ଅର୍ଥାତ୍ ପରାଜିତ କରିବି ।

 

୩୨। ଶୀତଳଋତୁ-ହିମଋତୁ । ଶିବାରି- ଶିବଙ୍କର ଶତ୍ରୁ କନ୍ଦର୍ପ । ସ୍ମିତହାସେ– ମନ୍ଦହାସରେ । ଠାରିଦେବି– ସଙ୍କେତ ଦେବି । ଶର୍ବରୀ- ରାତ୍ରି । ହିତ– ଭଲ ।

 

୩୩। ସିହାଣୀ – ଚତୁରୀ ଶ୍ରୀରାଧା । ବଟିବି – ଭଣ୍ଡାଇବି । ଶିଶିର ଭୟ – ଶୀତଭୟ ।

୩୪ । ସାରଋତୁ – ଶ୍ରେଷ୍ଠଋତୁ ବସନ୍ତ । ସାରଙ୍ଗୀ– ବାଦ୍ୟ । କରେ – ହାତରେ । ବାଇବି –ବଜାଇବି । ପିକମାନ– ପଞ୍ଚମସ୍ୱରକୁ । ସାରକରି– ଅଧିକ ଶ୍ରେଷ୍ଠ କରି ।

 

୩୫ । ସୁମତିକର– ଉତ୍ତମମନା ଶ୍ରୀରାଧାଙ୍କର ହାତ । ସୁମନା ତୋଳା – ଫୁଲାତୋଳା । ବାରିବି-ବାରଣ କରିବି । ସୁମନା – ଉତ୍ତମମନା ଶ୍ରୀରାଧା । ଏରୀତି କଲେ- ଫୁଲ ତୋଳିଲେ । ଦାସ – ଭୃତ୍ୟ, ଶ୍ରୀକୃଷ୍ଣ ନିଜକୁ ଦାସ ଭାବରେ ପ୍ରକାଶ କରିଛନ୍ତି ।

 

୩୬ । ସେ– ଶ୍ରୀରଧା। ବନେଭ୍ର ମୁଁ – ବନରେ ବୁଲିବା ସମୟରେ । ସେବକପଣ-ସେବାକାରୀ, ଭୃତ୍ୟପଣିଆ। ଶେଷାଞ୍ଚଳ– ଲୁଗାକାନି । ଶ୍ରମସ୍ୱେଦ– ପରିଶ୍ରମଜନିତ ଝାଳ । ବାରିବାର – ବାରଣ କରିବାର, ପୋଛିଦେବାର । ଭାଗ୍ୟ– ସୌଭାଗ୍ୟ ।

 

୩୭ । ସେବତୀ- ସେବତୀ ଫୁଲ । ପଡ଼ାଇବି – ବିଛାଇବି । ସୁକୁମାରୀ– କୋମଳାଙ୍ଗୀ । ବୃନ୍ତ ସେବତୀ ଫୁଲର ଡେମ୍ଫ ।

୩୮ । ସୁମନେ– ଫୁଲରେ । ରଞ୍ଚିବି – ତିଆରି କରିବି । ସୁମରୁଁ – ମନେ କରୁ କରୁ। ସୁମତି- ଉତ୍ତମମନା ଶ୍ରୀରାଧା । ବ୍ୟାଜ – ଛଳନା । ବିରଞ୍ଚିବି – ପ୍ରକାଶ କରିବି ।

 

୩୯ । ସୁମନା ମନା- ଉତ୍ତମମନା ଶ୍ରୀରାଧାଙ୍କର ବାରଣ, ଅର୍ଥାତ୍ ଶ୍ରୀରାଧା ବିଞ୍ଚିବାକୁ ବାରଣ କଲେ । କରିବି- ବିଞ୍ଚିବି । ସୁକାନ୍ତି – ଉତ୍ତମକାନ୍ତି ବିଶିଷ୍ଟ। ଶ୍ରୀରାଧା ।

 

୪୦ । ଶତଦଳ– ପଦ୍ମ । ଛିନାଇବି – ତୋଳିବି, ଛିଣ୍ଡାଇବି । ସହୀମୁଖ– ସଖୀ ଶୀରାଧାଙ୍କର ମୁଖ । ସଦାପ୍ରସନ୍ନତା – ସର୍ବଦା ପ୍ରଫୁଲ୍ଲ । ବନିତା- ନାରୀ, ଶ୍ରୀରାଧା ।

 

୪୧ । ଚଳିଲେ – ରାଗିଲେ । ଭାଷ– କହ । କବିଦୋଷୀ– କବି ପଦ୍ମକୁ ମୁଖ ସହିତ ତୁଳନା କରିବା ଯୋଗୁଁ ଦୋଷୀ।

୪୨ । କତି- ଶ୍ରୀରାଧାଙ୍କର ନୈକଟ୍ୟ । ଶଶିରୁ ସୁଧା– ଚନ୍ଦ୍ରରୁ ଅମୃତ । ସ୍ଵପ୍ନ ସମ୍ପତ୍ତି– ସ୍ୱପ୍ନର ସମ୍ପତ୍ତି, ଶ୍ରୀରାଧା । ଭୋଗକୁ – ଭୋଗ କରିବା ନିମନ୍ତେ । ପ୍ରାପତି ହେବ– ମିଳିବ । ପ୍ରତେ- ପରତେ, ବିଶ୍ୱାସ ।

 

୪୩ । ସାରଯଶ – ଶ୍ରେଷ୍ଠକୀର୍ତ୍ତି । ସାଧୁ ସୁଖ– ସାଧୁଲୋକମାନଙ୍କର ସୁଖ । ଦାମୋଦର ଶ୍ରୀକୃଷ୍ଣଙ୍କୁ । ରାଧାତୁଲେ– ଶ୍ରୀରାଧାଙ୍କ ସହିତ।

 

ଊନତ୍ରିଂଶ ଛାନ୍ଦ

 

୧। ନନ୍ଦନନ୍ଦନ ଅଙ୍ଗ– ଶ୍ରୀକୃଷ୍ଣଙ୍କର ଅଙ୍ଗ । ବ୍ରଜକଳତ୍ର– ବ୍ରଜନାରୀ । ମଦନଶସ୍ତ୍ର– କନ୍ଦର୍ପର ଶର । ଉଚ୍ଛନ୍ନ – ଉତ୍‌କଣ୍ଠିତ । ଭକ୍ତରଙ୍ଗ – ଭକ୍ତଙ୍କର ଆନନ୍ଦଦାୟକ ।

 

୨। ସଜଳ ନବଘନ ସମ୍ଭବ– ଜଳପୂର୍ଣ୍ଣ ନୂଆମେଘ ପ୍ରାୟ । ବରନ- ବର୍ଣ୍ଣ ବା ରଙ୍ଗ । ବରଯତ୍ନ–ବଡ଼ଯତ୍ନ । କୃଷ୍ଣକମଳ– କଳାପଦ୍ମ । ପ୍ରଚ୍ଛଳଦଳ– ନିର୍ମଳ ପାଖୁଡ଼ା । ମରକତଗଞ୍ଜନ-ମର୍କତମଣିର ଶୋଭାକୁ ଗଞ୍ଜନ କରିଛି ।

 

୩ । ରମ୍ୟ କଜ୍ଜ୍ୱଳବର ଉଜ୍ଜ୍ୱଳ– ମନୋହର କଳାପରି ଉଜ୍ଜ୍ୱଳ । ତମସଚୟ– ଅନ୍ଧକାର ପୁଞ୍ଜ । ଜୟ-ଜୟ କରିଅଛି । ଭ୍ରମର ସଞ୍ଚ– ଭ୍ରମର ପରି ସୁନ୍ଦର । ମସ୍ତକ କବ ବନ୍ଧନ – ମଥାର କେଶପାଶ । ସ୍ମରଭୟ- କନ୍ଦର୍ପର ଭୟକାରୀ।

 

୪ । ବରହବର– ଶ୍ରେଷ୍ଠ ମୟୂରପୁଚ୍ଛ । ମଣ୍ଡନକର– ମସ୍ତକରମଣ୍ଡନ । ନବପଲ୍ଲବ ସଙ୍ଗ– ନୂଆ କଅଁଳିଆ ପତ୍ର ସହିତ । ଅର୍ଦ୍ଧଚନ୍ଦ୍ରକ– ଅର୍ଦ୍ଧଚନ୍ଦ୍ରାକାର ଅଳଙ୍କାର । କମଳସ୍ରକ- ପଦ୍ମମାଳା।ବନ୍ଧନ- ବନ୍ଧା ହୋଇଅଛି । ଛନ୍ଦରଙ୍ଗ– ଛନ୍ଦପ୍ରକାରରେ ।

 

୫ । ରତ୍ନସଞ୍ଜତ - ମଣିଖଚିତ । ମକର ବତ - ମକର ପ୍ରକାର,ମଗର ଆକାର । ଶ୍ରବଣ ଅବତଂସ- କର୍ଣ୍ଣଭୂଷଣ, କୁଣ୍ଡଳ । ରମ୍ୟଅଞ୍ଜନ – ମନୋହର କଜ୍ଜ୍ୱଳ । ଅକ୍ଷରଞ୍ଜନ-ଚକ୍ଷୁରେ ଶୋଭିତ । ବଶ- ଆୟତ୍ତ ।

 

୬ । ମଦନମନ ଅକ୍ଷ ବନ୍ଧନ- କନ୍ଦର୍ପର ମନ ଓ ଚକ୍ଷୁର ବନ୍ଧନକାରୀ । ପରତକ୍ଷ-ପ୍ରତ୍ୟକ୍ଷ । ଲପନ - ମୁଖ । କଳଙ୍କହିତ -- କଳଙ୍କରହିତ । ମହତ- ଆଧିକ୍ୟ । ଦଳନ-ବିନାଶ ।

 

୭ । କଜ୍ଜ୍ୱଳବର୍ଣ୍ଣ - କଳାବର୍ଣ୍ଣ । ପଙ୍କଜଯତ୍ନ – ପଦ୍ମର ଶୋଭା । ଘଟନ – ତୁଳନାରେ । ଅଘଟନ-ଅନୁପଯୁକ୍ତ । ମର୍କତ ଦରପଣରେ – ମର୍କତ ମଣିପରି ଦର୍ପଣର । ବରପଣ-ବଡ଼ପଣ । ଅଯତନ– ଅଶୋଭନ ।

 

୮ । ପବନବହ– ଶବ୍ଦ । ପବନବହ ସର – ଶବ୍ଦର ଆଧାର ଅର୍ଥାତ୍ ନାକ । ସଂଗ୍ରହ ସହ- ଯୁକ୍ତ ହୋଇଅଛି । ଅର୍ଣ୍ଣବଫଳ – ମୁକ୍ତା ।ଚନ୍ଦ୍ରରଖଣ୍ଡ – ଅର୍ଦ୍ଧଚନ୍ଦ୍ର । ପ୍ରଚ୍ଛଳ– ସ୍ୱଚ୍ଛ, ନିର୍ମଳ । ଗଣ୍ଡ– କପୋଳ । ଦର୍ପକ- କନ୍ଦର୍ପ । ଦର୍ପସ୍ଥାନ- ଗର୍ବର ସ୍ଥାନ ।

୯। ପଲ୍ଲବରଙ୍ଗ – କଅଁଳିଆ ପତ୍ରର ଶୋଭା । ଅଧର – ଓଷ୍ଠ । ଭଙ୍ଗକରଇ – ଭାଙ୍ଗିଦିଏ, ପରାଜିତ କରେ । ପରତକ୍ଷ – ପ୍ରତ୍ୟକ୍ଷରେ । ମନ୍ଦ ସରସ ଝଟକ ହସ – ରସପୂର୍ଣ୍ଣ ଉଜ୍ଜ୍ୱଳ ମନ୍ଦହାସ । ଅଲକ୍ଷ – ତୁଳନୀୟ ନୁହେଁ, ସମାନ ନୁହେଁ ।

 

୧୦।      କଣ୍ଠ– ଶ୍ରୀକୃଷ୍ଣଙ୍କର କଣ୍ଠ । ଦର- ଶଙ୍ଖର । ମହତହର-ବଡପଣିଆର ବିନାଶକାରୀ । କଳରବ ଗଞ୍ଜନ- ପାରାର କଣ୍ଠକୁ ଗଞ୍ଜଣା ଦିଏ, ଅର୍ଥାତ୍ ଶ୍ରୀକୃଷ୍ଣଙ୍କର କଣ୍ଠ ପାରର କଣ୍ଠଠାରୁ ଅଧିକ ସୁନ୍ଦର । ପଦ୍ମ କଦମ୍ବ – ପଦ୍ମ ସମୂହ, ପଦ୍ମ ଓ କଦମ୍ବଫୁଲ । ରତନ- ରତ୍ନହାର । ଦମ୍ଭହାରକ-ଧୌର୍ଯ୍ୟନାଶକାରୀ। ସ୍ରକ- ହାର । ଯନ୍ନ– ସୌନ୍ଦର୍ଯ୍ୟ । ପଦ୍ମ ଓ କଦମ୍ବଫୁଲରେ ଗୁନ୍ଥା ହୋଇଥିବା ମାଳ ରତ୍ନହାରର ସୌନ୍ଦର୍ଯ୍ୟକୁ ନିନ୍ଦା କରୁଅଛି ।

 

୧୧ । ଉର-ବକ୍ଷ । ମର୍କତ ଅରର ବତ– ମର୍କତମଣିରେ ତିଆରି କବାଟପରି । ଅଲକ୍ଷତ ଲକ୍ଷଣ – ଅତୁଳନୀୟ ଶୁଭଲକ୍ଷଣଯୁକ୍ତ । ଗଜ ପ୍ରମତ୍ତ କର– ମତ୍ତହସ୍ତୀର ଶୁଣ୍ଢ । ସଞ୍ଜତ –ସ୍ଥିର । ହସ୍ତଦଣ୍ଡ ଘଟଣ– ଶ୍ରୀକୃଷ୍ଣଙ୍କର ବାହୁଦଣ୍ଡର ଶୋଭା ।

 

୧୨ । ପତଙ୍ଗକୃତରଙ୍ଗ – ସୂର୍ଯ୍ୟଙ୍କ ବିହିତ ରଙ୍ଗ । ବ୍ୟକତ- ପ୍ରକାଶିତ । କରପତ୍ର – ହସ୍ତରୂପକ ପତ୍ର ବା ପଲ୍ଲବ । ପ୍ରକଟ – ପ୍ରକାଶିତ । ମଧ୍ୟର- କଟିର । ସମ-ସମାନ । ବଜ୍ରଉପମ-ବକ୍ରତୁଲ୍ୟ । ଏଣଇନ୍ଦ୍ର – ସିଂହ । ଅଘଟ – ଅସମାନ, ଅନୁପଯୁକ୍ତ ।

୧୩ । ଉଦର- ପେଟ । ଶତପତ୍ରର ଶତପତ୍ର – ପଦ୍ମପତ୍ର । ମହତ– ଶୋଭା ଓ କୋମଳତା । ହର– ହରଣ କରୁଅଛି । ବରଚରମ– ଉକ୍ନୃଷ୍ଟ ପୃଷ୍ଠଦେଶ । ଫଳକରମ୍ୟ– ଢାଲର ଶୋଭା । ଗରବ ଖର୍ବକର – ଗର୍ବକୁ ନାଶ କରୁଅଛି ।

 

୧୪ । କନକ ଯତ୍ନଜୟବସନ– ସୁନାର ସୌନ୍ଦର୍ଯ୍ୟକୁ ଜୟ କରିଥିବା ବସ୍ତ୍ର, ପୀତବସ୍ତ୍ର । ସନକ ଦମ୍ଭହର – ସନକ ପ୍ରଭୃତି ଋଷିମାନଙ୍କର ଧୈର୍ଯ୍ୟକୁ ହରଣ କରେ । ମଧ୍ୟମଣ୍ଡନସ୍ୱନ- କଟିଭୂଷଣର ଶବ୍ଦ । ମଦନମନ ଧନ ଚଉର- କନ୍ଦର୍ପର ମନରୂପକ ଧନର ଚୋର, କନ୍ଦର୍ପର ମନକୁ ହରଣ କରେ ।

 

୧୫ । ଘନଜଘନ ଘଞ୍ଚଜଙ୍ଘ । ମଲ୍ଲମଜ୍ଜନସ୍ତମ୍ଭ ଦମ୍ଭତସ୍ମର – ମାଲସାଧନ ଖମ୍ବର ଦୃଢତା ହରଣକାରୀ। ତଳରଜଙ୍ଘ – ପେଣ୍ଡା । ଖଡ଼ଗଶୃଙ୍ଗ– ଗଣ୍ଡାଶିଙ୍ଗପରି କଠିନ । ଗଜବନ୍ଧନ କର – ହସ୍ତୀକୁ ବନ୍ଧନ କରି ବାପାଇଁ ଦୃଢ଼ ।

 

୧୬ । ଚରଣତଳ– ପାଦର ତଳଭାଗ, ତଳିପା । ରଙ୍ଗକମଳ– ରକ୍ତପଦ୍ମ । ମବ୍ଦମର୍ଦ୍ଦନ କର । ଗର୍ବନାଶକାରୀ । ପଦର ବିକ୍ରଛନ୍ଦନ– ପାଦର ବଙ୍କାଭାବରେ ଛନ୍ଦା । ଶକ୍ରମନ-ଇନ୍ଦ୍ରଙ୍କର ମନ । ଆକର୍ଷଭର – ଆକର୍ଷଣକାରୀ ।

 

୧୭ । ବକ୍ର ମଧ୍ୟର- କଟିର ବକ୍ରତା । କଣ୍ଠ କରର– ଗଳା ଓ ହାତର । ଶଙ୍କର ଦମ୍ଭକର – ଶିବଙ୍କର ଧୈର୍ଯ୍ୟନାଶକ । ନଟବର – ଶ୍ରୀକୃଷ୍ଣ। ବଲ୍ଲଭବ୍ରତ – ସତୀମାନଙ୍କର ପତିବ୍ରତ । ମମ ମନର ହର– ମୋର ମନର ହରଣକାରୀ।

 

୧୮ । ଜଗତନର – ସଂସାରର ଲୋକମାନଙ୍କର । ସଦ୍ରବକର – ତରଳତାକାରୀ । ବଂଶଯନ୍ତର-ବଂଶଯନ୍ତ୍ର, ବଂଶୀ । ଶ୍ରବଣଜନ- ଶୁଣିବାଲୋକ । ଦମ୍ଭଭୁଞ୍ଜନ – ଦମ୍ଭକୁ ଭାଙ୍ଗିଦିଏ । ମନମଜ୍ଜନ- ମନକୁ ମଜ୍ଜାଇଦିଏ ।

 

୧୯। ସ୍ୱରସ୍ପରଶ– ବଂଶୀଧ୍ୱନି ଶ୍ରବଣ । ପ୍ରଚରଣ ପ୍ରକାଶ ବା ପ୍ରଚାରରେ । ମରଣଗଛ– । ମଲାଗଛ । ପଲ୍ଲବସ୍ୱଚ୍ଛ– କଅଁଳିଆ ପତ୍ରରେ ଶୋଭିତ ହୁଏ । ବସନ ସ୍ମଳନ –ଲୁଗାଫିଟିଯାଏ ।

 

୨୦ । ଚନ୍ଦ୍ରତପନ-ଚନ୍ଦ୍ରସୂର୍ଯ୍ୟ । ପତଙ୍ଗ– ପକ୍ଷୀ । ସ୍ତମ୍ଭକର– ନିଶ୍ଚଳ କରିଦିଏ । ମମ-ମୋର । ମନଜ-ମନୋଜ,କନ୍ଦର୍ପ । ମନ୍ତର-ମନ୍ତ୍ର । ହୃତକର-ହରଣ କରେ ।

 

୨୧ । ସଘଂଟ- ମିଳନ । ଘଟଘଟକ କମଳଜ– ବ୍ରହ୍ମାଣ୍ଡ ଘଟଣାକାରୀ ବ୍ରହ୍ମା । ସଂଘଟ - ବିବାଦ । ବରଲମ୍ପଟ – ଲମ୍ପଟ ଶ୍ରେଷ୍ଠ, ଶ୍ରୀକୃଷ୍ଣ । ଅକ୍ଷମନର – ଚକ୍ଷୁ ଓ ମନର । ଭଞ୍ଜ– ଭଞ୍ଜନ କର ।

 

୨୨ । ଜୟଶଙ୍କରବର– ଶିବଙ୍କଠାରୁ ବଡ଼, ତୁମର ଜୟହେଉ । ଶଙ୍କର – ଶୁଭକର । ଦତ୍ତ ସଙ୍ଗତକର – ଯାଚି ଦେଇ ପ୍ରାପ୍ତ କର।ଅ । ବଲ୍ଲଭପଦ– ଅତ୍ୟନ୍ତ ପ୍ରୀତିକର ପାଦ । ସ୍ପର୍ଶସମ୍ପଦ– ଛୁଇଁବା ରୂପକ ଧନ । ବର ଅମରଙ୍କର – ଦେବତାମାନଙ୍କ ପ୍ରତି ଅନୁଗ୍ରହ ପ୍ରକାଶ କରି ।

 

୨୩ । କଳ୍ପଇ-କଳ୍ପନା କରୁଅଛି । ବଡ଼ – ବାକ୍ୟ । ଜଳ୍ପଇ- କରୁଅଛି । ସତତ – ସବୁବେଳେ । ଧର ଧର – ଗୋବଦ୍ଧନଧାରୀ ଶ୍ରୀକୃଷ୍ଣ । ଅସମ- ବିଷମ, ଅସମାନ । ଛନ୍ଦ – ଛନ୍ଦଣୀ । ଅଜ୍ଞର – ମୂର୍ଖର । ଧନ୍ଦ– ଭ୍ରମ, ଶ୍ରମ । ଶ୍ରବଣ ଜନଙ୍କର – ଶୁଣିବା ଲୋକଙ୍କର ।

 

୨୪ । ନନ୍ଦନନ୍ଦନ– ନନ୍ଦସୁତ, ଶ୍ରୀକୃଷ୍ଣ । ଜଗବନ୍ଦନ – ଜଗତର ପୂଜ୍ୟ । ପଦଦ୍ୱନ୍ଦ – ପଦଯୁଗଳ । ଯତନ-ଶୋଭା । ସନ୍ତତ– ସର୍ବଦା । ସ୍ମରଣବନ୍ତ– ସ୍ମରଣ କରୁଅଛି । ଶକ୍ରଜୟନନ୍ଦନ-ଇନ୍ଦ୍ରଜିତ ସାମନ୍ତସିଂହାରଙ୍କର ପୁତ୍ର, ଅଭିମନ୍ୟୁ ସାମନ୍ତସିଂହାର ।

 

 

ତ୍ରିଂଶ ଛାନ୍ଦ

 

୧ । ଏ ଉତ୍ତାରୁ – ଏହାପରେ । ସୁବିଦୁଷ – ଉତ୍ତମ ପଣ୍ଡିତମାନେ । ଘେନରସ- ରସପୂର୍ଣ୍ଣ ବର୍ଣ୍ଣନାକୁ ଗ୍ରହଣ କର । ନିଶିମୁଖ– ସନ୍ଧ୍ୟା। ବାରୁଣୀ ବିଳାସୀ ରବି– ପଶ୍ଚିମ ଦିଗରୁପିଣୀ ନାୟିକା ବିହାରୀ ସୂର୍ଯ୍ୟ, ପଶ୍ଚିମଦିଗକୁ ଢଳି ପଡ଼ିଥିବା ସୂର୍ଯ୍ୟ । ଶଶିଛବି – ଚନ୍ଦ୍ରଙ୍କ ଶୋଭା ବା ରୂପ । ରଙ୍ଗିମା– ଲାଲରଙ୍ଗ, ରକ୍ତବର୍ଣ୍ଣ (ସୂର୍ଯ୍ୟ) । ଶୁକ୍ଳିମା- ଶୁକ୍ଳବର୍ଣ୍ଣ, ଧବଳ (ଚନ୍ଦ୍ର)। ମନୋହର – ସୁନ୍ଦର । ପ୍ରକାଶ– ଦୀପ୍ତିଶୋଭା । ଋତୁମୁଖ– ଋତୁ ଅର୍ଥାତ ଛଅଟି ମୁଖ ଯାହାଙ୍କର, କାର୍ତ୍ତିକେୟ । ଋତୁମୁଖଜାତ ତିଥି– କାର୍ତ୍ତିକେୟଙ୍କ ଜନ୍ମତିଥୀ, କାର୍ତ୍ତିକ ପୂର୍ଣ୍ଣମା । ମିଶି- ମିଶିବାରୁ । ମଞ୍ଜୁଳ– ସୁନ୍ଦର ।

 

୨। ପଦ୍ମଯୋନି– ବ୍ରହ୍ମା । ସୁଧା– ଅମୃତ । ଅନୁରାଗ– ସ୍ନେହ । ବିଶ୍ୱତୁଳନାରେ– ବ୍ରହ୍ମାଣ୍ଡ ରୂପକ ତୁଳଦଣ୍ଡରେ । ତୁଳି– ତଉଲି, ତୁଳନା କରି । କଳନା କରେ – ବିଚାର କରେ । ଏଠାରେ ଚନ୍ଦ୍ରକୁ ସୁଧା ଓ ସୂର୍ଯ୍ୟକୁ ଅନୁରାଗ ଭାବରେ କଳ୍ପନା କରାଯାଇଛି । ଉଶ୍ୱାସ ଭାଗ– ହାଲୁକାପଟ । ଗରୁଆ– ଭାରୀ ଅଧିକ ଓଜନ ଭାଗ। ବିଧିରେ – ତୁଳା ବିଧିରେ । ଚନ୍ଦ୍ର ଆକାଶର ଊର୍ଦ୍ଧଦେଶକୁ ଉଠିବାରୁ ତାହା ହାଲୁକା ଓ ସୂର୍ଯ୍ୟ ଆକାଶର ନିମ୍ନଭାଗକୁ ଗତି କରିବାରୁ ତାହା ଭାରୀ । ତେଣୁ ଏଠାରେ କବି ପ୍ରକାଶ କରିଛନ୍ତି ଯେ ଅନୁରାଗ ସୁଧାଠାରୁ ଉତ୍କୃଷ୍ଟ । ଏହି ଦୃଷ୍ଟିରୁ ଅନୁରାଗ ସହିତ ଅମୃତକୁ ସମାନ ବୋଲି କୁଯାଇ ନପାରେ।

 

୩। ତାତ– ପିତା, କନ୍ଦର୍ପର ପିତା ବିଷ୍ଣୁ । ସିଦ୍ଧି- ପ୍ରସିଦ୍ଧି, ବିଷ୍ଣୁ ଗୋଟିଏ ଚନ୍ଦ୍ର ଧାରଣ କରିଛନ୍ତି । ବଳିବ– ଟପିଯିବ । କାମଦେବ- କନ୍ଦର୍ପ । ମାଣିକ୍ୟ – ରକ୍ତବର୍ଣ୍ଣ ମଣି, ସୂର୍ଯ୍ୟ । ହୀରା-ଉଜ୍ଜ୍ୱଳ ଶୁଭ୍ରଧାତୁ, ଚନ୍ଦ୍ର । ରଥାଙ୍ଗ – ଚକ୍ର । ବିଷ୍ଣୁ ଗୋଟିଏ ଚକ୍ରଧାରଣ କରିଛନ୍ତି, ତାଙ୍କ ପୁତ୍ର କନ୍ଦର୍ପ ପିତାଙ୍କର ପ୍ରସିଦ୍ଧିକୁ ବଳିଯିବା ପାଇଁ ଗୋଟିଏ ମାଣିକ୍ୟର ଓ ଅନ୍ୟଟି ହୀରାର,ଏହିପରି ଦୁଇଗୋଟି ଚକ୍ର ଏଠାରେ ପେଷି ଦେଇଥିବାର ବର୍ଣ୍ଣିତ । ବିଯୋଗୀ- ବିରହୀ। ସଂଯୋଗୀ– ସସ୍ତ୍ରୀକ । ସୁଖ-ଦୁଃଖଦ – ସୁଖ ଓ ଦୁଃଖ ଦାନ କରୁଅଛି । ବିଯୋଗୀ ସୁଖ ଦୁଃଖଦ– ବିରହୀମାନଙ୍କୁ ସୂର୍ଯ୍ୟ ସୁଖ ଓ ଚନ୍ଦ୍ର ଦୁଃଖ ଦେଉଅଛି । ସଂଯୋଗୀ ସୁଖ ଦୁଃଖଦ – ସଂଯୋଗୀମାନଙ୍କୁ ସୂର୍ଯ୍ୟ ଦୁଃଖ ଓ ଚନ୍ଦ୍ର ସୁଖ ଦେଉଅଛି । ବିରୋଧାଭାଷକୁ କରୁଛି – ଚନ୍ଦ୍ର ଓ ସୂର୍ଯ୍ୟ ବିଯୋଗୀ ଓ ସଂଯୋଗୀ ଉଭୟଙ୍କ କ୍ଷେତ୍ରରେ ସୁଖ ଓ ଦୁଃଖକୁ ଯେପରି ବିପରୀତ ଭାବରେ ସୃଷ୍ଟି କରୁଛନ୍ତି, ତାହା ବିପରୀତ ଭାବ ବା ବିରୋଧାଭାଷ ଅଳଙ୍କାର ସୃଷ୍ଟି କରୁଅଛି । ତମ ନାଶନେ- ଅନ୍ଧକାରକୁ ବିନାଶ କରିବା ପାଇଁ । ତମେ ପଶେ-ଅନ୍ଧକାରକୁ ପଶୁଛି, ସୂର୍ଯ୍ୟ । ତମୁଁ ଆସେ- ଅନ୍ଧକାରରୁ ବାହାରି ଆସୁଛି, ଚନ୍ଦ୍ର । ସଂଯୋଗ– ବିଧାନ ।

 

୪। ଦନ୍ତିବନ୍ତ ସମୁଦ୍‌ଗକ- ହାତୀଦାନ୍ତରେ ନିର୍ମିତ ଫରୁଆ । ପ୍ରବାଳ ଢାଙ୍କୁଣି– ପୋହଳାରେ ତିଆରି ଢାଙ୍କୁଣୀ ବା ଆବରଣ । ଟେକ– ଉତ୍କୃଷ୍ଟ । ଦିଗବଣିକ- ଦିଗରୂପକ ବଣିଆ । ଫେଡ଼ି– ଫିଟାଇ । ଭିନ୍ନେ – ଅଲଗା କରି । ଏଠାରେ ଚନ୍ଦ୍ର ହାତୀଦାନ୍ତ ଫରୁଆର ତଳଭାଗ ଓ ସୂର୍ଯ୍ୟ ପୋହଳା ନିର୍ମିତ ଢାଙ୍କୁଣୀ ଭାବରେ ପରିକଳ୍ପିତ । ତାର ତାର- ଅତି ଉଜ୍ଜ୍ୱଳ । ତାରମୋତି– ନକ୍ଷତ୍ରରୂପକ ମୁକ୍ତା । ଅମ୍ବରେ – ଆକାଶରେ । ପ୍ରତେହେଉଛି- ପ୍ରତୀତ ହେଉଅଛି, ଜଣାଯାଉଛି । ସ୍ଥାନସ୍ଥିତ – ଚନ୍ଦ୍ରରୂପକ ହାତୀଦାନ୍ତ ଫରୁଆରେ ରହିଯାଇଥିବା ।ନୀଳେନ୍ଦ୍ରମଣି– ଇନ୍ଦ୍ରନୀଳମଣି, ଚନ୍ଦ୍ରର କଳଙ୍କ । ଗୋଟିକେ – ଗୋଟିକରେ । ଭ୍ରମ – ଭୁଲ । ଭାଳେ– ଭାବୁଅଛି ।

 

୫ । ଦିନକୁ କଲେ ବିନାଶ – ଦିବସକୁ ଓ ଦରିଦ୍ରକୁ ବିନାଶ କଲେ । ବାରୁଣୀରେ ହେଲେ ବଶ– ପଶ୍ଚିମଦିଗରୂପକ ନାୟିକା ଓ ମଦ୍ୟରେ ଆସକ୍ତ ହେଲେ । ଦ୍ୟୁମଣି– ସୂର୍ଯ୍ୟ । ଦ୍ୱିଦୋଷ – ଦୁଇଗୋଟି ଦୋଷ; ଦିବସ ବା ଦରିଦ୍ରର ହତ୍ୟା ଓ ପଶ୍ଚିମଦିଗରୁପକ ନାୟିକା ବା ମଦ୍ୟପାନରେ ଆସକ୍ତି । ହତେ– ନାଶକରିବା ନିମନ୍ତେ । ସିନ୍ଧୁମଜ୍ଜନ – ସମୁଦ୍ରରେ ବୁଡ଼ିଲେ, ଝାସଦେଲେ । ଦିନ ତାପ– ଦିବସର ତାପ ବା ତାତି ; ଦରିଦ୍ରର ଦୁଃଖ ବା ସନ୍ତାପ । ବିନାଶନ- ବିନାଶ କରିବା ହେତୁ । ତମସକୁଳ– ଅନ୍ଧକାର ଓ ଅଜ୍ଞାନସମୁହ । ଖଣ୍ଡନ ନାଶକରିବା ହେତୁ । ମାନ– ସମ୍ମାନ, ଉଦୟ । ବିଧୁ- ଚନ୍ଦ୍ର । ବହନ – ଶୀଘ୍ର । କରକୀର୍ତ୍ତି-କିରଣ ରୂପକ ଯଶ । ଘୋଟିଲା– ବ୍ୟାପିଗଲା, ପ୍ରସାରିତ ହେଲା । ମହୀ – ଧରାପୃଷ୍ଠରେ । ରଜତ- ରୂପା । ସର୍ଜକ– ସର୍ଜନାକାରୀ। ବିହି- ବିଧାତା ।

 

୬ । ଶିବାଙ୍କୁ – ପାର୍ବତୀଙ୍କୁ । ଭୀମ- ଶିବ । ଅଛନ୍ତି ନାହାନ୍ତି ଭ୍ରମ- ଅଛନ୍ତି କି ନାହାନ୍ତି, ଏହିପରି ଭ୍ରମ । ଭୀମ- ଶିବ । ଲୋଡ଼ିଲେ– ଖୋଜିଲେ । ଶିବ ଶୁଭ୍ରବର୍ଣ୍ଣ ହେତୁ ଚନ୍ଦ୍ର କିରଣରେ ଏପରି ଭାବରେ ମିଶିଗଲେ ଯେ ଶିବ ଅଛନ୍ତି ବା ନାହାନ୍ତି ପାର୍ବତୀ ଜାଣିପାରିଲେ ନାହିଁ । ଚନ୍ଦ୍ରକିରଣରେ ଏକାକାର ହୋଇଯାଇଥିବା ଗଙ୍ଗାଙ୍କୁ ଶିବ ଜଟା ଫିଟାଇ ଖୋଜିଲେ । କୁସୁମବତୀ ବ୍ରତତୀ– ଧଳା ଫୁଲ ଫୁଟିଥିବା ଲତା । ଅଦୃଷ୍ଟରଜା- ଅପୁଷ୍ପବତୀ । ରୀତି- ପ୍ରକାର । ଧଳାଫୁଲ ଫୁଟିଥିବା ଲତା ଚନ୍ଦ୍ରକିରଣରେ ଏପରିଭାବରେ ମିଶିଯାଇଛି ଯେ ଲତାରେ ଫୁଲ ଫୁଟିଛି ନା ନାହିଁ କିଛି ଜଣାଯାଉ ନଥିଲା । ମୋତିହାରବନ୍ତୀ- ମୋତିହାର ପିନ୍ଧିଥିବା ନାରୀ । ମତି– ମନ । ଚିନ୍ତାକୁ ପାଇ– ଚିନ୍ତିତ ହେଲା । ଚନ୍ଦ୍ର କିରଣରେ ମୋତିମାଳାର ଅସ୍ତିତ୍ୱ ବାରିହେଲା ନାହିଁ । ଭ୍ରମରେ – ଭଅଁରମାନେ । ଭ୍ରମରେ – ଭ୍ରମବଶତଃ । ଭ୍ରମନ୍ତି – ବୁଲନ୍ତି । ମଧୁପ– ମଦ୍ୟପ । କୁମୁଦିନୀ– କଇଁଲତା ଓ ମନ୍ଦନାୟିକା । ଲୋଡ଼ନ୍ତି- ଖୋଜନ୍ତି । ଚନ୍ଦ୍ରକିରଣରେ କଇଁଫୁଲ ଏପରି ଭାବରେ ମିଶିଯାଇଛି ଯେ ଭ୍ରମରମାନେ ତାହାକୁ ଖୋଜିବାରେ ଲାଗିପଡ଼ିଲେ ।

 

୭ । ଏକାଳକୁ ଅନୁଳକ୍ଷି – ଏହି ସମୟକୁ ଦେଖି । ଦୁଃଖୀସଖୀ– ଦୁଃଖିତା ସଖୀମାନେ । ହୋଇସୁଖୀ- ସୁଖୀ ହୋଇ । ଧନୀ – ଶ୍ରୀରଧା। ଛଳି – ଛଳକରି । କଳାନିଧି ଆଶାୟୀ- ଶ୍ରୀକୃଷ୍ଣରୁପକ ଚନ୍ଦ୍ରଠାରେ ଆଶାପୋଷଣକାରୀ । କଳାନିଧି- ଚନ୍ଦ୍ର । ବରବରଦ- ପତିବରଦାନକାରୀ। ବାଳୀ– କନ୍ୟାମାନେ । ପୋତୁଁ ମୁଖ– ତଳକୁ ମୁହଁ ପୋତିବାରୁ । ସ୍ୱୀକାର – ଅଙ୍ଗୀକାର । ସେବାବ୍ୟାଜେ– ସେବା ଛଳରେ । ମିତଣୀ– ସଖୀମାନେ ।

 

୮ । ବୃଷଭାନୁ ଆତ୍ମଜା– ବୃଷଭାନୁନନ୍ଦିନୀ ଶ୍ରୀରାଧା । ବିଧିପୂର୍ବେ– ବିଧିପୂର୍ବକ, ବିଧି ଅନୁସାରେ । ପ୍ରେମମର୍ମ ଭ୍ରମେ– ଅନୁରାଗଜନିତ ମନର ଭ୍ରମରେ । ବିନତି ସ୍ତୁତି – ମିନତିପୂର୍ଣ୍ଣ ପ୍ରାର୍ଥନା । ରାମଚନ୍ଦ୍ର – ରମଣୀୟ ଚନ୍ଦ୍ର ଓ ଦଶରଥ ପୁତ୍ର ରାମଚନ୍ଦ୍ର । ସଲକ୍ଷଣ-କଳଙ୍କ ସହିତ ଓ ଲକ୍ଷ୍ମଣଙ୍କ ସହିତ ଯୁକ୍ତ । ଗୁଣେସାନ୍ଦ୍ର- ଗୁଣରେ ପରିପୂର୍ଣ୍ଣ । ସକଳମଣ୍ଡନ– କଳା ସହିତ, ଭୂଷଣସ୍ୱରୁପ ଓ ସମସ୍ତଙ୍କର ଭୂଷଣ। ଅନନ୍ତଗତି– ଆକାଶରେ ଗତି କରନ୍ତି, ଯାହାଙ୍କର ଗତିରେ ଅନ୍ତ ନାହିଁ । ତମତାପହା– ଅନ୍ଧକାର ଓ ତାପନାଶକ,ଅଜ୍ଞାନ . ଦୁଃଖନାଶକ । ଶୁଚିକର - ଶୁଭ୍ରକିରଣ, ଶୃଙ୍ଗାରପ୍ରଦ । ବାଳୀ ନାମରେ – ବାଳାନାମରେ ଶ୍ରୀରାଧାଙ୍କ ନାମରେ । ଶ୍ରୀରାଧା ଏଠାରେ ଶ୍ରୀରାମଚନ୍ଦ୍ରଙ୍କୁ ପ୍ରାର୍ଥନା କରି ଜଣାଇଛନ୍ତି ଯେ ସେ ବାଳୀ, ବାଳୀ ଶବ୍ଦ ଶୁଣି ରାମଚନ୍ଦ୍ର ତାଙ୍କୁ ତାଙ୍କର ଶତ୍ରୁ ମର୍କଟରାଜ ବାଳୀ ବୋଲି ଯେପରି ନଭାବନ୍ତି । ରାମଚନ୍ଦ୍ର ବାଳୀକୁ ବିନାଶ କରିଥିଲେ ।

 

୯। କଳାନିଧି– ଷୋଳକଳାର ଆଧାର ଚନ୍ଦ୍ର ଓ ଚଉଷଠି କଳାର ଆଧାର ବିଷ୍ଣୁ । ଅମୃତ କର ପ୍ରସିଦ୍ଧି– ଅମୃତପୁର୍ଣ୍ଣ କିରଣ ରୂପେ ପ୍ରସିଦ୍ଧ, ଚନ୍ଦ୍ର ଏବଂ ମୋକ୍ଷଦାତା ଭାବରେ ପ୍ରସିଦ୍ଧ, ବିଷ୍ଣୁ । ସଦାଶିବ ଶିରୋଧାର୍ଯ୍ୟ– ଶିବଙ୍କର ମସ୍ତକ ଭୂଷଣ ଚନ୍ଦ୍ର ଓ ଶିବଙ୍କର ପୂଜ୍ୟ; ସର୍ବଦା ମଙ୍ଗଳମୟ ଓ ସମସ୍ତଙ୍କର ପୂଜନୀୟ ବିଷ୍ଣୁ ଉଜ୍ୱଳ ମୂର୍ତ୍ତି– ଦୀପ୍ତିବନ୍ତ ମୂର୍ତ୍ତି । ସୁନ୍ଦର ସୁଲକ୍ଷ ବକ୍ଷ– ମନୋହର ବକ୍ଷ ବିଶିଷ୍ଟ, ଯାହାଙ୍କର ବକ୍ଷ ସୁନ୍ଦ ନାମକ ଅସୁରର ଲକ୍ଷ୍ୟସ୍ଥଳ । ସୁର – ଦେବତାମାନଙ୍କର । ସୁଖୋଦୟେ– ସୁଖ ପ୍ରଦାନ ବିଷୟରେ । ପ୍ରତ୍ୟେକ ତିଥିରେ ଚନ୍ଦ୍ର ଅମୃତ ରୂପକ କଳା ଦାନ କରନ୍ତି ଓ ବିଷ୍ଣୁ ଅସୁରମାନଙ୍କୁ ସଂହାର କରି ଦେବତାମାନଙ୍କର ସୁଖଦାୟକ ହୋଇ ଥାଆନ୍ତି । ଦକ୍ଷ – ସମର୍ଥ । ଦିନ ତାପ ବିନାଶନ- ଦିବସର ତୃପ୍ତି ନାଶକାରୀ ଓ ଦରିଦ୍ରର ଦୁଃଖନାଶକ । ଚନ୍ଦ୍ର ଦିବସରେ ତାପନାଶ କରନ୍ତି ଓ ବିଷ୍ଣୁ ଦରିଦ୍ରର ଦୁଃଖନାଶ କରନ୍ତି । ବିରାଜପତି – ତାରପତି ଚନ୍ଦ୍ର ଓ ପକ୍ଷୀଶ୍ରେଷ୍ଠ ଗରୁଡ଼ର ପତି ବିଷ୍ଣୁ । ବିଧୁ- ଚନ୍ଦ୍ର, ବିଷ୍ଣୁ । ବର ଆହ୍ଲାଦ କର– ଅତି ଆହ୍ଲାଦପ୍ରଦ । କମଳିନୀ – ପଦ୍ମିନୀ ସ୍ତ୍ରୀ । ନାମରେ – ନାମ ଯୋଗୁଁ । ଭ୍ରମ– ପଦ୍ମଲତା ଭ୍ରମ । କମଳିନୀ ଅର୍ଥାତ୍ ପଦ୍ମିନୀ ଲକ୍ଷ୍ମୀଙ୍କ ନାମ ଧରିଥିବାରୁ ଲକ୍ଷ୍ମୀ ବୋଲି ଭ୍ରମ କରି ପରେ ଲକ୍ଷ୍ମୀ ନୁହଁନ୍ତି ବୋଲି ଜାଣି କ୍ରୋଧ କରିବା । ଅସାର – ମନ୍ଦ, ଅନୁଚିତ ।

 

୧୦।      ହରିକି ଚନ୍ଦ୍ରକୁ । ହରି – ଶ୍ରୀକୃଷ୍ଣ । କର ବିକ୍ଷେପନ - କିରଣ ପକାଇବାରେ ଓ ହାତ ପକାଇବାରେ । ଉରଜ– ସ୍ତନ । ବିଭ୍ରମ – ଭ୍ରମ । ହରିଭାବ– ଶ୍ରୀକୃଷ୍ଣ ପ୍ରେମ । ସୁଧା ଚତ୍ୱରେ – ଚୂନଲିପା ଅଗଣାରେ । ସତ୍ୱରେ – ଶୀଘ୍ର । ପହୁଡଇ ଦେଲେ – ଶୁଆଇ ଦେଲେ । ଧନୀକି– ଶ୍ରୀରାଧାଙ୍କୁ । ଅମୃତକର – ଅମୃତମୟ କିରଣ ! ପ୍ରତୀତି – ବିଶ୍ୱାସ । ମତିକି- ମନକୁ ।

 

୧୧ । ରସିକ ଶେଖର – ରସିକ ଶ୍ରେଷ୍ଠ, ଶ୍ରୀକୃଷ୍ଣ । ମଣ୍ଡିଚାନ୍ଦନୀ– ଗୃନ୍ଦନୀରେ ଥାଇ । କାତର –ଆକୁଳ ହୋଇ । ବିଧୁରେ– ବିବଶ ହୋଇ। ବିଧୁରେ – ଚନ୍ଦ୍ରଙ୍କୁ । ଭ୍ରମେ କଥିତ– ଭ୍ରମରେ କହିଲେ । ନାମ ଗୁଣ ଚିହ୍ନ ଅଛି – ମୋର ନାମ, ଗୁଣ ଓ ଚିହ୍ନ ତୋ ସହିତ ସମାନ, ନାମଚନ୍ଦ୍ର – କୃଷ୍ଣଚନ୍ଦ୍ର, ଗୁଣ ଆହ୍ଲାଦକର (ମୋକ୍ଷଦାତା), ଚିହ୍ନ – ଶଶାଚିହ୍ନ, ଶ୍ରୀବତ୍ସଲାଞ୍ଛନ । ମିତ୍ରହାନି- ମିତ୍ରର କ୍ଷତି । ମମଲୋଭ ସ୍ଥଳେ – ମୋର ଲୋଭ ସ୍ଥଳରେ , ଶ୍ରୀରାଧାଙ୍କଠାରେ । ନାମ ଭ୍ରମ- ବିଶାଖା ନକ୍ଷତ୍ରର ଅନ୍ୟନାମ ରାଧା ହୋଇଥିବାରୁ ତୁମର ଭ୍ରମ ହେଲା କି ? ଜ୍ୟୋତିଧର ନାମ– ଦୁହେଁ ଜ୍ୟୋତିଧର ରୂପେ ଜଣା । ରବି-ସୂର୍ଯ୍ୟ । ଖଦ୍ୟୋତ- ଜୁଳୁଜୁଳିଆ ପୋକ (ସୂର୍ଯ୍ୟ ଏବଂ ଜୁଳୁଜୁଳିଆ ପୋକ) ଉଭୟେ – ଜ୍ୟୋତିଧର ହେଲେହେଁ ଉଭୟେ କଣ ସମାନ ? ଅର୍ଥାତ୍ ଶ୍ରୀରାଧା ଏବଂ ବିଶାଖା ନକ୍ଷତ୍ର ଦୁହେଁ କ’ଣ ସମାନ ?

 

୧୨।      ହାବ-ଭାବର ସ୍ୱଳ୍ପ ପ୍ରକାଶିତ ବିକାର । ଭାବ– ଅନ୍ତର୍ଗତ ବିକାର, ବିକାରଶୂନ୍ୟ ହୃଦୟର ପ୍ରଥମ ବିକାରକୁ ଭାବ କୁହାଯାଏ । ବଚରଙ୍ଗ - ବଚନଭଙ୍ଗୀ ଧମିଲ୍ଲ – ଜୁଡ଼ା ପଭୃତି ବାଳବନ୍ଧା । ନୟପ୍ରସଙ୍ଗ - ନ୍ୟାଯ୍ୟ ବ୍ୟବହାର ! ନାଗର -- ଶ୍ରୀକୃଷ୍ଣ । ନାଗରୀ- ଶ୍ରୀରାଧା । ସ୍ମରଣେ-- ମନେ ପକାଇ, ଚିନ୍ତା କରି । ଉଚ୍ଚରେ - ଉଚ୍ଚାରିତ ହେଲା। ଭାଷା କେ-କଥାପଦକେ । ବର୍ଣ୍ଣେ – ଗୋଟିଏ ଅକ୍ଷର । ସ୍ୱର ଭଙ୍ଗ – କାମ ବାଧହେତୁ ସ୍ୱରଭଙ୍ଗ । ଶୀର୍ଣ୍ଣେ – କ୍ଷୀଣ ଭାବରେ । ତେବେହେଁ – ଏପରି ଅବସ୍ଥାରେ ମଧ୍ୟ । ଭାବ ଭାବନା - ଅନୁରାଗ ବିଷୟର କଳ୍ପନା । କାରଣେ– କାରଣସ୍ୱରୂପ । ଦୁ-ପୂର୍ବାଦି ଶବଦ – ପ୍ରଥମରେ ଦୁ ଅକ୍ଷର ଥିବା ଶଦ୍ଧ ! ଭ୍ରମେ– ଭ୍ରମବଶତଃ । ଗୁଣି- ବାରମ୍ବାର ମନରେ ଧରୁଥିଲେ ।

 

୧୩ । ଆତୁର – ବ୍ୟାକୁଳତା ରସାବ୍‌ଧିବତ – ଜଳ ସମୁଦ୍ର ପରି । ଭାବୋତ୍କଣ୍ଠା- ଅନୁରାଗ ଜନିତ ଉତ୍ସୁକତା। ତରଙ୍ଗିତ- ଲହରୀ ପରି । ବିଭ୍ରମ ଭଉଁରୀ– ଭ୍ରମ ରୂପକ ଜଳ ଭଉଁରୀ । ଭାବଶାବଲ୍ୟ – ହର୍ଷ ଶୋକାଦି ଅଭିପ୍ରାୟର ସମାହାର । ପ୍ରବଳ– ଅଧିକ । ବିବିଧ ପାଞ୍ଚ– ବହୁ ପ୍ରକାର କଳ୍ପନା। ଅଥଳ– ଅଗାଧ । କୋଳକୂଳ ବାଞ୍ଛିତ– କୋଳ ରୂପକ କୂଳକୁ ପାଇବାର ଇଚ୍ଛା । ନିଦାନ- ମୂଳ । ରତିରତ୍ନ – ସମ୍ଭୋଗ ରୁପକ ରତ୍ନ । ପ୍ରେମପୀୟୁଷ – ପ୍ରେମ ରୁପକ ଅମୃତ । ଆଶାନାଶ ଲେଶ ନୋହେ-ଆଶା ସାମାନ୍ୟ ମାତ୍ର ନଷ୍ଟ ହେଉ ନାହିଁ । ଲଭିଲେ କ୍ଳେଶ– କଷ୍ଟ ପାଇଲେ ସୁଦ୍ଧା ।

 

୧୪।      ପରସ୍ପର – ଅନ୍ୟୋନ୍ୟରେ, ଏକ ଆରେକର । ରୂପ ଧ୍ୟାନ– ସୌନ୍ଦର୍ଯ୍ୟ ଚିନ୍ତା । ତନ୍ମୟ ଭାବରେ-ଅନ୍ୟ ବିଷୟକୁ ଛାଡ଼ି କେବଳ ସେହି ବିଷୟର ଭାବନାରେ, କେବଳ ଏକ ଆରେକର ଭାବନାରେ । ମଗ୍ନ – ନିମଜ୍ଜିତ । ବେଳାନ୍ତରେ– ସମୟ ଗତେ । ତୁଣ୍ଡଗୋଳ– କଥାବାର୍ତ୍ତା, ଶବ୍ଦ ଉଚ୍ଚାରଣ । ନିବର୍ତ୍ତାଇ – ବନ୍ଦ କରାଇ । ସ୍ୱମିତ୍ରେ – ନିଜ ସଖାସଖୀମାନେ । ମଣ୍ଡଳୀ ହୋଇ– ମଣ୍ଡଳାକାରରେ ରହି । ଶଶୀକି – ଚନ୍ଦ୍ରକୁ । ପରିଧିବିଧି– ଚତୁଃପାର୍ଶ୍ୱରେ ବେଢ଼ି ରହି । ଅଧଯାମେ– ଅଧ ପ୍ରହରେ । ଯାମିନୀ-ରାତ୍ରି । ମାନସ ଘେନି– ମନଜାଣି ।

 

୧୫।ବେଦମାତାପରା କରି – ଗାୟତ୍ରୀ ଦୟାକରି ଅଜ୍ଞାନାତ ନାଶ କଲାପରି । ହରି – ଶ୍ରୀକୃଷ୍ଣ । ନିଦ୍ରା ହରି– ନିଦଭାଙ୍ଗ । ବହନ – ଶୀଘ୍ର । କିଶୋରୀ ଶୟନ ସ୍ଥାନେ- ଶ୍ରୀରାଧା ଶୋଇଥିବା ସ୍ଥାନରେ । ଗଲେ ଅନ୍ତର୍ନ୍ଧାନେ– ଉଭେଇଗଲେ । ଜ୍ୟୋତିପୁଞ୍ଜ ମଧ୍ୟେ– ତେଜୋରାଶି ମଧ୍ୟରେ । ରବି– ସୂର୍ଯ୍ୟ । ନିରେଖି – ଭଲ କରି ଦେଖି । କ୍ଷଣକେ-ଅଳ୍ପ ସମୟ ମଧ୍ୟରେ ।

 

୧୬ । କାନ୍ତିକୁଳ ଦେବୀ- ଶୋଭା ରାଶିର ଦେବୀ । ମଞ୍ଜୁଳ ମୂର୍ତ୍ତି – ସୁନ୍ଦର ମୂର୍ତ୍ତି । ବିହି ବିହି-ବିଧାତା ନିର୍ମାଣ କରି । ପାଞ୍ଚେ– ବିଚାରରେ । ପରସ୍ପର ଦୃଷ୍ଟିପାତେ – ଉଭୟେ ଉଭୟଙ୍କୁ ଦେଖିଲେ । ବିମୋହ– ବିମୁଗ୍‌ଧ । ଜଗତେ– ଜଗତର ଲୋକେ ବିଶ୍ୱଚିନ୍ତା!- ବିଶ୍ୱପାଳନ ଭାବନା। ସୁସଞ୍ଚେ– ସୁନ୍ଦର ଭାବରେ । ସାହ– ସହାୟତା । କାମ– କନ୍ଦର୍ପ । ଯୋଗୀ- ଯୋଗ ସାଧକ । ଭୀମ – ଶିବ।

 

୧୭ । ଅହଲ୍ୟା– ଗୌତମଙ୍କ ପତ୍ନୀ । ସହସ୍ରାକ୍ଷ – ସହସ୍ର ଚକ୍ଷୁ । ସୁରନୃପ– ଇନ୍ଦ୍ର । ଲଜ୍ଜା ନାହିଁ-ଲଜ୍ଜିତ ହେଉନାହାନ୍ତି । ହୃଷ୍ଟ– ଆନନ୍ଦିତ । ବିଧି– ବ୍ରହ୍ମା (ଆଠଆଖିଆ) । ଶଙ୍କର – ଶିବ (ଦଶଆଖିଆ) । କୁମାର – କାର୍ତ୍ତିକେୟ (ବାରଆଖିଆ) । ଶେଷ – ଅନନ୍ତ(ଦୁଇହଜାରଆଖିଆ) । ନେତ୍ର ସୁଖସାର- ଦର୍ଶନ ସୁଖସାର ହେବ । ପରତେ କଲି– ପ୍ରତୀତି କଲି, ଜାଣିପାରିଲି । ଗୁରୁ- ବୃହସ୍ପତି । କବି- ଶୁକ୍ର । ବାଣୀ- ସରସ୍ୱତୀ। ଗୁରୁ କବି ଗଣେଶ ବାଣୀ- ଶ୍ରେଷ୍ଠ କବିଙ୍କର କବିତା । କାରେଣୀ– କାରଣ ।

 

୧୮ । ଲକ୍ଷ୍ମୀ ବୋଲନ୍ତାଇ ଭ୍ରମେ– ଭ୍ରମବଶତଃ ଏହାଙ୍କୁ ଲକ୍ଷ୍ମୀ ବୋଲି କହିପାରନ୍ତି । ଦାସୀଗଣ ତ ସେ ସମେ– ଏହାଙ୍କର ଦାସୀମାନେ ଲକ୍ଷ୍ମୀଙ୍କ ପରି ଜଣାପଡ଼ୁଛନ୍ତି । ଆଭାଷୁ ଅଛିମନକୁ-ମନକୁ ଆସୁଛି । ଗତିକାରୀ– ସଦ୍‌ଗତିଦାୟିନୀ । ମୁକତି – ମୁକ୍ତି । ଗତିକରି – ଯାଇ । ବିଶ୍ୱଫେରି – ବ୍ରହ୍ମାଣ୍ଡ ଫେରିବା ଦ୍ଵାରା। ଶ୍ରାନ୍ତି- ଶ୍ରମ । ପହୁଡ଼ିଛି- ଶୋଇଅଛି । ସମ୍ଭବେ ଏହି- ଏହା ସମ୍ଭବ ହୋଇପାରେ । ସିଦ୍ଧିଦାୟୀ- ଅଣିମାଦି ଐଶ୍ୱର୍ଯ୍ୟଶକ୍ତି । କି କରିବାର-କାର୍ଯ୍ୟକରିବା ଦ୍ଵାରା। ନିଧିରୂପା- ନିପିରୂପିଣୀ ଏହି ପ୍ରତିମା । ହୋଇବ କି ଲକ୍ଷିବାର – ଲକ୍ଷ୍ୟଦେବାକୁ ହେବ ନାହିଁ ।

 

୧୯ । ବିଶ୍ୱଚିତ୍ତ ବଶପାଇଁ- ବ୍ରହ୍ମାଣ୍ଡର ସମସ୍ତଙ୍କ ମନକୁ ବଶୀଭୂତ କରିବା ପାଇଁ । ମୂର୍ତ୍ତିବନ୍ତ ହୋଇ-ଦେହ ଧାରଣ କରି । ଅଣିମାଦି ଦେବ– ଅଣିମାଦି ଅଷ୍ଟ ଐଶ୍ଵର୍ଯ୍ୟକୁ ଦେବାପାଇଁ । ଅଣିହୋଇ- କରେଇ ହୋଇ । ପାଣି- ହାତ । ଗଣ୍ଡ – ଗାଲ । ଶଶୀ– ଚନ୍ଦ୍ର । କୋକନଦ- ରକ୍ତପଦ୍ମ । ପହୁଡ଼ିବାର– ଶୋଇବାର । ହସିଦେଉଛି – ପରିହାସ କରୁଛି । କୃଷ୍ଣବର୍ଣ୍ଣ ଶେଯେ– କଳାରଙ୍ଗର ଶେଯରେ । ସଜଳ ଘନେ– ଜଳପୂର୍ଣ୍ଣ ମେଘରେ । ସ୍ଥକିତ- ସ୍ଥିର । ବିଦ୍ୟୁ- ବିଜୁଳି ।

 

୨୦ । ସୁରାଗମାଣ୍ଡି – ଲାଲବର୍ଣ୍ଣର ତକିଆ । ବକ୍ରନ୍ୟାସ– ବଙ୍କା କରି ରଖିବା । ମୁଦ–ଆନନ୍ଦପ୍ରଦ । ରଙ୍ଗବାଡ଼େ – ଲାଲରଙ୍ଗର ବାଡ଼ରେ । ହେମଲତା- ସୁନାରଲତା ତୋରା– ଶୋଭା । ପଦପଲ୍ଲବ– ପାଦ କୋମଳ ପତ୍ର ପରି । ବଞ୍ଜୁଳଭାବ– ଅଶୋକ କଢ଼ିପରି ! ଶରଣ ରକ୍ଷଣ– ଶରଣାଗତକୁ ରକ୍ଷା କରିବା । ଲାକ୍ଷାରେଖା– ଅଳତାରେଖା । ଦୁର୍ଗପ୍ରତୀତ– ଗଡ଼ପରି ଜଣାପଡ଼ୁଛି । ଅଭୟ– ଭୟଶୂନ୍ୟ ।

 

୨୧। ଲାବଣ୍ୟରତ୍ନ ଭଣ୍ଡାର – ଶ୍ରୀର।ଧାଙ୍କର କାନ୍ତିରୂପକ ରତ୍ନଭଣ୍ଡାର । ଲୁଁଠନେ- ଲୁଟିନେବାକୁ । ନେତ୍ରଚଉର– ଆଖିରୂପକ ଚୋର । ସେହିଭଙ୍ଗୀ– ସେହି ପ୍ରକାର । ଚଞ୍ଚଳା– ଶ୍ରୀରାଧା କାନ୍ତି ମଜ୍ଜନେ- ପ୍ରଭାରେ ମଞ୍ଜିଥିବାରୁ । ଥୟନୁହଇ– ସ୍ଥିର ହୋଇ ପାରିଲା ନାହିଁ। ଏହିଘେନି– ଏହି କାରଣରୁ । କଳ୍ପନା- ଅନୁମାନ । ଅସ୍ତବ୍ୟସ୍ତ କରି –ଇତସ୍ତତଃ କରି ।

 

୨୨। ରାମଚରମରେ– ରମଣୀୟ ପିଠିରେ । ବ୍ୟସ୍ତପତନକୁ – ଖସିପଡ଼ିବାକୁ । ମଣି- ଅନୁମାନ କରେ । ମଣିହଜା ଫଣୀ- ମଣି ହରାଇଥିବାସାପ । ସ୍ଥକିତ – ସ୍ଥିର । ଅଗ୍ରେ– ବେଣୀର ଶେଷଭାଗରେ । ରତ୍ନଝୁମ୍ପି- ରତ୍ନନିର୍ମିତ ଝୁମ୍ପା । ସ୍ୱଚ୍ଛ – ଉଜ୍ଜ୍ୱଳ । ସୁସୁମାର ମୂର୍ତ୍ତି ପୁଛ୍ଥ – ଶିଶୁମାର ଆକୃତିର ବିଶିଷ୍ଟ ଆକାଶରେ ଥିବା ନକ୍ଷତ୍ର ସମୂହର ଲାଞ୍ଜରେ ଥିବା । ତାରାପୁଞ୍ଜ– ତାରା ସମୂହ । ଉଦୟକୁ– ଜ୍ୟୋତିକୁ । କରୁଛି ଛି ଛି- ଧିକ୍‌କାର କରୁଛି । ମୁଳବନ୍ଧା – ବେଣୀର ମୂଳରେ ବନ୍ଧାଥିବା । ମାଣିକ୍ୟମଣି– ଲାଲରଙ୍ଗର ରତ୍ନ । ଘନକୋଳେ– ମେଘ କୋଳରେ । ମିହିର – ସୂର୍ଯ୍ୟ । ମଣି- ମନେ କରୁଛି ।

 

୨୩ । କାଠିହୀର- ହୀରାରକାଠି । ଝରାମୋତି– ମୋତି ଝୁମ୍ପା । ଶଶୀଭାନୁ ରୀତି – ଚନ୍ଦ୍ର ଓ ସୂର୍ଯ୍ୟଙ୍କପରି । ଦେହବନ୍ତ– ଦେହଧାରୀ । ତମ- ଅନ୍ଧକାର ବା ରାହୁ । ଖୋସନ୍ତେ– ହୀରାର କାଠି ଓ ମୋତିଝୁମ୍ପା ଖୋସିଥିବାରୁ । ଭାଳି- ଭାଳୁଅଛି । ପୁଷ୍ପମାଳୀ– ଫୁଲମାଳା । ଆଳୀ- ସଖୀ । ଗଳରୁନ୍ଧିତ – ଗଳାରୁନ୍ଧିଲେ । ସିତରଙ୍ଗ– ଧଳା ଓ ଲାଲ । କୁସୁମଝରା-ଫୁଲଝରା । ସୁଧାରୁଧିର – ଅମୃତ ଓ ରକ୍ତ । ବମନ- ବାନ୍ତି ।

 

୨୪ । ଉତ୍ତମାଙ୍ଗ– ଶିର । ସଙ୍ଗପାଇ– ଲାଗିଥିବାରୁ । ମୋତିଜାଲି– ମୋତିରେ ଜାଲପରି ଗୁନ୍ଥା ଅଳଙ୍କାର । ଶୋହଇ– ଶୋଭା ପାଉଅଛି । ମର୍କତଗବାକ୍ଷ– ମର୍କତମଣିରେ ନିର୍ମିତ ଝରକା । ବିଧୁକିରଣ- ଚନ୍ଦ୍ରକିରଣ। ଗଳା – ଗଳିପଡୁଛି । ପୀତ– ହଳଦିଆ । ନୀଳ– କଳା । ରଙ୍ଗ– ଲାଲ। ରତ୍ନ– ମଣି । ସୀମନ୍ଥି- ସିନ୍ଥି । ଯତ୍ନ– ଶୋଭା । ଅଧା ଇନ୍ଦ୍ରଧନୁ – ଇନ୍ଦ୍ରଧନୁର ଅର୍ନ୍ଧାଂଶ । ତୁଳା- ପ୍ରାୟ, ପରି । ତହିଁ – ସିନ୍ଥିର ମଝିରେ । କାଳିନ୍ଦୀ – ଯମୁନା(କଳା) । ସାରଦା ଧାର– ସରସ୍ୱତୀ ନଦୀର ଧାର (ଲାଲ)।

 

୨୫ । ଅଳିକେ– ଲଲାଟରେ । ଅଳକା ପାଟି– ଚୂର୍ଣ୍ଣକୁନ୍ତଳ । ଶିଶୁ ଅଳିପରିପାଟୀ- ଶିଶୁଭ୍ରମର ସବୁ ଲଗାଲଗି ହୋଇ ରହିଥିବା ଶୋଭା । ଶ୍ରୀମୁଖ– ରାଧିକାଙ୍କ ମୁଖ । କଞ୍ଜ– ପଦ୍ମ । ଶୋହେ– ଶୋଭା ପାଉଅଛି । ଚାରୁଚନ୍ଦ୍ର ଝୁମ୍ପୀ– ସୁନ୍ଦର ଚନ୍ଦ୍ରାକୃତି ଝୁମ୍ପା । କଳା ଘନୁ-କଳା ମେଘରୁ । ଶଶୀ– ଚନ୍ଦ୍ର । ଝିଲିମିଲି– ଝଲମଲ ହେଉଥିବା । ମାଳୀ ମାଧୁରୀ-ମାଳୀର ଶୋଭା । ବିଦ୍ୟୁରେଖା– ବିଜୁଳି ରେଖା । ନବଘନେ– ନୂଆ ମେଘରେ ।

 

୨୬ । ଝଲକା ପାନ ପତରୀ– ଝଲକୁଥିବା ଚିତ୍ରିତ ପାନ ପତ୍ର । ଧଇର୍ଯ ବାସ – ଧେର୍ଯ୍ୟ ରୂପକ ଲୁଗା । କେଶ ରାହୁ- କେଶରୂପକ ରାହୁ । ବିଧିରେ – ପ୍ରକାରରେ । ଭ୍ରମରିକା ଶ୍ରେଣୀ ସଙ୍ଗୀ– କୁଞ୍ଚିତ ସୀମନ୍ତକୁ ଲାଗି । ଗଣ୍ଡେ– ଗାଲରେ । ଲେଖା – ଚିତ୍ରିତ । ବାଙ୍କ ମକରୀ- ବକ୍ରାକାର ମକରୀ, ବଙ୍କା ଚିତାପାଟି । ସିତ – ଧଳା । ଚାରୁ– ସୁନ୍ଦର । କୁଣ୍ଡଳୀ କୁଣ୍ଡଳୀ ଚାତୁରୀ– କୁଣ୍ଡଳାକୃତି ସର୍ପର ଶୋଭା ।

 

୨୭। ତିଳକ-ଲଲାଟ ମଧ୍ୟସ୍ଥ ଲମ୍ବା କଲି । ଚନ୍ଦନ ପାଟୀ-ଚନ୍ଦନ ଚିତା। କୋଟି ପାଟି –ଅନନ୍ତ, ଶେଷଦେବ । ଶ୍ରୀମୁଖ ଲାବଣ୍ୟ ସିନ୍ଧୁ – ମୁଖରୂପକ ଲାବଣ୍ୟ ସାଗର । କଳନେ– କଳନା କରିବାକୁ । ବିହି- ବିଧାତା । ବନାଇ – ତିଆରି କରି । ରଜତ ତରୀ– ରୂପାର ନୌକା । କ୍ଷେପଣୀ– କାତ । ତିଳକ– ଚନ୍ଦନପାଟୀ ଚିତା। ଅଧୋମୁଖେ– ଓଲଟି ପଡ଼ି ।ତାର ଶିର ଟୋପର - ବିହିର ମୁଣ୍ଡ ଟୋପି । ସିନ୍ଦୁର – ଶ୍ରୀରାଧାଙ୍କ ସିନ୍ଦୂର ବିନ୍ଦୁ ।

 

୨୮ । ମର୍କତ ତାଟଙ୍କ– ମର୍କତ ମଣି ଖଚିତ ତଡ଼କା । ଗଣ୍ଡେ ବିମ୍ବିଛି ଝଟକ– ଗାଲରେ ପ୍ରତିବିମ୍ବିତଦୀପ୍ତି । ଶଶୀ– ଚନ୍ଦ୍ର । ନିଶି- ରାତ୍ରି । ଅଙ୍କେ – କୋଳରେ । ପହୁଡ଼ାଇ ଅଛି – ଶୁଆଇ ଅଛି । ବାଳୀ ନାମୁଁ ହେଲା ବାଳୀ– ବାଳୀର ନାମ ଅନୁସାରେ ବାଳା ଏଠାରେ ବାଳୀ (ମର୍କଟ ରାଜ) । ବାଳୀ କି ଢୋଢର ଭାଳି – ବାଳୀକୁ ବୀରମାନଙ୍କର ପାଦ ଅଳଙ୍କ।ର ଭାବି । ବୀରେନ୍ଦ୍ର – ବୀର ଶ୍ରେଷ୍ଠ । ଫୁଲଛତି – କାନଫୁଲ ରୂପକ ଛତି । ତାତସିଦ୍ଧି – ବାପ ଇନ୍ଦଙ୍କ ପ୍ରସିଦ୍ଧି । ବଜ୍ରବତ – ବଜ୍ର ପରି । ବଜ୍ର ମଲକଢ଼ି – ବଜ୍ରମଣି ଖଚିତ ଅଳଙ୍କାର ବିଶେଷ ।

 

୨୯। ଧନୀ ମୁଖ– ଶ୍ରୀରାଧାଙ୍କ ମୁଖ । ବିଧୁବର – ଶ୍ରେଷ୍ଠ ଚନ୍ଦ୍ର । କୋଳେ – ମଧ୍ୟରେ । ନେତ ଇନ୍ଦୀବର – ଚକ୍ଷୁ ରୂପକ ନୀଳ କଇଁ । ଓଷ୍ଠାରୁଣ– ଓଠ ରୂପକ ଅରୁଣ । ସଙ୍କୋଚିତ - ମୁଦ୍ରିତ । ବଡ଼ିଶେ– ବନିଶୀରେ । କଳା ଲାଞ୍ଜ – କଜ୍ଜଳରେଖାର ଅଗ୍ରଭାଗ । ସୂତ୍ର-ସୁତା । ଅଚେଷ୍ଟ, ଝସ– ସ୍ଥିର ମତ୍ସ୍ୟ । କମଳେ– ଜଳରେ । ବତ- ପ୍ରକାର । ମୁଦା ନେତ୍ର-ମୁଦ୍ରିତ ନେତ୍ର । ପକ୍ଷ୍ମ କୋଷେ – ଆଖି ପୁଡ଼ା ରୂପକ ଖୋଳରେ । ଲାଞ୍ଜ– କଜ୍ଜ୍ୱଳଲାଞ୍ଜି । ଆଭାସେ-ପ୍ରକାଶ କରୁଅଛି ।

 

୩୦ । ଶ୍ଵାସେ– ନିଃଶ୍ୱାସରେ । ପ୍ରଫୁଲ୍ଲିତ– ଫୁଲି ଉଠୁଥିବା । ଘୋଣା- ନାସିକା । ଶୋହେ–ଶୋଭା ପାଉଅଛି । ନୀଳା ନାକଚଣା- ନୀଳ ମଣିମୟ ନାକଚଣା । ଓଷ୍ଠାରୁଣେ– ଓଠ ରୂପକୁ ବାଳସୂର୍ଯ୍ୟଠାରେ । ଛାୟା – କାନ୍ତି ରୁପକ ସୂର୍ଯ୍ୟଙ୍କ ପତ୍ନୀ । ବିପରୀତ– ପୁରୁଷାୟିତ । ପ୍ରତୀତି– ଅନୁମିତ ହେଉଅଛି । ଆରପାଶେ– ଆର ପାଖରେ । ଜାଲିନଥ– ଜାଲିକମ ହୋଇଥିବା ନୋଥ । ଫାନ୍ଦ ପାତି– ଫାସ ବସାଇ । ମନ୍ମଥ– କନ୍ଦର୍ପ । ଦୃଷ୍ଟି ମୃଗ– ନେତ୍ର ରୂପକ ହରିଣକୁ । କରିଛି ମତି– ମନ ବଳାଇଛି । ଅଧର ଜ୍ୟୋତି– ଓଷ୍ଠର ତେଜ । ଫଗୁ ଖେଳା- ଅବିର ବା ଫଗୁ ଖେଳୁଥିବା । ଶ୍ରାନ୍ତ ଶୁଆ– ଶ୍ରମଯୁକ୍ତ ହୋଇ ଶୋଇଥିବା ଶୁଆ । ଅରୁଣ– ବାଳସୂର୍ଯ୍ୟ । ରୀତି- ପରି ।

 

୩୧ । ପାଞ୍ଚଜନ୍ୟ ଶଙ୍ଖ– ବିଷ୍ଣୁଙ୍କ ଶଙ୍ଖ । ମାଳୀ– ହାର । ପଞ୍ଚରତ୍ନସ୍ରକେ– ପାଞ୍ଚବର୍ଣ୍ଣର ମଣିର ମାଳାରେ । ଗ୍ରୀବା– ବେକ । ଚାପସରୀ- ବେକରେ ପିନ୍ଧିବା ଅଳଙ୍କାର । ବିଚିତ୍ର ଫାଶର ପରି– ଚିତ୍ରିତ ଫାଶ ପରି । କପୋତ ଲକ୍ଷ୍ୟରୁ– କାପ୍ତାର ତୁଳନାରୁ । ହାରଶିରମଣି-ମୁକ୍ତାମାଳାର ଆଗରେ ଲାଗିଥିବା ରତ୍ନଭୁଣ୍ଡି । ପଛରେ– ପିଠିରେ । କାର୍ତ୍ତିକପୁଞ୍ଜା– କୃତ୍ତିକା ନକ୍ଷତ୍ରପୁଞ୍ଜ। ଗୋପିତ- ଗୁପ୍ତ, ଲୁଚିଛି । ସ୍ୱଚ୍ଛରେ– ନିର୍ମଳଭାବରେ ।

 

୩୨ । ନୀଳଚୋଳ– କଳା କାଞ୍ଚୁଲା । କୁଚେ – ଉଭୟ ସ୍ତନରେ । ଦୃଷ୍ଟିମାନ-ଆଖିର ଗୁମାନ ।ହେମଗିରି – ସୁନାପର୍ବତ । ମଦନମାଦକ ସ୍ଥଳ– କାମରେ ମତ୍ତ ହେବାର ବିଷୟ । ବିଶ୍ଵବିମୋହନ ଫଳ– ସମଗ୍ର ବିଶ୍ୱକୁ ମୁଗ୍‌ଧ କରିପାରୁଥିବା ଫଳ । କାଳୀ ଅଙ୍ଗେ– କାଳୀଙ୍କ ଦେହରେ । ଶମ୍ଭୁ- ଶିବଲିଙ୍ଗ । ସୁବର୍ଣ୍ଣତମ୍ବୁ– ସୁନାର ତମ୍ବୂ ।

 

୩୩ । ଚାରୁସରୁ ସୁରୋମାଳି– ସୁନ୍ଦର ଓ ଛୋଟ ଛୋଟ ରୋମାବଳୀ । କାମକାୟଥ– କନ୍ଦର୍ପ ରୂପକ କାୟସ୍ଥ । ସୁବର୍ଣ୍ଣାବଳୀ – ସୁନ୍ଦର ଅକ୍ଷରମାନ । ସକଳବାଳୀ ମଉଳି କୁସୁମମାଳୀ-ସମସ୍ତ ବାଳାଙ୍କର ମଥାର କୁସୁମମାଳା, ସର୍ବଶ୍ରେଷ୍ଠା ପ୍ରଣୟସୁଖ ସଙ୍ଖାଳି- ପ୍ରେମସୁଖର ସଙ୍ଖାଳି । ସୁରସସ୍ଥଳୀ– ଅନୁରାଗର ପାତ୍ରୀ । ମାନକୁ– ଅଭିମାନକୁ ।

 

୩୪ । ସୁମନ – ଫୁଲ । ସଫଳ ହେବାକୁ – ଫଳଦେବାକୁ । ଭିଡ଼ନ– ଭିଡ଼ା, ଆଘାତ । କାମତାଡ଼ନ– କନ୍ଦର୍ପ ପୀଡ଼ା । ତାଡ଼ନ – ନିବାରଣ ।

 

୩୫ । ପଦ୍ମରାଗ କଡ଼ିଆଳି– ପଦ୍ମରାଗ ଖଚିତ ହସ୍ତାଳଙ୍କାର । କମ – ହାତରେ ଅଳଙ୍କାର । ଦନ୍ତିଦନ୍ତ– ହାତୀଦନ୍ତ । ମୁଦ– ମୋହର । ବିଧିରେ - ବିଧାତା ଦ୍ୱାରା । ବରକର – ପତିହାସ ବା ଉତ୍କୃଷ୍ଟ ହାତ । ଉରୁସରି – ଜଙ୍ଘପର୍ଯ୍ୟନ୍ତ । କରୀକରେ – ହାତୀ ଶୁଣ୍ଢରେ । ରମ୍ଭା-କଦଳୀଗଛି ।

 

୩୬ । ଉତ୍କଳଦେଶ ବସନପିନ୍ଧା – ଓଡ଼ିଆଣୀମାନଙ୍କ ପରି ଲୁଗାପିନ୍ଧା । ନୀବି- ଲୁଗାର ଗଣ୍ଠି । ମାରସରଘର- କନ୍ଦର୍ପର ଗନ୍ତାଘର । ତେଲଙ୍ଗୀ କୁଞ୍ଚି– ତେଲଙ୍ଗି ଲୁଗାକୁଞ୍ଚା, ଚାବିକାଠି । କିଙ୍କିଣୀ କିଣି– ଅଣ୍ଟାରେ ଥିବା ଅଳଙ୍କାରର ଶବ୍ଦ । ସ୍ଥକିତ- ସ୍ଥିର । ରିପୁଜୟକାଳେ-କନ୍ଦର୍ପରୂପକ ଶତ୍ରୁକୁ ଜୟ କରିବା ସମୟରେ । ଜୟ ବୋଲିବେ ବଳେ– ବଳେ ବଳେ ଜୟନାଦ କରିବେ ।

୩୭ । ଭାଗ୍ୟ କଳ୍ପତରୁ – ଅଦୃଶ୍ୟ ରୂପକ ବୃକ୍ଷ । କେତେ ମାତ୍ରକ – କେତେ ଅଳ୍ପ । ଦୁଇମତେ- ଉଭୟ ପ୍ରକାରେ , ସ୍ୱୀକାର କଲେ ବା ନକଲେ । ଅମୃତଦାୟୀ-ସୁଖପ୍ରଦ,ଅମୃତଫଳ ଦାୟକ । ଆତୁର – ଉଚ୍ଛନ୍ନ । ଭୀରୁ – ଶ୍ରୀରାଧାଙ୍କର । ଚାରୁଉରୁ– ସୁନ୍ଦର ଜଙ୍ଘ ।

 

୩୮ । ନିଦ୍ରାମୁଦ୍ରା - ଶୋଇଥିବା ବେଳର ଅଜ୍ଞାନ ଅବସ୍ଥା। ଅଳସ ଭାଙ୍ଗିବା ଭଙ୍ଗୀ – ନିଦରୁ ଉଠି ଅଳସ ଭାଙ୍ଗିବା ଛଳରେ । କୁଚ ମଙ୍ଗଳ କଳଶ– କୁଚରୂପକ ଶୁଭକୁମ୍ଭ । ଉର୍ଦ୍ଧ୍ୱ କରି ଛନ୍ଦୁପାଣି– ଉପରକୁ ହାତଟେକି ଛନ୍ଦିବାବେଳେ । ଆଣି- ଶୋଭା । ହେମପ୍ରଭା- ସୁନାରେ ତିଆରି ପଟା । ଜୃମ୍ଭାକାଳେ – ହାଇମାରିବାବେଳେ । ତୁଣ୍ଡମାଧୁରୀ-ପାଟି ଭିତରର ଶୋଭା । ରଙ୍ଗ ସଂପୁଟକ– ଲାଲବର୍ଣ୍ଣର ଫରୁଆ ।

 

୩୯। ଅଳସାନ୍ତେ – ଅଳସ ଭାଙ୍ଗିବାପରେ । ନେତ୍ରଦତ୍ତେ– ଅନାଇବାରୁ । କୃଷ୍ଣ ଶୋଭାବ୍‌ଧି ଅମୃତେ– ଶ୍ରୀକୃଷ୍ଣଙ୍କର ସୌନ୍ଦର୍ଯ୍ୟରୂପକ ସାଗର ଜଳରେ । ମନମୀନ– ମନରୂପକ ମସ୍ୟ । ବଡ଼ଶୀ ବୁଡ଼ାଇ– ବନିଶୀ ପକାଇ । କୁଚ କଳସୀରେ – ସ୍ତନରୁପକ ମାଠିଆରେ । ଭରି- ରଖି । ପାଳନା କଲା – ପାଳନକଲା, ବଞ୍ଚାଇ ରଖିଲା । ହାସାମୃତ- ହାସରୂପକ ଅମୃତ । ସଂଭ୍ରମ – ଗୌରବ । ଯୋଷା– ଶ୍ରୀରାଧା ।

 

୪ o। ମୀନଛଟକ ଝଟକ– ମାଛମାନଙ୍କ ଚଟୁଳ ଶୋଭା । ନେତ୍ରପୁଟକ ଅଟକ– ନେତ୍ରର ପକ୍ଷ୍ମରେ ବନ୍ଦ ହୋଇ ରହିଲା । ନାଟକ ପଠିନୀ – ଦୃଶ୍ୟକାବ୍ୟ ରସିକା ଶ୍ରୀରାଧା । ପୋତୁଲପନ– ତଳକୁ ମୁହଁ ପୋତିଲେ । ସ୍ଫୁଟକଞ୍ଜ – ଫୁଟିଲା ପଦ୍ମ । କୁଚଟଙ୍କଧରେ-ସ୍ତନରୂପକ ଶମ୍ଭୁଙ୍କଠାରେ । ପ୍ରକଟ – ପ୍ରକାଶିତ । ତାଟଙ୍କାଳତିରେ – ତଡ଼କାରୂପକ ଆଳତିରେ । ବର – ପତି । ବରବରନା- ସୁନ୍ଦରୀ ଶ୍ରୀରଧା। ସେବାଭିଳାସୀ ସେବାକରିବାକୁ ଇଚ୍ଛାକଲା ।

୪୧ । ସୁନ୍ଦର ସୃଷ୍ଟିସାର ପୁରନ୍ଦର – ଶ୍ରେଷ୍ଠ ସୁନ୍ଦର । ନୟନ ସୁକୃତ ପଣ- ଆଖିର ପୁଣ୍ୟପଣ ।ବିଧି– ବିଧାତା । ବାଣ ଦ୍ୱିଗୁଣ– ଦଶଗୁଣ । ଦୀନ- ଦରିଦ୍ର । ଦେବରାଜ– ଦେବଶ୍ରେଷ୍ଠ ।

 

୪୨ । ଶଶୀ– ଚନ୍ଦ୍ର । ବିବର୍ଣ୍ଣ – ମଳିନ ବର୍ଣ୍ଣ । ବିଲକ୍ଷ – ତୁଳନାର ଅଯୋଗ୍ୟ । ପୁରନ୍ଦର – ଇନ୍ଦ୍ର । ସହସ୍ରାକ୍ଷ – ସହସ୍ର ଚକ୍ଷୁଧାରୀ। ମିତ୍ର କୁମାର – ସୂର୍ଯ୍ୟପୁତ୍ର ଅଶ୍ୱିନୀ କୁମାର । କୁମାର – କାର୍ତ୍ତିକେୟ । ଆନନ- ମୁଖ । ଅଦେହ- ଦେହ ନାହିଁ । ଫୁଲ ଧନୁ-କନ୍ଦର୍ପ । ଚିନ୍ତାମଣି ମୁର୍ତ୍ତି– ଚିନ୍ତାମଣି ବିଗ୍ରହ । ବରଦ– ବରଦାନକାରୀ ।

 

୪୩।      ବିରାଜ– ବିଷ୍ଣୁ । କେହି-କିପରି । ବିରାଜ ବିଜୟ-ପକ୍ଷୀଶ୍ରେଷ୍ଠ ଗରୁଡ ଉପରେ ବିଜେ କରିବା । ଅନ୍ତର-ଭିନ୍ନ । ସେ-ବିଷ୍ଣୁ । କୁମାର – କିଶୋର । ମାର- କନ୍ଦର୍ପ । କୋଟିଗୁଣେ ପ୍ରଭା- ଅପରିମିତ ପ୍ରଭାବ । ବିନାଶାନେ– ବିନାଶ କରିବାକୁ । ଅରିଦରକୁ – ଶତ୍ରୁ ଭୟକୁ । ଶ୍ରୀଭୁଜରେ- ସୁଦର କରରେ । ଅରିଦରକୁ – ଚକ୍ର ଓ ଶଙ୍ଖକୁ।

 

୪୪ । ପଞ୍ଚଶର ପଞ୍ଚଶର – କନ୍ଦର୍ପର ପାଞ୍ଚୋଟି ଯାକ ବାଣ । ଶୃଙ୍ଗାର ରସ ନିକର – ଶଙ୍କର ରସ ସବୁ । ପ୍ରେମ ଭାବ– ପ୍ରେମ ରସ। ମଦନମାଦକ– କନ୍ଦର୍ପଜନିତ ନିଶା । ପୀୟୁଷ-ଅମୃତ । କେଳି- କ୍ରୀଡ଼ା । କଳା – କାମକଳା । ଭଙ୍ଗୀ– କଟାକ୍ଷ ବିକ୍ଷେପ ଆଦି ଚେଷ୍ଟା । ଲୀଳା – ବିଳାସ । ଲାବଣ୍ୟ– କାନ୍ତିର ତରଳତା। ମାଧୁର୍ଯ୍ୟ ମିଳା– ମଧୁରତା ମିଶ୍ରିତ । ସୁଷମା ପୁରୁଷ- ସୌନ୍ଦର୍ଯ୍ୟମୟ ପୁରୁଷ । ବଶ– ଅଧୀନ । ମାନସରେ – ମନରେ । ମନାସେ– ଇଛା କରୁଅଛି । ଜୀବ କି ପରମେ – ଜୀବାତ୍ମା ପରମାତ୍ମାଠାରେ । ମନ- ଶ୍ରୀରାଧାଙ୍କର ମନ ।

 

୪୫ । ପାଣି– କର । ରସିକ ମୁକୁଟମଣି- ରସିକଶ୍ରେଷ୍ଠ ଶ୍ରୀକୃଷ୍ଣ । ତ୍ରାହି- ରକ୍ଷା । ବିନତି –ବିନୟ । ସୁଷମା ଧନ– ସୌନ୍ଦର୍ଯ୍ୟରୂପକ ଧନ । ବାଧା- ଦୁଃଖ । ଦୟାନିଧି- ଦୟାମୟୀ। ଦାସ ବତ୍ସଳା– ଭୃତ୍ୟବତ୍ସଳା । ଅନା- ଚାହଁ । ବାନା ଉଡୁ – ପତାକା ଉଡୁ, ଯଶ ପ୍ରଚାରିତ ହେଉ । ଲୋକେ– ଜଗତରେ । ସୁପ୍ରେମଶୀଳ– ଉତ୍ତମ ପ୍ରେମମୟୀ ।

 

୪୬ । କଳ୍ପଲତା – କଳ୍ପବୃକ୍ଷ । ପରଖ– ପରୀକ୍ଷା କର । ଧୀରା- ଶାନ୍ତଶୀଳ । ସେବା ଅଯୋଗ୍ୟ– ସେବା କରିବାକୁ ଯେ ଯୋଗ୍ୟ ନୁହେଁ । ବିବେକ – ବିଚାରଶୀଳ ଲୋକେ । ଅଧରାମୃତ– ଉଚ୍ଛିଷ୍ଟ ଓ ଅଧରରୂପକ ଅମୃତ । ଶ୍ରୀ– ଐଶ୍ବର୍ଯ୍ୟ । ପଦକରେ – ପଦେ କଥାରେ । କୃତାର୍ଥ– ଧନ୍ୟ । ଶ୍ରୀପଦ– ସୁନ୍ଦର ପାଦ । କରେ – ହାତରେ ।

 

୪୭ । ତନୁଜା – କନ୍ୟା । ଅନୁଜା – ସାନ ଭଉଣୀ। କାମ– କନ୍ଦର୍ପ । ନିଦ୍ରାଳସେ- ନିଦ ଅଳରେ । କଷା- ଅଳ୍ପ ରକ୍ତବର୍ଣ୍ଣ । ନେତ୍ର – ଆଖି । ସୁଧା– ଅମୃତ (ଶ୍ୱେତ) । ଅନୁରାଗ– ପ୍ରୀତିର ଆଭାସ (ଲାଲବର୍ଣ୍ଣ)। ଢଳିବାରୁ– ମୋ ଉପରେ ପଡ଼ିବାରୁ । ମୋର ବୋଲ– ମୋ କଥା । ସ୍ୱୀକାର କର– ମାନିନିଅ ! ତନୁଦାନ – ଦେହଦାନ । ଅଭୟବର– କାମନା ପୂରଣର ନିର୍ଭରତା ।

 

୪୮। ରସିକ-ଶ୍ରୀକୃଷ୍ଣ । ବିନୟବିଧୁ-ବିନୟ ବଚନ ରୂପକ ଚନ୍ଦ୍ର । ଆନନ୍ଦ ସିନ୍ଧୁ-ଆନନ୍ଦ ରୂପକ ସାଗର । ଧଇର୍ଯ୍ୟ ଲାଜତୀର-ଧୈର୍ଯ୍ୟ ଓ ଲାଜ ରୂପକ କୂଳ । ମୁଦ-ଆନନ୍ଦ । ହାସ ମୁଦ-ହସ ରୂପକ କଇଁ । ପ୍ରସନ୍ନ-ପ୍ରଫୁଲ୍ଲ । ପୀୟୂଷ-ଅମୃତ । ହରି-ଶ୍ରୀରାଧା । ହରିରୀତି-ଶ୍ରୀକୃଷ୍ଣଙ୍କ ବିରହ ଅବସ୍ଥା । ଲକ୍ଷି-ଲକ୍ଷ୍ୟ କରିଥିଲେ ।

 

୪୯।      ଅଙ୍ଗୀକାର-ସ୍ୱୀକାର । ବେଣୁଧର-ବଂଶୀଧାରୀ ଶ୍ରୀକୃଷ୍ଣ । ପଲ୍ୟଙ୍କ ଅଙ୍କରେ-ପଲଙ୍କ ଉପରେ । ଶ୍ରୀ ମୁଖ ଦେଖାବିଧି-ମୁହାଁଚାହାଁ ବିଧି । ମୁଦ୍ରିକା-ମୁଦି । ଗାନ୍ଧର୍ବୀଙ୍କ ରୀତି-ଗନ୍ଧର୍ବ ବିବାହ ରୀତି । ବାଳୀ-ଶ୍ରୀରାଧା ।

 

୫୦। ବଧୂ ବଧୂଲୀ ଅଧର-ଶ୍ରୀରାଧାଙ୍କର ଲାଲ ଓଷ୍ଠ । ମଧୁ ମଧୁର ଭଣ୍ଡାର-ମହୁପରି ମିଠାପୂର୍ଣ୍ଣ । ହରିକରି-ହରଣ କରି । ହରିଙ୍କି-ଶ୍ରୀ କୃଷ୍ଣଙ୍କୁ । ଶତକୋଟି-ଅସଂଖ୍ୟ । କୁଳିଶ-ବଜ୍ର । ଏଜାତି-ପ୍ରକାର । କ୍ଳେଶ-କଷ୍ଟ,ଦୁଃଖ ।

 

୫୧। ଶ୍ରୀ ରାଧା ଗୋବିନ୍ଦ ସଙ୍ଗ ଭଙ୍ଗ-ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କ ମିଳନ ଭଙ୍ଗ । ଅନୁରାଗୀ ଜନଙ୍କର ଜୀବନ ଯିବ-ଅନୁରାଗୀ ଲୋକଙ୍କ ପକ୍ଷରେ ଜୀବନ ଯିବା ସହିତ ସମାନ । ପ୍ରଣୟ-ପ୍ରେମ । ଏ ପାଞ୍ଚ-ଏହି ଭାବନା । ଜୀବ-ପ୍ରାଣ । କୃଷ୍ଣ ବୋଲି-ଶ୍ରୀକୃଷ୍ଣଙ୍କ ନାମ ଉଚ୍ଚାରଣ କରି ।

 

 

ଏକତ୍ରିଂଶ ଛାନ୍ଦ

 

୧। ଘେନ-ଗ୍ରହଣ କର । ସାଧବ-ସାଧୁମାନେ । ଭିନ୍ନ-ବିଯୁକ୍ତ । ଚେତି-ଜାଗ୍ରତ ହୋଇ ।କାମିନୀ - ଶ୍ରୀରାଧା । ଯାମିନୀ – ରାତ୍ରି । ମାଦକୀ– ମତୁଆଲୀ । ମୁଦ-ଆନନ୍ଦ । ପାଲଟ – ବଦଳରେ । ଦର – ଭୟ ।

 

୨।କଳପତରୁ ଫଳ– କଳ୍ପବୃକ୍ଷର ଫଳ । ତଳ୍ପେ– ତପସ୍ୟାରୁ । ପାପେ-ପାପ ହେତୁ ।କତିରେ – ନିକଟରେ । ମୁକତି – ମୁକ୍ତି, ମୋକ୍ଷ । ଅବିଧିବନ୍ତ-ଅନ୍ୟାୟବନ୍ତ । ବିଧି-ବିଧାତା ।

 

୩। ନାଗର ମଣି- ଶ୍ରେଷ୍ଠ ନାଗର, ଶ୍ରେଷ୍ଠ ବିଳାସୀ। ପ୍ରେମ ସାଗର – ପ୍ରେମର ସମୁଦ୍ର ।ତରଙ୍ଗକୁ – ଲହରୀକୁ । ବଳଇ– ଟପିଯାଏ । ରଙ୍ଗସାର – ଶ୍ରୀକୃଷ୍ଣଙ୍କ ବର୍ଣ୍ଣ ଓ ଭଙ୍ଗୀ । ଯତନ ଭଙ୍ଗୀ– ଶୋଭା ଭଙ୍ଗୀ। ରତନ– ଶ୍ରେଷ୍ଠ । ନିପୁଣ– ଦକ୍ଷ । ବଚନରେ –କଥାରେ, ବାକ୍ୟରେ । ପୀୟୁଷ– ଅମୃତ । ସଞ୍ଚନ ଗୁଣ– ଭରିଥିବା ଗୁଣ ।

 

୪। ଶିରୀ କି- ଶୋଭାକୁ ଓ ଲକ୍ଷ୍ମୀଙ୍କୁ । ସଂଗ୍ରହଣ– ଧାରଣ। ବାରିକି ଦିଏ– ନିବାରଣ କରେ କି ? ପାପୀ ବାରିକି – ପାପୀମାନଙ୍କ ପ୍ରତି ନିଜ ଜଳକୁ । ଶୁଚି – ପବିତ୍ରତା ଓ ଶୃଙ୍ଗାର ରସ । ସୁଚିତ୍ତ- ଉତ୍ତମ ମନ । ଉଚିତ ସିଦ୍ଧି – ଉପଯୁକ୍ତ ଫଳପ୍ରାପ୍ତି । ବଞ୍ଚିତ– ରହିତ।

 

୫।ବଲ୍ଲଭ– ପ୍ରିୟତମ । ସୁଲଭ– ଆନନ୍ଦ । ଲଭନ – ଲାଭ । ସେ ବା – ତାହା । ଦୁର୍ଲଭ ହେଲ– ମିଳିଲ ନାହିଁ । ଚିନ୍ତାମଣି– ହେ ଚିନ୍ତାମଣ। ଚିନ୍ତାମଣି କି – ଚିନ୍ତାମଣି କରି, ଚିନ୍ତା ମନେ କରି । ଆଣି କି- ଆଣି କରି । ଟାଣ ଆଣିକି – ଟାଣୁଆ ପଣକୁ ।

 

୬ । ମୋହନ- ମୋହିଦେବା ଗୁଣ । ଶୋଭ।– ଶ୍ରୀକୃଷ୍ଣଙ୍କ ରୂପ ! ମୋହନ – ମୁଗ୍‌ଧ । ମଦନ-କନ୍ଦର୍ପ । ମଦନ – ମାଦକତା। ମଣେତ– ମନେକରେ । ମଣେତ – ସେ ମନେ କରନ୍ତି । ପଣେ– କୋଡ଼ିଏ ଗଣ୍ଡା। ରମା- ଲକ୍ଷ୍ମୀ । ତୁଚ୍ଛ – ନିକୃଷ୍ଟ । ଦାସୀ ପଣେତ – ଦାସୀ ହେବାପାଇଁ ।

 

୭ । କି କରିବା – କଣ କରିବି । ହୀନ ହେବି – ଶ୍ରୀକୃଷ୍ଣଙ୍କ ଦାସୀପଣକୁ ଅଯୋଗ୍ୟା ହେବି । କିଂ କରିବା – ନୀଚକର୍ମ କରିବି ? ଶଙ୍କରୀ ସେବାହୀନା – ଦୁର୍ଗାଙ୍କୁ ପୂଜା କରିନାହିଁ । ଅଙ୍ଗନାଶରେ – କନ୍ଦର୍ପର ଶରାଘାତରେ । ଅଙ୍ଗନା-ସ୍ତ୍ରୀ, ଶ୍ରୀରାଧା । ଆସି ସରେ– ଶେଷହେବା ଅପେକ୍ଷାରେ, ମୃତ୍ୟୁ ଅପେକ୍ଷାରେ । ଭୂରେ – ପୃଥିବୀରେ । ପ୍ରଭୁରେ –ପ୍ରଭୁଙ୍କର ।

 

୮ । ନତି– ବିନୟ । ଉନ୍ନତ – ଟେକ । ମତିରେ– ମନରେ । କୁମତି- ମନ୍ଦବୁଦ୍ଧି । କରିଷକରୀ-ଘସି ପାରିବା ଗୋପାଳୁଣୀ । ସେବାଯୋଗ୍ୟ– ସେବା ପାଇବାର ଯୋଗ୍ୟ । କିକରି –କିପରି । କିଙ୍କରୀବଧ– ଦାସୀର ବିନାଶ ।

 

୯। ମଧୁ ମଧୁର – ସୁମିଷ୍ଟ ମଧୁରତା। ଲକ୍ଷି – ଲକ୍ଷ୍ୟ କରି । ବିଧୁ- ଚନ୍ଦ୍ର । ବିଧୁର – ମଳିନ । ଦର – ଭୟ । ଦରପଣ– ଆଇନା । ସାର ସାରସ– ଉତ୍କୃଷ୍ଟ ପଦ୍ମ ।

 

୧୦ । ମୁଖରେ– ମୁଖକୁ । ଖରେ – ଶୀଘ୍ର । ମନ୍ଦାକ୍ଷ – ଲଜ୍ଜା ! ମନ୍ଦାକ୍ଷକୁ – ଚକ୍ଷୁ ମୁଦ୍ରିତ କରିବାକୁ । ଅଭାଗୀ– ଭାଗ୍ୟହୀନା। ସୁଧା– ଅମୃତ । ସୁଧାର ପଥ – ସୁବିଧା ବାଟ ।

 

୧୧।      ଜୀବ ଜୀବନ ବୋଲା- ପ୍ରାଣର ପ୍ରାଣ ଡାକ । ଶ୍ରବଣ ହେଲା-ଶୁଭିଲା । ଶେଷ-ଶେଷରେ । ଶେଷ ସେବନ-ମରଣକୁ ଭଜିବା । କୃତ-କରିଥିବା । କୃତଯୁଗ-ସତ୍ୟଯୁଗ । ସୁକୃତ- ପୁଣ୍ୟ । ଅଙ୍ଗ– ଦେହ । ଅଙ୍ଗନାଛାର – ସାମାନ୍ୟ ନାରୀ । ସ୍ପରଶ କଲା-ଛୁଇଁଲ।

 

୧୨ । ଶାତ-ସୁଖ । ସାତ ସାଗର – ସପ୍ତସାଗର ପରିମିତ । ଲବମାତର – ସାମାନ୍ୟ ମାତ୍ର । ଆନ– ଅନ୍ୟ । ଆନନ୍ଦବାର – ଆନନ୍ଦ ସମୂହ । ତୁଲ୍ୟ– ତୁଳନା ଯୋଗ୍ୟ । ପଦ-ସ୍ଥାନ । ପଦତଳରେ – ପାଦତଳେ । ସବୁରି – ବ୍ରହ୍ମାଦି ସବୁ ଦେବତାଙ୍କର । ବିମ୍ବ ବିମ୍ବକ-ବିମ୍ବ ପ୍ରତିବିମ୍ବ ପରି । ଉଲଟିଲା– ଓଲଟିଗଲା । ଶ୍ରୀରାଧା ଏଠାରେ ପ୍ରକାଶ କରିଛନ୍ତି ଯେ, ସେ ଶ୍ରୀକୃଷ୍ଣଙ୍କ ସହିତ ମିଳିତ ହୋଇ ରହିଥିବା ବେଳେ ଅନ୍ୟ ଦେବତାମାନେ ତାଙ୍କ ପାଦ ତଳେ ଥିଲେ, ମାତ୍ର ଏବେ ସବୁ ଓଲଟା ହୋଇଗଲା, ଅର୍ଥାତ୍ ତଳକୁ ପଡ଼ିଥିବା ପ୍ରତିବିମ୍ବ ବିମ୍ବକୁ ନିଜ ତଳେ ରଖିବା ପରି ସେ ସମସ୍ତଙ୍କ ତଳେ ରହିଲେ ।

 

୧୩ ଥରେ– ଥରି ଥରି । ନେତ୍ର ପଥରେ– ଆଖି ଆଗରେ । ପ୍ରୀତି ପଥରେ – ପ୍ରେମ ବାଟରେ । ପଥରେ – ପଥରକୁ । କୃପାରେ– ଦୟାକରି । ଥିରେ – ସ୍ଥିର ଭାବରେ । ଅନାଥୀରେ – ଅନାଥାକୁ ।

 

୧୪। ଦିଶେ – ଦିଗମାନଙ୍କରେ । ଦିଶେ– ଦେଖାଯାଏ । ବାତୁଳ ତୁଳ– ପାଗଳ ପରି । ଆଶେ – ଆଶା କରିବାରୁ । ପ୍ରବଳେ– ପ୍ରବଳ ଭାବରେ । ବିକଳ କଳ – ବ୍ୟାକୁଳ ଧ୍ୱନି । ବିଧି-ବିଧାତା । ବିଧୀରେ – ବିଚାର ବୁଦ୍ଧିରେ । ବ୍ୟାକୁଳ କୁଳ– ବ୍ୟାକୁଳତା ସମୂହ । ଚିତ୍ତେ - ମନରେ । ସକଳ କଳ– ଚାଟୁ ବଚନ ସମୂହ ।

 

୧୫ । ଶ୍ୟାମସୁନ୍ଦର – ଶ୍ରୀକୃଷ୍ଣ । ନୟ– ଲୟ । ସଭ୍ରମେ – ଭ୍ରମରେ । ସର୍ବଭୂତେ –ସବୁ ପ୍ରାଣୀଙ୍କଠାରେ । ନୟନ- ଆଖି । ନେତ୍ର ମୁଦିଲେ – ଆଖି ବୁଜିଲେ । ଚିତ୍ତ ଭିତରେ – ମନରେ । ବିବେକୁଁ – ବିବେଚନାରେ । ପ୍ରାଣାଶ – ପ୍ରାଣର ଆଶା । ମୁଞ୍ଚିତ– ତ୍ୟକ୍ତ । ଭୀତରେ– ଭୀତିରେ, ଭୟରେ ।

 

୧୬ । ଦର- ଭୟ । ସନକମୋହୀ– ସନକ ଆଦି ଋଷିମାନଙ୍କ ମୋହିନୀ ଶ୍ରୀରାଧା । ଛନ୍ନରେ –ଉତ୍କଣ୍ଠାରେ । ଦରଶନ ଲୋଭ– ଦର୍ଶନ ପାଇବା ଲୋଭ । ବୃଦ୍ଧି ମନରେ – ମନରେ ବଢ଼ାଇଲେ । ଅକ୍ଷପିତୁଳା- ଆଖିପିତୁଳା । ଅକ୍ଷପି-ପକ୍ଷ୍ମ ନ ପକାଇ । ତୁଳାଅଙ୍ଗୀ-କୋମଳାଙ୍ଗୀ ଶ୍ରୀରାଧା। ଲକ୍ଷି – ଦେଖି ।

 

୧୭। ଅସମ୍ଭାବିତ– ଅସମ୍ଭବ କଥା। ସମ୍ଭାଇଲା– ସମ୍ଭବରେ ପରିଣତ କଲା । ଭାବିନୀ-ପ୍ରେମମୟୀ ଶ୍ରୀରାଧା । ମୁଦ– ଆନନ୍ଦ । ସୁଖସମ୍ପଦ– ସୁଖର ସମ୍ପତ୍ତି ।

 

୧୮। ଧୀ- ବୁଦ୍ଧି । ଆନ– ଅନ୍ୟ । ଧିଆନ– ଧ୍ୟାନ, ଚିନ୍ତା । ଗିଆନ ଆନ ହେଲା – ଜ୍ଞାନ ଲୋପ ପାଇଲା । ଗୀ– ବଚନ । ଆନ– ଅନ୍ୟ ପ୍ରକାର । ବଞ୍ଚନ ହେବି – ବଞ୍ଚିବି ବା ବଞ୍ଚିତ ହେବି । ବଚନ- ବାକ୍ୟ । ଜାତ- ପ୍ରକାଶିତ । ଭାବର ଧନ– ପ୍ରେମର ଧନ । ଭା- କାନ୍ତି । ବରଧନ-ବର୍ନ୍ଧନକାରୀ ।

 

୧୯। ବାଳୀ ରୋଦନ – ଶ୍ରୀରାଧାଙ୍କ କ୍ରନ୍ଦନ । ନିଦ୍ରା ବିଗତ – ନିଦ ଭାଙ୍ଗିଗଲା । ଆଳୀ-ସଖୀମାନେ । ବିପରୀତ-ଦୁର୍ଘଟଣା । ଭାଳି – ଭାଳୁଛି । ବାତବିନା – ପବନ ବିନା। କାଳୀଲଗା ବଚନ – କଳଙ୍କ କଥା।

 

୨୦ । କାନ୍ତ- ପ୍ରିୟ । ସମାଗମ– ଗତାଗତ । ଚିତ୍ତର ସୁଖଦାତା– ମନକୁ ଆନନ୍ଦ ଦେବା। ଅନ୍ତର କରିଗଲେ– ଛାଡ଼ି ଦେଇଗଲେ।

୨୧। ବିଚିତ୍ର ଲାଭ– ଆଶ୍ଚର୍ଯ୍ୟଜନକ ପ୍ରାପ୍ତି । ବରଜିଲୁ– ଛାଡ଼ିଦେଲୁ । ସୁଲଭ– ଉତ୍ତମ ପ୍ରାପ୍ତି । ସ୍ୱଚ୍ଛେ – ସ୍ପଷ୍ଟକରି ।

 

୨୨। କାମ– କନ୍ଦର୍ପ । ଲପନ- ମୁଖ । ମୋହ ପାଇବ– ମୋହିତ ହେବ । କେହି – କିପରି ।

୨୩ । ଧୀରା ହୀରା– ଧୈର୍ଯ୍ୟବତୀମାନଙ୍କ ମଧ୍ୟରେ ଶ୍ରେଷ୍ଠା, ଶ୍ରୀରାଧା । କଥିତ- କହିଲେ । ସଖୀବଚନେ– ସଖୀମାନଙ୍କ ବଚନ ଶୁଣି । ରସାର ସାର ଯୁବା– ପୃଥିବୀର ସର୍ବଶ୍ରେଷ୍ଠ ଯୁବା । ଶୟନେ– ଶଯ୍ୟାରେ । ମୋହେ – ମୋର । ଚଳା ଚଞ୍ଚଳା – ଚଳନ୍ତା। ବିଜୁଳି । ଅନ୍ତର ଖରେ– ଶୀଘ୍ର ଉଭେଇଗଲେ ।

 

୨୪ । ମିତ- ସଖୀ। ରମଣୀମଣି – ରମଣୀ ରତ୍ନଂ ଶ୍ରୀରାଧା । ସପନ ସତମଣି-ସ୍ୱପକୁ ସତ୍ୟ ଭାବି । ବାତ – ପବନ ।

୨୫। କୁମୁଦ ମୁଦ– କଇଁ ଫୁଲର ଆନନ୍ଦ । ଚିତ୍ର ଚନ୍ଦ୍ର - ଚିତ୍ରିତ ଚନ୍ଦ୍ର, ଛବିର ଚନ୍ଦ୍ର । ଚିତ୍ର-ସୁନ୍ଦର । ଚିତ୍ରକଞ୍ଜ– ଚିତ୍ରିତ ପଦ୍ମ। ବିଧି-ପ୍ରକାର । ଭ୍ରମେ – ଭ୍ରମରେ । ଭ୍ରମେଟି -ଭ୍ରମଣ କରୁଛିଟି ।

 

୨୬ । ଧିକ୍‌କାରିଲେ– ତିରସ୍କାର କଲେ । ଭିନ୍ନ – ଅନ୍ତର । ପର – ଇତର । ପରପଞ୍ଚ–ବିଷମ । ଶ୍ରବଣ – କର୍ଣ୍ଣ । ଶ୍ରବଣରେ – ଶୁଣିକରି । ବଧିର – କାଲ ।

 

୨୭ । ବିନାଶନ- ବିନାଶପ୍ରାପ୍ତି । ଭାବଭାବନା- ଅନୁରାଗ ଚିନ୍ତା । ସତ ବଳିଲା – ଇଛା ହେଲା। ଲୀଳା- ଶ୍ରୀକୃଷ୍ଣଙ୍କର ପ୍ରେମପ୍ରାପ୍ତି । ତୁଚ୍ଛ– କିଛି ନୁହେଁ ।

 

୨୮ । ପର– ଇତରପରି । ପରତେ– ପ୍ରତୀତ, ମନେହୁଏ । ହିତ- ସୁଖକର । ଅଛିଦ୍ର- ଗାଢ । ସଖୀବାର – ସଖୀମାନେ । ବାରଣ– ନିଷେଧ ।

 

୨୯। ହୃଦବେଦନା– ମନର ଦୁଃଖ । ଗ୍ରାମେ– ଗୋପପୁରରେ । ସାମବେଦନା – ସାମବେଦ ବା ସଙ୍ଗୀତର ନାମ । ଦୁଃଖ ଛେଦନା – ଦୁଃଖ ଖଣ୍ଡନକାରିଣୀ, ଦୁଃଖ ଦୂରକାରିଣୀ । ପରିହାସେ– ଥଟ୍ଟାରେ । ନିବେଦନା– ବିଷୟ ।

 

୩୦। ଶଙ୍କି-ଭୟକରି । ବଙ୍କିମନେତ୍ରୀ-ବାଙ୍କଚାହାଣୀଯୁକ୍ତା ଶ୍ରୀରାଧା । ବଚନେ-କଥାରେ । ଆଳୀ- ସଖୀ । ଚିତ୍ତରୁଚିତ ଭାଷା – ଶ୍ରୀରାଧାଙ୍କ ମନକୁ ରୁଚିବାଭଳି କଥା । ପର ପରଚେ – ଅନ୍ୟର ପରିଚୟ । ଅଘଟ – ଅଘଟଣ । ବିଧିରଚନା – ଦୈବକୃତ।

 

୩୧ । ନଭ– ଆକାଶ । ପଦକେ– ଗୋଟିଏ ପାଦରେ । ଘୋଡ଼ାହେଲ।– ଲୁଚିଗଲା, ବ୍ୟାପ୍ତ ହେଲା । ବାମନ ଅବତାରରେ ବିଷ୍ଣୁ ଆକାଶକୁ ଗୋଟିଏ ପାଦରେ ଘୋଡ଼ାଇ ପକାଇଥିଲେ। ମନୋରଥ– ମନୋବାଞ୍ଛ।ସ୍ଵାର୍ଥ – ସାର୍ଥକ, ପୂର୍ଣ୍ଣ । ଯୋଗରେ – ଯୋଗ ପଡ଼ିଲେ, ସମୟ ଆସିଲେ । ଭୋଗ- ମିଳନ । ଘଟନା ହେବ– ଘଟିବ ।

 

୩୨ । ବିଶ୍ୱମୋହୀ- ବିଶ୍ଵର ମୋହନକାରିଣୀ, ଶ୍ରୀରାଧା । ମୋହିତକୁ – ମୁଗ୍‌ଧ କରିବାକୁ । ଭାଜନ – ସମର୍ଥ, ଯୋଗ୍ୟ । ବିଚିତ୍ର – ଆଶ୍ଚର୍ଯ୍ୟ । ଚିତ୍ରମୂର୍ତ୍ତି– ଚିତ୍ରିତ ମୂର୍ତ୍ତି । ଘନ ଆଛନ୍ନ-ମେଘଢ଼ଙ୍କା । ହୃଦନଭ– ହୃଦୟରୂପକ ଆକାଶ । କହି- କହିଲେ । ହର – ଦୂରକର ।

 

୩୩ । ଧନିଷ୍ଠା- ଜଣେ ସଖୀ । ନିଷ୍ଠାକରି – ଦୃଢ଼କରି । ଅନା- ଦେଖ । ଅନାମିକାରେ – କାଣିଆଙ୍ଗୁଠିରେ । ସନ୍ତକ – ଚିହ୍ନ । ନୀଳକମଳ ବାସ– ନୀଳପଦ୍ମର ସୌରଭ, ବାସନା । ମାଦକ – ମନୋହର ।

 

୩୪ । ତାମ୍ୱୁଳବୋଳ– ପାନରବୋଳ । ଗଣ୍ଡଚୁମ୍ୱନେ ଝଳି–ଗଣ୍ଡଦେଶ ଚୁମ୍ୱନ ଯୋଗୁଁ ପ୍ରକାଶିତ ଶୋଭା । ହେମ ଆଳବାଳେ-ସୁନାର ମନ୍ଦାରେ । ରାଗ କନ୍ଦଳୀ-ସ୍ନେହର ଅଙ୍କୁର । ଦ୍ୱିଜପୂଜନେ-ଦନ୍ତକ୍ଷତ ରୂପକ ବ୍ରାହ୍ମଣ ପୂଜା ଦ୍ଵାର। ଓଷ୍ଠ ଅରୁଣ – ଓଷ୍ଠରୂପକ ବାଳସୂର୍ଯ୍ୟ । ପ୍ରକଟ – ପ୍ରକାଶିତ । କୀଟ ଭେଦ ପ୍ରବାଳ– ପୋକ ବିନ୍ଧିଥିବା ପୋହଳ । ଗଣ – ଜାଣ ।

 

୩୫। ବର– ପତି । ହାର- ମୁକ୍ତାମାଳ । ବିହାର – କ୍ରୀଡ଼ା । ପର – ଅନ୍ୟ, ଇତର । ବିଧି-ଘଟଣା । ଗୁପତ ନିଧି- ଗୁପ୍ତଧନ ।

 

୩୬ । ଏବେ ସେ ହୋଇଛି କି ଆମ୍ଭ ମିତଣୀ– ଏବେ କଣ ସେ ଆମ ମିତଣୀ ହୋଇକରି ଅଛି ? କାହୁଁ – କିପରି । କି କରି – କଣ କରି । ମନ ହୋଇବ ଜାଣି- ତାଙ୍କର ମନକୁ ଜାଣିହେବ । ପରମ ଶୁଭ ନୋହୁଁ – ପରମ ଶୁଭ ନ ଘଟୁଣୁ ।

 

୩୭ । ସଙ୍ଗୀଭଙ୍ଗୀ ବଚନେ– ସଖୀମାନଙ୍କ ପରି ହାସପୂର୍ଣ୍ଣ କଥାରେ । ଇଙ୍ଗିତଶାଳୀ-ଇଙ୍ଗିତମୋହିନୀ, ଶ୍ରୀରାଧା । ସନ୍ତକ – ଚିହ୍ନ, ମୁଦ୍ରିକା। ବିରସାବଳୀ– ଦୁଃଖସମୂହ । ଅନ୍ତକଲା– ଶେଷ କରିଦେଲା । ନାଥ– ଶ୍ରୀକୃଷ୍ଣ । ମୁଦିତ କରେ – ଆନନ୍ଦ ଦିଏ । ଶିରେ ଉରେ – ମଥାରେ ଏବଂ ବକ୍ଷରେ । ମାନ୍ୟ ସ୍ନେହରେ– ସମ୍ମାନ ଓ ସ୍ନେହର ସହିତ ।

 

୩୮ । ରସିକା- ରସବତୀ ଶ୍ରୀରାଧା । କାନ୍ତଭାବ – ଶ୍ରୀକୃଷ୍ଣଙ୍କ ପ୍ରେମ । ଗେ।ପନେ–ଲୁଚାଇବାରେ । ରଗ ସରାଗ– ସ୍ନେହଜନିତ ସରସତା । ଝଳି – ଶୋଭା । ବଦନେ-ମୁଖରେ । ଆଶା ନିରାଶ ଜଳେ- ଆଶା ବ୍ୟର୍ଥ ହେବା ଭାବନା ବଳରେ । ଅଶ୍ରୁ- ଲୋତକ । ଜନିତ– ଜାତ ହେଲା । ଅଧରେ – ଓଠରେ । କୋପ– ପ୍ରଣୟକ୍ରୋଧ ।

 

୩୯ । ଥରକୁ ଥର – ବାରମ୍ବାର । ଥର – କମ୍ପ । ଅଙ୍ଗରେ– ଦେହରେ । ଲାବଣ୍ୟ ସାଗରେ –ସୌନ୍ଦର୍ଯ୍ୟରୂପକ ସମୁଦ୍ରରେ । ପୁଲକ ତୁଲ – ରୋମ ଟାଙ୍କୁରିବା ରୂପକ । ଗାତ୍ର କ୍ଷେତ୍ରରେ – ଦେହ ରୂପକ କିଆରୀରେ । କାମ – କନ୍ଦର୍ପ । ପ୍ରେମବୀଜ– ଅନୁରାଗ ରୂପକ ମଞ୍ଜି।

 

୪୦ । ରଙ୍ଗ- ରକ୍ତିମା । ବିରଙ୍ଗ– ଫିକା । ଶ୍ଵାସ – ନିଃଶ୍ୱାସ ପବନ । ଓଷ୍ଠରୁ – ଓଠରୁ ! ଅମାପ ତାପ– ଅତ୍ୟନ୍ତ ଅଧିକ ପୀଡ଼ା । ରତ୍ନଯତ୍ନ – ଉତ୍କୃଷ୍ଟ ଶୋଭା । ଚିତ୍ରପତ୍ରକ– ସ୍ତନରେ ଚିତ୍ରିତ ଚନ୍ଦନ । ସ୍ୱେଦ- ଝାଳ । ଧଉତ କଲା– ଧୋଇଦେଲା । ଦମ୍ଭ ଆରମ୍ଭ – ଧେର୍ଯ୍ୟର ଟେକ । ଖେଦ– ବିରହ ଦୁଃଖ ।

 

୪୧ । ମନ୍ଦ– ଦୁଷ୍ଟ । ବାରି – ମନାକରି, ବାରଣ କରି । ବାରିଜଗନ୍ଧା – ପଦ୍ମଗନ୍ଧା, ଶ୍ରୀରାଧା । ବିଥିର – ଅସ୍ଥିରତା । ଖରେ– ଶୀଘ୍ର । ହରି – ବିଷ୍ଣୁ । ବୋଧି- ବୋଧଦେଇ । ସାରୀବାଦିନୀ– ସାରୀବଚନା, ଶ୍ରୀରଧା। ନିତି– ନିତ୍ୟକ୍ରିୟା ।

 

୪୨ । ଇଛା ଚିକିତ୍ସା-ଅଭିମତ ଉପଚାର । ପ୍ରେମବ୍ୟାଧି- ବିରହ ରେ।ଗ । ଉପଚାରୀମାନଙ୍କୁ-ସେବାକାରିଣୀମାନଙ୍କୁ । ମିତେ- ସଖୀମାନେ । ସୁମନକୁ – ଫୁଲକୁ । ସୁମନା ଅଜିରୁ – ଶ୍ରୀରାଧାଙ୍କ ଅଗଣାରୁ । ପ୍ରବୀଣା – ପଣ୍ଡିତା ଶ୍ରୀରାଧା । କରଗତ – ହସ୍ତଗତ ।

 

୪୩। ପ୍ରେମମଞ୍ଜରୀ– ସାରୀର ନାମ । କ୍ଷଣେ– ଅଳ୍ପ ସମୟ ମଧ୍ୟରେ । ଇକ୍ଷଣେ- ଆଖିରେ । ସାନ୍ଦ୍ର ଚନ୍ଦ୍ର ଆଲୋକ – ଗାଢ଼ ଚନ୍ଦ୍ରକିରଣ । ଆଲୋକ- ଦର୍ଶନ । ଅକ୍ଷ – ଆଖି । ଗବାକ୍ଷ-ଝରକା । ଦତ୍ତ ହେବାର – ଦିଆ ହେବାର ।

 

୪୪। ମଲ୍ଲୀ-ମରିଗଲି । ପ୍ରେମବଲ୍ଲୀ – ପ୍ରେମଲତା, ଶ୍ରୀରଧା । ଫୁଲେ – ଫୁଲମାନେ । ଅତୁଲ୍ୟ– ଅତୁଳନୀୟ । ଅତୁଲ୍ୟ– ଅତୁଳ । ଭୂଷଣେ– ଅଳଙ୍କାରମାନଙ୍କ ମଧ୍ୟରେ । ଭୁଷଣ– ଅଳଙ୍କାର । ଭାବନା – ଚିନ୍ତା । ଭାବାଦିଭୂଷା– କଟାକ୍ଷ, ବିକ୍ଷେପ ପ୍ରଭୃତି ଚେଷ୍ଟାରୂପକ ସ୍ଵାଭାବିକ ନାୟିକାର ଅଳଙ୍କାର । ପ୍ରବଳ– ବଢୁଥିଲା । ସନ୍ତାପ ଦଶା- ତାପ ଅବସ୍ଥା ।

 

୪୫ । କିଶୋରୀରତନ– କିଶୋରୀମଣି, କିଶୋରୀ ଶ୍ରେଷ୍ଠ ଶ୍ରୀରାଧା । ବଳୀ– ବଳୀୟାନ।ହା ହା କହି– ଦୁଃଖରେ ଅଧୀର ଭାଷା ପ୍ରକାଶ କରି । ଜୀବ– ପ୍ରାଣ । ଭାବି– ଚିନ୍ତାକରି । ଶ୍ରୀରାଧା ଭାବ– ଶ୍ରୀରାଧାଙ୍କର ବିରହ ଭାବ ।

 

 

ଦ୍ଵାତ୍ରିଂଶ ଛାନ୍ଦ

 

୧ ।ସଜ୍ଜନ– ସାଧୁଜନମାନେ ! ମାନସ ମଜ୍ଜନ- ଯେଉଁଥିରେ ମନ ମଜ୍ଜିଯାଏ ।ରସିକ ରଞ୍ଜନ- ରସିକମାନଙ୍କୁ ସନ୍ତୋଷଦାୟୀ। ସ୍ଵପନ ପ୍ରସଙ୍ଗ– ସ୍ଵପ୍ନରେ ଦେଖୁଥିବା ଘଟନା। ମନେ ହୋଇ ସଙ୍ଗ-ମନରେ ରହି । ଯୋଗ ଭଙ୍ଗୀ- ଯୋଗ ଭଙ୍ଗ କରିବାରେ ସମର୍ଥା । ମୁଦ– ଆନନ୍ଦ । ମାର- କନ୍ଦର୍ପ । ମାରଣା- ପୀଡ଼ା । ଶିବ ଶିବ– ମହାଦେବ । କନ୍ଦର୍ପକୁ ନାଶ କରିଥିବାରୁ ବା ମଙ୍ଗଳମୟ ହୋଇଥିବାରୁ ତାଙ୍କ ନାମ ଉଚ୍ଚାରଣ ।

 

୨। ସଦାଶିବ– ମହାଦେବ । ସଦାଶିବ– ସର୍ବଦା ମଙ୍ଗଳମୟ । ଦହି– ଭସ୍ମୀଭୁତ କରି । ଚିତ୍ତଜାତ– ମନରୁ ଜନ୍ମ । ଅଙ୍ଗନା – ରମଣୀ । ଶରଣ- ଆଶ୍ରୟ ।

 

୩ । ଶଙ୍କର– ମଙ୍ଗଳପ୍ରଦ । ଶଙ୍କର-ମହାଦେବ । ବିଶ୍ୱନାଥ ସିଦ୍ଧି– ବିଶ୍ୱବ୍ରହ୍ମାଣ୍ଡ ପ୍ରଭୁ ଭାବରେ ଖ୍ୟାତି । ଦେବ ଦେବ– ଦେବତାମାନଙ୍କ ଦେବତା, ମହଦେବ । ବର ବରଦ– ଶ୍ରେଷ୍ଠ ବରଦାତା, ପତିରୂପକ ବର ପ୍ରଦାନକାରୀ।

 

୪। ତ୍ରିପୁର ବିଜୟୀ- ତ୍ରିପୁରକୁ ଜୟ କରିଥିବା ଶିବ । ମୟଦାନବ ସ୍ୱର୍ଗରେ, ଅନ୍ତରୀକ୍ଷରେ (ସ୍ୱର୍ଗ ଓ ମର୍ତ୍ତର ମଧ୍ୟଭାଗ) ଓ ପୃଥିବୀରେ ଯଥାକ୍ରମେ ସୁନା, ରୂପା ଓ ଲୁହାରେ ତିନିଟି ପୁର ନିର୍ମାଣ କରିଥିଲେ । ଏହି ଇଛା ଚାଳିତ ନଗରରେ ତାର କାକ୍ଷ, କମଳାକ୍ଷ ଓ ବିଦ୍ୟୁନ୍ମାଳୀ ଓ ଅନ୍ୟତ୍ର ମାଳୀ, ସୁମାଳୀ ବିଦ୍ୟୁନ୍ମାଳୀ ନାମକ ତାରକାସୁରର ତିନିପୁତ୍ର ବାସ କରୁ ଥିଲେ । ସହସ୍ର ବର୍ଷପରେ ଏହି ତିନିପୁତ୍ର ଏକତ୍ର ମିଳିତ ହୁଅନ୍ତେ, ମହାଦେବ ଦେବତାମାନଙ୍କଠାରୁ ଶକ୍ତି ଓ ତେଜ ଗ୍ରହଣ କରି ଗୋଟିଏ ବାଣରେ ତ୍ରିପୁର ଭେଦ କରି ଶତ୍ରୁକୁ ବିନଷ୍ଟ କରିଥିଲେ । ତ୍ରିପୁର ବିଜୟୀ– ସୌନ୍ଦର୍ଯ୍ୟରେ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଜୟ କରିଥିବା ଶ୍ରୀକୃଷ୍ଣ । କାନ୍ତମିତ - ସ୍ଵାମୀ ଶ୍ରୀକୃଷ୍ଣଙ୍କର ମିତ୍ର । ଭୂତପତି- ପ୍ରାଣୀମାନଙ୍କର ପାଳନକର୍ତ୍ତ୍ରୀ । ଭୁ-ତପତି – କନ୍ଦର୍ପକୁ ଜାତ କରିବା ହେତୁ ପୃଥିବୀକୁ ତପ୍ତ ଅର୍ଥାତ୍ ସନ୍ତାପିତ କରୁଅଛି । ସଙ୍ଗଗୁଣ- ମିତ୍ର ଭାବ । ଖ୍ୟାତ- ପ୍ରକାଶ କର । କାନ୍ତ – ସ୍ଵାମୀ। କାନ୍ତ ଗୋରୀର– କମନୀୟ ଗୌରଙ୍ଗୀ ପାର୍ବତୀଙ୍କର । ତଲେତ – ସ୍ମରଣ । ଲେଶେ – ଟିକିଏ ମାତ୍ର ।

 

୫ । ରସବତୀ– ରସିକା ଶ୍ରୀରାଧା । ହୈମବତୀ ହିମାଳୟ କନ୍ୟା ପାର୍ବତୀ । ବାମଦେବ-ଶିବ । ବାମା ବାମଦେବ- କନ୍ଦର୍ପକୁ ମନରୁ ଜାତ କରିବା ହେତୁ ସ୍ତ୍ରୀମାନଙ୍କଠାରେ ପ୍ରତିକୂଳ ଦେବତା । ବାମା– ସ୍ତ୍ରୀ । କାନ୍ତ– କମନୀୟ । କାନ୍ତ ବରଦା- ପତି ରୂପକ ବରଦାୟିନୀ । ଲୋକେ– ଜଗତରେ । ଲୋକେ– ଲୋକମାନଙ୍କ ଦ୍ଵାର। ।

 

୬ । ବଲ୍ଲଭ– ସ୍ଵାମୀ। ଅନ୍ତର – ବିଚ୍ଛେଦ । କାତର – ଦୁଃଖ । ଦୀନ ନିବେଦନା- ଦୁଃଖିନୀର ପ୍ରାର୍ଥନା । ବେଦନା ଛେଦନୀ– ଦୁଃଖ ଖଣ୍ଡନକାରିଣୀ । ଜନ ଜନନୀ- ଲୋକମାତା । ବିଧି – କାର୍ଯ୍ୟ । ସିଦ୍ଧି– ସଫଳ ।

 

୭ । ଅବିଧି– ଅନ୍ୟାୟ, ଅକାର୍ଯ୍ୟ । ନିଧି– ଐଶ୍ଵର୍ଯ୍ୟ । ରସି- ଆଗ୍ରହୀ । ପବି – ବଜ୍ର । ବାତୁଳ-ପାଗଳ । ଧିକି ଧିକି– ଧିକ୍‌କାର।

୮। ଦୀନକରେ – ଦରିଦ୍ର ହସ୍ତରେ । ନିଧନ ଅବସ୍ଥା– ମରଣ ଦଶା । ମାନ-ଜାଣ । ସେବା-ପୂଜା ।

 

୯ । ବିଧୁ- ବିଷ୍ଣୁ । ଶେଷ ଶାୟୀ ବିଧୁ- ଅନନ୍ତଶାୟୀ ବିଷ୍ଣୁ । ବିଧୁ- ଚନ୍ଦ୍ର । ଶଶଧର ବିଧୁ-ଶଶକୁ ଧାରଣ କରିଥିବା ଚନ୍ଦ୍ର । ଈଶ– ଶିବ । ବିବେକ – ବିଚାର ବୁଦ୍ଧି । ବ୍ୟକତ- ବ୍ୟକ୍ତ,ପ୍ରକାଶିତ । ସ୍ଵୟମ୍ଭୁ– ସ୍ଵୟଂଜାତ ।

 

୧୦। ମାର- କନ୍ଦର୍ପ । କୁମାର– ପୁତ୍ର । ବଡ଼ ଲୋକର – ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କର । ମାର – ବିନାଶ କର । ତ୍ରପା– ଲଜ୍ଜା । ପୁଣ୍ୟ– ସୁକୃତ । ପୁଣ୍ୟଜନ– ଅକ୍ଷରା, ସଜ୍ଜନ । ଆଣି-ଗର୍ବ, ବଡ଼ିମା । ଆଣି – ନେଇ ।

 

୧୧। କସ୍ତୂରୀ ଦୀକ୍ଷା– ମୃଗମଦର ଉପଦେଶ ବା ଭାବ । ମୃଗ ନାଭିରେ ଥିବା କସ୍ତୁରୀ ହେଉଛି ମୃଗର ମୃତ୍ୟୁର କାରଣ । ଦାବାନଳ– ବନାଗ୍ନି ! ଜାତସ୍ଥଳ– ଜନ୍ମସ୍ଥାନ । କଳୁଷବନ୍ତ – କଳୁଷିତ । ପରାଣମିତ – ପ୍ରାଣସଖା, ଚନ୍ଦ୍ର ।

 

୧୨। ଜନ– ବ୍ୟକ୍ତି । ଜନକରେ – ଜନ୍ମଦାତା ପିତାଙ୍କୁ । କରେ – ହସ୍ତରେ । ପାଳକ- ପାଳନ କଲା । କାଳକ– ଚିରଦିନ । ତନୁଭୋଗୀ ଦେହ ଭୋଗକାରୀ। ଧୀରେ – ସ୍ଥିର ଭାବରେ ପଣ୍ଡିତମାନେ । ଧୀରେ – ମନଦେଇ , ବିବେକବୁଦ୍ଧି ସହକାରେ । ପର – ଅନ୍ୟ । ପରମାଦ – ପ୍ରମାଦ, କଷ୍ଟ । ବର – ଆଶୀର୍ବାଦ, ଉତ୍କୃଷ୍ଟ ।

 

୧୩ । ବଲ୍ଲଭ ମେଳ– ପ୍ରିୟ ସହିତ ମିଳନ । ସୁଲଭ– ସହଜରେ ପ୍ରାପ୍ତି । ତୋ ଯୁବତୀ – ତୋର ପତ୍ନୀ, ରତି । ମତି– ଚିତ୍ତ । ଭିନ୍ନ- ବିଚ୍ଛିନ୍ନ । ବଧୁ- ସ୍ତ୍ରୀ । ବଧୁ- ବିନାଶ କରୁ । କାନ୍ତ କାନ୍ତ ପରା- ଶ୍ରୀକୃଷ୍ଣଙ୍କ ପରି କମନୀୟ ।

 

୧୪ । ଅସର– ଅବସର, ଅବକାଶ । ଅନଙ୍ଗ– ଅତନୁ, ବିଦେହୀ କନ୍ଦର୍ପ । ଲୋହ ଅଂଶୁ-ଅଗ୍ରଭାଗରେ ଲୁହା ଥିବା ଶର । ଅସୁ – ପ୍ରାଣ । ସ୍ମର- କନ୍ଦର୍ପ । ଦଣ୍ଡକେ – ମୁହୁର୍ତ୍ତକେ ।

 

୧୫। ଯୁବତୀ– ରତି । ଘେନାଇ– ସ୍ତୁତି କରାଇ । ଚିତ୍ତଜ– ମନରୁ ଜାତ । ଧୀରେ- ଧୈର୍ଯ୍ୟବାନ ବା ଜିତେନ୍ଦ୍ରିୟ ଲୋକଙ୍କୁ । ଧୀରେ – ବୁଦ୍ଧିରେ । ମାରଣେ– ମାରିବାକୁ । କୋପ– କ୍ରୋଧ। କୋପନାରେ – ମାନିନୀ ସ୍ତ୍ରୀଙ୍କ ପ୍ରତି ।

 

୧୬ । ତାତ – ପିତା, ଶ୍ରୀକୃଷ୍ଣ । ଦୀନବନ୍ଧୁ - ଦତିଦ୍ରମାନଙ୍କର ସଖା । ଦୀନ- ଦୁଃଖୀ । ସିଦ୍ଧି- ପ୍ରତିଷ୍ଠା । ଚକ୍ରସୁଖ– ଚକ୍ରବାକ ପକ୍ଷୀର ସୁଖ । ହରି – ହରଣ କରି । ହରି-ବିଷ୍ଣୁ,ରାମଚନ୍ଦ୍ର । ଚକ୍ର ସୁଖକୁ- ଲୋକ ସମୂହଙ୍କ ଆନନ୍ଦକୁ । ବାମା- ନାରୀ ବାମାତ୍ୱ-ପ୍ରତିକୂଳ ଭାବ । ପ୍ରିୟା - କନ୍ଦର୍ପ ପତ୍ନୀ, ରତି । ପ୍ରିୟାତ୍ମାରୁ – ଆସକ୍ତି ଯୋଗୁଁ । ବର-ବରଣ କର , ସୁଖ ପ୍ରଦାନ କର ।

 

୧୭। ମାଧବକୁ – ବସନ୍ତକୁ । ମାଧବ– ଶ୍ରୀକୃଷ୍ଣ । ଦକ୍ଷିଣ ରୀତି – ବହୁ ନାୟିକାଙ୍କଠାରେ ସମାନ ସ୍ନେହ ପ୍ରଦର୍ଶନ । ଦକ୍ଷିଣ ଆଗମନରୁ – ଦକ୍ଷିଣ ଦିଗରୁ ଆସିବାରୁ । ତୋରା- ଅସ୍ଥିର,ସୁନ୍ଦର । ନିତି– ପ୍ରତିଦିନ । ନୀତି- ନିୟମ । ପର ପରତୀତ– ଇତର ବୋଲି ଜ୍ଞାତ । ସୁମନା – ଫୁଲ ଓ ସ୍ତ୍ରୀ ।

 

୧୮ । ଜଗତ ପରାଣ- ସଂସାରର ପ୍ରାଣ ଅର୍ଥାତ୍ ପବନ । ଭୁଜଙ୍ଗ – ସର୍ପ । କବଳ– ଗ୍ରାସ । ଅବଶେଷ– ଅବଶିଷ୍ଟ । ଶତମନ୍ୟୁ– ଇନ୍ଦ୍ର ।

 

୧୯। ପ୍ରେମ ଆରଧିକା – ପ୍ରେମ ଭକ୍ତିର ଉପାସିକା, ପ୍ରେମମୟୀ। ଶଶୀ– ଚନ୍ଦ୍ର । ଲକ୍ଷ୍ମୀ ସହୋଦର – ଲକ୍ଷ୍ମୀଙ୍କ ଭ୍ରାତା । ସମୁଦ୍ର ମନ୍ଥନ ସମୟରେ କ୍ଷୀର ସମୁଦ୍ରରୁ ଲକ୍ଷ୍ମୀ ଓ ଚନ୍ଦ୍ର ଆବିର୍ଭୂତ ହୋଇଥିଲେ । ତେଣୁ ଚନ୍ଦ୍ର ତାଙ୍କର ସହୋଦର ଭ୍ରାତା । ଦର – ଭୟ ! ବୀର-ଚନ୍ଦ୍ର । ବରବରନା – ଉତ୍କୃଷ୍ଟ ଗୌରବର୍ଣ୍ଣିନୀ । କୋହ– କ୍ରୋଧ।

 

୨୦।      ଅମୃତକର – ଚନ୍ଦ୍ର । ହତକର – ଲୋପକର । ପୂର୍ବେ – ପୂର୍ବ ଦିଗରେ । ତୁ ହିନକର-ହିମକର, ଶୀତଳକିରଣ, ତୁ ହିନକର ବା ତୁ ନିନ୍ଦିତ କାର୍ଯ୍ୟ କରୁ । ଦୋଷାକରେ – ରାତ୍ରି କରେ ଯେ, ରାତ୍ରିକର୍ତ୍ତା, ଦୋଷର ଭଣ୍ଡାର । ଅଙ୍କ-କଳଙ୍କ । ଅଙ୍କଗତରେ – କ୍ରୋଧରେ । ଜାରତ୍ୱ– ବିଟପଣ । ଗୁରୁପତ୍ନୀ – ବୃହସ୍ପତିଙ୍କ ସ୍ତ୍ରୀ ତାରା ।

 

୨୧ । ଜଳଧି ପ୍ରକାଶ ଚନ୍ଦ୍ର ଉଦିତ ହେଲେ ସମୁଦ୍ର ଉତ୍‌ଫୁଲ୍ଲିତ ହୁଏ । କୁମୁଦ ବିକାଶ-ଚନ୍ଦ୍ର ଉଦୟରେ କଇଁ ବିକଶିତ ହୁଏ । ଅମୃତବନ୍ତ – ଅମୃତ ତୁଲ୍ୟ ଶୁଭ୍ର, ତରଳ, ଆହ୍ଲାଦଦାୟକ କିରଣଯୁକ୍ତ । ବିଷ୍ଣୁପଦ– ଆକାଶ । ସୁର ସୁଖପଦ – ଦେବତାଙ୍କୁ ଆନନ୍ଦ ଗୌରବ । କୁଶଳଚିତ୍ତ – ନିପୁଣମତି । ବିନ୍ଧୁ – କିରଣ ରୂପକ ଶର ଭେଦ କରୁ । ଗୁଣ– ଭାବ, ବିଚାରକର । ଗୁଣ– ସ୍ଵଭାବ, ପ୍ରକୃତି । ମାରନାରୀ- ନାରୀମାନଙ୍କୁ ବିନାଶ କର ।

 

୨୨। କାନ୍ତାମିତ- ପତ୍ନୀର ସଖୀ । ବିଭାବରୀ- ରାତ୍ରି, ବରଣ କରି ବିବାହ କରେ ଯେ । ପଦ୍ମିନୀ –ପଦ୍ମ ଫୁଲ, ପଦ୍ମିନୀଜାତୀୟା ସ୍ତ୍ରୀ । ତମ- ରାହୁ । ତମରୁ– କ୍ରୋଧରୁ । କରୁଣା– କୃପା ।

 

୨୩ । ଫୁଲଧନୁ ଗୁଣ- କନ୍ଦର୍ପର ଫୁଲଧନୁର ଗୁଣ ଭ୍ରମରରେ ନିର୍ମିତ । କାମ ଅହଙ୍କାର- କନ୍ଦର୍ପର ଗର୍ବ । କଷୁଣି– ଧନୁଗୁଣ ଟାଣିବା ପାଇଁ ଅଙ୍ଗୁଳିରେ ପିନ୍ଧିଥିବା ମୋଡ଼ିଆ । ଟଙ୍କାର – ଧନୁଗୁଣର ଶବ୍ଦ । ସାର – ଉତ୍କୃଷ୍ଟ । ସାରସ – ପଦ୍ମ । ଦୀନ ଦୁଃଖିତ । ଦିନକେ– ରାତିଦିନ ସବୁବେଳେ ।

 

୨୪ । ଷଟପଦ– ଭ୍ରମର । ଶଠପଦ – ଠକ ଉପାଧି। ମଧୁପ– ମଦ୍ୟପ । ମଧୁପ- ଭ୍ରମର । ଭାବ ଭାବନା-ଚିନ୍ତାକରି ଦେଖ । ତର୍କି-ଭୟକରି । ରସ-ସ୍ନେହ,ଅନୁରାଗ ।

 

୨୫ । କଳାବର୍ଣ୍ଣଙ୍କର- କଳା ଶବ୍ଦରେ ଥିବା ଅକ୍ଷରମାନଙ୍କର । ବିପରୀତ କର ମାତ୍ରାକୁ-ଆକାର ମାତ୍ରାକୁ ପରିବର୍ତ୍ତନ କର । ଯେ ହେବ ସେହି – କଳା ପରିବର୍ତ୍ତେ । କାଳ-ଯମ । ମର୍ମ-ହୃଦୟ । ଗୁଣ– ମନେକର । ଗୁଣ– ପ୍ରକୃତି, ଧର୍ମ । ଗୁଣଗୁଣ– ଗୁଣୁଗୁଣୁ ଗୁଞ୍ଜନ ।

 

୨୬ । କଥିତ– କହଇ । କଳକୁ – ଧ୍ୱନିକୁ । ପାଞ୍ଚସ୍ଵର – ପଞ୍ଚମ ସ୍ଵର । ପାଞ୍ଚଶର – କନ୍ଦର୍ପର,ପଞ୍ଚବାଣ (ଅଶୋକ, ଅରବିନ୍ଦ, ଚୂତ, ନୀଳୋତ୍ପଳ, ନବମଲ୍ଳିକା) । କଳନା- ଧାରଣା,ଅନୁମାନ । କରେ – ହାତରେ । କରେ – କ ବର୍ଣ୍ଣରେ ।

 

୨୭ । ପାଳକ- ପାଳନ । ବିଧିରେ – ଯଥାସାଧ୍ୟ, ଉପଯୁକ୍ତ ଭାବରେ । କାଳକ– କିଛି ସମୟ ପର୍ଯ୍ୟନ୍ତ । ପର ପରାଭବ– ଅନ୍ୟକୁ କଷ୍ଟ ଦେବା । ମାର- କନ୍ଦର୍ପ, ବିନାଶ କରୁଅଛୁ ।ମାରଣା– ବିଶ୍ୱାସଘାତକ, ବିନାଶକାରୀ। ବଳୀ– ବଳବାନ୍ । ବଳିଭୁକ୍– କାଉ । ବଳି-ଉଚ୍ଛିଷ୍ଟ ।

 

୨୮।      ବ୍ୟାଧ- ବାଣୁଆ, ଶିକାରୀ । ଜଳଧର- ମେଘ, ଏଠାରେ ବର୍ଷାକାଳ । ବଧ-ମୃତ୍ୟୁ । ଗିରିଧର- ଗୃଧ୍ରର ବା ଶାଗୁଣାର । ବକଳ ମାଦକୀ- ଆମ୍ୱ ବଉଳର ମାଦକତା । ପ୍ରମାଦ- ପରାଭବ । ଆସ୍ୟ-ମୁଖ । ବିହି-ବିଧାନ କରିଛି । ମନା- ନିଷେଧ । ମନାକେ- ଅଳ୍ପକେ ।

 

୨୯।      ଅପୂର୍ବ ନୀତି- ପୂର୍ବରୁ ନଥିବା ଆଚରଣ । ନିବେଦନା- ଜ୍ଞାପନ, ଜଣାଣ । ମାନ- ଜାଣ । ମାନବୀ- ନାରୀ । ବିଧୂ- ଚନ୍ଦ୍ର, ବିଧୁର-କାତର ।

 

୩୦।      ସେ ଯୁବତୀ- ଶ୍ରୀରାଧା । ନିଦ୍ରାବତୀ- ନିଦ୍ରାଦେବୀ । କାତର ଦଶାନଦେ- ଦୁଃଖ ରୂପକ ନଦୀରେ । କାନ୍ତଭିନ୍ନ- ପ୍ରିୟ ବିଚ୍ଛେଦ ।

 

୩୧।      ବଧୂ- କୁଳବୋହୂ ଶ୍ରୀରାଧା । ଅନାଥିନୀ- ନିରାଶ୍ରୟୀ । ପ୍ରଣୟପୋତ- ପ୍ରେମରୂପକ ବୋଇତ । ବିଯୋଗ ବାତ- ବିରହରୂପକ ପବନ । ପଦ୍ମଯୋନି-ବିଧାତା । ତାର- ତାହାର । ତାରକର- ରକ୍ଷାକର୍ତ୍ତାର । ରୀତି-ସ୍ୱଭାବ ।

 

୩୨। ଭାଗ୍ୟ କଳ୍ପତରୁ-ଅଦୃଷ୍ଟ ରୂପକ କଳ୍ପବୃକ୍ଷ । ଫଳିତରୁ-ଫଳିବାରୁ । ଭୂମିକା-ରୂପଧାରଣ,ବେଶଧାରଣ । ଭାଷ-କଥା । ଭାଷଣ ବେଳେ-କହିଲାବେଳେ ।

 

୩୩ । ରସିକିନୀ ସାର – ଶ୍ରେଷ୍ଠ ରସିକା ବା ପ୍ରେମିକା । ପ୍ରୀତିକି – ପ୍ରେମ ନିମିତ୍ତ । ଶଶ ଶଶୀବିଧି- ଠେକୁଆ ଯେପରି ଚନ୍ଦ୍ରଙ୍କୁ ପାଇବା ପାଇଁ ଆଶାକରି ପ୍ରାଣ ହରଇଲା ଓ ଶେଷରେ ଚନ୍ଦ୍ରଙ୍କ ଅଙ୍କରେ ସ୍ଥାନ ପାଇଲା, ସେହି ନିୟମ ଅନୁଯାୟୀ । ଅବିଧି- ଅନ୍ୟାୟ । ଶୋଭାମୁର୍ତ୍ତି– ସୌନ୍ଦର୍ଯ୍ୟର ବିଗ୍ରହ । ଅଛିଦ୍ର ଆଶ- ପୂର୍ଣ୍ଣ ବିଶ୍ୱାସ । ନାଶକର – ଯମର । ତ୍ରାସ – ଭୟ ।

 

୩୪ । ରଜନୀ-କାନ୍ତ – ଚନ୍ଦ୍ର । ଭୁବନମୋହନ ମୂରତି– ସଂସାରକୁ ମୋହି ଦେବାର ମୂର୍ତ୍ତି, ଶ୍ରୀକୃଷ୍ଣଙ୍କ ମୂର୍ତ୍ତି । ସହୀ– ସଖୀ। ସହି– ସହ୍ୟ କରି । ପାଞ୍ଚ– ବିଚାର କର, ଭାବ । ପାଞ୍ଚଶର- କନ୍ଦର୍ପ ।

 

୩୫ । ଘଟ– ଶରୀର । ଜାନକୀ– ଜନକ ଦୁହିତା ସୀତା। ସଙ୍ଘଟ– ମିଳନ । କାମ କଳ୍ପତରୁ - କାମନା ପୂରଣକାରୀ କଳ୍ପବୃକ୍ଷ । ଦୁସ୍ତରୁ – କଷ୍ଟରୁ । ବାଚ– ବଚନ, କଥା । ବାଚକ-କହିଲେ । ଧନୀ – ଶ୍ରୀରାଧା । ମୁର୍ଛି – ତ୍ୟାଗ କରି ।

 

୩୬ । ସୁତମାଳ– ସୁନ୍ଦର ତମାଳ ବୃକ୍ଷ । ଖତମାଳ ମାଳ– ମେଘମାଳା । ଦକ– ଭୟ । ମର୍କତ-ମର୍କତମଣି । ବହନ – ଶୀଘ୍ର । ଘନ ଘନ ବରନ– ଗାଢ଼ ନୀଳବର୍ଣ୍ଣ ବା କୃଷ୍ଣବର୍ଣ୍ଣ । ଚୀର- ବସ୍ତ୍ର । ଚିର– ଚିରଦିନ, ସବୁଦିନ ।

 

୩୭ । କାଳିନ୍ଦୀ ଭୁବନ- ଯମୁନା କୂଳ । ନବ ଘନଶ୍ୟାମ– ନୂଆ ମେଘ ପରି ଶ୍ୟାମଳବର୍ଣ୍ଣ ଶ୍ରୀକୃଷ୍ଣ । ଘନ ଘନ– ନିରନ୍ତର । ଅନ୍ତକାଳେ– ଶେଷ ସମୟରେ । ଭାଷ– ଭାଷି, କହି । ଭାଷଣ– କଥା। ମୋହ– ମୂର୍ଚ୍ଛା । ମୋହନ– ଶ୍ରୀକୃଷ୍ଣ ।

 

୩୮ । ଉରେ – ଛାତିରେ । ଲୁଅ- ଲୁହ । ବାରନ୍ତି - ପରୀକ୍ଷା କରନ୍ତି । ବାରି – ଜଳ । ବାରିଜାନନେ– ପଦ୍ମ ସଦୃଶ ମୁଖରେ । ମିତେ– ଅଳ୍ପ, ଅଳ୍ପ ପରିମାଣରେ । ମିତେ–ସଖୀମାନେ ।

 

୩୯ । ନିଧି- ଧନ । ସିଦ୍ଧି – ସଫଳତା। ଉପଚାର- ସେବା । ଭାଗ୍ୟ ଉଦୟରେ – ସୌଭାଗ୍ୟ ଫଳରୁ । ତନୁ- କ୍ଷୀଣ। ତନୁ- ଶରୀର । ଆଶ– ଆଶା । ଆଶୟେ– ଅଭିପ୍ରାୟରେ ।

 

୪୦ । ଶ୍ରୀ ନନ୍ଦନନ୍ଦନ– ଶ୍ରୀକୃଷ୍ଣ । ତନୁ ସୌରଭ– ଅଙ୍ଗସୁବାସ । କିଶୋରୀରତନ- କିଶୋରୀ ଶ୍ରେଷ୍ଠା, ଶ୍ରୀରାଧା । ହରିଣ ମଦ – ମୃଗମଦ କସ୍ତୁରୀ । ଆଣି- ଟେକ ।

 

୪୧। ଭଙ୍ଗିଭାଷା- ପରିହାସ କଥା। ଭା- କାନ୍ତି । ସାତକୁମ୍ଭ– ସୁବର୍ଣ୍ଣ । ସାଧବୀ ଶ୍ରୀରାଧା । ପତ୍ରକ- ପତ୍ର । ବାସ- ସୁଗନ୍ଧ । ବ୍ୟାଧି– ରାଗ । ବ୍ୟାଧି– ମନୋବ୍ୟଥାଜନିତ ରୋଗ । ଘାତନା- କଷ୍ଟ ଦେବା। ଦହ– ନାଶକର ।

 

୪୨ । ଭଗବତୀ- ଦେବୀ ପୌର୍ଣ୍ଣମାସୀ। ରସବତୀ – ରସିକା ଶ୍ରୀରାଧା। ଗୋକୁଳ ତ୍ରାଣାୟ -ଗୋପପୁରର ରକ୍ଷାକର୍ତ୍ତାଙ୍କୁ । କୁସୁମ ବାଣାୟ– କୁସୁମଶର କନ୍ଦର୍ପଙ୍କୁ । ଧୀମହି– ଚିନ୍ତା କରୁଅଛି । ଆରତ– ଦୁଃଖ ।

 

୪୩ । ରାଧା ଶିରୋମଣି- ନାରୀଶ୍ରେଷ୍ଠା ଶ୍ରୀରାଧା । ସ୍ୱପୁରେ – ନିଜ ବାସସ୍ଥାନକୁ । ଗତି-ଗଲେ । ଶ୍ୟାମ- ଶ୍ରୀକୃଷ୍ଣ । ସାମନ୍ତ– ପ୍ରଭୁ । ସେ ଶ୍ରୀକୃଷ୍ଣ ଭକ୍ତି ରସରେ ବା ଶୃଙ୍ଗାର ରସରେ । ରସେ– ଅନୁରାଗୀ ହୁଏ।

 

 

 

Unknown

ତ୍ରୟସ୍ତ୍ରିଂଶ ଛାନ୍ଦ

 

୧ । ଧୀରେ - ବୁଦ୍ଧିରେ । ଆନନ୍ଦ ସିନ୍ଧୁ - ଆନନ୍ଦ ସାଗର । ବିଚାରଣା - ବିଚାର । ଧୀରେ – ପଣ୍ଡିତମାନେ । ଧୀରେ – ମନରେ । ସୁଶୟନରେ - ସୁଶଯ୍ୟାରେ ।

 

୨ । ଶୟନରେ - ଶୋଇଥିବା ବେଳେ । ନାଗରୀ ମୁକୁଟମଣି - ରସିକଶ୍ରେଷ୍ଠା ଶ୍ରୀରାଧା । କୂଟ - ମିଛ । ମଣିବି - ମନେ କରିବି । ସୁସାର କ୍ଷେପଣୀ - ସୁନ୍ଦରୀ ପଦ୍ମନେତ୍ରୀ ଶ୍ରୀରାଧା ।

 

୩ । ସୁସାର - ଶ୍ରେଷ୍ଠ । ସୁରବର - ଇନ୍ଦ୍ର ।

୪ । ମୁକତି - ମୁକ୍ତି । ବଚନରେ - କଥାରେ । ରସନିଧି - ରସବତୀ ଶ୍ରୀରାଧା । ସନ୍ନିଧିରେ - ନିକଟରେ । ଧୀରେ - ସ୍ଥିର ଭାବରେ ।

 

୫ । ସରେ - ଶେଷ ହେଉଅଛି । ହାର - ମୁକ୍ତାମାଳା । ବିବେକନ୍ତେ - ବିଚାର କରନ୍ତେ । ସୁନାଶୀର - ଇନ୍ଦ୍ର ।

୬ । ସୁନାସୀର - ସୁନ୍ଦର ନାସିକାବିଶିଷ୍ଟା ଶ୍ରୀରାଧାଙ୍କର । କୁସୁମ ଶର - କନ୍ଦର୍ପ । ମାରନା - କନ୍ଦର୍ପର ନାମ । କୁସୁମ ଶର - ଫୁଲ ଶର । ବିବେକ - ବିଚାର ।

 

୭ । ବିବେକ ତ - ବିଶେଷ ଭାବରେ ପ୍ରକାଶିତ । ତାର - ତ୍ରାଣକର । ତରଣୀ ତରୁଣୀ - ନୌକାରୂପକ ତରୁଣୀ ଶ୍ରୀରାଧା । ମଦନ ରତ୍ନାକର - କନ୍ଦର୍ପର ସମୁଦ୍ର । ରତ୍ନାକରକୁ - ରତ୍ନ ସମୁଦ୍ରକୁ । କରେ - ହାତରେ ।

 

୮ । ବଙ୍କୁନେତ୍ରୀ - ବଙ୍କିମ ଚାହାଣି ବିଶିଷ୍ଟା ଶ୍ରୀରାଧା । ସୁରତେ - ରତିକ୍ରୀଡ଼ାରେ । କଳାରାତି ପଦବୀ - ଇନ୍ଦ୍ରପଦ । ସୁଜଘନ ବରତୁଳା - ବର୍ତ୍ତୁଳ ଜଘନା ଶ୍ରୀରାଧା ।

 

୯ । ଘନ - ଘଞ୍ଚ । ବରତୁଳା - ଗୋଲ । ରତ୍ନସାନୁ - ମେରୁପର୍ବତ, ରତ୍ନପର୍ବତ । ମାନସ - ମନ । ହରିକର - ସୂର୍ଯ୍ୟକିରଣ । ମାନ - ଅଭିମାନ । ହରି - ମନୋହାରିଣୀ ଶ୍ରୀରାଧା । ପାଦସାରସ - ପାଦପଦ୍ମ ।

 

୧o । ପଦସାର - ଶ୍ରେଷ୍ଠ ସ୍ଥାନ । ସରଜାକ୍ଷୀ - ପଦ୍ମନେତ୍ରୀ ଶ୍ରୀରାଧା । ପଦଚିତ୍ର - ପଦକୁ ଚିତ୍ରିତ କରିବା, ଅଳତାରେ ରଞ୍ଜିତ କରିବା । ପତିତତ୍ରାଣୀ - ପତିତ ଉଦ୍ଧାରଣୀ ଶ୍ରୀରାଧା । ସେ ଅଙ୍ଗୀକାରେ - ଶ୍ରୀରାଧାଙ୍କର ପଦକୁ ଚିତ୍ରିତ କରିବା ପାଇଁ ସ୍ୱୀକାର କରିବା ଦ୍ଵାରା । ଦୀନ ସମ୍ପତ୍ତି - ଦରିଦ୍ରର ସମ୍ପତ୍ତି ।

 

୧୧ । ପତିତପାବନ - ଶ୍ରୀଜଗନ୍ନାଥ । ପୁରତେ - ସମ୍ମୁଖରେ । ବିପତି - ଗରୁଡ଼ । ମାନ - ଜାଣ । ମାନସ - ମନ । ଇନ୍ଦ୍ରଅକ୍ଷ - ସହସ୍ର ଚକ୍ଷୁ । ତନୁବସନର କୃତ - ଦେହର ବସ୍ତ୍ର ହେବା ପାଇଁ ।

 

୧୨ । ବସନର କୃତଘନ - ବଶୀଭୂତ ଲୋକର କୃତଘ୍ନତା । ବିହିତ - ଉଚିତ । ଭାବ - ବିଚାର କରି । ନିରତେ - ସବୁବେଳେ । ଭାଷିବି - କହିବି । ଭାବିନି - ହେ ଭାବୁକେ । ରତେ - ସୁରତରେ ।

 

୧୩ । ନାଗରାଜ ଗତେ - ନାଗରାଜଙ୍କ ପରି ଗତି ଯାହାର, ଅର୍ଥାତ୍ ହେ ଗଜରାଜ ଗାମିନି । ଭୀ - ଭୟ । ବିଶ୍ୱକେତୁରାଜ - କନ୍ଦର୍ପରାଜ । ପରିଚାର - ଭୃତ୍ୟ । କବରକୁ - କେଶପାଶକୁ ।

 

୧୪ । ରଙ୍କୁନେତ୍ରୀ - ମୃଗନେତ୍ରୀ ଶ୍ରୀରାଧା । ତନୁକାନ୍ତି - ଦେହର ବର୍ଣ୍ଣ । ବିରସ - କମ୍ । ସୁନାଗରିୟା - ସୁନାର ଗରା ।

 

୧୫ । ସୁନାଗରୀ - ଉତ୍ତମ ନାଗରୀ, ବିଳାସିନୀ, ଶ୍ରୀରାଧା । ଆତଯାତ - ଗମନାଗମନ । ଭଙ୍ଗୀସଙ୍ଗୀ – ଭଙ୍ଗିମିଶା । ହସିବାର – ହାସ । ସୁଗତି - ସୁଦଶା । ହଂସୀବାର - ହଂସୁଲୀ ସମୂହ । ସୁଗତିକି - ଶୋଭାପୂର୍ଣ୍ଣ ଗମନକୁ । ହରିରକରୀ - ଇନ୍ଦ୍ରଙ୍କର ହସ୍ତୀ, ଐରାବତ ।

 

୧୬ । ହରି - ସିଂହ । କରୀ - ହସ୍ତୀ । ଲକ୍ଷ ଗମନକୁ - ଲକ୍ଷଗତିକୁ । ଖସିଯାଉଁ - ଘୁଞ୍ଚିଯାଉଁ । ପଲକରୁ - ଆଖି ପିଛୁଡ଼ାରୁ । ଚାତୁରୀ - ଭଙ୍ଗୀ । କେତେ ଅନା - କେତେ ପ୍ରକାର ଚେଷ୍ଟା ।

 

୧୭ । କରୁଁ - ହାତରୁଁ । ନିଧି - ସମ୍ପତ୍ତି । ଭାଗ୍ୟ ଶେଷ - ସୌଭାଗ୍ୟ ଶେଷ । ପତନରୁ ଚିବୁକେ - ଚିବୁକରେ ହାତ ପଡ଼ିବା ମାତ୍ରେ । ରୁଚିବୁକେ - ସୁନ୍ଦର ବକ୍ଷରେ । ଶମ୍ଭୁ ସେବାଦ୍ରୋହ - ସ୍ତନ ରୂପକ ଶିବଙ୍କ ସେବାର ବିରୁଦ୍ଧାଚରଣ । ଦୀନ ରସିକେ - ରସିକମାନଙ୍କ ମଧ୍ୟରେ ଦରିଦ୍ର ।

 

୧୮ । ନରସି କେହି କାହା ସଙ୍ଗତେ - କେହି କାହା ପ୍ରତି ଆକୃଷ୍ଟ ନ ହୋଇ । ମୁଦି ହରିବା - ମୁଦି ହରଣ କରିବା, ମୁଦି ଗ୍ରହଣ କରିବା । ଆନ ନଦିଶେ - ଅନ୍ୟ କିଛି ମୋତେ ଦିଶୁନାହିଁ । ହରିବା ଆନନ - ଉଠାଇବା ମୁଖ । ଦିଶେ - ମୋ ଆଡ଼କୁ । ମାନସ - ମନରେ ।

 

୧୯ । ସେ - ଶ୍ରୀରାଧା । ମାନସେ - ମାନସରୋବରରେ । ଆଶେ କରି - ଆଶା କରି । ତାରୁ - ପାରକରୁ । ଉରୁକୋଳେ - ଜଘନରୂପକ ଭେଳାରେ । ଉରୁକୋଳେ - ଜଘନ ଓ କୋଳରେ । ସରିତ ସାଗରେ - ନଦୀ ଓ ସମୁଦ୍ରର ମିଳନକୁ । ଅଭେଦବଳେ - ଏକାକାର ହେବାଯୋଗୁଁ ।

 

୨୦ । ବଳେ - ଯାଚିକରି । ତହିଁକି - ଅଭେଦ ହେବାକୁ । ହାରକୁ - ମୁକ୍ତାମାଳାକୁ । ଅଙ୍ଗହାର କରି - ଦେହରୁ ବାହାର କରି ।

ଭିନ୍ନ - ବିଚ୍ଛେଦ । ସୁଦରଶନ - ଉତ୍ତମ ଦର୍ଶନ ।

 

୨୧ । ଭୀ - ଭୟକୁ । ସୁଦରଶନ କର - ସୁଦର୍ଶନ ଚକ୍ରଧାରୀ, ବିଷ୍ଣୁ । ହର - ହରଣ କର । ସଦାଶିବ - ଶିବ ବା ସର୍ବଦା ମଙ୍ଗଳକାରିଣୀ । ଗଉରୀ - ଗୌରବର୍ଣ୍ଣା ଶ୍ରୀରାଧା । ସଦାଶିବ ଗଉରୀଙ୍କି - ଶିବ ପାର୍ବତୀଙ୍କୁ ।

 

୨୨ । ଦାସ - ଭୃତ୍ୟ । ସତତରେ - ସବୁବେଳେ । ଅକ୍ଷି - ଆଖି । ଶ୍ରୀମୁଖ ବିଧୁ - ସୁନ୍ଦର ମୁଖ ରୂପକ ଚନ୍ଦ୍ର ।

 

୨୩ । ଧୂରେ - ଦୂରରେ । ଭୃଙ୍ଗ - ଭ୍ରମର । କତିକି - ନିକଟକୁ । ବାସପେଷି - ସୁଗନ୍ଧି ପଠାଇ । ପଦ୍ମିନୀ - ପଦ୍ମ । ପଦ୍ମିନୀ - ପଦ୍ମିନୀଜାତୀୟା ନାରୀ, ଶ୍ରୀରାଧା । ନିରତ - ସବୁବେଳେ ।

 

୨୪ । ଭାବିନୀରତ - ଭାବବତୀଙ୍କ ସୁରତ । ଚିତ୍ର - ଚିତ୍ରିତ । କିଙ୍କର - ଭୃତ୍ୟ । ଚିତ୍ର - କଣ ବା ଆଶ୍ଚର୍ଯ୍ୟ । ଶ୍ରୀପଦ - ଶ୍ରୀରାଧାଙ୍କ ପାଦ । କରରେ - ହାତରେ । ସାଗର - ସମୁଦ୍ର ।

 

୨୫ । ଗର - ବିଷ । ଗୁଣକର - ଉପକାରଜନକ । ମଣି - ମଣଇ । ଦିନ - ଦୁଃଖିତ, ରୋଗୀ । ନିପାତରେ - ବିନାଶରେ । ହାନି - କ୍ଷତି । ସଞ୍ଚିଛୁ - ସଞ୍ଚୟ କରି ରଖୁଛୁ । ସୁଧା - ଅମୃତ । ହାସରେ - ହସରେ ।

 

୨୬ । ଶରେ - ଶରଦ୍ଵାରା । ସାର - ସାରିଦେଉଛି, ଶେଷକରି ଦେଉଛି । ମାର - କନ୍ଦର୍ପ । ପର - ଶତ୍ରୁ । ଭ୍ରମେ - ଭୁଲବଶତଃ । ପଶୁପତି - ଗୋପାଳ ଏବଂ ଶିବ । ଅଙ୍ଗେ - ଦେହରେ । ଗଉରୀ ବିଭୂତି - ପାର୍ବତୀ ଓ ପାଉଁଶ; ଗୌରବର୍ଣ୍ଣବିଶିଷ୍ଟା ଶ୍ରୀରାଧାଙ୍କ ଉଦୟ ।

 

୨୭ । ଗଉରୀ - ପାର୍ବତୀ । ବିଭୂତିମଣ୍ଡନ - ଶିବ । ଭୂଷଣ - ଅଳଙ୍କାର । କରେ - ମସ୍ତକରେ । ରଜନୀକର - ଚନ୍ଦ୍ର । କରେ - ହାତରେ । ରଜନିକର - ଧୂଳିସବୁ । ଉରେ - ଛାତିରେ । ତାର - ଉଜ୍ଜଳ ବା ଶ୍ରୀରାଧାଙ୍କର । ନାଗେଶ୍ୱର - ନାଗକେଶର ଦାଗ ।

 

୨୮ । ତାର - ଶିବଙ୍କର । ନାଗେଶ୍ୱର - ସର୍ବଶ୍ରେଷ୍ଠ । ଧୃତ - ବଳୟାକାରରେ ଗୃହୀତ । କରକମଳେ - ହସ୍ତପଦ୍ମ । କମଳର ଧୃତ - ପଦ୍ମଧାରୀ । ରିପୁ - ଶତ୍ରୁ । କନ୍ଦରପ - କନ୍ଦର୍ପ ।

 

୨୯ । ପର - ଶତ୍ରୁ । ତାର - କନ୍ଦର୍ପର । ସେ - ଶିବଙ୍କର ନାମ ବିଶେଷ । ଶଙ୍କର - ମଙ୍ଗଳ, ଶଙ୍କାକାର । ତାହାଙ୍କର - ଶିବଙ୍କର । ରମ୍ୟ - ମନୋହର । ସୁବାସ - ଉତ୍ତମ ବସ୍ତ୍ର । ହରିତ - ଦିଗ ନଗ୍ନ ।

 

୩୦ । ସୁବାସ ହରିତବାସ - ସୁଗନ୍ଧିତ ପୀତବସ୍ତ୍ର । ବାସ - ଘର । ସୁବାସ - ଉତ୍ତମ ବସ୍ତ୍ର । ହରି - ହରଣ କରି । ତ ଧୃତ - ଧରିଛନ୍ତି ତ । ସୂରତରଙ୍ଗିଣୀ ବର-ଦେବନଦୀ ଶ୍ରେଷ୍ଠ, ଗଙ୍ଗା । ସୁରତରଙ୍ଗିଣୀ - ସୁରତ କେଳିପ୍ରବୀଣା, ଶ୍ରୀରାଧା । ହାରରେ - ମୋତିମାଳାରେ । ଆନ - ଅନ୍ୟ ବିଷୟ । ଧିଆନ - ବିଚାର ।

 

୩୧ । ଧୀ - ବୁଦ୍ଧି । ବିଯୋଗୀ - ବିଶିଷ୍ଟଯୋଗୀ । ସତ - ସତ୍ୟ । ବିଯୋଗୀରେ - ବିରହୀମାନଙ୍କ ମଧ୍ୟରେ । ଗଣି - ଗଣନା କରି ।

 

୩୨ । ବାରେ - ବାରୁଅଛି । ବିଦେହ - କନ୍ଦର୍ପ । ଦୁଃଖଦ ହେଲେ - କଷ୍ଟ ହେଲେ । ବିଦେହରେ - ବିଶିଷ୍ଟ ଦେହରେ । ଶିରୀଷ - ଶିରୀଷ ଫୁଲ । ତୁଳା - ସମାନ । ସେ - ଦେହ । ଘନରସରେ - ନିବିଡ଼ ଶୃଙ୍ଗାର ରସରେ ।

 

୩୩ । ସେ ଘନରସରେ - ସେହି ଶୃଙ୍ଗାର ରସ ରୂପକ ଜଳରେ । ଶରଧୀ - ସ୍ନେହୀ । ବିଚ୍ଛେଦୁ - ଅଭାବରୁ । ଦୀନ - ଦରିଦ୍ର ।

ଶରେ - ସୁଖରେ । ସରେ - ସରିଯାଉଛି । ଗୁଣି - ଭାବି ଭାବି । ତିଳକ - କପାଳଚିତା ।

 

୩୪ । ଗୁଣିତିଳକ - ଗୁଣବତୀ ଶ୍ରେଷ୍ଠା, ଶ୍ରୀରାଧା । ଭାବନା - ଭାବନାହିଁ । ଘେନିବ - ଗ୍ରହଣ କରିବ । କେହି - କିପରି ।

 

୩୫ । ନରେଶ ଦୁଲାଳୀ - ରାଜକନ୍ୟା । ସେବକବତ୍ସଳୀ - ଭୃତ୍ୟ ସ୍ନେହିକା । କୃପା ନିଧିବର - ଦୟାବତୀ ଶ୍ରେଷ୍ଠା । ନିଧିବର - ଐଶ୍ଵର୍ଯ୍ୟ ଶ୍ରେଷ୍ଠ । ପ୍ରେମ ବିତରଣୀ ସାର - ଶ୍ରେଷ୍ଠ ପ୍ରେମଦାୟିନୀ ।

 

୩୬ । ବିତରଣୀ - ଉତ୍କୃଷ୍ଟ ନୌକା । ସାରସାକ୍ଷୀ - ପଦ୍ମନେତ୍ରୀ, ଶ୍ରୀରାଧା । ମାର ଜୀବନେ - କାମ ଜଳରେ । ଜୀବନେ ମାର - ପ୍ରାଣରେ ମାରୁଛ । କିଙ୍କର - ଚାକର । ସୁମନେ - ହେ ଉତ୍ତମମନା ।

 

୩୭ । କିଙ୍କର ସୁମନେ - ସେବକ ମନରେ । ପରପରା ବୁଦ୍ଧି - ଇତର ପରି ଜ୍ଞାନ । ପରମାଦ - ପ୍ରମାଦ, ସଂକଟ । ପରମାଦକୀ - ପ୍ରଧାନମାଦକସେବୀ । ବିହ୍ୱଳ - ଭୋଳ । ମୁଦ - ଆନନ୍ଦ ।

 

୩୮ । ତନ୍ମୟତା ବିଭାବରେ - ତଦାକାରଗତ ଭାବନାରେ । ବିଭାବରେ - ବିଶେଷ ଭାବାବିଷ୍ଟ ହୋଇ । ଚିତ୍ତ ଭିତରେ - ମନରେ । ମଣି - ମନେକଲେ । ମାନସମାନରେ - ମାନ କଲାପରି ।

 

୩୯ । ମାନସ - ମନ । ମାନ - ଅଭିମାନରେ । ମଜ୍ଜନ କରନା - ବୁଡ଼ାଅ ନାହିଁ । ଜୀବ ଜୀବନ - ପ୍ରାଣର ପ୍ରାଣ । ଭାଳୁ - ଭାବିବାରୁ । ଭିନ୍ନ - ବ୍ୟତୀତ । ମୂରତି - ଆଲୋକନ - ରୂପଦର୍ଶନ ।

 

୪୦ । ରତି ଆଲୋକନ - ରତିଦେବୀ ଦର୍ଶନ, ସମ୍ଭୋଗ ଅନୁଭବ । ଲୋକନ - ଚକ୍ଷୁ । ଲୋକନରେ - ଜଗତର ଲୋକମାନେ ।

ମୂର୍ଚ୍ଛି - ତ୍ୟାଗକରି ।

 

୪୧ । ପଥେ - ବାଟରେ । ସୁଗତି - ସୁଦଶା । ସୁଗତି - ଶୋଭନ ଗମନା, ଶ୍ରୀରାଧା । ତପତି - ତତି ।

୪୨ । ସତତ ସର୍ବଦା । ପତିକି - ପ୍ରିୟ ପକ୍ଷରେ । ଯୁବତୀରତନ ବିଚ୍ଛେଦ - ଯୁବତୀ ଶ୍ରେଷ୍ଠାର ବିରହ । ବିଚ୍ଛେଦନ ହେବାର - ହଣା ହେବାର । ସାର - ଉତ୍କୃଷ୍ଟ । ତହୁଁ - ବିଚ୍ଛେଦଠାରୁ ! ଧୀ - ବୁଦ୍ଧି । ମନାମାନତ - ମନା ହୋଇଛି ବୋଲି ମାନିନିଅ ।

 

୪୩ । କାମନାମାନ - କାମନା ସମୂହ । ଏ ବିଧିରେ - ଏ ପ୍ରକାରେ । ଧୀରେ - ମନରେ । ହରି - କୃଷ୍ଣ । ବିଚେତନ - ଅଚେତ । ବିଚେତନରେ - ବିଶେଷ ଭାବରେ ଚେତି ।

 

୪୪ । କନକାଙ୍ଗୀ - ସ୍ଵର୍ଣ୍ଣାଙ୍ଗୀ, ସୁନାଗୋରୀ । ଘନଶ୍ୟାମ - ମେଘ ଶ୍ୟାମଳ, ମେଘବର୍ଣ୍ଣ । ଯୁଗଳପଦ ସାରସେ - ଦୁହିଁଙ୍କ ପାଦପଦ୍ମରେ । ରସେ - ଆସକ୍ତ ହୁଏ, ଆକୃଷ୍ଟ ହୁଏ । ଅଳି - ଭ୍ରମର ।

 

 

ଚତୁସ୍ତ୍ରିଂଶ ଛାନ୍ଦ

 

୧ । ଧୀରେ - ପଣ୍ଡିତମାନେ । ଅଧୀରେ - ଅଧୈଯ୍ୟ ହୋଇ । ଥିଲେ ଶୟନରେ - ଶୋଇଥିଲେ । ଚେତ - ଚିତ୍ତ । ଅଚେତ - ଅଚେତନ ଅବସ୍ଥା । ପ୍ରାତ ପବନ - ସକାଳୁଆ ପବନ । ଭାଷନ୍ତି - କହନ୍ତି । ନ ଭାଷନ୍ତି - ଭାସିଯାଆନ୍ତି ନାହିଁ । ଅଙ୍ଗନାରେ - ନାରୀ ଶେଷ୍ଠ । ଶ୍ରୀରାଧାଙ୍କର ଅଙ୍ଗରୂପକ ନୌକା । କାମ - କନ୍ଦର୍ପ । ନିଷ୍କାମରେ - ଅଯଥାରେ । ଦୀନଗ୍ଳାନି - ଦୁଃଖୀର ସନ୍ତାପ ।

 

୨ । କାନ୍ତଗତି - ସୁନ୍ଦରଗତି, ପ୍ରିୟର ଆଶ୍ରୟ । କାନ୍ତଗତି - ପ୍ରିୟର ପ୍ରବେଶ । ମୂରତି - ରୂପ, ଦର୍ଶନ । ରତି - ସମ୍ଭୋଗ ! ଧିଆନରେ - ଭାବନାରେ । ଧୀଆନରେ - ଅନ୍ୟ ବିଷୟରେ ବୁଦ୍ଧି । ଭାଷେ - କହୁଅଛି । ଅନାଥରେ – ନିରାଶ୍ରୟ ଭାବରେ । ନ ଭାସେ – ଭାସୁ । ଅନାଥରେ - ଥରେ ଚାହାଁ ।

 

୩ । ଧନମୁଖଚନ୍ଦ୍ର - ଶ୍ରୀରାଧାଙ୍କ ମୁଖ ରୂପକ ଚନ୍ଦ୍ର । ନେତ୍ର ଚକୋର - ଚକ୍ଷୁ ରୂପକ ଚକୋର ପକ୍ଷୀ । ପଦସାରସ ମଧୁ - ପାଦ ରୂପକ ପଦ୍ମର ମଧୁ । ମାନସ ଭ୍ରମ - ମନରୂପକ ଭ୍ରମର । ଦୀନ - ଦରିଦ୍ର । ସେ - ଶ୍ରୀରାଧା । ବର ସଫଳ କୃତକୁ - ବର ସଫଳ କରିବାକୁ, ସଫଳ ବର ଦେବାକୁ । ସେହି - ଶ୍ରୀରାଧା । ମହାଦେବୀ - ପାର୍ବତୀ ସ୍ଵରୂପା ।

 

୪ । ଦେହ ପଞ୍ଜରୀ - ଦେହ ରୂପକ ପଞ୍ଜରୀ । ପରାଣସାରୀ ଜୀବା - ସାରୀର ଜୀବନ । ସେ - ଶ୍ରୀରାଧା । ମନମୀନ - ମୋ ମନରୂପକ ମତ୍ସ୍ୟ । ପ୍ରେମବନ - ପ୍ରେମରୂପକ ଜଳ । ବର୍ଦ୍ଧନୀ - ବର୍ଦ୍ଧନକାରିଣୀ । ଆଭାସେ - ଆଭାସୁଅଛି, ପ୍ରକାଶିତ ହେଉଅଛି । କାମତାପ - କନ୍ଦର୍ପ ସନ୍ତାପ । କୃପାଗଙ୍ଗା - ଦୟାରୂପକ ଗଙ୍ଗା । କୁଚଶିବେ - ସ୍ତନ ରୂପକ ଶିବଙ୍କଠାରେ । ରସରତ୍ନ - ଶୃଙ୍ଗାର ରସ ରୂପକ ରତ୍ନ । ମାନ କୋଷ - ମାନ ରୂପକ ଭଣ୍ଡାର । ନିଧାନୀ ମଣିଛି - ନିଧାନ କରିଅଛି, ଗଚ୍ଛିତ କରିଅଛି ।

 

୫ । ଘନରସଦାନୀ - ନିବିଡ଼ ଶୃଙ୍ଗାର ରସ ରୁପକ ଜଳଦାତ୍ରୀ । ପ୍ରେମସାଗରୀ - ପ୍ରେମରସାଗର ସ୍ଵରୂପା । ନାଗରୀ - ବିଳାସବତୀ, ଶ୍ରୀରାଧା । କଳାନିଧି - କଳାକୁଶଳ ରସିକ, ଶ୍ରୀକୃଷ୍ଣ । ଶୁଚିପଦ - ଶୃଙ୍ଗାର ରସ ରୂପକ ଚନ୍ଦ୍ରର ଶୁକ୍ଳ କିରଣ । ବର୍ଦ୍ଧନେ - ବଢ଼ାଇବାକୁ । ଶର୍ବରୀ - ରାତ୍ରି । କଳାନିଧି - କଳା କୁଶଳ ଓ ଚନ୍ଦ୍ର । ଶୁଚିପଦ - ଶୃଙ୍ଗାର ବ୍ୟବସାୟ ଓ ଶୁକ୍ଳ କିରଣ । ପରମାନନ୍ଦ ସୁଖ - ଉତ୍‌ତ୍କୃଷ୍ଟ ଆନନ୍ଦ ଭୋଗ ରୂପକ ବିଷ୍ଣୁଙ୍କ ସୁଖ । ଶିରୀ - ଲକ୍ଷ୍ମୀ । କଞ୍ଜନେତ୍ର - ଶିବ, ପଦ୍ମତୁଲ୍ୟ ଚକ୍ଷୁ । ରୋଚନକୁ - ରୁଚିବାକୁ । ଗଉରୀ - ପାର୍ବତୀ । ସ୍ଵରୁପା ।

 

୬ । ଚିନ୍ତାମଣି - ମନୋରଥପ୍ରଦ ମଣି, ଶ୍ରୀରାଧା । ଲଭିବାର - ପାଇବାର । ଭିନ୍ନ - ଅନ୍ୟ ପ୍ରକାର । ଭାବିନୀ ରତନ - ଭାବିନୀ ଶ୍ରେଷ୍ଠା, ଶ୍ରୀରାଧା । ଲଭିବାରୁ - ଲଭିବାକୁ । ଦୀନ - ଦୁଃଖିତ । ମନ୍ଦାକ୍ଷରେ - ଲଜ୍ଜାରେ, ମନ୍ଦ ଆଖିରେ । ସେ - ଶ୍ରୀରାଧା । ଧୀଆନ - ଧ୍ୟାନ । ତାପରା - ତାହାପରି, ଶ୍ରୀରାଧାଙ୍କ ପରି । କାହିଁ - କାହାକୁ ।

 

୭ । ଭାବ - ଚିନ୍ତା କର । ବତିଶ ଲକ୍ଷଣା - ବତିଶ ପ୍ରକାର ଶୁଭଲକ୍ଷଣ ଯୁକ୍ତ । (ଯଥା) - ନେତ୍ର, ପାଦ, କରତଳ, ଅଧର, ଓଷ୍ଠ, ଜିହ୍ୱା ଓ ନଖ - ଏହି ସାତ ଅଙ୍ଗରେ ରକ୍ତିମା; ବକ୍ଷ, ସ୍କନ୍ଧ, ନଖ, ନାସିକା, କଟି ଓ ମୁଖ - ଏହି ଛଅ ଅଙ୍ଗରେ ଉଚ୍ଚତା; କଟି, ଲଲାଟ ଓ ବକ୍ଷ - ଏହି ତିନି ଅଙ୍ଗରେ ବିସ୍ତାର; ଗ୍ରୀବା, ଜଙ୍ଘ, ଶିଶ୍ନ - ଏହି ତିନି ଅଙ୍ଗରେ ଖର୍ବତା; ନାଭି, ସ୍ଵର, ବୁଦ୍ଧିଏହି ତିନିରେ ଗମ୍ଭୀରତା; ଭୁଜ, ନେତ୍ର, ହନୁ ଓ ଜାନୁ - ଏହି ପାଞ୍ଚରେ ସୂକ୍ଷ୍ମତାଏହାକୁ ବତିଶ ଲକ୍ଷଣ କୁହାଯାଏ । ସୁରତରଙ୍ଗିଣୀ - ଦେବନଦୀ, ଗଙ୍ଗା । ସୁର ତରଙ୍ଗିଣୀ - ରତିକୁଶଳା । ଭାବବତୀ – ପ୍ରେମିକା । ସୁଲକ୍ଷଣା - ସର୍ବସୁଲକ୍ଷଣଯୁକ୍ତା । ଶୁଚିପଦଦା - ପବିତ୍ର ପଦଦାନକାରିଣୀ, ମୋକ୍ଷପଦଦାନକାରିଣୀ । ସେ - ଶ୍ରୀରାଧା । ହିତହିତକାରିଣୀ । ବିବନ୍ଦିତା ବାଣୀ - ସ୍ଵୟଂ ପୂଜ୍ୟା ବାଗ୍‌ଦେବୀ, ବା ବାଣୀ ବିବନ୍ଦିତା - ବାକ୍ୟଦ୍ୱାରା ପୂଜିତା । ଶୁଚିପଦଦା - ଶୃଙ୍ଗାରପଦଦାୟିନୀ, ରତିଦାୟିନୀ । ବିବନ୍ଦିତା ବାଣୀ - ପ୍ରଶଂସିତ ବଚନା; ବାକ୍ୟଦ୍ଵାରା ପୂଜିତା । ଗୁଣିତିଳକ - ଗୁଣିଶ୍ରେଷ୍ଠା ମନ୍ଦାକିନୀ । ନାକରେ - ସ୍ୱର୍ଗରେ । ମନୁ କେତେ ଯିବ - କେତେ ମନ୍ୱନ୍ତର ଯିବ । ଗୁଣିତିଳକ - ଗୁଣିମାନଙ୍କର ତିଳକ ସ୍ଵରୂପା ପୂଜ୍ୟ ସ୍ୱର୍ଗରେ । ଗୁଣତିଳକ - ଗୁଣିଶ୍ରେଷ୍ଠା ଶ୍ରୀରାଧା । ନାକରେ - ନାକରେ ନିଷେଧ କରିବାର ଭଙ୍ଗୀ । ମନୁ କେତେ ଯିବ - କେବେହେଲେ ମନୁର ଯିବ ନାହିଁ । ନାଗରମଣି - ନାରୟଣ । ଶ୍ରୀପଦ - ଶ୍ରୀଯୁକ୍ତ ପାଦ । ଦାହି - ଲାଭକାରୀ । ଲୋକରେ - ଜଗତରେ । ନାଗର ମଣି - ନାଗରମଣୀମାନଙ୍କର । ଶ୍ରୀପଦ - ଶୋଭାଯୁକ୍ତ ପଦକୁ । ଦାହି - ଦହନକାରିଣୀ । ସେ - ଶ୍ରୀରାଧା । ଲୋକରେ - ଜଗତରେ । (ଏଠାରେ ମନ୍ଦାକିନୀ ଓ ଶ୍ରୀରାଧା ଉଭୟଙ୍କ ଲକ୍ଷ୍ୟରେ ଅର୍ଥ ଗୃହୀତ) ।

 

୮ । ଦୀନତାପ - ଦିନର ତାପ । ବିନାଶ - ନାଶ । ହରି - ଚନ୍ଦ୍ର । ବିଭାବରୀ - ରାତ୍ରି । କୁମୁଦକାରୀ - କଇଁ ବା କଇଁର ପ୍ରକାଶକ । ତମବାର - ବିଚ୍ଛେଦ ଅନ୍ଧକାର ସମୂହର ନାଶକାରକ, ଚକ୍ରବାକ ପକ୍ଷୀର ବିଯୋଗକାରୀ । ବିଚ୍ଛେଦ - ବିଶେଷ ଛେଦ, କଳାଖଣ୍ଡ । ସର୍ବଶିରୋଧାର୍ଯ୍ୟ - ଶିବଙ୍କ ମସ୍ତକରେ ସ୍ଥିତ । ଆହାଲଦକର - ଲୋକମାନଙ୍କର ଆହ୍ଲାଦକାରୀ ।

 

ଦିନତାପ (ଦୀନତାପ) - ଦୁଃଖୀର ଦୁଃଖ । ବିନାଶନ ପାଇଁ - ନାଶ କରିବାପାଇଁ । ହରି - ନାୟିକା, କାନ୍ତିମତୀ ଶ୍ରୀରାଧା । ବିଭା - ବିବାହରେ । ବିଚ୍ଛେଦ ତମବାର - ବିରହ ଅନ୍ଧାର ସବୁ । କୁମୁଦକାରୀ - ନିରାନନ୍ଦକାରୀ । ସର୍ବ ଶିରୋଧାର୍ଯ୍ୟ - ଶ୍ରେଷ୍ଠ ସୁନ୍ଦରୀ, ସମସ୍ତଙ୍କର ପୂଜ୍ୟାହେତୁ ଆହ୍ଲାଦଦାୟିନୀ । ବିଷ୍ଣୁଙ୍କ ପକ୍ଷରେ; ବିଭାବରୀ - ରାତ୍ରିପରି ନୀଳବର୍ଣ୍ଣ, ଉଜ୍ଜଳ । ବିଚ୍ଛେଦତମ - ରାହୁନାଶକ । ବାର - ଜାଣ । ସର୍ବ ଶିରୋଧାର୍ଯ୍ୟ - ସମସ୍ତଙ୍କର ପୂଜ୍ୟ । ଆହ୍ଲାଦକର - ସମସ୍ତଙ୍କର ଆହ୍ଲାଦଦାୟକ ।

 

୯ । (କ) (୧) ରାମନୟନା - ମୃଗନୟନୀ । ଆନନ୍ଦଦା - ଆନନ୍ଦଦାୟିନୀ ।

କୁଧରଜା - ରାଜକନ୍ୟା, ବୃଷଭାନୁ ଜେମା ।

 

(୨) ରାମନୟନ - ତ୍ରିନେତ୍ର । ଆନନ୍ଦଦା - ଆନନ୍ଦଦାୟିନୀ ।

କୁଧରଜା - ଭୂଧର ହିମାଳୟଙ୍କର କନ୍ୟା, ପାର୍ବତୀ ।

 

(୩) ରାମ - ବଳରାମ । ନୟନାନନ୍ଦଦା - ନେତ୍ରାନନ୍ଦ ଦାୟିନୀ ।

କୁଧରଜା - କୁକୁଦ୍ମି ରାଜକନ୍ୟା ରେବତୀ ।

 

(୪) ରାମ - ରାମଚନ୍ଦ୍ର । ନୟନାନନ୍ଦଦା - ନେତ୍ର ସୁଖଦାୟିନୀ ।

କୁଧରଜା - ପୃଥ୍ୱୀ ଧାରଣଜାତା, ଯଜ୍ଞଭୂମି ଧାରଣ କାଳେ ଜାତା, ସୀତା ।

 

(ଖ) ବିଭାବେ - ଶୃଙ୍ଗାର ରସର ଆଲମ୍ବନ ରୁପେ ଆନୀତ ବିଶେଷ ପ୍ରେମରେ । ସାରଙ୍ଗ ବିମୋଦନା - କନ୍ଦର୍ପ ଆନନ୍ଦଦାୟିନୀ । ପାର୍ବତୀଙ୍କ କ୍ଷେତ୍ରରେ; ବିଭାବେ - ପ୍ରଭାବରେ । ସାରଙ୍ଗ ବିମୋଦନ - ସିଂହଦ୍ୱାରା ଆନନ୍ଦିତ । ରେବତୀଙ୍କ କ୍ଷେତ୍ରରେ; ବିଭାବେ - ବିଶେଷ ଅଭିପ୍ରାୟରେ । ସାରଙ୍ଗ ବିମୋଦନା - ବାଦ୍ୟଯନ୍ତ୍ର ଦ୍ଵାର । ଆନନ୍ଦଦାୟିନୀ । ସୀତାଙ୍କ କ୍ଷେତ୍ରରେ; ବିଭାବେ - ବିଷମଭାବରେ । ସାରଙ୍ଗ ବିମୋଦନା - ମାରୀଚଦ୍ଵାର । ଆନନ୍ଦିତ ।

 

(ଗ) ହରିକରେ - ଚନ୍ଦ୍ରକିରଣରେ । ନାଗରମୁଦ - ରସିକର ଆନନ୍ଦ । ହରିକରେ ନାଗର - ସିଂହ ମୁଣ୍ଡରେ ହାତୀର ଅର୍ଥାତ୍ ଗଣେଶଙ୍କର । ମୁଦ - ଆନନ୍ଦ ।

 

ହରିକରେ - ହଳୀକରେ, ବଳରାମଙ୍କ ଦ୍ଵାରା । ନାଗର - ସାପର । ମୁଦ - ଆନନ୍ଦ ।

ହରିକରେ - ମର୍କଟ ହନୁମାନ ହସ୍ତରେ । ନାଗର - ବିଳାସୀ ରାମଚନ୍ଦ୍ରଙ୍କର । ମୁଦ - ପତ୍ର, ଚିଠି ।

 

(ଘ)      ସୁମନରେ - ଫୁଲରେ । ସାରଙ୍ଗରଞ୍ଜନକୁ - ଭ୍ରମର ଦ୍ଵାରା ରଞ୍ଜିତ କରିବାକୁ । ବିହି - ବିଧାନ କର ।

ସୁମନରେ - ଦିବ୍ୟ ବାଣମାନଙ୍କ ଦ୍ଵାରା । ସାରଙ୍ଗରଞ୍ଜନକୁ - ଧନୁଶୋଭାକୁ । ବିହି - ବିଧାନ କରାଅ ।

ସୁମନରେ - ଫୁଲମାନଙ୍କ ଦ୍ଵାରା । ସାରଙ୍ଗ - ବାଦ୍ୟଯନ୍ତ୍ର ବା ମସ୍ତକର । ରଞ୍ଜନକୁ - ଶୋଭାକୁ । ବିହି - କର ।

ସୁମନସରେ - ଦେବତାମାନଙ୍କ ଦ୍ଵାର । ସାରଙ୍ଗ ରଞ୍ଜନକୁ - ଭୂମି ଶୋଭାକୁ । ବିହି - ବିଧାନ କର ।

 

୧୦ । କଳାବନ୍ତ - ଚନ୍ଦ୍ରର । ଛବିଧର - ଶୋଭାଧାରୀ । ପ୍ରିୟା - ରାତି । ଅମୃତ ପରାପତି - ଚନ୍ଦ୍ରିକା ପ୍ରବେଶ । କି ତାପ - କେଡ଼େ ତାପ । ବିମୁଞ୍ଚଇ - ଛାଡୁଅଛି । ରସନାନାଦନ - କଟିସୂତ୍ର ବାଜିବା ଅର୍ଥାତ୍ ପୁରୁଷାୟିତ । ବିନା - ବ୍ୟତୀତ । ଆନ - ଅନ୍ୟ । ନଇଚ୍ଛଇ - ଇଚ୍ଛା କରୁନାହିଁ । ହରିଚନ୍ଦନ ଦାତା - ଶୁକ୍ଳ ଚନ୍ଦନ ଲେପନକାରୀ । ଆହ୍ଲାଦେ - ଆହ୍ଲାଦ ଦେବାପାଇଁ । ମଣଇ - ମନେ କରୁଅଛି ।

 

କଳାବନ୍ତ - ଚନ୍ଦ୍ର । ଛବିଧର - ଶୋଭାବର୍ଣ୍ଣ । ପ୍ରିୟା - ରାଧାଙ୍କୁ । ନରୁଚଇ - ରୁଚୁନାହିଁ । ଅମୃତ - ଚନ୍ଦ୍ରର କିରଣ । ପରାପତି କି - ପାଇବା ବେଳକୁ । ପବି - ବଜ୍ର । ମୁଞ୍ଚଇ - ବର୍ଷୁଅଛି । ରସନାବାଦ – ଜିହ୍ୱାଦ୍ଵାରା ନାମ ଉଚ୍ଚାରଣ । ନବୀନା ଆନନ - ନୂତନା ଶ୍ରୀରାଧାଙ୍କ ମୁଖ । ଇଚ୍ଛଇ - ଇଚ୍ଛା କରୁଅଛି । ହରି - ଏହି ପଦଟି । ଚନ୍ଦନ ଦାତା - ଚନ୍ଦନ ଲେପନକାରୀ । କଳାବନ୍ତ ଛବିଧର - ପୂର୍ଣ୍ଣଚନ୍ଦ୍ର । ପ୍ରିୟା - ଶ୍ରୀରାଧାଙ୍କୁ । ନରୁଚଇ - ସମାନ ନୁହେଁ । ପତିକି - ପ୍ରିୟଙ୍କ ପ୍ରତି । ଅମୃତ ପରା - ଅମୃତ ତୁଲ୍ୟ । ତାପ - କାମତାପ । ବିମୁଞ୍ଚଇ - ଛଡ଼ାଉଅଛନ୍ତି । ନବୀନା ଆନନ - ଶ୍ରୀରାଧାଙ୍କ ମୁଖ ସହିତ । ବାଦ - ବିବାଦକୁ । ରସନା - ଜିହ୍ୱା । ଆହ୍ଲାଦେ - ଆହ୍ଲାଦଗୁଣ ପାଇଁ । ହରିଚନ୍ଦନ - କଳ୍ପବୃକ୍ଷକୁ । ଦାତା - ଦାନକାରୀ ।

 

୧୧ । ଭାବେ - ମୁଁ ଭାବନା କରେ । ହରି ଆନନକୁ - ନାୟିକା ଶ୍ରୀରାଧାଙ୍କ ମୁଖକୁ । ବିମନକୁ - ମୋ ଦୁଃଖ ପ୍ରତି । ମୁଦ - ହର୍ଷଦାୟକ । ହରି ଭାବେ - ସୂର୍ଯ୍ୟଙ୍କ ଅନୁରାଗରେ । ବାଧର କାରଣି - ବାଧା ଭୋଗୀ । କୁମୁଦ - କଇଁଫୁଲ । କୁମୁଦ କରି ସୁଗତି - ନୈଋତ ଦିଗ ହସ୍ତୀ ପରି ଗମନଶୀଳା । ବହୁ - ଧାରଣ କରିଅଛୁ । ହରିପଦ - ଚନ୍ଦ୍ରାକାର ମସ୍ତକ ଆଭରଣ ଓ ବିଷ୍ଣୁଙ୍କ ପାଦ ଆକାର ପଦକ । ଏଠାରେ କୁମୁଦ ଓ ହରି ଉଭୟ ଶବ୍ଦରେ ବକ୍ରିତ ଶ୍ଲେଷ ଲକ୍ଷିତ ।

 

୧୨ । ମନ୍ଦାର ଅଧର - ମନ୍ଦାର ଫୁଲ ପରି ଲାଲବର୍ଣ୍ଣର ଓଠ । ଚଳିବାର - କମ୍ପିବାର । ମନ୍ଦ - ଶନି । ଆର - ମଙ୍ଗଳ । ଶନି ଏବଂ ମଙ୍ଗଳଙ୍କର ଏକତ୍ର ଚଳନରେ ବର୍ଷାଗମ ହୁଏ । ପୟୋଧର-ସ୍ତନ ଓ ମେଘ । ଅମ୍ବର ଆଚ୍ଛନ୍ନେ - ବସ୍ତ୍ରରେ ଘୋଡ଼ା ହୋଇ ଓ ଆକାଶକୁ ଘୋଡ଼ାଇ କରି । ଘନରସ ବୃଷ୍ଟିନିବିଡ଼ ଶୃଙ୍ଗାର ରସର ଆଗମ ଓ ଜଳବର୍ଷଣ । ବିଦେହ ତାପ - କନ୍ଦର୍ପ ତାପ ଓ ବିଶେଷ ଭାବରେ ଦେହ ତାପ । ବିଲେପ - ବିନାଶ ।

 

୧୩ । ଶର ବ୍ୟୟ କରୁଛି - ଶର ଖର୍ଚ୍ଚ କରୁଛି, ଶର ମାରୁଛି । ପାମର - କୁତ୍ସିତ । ମାର - କନ୍ଦର୍ପ । ଉର - ଛାତିକୁ । ଚିନ୍ତା ବ୍ୟାକୁଳ ଆକୁଳ ତାପ କୁଳବର - ଚିନ୍ତାରେ ବ୍ୟାକୁଳତାରେ ଆକୁଳତାରେ ବହୁତ ତାପ ହେଉଛି । ବର - ବଡ଼ । ଲବର - ଅଳ୍ପରେ । ସୁରସ ଭାବନା - ସମ୍ଭୋଗ ଭାବନା, ଜଳ ଭାବନା । ଜୀବିକା - ଜୀବନବୃତ୍ତି । ସମଦଶା - ସମାନ ଅବସ୍ଥା । “ଚିନ୍ତା ବ୍ୟାକୁଳ ଆକୁଳ ତାପ କୁଳବର’’ ଏକପଦ ଶ୍ଳେଷ, କିନ୍ତୁ ନିରର୍ଥକ ।

 

୧୪ । ସୁରସ ନିଧି - ସୁରସିକେ । ଦାସ - ଭୃତ୍ୟ । ଦର୍ପକର ଶରେ - କନ୍ଦର୍ପର ଶରରେ । ଛେଦି ଦେଲି - କାଟି ଦେଲି । ଭାବର ଧନୀ - ପ୍ରେମରସର ଧନୀ । ଦୀନ - ଦୁଃଖିତ । କୃତାର୍ଥ ପଦବୀ - କୃତକୃତ୍ୟତା ପଦ । ରସନିଧି - ସମୁଦ୍ର । ଦାସ - କୈବର୍ତ୍ତ । ଦର୍ପକର ଶରେ - କନ୍ଦର୍ପ ଶରରେ । ଭା - ବରଧନୀ - କାନ୍ତି ବର୍ଦ୍ଧନବତୀ । ଦୀନ - ଦରିଦ୍ର । ଅର୍ଥ ପଦବୀ - ଧନ ପଦବୀ । ଏଠାରେ ବିଭିନ୍ନ ପଦରେ ବ୍ୟଙ୍ଗ୍ୟ ଶ୍ଳେଷ କିନ୍ତୁ ଅପ୍ରୟୋଜନ ।

 

୧୫ । ମଦମତ୍ତ - ମତୁଆଳ । ଉନ୍ନତ ଗଜ ମସ୍ତକ - ହାତୀର ମଥାର ଉଚ୍ଚ କୁମ୍ଭ । ବତ - ପରି । ଉଲଟ ତବଲ - ଓଲଟା ତବଲା ବା ବାଦ୍ୟ । ରମ୍ୟ - ମନୋହର । ଦନ୍ତଶଠ - ବାତାପି ବା କଇଥ । କରକ - ଡାଳିମ୍ବ । ରତନ ଧର - ମେରୁ ପର୍ବତ । ଯତ୍ନ - ଶୋଭା । ପ୍ରକଟ - ପ୍ରକାଶିତ । କନକ ଘଟ ଘଟନ - ସୁନା କଳସ ପରି ।

 

୧୬ । ଧୀରେ - ଧେର୍ଯ୍ୟଶୀଳା । ଧୀରେ - ଆସ୍ତେ । ଦିଶେ - ଚାରିଆଡ଼େ ! ସୁମୁଖୀ ସୁନ୍ଦରୀ । ଭାବେ - ପ୍ରେମରେ । ଭାବିନୀକି ଭାବୁକାକୁ । ତ୍ରାହି - ରକ୍ଷା । କେହି - କିପରି ।

 

୧୭ । ଭାବି - ଭାବିଛି । ଭବ ବାମଭାବେ - ଶିବଙ୍କର ଶତ୍ରୁ କନ୍ଦର୍ପର ଭାବାବେଶରେ । ଭ୍ରମେ - ଭ୍ରମୁଅଛି । ଭୀମ ଭୀବିଭବି - ଶିବଙ୍କର ଭୟ ଜାତ କରାଉଅଛି । ଭା - କାନ୍ତି । ଭାବି - ଚିନ୍ତା କରି । ମୋ ବିଭାବ - ଆଲମ୍ବନ ବିଭାବ, ପ୍ରିୟା । ଭବବାମା - ପାର୍ବତୀ । ମା - ଲକ୍ଷ୍ମୀ । ବିବପୁ - ବିରୂପା । ଭବେ - ସଂସାରରେ । ପୂର୍ବଭୂପ - ପୂର୍ବ ରାଜାମାନଙ୍କର । ବୈଭବ – ଐଶ୍ୱର୍ଯ୍ୟ । ପ୍ରାଭବ - ପରାଭବ । ଭାବ - ବିଚାର କର । ଏଠାରେ ସମସ୍ତ ବର୍ଣ୍ଣ ଓଷ୍ଠରେ ଉଚ୍ଚାରିତ ।

 

୧୮ । ଚରଣ - ପାଦ । ଶରଣ - ରକ୍ଷକ । ରଣ ରଣ ଦରହର - କନ୍ଦର୍ପର ଭୟ ନାଶକାରୀ । ଯତନ ରତନ ଘର - ସୁନ୍ଦର ଧନ ଭଣ୍ଡାର । ରଙ୍କର - ଦରିଦ୍ରର । ଅଙ୍ଗ - ଶରୀର । ଅନଙ୍ଗର - କନ୍ଦର୍ପର । ଶର ସଦନ - ବାଣର ଘର । ନୟନ - ଆଖି । ଦର୍ଶନ ଜନ - ଦେଖିଲା ଲୋକ । ରଞ୍ଜନ - ଅନୁରାଗ ଜନକ ।

 

୧୯ । ରାଜ ନୃପତି - ଶ୍ରେଷ୍ଠ ରାଜା । ନନ୍ଦନା - କନ୍ୟା । ତନୁ ଦେହ । ଅଳ୍ପ ଦାନରେ ସାମାନ୍ୟ ଦାନରେ । କୃପଣ - କୁଣ୍ଠିତ । ଧୀର । - ଧୈର୍ଯ୍ୟବତୀ । ସ୍ମର - ମନେକର । ଦର୍ପକ - କନ୍ଦର୍ପ । ଶରେ - ବାଣରେ । ପର ଶତ୍ରୁକୁ - ପ୍ରଧାନ ଶତ୍ରୁକୁ । ପୌରୁଷ - ପ୍ରତିଷ୍ଠା । ଏଠାରେ ରାଜନୃପତି, ତନୁ, ଅଳ୍ପ, ସ୍ମର, ଦପର୍କ, ପର, ଶତ୍ରୁ ପୁନରୁକ୍ତି ବଦାଭାସ ।

 

୨୦ । ହରିବାର - କିରଣ ସମୂହ । କର ତାପ - କିରଣର ତେଜ । କମଳ - ଜଳ । ହରିବାର - ହରଣ କରିବାର । କରକୃପା - କୃପାକର, ଦୟାକର । ତାପ ବିନାଶଇ - ତାପ ସମୂହକୁ ନାଶ କରେ । ହରିବାରଣ ସୁଗତି - ଇନ୍ଦ୍ରଙ୍କର ହସ୍ତୀ ଐରାବତର ଗତିପରି ଗତି ଯାହାର, ଶ୍ରୀରାଧା ହରି - ମୋର (ଶ୍ରୀକୃଷ୍ଣଙ୍କର) । ସୁଗତି - ସୌଭାଗ୍ୟ । ବାରଣ - ନିବାରଣ । ଏଠାରେ ହରିବାର, ହରିବାର, ହରିବାରଣ, ହରିବାରଣ ପ୍ରଭୃତି ପଦ ସଂଯୋଜନା ହେତୁ ପୁନରୁକ୍ତି ପଦାଭାସ ।

 

୨୧ । ଭାବି - ଭାବନା କରି । ନିରତରେ ସବୁବେଳେ । କାମିନୀ ରତରେ - କାମୁକୀ ଶ୍ରୀରାଧାଙ୍କ ସମ୍ଭୋଗରେ । ଜୀବ - ପ୍ରାଣ । ଅପୂର୍ବ କୃପା - ଅଦ୍ଭୁତ ଦୟା । ଧନ - ଶ୍ରୀରାଧା । ମୀନନୟନକୁ - ମୀନ ତୁଲ୍ୟ ଆଖିକୁ । ମୁଦ - ବନ୍ଦ କରୁଅଛି, ମୁଦ୍ରିତ କରୁଅଛ । ଦାସରେ - ଭୃତ୍ୟଠାରେ । ଭାବ - ଅନୁରାଗ, ସ୍ନେହ । ବିରହେ - ବିଚ୍ଛେଦରେ । ଧ୍ୟାନ - ଭାବନା । ଅଛି - ଚିନ୍ତା କରୁଛି । କି ନହେବ - ଚିନ୍ତା କଣ ହେବ ନାହିଁ ।

 

୨୨ । ସମୀର - ପବନ । ମଧ୍ୟ ଇକାର ହରି - ମଧ୍ୟରେ ଥିବା ଇକାର ଲୋପ କରି, ସମର । ଅନଳ - ଅଗ୍ନି । ମଧ୍ୟରେ ଦେଇ - ମଧ୍ୟରେ ଇକାର ଯୋଗ କରି ଅନିଳ । ବିରହ ଦଶାରେ ମଳୟାନିଳ ଅଗ୍ନିପରି ଦହନ କରୁଅଛି । ଅବଧି - ନବଧି, ନମାରି । ଅବଧି - ଅମୃତ ତୁଲ୍ୟ ଚିଟାଉ, ଅମୃତ୍ୟୁ । ଅମୃତ ଆଦ୍ୟରେ - ମୃତ ଆଦ୍ୟରେ ପ୍ରଥମରେ “ଆ” ଦେଇଅଛ, ଅର୍ଥାତ୍ ଭାବୁଛ, ମୁଁ ନ ମଲି ।

 

୨୩ । ସୁନାସୀର - ଇନ୍ଦ୍ର । ଦାସ - ଭୃତ୍ୟ । ଧନ ବିନା - ସମ୍ପତ୍ତି ନଥାଇ । କ୍ଲେଶୀ - ଦୁଃଖୀ । ଘନରସଦା - ନିବିଡ଼ ଶୃଙ୍ଗାର ରସଦାୟିନୀ । କାମ - କନ୍ଦର୍ପ । ପ୍ରେମ କୃଷି - ପ୍ରଣୟ ରୂପକ ଫସଲ । ଦହେ - ପୋଡୁଅଛି । କୃଷି - ଫସଲ । ଦହେ - ପୋଡ଼ିଗଲେ । ଘନ - ମେଘ । ରସଦା - ଜଳଦାୟିନୀ ହୁଏ । ନାଗରମଣୀ - ନାଗଲୋକ ସ୍ତ୍ରୀ, ନା – ନାମ, ଗର-ବିଷ । ମଣି - ମଣିବାକୁ ହେବ; ନାମକୁ ବିଷପରି ମଣିବାକୁ ହେବ । ନାଗରମଣି - ରସିକର ମଣି ତୁଲ୍ୟ ନିଧି । ମଧୁ - ମହୁ । ମଧୁକର - ଭ୍ରମର । ସୁର ତରୁଣୀ - ଦେବନାରୀ । ମୋହିତ - ମୋହନକାରିଣୀ । ତୁହି ଧନି ମୋହିତ - ମୋର ହିତକାରିଣୀ । ସତ - ନିଶ୍ଚୟ । ଏଠାରେ ଇନ୍ଦ୍ରଙ୍କ ଦାସତ୍ୱରେ କ୍ଳେଶ ଶୂନ୍ୟ, ତେଣୁ ଶ୍ଳେଷ ରୂପକ ଯୋଗେ ଲକ୍ଷଣା ।

 

୨୪ । ଆସ୍ୟ କଞ୍ଜେ - ମୁଖ ପଦ୍ମରେ । ବସା - ବସିଥିବା । ନେତ୍ର ଖଞ୍ଜରୀଟି ଯୁଗ - ଚକ୍ଷୁରୂପକ କଜ୍ଜଳପାତି ପକ୍ଷୀଦ୍ୱୟ । ଅଙ୍ଗଦେଶ - ଶ୍ରୀରାଧାଙ୍କର ଶରୀର ରୂପକ ରାଜ୍ୟ । ପଦ୍ମ ଉପରେ କଜ୍ଜଳପାତି ବସିଥିବା ଦେଖିଲେ ରାଜ ଯୋଗପ୍ରାପ୍ତି ହେବା ଶାସ୍ତ୍ରସମ୍ମତ । ଘଞ୍ଚ ଉରଜ - ଘନକୁଚ ! ବସତି - ଗୃହ । ଗଉରୀ ପ୍ରସନ୍ନେ - ପାର୍ବତୀଙ୍କ ଅନୁଗ୍ରହରେ, ଶ୍ରୀରାଧାଙ୍କ ଅନୁଗ୍ରହରେ । ଶିରୀ ଭୋଗୀ - ସଂପତ୍ତି ଓ ସୌନ୍ଦର୍ଯ୍ୟ ଭୋଗକାରୀ । ଏଠାରେ ମୁଖ ରୂପକ କଞ୍ଜନେତ୍ର ରୂପକ ଖଞ୍ଜରୀଟ ଯୁଗଳ, ଅଙ୍ଗରୂପକ ଦେଶ, ଘଞ୍ଚ ଉରଜରୂପକ ବସତି ପ୍ରଭୃତି ପଦଗୁଡ଼ିକରେ ଲକ୍ଷଣା ବିଚିତ୍ର ହୋଇଥିବାରୁ କଞ୍ଜପରି ମୁଖ, ଖଞ୍ଜରୀଟ ପରି ନେତ୍ର, ବସତି ପରି କୁଚ ଲକ୍ଷଣା ସ୍ଥଳରେ ବିଚିତ୍ର ଲକ୍ଷଣା ହୋଇଅଛି ।

 

୨୫ । ଅନୁଗତେ ଅନୁସରଣ କରିବାରୁ । ଅହି - ସାପ । ଭସ୍ମ - ପାଉଁଶ । ଶଙ୍କର - ଶିବ । ଭମେ - ଭ୍ରମରେ, ଭୁଲରେ । ବରୁଁ - ବରିବାରେ । ଶାୟନାନ୍ତୁ - ଶାନ୍ତନୁ । ଗଙ୍ଗାପତ୍ନୀ - ଗଙ୍ଗା ପତ୍ନୀ ହେଲେ । ମିତ୍ର - ସୂର୍ଯ୍ୟ । କାନ୍ତ - ପତି ହୋଇଛନ୍ତି । ଭ୍ରମର ଅନୁଗତି ହେବାରୁ - ଭୃଙ୍ଗ ଭ୍ରମରେ । ପ୍ରୀତି - ସ୍ନେହ । ଅନୁଗତ - ଅନୁସରଣକାରୀ । ର - ଅଙ୍ଗୀ କୃତକୁ, ଅଙ୍ଗୀକାରକୁ । ଧୀରେ - ପଣ୍ଡିତମାନେ । ପାଳନ୍ତି - ପାଳନ କରନ୍ତି । ସର୍ପ, ଭସ୍ମ, ଭ୍ରମର, ଶାୟନ୍ତାନୁ ଆଦି ଅନୁଗତ ହେବାରୁ ଶିବ, ପଦ୍ମିନୀ, ଗଙ୍ଗା ଅଙ୍ଗୀକାରକୁ ପାଳନ କଲେ । ସେହିପରି ଶ୍ରୀକୃଷ୍ଣଙ୍କ ଉକ୍ତି; ହେ ରାଧେ, ମୁଁ ତୁମ ପ୍ରତି ଅନୁଗତ ହେବାରୁ ତୁମେ ଅଙ୍ଗୀକାରକୁ ପାଳନ କର । ଏ ପ୍ରକାର ଅର୍ଥ ଲକ୍ଷଣରେ ହେବାରୁ ଏଠାରେ ଲକ୍ଷଣାଳଙ୍କର ହୋଇଅଛି ।

 

୨୬ । ଆଶ ନାଶ ଦୋଷ - ଆଶାକୁ ପୂରଣ ନ କରିବା ଦୋଷ । ଶଶି ଅଙ୍କେ - ଚନ୍ଦ୍ରର କଳଙ୍କରେ । ଚନ୍ଦ୍ର ଚକୋରାଶା - ଚନ୍ଦ୍ରଠାରେ ଚକୋରର ଆଶା । ପଦ୍ମ ଭୃଙ୍ଗରେ - ପଦ୍ମଠାରେ ଭ୍ରମରର । ବନ - ଜଳ । ମୀନ ଦିନ - ମାଛର ସମୟ । କ୍ଷୀରେ - ଦୁଧରେ । ପବି - ବଜ୍ର । ଘନ ଆଶ - ମେଘଠାରେ ଅଶା । ଚନ୍ଦ୍ରଠାରୁ ଚକୋର, ପଦ୍ମଠାରୁ ଭ୍ରମର, ଜଳଠାରୁ ମୀନ, ମେଘଠାରୁ ଚାତକ ଯେପରି ଆଶା ତ୍ୟାଗ କରି ପାରନ୍ତି ନାହିଁ ସେହିପରି ଶ୍ରୀକୃଷ୍ଣ ଶ୍ରୀରାଧାଙ୍କଠାରୁ ଆଶା ତ୍ୟାଗ କରି ପାରୁ ନାହାନ୍ତି । ତେଣୁ ଏଠାରେ ଦୃଷ୍ଟାନ୍ତର ଅଳଙ୍କାର ହୋଇଅଛି ।

 

୨୭ । ନେତ୍ର ଶରଘାତେ - କଟାକ୍ଷପାତରେ । ହୃଦ ବ୍ୟଥା ରୋଗୀ - କାମ ରୋଗାକ୍ରାନ୍ତ । ଚୁମ୍ବକେ - ଚୁମ୍ବନ ରୂପକ ଚୁମ୍ବକ ମଣି ଦ୍ଵାରା । ଲୋହ ଫଳ - ଲୁହା ନିମିତ୍ତ ବାଣର ଅପରୂପ ଆନନ୍ଦାଶ୍ରୁତ ଫଳ । ନିରୁଜ - ପୀଡ଼ାଶୂନ୍ୟ । ଅଧରାମୃତ ପାନେ - ଓଷ୍ଠର ସୁଧା ପାନ କରିବାରେ । ସ୍ତନ ମାତୁଳଙ୍ଗ - କୁଚ ରୂପକ ଟଭାଫଳ । ଭୋଗ ବିରୋଚନେ - ଭୋଗ ରୁଚି ବିଷୟରେ । ନେତ୍ର ଶର - ନେତ୍ର ପାତ ଶର, ଲକ୍ଷଣା । ନେତ୍ର ଶର ପରି - ଉପମା, ନେତ୍ର ଶର, ଦୃଷ୍ଟାନ୍ତ । ନେତ୍ର ରୂପକ ଶର, ରୂପକ - ଏହିପରି ଅଳଙ୍କାର ଅନ୍ୟ ଅନ୍ୟତ୍ର ଥିବାରୁ ଲକ୍ଷଣା ଉପମା, ଦୃଷ୍ଟାନ୍ତର ରୂପ ସଙ୍କର ହୋଇଅଛି ।

 

୨୮ । ମୁଖ - ମୁହଁ, ପଦ୍ମଦ୍ଵାର । ନେତ୍ର - ଆଖି, ନୀଳୋତ୍ପଳ ଦ୍ଵାରା । ଓଷ୍ଠ – ଓଠ, ବଧୂଲୀ ଦ୍ୱାରା । ରଦ - ଦାନ୍ତ, କୁନ୍ଦ ଦ୍ଵାରା । ଗଣ୍ଡ - ଗାଲ, କେତକୀ ଦ୍ଵାରା । ସୁଚିବୁକ - ଉତ୍ତମ ଚିବୁକ, ଡାଳିମ୍ବ ଫୁଲ ଦ୍ୱାରା । ଶ୍ରୁତି - କାନ, ପାଟଳି ଫୁଲ ଦ୍ୱାରା । କେଶ - ବାଳ, ତମାଳ ଫୁଲ ଦ୍ଵାରା । ବାସ - ଆମୋଦ, ପଦ୍ମ ଦ୍ଵାରା । ସ୍ତନ - କୁଚ, ପଦ୍ମ କଢ଼ି ଦ୍ଵାରା । ପାଦପାଣି - ଗୋଡ଼ହାତ, ପଦ୍ମଦ୍ଵାରା । ନାକ - ତିଳ ଫୁଲ ଦ୍ୱାରା । ଜାତ - ପଦ୍ମନୀ ଦ୍ଵାରା । ସୁମନସରେ - ଫୁଲମାନଙ୍କ ଦ୍ଵାରା । ସାରଙ୍ଗ ସଙ୍ଗ ରଙ୍ଗକୁ - କୃଷ୍ଣ ଭ୍ରମର ସହିତ ସମ୍ଭୋଗ କ୍ରୀଡ଼ାକୁ । ବର୍ଦ୍ଧନୀ - ବର୍ଦ୍ଧନକାରିଣୀ । ଏଠାରେ ଆଶୟରୁ ଉପମମାନ ଆସିଥିବାରୁ ଆଶୟ ଉପମା ଅଳଙ୍କାର ହୋଇଅଛି ।

 

୨୯ । ଅବ୍‌ଜରସ ଭୋଗୀ - ପଦ୍ମ ଓ ଚନ୍ଦ୍ର ପରି ମୁଖର ଶୋଭାରସ ଓ ଅଧରାମୃତ ଭୋଗକାରୀ । ଭ୍ରମର ଚକୋର - ଭ୍ରମର ପଦ୍ମ ପ୍ରତି ଓ ଚକୋର ଚନ୍ଦ୍ରକିରଣ ପ୍ରତି ଆଶାୟୀ । ଭ୍ରମର - ଭ୍ରମର ପରି ଆଖି । ଚକୋର - ଚକୋର ପକ୍ଷୀ ପରି ମୁଖ । ଅବ୍‌ଜ ପୂଜନେ - ଶଙ୍ଖପରି ଗ୍ରୀବା ଦ୍ଵାର । ସତ୍‌କାର କରିବାରେ ଅର୍ଥାତ୍ ଆଲିଙ୍ଗନ ଦ୍ୱାରା । ଶୋଭନ - ଶୋଭାଯୁକ୍ତ । ସର୍ବସୁର - ସବୁ ଦେବତା, ଇନ୍ଦ୍ରିୟ ସମୂହ । ଅରୁଣ ଲୋକନେ - ଅରୁଣ ପରି ଓଠକୁ ଦେଖୁରେ । ମୁଦ - ଆନନ୍ଦ । କୁମୁଦ - କଇଁଫୁଲ ପରି ହାସ । ବିପରୀତ କଥାରେ - ଓଲଟା କଥାରେ, ଅଦ୍ଭୁତ ଘଟଣାରେ । ସୁଗତି - ଉତ୍ତମ ଦଶା । ଏଠାରେ ପ୍ରତ୍ୟେକ ପାଦରେ ଅଦ୍ଭୁତ ସଙ୍କର ହୋଇଅଛି ।

 

୩୦ । ଲତାରେ - ଶ୍ରୀରାଧାଙ୍କ ଅଙ୍ଗ ରୂପକ ଲତାରେ । ଶଇଳ ସୁଫଳ - ପର୍ବତ ରୂପକ ସୁନ୍ଦର ଫଳ, ଉଚ୍ଚ କୁଚଦ୍ୱୟ । କମଳରେ - ଶ୍ରୀରାଧାଙ୍କ ମୁଖ ରୂପକ ପଦ୍ମରେ । କାଳିନ୍ଦୀର ଜଳ - ଶ୍ରୀରାଧାଙ୍କର କଳା ଡୋଳା ରୂପକ ଯମୁନାର ଜଳ । ବିଧୁରୁ - ମୁଖ ରୂପକ ଚନ୍ଦ୍ରରୁ । ଅରୁଣ - ଓଷ୍ଠ ରୂପକ ବାଳସୂର୍ଯ୍ୟ । ଅରୁଣରୁ - ଓଷ୍ଠରୁ । ବିଧୁ - ହାସ ରୂପକ ଚନ୍ଦ୍ର । ତାପୁଁ - ବିରହ ତାପରୁ । କମ୍ପ - ଶରୀରର କମ୍ପ । ସ୍ୱେଦ - ଝାଳ । ଦେଖି - ଦେଖିଲି । ବିଜନିତ – ସାତ୍ତ୍ୱିକ ବିକାର ଜାତ ହୋଇଛି । ଏଠାରେ ଅଦ୍ଭୁତ ଉପମା ହୋଇଅଛି ।

 

୩୧ । ସୁକରଜା - ଉତ୍ତମ ନଖ ବିଶିଷ୍ଟ ଶ୍ରୀରାଧା (ଏଠାରେ ଶୁକରଜା ଅର୍ଥାତ୍ ଘୁଷୁରିର ନାମ ଅପଶବ୍ଦ ପ୍ରଯୁକ୍ତ) । ତନୁ ଭୋଗ - ଦେହ ସମ୍ଭୋଗ । ବିଧି - ବିଧାତା । ହରିଲା - ହରଣ କଲା । କୁକର - ପୃଥିବୀ ଯାହାର ହସ୍ତଗତ (ଏଠାରେ କୁକୁର ଅପଶବ୍ଦ ପ୍ରଯୁକ୍ତ) । ଦାନବର ପତି ପଦ - ଦାନବପତି ବଳିର ପଦ, ଇନ୍ଦ୍ରପଦ । କେହି - କିପରି । ତା ସ୍ଵଭାବକୁ - ବିଧବା ସ୍ଵଭାବକୁ । କିସ ପ୍ରଶଂସିବି - କି ପ୍ରଶଂସା କରିବି ।

 

୩୨ । ରମ୍ଭା ଉରୁ ବସିବାର - ରମ୍ଭୋରୁ ଶ୍ରୀରାଧାଙ୍କର ବସିବାର । ଆଣିକି - ଶୋଭାକୁ । ଲୋକରେ - ଦେଖିବାରେ । ରମ୍ଭା ଉରୁବଶୀବାର - ରମ୍ଭା ଓ ଉର୍ବଶୀଙ୍କୁ । ଆଣିକି-ଅଣା ହୋଇଛନ୍ତି କି । ଲୋକରେଏହି ଜଗତକୁ । ହଂସ - ସୂର୍ଯ୍ୟ । କାନ୍ତ - ସୌନ୍ଦର୍ଯ୍ୟକୁ । ଆଲୋକରେ - ଦେଖି କରି । ଖରେ - ଆକାଶରେ । ଗତି ରହେ - ଗମନ କରନ୍ତି । ହଂସ ଗତି - ସୂର୍ଯ୍ୟଙ୍କ ଗତି । ଖରେ - ଆକାଶରେ ରହେ । ଏଠାରେ ସ୍ପଷ୍ଟ ଭାବରେ ସୁଚିତ ଯେ ଶ୍ରୀରାଧା ସୂର୍ଯ୍ୟଙ୍କଠାରୁ ତେଜସ୍ୱିନୀ । ହଂସ - ସୂର୍ଯ୍ୟ । କାନ୍ତଗତି - ଶ୍ରୀରାଧାଙ୍କର ସୁନ୍ଦର ଗମନ । ଖରେ - ଶୀଘ୍ର । ଗତି ରହେ - ଥକିଯାଏ । ଏଠାରେ ଦୁଇ ଧାଡ଼ି ଗୋଟିଏ ରୂପ ଓ ଅନ୍ୟ ଦୁଇ ଧାଡ଼ି ଗୋଟିଏ ରୂପ ହୋଇରୁ ମହାଯମକ ହୋଇଅଛି ।

 

୩୩ । ବିଭାବରେ - ଉଦ୍ଦୀପନ ବିଭାବ ଭାବରେ । ହରି - ଚନ୍ଦ୍ର । ମନର - ଚିତ୍ତରେ । ଶରେ - ବାଣମାନଙ୍କୁ । ବରଷୁ - ବୃଷ୍ଟିକରୁ । ବରେ - ଅଧିକ ଭାବରେ । ବିଭା - ବିଶିଷ୍ଟ କାନ୍ତି । ରସରେ - ଅନୁରାଗରେ । ରସୁ - ଆସକ୍ତ ହେଉ । ହରି ବର - କୋକିଳ ଶ୍ରେଷ୍ଠ । ବିଭାବରେ ବିଶେଷ ଭାବରେ, ପକ୍ଷୀ ଭାବରେ । ରସରେ - କାମ କ୍ରୀଡ଼ାରେ । ସୁମନ - ଦତ୍ତମନ । ବରେ - ବିଶେଷ ଭାବରେ । ହରି - ଗ୍ରହଣ କରିବାରୁ । ବର ସୁମନର - ଉତ୍କୃଷ୍ଟ ଫୁଲମାନଙ୍କର । ବିଭା - ବିଶେଷ ଶୋଭା । ସରେ - ସରିଲାଣି । ଅନ୍ୟ ପକ୍ଷରେ ଅର୍ଥ – (ଦ୍ୱିତୀୟ ଧାଡ଼ିଠାରୁ) - ହରି - ପବନ । ବର ସୁମନ - ଉତ୍ତମ ପୁଷ୍ପମାନଙ୍କୁ । ରସରେ - ଶୃଙ୍ଗାର ରସରେ । ବରେ - ବରି କରି । ବିଭା - ବିବାହ । ବର ସୁମନ - ଉତ୍କୃଷ୍ଟ ବୁଦ୍ଧିମତୀ । ହରି - ଶ୍ରୀକୃଷ୍ଣ । ରସରେ - ସମ୍ଭୋଗ ଇଚ୍ଛାରେ । ବିଭାବ - ବିଶେଷ ଚିନ୍ତିତ । ଏଠାରେ ସମସ୍ତ ଧାଡ଼ିରେ ଏକରୂପତା ପ୍ରକାଶ ହେତୁ ସର୍ବଯମକ ହୋଇଅଛି ।

 

୩୪ । ଭୂରେ - ପୃଥିବୀରେ । ପ୍ରଭୁର - ମାଲିକର । ଦାସର - ଚାକରର । ରସିକିନୀ - ରସିକା । ସ୍ତ୍ରୀମାନେ । ଆଶ ବିନାଶରେ - ଆଶା ତୁଟିଯିବାରେ । ଜୀବଧନ - ପ୍ରାଣର ଧନ । ବାଞ୍ଛିତ - ମନୋରଥ । ଏଠାରେ ନାୟକ ମୁଖରେ ଛଳ କଥା ପ୍ରକାଶିତ ହୋଇଥିବାରୁ ଛଳୋକ୍ତି ହୋଇଅଛି ।

 

୩୫ । ବର୍ଣ୍ଣ ସ୍ୱର୍ଣ୍ଣ ମୂର୍ତ୍ତି - ସ୍ୱର୍ଣ୍ଣବର୍ଣ୍ଣ ଶ୍ରୀରାଧା । ବୃତ୍ତି ଅଛଇ - ବର୍ତ୍ତମାନ ଅଛି । ଯୁଗତେ - ଏ ଯୁଗରେ, ପ୍ରକୃତରେ । ପୃଥ୍ୱୀ ଅର୍ଥ1 - ପୃଥିବୀରେ ରାଜା ହେବାକୁ ପ୍ରାର୍ଥୀ । ଅର୍ଥ - ସଂପଦ । ବ୍ୟର୍ଥ - ବୃଥା । ବନ୍ଧୁ ଭୋଗେ - ଶ୍ରୀରାଧାଙ୍କ ସମ୍ଭୋଗରେ । ବିଷ୍ଣୁ - ନାରାୟଣ । ଜିଷ୍ଣୁ-ଇନ୍ଦ୍ର । ଭର୍ଗ - ଶିବ । ସର୍ଗ - ସୃଷ୍ଟି । କଳ୍ପଲତା - କଳ୍ପବୃକ୍ଷ ସ୍ଵରୁପା ଶ୍ରୀରାଧା । କୃପା - ଦୟା । ଭକ୍ତି - ଈଶ୍ୱର ଭକ୍ତି । ମୁକ୍ତି - ମୋକ୍ଷ । ଅଳ୍ପ - ଛୋଟ । ଏଠାରେ ଲଘୁ ଓ ଗୁରୁ ବର୍ଣ୍ଣର ଯୋଗ ହୋଇଥିବାରୁ ଗୁରୁ ଲଘୁ ବର୍ଣ୍ଣାଭାସ ହୋଇଅଛି ।

 

୩୬ । ଅକ୍ଷ ଆକ୍ଷେପରେ - ଇନ୍ଦ୍ରିୟମାନଙ୍କୁ ହରଣ କରିବାରେ । ଈଶ – ସମର୍ଥା । ଇତସ୍ତତ - ଚାଞ୍ଚଲ୍ୟ । ହର - ହରଣ କର । ଉରୁ ଉଜ୍ୱଳକୁ - ଉତ୍କୃଷ୍ଟ ଶୃଙ୍ଗାର ରସକୁ । ରୁଚିରୂପା - ସୁନ୍ଦରୀ । ଐକ୍ୟ ଭାବନାକୁ - ଏକାକାର ହେବାକୁ । ଲୁବ୍‌ଧି - ଲୋଭ କରିଅଛି । ଔଷଧ - ଟାଣୁଆ ଓଷଦ, ରତି ରୂପକ ଔଷଧ । ଏଠାରେ ସମସ୍ତ ସ୍ୱର ଥିବାରୁ ପର ସଂଯୋଗାଭାସ ହୋଇଅଛି ।

 

୩୭ । କାନ୍ତି ଗୁଣରେଦେହର ଲାବଣ୍ୟରେ । ଗୌରୀ - ହଳଦୀ ଓ ପାର୍ବତୀ । ଯତନ ଠିକଣା ! ରାଧା ସୌନ୍ଦର୍ଯ୍ୟରେ ପାର୍ବତୀଙ୍କଠାରୁ ଅଧିକ ଏବଂ ବର୍ଣ୍ଣରେ ହଳଦୀଠାରୁ ଅଧିକ । ରାଧା ମାଧୁର୍ଯ୍ୟରେ ସୀତାଙ୍କଠାରୁ ଅଧିକ । କାମ ବିନୋଦରେ - ରତିକ୍ରୀଡ଼ାରେ, କନ୍ଦର୍ପକୁ ଆନନ୍ଦିତ କରିବାରେ ରତି - କନ୍ଦର୍ପର ପତ୍ନୀ । ରଞ୍ଜନ - ମନୋହର । ଲାଳିତ୍ୟରେ ସରସ କୋମଳତାରେ । ବାଣୀ ଆଣି - ସରସ୍ୱତୀଙ୍କ ଗର୍ବ । କେତେକ ଶୋଭନ - କେଡ଼େ ସୁନ୍ଦର । ଲାଳିତ୍ୟରେ ରାଧା ସରସ୍ୱତୀଙ୍କଠାରୁ ଅଧିକ । ଏଠାରେ ଉପମାନଙ୍କର ନିରସ୍ତତା, ଉପମେୟର ଆଧିକ୍ୟ ହେତୁ ଉପମା ବୈଚିତ୍ର୍ୟ ହୋଇଅଛି ।

 

୩୮ । ତିନିବର୍ଣ୍ଣେ - ତିନି ଅକ୍ଷରରେ । ଚାରିବେଦ ତିନି ଅକ୍ଷରରେ - ଆଗମ । ଏହାର ମଧ୍ୟ ‘ଗ', ଅର୍ଥାତ୍ ସଙ୍ଗୀତ ବା ଇନ୍ଦ୍ରିୟ । ଚାରିବର୍ଗ - ଧର୍ମ, ଅର୍ଥ, କାମ ଓ ମୋକ୍ଷ । ତିନି ବର୍ଣ୍ଣରେ ଚାରିଦେବୀ - ରାମାକୁ; ରା - ଅଗ୍ନିଙ୍କ ସ୍ତ୍ରୀ, ଆ - ସାବିତ୍ରୀ, ମା - ଲକ୍ଷ୍ମୀ, କୁ - ଭୂଦେବୀ । ମଧ୍ୟ ଦାନ କଲେ - ‘ମା’କୁ ଦାନ କଲେ, ‘ଶୋଭା’କୁ ଦାନକଲେ । ‘ରା’କୁ ଦାନ କଲେ - 'ରା’କୁ ନାଶ କଲେ । ‘ଆମ’ ଅଙ୍ଗୀକାର କଲେ । ରାମାକୁ ‘ମାକୁ’ ନାଶ କଲେ । ‘ରାକୁ’ - ଧନକୁ ବା ରତିକୁ । ଅନ୍ୟ ପ୍ରକାରରେ, ଚାରିଦେବୀ - ଭବାନୀ, କୌମାରୀ, ସୂରସା ଓ ହଂସସ୍ଥା । ଏମାନେ ଯଥାକ୍ରମେ ପାର୍ବତୀ, କାର୍ତ୍ତିକେୟଙ୍କ ପତ୍ନୀ, ରତିପ୍ରିୟା କାଳୀ ଓ ସରସ୍ଵତୀ । ଏହି ଚାରିଦେବୀଙ୍କ ନାମର ମଧ୍ୟ ଅକ୍ଷର ଦାନ କଲେ ହେବ “ବାମାରସ” ।

 

୩୯ । ସୁଦରଶନ ବହକ - ସୁଦର୍ଶନ ଚକ୍ରଧାରୀ ବିଷ୍ଣୁ । ଗତି - ଆଶ୍ରୟ । ବର୍ଣ୍ଣ - ଅକ୍ଷର । ଅସ୍ତବ୍ୟସ୍ତ - ଓଲଟପାଲଟ । ହସୁତରଦବସନ - ହାସଯୁକ୍ତ ଓଠ । ଅପୂର୍ବ ବାଞ୍ଛିତ ପଦାର୍ଥ - ଅମୃତ । ବିମୁଦନ - ଆନନ୍ଦ ! ନାନାପରି - ଅନେକ ପ୍ରକାର । ପ୍ରସଙ୍ଗେ - ବିବିଧ ବନ୍ଧରେ । ବର୍ଣ୍ଣ - ଓଷ୍ଠାଦିର ରକ୍ତିମାଭା । ଅସ୍ତବ୍ୟସ୍ତ - ଦନ୍ତକ୍ଷତାଦି ଦ୍ୱାରା ଭ୍ରଷ୍ଟ । ଭାବ - ପ୍ରେମ ବା ଅର୍ଥ ।

 

୪୦ । କଞ୍ଜ - ପଦ୍ମ ବଦନ ଶ୍ରୀରାଧାଙ୍କ ମୁଖ । ରଞ୍ଜନ - ଶୋଭା । ଜନହରଷ ଦାୟକ - ଲୋକମାନଙ୍କର ଆନନ୍ଦଦାୟକ । ବର ପରସନ୍ନ - ଅତ୍ୟନ୍ତ ନିର୍ମଳ, ଅତ୍ୟନ୍ତ ଉଜ୍ଜଳ । ସନକ ମନ ବଶକ - ସନକାଦି ଋଷିମାନଙ୍କର ମନକୁ ବଶ କରେ । ସଦନ ତହସ - ହାସର ସ୍ଥାନ । ଦଶନ ତରାସ - ଦାନ୍ତର ଶୋଭା । ହଂସ ଗମନ ରଖଇ - ଅତି ଦୀପ୍ତମନ୍ତ ହଂସ ଆଶ୍ଚର୍ଯ୍ୟାନ୍ୱିତ ହୋଇ ସ୍ଥିର ହୋଇଯାଏ ।

 

୪୧ । ବରବାରଣ ଗମନା - ଗଜେନ୍ଦ୍ରଗାମିନୀ ଶ୍ରୀରାଧା । ମନାଉଛି - ସେବା କରୁଛି । ଅନାୟତ୍ତରେ - ଅଣଆୟତ୍ତରେ । ସୁମୁହିଁ - ସୁମୁଖୀ । ବିମନା - ଦୁଃଖିତ । କରକ ଦାଶନା - ଡାଳିମ୍ବବୀଜଦନ୍ତୀ । ମନାକ - ଅଳ୍ପ । ସନାଥ - ଆଶ୍ରୟବାନ । ନିରତ - ସର୍ବଦା ରତ ସମ୍ଭୋଗ । ଏଠାରେ, ନାନା ଇତସ୍ତତଃ ଭାବରେ ଥିବାରୁ ମଣ୍ଡୁକପ୍ଳୁତ ଶୃଙ୍ଖଳା ହୋଇଅଛି ।

 

୪୨ । ରସା ସାରରସ - ପୃଥିବୀର ସାରରସ, ଶୃଙ୍ଗାର ରସ । ବରରସ ସର - ଶ୍ରେଷ୍ଠ ରସର (ଶୃଙ୍ଗାର ରସର) ପୁଷ୍କରିଣୀ ବା ଆଧାର । ହିତ - ହିତକାରିଣୀ । ସେବ - ସେବାକର । ବିଭୀ - ଭୟଶୂନ୍ୟ । ଭୀ - ଭୟ । ବ ବତ - ଜଳପରି । ରସ ସଦା - ସର୍ବଦା ଅନୁରାଗ ପ୍ରକାଶ କର । ହୀନନର - ନିକୃଷ୍ଟ ମନୁଷ୍ୟ । ଦାସ - ଚାକର । ସଦାଦାହି - ସର୍ବଦା ଦୁଃଖିତ । ଏଠାରେ, ବର ସର ରସ, ରସା ସାର ରସ, ହିତତ ପ୍ରଭୃତି ପଦ ପ୍ରୟୋଗ ହେତୁ ଗଙ୍ଗା ସ୍ରୋତାଧିକାର ଶୃଙ୍ଖଳା ହୋଇଅଛି ।

 

୪୩ । ସାରଙ୍ଗ ରଙ୍ଗ - କନ୍ଦର୍ପ କ୍ରୀଡ଼ା । ଗରୁ - ଅଭାବରୁ । ତରୁଣୀ - ଶ୍ରୀରାଧା । ଋଣୀ ଧାରୁଆ । ପରମ ରମଣୀ ମଣି - ସୁନ୍ଦରୀ ରମଣୀ ଶ୍ରେଷ୍ଠା । ବତପତ ପର - କାମ ତାପରେ ତାପିତା ଧନୀର - ଶ୍ରୀରାଧାଙ୍କର । ନିରତରତ - ସର୍ବଦା ଆସକ୍ତ । ରତର କରକ - ପ୍ରୀତିକାରକ । ବିହିତ - ଉଚିତ । ହିତ - ଉପକାର । ହୀରକ - ହୀରା । ରଙ୍କ - ଦରିଦ୍ର । ଏଠାରେ ସବୁ ପାଦରେ ଶୃଙ୍ଖଳା ଥୁରୁ ସର୍ବାଙ୍ଗ ପାଦ ଶୃଙ୍ଖଳା ହୋଇଅଛି ।

 

୪୪ । ଗଞ୍ଜନରେ - ତିରସ୍କାର କରି ବାରେ, ଗଞ୍ଜଣା ଦେବାରେ । ସଂହନନ - ଶରୀର । କଞ୍ଚନରେ - ସୁନାରେ । ଭୀଦ - ଭୀତିଦାୟକ, ଭୟପ୍ରଦ । ଉମା - ପାର୍ବତୀ । ମାତ - ଲକ୍ଷ୍ମୀ । କଚଟତପ ଗଜଡ଼ଦବ ଅର୍ଥ - ଗଞ୍ଜନରେ ସଂହନନ ଭୀଦ ଗଞ୍ଜନରେ । ବଡ଼ରେ ଅଲକ୍ଷ୍ୟ ଉମା ମାଦଦବ ଡରେ । ସଂହନନ - ପ୍ରହାର ଦ୍ୱାରା । ଭୀଦ - ଭୟପ୍ରଦ । ଗଞ୍ଜନରେ - ଯନ୍ତ୍ରଣରେ । ନରେ - ନକର, ନାହିଁ କରିବାରେ । ଗଞ୍ଜେ - ଗଞ୍ଜୁଅଛି । ବଡ଼ରେ - ବଡ଼ପଣରେ । ଅଲକ୍ଷ୍ୟ - ଅସଦୃଶ ! ଉମା - ପାର୍ବତୀ । ମାଦଦବ - ଗର୍ବ ରୂପକ ବନାଗ୍ନି । ଡରେ - ଭୟ କରେ । ଗଜଡ଼ଦବ - କଚଟତପ ଅର୍ଥ : କଞ୍ଚନରେ - କଞ୍ଚନ ଫୁଲପରି । ସଂହନନ - ଦେହ । କଞ୍ଚନରେ - ସୁନାକୁ । ଭୀଦ - ଭୟପ୍ରଦ । ଉମାପଟରେ - ତୁଳନାରେ । ଅଲକ୍ଷ୍ୟା ପଟରେ - ବସ୍ତ୍ରରେ । ମା - ଲକ୍ଷ୍ମୀ ଅର୍ଥାତ୍ ଶୋଭା । ତତ - ବ୍ୟାପ୍ତ ।

 

୪୫ । ଭାବର ଧନ - ଭାବନାର ଧନ ସ୍ଵରୂପ, କାନ୍ତି ବର୍ଦ୍ଧନଶୀଳ ଶ୍ରୀକୃଷ୍ଣ । ତାହି - ତାହାଙ୍କୁ, ଶ୍ରୀରାଧାଙ୍କୁ । ଭାବନା – ଚିନ୍ତାଧାରା । କେହି - କେବେହେଲେ । ପାଞ୍ଚ ଚତୁର - ପଞ୍ଚଜାଳିଶ । ବାଳିଶ - ମୂର୍ଖ । ଭାବ ସମୁଦ୍ର - ଶ୍ରୀରାଧା ଏବଂ ଶ୍ରୀକୃଷ୍ଣଙ୍କର ପ୍ରୀତିରୂପକ ସମୁଦ୍ର । କଳିବେ - କଳନା କରିବେ । ବାକି - ଅବଶିଷ୍ଟ ।

 

 

ପଞ୍ଚତ୍ରିଂଶ ଛାନ୍ଦ

 

୧ । ସନ୍ଥଜନେ - ସାଧୁ ଲୋକମାନେ । ଗୋବିନ୍ଦଶ୍ରୀ କୃଷ୍ଣ । ଚିନ୍ତାଭାଷ - ଚିନ୍ତାର କଥା ।

୨ । ତରଅ - ବସର । ତରକିଲେ - ବ୍ୟସ୍ତ ହେଲେ । ମହାକାତର । - ଅତି ଆତୁରତା ।

 

୩ । ଭାବରଙ୍କ - କାନ୍ତିରେ ଶ୍ରେଷ୍ଠ ଶ୍ରୀକୃଷ୍ଣ, ଶ୍ରୀରାଧାଙ୍କ ପ୍ରେମପ୍ରାର୍ଥୀ ବ୍ୟଗ୍ର ଶ୍ରୀକୃଷ୍ଣ । ଦଶା - ଅବସ୍ଥା । ଭାବର - ଭାବନାଜନିତ ଆଶାରସେ - ରସଭୋଗ ଆଶାରେ । ଆସାର ଧାରାବୃଷ୍ଟି ।

 

୪ । ହାସ ବଦନେ ନାହିଁ - ମୁହଁରେ ହସ ନାହିଁ । ହାଶବଦ - ମୁହଁରେ ଅଛି ହାହାକାର ଶବ୍ଦ । କୁମୁଦନ୍ତି - ଯେ ପୃଥିବୀକୁ ଆନନ୍ଦ ଦେଉଥାଆନ୍ତି, ସଦା ଆନନ୍ଦିତ । କୁମୁଦ - ଦୁଃଖ ।

 

୫ । କାମିନୀରତେ - ଶ୍ରୀରାଧାଙ୍କ ସୁରତରେ । କାମୀ - କାମନା ପୋଷଣକାରୀ । ନିରତେ - ସର୍ବଦା । ଭାବର - କାନ୍ତିରେ ଶ୍ରେଷ୍ଠ ଶ୍ରୀକୃଷ୍ଣ । ସୁଭାବ ରଚିତେ - ଉତ୍ତମଭାବ ସୃଷ୍ଟି ହେବାରୁ ।

 

୬ । ବାକ୍ୟ - କଥା । ଶକ୍ୟ - ସମର୍ଥ । ଦୁଃଖଦ - କଷ୍ଟଦାୟକ ।

୭ । ବିଶ୍ୱମୋହିତ - ସମଗ୍ର ବିଶ୍ୱକୁ ମୁଗ୍‌ଧ କରିବା । ଚିତ୍ର - ଆଶ୍ଚର୍ଯ୍ୟ । ଧୃତିହାରୀ - ଧୈର୍ଯ୍ୟହାରିଣୀ । ରାମାମାତ୍ର - ସାମାନ୍ୟ ନାରୀ ।

 

୮ । କ୍ଲିଷ୍ଟ କ୍ଳିଷ୍ଟରେ - ଅତ୍ୟନ୍ତ କଷ୍ଟରେ । କଥନ - କହିଲେ ।

୯ । ବ୍ୟାଧିବନ୍ତ - ରୋଗୀ । ବାଞ୍ଛା ମଉଷଧି - ବାଞ୍ଛିତ ମହୌଷଧ । ବ୍ୟକ୍ତ - ସ୍ପଷ୍ଟ । ବିଧି - ବିଧାତା ।

 

୧୦ । ନବନାଗରୀ - ନୂତନା ରସିକା, ଶ୍ରୀରାଧା । ପ୍ରେମସୁଧା ସଦ୍ମ - ପ୍ରେମ ରୂପକ ଅମୃତର ଆଧାର । ଛଦ୍ମ - ମିଥ୍ୟା, ଅନ୍ତର୍ଦ୍ଧାନ ।

 

୧୧ । ନେତ୍ର ଭ୍ରମର - ଚକ୍ଷୁ ରୂପକ ଭ୍ରମର । ମୁଖକଞ୍ଜ - ମୁଖ ରୂପକ ପଦ୍ମ । ଚିତ୍ତସରଘା ମନରୂପକ ମହୁମାଛି । ଭଗ୍ନ - ବିମୁଖ ।

 

୧୨ । କୃତ ସୁକୃତ - କରିଥିବା ପୁଣ୍ୟ । ଗିର - ବଚନ । ସ୍ୱପ୍ନକୁ - ସ୍ଵପ୍ନର ଘଟଣାକୁ ।

୧୩ । ପ୍ଲୁତଭଙ୍ଗୀ - ବହୁତ ପରିହାସ । କ୍ଳୁପ୍ତ - ପ୍ରକାଶିତ । ଯୋଗଭଙ୍ଗୀ - ଯୋଗ ଭଙ୍ଗକାରିଣୀ ଶ୍ରୀରାଧା । ଭାବ - ପ୍ରେମଭାବ ।

 

୧୪ । ଶଶ ଗାଲିକାଣ୍ଡ ଦଣ୍ଡ ପ୍ରମାଣି - କର୍ଣ୍ଣୀ ଶରଦ୍ୱାରା ଆଘାତପ୍ରାପ୍ତ ଠେକୁଆ ଛଟପଟ ହେଲାପରି । ତା ଗଲାପଥେ - ଶ୍ରୀରାଧାଙ୍କର ଯିବା ବାଟରେ ।

 

୧୫ । କୁକୁନ୍ଦର ଶୋଭନୀ - ନିତମ୍ବର କୂପକ ଦ୍ଵାରା ଶୋଭିତା ଶ୍ରୀରାଧା ।

୧୬ । ସେନେହ - ପ୍ରଣୟ । ଜୀବ - ପ୍ରାଣ । ବୈ - ନିଶ୍ଚୟ । ବୈଶ୍ରବଣ - କୁବେର । ବିଭୂତି - ସମ୍ପତ୍ତି ।

 

୧୭ । ଗୋଗୋଷ୍ଠ - ଗାଈ ଗୋଠ । ଭାଳିବା - ଚିନ୍ତା କରିବା । କୌ - ପୃଥିବୀରେ । କୌଶଳା - ନିପୁଣା ।

୧୮ । କଙ୍କଣ - ସ୍ୱପ୍ନ ନିବାରକ କଙ୍କଣ । ମଧୁ - ଶ୍ରୀକୃଷ୍ଣଙ୍କ ସଖା । କଃ କଂକିଏ କାହାକୁ ବୋଲି । କଞ୍ଜାକ୍ଷ - ପଦ୍ମନେତ୍ର, ଶ୍ରୀକୃଷ୍ଣ । ଶୁଭିଆଣି - ମଙ୍ଗଳସୂଚକ ବାଣୀ ।

 

୧୯ । କଞ୍ଜନୟନ - ପଦ୍ମନେତ୍ର ଶ୍ରୀକୃଷ୍ଣ । ହୃଦେ - ବକ୍ଷରେ । ହାର - ମୁକ୍ତାମାଳା । ଚମକ୍ତାର - ଆଶ୍ଚର୍ଯ୍ୟ । ସ୍ୱପ୍ନ ଅଙ୍ଗୀକାର - ସ୍ଵପ୍ନରେ ସ୍ୱୀକୃତି ।

 

୨୦ । ଧୀରତି - ଧୃତି, ଧୈର୍ଯ୍ୟ । ଘେନନ୍ତା - ଗ୍ରହଣ କରନ୍ତୁ ।

୨୧ । ଗିର - କଥା । ଖରେ - ଶୀଘ୍ର ।

୨୨ । ଛଳି - ଆଶ୍ୱାସନା ଦେଇ । ଛଇଳବର - ସୁନ୍ଦର ଶ୍ରେଷ୍ଠ ଶ୍ରୀକୃଷ୍ଣ ।

 

୨୩ । ଥୟେ - ସ୍ଥିର ହୋଇ । ଫରଚାରେ - ସ୍ପଷ୍ଟ ଭାବରେ ।

୨୪ । ଗତାଗତ - ଚଞ୍ଚଳ । ଯତ୍ନେ - ସ୍ପଷ୍ଟ ଭାବରେ ।

୨୫ । ଡକାକରୁଛି - ଡାକ ଦେଉଛି । କାମ - କନ୍ଦର୍ପ । ଦହି ହେଲିଟି - ପୋଡ଼ି ଗଲିଟି । ସଖାରାଶି - ବନ୍ଧୁମାନେ ।

 

୨୬ । ବଚ - କଥା । ବାଚକ - କହିଲେ । ମଧୁ - ଶ୍ରୀକୃଷ୍ଣଙ୍କର ସଖା । ମଧୁରରେ - ମିଷ୍ଟ ଭାବରେ । ଘନରସଦା - ଗାଢ଼ ରସଦାୟିନୀ ଶ୍ରୀରାଧା । ଖରେ - ଶୀଘ୍ର ।

 

୨୭ । ଝସନୟନା - ମୀନନୟନା, ଶ୍ରୀରାଧା । ବିନା କବଚ - କବଚ ବ୍ୟତୀତ । ଢମ - ଆଡ଼ମ୍ବର । ଆନ ଉପାୟ - ଅନ୍ୟ ଉପାୟ । ଭୂରେ - ପୃଥିବୀରେ ।

 

୨୮ । ଧର ଧର - ଗ୍ରହଣ କର । ଉପଦେଶ - ଶିକ୍ଷା । ଭଙ୍ଗୀ ଭାବରେ - ଶ୍ରୀରାଧାଙ୍କର ଭଙ୍ଗୀ ସୂଚକ ଓ ପ୍ରଣୟ ସୂଚକ ନାମରେ । ଅଙ୍ଗନ୍ୟାସ - ଅବୟବମାନଙ୍କରେ କବଚ ବିନ୍ୟାସ ।

 

୨୯ । ଉଙ୍କାରିଲେ - ଉଚ୍ଚାରଣ କଲେ । ଓଁକାର ରତିବୀଜ - ଓଁ କ୍ଳୀଂ । ନ୍ୟାସି - ଅଙ୍ଗମାନଙ୍କରେ ନ୍ୟାସ କରି । କାମ ଗାୟତ୍ରୀ - କନ୍ଦର୍ପର ଗାୟତ୍ରୀ ମନ୍ତ୍ର (‘‘ରତି ପ୍ରିୟାୟ ବିଦ୍‌ମହେ, କାମଦେବାୟ ଧୀମହୀ ତନ୍ନଃ ସ୍ମରଃ ପ୍ରଚୋଦୟାତ୍")

 

୩୦ । ଣ କାରଣକୁ – ଣ ବୀଜକୁ । ଦେବତା - କନ୍ଦର୍ପ । ଗଉରୀ - ଗୌରବର୍ଣ୍ଣା ଶ୍ରୀରାଧା ବା ପାର୍ବତୀ । ରୂପଧ୍ୟାୟୀ - ରୂପଧ୍ୟାନକାରୀ ।

 

୩୧ । ମନ ମୁଦ୍ରା - ଯୋନିମୁଦ୍ରା ହୃଦୟରେ ରଖି । ମଦନ ଋଷି ଛନ୍ଦ - ମଦନ ଋଷି ଓ ଗାୟତ୍ରୀ ଛନ୍ଦ ନ୍ୟାସ କରି । ଅକ୍ଷମୟୀ - ବର୍ଣ୍ଣମୟୀ ମାତୃକା ନ୍ୟାସ କରି । ଆସନ ବନ୍ଧ - ପଦ୍ମାସନ କଲେ ।

 

୩୨ । ଅଙ୍ଗ - ଅବୟବମାନଙ୍କୁ । ଅଙ୍ଗନାବର - ନାରୀଶ୍ରେଷ୍ଠା ଶ୍ରୀରାଧା । ଆର୍ତ୍ତ - ଦୁଃଖ । ଆହାଲାଦିନୀ - ଆହ୍ଲାଦଦାୟିନୀ ଶ୍ରୀରାଧା । ହରୁ - ହରଣ କରୁ ।

 

୩୩ । ଇଙ୍ଗିତ ଶୀଳା - ହାବଭାବମୟୀ । ଇତସ୍ତତ - ବ୍ୟାକୁଳତା । ଇନ୍ଦିରାଜିତା - ଲକ୍ଷ୍ମୀଙ୍କୁ ଯେ ଜିତିଛି, ଶ୍ରୀରାଧା ।

୩୪ । ଉରୁ ଶୋଭିନୀ - ଉତ୍ତମ ଉରୁ ଦ୍ଵାରା ଶୋଭିତା, ଶ୍ରୀରାଧା । ମାନସରେ - ମନ ମଧ୍ୟରେ । ଉଚ୍ଚସ୍ତନା - ଉନ୍ନତସ୍ତନା ଶ୍ରୀରାଧା । ଆଶ୍ଵାସୁ - ଆଶ୍ୱାସନା ଦେଉ ।

 

୩୫ । ଋଷି ମୋହିନୀ - ମୁନିମାନଙ୍କର ମୋହକାରିଣୀ, ଶ୍ରୀରାଧା । ରୁଚିରୂପା - ସୁନ୍ଦରୀ ଶ୍ରୀରାଧା ।

୩୬ । ଲୁଳିତାଳକୀ - ଝୁଲୁଥିବା ଚୂର୍ଣ୍ଣକୁନ୍ତଳା । ଶ୍ରୁତି - କାନ । ଉଦ୍ଧରୁ - ଉଦ୍ଧାର କରୁ, ରକ୍ଷାକରୁ । ଲୁକର୍ଣ୍ଣା - ଲୁକାର ପରି କର୍ଣ୍ଣ ଯାହାର, ଶ୍ରୀରାଧା । ଭ୍ରୁଲତା ସ୍ଥାନ - ଭୂରୁ ।

 

୩୭ । ଏଣୀ ନୟନୀ - ମୃଗନୟନା, ଶ୍ରୀରାଧା । ନୟନରେ ରସୁ - ଆଖିକୁ ସନ୍ତୁଷ୍ଟ କରୁ । ଐରାବତଗତି - ଗଜଗମନା, ଶ୍ରୀରାଧା । ନାସେ ବିଳସୁ - ନାସିକାକୁ ସନ୍ତୁଷ୍ଟ କରୁ ।

 

୩୮ । ଓଷଧୀଶାନନୀ - ଚନ୍ଦ୍ରମୁଖୀ ଶ୍ରୀରାଧା । ଗଣ୍ଡ - ଗାଲ । ଔଦାର୍ଯ୍ୟ - ଉଦାରହୃଦୟା ଶ୍ରୀରାଧା ।

୩୯ । ଅଂସ ଶୋଭିନୀ - ସୁନ୍ଦର କାନ୍ଧବିଶିଷ୍ଟା ଶ୍ରୀରାଧା । ରସୁ - ତୃପ୍ତକରୁ । ରସନାକୁ ଜିହ୍ୱାକୁ । ଆର୍ଯ୍ୟା - ପୂଜ୍ୟା ଶ୍ରୀରାଧା । ଆଦରି ରହୁ - ଆଦର ଭାବ ସହିତ ରହୁ । ବଚନକୁ - କଥାକୁ ।

 

୪୦ । କମ୍ୱୁକଣ୍ଠୀ - ଶଙ୍ଖପରି ଯାହାର କଣ୍ଠ, ଶ୍ରୀରାଧା । ବାସକରୁ - ରହୁ । ଖଞ୍ଜନାକ୍ଷୀ - ଖଞ୍ଜନନୟନା, ଶ୍ରୀରାଧା ।

୪୧ । ଗଜଗମନା - ମନ୍ଥର ଗମନା, ଶ୍ରୀରାଧା । ଘନଜଘନା - ନିବିଡ଼ ଓ ଘନଜଘନ ବିଶିଷ୍ଟ ଶ୍ରୀରାଧା ।

 

୪୨ । ଉଜ୍ଜ୍ୱଳଦା - ଶୃଙ୍ଗାର ରସଦାୟିନୀ, ଶ୍ରୀରାଧା କର କାରଣ - ହସ୍ତର ସୁଗତି । ଚକ୍ର ନିତମ୍ବା - ଚକ୍ର ପରି ଗୋଲ ନିତମ୍ବିନୀ, ଶ୍ରୀରାଧା । ଉର - ଛାତିର । ବିମୋକ୍ଷଣ - ମୁକ୍ତିର ସୁଖ ।

 

୪୩ । ଛଳ ବଚନା - ଚକ୍ରୋକ୍ତି କାରିଣୀ, ଶ୍ରୀରାଧା । କକ୍ଷ - କାଖ । ବକ୍ଷ - ଛାତି । ଜଗବନ୍ଦନୀ - ଜଗତ ପୂଜ୍ୟା, ଶ୍ରୀରାଧା ରକ୍ଷ - ରକ୍ଷାକର ।

 

୪୪ । ଝଳିବରନା – ଉଜ୍ଜ୍ୱଳବର୍ଣ୍ଣା, ଶ୍ରୀରାଧା । ନାଭିବିଳାସିନୀ - ନାଭିରେ ବିଳାସବତୀ ହେଉ । ନ୍ୟାୟନିଧାନୀ - ନ୍ୟାୟପରାୟଣା, ଶ୍ରୀରାଧା । ସୁପୃଷ୍ଠମଣ୍ଡନୀ - ପିଠିର ମଣ୍ଡନକାରିଣୀ ।

 

୪୫ । ଟଳଟଳ ଗମନା - ଢଳି ଢଳି ଯେ ଚାଲେ, ଶ୍ରୀରାଧା । ମଧ୍ୟେ - ମଝି ଅଙ୍ଗରେ । ଠଣ ଚରଣୀ - ସୁନ୍ଦର ପାଦବିଶିଷ୍ଟା, ଶ୍ରୀରାଧା । ଆକର୍ଷୁ - ଟାଣୁ, ଓଟାରୁ ।

 

୪୬ । ଡରନାଶିନୀ - ଭୟହାରିଣୀ, ଶ୍ରୀରାଧା । ସପନ - ସାନ୍ଦ୍ର । ଜଘନେ - ଜଘନରେ ବିହାର କରୁ । ଢକ୍‌କା - ଡିଣ୍ଡିମ । କୃପାଳୁ - କୃପାମୟୀ, ଶ୍ରୀରାଧା । ଉରୁ ସ୍ଥାନ - ବକ୍ଷଦେଶ ।

 

୪୭ । ଣଷ ବିଲୋମେ - ଷଣ । ଷଣ ପୁଷ୍ପାଙ୍ଗୀ - ଗୌରାଙ୍ଗୀ, ଶ୍ରୀରାଧା । ଜାନୁରେ - ଆଣ୍ଠୁରେ । ତନୁପାତଳୀ - କ୍ଷୀଣାଙ୍ଗୀ, ଶ୍ରୀରାଧା ।

 

୪୮ । ଥୟମନା - ସ୍ଥିରମନା, ଶ୍ରୀରାଧା । ଗୁଳ୍‌ଫ ଦେଶେ - ଗୋଡ଼ ଗଣ୍ଠିରେ । ଦମ୍ଭହରା - ଧୈର୍ଯ୍ୟନାଶିନୀ, ଶ୍ରୀରାଧା ।

୪୯ । ଧରିତ୍ରୀଶ ପୁତ୍ରୀ - ରାଜକନ୍ୟା, ଶ୍ରୀରାଧା । ନବଘନକେଶୀ - ନୀଳକୁନ୍ତଳା, ଶ୍ରୀରାଧା ପାତଳି - ପାଦତଳ ।

 

୫୦ । ପଦ୍ମିନୀ - ପଦ୍ମିନୀଜାତୀୟ ସ୍ତ୍ରୀ, ଶ୍ରୀରାଧା । ଫଣୀ ବେଣୀ ଶୋଭୀ - କୃଷ୍ଣସର୍ପ ପରି ବେଣୀର ଶୋଭା ଯାହାର, ଶ୍ରୀରାଧା । ଊର୍ଦ୍ଧ୍ୱ - ଉପର । ଆବୋରୁ - ରକ୍ଷାକରୁ ।

 

୫୧ । ବନ୍ଧୁ - ଜୀବନବନ୍ଧୁ, ଶ୍ରୀରାଧା । ଭବପର ଦରହାରୀ - କାମ ଭୟହାରିଣୀ ।

୫୨ । ମଦାଳସୀ - ମଦରେ ଆଳସ୍ୟବତୀ, ଶ୍ରୀରାଧା । ମହତୀ ପ୍ରେମେ - ମହାପ୍ରେମରେ । ଯଶଉଦୟା - ଯଶସ୍ଵିନୀ ।

 

୫୩ । ରସନିଧି - ପ୍ରୀତିର ସଂପତ୍ତି, ଶ୍ରୀରାଧା । ନିରତି - ସର୍ବଦା । ଲଳିତାଙ୍ଗୀ - କୋମଳାଙ୍ଗୀ । ବନ୍ଧକୁ - ରତି ବନ୍ଧକୁ ।

ରସିବତି - ରସିବଟି ।

 

୫୪ । ବରବରନା - ସୁନ୍ଦର କାନ୍ତିବିଶିଷ୍ଟା, ଶ୍ରୀରାଧା । ଶୟନେ - ଶଯ୍ୟାରେ । ଶ୍ରୀମତୀ - ଶ୍ରୀଯୁକ୍ତା ।

୫୫ । ସରୁକଟି - କ୍ଷୀଣକଟି ବିଶିଷ୍ଟା, ଶ୍ରୀରାଧା । ସରୋଜାକ୍ଷୀ - ପଦ୍ମନେତ୍ରୀ । ଜାଗ୍ରତେ - ଚେଇଁଥିବା ବେଳେ । ରଙ୍ଗ - କ୍ରୀଡ଼ା କୌତୁକ ।

 

୫୬ । ହରି - ଶ୍ରୀକୃଷ୍ଣ । ହରି - ଦୂର କଲେ । ମୁଦ - ଆନନ୍ଦ । କ୍ଷତ ହରିଣ - ଶରବିଦ୍ଧ ମୃଗ । ନିଶିରେ - ରାତିରେ ।

୫୭ । ସିଦ୍ଧିପ୍ରଦ - ମନୋରଥ ପରିପୂରକ । ଧୀରେ - ପଣ୍ଡିତମାନେ । ସୁମର - ମନେକର ।

 

ଷଟ୍‌ତ୍ରିଂଶ ଛାନ୍ଦ

 

୧ । ଅନଘ - ନିଷ୍ପାପ । ସୁରମ୍ୟ - ମନୋହର । ଅଘନାଶନ - ଅଘାସୁରକୁ ନାଶ କରିଥିବା ଶ୍ରୀକୃଷ୍ଣ । ପ୍ରେମରସ - ପ୍ରଣୟ ରୂପକ ରସ । ଶ୍ଳାଘ୍ୟ - ପ୍ରଶଂସନୀୟ । ରସିକ ଜନ ରାଘବର - ରସଜ୍ଞ ବ୍ୟକ୍ତି ରୂପକ ରାଘବ ମାଛର । ଆନନ୍ଦ ଓଘ - ହର୍ଷ ପ୍ରବାହ । ଘନରସ ଦାୟକ - ନିବିଡ଼ ରସ ରୂପକ ଜଳପ୍ରଦ । ବିଜ୍ଞସିଂହ - ପଣ୍ଡିତ ଶ୍ରେଷ୍ଠ । ଅଘ ଛାଗ ବିନାଶନକୁ - ପାପରୂପକ ଛେଳିର ବିନାଶକୁ । ମହା ଅଜ୍ଞାନ ସଂହନନ କମ୍ପନେ - ବଡ଼ ଅଜ୍ଞାନର ଦେହକୁ କମ୍ପାଇବାରେ । ମାଘ - ମାଘ ମାସ । ଦୁଃଖସାଗର - ଦୁଃଖରସମୁଦ୍ର । ଲଙ୍ଘ - ପାର ହୁଅ ।

 

୨ । ବୃନ୍ଦାକାନନ - ବୃନ୍ଦାବନ । ଆନନ - ମୁଖ । ସତତ - ସର୍ବଦା । ଶରବାର - ଶରସବୁ । ମାରର - କନ୍ଦର୍ପର । ଭିଦୁର - ବଜ୍ର । ଘାତ - ପ୍ରହାର । ଛନ୍ନ - ଭୀତ । ଋଋ - ମୃଗ । ସଂହନନ - ଶରୀର । ଜନନ - ଜାତ ହେଲା । ଗୁଣ କୀର୍ତ୍ତନ - ଗୁଣଗାନ । ସୁଭୂରୁର - ସୁନ୍ଦରୀ ଶ୍ରୀରାଧାଙ୍କର ।

 

୩ । ନବ ରମଣୀ ମଣି - ନୂତନା ଯୁବତୀ ଶ୍ରେଷ୍ଠା, ଶ୍ରୀରାଧା । ଶିବ - ମଙ୍ଗଳ । ଶିବ ପର - କନ୍ଦର୍ପ । ନବବଧୂ - ନୂଆବୋହୂ । ମୁକତି କତିକି - ମୋକ୍ଷ ନିକଟକୁ । ସଞ୍ଚାର - ଆଗମନ । ପଦ ପଦକ - ପାଦ ରୂପକ ପଦକ, ପଦେ ପଦେ କଥା । ପଦ - ତ୍ରାଣ । ଜୀବ - ଆତ୍ମା ।

 

୪ । ବାଞ୍ଛାବଟ - କଳ୍ପବଟ । ଶ୍ରୀ ପାଦ ସାରସରେ - ଶ୍ରୀ ପାଦପଦ୍ମରେ । ଦାସରେ - ଭୃତ୍ୟରେ । ସୁଯଶରେ - ସାକ୍ଷାତରେ । ରସ ଆରଷରେ - ରସ ଶାସ୍ତ୍ରରେ । ରସିକ ବିଶରେ - ରସିକ ଲୋକମାନଙ୍କ ମଧ୍ୟରେ । କୃପା ଲେଶରେ - ସାମାନ୍ୟ ଦୟାରେ । ପ୍ରେମ ପଉରୁଷରେ ପ୍ରେମ ଗୌରବରେ । ରତି ଈଶରେ - କନ୍ଦର୍ପକୁ ।

 

୫ । ନବୀନା - ନୂତନା, ଶ୍ରୀରାଧା । ସନ୍ୟାସ ନ୍ୟାସ ବହି - ବିଷୟ ବିରାଗୀ ଯତି ହୋଇ । ଧିଆନ - ଭାବନା । ଭଙ୍ଗୀର ଗିର - ପରିହାସ କଥା । ଜୀବିତ ଚିତ୍ତ - ଜୀବନ ଧନ । ଭୁବନ - ଜଗତ । ବନଭୂ - ବନ ପ୍ରଦେଶ । ଭାବବତୀ - ପ୍ରେମମୟୀ । ଶ୍ରୀପଦ ପଦଧୂଳି - ଶ୍ରୀପଦରେ ଥିବା ଧୂଳି । ବିଭୂତି ଭୂତି - ସମ୍ପତ୍ତି ଅଧିକାରୀ, ଶିବ ବିଭୂତି । ନିରତ – ସର୍ବଦା । ରତ - ଆରକ୍ତ ।

 

୬ । ଝଳି ମୁଖ ନଳିନ - ଉଜ୍ଜ୍ୱଳ ମୁଖପଦ୍ମ । ଝସଜିତ ନୟନ - ମୀନ ଜିତ ନୟନ । ଝସକେତନ ଶରଘର - କାମଶର ଘର, ପଞ୍ଚଶର ଗନ୍ତାଘର । ଝଲକାଙ୍ଗୀ - ଲାବଣ୍ୟମୟ ଦେହା, ଶ୍ରୀରାଧା । ଝଙ୍କାର ବୀଣା ଜିଣାଗିର - ବାଜୁଥିବା ବୀଣାର ସ୍ୱରକୁ ଯାହାର ବଚନ ଜିଣିଥାଏ । ଝନନ କିଙ୍କିଣୀ ମଧୁର - ଛୋଟ ଘଣ୍ଟିର ରୁଣୁଝୁଣୁ ମାଧୁରୀ । ଝଝରା - ପାଦର ଅଳଙ୍କାର ବିଶେଷ । ସୁହଂସକ - ନୂପୁର । ଦକ - ଭୟ ।

 

୭ । ଗଗନାଦି ତ୍ରିଲୋକ ସୁସୁଖ ସୃଷ୍ଟିଯାକ - ସ୍ୱର୍ଗାଦି ତିନି ଲୋକର ସମସ୍ତ ଆନନ୍ଦକୁ । ମମତା - ଆଗ୍ରହ । ବିବିଧ ମତେ - ନାନା ପ୍ରକାରେ । ବି ବିଦଗ୍‌ଧା - ଅତି ନିପୁଣା । ମୁମୁକ୍ଷବତ - ମୋକ୍ଷକାମୀ ପରି । ଶଶ ଶଶୀ ନ୍ୟାୟ - ଠେକୁଆ ଚନ୍ଦ୍ର ନ୍ୟାୟ । ଶେଷେ - ଅନନ୍ତ ଦେବଙ୍କଠାରେ । ସୁମୁଖ - ଉତ୍ତମ ମୁଖ । ଧୀ - ବୁଦ୍ଧି । ଧୀର - ସ୍ଥିର ।

 

୮ । ସରଳ ସହୃଦୟେ - ନିଷ୍କପଟ ଚିତ୍ତରେ । ସରସତା ଉଦୟେ - ସରସଭାବ ଜାତ ହେବାରୁ । ଶରଣ ବତ୍ସଳା - ଆଶ୍ରୟପ୍ରାର୍ଥୀ ପ୍ରତି ଅନୁରାଗିଣୀ । ସରଙ୍ଗ - ଭଙ୍ଗୀ ସହ । ଚାରୁ ବୃଷ୍ଟି ଶର - ମନୋହର ଚାହାଣି ରୂପକ ଶର । ସରସ କୃପା - ସ୍ନେହପୂର୍ଣ୍ଣ ଦୟା । ସରଜାକ୍ଷୀ - ପଦ୍ମନେତ୍ରୀ । ସରଞ୍ଜନ - ଅନୁରାଗପୂର୍ଣ୍ଣ । ହାସ ପୀୟୂଷ - ହାସ ରୂପକ ଅମୃତ । ଦାସ - ଚାକର । ସର ଉଲଟ ଦାନୀ - ରସଦାୟିନୀ । ସରବ ପର - ଶିବଙ୍କ ଶତ୍ରୁ, କନ୍ଦର୍ପ ।

 

୯ । ବର ବରନା - ଶ୍ରେଷ୍ଠବର୍ଣ୍ଣା ଶ୍ରୀରାଧା । ଦିଶେ ଦିଶେ - ପ୍ରତ୍ୟେକ ଦିଗରେ । ମାର ମାରଣ - କନ୍ଦର୍ପର ମାରଣ । ଆଶ – ଆଶା । ଜୀବ ଜୀବ - ପ୍ରାଣର ପ୍ରାଣ । ଲୋକେ - ଜଗତରେ । ଲୋକେ - ଲୋକମାନେ । ରସିକା ବର - ରସିକାଶ୍ରେଷ୍ଠା । ଭାଷ ଭାଷ - କଥା କହ । ତାର - ଉଦ୍ଧାର କର । ତାରକା ଶୋଭୀ - ସୁନ୍ଦର ଆଖୁପିତୁଳା ବିଶିଷ୍ଟା ନାରୀ ।

 

୧୦ । ସ୍ୱେଦରେ - ଝାଳରେ । ବଦନ - ମୁଖ । ଆନ ଆନ - ଅନ୍ୟ ଅନ୍ୟ ପ୍ରକାର । କାମ - କନ୍ଦର୍ପ । ଘନ ଘନ - ନିରନ୍ତର । ଗତି - ଚାଲି । ହରହର - ଶିବଶିବ ।

 

୧୧ । ସୁକଳା କର କର ହାସ - କଳାବତୀର କର କର ହସ । ସୁଧାର ଧାର - ଅମୃତର ଧାର । ହରେ - ହରଣ କରେ । ଜୀବ କାତର ତର - ଜୀବନର କାତରତା । ତାପ ବାର - ସନ୍ତାପ ସମୂହ । ବାର - ନିବାରଣ କର । ବିସ୍ତାର - ବିସ୍ତୃତ କର । ତାର - ଉଦ୍ଧାର କର । ପ୍ରାଣ ପ୍ରାଣ - ଜୀବନର ଜୀବନ । ଦର ଦର - ବିଷର, ପର୍ବତର, ଭୟପ୍ରଦର । ଅଦେହର ଦୁର୍ଗତି - କନ୍ଦର୍ପ ସଂପର୍କୀୟ ଦୁର୍ଦ୍ଦଶା । ଧର ଧର - ଗିରିଧାରୀ ଶ୍ରୀକୃଷ୍ଣ ।

 

୧୨ । ରମଣୀ ମଣି - ନାରୀଶ୍ରେଷ୍ଠା । ସର - ପୋଖରୀ । ସର ସରସ - ଗାଢ଼ ରସ ରୂପକ ଜଳ । ସାର - ଶ୍ରେଷ୍ଠ । ସାରଙ୍ଗ କନ୍ଦର୍ପରୂପକ ହଂସ । ରଙ୍ଗ ବରଧନ - କୌତୁକ ବର୍ଦ୍ଧନକାରିଣୀ । ଧନର ନ ରସିବା - ଧନ ଆସକ୍ତ ନହେବାରୁ । ଶିବାରି - କନ୍ଦର୍ପ ମାନ - ସମ୍ମାନ । ମାନିନୀର - ମାନବତୀ ଶ୍ରୀରାଧାଙ୍କର । ନୀରସ - ଶୁଷ୍କ । ରସଦା - ରସଦାୟିନୀ । ବାର - ବାରଣ କର । ତରତରେ - ଶୀଘ୍ର । ବିହର - ବିହାର କର । ହରଷ ରସ ଭାବ - ଆନନ୍ଦ ରତି । ଭାବନି - ଭାବତ । ବନୀଯିବ - ପାଚିଯିବ । ଜୀବନର - ଆତ୍ମାର । ବର ସୁଖ ଘର - ଶ୍ରେଷ୍ଠ ସୁଖ ସ୍ଥାନ ।

 

୧୩ । କୁନ୍ଦର କୋରକର ସୁନ୍ଦର - କୁନ୍ଦ କଳିପରି ସୁନ୍ଦର । ସୁରଦର - ସୁନ୍ଦର ଦାନ୍ତର । ହୁନ୍ଦର - ଶୋଭା କୌତୁକର । ହରଷର ସର - ଆନନ୍ଦର ପୁଷ୍କରିଣୀ । ପରସ୍ପର ଭଙ୍ଗୀର - ନିଜ ନିଜ ମଧ୍ୟରେ ହାସ ପରିହାସର । ସଙ୍ଗୀର ଗିର - ସଖୀର କଥା । ବର ଯୋଗୀର - ପ୍ରଧାନ ଯୋଗୀର । ଧୀର ପୁର ଚୋର - ଧୈର୍ଯ୍ୟ ରୁପକ ନଗରର ଲୁଣ୍ଠନକାରୀ । ଦରହର - ଭୟନାଶକ । ମାରବୀର ଶରଘର - କନ୍ଦର୍ପର ଶର ଭଣ୍ଡାର । ତାର ତର ହର - ଶୋଭାସକ୍ତର ଦୁଃଖକୁ ହରଣ କର । ଶିବାର - ପାର୍ବତୀଙ୍କର । ପରଚୁର ସେବାର - ଅଧିକ ସେବା ବା ଆରଧନାର । ପରଚାର ହେବାର ବର - ପ୍ରଚାର ହେବା ହେତୁ ଅନୁଗ୍ରହ । ବର - ପ୍ରିୟ, ପ୍ରସାଦ ।

 

୧୪ । ବାରଣ ଗତି - ଗଜଗମନା । ସାର ଚରଣ - ଶ୍ରେଷ୍ଠ ପାଦ । ଫନ୍ଦା - ଆଶ୍ରୟ । ଶରଣରକ୍ଷଣୀ - ଆଶ୍ରିତର ରକ୍ଷାକର୍ତ୍ତ୍ରୀ । ମାରଣ କରେ ମାର - କନ୍ଦର୍ପ ମାରୁଅଛି । କାରଣ - ରକ୍ଷାକର୍ତ୍ତା । ତାରଣ - ଉଦ୍ଧାରକାରିଣୀ । ଦମ୍ଭପବି - ଧୈର୍ଯ୍ୟ ରୂପକ ବଜ୍ର । ଚୂରଣ - ଚୂର୍ଣ୍ଣକାରୀ । ସ୍ମରଣ ମୁଖଛବି - ସ୍ମୁତିରେ ମୁଖର ଶୋଭା । ସ୍ଫୁରଣ - ବିକାଶ ।

 

୧୫ । ସୁରମଣୀ - ଉତ୍ତମ ରମଣୀ, ସୁନ୍ଦରୀ । ଅସୁର ସର - ପ୍ରାଣର ସାରାଂଶ । ତାପ ନାଶର - ସନ୍ତାପ ଦୂର କରିବାରେ । ସାରଙ୍ଗ ମୁହୀଁ - ଚନ୍ଦ୍ରମୁଖୀ । ଆସାର - ଧାରା ବୃଷ୍ଟି । ବାରଣ - ମନା କରିବା । କରକଦନ୍ତୀ - ଡାଳିମ୍ବ ବୀଜଦନ୍ତୀ । ଦୁଃଖବାର - ଦୁଃଖ ସମୂହ । ରସାସାର - ରସର ଧାରା ବୃଷ୍ଟି । ହୃଦଦାହ - ଅନ୍ତରର ବ୍ୟଥା । ଭୀ - ଭୟ । ଅକୂପାର - ସାଗର ।

 

୧୬ । ବନ୍ଧୁମାନ ବିଷେ - ବାନ୍ଧବୀର ମାନ ବିଷୟରେ । ମାନବୀ - ନାରୀ । ମାନବିଷେ - ଅଭିମାନ ରୂପକ ଗରଳରେ । ରମା - ଲକ୍ଷ୍ମୀ । ତନୁପାତଳୀ - କ୍ଷୀଣତନୁ ଶ୍ରୀରାଧା । ସମେ - ତୁଳନାରେ, ସମାନରେ । ତନୁ - ଅଳ୍ପ । ପାତଳି ତୁଳ - ପାଦତଳ ସହିତ । ତୁଳନାଯୋଗ୍ୟ । ତନୁପାତଲୀଳାଶୀ - କନ୍ଦର୍ପ ଲୀଳାରେ ଆଶାବତୀ । ମୋହେ - ମୋହିତ କରେ । ରମ୍ଭା - ଅପ୍‌ସରା । ସୁରମଣି - ଇନ୍ଦ୍ର । ସରି - ସମାନ । ସୁରମଣୀକି - ସୁନାଗରୀ ଶ୍ରୀରାଧାଙ୍କୁ । ସୁରତରୁ - ସମ୍ଭୋଗ ହେତୁ । ତୁଳିତ ସୁରତରୁ - କଳ୍ପବୃକ୍ଷ ତୁଲ୍ୟା । ସୁରତରୁଣୀକି - ଦେବନାରୀମାନଙ୍କୁ । ଲକ୍ଷିତ - ସମାନ ।

 

୧୭ । ନାଗ ରମଣୀଗଣ - ନାଗଲୋକର ନାରୀମାନେ । ନାଗର ମଣି - ସାପର ମଣି । ଗଣନା ନୋହି - ତୁଳନାରେ ସମକକ୍ଷ ହୋଇ ନପାରି । ସଦାଶିବ - ସର୍ବଦା ମଙ୍ଗଳ କର । ଗଉରୀ - ଗୌରବର୍ଣ୍ଣା ଶ୍ରୀରାଧା । ସଦାଶିବ ଗଉରୀ - ଶିବ ପାର୍ବତୀ । ତେଜିଦେବେ - ତ୍ୟାଗ କରିଦେବେ । ଦେଖିଲାଣି - ଦେଖିଲା କ୍ଷଣି । ଶଶ ଦୃଶି - ମୃଗାକ୍ଷି । ଉରୁବଶୀ - ଉର୍ବଶୀ, ଅପ୍‌ସରା । ଉରୁବଂଶୀ - ଶ୍ରେଷ୍ଠ । ତିଳୋତ୍ତମା - ଅପ୍‌ସରା । ତିଳୋତ୍ତମା - ତିଳେମାତ୍ର ଉତ୍କୃଷ୍ଟ । କଳାକର ସୁନ୍ଦରଏକ କଳା ସୁନ୍ଦର । କଳାକର - ଚନ୍ଦ୍ର । ସୁନ୍ଦର - ବଡ଼ ଭୟ । ଶ୍ରୀମୁଖ ବିଲୋକି - ଶ୍ରୀରାଧାଙ୍କର ସୁନ୍ଦର ମୁଖକୁ ଦେଖି ।

 

୧୮ । ହରିଭା - ଚନ୍ଦ୍ରପ୍ରଭା । ବରଧନି - ଶ୍ରେଷ୍ଠ ଧନ ସ୍ୱରୁପିଣୀ । ହରି ଭାବର ଧନ - ଶ୍ରୀକୃଷ୍ଣଙ୍କର ପ୍ରଣୟର ଧନ ସ୍ୱରୁପ । ହରିଭାବର ଧନ - ଶୃଙ୍ଗାର ଭାବର ବିଷୟ । ନିଦାନ - ନିଶ୍ଚୟ । ଭାରତୀ - ସରସ୍ୱତୀ ଓ ବଚନ । ସୁରତି - ରତିଦେବୀ ଓ ସମ୍ଭୋଗ ସୁଖ । କିଙ୍କରୀ - ଦାସୀ । ରତି - କନ୍ଦର୍ପର ପତ୍ନୀ । ମୂରତି - ଆକାର ।

 

୧୯ । ସରସ ରସ ରତ - ଉତ୍କୃଷ୍ଟ ଭୋଗରେ ଆସକ୍ତ । ରସର ସର - ଶୃଙ୍ଗାର ରସର ପୁଷ୍କରିଣୀ । ରାଜି - ସମ୍ମତ । ରାଜି - ରାଜିବ, ଶୋଭା ପାଇବ । ରାଜୀବ - ମୁଖ ରୂପକ ପଦ୍ମ । ତୋଷେ - ତୋଷ ଦାନରେ । ଅନ୍ୟ ପକ୍ଷରେ - ରାଜୀବ ରାଜି - ପଦ୍ମସବୁ (ମୁଖ, ନୟନ, ହସ୍ତ ଆଦି) । ତୋଷରେ - ସୁଖରେ ଶୋଭା ପାଏ । ସାର ସାର ସାର - ପଦ୍ମିନୀ ଶ୍ରେଷ୍ଠ । ରସାର ସାର - ପୃଥିବୀର ଉତ୍କୃଷ୍ଟ ବସ୍ତୁ । ସାତମାନ - ସୁଖମାନ । ମାନ - ସ୍ୱୀକାର କର । ମାନସ - ମନ । ରସେ - ଆସକ୍ତ । ଜୀବ ଜୀବ - ପ୍ରାଣର ପ୍ରାଣ । ରତ ରତ - ସୁରତରେ ଆସକ୍ତ । ତରଣୀ - ନୌକା । ତର ତର - ପାର ହୁଅ, ପାର ହୁଅ । ରହସେ - ଏକାନ୍ତରେ । ହରଷେ - ଆନନ୍ଦରେ । ଭାଷି - କଥା କହି । ହର ହର - ଭୟନାଶକର ।

 

୨୦ । ଶ୍ୟାମ ପ୍ରେମ ଉନ୍ମାଦେ - ଶ୍ରୀକୃଷ୍ଣଙ୍କ ପ୍ରେମରେ ପାଗଳ ହୋଇ । କାମ ବାମ ପ୍ରମାଦେ - କନ୍ଦର୍ପରୂପକ ଶତ୍ରୁର ପୀଡ଼ାରେ । କରି ହରି ଚିନ୍ତା ଏପରି - ହରି ଏହିପରି ଚିନ୍ତାକରି, ସ୍ତ୍ରୀ ଭାବନା କରି । ଲବ - ଅଳ୍ପ ସମୟ । କଳ୍ପେ - ଏକ ଯୁଗ । ପ୍ରାଣେଶ୍ୱରୀ - ଶ୍ରୀରାଧା । ଭାବ - ରତି । ସଂକଳ୍ପେ - କଳ୍ପନା କରନ୍ତି । ଧୀରବର - ପଣ୍ଡିତଶ୍ରେଷ୍ଠ । ବୁଧ ବୋଧକ - ପଣ୍ଡିତମାନଙ୍କର ଜ୍ଞାନଦାୟକ । ଅଜ୍ଞ - ମୂର୍ଖ । ହେମ ଯମକମାଳା - ଯମକ ମାଳାରୂପକ ସୁନା କମକୁଟି । କର୍ମ କମିଳା - କାମର ମିଳନକାରୀ ମାନସ - ମନ ।

 

ସପ୍ତତ୍ରିଂଶ ଛାନ୍ଦ

 

୧ । ସଜ୍ଜନଜନ - ସାଧୁଜନ । ରସବର - ରସ ପ୍ରଧାନ । ବରଯଈଶ ନନ୍ଦନ - ବ୍ରଜରାଜ ନନ୍ଦଙ୍କର ପୁତ୍ର ଶ୍ରୀକୃଷ୍ଣ । ସରମ୍ୟ - ମନୋହର । ଉତ୍ତର - ପ୍ରତିବାକ୍ୟ ।

୨ । ତରସ୍ତହରଣ - ଭୟନାଶକ । ବ୍ରଜ କଳତ୍ର ପ୍ରସଙ୍ଗ - ଗୋପନାରୀ ଶ୍ରୀରାଧାଙ୍କ ବିଷୟ । ସଙ୍ଗ - ସଂଯୋଗ । ଅସଙ୍ଗ - ବିଯୋଗ । ଘନବତ - ମେଘପରି । ଭଙ୍ଗ - ଭଙ୍ଗୁର ।

 

୩ । ଭଙ୍ଗ ଅର୍ଣ୍ଣବର ସମ - ସମୁଦ୍ରର ଲହରୀ ପରି । ମମମନ - ମୋ ମନ । ସତତ - ସର୍ବଦା । ଯତନ - ସୁନ୍ଦର । ସଞ୍ଜତ - ସ୍ଥିର ।

 

୪ । ଯତନ - ଶୋଭନ । ମଦନମଦ - କନ୍ଦର୍ପ ଜନିତ ମାଦକତା । ସଦନ - ସ୍ଥାନ । ସଂଘଟ - ଗଠିତ । ଘଟଣ - ସୁନ୍ଦର । କନକଘଟ - ସୁନାର କଳସ । ପ୍ରକଟ - ପ୍ରକାଶିତ ।

 

୫ । କଟକ - ନଗର । ଅମରଙ୍କର - ଦେବତାମାନଙ୍କର । ବରଧନ - ବଡ଼ପର୍ବତ । ରତନଚୟ - ରତ୍ନ ସମୂହ । ନଘଟଇ - ତୁଳନା ହୋଇପାରେ ନାହିଁ । ବର - ଶ୍ରେଷ୍ଠ ବା ଉତ୍‌ତ୍କୃଷ୍ଟଭାବରେ ।

 

୬ । ବରଦ - ବରଦାନକାରୀ । ଅମର ପଦ - ଦେବତ୍ୱ । ଉର ସ୍ପରଶ - ବକ୍ଷସ୍ପର୍ଶ । ସରଞ୍ଜନ - ଅନୁରଞ୍ଜନକାରୀ । କଞ୍ଜକଡ଼ - ପଦ୍ମକଢ଼ି । ଅକ୍ଷ ମରନ୍ଦର - ଚକ୍ଷୁ ରୂପକ ଭ୍ରମରର ।

 

୭। ଦର ମଦନର ହର - କନ୍ଦର୍ପର ଭୟନାଶନ । ପରତକ୍ଷ ହର - ପ୍ରତ୍ୟକ୍ଷ ଶିବଲିଙ୍ଗ । ହରଷ ରସମଣ୍ଡପ - ଆନନ୍ଦଦାୟକ କେଳିମଣ୍ଡପ । ମନମନ୍ଥନ - କନ୍ଦର୍ପ ।

 

୮ । ନରକର ସଫଳର - ଲୋକ ହସ୍ତ ସଫଳ କରିବାକୁ । ଫଳତ ଯତନ - ସୁନ୍ଦର ଫଳ ସଦୃଶ । ତନମନ - ସେଥିରେ ମନ ରଖିଥିବା ଲୋକ । ରତନ ସଦନ - ରତ୍ନଭଣ୍ଡାର ସ୍ୱରୁପ । ରଞ୍ଜନ - ସୁନ୍ଦର ।

 

୯ । ଜନକ ସନକ ମନ ନୟନ ବଶକ - ଜନକ ଓ ସନକାଦି ମୁନିମାନଙ୍କର ମନ ଓ ଚକ୍ଷୁର ବଶକାରକ । ସକଳ ଘନ ରସଦ - ସମଗ୍ର ନିବିଡ଼ ରସପ୍ରଦ । ସନ୍ତପ୍ତ ହରକ - ସନ୍ତାପ ନାଶକାରୀ ।

 

୧୦ । ରଙ୍କ ରତ୍ନ ଲବ୍‌ଧବତ - ଦରିଦ୍ର ରତ୍ନ ପାଇଲା ପରି । ରସବନ୍ତ ମନ - ରସିକ ଚିତ୍ତ । ମନଜ ଦର୍ପ - କନ୍ଦର୍ପର ଗର୍ବ । ଦଳଇ - ଗଞ୍ଜନ କରେ । ସ୍ପର୍ଶ ଅପଘନ - ଦେହର ସ୍ପର୍ଶ ।

 

୧୧ । ଘନ - ଘଞ୍ଚ । ମଦମତ୍ତ ଗଜ ମସ୍ତକ ଉନ୍ନତ - ମତ୍ତ ହସ୍ତୀର କୁମ୍ଭ ଉଚ୍ଚତା । ନତ କରଇ - ନୁଆଁଇ ଦିଏ । ଯଶ - ଖ୍ୟାତି । ପ୍ରକଟ ଜଗତ - ଜଗତରେ ପ୍ରକାଶିତ ।

 

୧୨ । ଗତ - ଚାଲିଯାଉଛି । ଉଲଟ ତବଲ - ଓଲଟି ତବଲାବାଦ୍ୟ । ଉନ୍ନତ ମହତ - ଉଚ୍ଚତା ରୂପକ ମହତ୍ତ୍ୱ । ହତ ଦମ୍ଭକର - ଟାଣପଣ ନାଶକ । କର ଉରସ - ହାତ ଓ ଛାତିର । ବ୍ୟକତ - ବ୍ୟକ୍ତ ହୋଇଛି, ପ୍ରକାଶ ପାଇଅଛି ।

 

୧୩ । କତରଣ - ବାୟୁର ପରଶ ହେତୁ । ବସନ ସଦନ - ବସ୍ତ୍ର ରୂପକ ଘର । କମ୍ପଇତ ଇତସ୍ତତ - ଏଣେ ତେଣେ ଆନ୍ଦୋଳିତ । ଦନ୍ତଶଠ - ଟଭାଫଳ । ଛଦ - ଆବରଣ । ଅନ୍ତର - ଭିତରେ, ଅନ୍ତର୍ଗତରେ ।

 

୧୪ । ରତ ଉଲଟ - ବିପରୀତ ରତି । ଇଚ୍ଛଇ ଦର୍ଶନ - ସ୍ତନ ଦେଖିବାର ଇଚ୍ଛା । ସନମତ - ସମ୍ମତି । ମତ୍ତଭର – ମତ୍ତାଧିକ୍ୟ । କମ୍ପ ଘନ ଘନ - ରତିକ୍ରୀଡ଼ା ସମୟରେ ଘନ ଘନ କମ୍ପନ ।

 

୧୫ । ଘନ ଘନ - ବାରମ୍ବାର । ଧରର କନକ ଗଛ - ପର୍ବତରେ ଥିବା ନାଗକେଶ୍ୱର ଗଛ । ଥର - କମ୍ପ । ଥର ଥର - ଥରି ଉଠୁଥାଏ । ପବନ ପ୍ରଖର ସ୍ପରଶର - ପ୍ରଖର ପବନ ସ୍ପର୍ଶରେ ।

 

୧୬ । ସରଗଈଶ ସମ୍ପଦ - ଇନ୍ଦ୍ର ସମ୍ପତ୍ତି । ପଦ ତଳକର - ପାଦତଳେ ରଖୁଅଛି । କର ପଦ୍ମ ଦତ୍ତ ଫଳ - ହସ୍ତ ଦିଆ ହୋଇଥିବା ଫଳ ସ୍ୱରୂପ । ବର ତପ - ଶ୍ରେଷ୍ଠ ତପସ୍ୟା ।

 

୧୭ । କରଜରଞ୍ଜନ - ନଖକ୍ଷତ ଦ୍ୱାରା । ଚମକର - ଚମକିବାର । ବରରଙ୍ଗ - ଶ୍ରେଷ୍ଠ ଭଙ୍ଗୀ । ରଙ୍ଗଅଧର କମ୍ପନ - ରଙ୍ଗ ଓଠରେ ଜାତ ହେଉଥିବା କମ୍ପନ । ଦରଶନ ଭଙ୍ଗ - ଦର୍ଶନରେ ବାଧା ।

 

୧୮ । ଭଙ୍ଗ - ତରଙ୍ଗ । ଅମର ଅଶନ ନଦ - ଅମୃତ ହ୍ରଦ । ଅଲକ୍ଷ - ତୁଳନାଯୋଗ୍ୟ ନୁହେଁ । ଲକ୍ଷ ଲକ୍ଷ - ଅସଂଖ୍ୟ । ଦନ୍ୟ - ଦୈନ୍ୟ, ବିନତି । କମଳଜ - ବ୍ରହ୍ମା, ବିଧାତା । ରକ୍ଷ ରକ୍ଷ - ରକ୍ଷାକର ।

 

୧୯ । ରକ୍ଷପର - ଶ୍ରୀକୃଷ୍ଣଙ୍କର । ବଚଧନ - କଥନର ଧନ ସ୍ୱରୂପ । ସ୍ତନର ସ୍ମରଣ - ଶ୍ରୀରାଧାଙ୍କର ସ୍ତନକୁ ସ୍ମରଣ କରି । ରଣ ରଣ - କନ୍ଦର୍ପ । ଦବ - ଦାବାନଳ । ଦର୍ପ ଅଟଇ ହରଣ - ଗର୍ବନାଶକାରୀ ।

 

୨୦ । ରଣକ୍ଷତ - ଯୁଦ୍ଧରେ କ୍ଷତାକ୍ତ ହୋଇଥିବା । ଏଣବତ - ମୃଗପରି । ଗତ ତ ହରଷ - ହରଷଗତ ହୋଇଅଛି, ଆନନ୍ଦ ଚାଲିଯାଇଛି । ଇନ୍ଦ୍ରଜୟ ନନ୍ଦନ - ଇନ୍ଦ୍ରଜିତ ପୁତ୍ର, ଅଭିମନ୍ୟୁ । ରସବଚ - ରସପୂର୍ଣ୍ଣ କବିତା । ରସ - ଆଗ୍ରହ ପ୍ରକାଶ କର ।

 

ଅଷ୍ଟତ୍ରିଂଶ ଛାନ୍ଦ

 

୧ । ଧୀର ଚକୋର । ପଣ୍ଡିତ ରୂପକ ଚକୋର ପକ୍ଷୀ । ଆନନ୍ଦବରଧନ ଚାନ୍ଦ - ଆନନ୍ଦବର୍ଦ୍ଧନକରୀ ଚନ୍ଦ୍ର । ରସ ସଂସାର ସାର - ସଂସାରରେ ଉତ୍‌କୃଷ୍ଟ ରସ । ସାରସବାସୀ - ପଦ୍ମଗନ୍ଧା, ଶ୍ରୀରାଧା । ସୁପ୍ରେମାଧିକା - ଅତ୍ୟନ୍ତ ପ୍ରେମମୟୀ । ମଦନେ - କନ୍ଦର୍ପ ଦ୍ୱାରା । କାତରତର - ଅତ୍ୟନ୍ତ ଦୁଃଖିତା ।

 

୨ । ତରତର ବାଣୀଜାତ - ତରତର କରି କହିଲେ । ଶ୍ୟାମବନ୍ଧୁ - ଶ୍ରୀକୃଷ୍ଣ । ଜୀବନର ଭିନ୍ନ - ଜଳ ବ୍ୟତୀତ । ମୀନ ପରାୟେ - ମାଛପରି । ଉଚ୍ଛନ୍ନ - ବ୍ୟାକୁଳତା । ଶିବ - ମଙ୍ଗଳ ।

 

୩ । ଶିବପର - ଶିବଙ୍କ ଶତ୍ରୁ କନ୍ଦର୍ପ । ଶରବାର - ଶର ସମୂହ । ବାର ବାର - ଥରକୁ ଥର । ଅଗ୍ନିସମ କଳାକର କର - ଚନ୍ଦ୍ରକିରଣ ନିଆଁପରି ଉତ୍ତପ୍ତ ବୋଧ ହେଉଛି । କରତଇ - କାଟି ପକାଉଛି । ଧୀରତି - ଧୈର୍ଯ୍ୟ । ମନ୍ଥର ମତିକି - ମନକୁ ମନ୍ଥି ପକାଉଛି । ଦିଶେ - ଦେଖାଯାଉଛି । ଦିଶେ ଦିଶେ - ସବୁ ଦିଗରେ । ଧର ଧର - ଗିରିଧାରୀ ଶ୍ରୀକୃଷ୍ଣ ।

 

୪ । ଧରତୀରେ - ପୃଥିବୀରେ । ରମଣୀମଣି - ରମଣୀ ଶ୍ରେଷ୍ଠା । ମଣିବନ୍ଧର କଙ୍କଣ - କଚଟିରେ ପିନ୍ଧିବା ଖଡ଼ୁ । ଗଲେ କ୍ଷଣ କ୍ଷଣ - ବାରମ୍ବାର ଗଳିପଡୁଛି । ଶ୍ରବଣେ - ଶୁଣିବାରେ । କୃଷ୍ଣ କିଙ୍କିଣୀ କିଣି - ଶ୍ରୀକୃଷ୍ଣଙ୍କର କିଙ୍କଣୀର ଶବ୍ଦ ।

 

୫ । କିଣି ରଖିଲା ମତିକି - ମୋ ମନକୁ କିଣିନେଲା । ମୋ ଗତିକି - ମୋର ଗତିପଥ, ମୋର କ’ଣ କରିବା ଉଚିତ । ଉପାୟରେ ଥିଲେ - ବାଟଥିଲେ, ସୁଯୋଗ ଥିଲେ । ବିସ୍ତାର - ବାହାର କର । ତାର - ରକ୍ଷାକର । ତାର ବଙ୍କିମା ଚାହାଣି - ଶ୍ରୀକୃଷ୍ଣଙ୍କର ବାଙ୍କଚାହାଣି । କୁନ୍ତ - ଶ୍ରୀକୃଷ୍ଣଙ୍କର ବାଙ୍କଚାହାଣି ରୂପକ ଏକମୁନା । ପୀଡ଼ା ହେଲା ମରମର - ମର୍ମ ସ୍ଥାନରେ ବ୍ୟଥା ଜାତ ହେଉଅଛି ।

 

୬ । ମରକତର ପିତୁଳୀ - ନୀଳମଣିର ପ୍ରତିମା, ଶ୍ରୀକୃଷ୍ଣ । ନେତ୍ର ହୃଦେ - ଆଖିରେ ଏବଂ ହୃଦୟରେ । କେଳି - କ୍ରୀଡ଼ା । ଗିଆନ ଆନ - ଜ୍ଞାନକୁ ଲୋପ କରି ଦେଉଛି । ଆନନ୍ଦର ସୀମା ନାହିଁ - ଅଶେଷ ଆନନ୍ଦ । ଦୁଃଖ ନୋହେ କହି - ଅସୀମ ଦୁଃଖ । ବିଷ ପୀୟୂଷ - ଦୁଃଖ ବିଷପରି ଓ ଆନନ୍ଦ ଅମୃତ ପରି । ମାନ - ଜାଣ ।

 

୭ । ମାନବିକି ତା ପାଦରେ - ଅଭିମାନକୁ ଶ୍ରୀକୃଷ୍ଣଙ୍କ ପାଦରେ ସମର୍ପଣ କରି । ଭଜିବ ସାଦରେ - ସ୍ନେହପୂର୍ଣ୍ଣ ଭାବରେ ତାଙ୍କୁ ଆରାଧନା କରିବ । ନ ମାରିବ ଫୁଲ ଶରଶର - କନ୍ଦର୍ପ ଆଉ ଶର ମାରିବ ନାହିଁ । ସରଜକ ଯେ କାମର - ସେ କନ୍ଦର୍ପର ସୃଷ୍ଟିକର୍ତ୍ତା ପ୍ରେମ ସରଘର - ପ୍ରେମର ଭଣ୍ଡାର । ହୃଦର ଦର - ହୃଦୟର ଭୟ ।

 

୮ । ବିଚାର - ବିଚାର କର । ତାହା - ଶ୍ରୀକୃଷ୍ଣଙ୍କର । ପରିକର - କିଙ୍କର । ଏତେ ମାତ୍ରକର । କର - ଏତିକି ମାତ୍ର କର । ପାର କଷ୍ଟ ଅକୂପାର - କଷ୍ଟର ସମୁଦ୍ରକୁ ପାର କର ।

 

୯ । ସଙ୍ଗୀକର - ମିଳନ କରାଅ । ପକାଅ ପଥରେ ଥରେ - ଥରେ ପଥରେ ପକାଅ । ଥରେ - କମ୍ପେ । କଳେବର - ଦେହ । ଜଳଧରେ - ମେଘକୁ । ଧରେ - ପର୍ବତକୁ (ଶ୍ରୀକୃଷ୍ଣଙ୍କ ବର୍ଣ୍ଣ ସାମଞ୍ଜସ୍ୟ) ।

 

୧୦ । ଧରେ ଏ ବିଚାର ମନ - ମନ ଏହି ବଚାର ପାଞ୍ଚେ । ମୟୂର ନଟନ - ମୟୂରର ନୃତ୍ୟ । ସଧୀରେ ଧୀରେ - ସ୍ଥିର ଚିତ୍ତରେ । ଧୀରେ - ମନରେ । ହେଲେ କଳାଚାନ୍ଦ ଆନେ - ଅନ୍ୟ ପ୍ରକାରରେ ଚନ୍ଦ୍ର କଳା ହେଲେ (ଶ୍ରୀକୃଷ୍ଣଙ୍କ ସାମ୍ୟ ଭାବନା) । ଦିନ କି ଆଶରେ ସରେ - ଦିନ କେବଳ ଆଶାରେ ବିତିଯାଉଛି ।

 

୧୧ । ଶରେ ଦହୁଛି ମଦନ - କନ୍ଦର୍ପ ଶରାଘାତରେ ପୋଡ଼ି ପକାଉଛି । ତମାଳମାଳ - ତମାଳ ଅରଣ୍ୟ । ମାଳତୀରେ - ମାଳତୀ ଫୁଲରେ, ଧଳା ଫୁଲ । ନିରତେ - ସର୍ବଦା । ବ୍ୟାକୁଳକୁଳ - ବହୁପରିମାଣରେ ବ୍ୟାକୁଳତା ।

 

୧୨ । କୁଳ ବୁଡ଼ାଏ - ସର୍ବନାଶ କରୁଅଛି । ଦୁର୍ଦ୍ଦଶା - ଦୁର୍ଭାଗ୍ୟ, ଦୁଃଖର ଅବସ୍ଥା । ପଦ୍ମେ ଭୃଙ୍ଗବସା - ପଦ୍ମରେ ଭ୍ରମର ବସିବା ଦ୍ଵାରା (ଶ୍ରୀରାଧାଙ୍କ ମୁଖପଦ୍ମରେ ଶ୍ରୀକୃଷ୍ଣଙ୍କର ଚୁମ୍ବନରୂପକ ଭ୍ରମରର କଳ୍ପନା) । ଆଲୋକ - ଅବଲୋକନ ଦ୍ଵାରା । ଲୋକ - ମନୁଷ୍ୟ । ଲୋକ ମଧ୍ୟରେ - ସଂସାରରେ, ଜଗତରେ । କୀଚକ ଧ୍ୱନି - କଣାଥିବା ବାଉଁଶରେ ପବନ ପଶି ସୃଷ୍ଟି ହେଉଥିବା ଶବ୍ଦ । ବାଧକ - ବ୍ୟଥାଦାୟକ । ବିବେକ ବେକ - ବିବେକର ବେକ ।

 

୧୩ । ଦମ୍ଭହରା - ଦୁର୍ବଳ, ଧୈର୍ଯ୍ୟହରା । ଗୁଞ୍ଜ ଗୁଞ୍ଜରା - ଗୁଞ୍ଜପୋକ ଓ ତାର ଖୋଳପାରେ ତିଆରି । ମାଳି - କଳାବର୍ଣ୍ଣ । ତରିବା - ରକ୍ଷା ପାଇବା । ଭାଷ ଭାଷ - କହ କହ । ଭା - କାନ୍ତି । ତାର - ଶ୍ରୀକୃଷ୍ଣଙ୍କର । ଯମବାସ - ଯମପୁର । ବାସ - ବାସସ୍ଥାନ । ନିଷ୍ଠା - ନିଶ୍ଚୟ ।

 

୧୪ । ବାସବର ପବି - ଇନ୍ଦ୍ରଙ୍କର ବଜ୍ର । ନାରୀ ଜନ୍ମ ପୋଡ଼ୁ - ନାରୀ ଜନ୍ମ ପୋଡ଼ିଯାଉ । ସହି - ସଖି । ସହି - ସହିବା । କରହତ - ହାତଛଡ଼ା । ଭାଲେ - କପାଳରେ । ବିହି - ବିଧାତା । ବିହି - ବିଧାନ କରିଅଛି ।

 

୧୫ । ବିହିତରେ - ବିଧାନରେ, ଯାହା ସୃଷ୍ଟି କରାଯାଇଅଛି । ପତିବ୍ରତୀ ଧୃତିହରା - ପତିବ୍ରତା ନାରୀମାନଙ୍କର ଧୈର୍ଯ୍ୟନାଶକ । ମୂର୍ତ୍ତିଭଙ୍ଗୀ - ଶ୍ରୀକୃଷ୍ଣଙ୍କର ମୂର୍ତ୍ତି ଓ ଭାବଭଙ୍ଗୀ । ମାର ମାର ଗଣ ଗଣ - କନ୍ଦର୍ପର ଶର ସମୂହ । ଗଣପତି ଗଣନାରେ - ଗଣେଶଙ୍କ ଗଣନାରେ । ଗୁଣ ନିକିସରେ - ଗୁଣ ବର୍ଣ୍ଣନା ଶେଷ ହୁଏ ନାହିଁ । କଳ୍ପିଲେ - କଳନା କଲେ । କଳ୍ପ ଲକ୍ଷଣ କ୍ଷଣ - ଯୁଗର ସମୟ କ୍ଷଣମାତ୍ର ହୁଏ ।

 

୧୬ । କ୍ଷଣଦାର ପତି - ରାତ୍ରିର ପତି, ଚନ୍ଦ୍ର । କାମ ବିମୋହନ - ମଦନମୋହନ ଶ୍ରୀକୃଷ୍ଣ । ଖ୍ୟାତ କଳେବର ବର - ସୁନ୍ଦର ଦେହ ବୋଲି ବିଖ୍ୟାତ (ଚନ୍ଦ୍ରଙ୍କ ଲାବଣ୍ୟ, କାମର ସୌନ୍ଦର୍ଯ୍ୟ ଓ ପ୍ରେମର ମାଧୁର୍ଯ୍ୟ ମିଶି ଶ୍ରୀକୃଷ୍ଣଙ୍କ ଶରୀର ଗଠିତ) । ବର ଇଚ୍ଛିବେ - ପତି ରୂପେ ପାଇବାକୁ ଇଚ୍ଛା କରିବେ । ବର ରମଣୀ ନିକର - ଶ୍ରେଷ୍ଠ ସୁନ୍ଦରୀ ନାରୀମାନେ । ଶ୍ରବଣରେ - କେବଳ ଶୁଣିବାରେ । ଦେଖିବାର ବାର - ନଦେଖି ମଧ୍ୟ ।

 

୧୭ । ବାରପତି ସୁତା - ଦଳପତି ବୃଷଭାନୁଙ୍କର କନ୍ୟା ଶ୍ରୀରାଧା । ସୁକୃତି - ପୁଣ୍ୟ । କୀର୍ତ୍ତି - ଯଶ । ବିଖ୍ୟାତି - ବିଖ୍ୟାତ ହେବା । ଶିବ - ମଙ୍ଗଳ । ମୁନିବାର - ମୁନିମାନଙ୍କର । ମୋହିତ ମନ୍ଦିର - ମୋହର ସ୍ଥାନ ।

 

୧୮ । ଶିବପର - ଶିବଙ୍କ ଶତ୍ରୁ କନ୍ଦର୍ପ । ହର ଦର୍ପହର - ଶିବଙ୍କର ଧୈର୍ଯ୍ୟନାଶକ । ହରିଣୀକି - ମୃଗୀକୁ । ବ୍ୟାଧଘାତ - ବାଣୁଆର ପ୍ରହାର ।

 

୧୯ । ଆରତ - ଦୁଃଖ । ପ୍ରେମର ମାର ପ୍ରଚାର ଚାର - ପ୍ରେମର ପ୍ରଚାର ବିଷୟରେ କନ୍ଦର୍ପ ଦୂତ ସ୍ଵରୂପ । ଚାରଣାଦି - ଗନ୍ଧର୍ବ ପ୍ରଭୃତି । ସୁରନରେ - ଦେବତା ଓ ମାନବରେ । ପଶୁ ପତଙ୍ଗରେ - ପଶୁପକ୍ଷୀରେ । ସଂସାର ସାର - ସଂସାରର ଉତ୍‌ତ୍କୃଷ୍ଟ ପଦାର୍ଥ ।

 

୨୦ । ସାରଙ୍ଗ - ଚାତକ । ଘନଘନ ମେଘପାଣି । ସାରସ - ପଦ୍ମ । ବନ - ଜଳ । ଏକାଙ୍ଗୀ - ପତିସଙ୍ଗହୀନା ନାରୀର । ସତତରେ - ସର୍ବଦା । ଯୋଗେ ସୁଖ - ସଂଯୋଗରେ ସୁଖ । ବିଯୋଗରେ ଦୁଃଖ - ବିରହରେ ଦୁଃଖ । ଯୁଗ୍ମାଙ୍ଗୀ - ପତି ପରାୟଣା ନାରୀ । ବିହିତ - ବିଧିସମ୍ମତ ।

 

୨୧ । ହିତ କେ କାହାର କରେ - କେହି କେହି ଅନ୍ୟର ହିତ କରନ୍ତି । କେ କାହାର ହରେ - କେହି କେହି ଅନ୍ୟର ହିତକୁ ହରଣ କରନ୍ତି ଅର୍ଥାତ୍ ଅହିତ କରନ୍ତି । ପରପ୍ରୀତି ଲୋଭ ଯାର ଯାର - ଯେଉଁମାନଙ୍କର ଅନ୍ୟଠାରେ ପ୍ରୀତି ଥାଏ । ଜାରଇ ସେ ଜ୍ୱରା ପରି - ବାର୍ଦ୍ଧକ୍ୟ ବା ଜରାପରି ସେ ଜର୍ଜରିତ କରେ । ଲଭିବା - ପାଇବା । ସୁଖ ସୁଧାର ଧାର - ସୁଖ ରୂପକ ଅମୃତର ଧାରା ।

 

୨୨ । ଧାରଣ ତୁ ସେହି ଦୀକ୍ଷା କରିବାରୁ - ତୁ ସେହି ବ୍ରତ ଧାରଣ କରିବାରୁ । କକ୍ଷା କାମ ପ୍ରେମ କରେ ବାରେ ବାରେ - କାମ ଓ ପ୍ରେମ ଦୁହେଁ ବାରମ୍ବାର ସ୍ପର୍ଦ୍ଧା କଲେ । ବାରେ ସହୀ ରାଧା ଜାଣି - ସହୀ ରାଧା ଜାଣିବାରେ, ସହୀ ରାଧା ଅନୁଭବ କରିବାରେ । ସୁରସୁତ ଆଣି ଅଧର - ବାଳସୂର୍ଯ୍ୟପରି ଓଠ । ଖରେ - ଶୀଘ୍ର ।

 

୨୩ । ଖରେ ଆକାଶକୁ । ଛନ ଛନ - ଉତ୍‌କଣ୍ଠିତ ହୋଇ । ଘନଘନ - ବାର ବାର । ଚିତ୍ତସୁତ ବରଶରେ - କନ୍ଦର୍ପର ଶ୍ରେଷ୍ଠ ଶରରେ । ସରେ - ସରିଯାଉଅଛି । ସରେ - ସରୋବରରେ । ନଳିନ - ପଦ୍ମ । କରି ମରଦନ - ମୁଖପଦ୍ମକୁ ଶୁଷ୍କ କରି । ଅନ୍ତେସ୍ଥିତ - ଶେଷ ଦଶାରେ ଉପସ୍ଥିତ । ସେ - ଶ୍ରୀରାଧା । ବିଧୀରେ – ଅଧୀର ଭାବରେ । ଧୀରେ - ବୁଦ୍ଧିରେ ।

 

୨୪ । ଧୀରେ - ବୁଦ୍ଧିରେ, ସ୍ଥିର ଭାବରେ । ସେ ଭାବକୁ - ଶ୍ରୀରାଧାଙ୍କର ଭାବକୁ । ହାର - ମାଳା । ଜୀବନର ଭିନ୍ନ - ଜଳ ବ୍ୟତୀତ । କ୍ଷୀରେ - ଦୁଧରେ । ଧୀରେ - ବୁଦ୍ଧିରେ, ପଣ୍ଡିତମାନେ । ଭାବ - ଅଭିପ୍ରାୟ । ଭାବ - ବିଚାର କର, ଚିନ୍ତାକର । (କବି ଅଭିମନ୍ୟୁ ସାମନ୍ତସିଂହାର ଶ୍ରୀରାଧାଙ୍କର ଭାବକୁ ଜୀବନ ଥିବା ପର୍ଯ୍ୟନ୍ତ ଗଳାର ହାର କରି ରଖିଥିବେ । କ୍ଷୀର ଜଳ ଅପେକ୍ଷା ଅଧିକ ସ୍ଵାଦୁ ବିଶିଷ୍ଟ ହେଲେ ହେଁ ମତ୍ସ୍ୟ ଯେପରି କ୍ଷୀରରେ ବାସ ନକରି ଜଳରେ ବାସ କରେ, କବି ସାମନ୍ତସିଂହାର ସେହିପରି ସଂସାରରେ ସୁଖଭୋଗ ପ୍ରତି ଆକୃଷ୍ଟ ହୋଇ ରାଧାକୃଷ୍ଣଙ୍କ ମହାଭାବରେ ମଜ୍ଜି ରହିବା ନିମନ୍ତେ ଇଚ୍ଛା ପୋଷଣ କରିଛନ୍ତି ।

 

ଊନ୍ନଚତ୍ୱାରିଂଶ ଛାନ୍ଦ

 

୧ । ଧୀରଚକ୍ର - ପଣ୍ଡିତଗଣ । ହୃଦପଦ୍ମ - ହୃଦୟରୂପକ ପଦ୍ମ । ମିହିର - ସୂର୍ଯ୍ୟ । ଗ୍ରାହକ - ରସିକ, ସହୃଦୟ । କାମି - କାମିଦା - କାମୁକର କାମନା ପୂରଣକାରୀ । ଚିନ୍ତାମଣି - ଅଭିଳାଷ ପୂରଣକାରୀ ମଣି । ଗରିମା - ଗୌରବ, ମହତ୍ତ୍ୱ ପ୍ରୀତିଆ - ପ୍ରେମଶୀଳ ବ୍ୟକ୍ତିଙ୍କର ।

 

୨ । ଅଧୀରେ - ଧୈର୍ଯ୍ୟ ହରାଇ । ଧୀରା ରତନ - ଧୈର୍ଯ୍ୟବତୀ ନାରୀମାନଙ୍କର ମଧ୍ୟରେ ଶ୍ରେଷ୍ଠା, ଶ୍ରୀରାଧା । ଆରତି - ଦୁଃଖିତା, କାତରା । ବିଶାଖିକା - ବିଶାଖା । ହାଥ - ହାତ । ଭିଆଇଲା - ସୃଷ୍ଟିକଲା ।

 

୩ । ବିଧି ରଚନା - ବିଧାତା ସୃଷ୍ଟ । ଅବ୍ୟୟ - ଅବିକୃତ ଓ ଅନଶ୍ୱର । ନିତ୍ୟ - ଚିର ସ୍ଥାୟୀ । ଅର୍ଜିତ ଇନ୍ଦ୍ରିୟ - ଇନ୍ଦ୍ରିୟର ବଶବର୍ତ୍ତୀ ବା ଇନ୍ଦ୍ରିୟାଧୀନ ବ୍ୟକ୍ତି ।

 

୪ । ବୟ - ବୟସ । ସ୍ୱଳ୍ପ - ନିର୍ମଳ । ଆରଦ୍ର - ତରଳ, ରସ ଗ୍ରହଣ କରିବା ପାଇଁ ଯାହାର ହୃଦୟ ଉପଯୋଗୀ । ରସ ରତ୍ନ - ରସ ରୂପକ ରତ୍ନ । ସଂଯୋଗ - ମିଳନ । ସମ୍ବନ୍ଧୁ - ହେତୁ । ପ୍ରଣୟ ବିଧୁ - ପ୍ରୀତି ରୂପକ ଚନ୍ଦ୍ର ।

 

୫ । ନିକୃଷ୍ଟ - ଅଧମ । ଛାୟା ବିମ୍ବବତ - ଛାଇର ପ୍ରତିବିମ୍ବ ପରି ଜଳରେ ଚନ୍ଦ୍ରର ପ୍ରତିବିମ୍ବ ବା ଛାୟା ଭଳି । ମଧ୍ୟ ଭଳି - ମଧ୍ୟମ ଶ୍ରେଣୀୟ ବ୍ୟକ୍ତି । ପ୍ରତିବିମ୍ବ - ପ୍ରତିଚ୍ଛାୟା । ଖ୍ୟାତ - କଥିତ । ଅକ୍ଷୟ - ଯାହାର କ୍ଷୟ ନାହିଁ । ଅକ୍ଷୁଣ୍ଣ - ଅଖଣ୍ଡ । ଅଙ୍କରହିତ - କଳଙ୍କଶୂନ୍ୟ । ଉତ୍ତମଜନ - ଉତ୍କୃଷ୍ଟ ଜାତିର ବ୍ୟକ୍ତି । ଅମୃତ ଆହ୍ଲାଦ - ଅମୃତ ପରି ଆନନ୍ଦଦାୟକ ।

 

୬ । ପ୍ରଣୟ ବୀଜ - ପ୍ରେମର ମଞ୍ଜି । ହୃଦାଳ ବାଳେ - ହୃଦୟ ରୂପକ ମନ୍ଦାରେ । କାମରାଜ କନ୍ଦର୍ପ ରାଜା । ଅଙ୍କୁର - ରାଜା । ସୁରସ - ଉତ୍ତମ ଭାବ, ପ୍ରଚୁର ଜଳ । ତିନି ବିଧି - ତିନି ପ୍ରକାର; ପୋତା ହେବା, ଜଳ ପାଇବା ଓ ଗଜା ହେବା । ହାବ, ଭାବ, ପରିହାସ - କାୟିକ ବା ବାହ୍ୟ ଚେଷ୍ଟା, ମାନସିକ ବା ଅନ୍ତର୍ଗତ ଚେଷ୍ଟା, ବାଚିକ ବା ପରିହାସ ଚେଷ୍ଟା । ବିଶାଖା - ଭିନ୍ନ ଭିନ୍ନ ଶାଖା ।

 

୭ । ନାନା କ୍ରୀଡ଼ା - ବିଭିନ୍ନ ପ୍ରକାର କେଳି କୌତୁକ । ଭଙ୍ଗୀ - ଠାଣି । ଚାତୁର୍ଯ୍ୟ - ଚତୁରପଣିଆ । ପଲ୍ଲବ - ପତ୍ର । ସୁମନ - ଫୁଲ । ରାଗାମୃତ - ଅନୁରାଗ ରୂପକ ଅମୃତ । ଆସ୍ୱାଦନ - ଚାଖିବା, ଉପଭୋଗ । ମାଦକ - ନିଶାଦ୍ରବ୍ୟ । ଦୁର୍ଜୟ ମାଦକ - ଯେଉଁ ନିଶାଦ୍ରବ୍ୟକୁ ଜୟ କରିହେବ ନାହିଁ ଅର୍ଥାତ୍ ଛାଡ଼ି ହେବ ନାହିଁ ।

 

୮ । ଆୟତ୍ତ - ଅଧୀନ । ଇନ୍ଦ୍ରିୟରତ - ଇନ୍ଦ୍ରିୟାସକ୍ତ । ପ୍ରକୃତି ବଶ - ସ୍ଵଭାବର ଅଧୀନ, ସାଂଖ୍ୟା ପ୍ରତିପାଦିତ ମୂଳ ପ୍ରକୃତିର ଅଧୀନ । ମଦନ - କନ୍ଦର୍ପ ।

 

୯ । ସୁରତି ବଶ - ଉତ୍ତମ ରତିର ଅଧୀନ । ପ୍ରୀତିରୁ - ପରସ୍ପର ଅନୁରାଗରୁ । ଭାବ ସମ୍ବନ୍ଧ - ସ୍ନେହ ସମ୍ବନ୍ଧ । ଆଲମ୍ବନ - ଆଶ୍ରୟ, ଆଲମ୍ବନ ବିଭାବ । ଉଦ୍ଦୀପନ - ଉତ୍ତେଜନ, ଉଦ୍ଦୀପନ ବିଭାବ । ସମ୍ଭୂତ - ଉତ୍ପନ୍ନ ।

 

୧୦ । ମୋହନ ସାଗର - ମୋହି ହେବା ରୂପକ ସାଗର ; ଆନନ୍ଦ ସାଗର । ମାଦନ ଲହରୀ - ମାଦକତା ରୂପକ ତରଙ୍ଗ । ଆହ୍ଲାଦାମୃତ - ଆନନ୍ଦ ରୂପକ ଅମୃତ । ଜନନ - ଜନ୍ମ । ମୋହନନିଧି - ମୋହି ହେବା ରୂପକ ସମ୍ପତ୍ତି । ନଗଣେ - ଗ୍ରାହ୍ୟ କରେ ନାହିଁ, ଖାତିର କରେ ନାହିଁ । ଗର୍ବେଶ୍ୱର - ଗର୍ବିତ ।

 

୧୧ । ପରଚେ - ପରିଚିତ । ସଂଯୋଗ - ମିଳନ, ସମ୍ଭୋଗ । ବିଯୋଗେ - ବିଚ୍ଛେଦରେ । ଦୁଇ ସ୍ୱଭାବ - ସୁଖଦୁଃଖ ଭାବ । ଉଦୟେ - ଜାତ ହୁଏ । ବଚନେ - କଥାରେ ।

 

୧୨ । ସୁଧା ଶିରୀ ସାର - ସୁଖାମୃତ ରୂପକ ଶ୍ରେଷ୍ଠ ସମ୍ପତ୍ତି । ଛିକାର - ହେୟ । ଲବ - ଅଳ୍ପ । କ୍ରୋଟଗତ ସର୍ପ - କୋରଡ଼ରେ ଥିବା ସାପ ବା ଗାତରେ ଥିବା ସାପ । ଅଗ୍ନି ଆଚ୍ଛାଦନ ତାପ - କୋରଡ଼ ମୁହଁରେ ବା ଗାତ ଉପରେ ଜଳା ହେବା ନିଆଁର ତାତି ।

 

୧୩ । ବିଧି - ବିଧାତା, ସ୍ରଷ୍ଟା । ଅବିଧି ବିଧି - ଅନୁଚିତ କାର୍ଯ୍ୟ । ସିଦ୍ଧି - ସଫଳ । ସୁଖବାର - ସୁଖସମୂହ ।

୧୪ । ଅପକୀର୍ତ୍ତି - ନିନ୍ଦା । ଉଚ୍ଛନ୍ନ ରତନ - ଉଦ୍‌ବେଗ ରୂପକ ରତ୍ନ । ନିନ୍ଦାଢୋଲ - ନିନ୍ଦାର ପ୍ରଚାର । ନିରପତ୍ରପ - ନିର୍ଲଜ୍ଜତା ।

 

୧୫ । ଭାବଜଳଧି କଲ୍ଲୋଳ - ଅନୁରାଗରେ ସମୁଦ୍ରରେ ଭାବନାର ତରଙ୍ଗ । ଭାବ ଶାବଲ୍ୟତା - ବହୁ ଭାବର ସମ୍ମିଶ୍ରଣ ।

 

୧୬ । ତ୍ରପା - ଲଜ୍ଜା । କୃପା - ଦୟା । ଅକ୍ଷ ପଲକେ - ଆଖିପିଛୁଳାକେ । ଲବକେ - ଅଳ୍ପକେ । ରାଗ - ଅନୁରାଗ । ବଳାବଳି - ପରସ୍ପରକୁ ବଳିଯିବା ।

 

୧୭ । ଅପ୍ରାକୃତ - ଅପାର୍ଥିବ, ଅଲୌକିକ, ବିଶୁଦ୍ଧ । କାମ - କନ୍ଦର୍ପ । ବାମ - ପ୍ରତିକୂଳ, ବିପକ୍ଷ । ପରବଶ - ପରାଧୀନ, ଅନ୍ୟର ବଶୀଭୂତ । କୂଳ କ୍ରିୟା ଭାବ - ବଂଶର ନିୟମ ଆଚାରେ ବିଷୟକ ଧାରଣା । ଧୀରା - ଧୈର୍ଯ୍ୟଶାଳିନୀ ।

 

୧୮ । ଅନଳ - ନିଆଁ । କୂଳ - ତୀର ଓ ବଂଶ । ମାଦକ - ନିଶାଦ୍ରବ୍ୟ । ବଡ଼ଶୀ - ବନିଶି । ମନ ମୀନ - ମନ ରୂପକ ମତ୍ସ୍ୟ । ନିଏ ଆକର୍ଷି - ଟାଣି ନିଏ ।

 

୧୯ । ପଦାର୍ଥ ଜ୍ଞାନ - ପଦାର୍ଥ ବିଷୟକ ଧାରଣା । ପ୍ରୀତିୟା ସଂସାର - ପ୍ରେମିକ ପ୍ରେମିକାଙ୍କ ଜଗତ ।

୨୦ । ସର୍ବେନ୍ଦ୍ରିୟ - ସମସ୍ତ ଇନ୍ଦ୍ରିୟ । ତୃଣ - ଘାସ, ଏଠାରେ ତୁଚ୍ଛ । ସର୍ବଭୂତମୟ - ସମସ୍ତ ପ୍ରାଣୀରେ ବ୍ୟାପ୍ତ ।

 

୨୧ । ଅସିଧାର - ଖଣ୍ଡା ଦାଢ଼ । ଫାନ୍ଦେଫାଶରେ । ଲକ୍ଷଣ - ସ୍ଵରୂପ । ପାରଦପାରାଧାତୁ ।

୨୨ । ଲାଖ ଘୋଡ଼ା - ଜର ନିର୍ମିତ ଘୋଡ଼ା । ନବନୀତ ସୂଆର - ଲହୁଣୀ ନିର୍ମିତ ଅଶ୍ୱାରୋହୀ । ପ୍ରଚଣ୍ଡାନଳେ - ପ୍ରଖର ଅଗ୍ନିରେ ।

 

୨୩ । ଶୋଭାବନ୍ତ ଗୁଣବନ୍ତ ପୀରତି - ସୁନ୍ଦର ଓ ଗୁଣଲୋକ ସହିତ ପ୍ରୀତି କରିବା । ପଥିକ ପରଚେ - ବାଟରେ ଯାଇଥିବା ଲୋକର ପରିଚିତ, ଅନୁଭବୀ ଜାଣେ । ପରପ୍ରୀତି - ପରକୀୟା ପ୍ରୀତି । ପ୍ରମାଦ - ବିପଦପୂର୍ଣ୍ଣ । ଜୀବଯିବ - ମୃତ୍ୟୁ ।

 

୨୪ । ବାରଣେ - ନିବୃତ୍ତିରେ । ନିର୍ବିଶେଷ - ଅଭିନ୍ନ, ପ୍ରଭେଦରହିତ, ସଂପୂର୍ଣ୍ଣ ଭାବରେ ନିଃଶେଷ । ଉଭୟ ପ୍ରୀତିୟା - ପ୍ରେମିକ ଓ ପ୍ରେମିକା । ବାରଣ - ନିଷେଧ ।

 

୨୫ । ସେହି - ପ୍ରେମିକ ଚକ୍ଷୁରେ ପ୍ରେମିକା ବା ପ୍ରେମିକା ଚକ୍ଷୁରେ ପ୍ରେମିକ । ପ୍ରକାଶେ - ଅନୁଭୂତ ହୁଏ । ଜାଗ୍ରତେ ଥିଲେ - ଚେଇଁଥିବା ବେଳେ । ଜ୍ଞାନ ହିଁ ନ ଥାଇ - କୌଣସି ବିବେଚନା ଶକ୍ତି ନ ଥାଏ । କାୟ ମନୋବାକ୍ୟେ - ଶରୀର, ମନ ଏବଂ କଥାରେ । ତ୍ରିଲୋକେ - ସ୍ୱର୍ଗ, ମର୍ତ୍ତ ଓ ପାତଳରେ ।

 

୨୬ । ସ୍ଫୁରେ - ପ୍ରକାଶ ପାଏ । ପାଣି - ହାତ । ଉଦର - ପେଟ । ଉରଜ - ସ୍ତନ । ବିଲୋକନ - ଦେଖିବା । ତଦାଭାବ - ତାହାରି ପରି । ଜନିତ - ଜାତ ହୁଏ ।

 

୨୭ । ପ୍ରୀତିୟା ପ୍ରତିଭା - ପ୍ରେମିକର ପ୍ରୀତିସମ୍ବନ୍ଧୀୟ ବୁଦ୍ଧିର ଚମତ୍କାରିତା । ଲମ୍ପଟେ - ଲୋଭରେ । ଏକୈକ ପ୍ରଦେଶଏକ ଏକ ଅଙ୍ଗରେ ।

 

୨୮ । ସ୍ଵଆୟତ୍ତେ - ନିଜ ଅଧୀନରେ । ମହାପାପ - ସବୁଠାରୁ ବଡ଼ ପାପ । କୃତାର୍ଥ - କୃତକାର୍ଯ୍ୟ ।

୨୯ । ବାଣୀ - ବଚନ, କଥା । ପ୍ରୀତି ପାସୋରା ମନ୍ତ୍ର - ପ୍ରୀତିକୁ ଭୁଲିଯିବାର ଉପାୟ ।

 

୩୦ । କୁବୁଦ୍ଧି - ମନ୍ଦ ବୁଦ୍ଧି । ପ୍ରପଞ୍ଚ - କୁତ୍ସିତ, ମାୟାମୟ ଅନିଷ୍ଟକାରୀ । ପରମ ପଦାର୍ଥ - ବ୍ରହ୍ମ ସ୍ଵରୂପ ସାରବସ୍ତୁ । ଧୀରେ - ପଣ୍ଡିତମାନେ ।

 

୩୧ । ଦୁଜେ - ଦ୍ୱିତୀୟରେ । ଦେହଳି - ଦ୍ଵାରବନ୍ଧ, ଏରୁଣ୍ଡିବନ୍ଧ । ରସରେ - ଜଳରେ, ଶୃଙ୍ଗାର - ରସରେ । ତୃଷା - ପାନ ବା ଭୋଗଇଚ୍ଛା । ତୃଷ୍ଣା - ଲୋଭ । ଅନାୟତ୍ତ - ଅସମ୍ଭାଳ ।

 

୩୨ । କୃଷ୍ଣ ନାଗର - ରସିକଶ୍ରେଷ୍ଠ ଶ୍ରୀକୃଷ୍ଣ । କୃଷ୍ଣ - ମରିଚ । ନାଗର - ଶୁଣ୍ଠି । ପଦ୍ମିନୀ ମୂଳ - ପଦ୍ମିନୀଜାତୀୟା ଶ୍ରେଷ୍ଠା ନାରୀ, ପଦ୍ମଲତାର ମୂଳ । ସଂଯୋଗ - ମିଳନ, ମିଶ୍ରଣ । ରସ ପରିପାକ - ଶୃଙ୍ଗାର ରସର ପରିପୂର୍ଣ୍ଣତା; ରସକୁ ରାନ୍ଧି ପାଚନ ପ୍ରସ୍ତୁତ କରିବା । ଶୁଚିବନ୍ତ - ଶୃଙ୍ଗାରରେ ତନ୍ମୟ ଭାବ, ଶୁଦ୍ଧଭାବ । ସରାଗେ - ଅନୁରାଗ ସହକାରେ, ଆଗ୍ରହ ସହିତ ।

 

୩୩ । ବିମୋହ - ଅଚେତନ । ମଣାଇ - ମନକୁ ବୁଝାଇ ।

୩୪ । କଦର୍ଥନା - କଷ୍ଟ । କୁମ୍ଭକାର କୀଟ - କୁମ୍ଭାର ପୋକ ।

୩୫ । ଚିତ୍ରମୂର୍ତ୍ତି - ଚିତ୍ରପଟ । ଗତି - ମୋକ୍ଷ ।

 

୩୬ । ଲିହିବ - ଲେଖିବ । ଶ୍ୟାମ ବସନ - କଳା ଲୁଗା । ହାଥେ - ହାତରେ ।

୩୭ । ତମାଳ - ଗାଢ଼ ସବୁଜ ବର୍ଣ୍ଣର ବଡ଼ ବଡ଼ ପତ୍ର ଥିବା ବୃକ୍ଷବିଶେଷ ।

୩୮ । ନିବର୍ତ୍ତାଇ - ଫେରାଇ । ବିମୋହେ - ଚେତା ହରାଇ ।

 

୩୯ । ତପ୍ତ ଲୌହ ପାତ - ତାତିଲା ଲୁହା ପାତ୍ର ବା କରେଇ । ତନୁ ବିଚେଷ୍ଟା - ଦେହ ବିକାର । ଗର୍ତ୍ତ ଜୀବ - ଗାତ ଭିତରେ ଥିବା ପ୍ରାଣୀ, ସାପ, ମୂଷା ପ୍ରଭୃତି । ଧୂମ ଧୂପିତ - ଧୂଆଁରେ ଧୂପିତ ।

 

୪୦ । ଚୂର୍ଣ୍ଣେ - ଚଞ୍ଚଳ । ମୃତ୍ୟୁ ସଞ୍ଜୀବନୀ - ମୃତ ଲୋକକୁ ବଞ୍ଚାଇବାର ମନ୍ତ୍ର ବା ଉପାୟ ।

୪୧ । ଯୁବା ଯିବା ଜୀବ - ଯୁବକ ଶ୍ରୀକୃଷ୍ଣଙ୍କ ନିକଟକୁ ଯାଉଥିବା ପ୍ରାଣ । ଗଣ୍ଡପାଳି - ଗାଲ । ଉପଚାର - ପ୍ରତିକାର । ଚେତି - ଜାଗ୍ରତ ହୋଇ ।

 

୪୨ । ବାଣୀ - କଥା । ମିତଣୀ - ସଖୀ । ଦୀନ - ବିନୀତ । ଭଗାରି - ଶତ୍ରୁ । ଉମା - ପାର୍ବତୀ । ମହେଶ୍ୱର - ଶିବ । ବିନତି – ପ୍ରାର୍ଥନା ।

 

ଚତ୍ୱାରିଂଶ ଛାନ୍ଦ

 

୧ । ଗୋରୀ - ଶ୍ରୀରାଧା । ଗରଗର - ଉତ୍ତେଜିତ । ଗୁଣୀମଣି - ଗୁଣବତୀଶ୍ରେଷ୍ଠା ଶ୍ରୀରାଧା ।

୨ । ଗିରିବରଧର - ଗୋବର୍ଦ୍ଧନ ଗିରିଧାରୀ ଶ୍ରୀକୃଷ୍ଣ । ସାର - ଉତ୍କୃଷ୍ଟ । ଶ୍ରୁତି - କାନ । ମତି - ମନ । ତାପଶ୍ରେଣୀ - ସନ୍ତାପମାନ ।

 

୩ । ଗଜପତି - ଗଜଗମନା ଶ୍ରୀରାଧା । ବାଣୀ - ବଚନ । ଗୁରୁ ନିତମ୍ବିନୀ - ସୁନ୍ଦର କଟି ବିଶିଷ୍ଟା ଶ୍ରୀରାଧା । ସୁଧା - ଅମୃତ । ଆଣି - ଟେକ ।

 

୪ । ଗୁଣ ଗୁଣ ଗଣନେ - ଗୁଣ ସମୂହକୁ ଗଣିବା ବିଷୟରେ । ଗଣକବାରେ - ଗଣନାକାରୀଙ୍କ ମଧ୍ୟରେ । ଗାରେ - ଗାର ପଡ଼ିବାକୁ ଅନନ୍ତ ବୟସ - ଶେଷଦେବଙ୍କ ଆୟୁଷ ।

 

୫ । କାମଗାଈ - କାମଧେନୁ । ଏକରେଖେ - ଗୋଟିଏ ଗାରରେ । ଗୋପ୍ୟ - ଗୋପନୀୟ । ଗମି - ପାଇ ବା ପଶି । ନିଗମ - ବେଦ, ଯେଉଁଠାକୁ ଗମନ କରିହେବ ନାହିଁ ।

 

୬ । ଲୋକେ - ସଂସାରରେ । ବୁଦ୍ଧିପତି - ବୃହସ୍ପତି । ଗିର - ବଚନ । ଗୋଚର - ଜାଣି । ରସବତୀ - ରସିକା ।

୭ । ଗ୍ରହପତି - ସୂର୍ଯ୍ୟ । ଗରୀୟାନ - ବଡ଼ । ଶଶୀ - ଚନ୍ଦ୍ର । ଗଭୀରତା - ଗାମ୍ଭୀର୍ଯ୍ୟ । ସିନ୍ଧୁ - ସାଗର । ଅକଳିତ - କଳନାର ଅତୀତ । ଗୋତ୍ର ଶ୍ରେଷ୍ଠ - ପର୍ବତ ଶ୍ରେଷ୍ଠ, ମେରୁ ବା ହିମାଳୟ । ଧୀର - ଧୈର୍ଯ୍ୟଶାଳୀ ।

 

୮ । ଗୁଣିଗଣ - ଗୁଣବାନ ଲୋକ । ସଦାଶିବ - ମହାଦେବ । ଯୋଗ୍ୟାଯୋଗ୍ୟ - ଭଲମନ୍ଦ । ଦଇବ - ବିଧାତା । ପବିଭାବ - ବଜ୍ରପରି । ଗୁଣବନ୍ତଠାରେ - ସାଧୁଙ୍କଠାରେ । କରକା - କୁଆପଥର । ଦ୍ରବ - ତରଳ ।

 

୯ । ଗୁରୁ - ବୃହସ୍ପତି । ଗୋତ୍ରଠାରୁ - ପର୍ବତଠାରୁ । ସହିଷ୍ଣୁତା - ସହିବା ଶକ୍ତି । ନିତି ବିଧି - ନିତ୍ୟକର୍ମ । ଗୋତ୍ର ଭୟଦ - ପର୍ବତର ଭୟଦାତା, ଇନ୍ଦ୍ର । ଗରିମା - ଗୁରୁପଣ । ପ୍ରଳୟ ପୟୋନିଧି - ପ୍ରଳୟ କାଳର ସମୁଦ୍ର ।

 

୧୦ । ଗାଧି - ରାଜା, ମୁନି ବିଶ୍ୱାମିତ୍ରଙ୍କ ପିତା । ରାମ - ରାମଚନ୍ଦ୍ର, ପର୍ଶୁରାମ । ପୃଥୁ - ବେଣୁ ରାଜଙ୍କ ପୁତ୍ର । ଜିଣି - ବଳି । କୀର୍ତ୍ତିକର - କୀର୍ତ୍ତିମାନ । ଗୀତବାଦ୍ୟ ନୃତ୍ୟଜିତ ବିଦ୍ୟାଧର - ଗାଇବା, ବଜାଇବା ଓ ନାଚିବାରେ ସେ ବିଦ୍ୟାଧରମାନଙ୍କୁ ଜିଣିଛନ୍ତି । ଗର୍ବ କେ କରିବ ଦାତା ପଣେ - ଦାତାପଣରେ ତାଙ୍କୁ ଜିଣି କେହି ଗର୍ବ କରିପାରିବେ ନାହିଁ । ବଳି - ଜନୈକ ରାଜା, ସେ ଥିଲେ ଦାନବୀର, ବାମନ ଅବତାରରେ ବିଷ୍ଣୁ ତାଙ୍କୁ ପାତାଳକୁ ଚାପିଥିଲେ । ଗଭା ମଣ୍ଡନ କରିବ ଶୁଣି ବଳି - ଶ୍ରୀକୃଷ୍ଣଙ୍କର ଦାନ କଥା ଶୁଣି ବଳି ତାଙ୍କର ସେବା କରିବ ।

 

୧୧ । ଗାତ୍ର ଲକ୍ଷ୍ୟ କେ - ଶରୀରର ଲକ୍ଷ୍ୟ କିଏ । ମଦନ - କନ୍ଦର୍ପ । ଗଉତମ - ଗୌତମ ମହର୍ଷି । ଧନ୍ୟ - ପ୍ରଶଂସାର ପାତ୍ର । ଇନ୍ଦ୍ର ବୋଲେ ଭାଳି - ଇନ୍ଦ୍ର ଭାବି ଭାବି ଗୌତମଙ୍କୁ ପ୍ରଶଂସା କରନ୍ତି; କାରଣ ଗୌତମଙ୍କ ଅଭିଶାପରେ ଇନ୍ଦ୍ର ସହସ୍ରାକ୍ଷ ହୋଇଥିବାରୁ ଶ୍ରୀକୃଷ୍ଣଙ୍କୁ ଭଲ ଭାବରେ ଦେଖିପାରୁଛନ୍ତି । ଚିନ୍ତାମଣି - ମନୋରଥ ପୂରଣକାରୀ ମଣିବିଶେଷ । ଗ୍ରାବ - ପଥର । ସୁଧା - ଅମୃତ । ହାସ ଭାଷା - ମଧୁର ହସ ଓ କୋମଳ ବାଣୀ । ଲକ୍ଷି - ଦେଖି । ଗଲା ଦ୍ରବି - ତରଳିଗଲା ।

 

୧୨ । ଧୀବନ୍ତ - ବୁଦ୍ଧିମାନ । ଗୋରୁ ବିପ୍ର ପ୍ରିୟ ଗୋବ୍ରାହ୍ମଣ ହିତକାରୀ । ଅନୁଗତ ବଶ - ଭକ୍ତର ଅଧୀନ । ଗଉରବୀ - ସମ୍ମାନକାରୀ । ସଦାତୋଷ - ସର୍ବଦା ଆନନ୍ଦମୟ ।

 

୧୩ । ଗୋତ୍ର ମିତ୍ର - ନିଜ ବଂଶ ଲୋକଙ୍କର ମିତ୍ର । ସାଧୁ ବନ୍ଧୁ ବତ୍ସଳ - ସାଧୁ ଓ ବନ୍ଧୁମାନଙ୍କଠାରେ ସ୍ନେହ । ନିଜ ଦାସେ - ନିଜର ଭୃତ୍ୟମାନଙ୍କଠାରେ । ନର୍ମଭାଷୀ - କୋମଳଭାଷୀ । ଇଙ୍ଗିତ - ଠାର । ବିଶାରଦ - ପଣ୍ଡିତ । ରସପଦ - ରସର ସ୍ଥାନ ।

 

୧୪ । ଗ୍ରାହକ - ଗ୍ରହଣକାରୀ । ଅନୁରାଗ ରତନ - ସ୍ନେହ ବା ପ୍ରେମରତ୍ନ । ଗାଢ଼ - ଦୃଢ଼ । ଶୂର - ବୀର । ଗାମ୍ଭୀର୍ଯ୍ୟତା - ଗମ୍ଭୀରପଣିଆ । ତାର୍କିକ - ତର୍କବିଦ୍ୟାରେ ନିପୁଣ ।

 

୧୫ । ଗ୍ଳାନିଜନ - ଦୁଃଖୀ ଲୋକ । ଗୀର୍ବାଣାଦି ବନ୍ଦ୍ୟ - ଦେବତାମାନଙ୍କର ପୂଜ୍ୟ । ବୁଦ୍ଧ - ପଣ୍ଡିତ । ବୋଧ ବୁଦ୍ଧି - ଜ୍ଞାନୀ ।

 

୧୬ । ଗିର ଚାତୁରୀ - ବଚନ ଚାତୁର୍ଯ୍ୟ । ଗୋ ଭଙ୍ଗିମା - ବାଳର ଭାଙ୍ଗ । ସ୍ୱଜନ - ଆତ୍ମୀୟ ଗୋପାଳମାନଙ୍କୁ । ଗୋଷ୍ଠଜନ - ଗୋପାଳ । ଗୋପୀନୟନଚକୋରୀ - ଗୋପୀମାନଙ୍କ ଚକ୍ଷୁ ଚକୋରୀ ସଦୃଶ । କଳାନିଧି - ଚନ୍ଦ୍ର, ଶ୍ରୀକୃଷ୍ଣ ଚନ୍ଦ୍ରସ୍ୱରୂପ ।

 

୧୭ । ଗତି - ଚାଲି । ମତି ଆକର୍ଷକ - ମନକୁ ଆକୃଷ୍ଟ କରେ । ଗରଧର ପର - ବିଷକଣ୍ଠ ଶିବଙ୍କ ଶତ୍ରୁ, କନ୍ଦର୍ପ ।

 

୧୮ । ଗତ ପ୍ରାଣତରୁ - ମରିଯାଇଥିବା ଗଛ । ପଲ୍ଲବିତ କର - କଅଁଳେଇ ଦିଅନ୍ତି । ଗିରି ଗ୍ରାବ - ପର୍ବତ ଓ ପଥର । ଦ୍ରବକାରୀ - ତରଳକାରୀ । ବଂଶୀଧର - ଶ୍ରୀକୃଷ୍ଣ । ଗ୍ରାମ୍ୟରସ ବଶ - ନିକୃଷ୍ଟ କଥାପ୍ରିୟ । ରତି ମତି ଚୋର - କନ୍ଦର୍ପର ପତ୍ନୀ ରତିର ମନଚୋର । ଗିରିଜାଦି ବିଚିନ୍ତିତ - ଦୁର୍ଗା ପ୍ରଭୃତିଙ୍କ ପୂଜ୍ୟ । ଗୋପୀଜାର - ଗୋପୀମାନଙ୍କଠାରେ ଲମ୍ପଟ ।

 

୧୯ । ଗତାଗତ - ଜନ୍ମ ମୃତ୍ୟୁ । ଅକ୍ଷୟ ରୂପ - ଅବିନଶ୍ୱର ରୂପ । ଗମ୍ୟ ତ୍ରିକାଳ - ଭୂତ, ଭବିଷ୍ୟତ ଓ ବର୍ତ୍ତମାନର ଜ୍ଞାତା ଓ ଜ୍ଞେୟ । ଭୂପ - ରାଜା, ଶ୍ରେଷ୍ଠ । ଗତି ନୁହଇ - ଅବସ୍ଥାର ପରିବର୍ତ୍ତନ ହେଉ ନାହିଁ । ନିତ୍ୟ ନୂତନ - ନିତି ନୂଆ । ଗୁରୁ - ପୂଜ୍ୟ । ସଚ୍ଚିଦାନନ୍ଦ - ସତ୍ୟ, ଜ୍ଞାନ ଓ ଆନନ୍ଦମୟ । ସାନ୍ଦ୍ରାପ ଘନ - ପୂର୍ଣ୍ଣମୂର୍ତ୍ତି ।

 

୨୦ । ଗତିଦାତା - ମୁକ୍ତିଦାତା । ନିଧି - ନବନିଧି । ସିଦ୍ଧି - ଅଷ୍ଟାଦଶ ସିଦ୍ଧି । ଗୂଢ଼ - ଗୁପ୍ତ । ଅବିଚିନ୍ତ୍ୟ - ଚିନ୍ତାର ବାହାରେ । ମହାଶକ୍ତି - ହ୍ଲାଦିନୀ, ସନ୍ଧିନୀ, ସମ୍ବିତ୍‌ - ତିନି ଶକ୍ତି । ଗାତ୍ର - ଶରୀର । ଅନନ୍ତ କୋଟି ବ୍ରହ୍ମାଣ୍ଡ ବଳି - କୋଟି କୋଟି ବ୍ରହ୍ମାଣ୍ଡଠାରୁ ବଡ଼ । ଗତାଗତ - ଯିବାଆସିବା । ଯହୁଁ - ଯାହାଙ୍କଠାରୁ । ଅବତାରାବଳି - ଅବତାର ସମୂହ । ଭାଗବତ ଏବଂ ବ୍ରହ୍ମ ସଂହିତାରେ ଶ୍ରୀକୃଷ୍ଣଙ୍କୁ ଅବତାରୀ ଭାବରେ ବର୍ଣ୍ଣନା କରାଯାଇଅଛି ।

 

୨୧ । ଗତି କାରଣ - ମୁକ୍ତିଦାତା । ମାରଣ ରିପୁଗଣେ - ଶତ୍ରୁମାନଙ୍କୁ ବିନାଶ କରିବା । ଆତ୍ମାରାମ ପଣେ - ଆନନ୍ଦମୟ ରୂପରେ ନିଜର ଲୀଳା ପ୍ରକଟନ ଦ୍ଵାରା । ଗଭୀରତା ସିନ୍ଧୁ ଲୀଳା କଲ୍ଲୋଳ - ଶ୍ରୀକୃଷ୍ଣଙ୍କର ଗଭୀରତାରୂପକ ସମୁଦ୍ରର ତରଙ୍ଗର କ୍ରୀଡ଼ା । ଜ୍ଞାନ ମନ ଚମତ୍କାରୀ ଜଗତର - ସଂସାରର ଜ୍ଞାନ ଓ ମନକୁ ଚମତ୍କାରିତା ପ୍ରଦାନ କରୁଅଛି ।

 

୨୨ । ଗୁପ୍ତ - ଅଜଣା । ଅସମାନ - ସମାନ ନାହିଁ । ପୂର୍ଣ୍ଣ ପ୍ରେମବିତ - ପୂର୍ଣ୍ଣ ପ୍ରେମରେ ପଣ୍ଡିତ । ଗଉରବୀ - ଗୌରବ, ସମ୍ମାନ । ପ୍ରିୟ ମଣ୍ଡଳରେ ଭକ୍ତମାନଙ୍କୁ । ଦତ୍ତ - ଦିଆଯାଇଛି । ଗିରି ସୁସ୍ୱର ମଧୁରତର ବଂଶୀ - ଶ୍ରୀକୃଷ୍ଣଙ୍କର ବଂଶୀର ଉତ୍ତମ ସ୍ଵର ଓ ବଚନର ମଧୁରତା । ଗୋଲୋକାଦି ବିଶ୍ୱଜନ ମନାକର୍ଷୀ - ବୈକୁଣ୍ଠ ପ୍ରଭୃତି ସମଗ୍ର ଜଗତର ଲୋକମାନଙ୍କ ମନକୁ ଆକୃଷ୍ଟ କରନ୍ତି ।

 

୨୩ । ଗଚ୍ଛିବାକୁ - ତୁଳନା ଦେବାକୁ । ବର ଶୋଭା ମୂର୍ତ୍ତି - ଶ୍ରେଷ୍ଠ ସୁନ୍ଦର ମୂର୍ତ୍ତି ବା ଶରୀର । ଗଲେ ନରେ - ନରମାନଙ୍କ ମଧ୍ୟରେ ଅବତାର ଗ୍ରହଣ କଲେ । ବିସ୍ମାପିତ ବିଶ୍ୱମତି - ବିଶ୍ୱର ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ ହୁଅନ୍ତି । ଗୁଣ ସାର ସାର କରି - ଶ୍ରୀକୃଷ୍ଣଙ୍କର ଗୁଣକୁ ସାର ସାର ବାଛି, ସଂକ୍ଷେପରେ ବାଛି । ଗଣି ପାରିବେ ନାହିଁ - ଗଣନା କରି ପାରିବେ ନାହିଁ । କୋଟିଏ ବିହି - କୋଟିଏ ବିଧାତା ।

 

୨୪ । ଗୁଣ - ଶ୍ରୀକୃଷ୍ଣଙ୍କର ଗୁଣ । ଗମିଥିଲି - ବୁଝିଥିଲି । ଶୁଣିମାରୁଁ କାନେ - କାନରେ ଶୁଣି ଥିବାରୁ । ଗତି - ମୁକ୍ତି । ସେ ବିନା - ତାଙ୍କ ବ୍ୟତୀତ । ଆନ - ଅନ୍ୟ କେହି । ଗାଢ଼େ - ଦୃଢ଼ ଚିତ୍ତରେ । ଉପାସନା - ପୂଜା ।

 

୨୫ । ମହାମୁଦ - ବିଶେଷ ଆନନ୍ଦିତ । ଗଲା ଅପସରି - ଦୂର ହୋଇଗଲା । କିଛି ହୃଦଖେଦ - କିଛି ପରିମାଣରେ ହୃଦୟର ଦୁଃଖ । ଗିର - ବାକ୍ୟ, ବଚନ । ସାର୍ଥକଲା - ସାର୍ଥକ କରି ବର୍ଣ୍ଣନା କଲା । ଗୁଣବନ୍ତ ଗ୍ରାହକେଗୁଣୀ ଗ୍ରାହକମାନେ, ଗୁଣ ଚିହ୍ନରା ଗ୍ରାହକମାନେ । ରସିବେ - ରସ ଆସ୍ୱାଦନ କରିବେ, ରସପ୍ରତି ଆକୃଷ୍ଟ ହେବେ । ଭାବି - ଶ୍ରୀକୃଷ୍ଣଙ୍କର ଗୁଣସବୁକୁ ଭାବନା କରି ।

 

ସପ୍ତଷଷ୍ଟି ଛାନ୍ଦ

 

୧ । ଧୀରେ - ପଣ୍ଡିତମାନେ; ବୈଷ୍ଣବମାନେ । ଘେନ - ଗ୍ରହଣ କର; ବିଚାର କର । ବିଳମ୍ବିତ - ବିଳମ୍ବ ଭାବ; ଉଚ୍ଛୁର । ବାତ୍ସଲ୍ୟ ମମତା - ପୁତ୍ର ସ୍ନେହ । ବୈଷ୍ଣବ ଧର୍ମରେ ଭକ୍ତି ପାଞ୍ଚ ପ୍ରକାର - ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ ଓ ମଧୁର । ମମତାବର୍ଜିତ ଶାନ୍ତ ପ୍ରେମ ଅପେକ୍ଷା ମମତାଯୁକ୍ତ ଦାସ୍ୟ ଭାବ ଗୌରବମୟ । ଦାସ୍ୟ ପ୍ରେମଠାରୁ ବିଶ୍ୱାସଭାବନୀୟ ସଖ୍ୟ ପ୍ରେମ ଉତ୍କୃଷ୍ଟ । ତା'ଠାରୁ ଅନୁଗ୍ରାହ୍ୟ ଭାବମୟ ବା ପାଲ୍ୟ (ଭକ୍ତ ପାଳକ, ଶ୍ରୀକୃଷ୍ଣ ପାଲ୍ୟ - ଏଇ ଭାବପୂର୍ଣ୍ଣ) ବାତ୍ସଲ୍ୟ ପ୍ରେମ ଶ୍ରେଷ୍ଠ । ତା'ଠାରୁ ସୁଖ ତାତ୍ପର୍ଯ୍ୟ ବର୍ଜିତ ଶ୍ରୀକୃଷ୍ଣ ସୁଖ ଅନୁସନ୍ଧାନ ତତ୍ପର କାନ୍ତାଭାବ ଶ୍ରେଷ୍ଠ । ବାସଲ୍ୟରେ କୃଷ୍ଣ ଅନୁଗ୍ରାହ୍ୟ ଓ ଯଶୋଦା ଅନୁଗ୍ରାହକ - ଏଇ ଭାବର ସୌନ୍ଦର୍ଯ୍ୟ ପ୍ରକାଶ ପାଉଛି । କଳାମାଣିକ - ମାଣିକ ରକ୍ତବର୍ଣ୍ଣବିଶିଷ୍ଟ ଦୁର୍ଲଭ ରତ୍ନ । କୃଷ୍ଣଙ୍କର ବର୍ଣ୍ଣ କଳା ହେତୁ ତାଙ୍କୁ କଳାମାଣିକ ରୂପେ ସମ୍ବୋଧନ କରିଛନ୍ତି ।

 

୨ । ଅନ୍ଧର ଲଉଡ଼ି - ଅସହାୟର ସହାୟ । ଦରିଦ୍ରପସରା - ଦୁଃଖୀର ଧନ । ହୃଦରତ୍ନହାରା - ଅନ୍ତରର ସର୍ବଶ୍ରେଷ୍ଠ ଐଶ୍ଵର୍ଯ୍ୟ।

୩ । ନୟନ ପ୍ରତିମା - ଆଖିର ପିତୁଳା । ସୁଖସୀମା - ସବୁ ସୁଖର କାରଣ ।

 

୪ । ସୁଖ କାହିଁପାଇଁ ସାରୁ - ସବୁବେଳେ ଭୟଭୀତ ହୋଇ ରହିବା ।

୫ । ଏକଇ ନନ୍ଦନ - ଏକମାତ୍ର ସନ୍ତାନ । ହରିଚନ୍ଦନ - ଚନ୍ଦ୍ରକିରଣ ପରି ଶୀତଳ ।

 

୬ । ଗୋଟିକା ଅଧାମ - ମିଠାଇ । ସର - ଦୁଧସର । ନାଚି ....କେମନ୍ତ - ଲହୁଣୀ ଖାଇବାକୁ ଆନନ୍ଦରେ ନାଚି ଲାଞ୍ଚ ମାଗୁ।

୭ । ଗୋଳି - ଦୁର୍ବଳ ହେବା, ଶୁଖିଯିବା ।

 

୮ । ଡାକିନୀ - ଡାଆଣୀ । ବାରୁଥାଇ - ମନାକରେ ।

୯ । ନିଶାଚର - ରାକ୍ଷସ । ଶ୍ରୁତିକି - କାନକୁ । ଡଙ୍କୁଣୀ - ଲୋଭୀ; ଯଶୋଦା ନିଜକୁ ଭର୍ତ୍ସନା କରୁଛନ୍ତି ।

୧୦ । ଝାଞ୍ଜି - ତାତିଲା । ଶ୍ରମ ପାଇ - କଷ୍ଟ ପାଇ ।

 

୧୧ । ମୃଦୁ ପାଦ ଚିନ୍ତା - କଅଁଳ ପାଦକୁ କଷ୍ଟ ହେବାର ଭାବନା ।

୧୩ । ବାଇ - ବାୟା, ବାତୁଳ । ବଡ଼ଭାଇ - ବଳରାମ । ବୋଧକରି - ବୁଝାଇ ।

 

୧୪ । ମାଧୁରୀ - ମଧୁରୀ ଭାବ । ସୁଚାତୁରୀ - ନିତି ନୂଆ ନୂଆ ଭାବ ଦେଖାଇବାରେ ବୁଦ୍ଧିର ତୀକ୍ଷ୍‌ଣତା । ବଳା - ପୁତ୍ର ।

୧୫ । ଛାତି ଫୁଲାଇ - ମନ ମୋଟ କରି ।

 

୧୬ । କୋଳି ପାଇଁ ଅଳି କରି - ତୁଚ୍ଛ କୋଳିଟିଏ ପାଇଁ ମାତା ଯଶୋଦାଙ୍କ ପାଖରେ ମିନତି କରିବା । କୃଷ୍ଣଙ୍କର ବାଲ୍ୟଲୀଳାର ଏକ ଚମତ୍କାର ଭାବ ଏଠାରେ ପ୍ରକାଶ ପାଇଛି ।

 

୧୭ । ନଟବର ପରିପାଟୀ - ନାଟୁଆ ପିଲାର ବେଶବିନ୍ୟାସ । ରଙ୍ଗିମା ଅଧରେ - ଲାଲ ଓଠରେ ।

 

୧୮ । ନୟନ ସୁନ୍ଦର - ଆଖିର ଭଙ୍ଗୀ । ମାନେ - ଶୋଭାପାଏ । ଭ୍ରୂଲତା ନାଟକୁ - ଭୂରୁ ନଚାଇବା । ଅଳକା - ଚୂର୍ଣ୍ଣକୁନ୍ତଳ।

୧୯ । କାବ୍ୟତାରା - ଶ୍ରୁକତାରା ପରି ଉଜ୍ଜ୍ୱଳ । ମୋତି - ମୁକ୍ତା । ବସୁଣୀ - ନାକର ଅଳଙ୍କାର । ନିରବଧି - ସଦାସର୍ବଦା ।

୨୦ । ମକର କୁଣ୍ଡଳ - ମକର ଆକୃତିର କାନ ଅଳଙ୍କାର । ଆନ୍ଦୋଳନ - ଦୋହଲେ ।

 

୨୧ । ଗୁଞ୍ଜବେଡ଼ା - କାଇଁଚ ଘେରା । ବାଙ୍କଚୂଡ଼ା - ବଙ୍କା ହୋଇ ରନ୍ଧା ହୋଇଥିବା କେଶ । ଖୋଷା ଜାମୁଡାଳି - ଜାମୁଗଛର କଅଁଳିଆ ଡାଳେ ଖଣ୍ଡେ ଖୋଷା ହେବା । ଏସବୁ ବର୍ଣ୍ଣନାରେ କୃଷ୍ଣଙ୍କର ସ୍ୱଭାବ ସୁନ୍ଦର ରୂପେ ବର୍ଣ୍ଣିତ ଯାହା ଅଧିକ ଆକର୍ଷଣୀୟ।

୨୨ । ସ୍ୱଚ୍ଛ - ନିର୍ମଳ । କେକୀପୁଚ୍ଛ - ମୟୂରପୁଚ୍ଛ । ସୁଗୁଞ୍ଜରା ପାଟି - ଅତି ସୁନ୍ଦର ଗୁଞ୍ଜର ପୋକର ଖୋଳପାରେ ଚିତ୍ରିତ । ପାଟିକି ମୁହଁକୁ, ବର୍ଣ୍ଣନା । ପରିପାଟୀ - ସୁବିନ୍ୟସ୍ତ, ସଙ୍ଗତି ।

 

୨୩ । କସ୍ତୁରୀ ତିଳକ - ମୃଗ ନାଭିରେ ତିଳକ । ଭାଲେ - କପାଳରେ ।

୨୪ । କଉସ୍ତୁଭ - ସାଗର ମନ୍ଥନ ବେଳେ ସମୁଦ୍ରରୁ ବାହାରିଥିବା ମଣିବିଶେଷ । ବନମାଳ - ଜାତିଜାତିକା ଫୁଲରେ ତିଆରି ମାଳ।

୨୬ । ହୁନ୍ଦର - କୌତୁକ, ଚାତୁର୍ଯ୍ୟ । ବାଇବୁଦ୍ଧି - ମନ ବାଇଆ ।

୨୭ । କଣ୍ଟ - ସମୟ ନିର୍ଦ୍ଦେଶ ।

 

୨୮ । ତଥ୍ୟ - ଠିକ୍‌କଥା । ପାପିଷ୍ଠା - ମହାପାପିନୀ ।

୨୯ । ରବିକର ସୂର୍ଯ୍ୟକିରଣ । କ୍ଷତମୃଗୀ - ଛଟପଟ ହରିଣୀ । ଲବ - କ୍ଷଣ ।

 

୩୦ । ସ୍ନେହଘେନା - ସ୍ନେହକୁ ବୁଝିପାରିବା ।

୩୧ । ଆତୁର - ବ୍ୟାକୁଳ । ପୟୋଧରୁ - ସ୍ତନରୁ । ଅତ୍ୟଧିକ ପୁତ୍ର ସ୍ନେହରେ ବକ୍ଷରୁ କ୍ଷୀର ଝରିଯାଉଛି । ମାତୃସ୍ନେହର ଅନୁପମ ମୂର୍ତ୍ତି ଅଙ୍କିତ । ସ୍ରବି - ଝରି ।

 

୩୨ । ବନ - ଜଳ, ଲୁହ । ପ୍ରତେ - ପ୍ରତ୍ୟୟ, ବିଶ୍ୱାସ ।

୩୩ । ଖତମାଳେ - ମେଘରେ । ସୁତମାଳେ - ସୁନ୍ଦର ତମାଳ ଗଛରେ । କୃପୂର୍ବ ଭାଷାରେ - କୃ ଅକ୍ଷର ପ୍ରଥମରେ ଥିବା

ଶଦ୍ଦରେ; ଯେମିତି କୃଶ ଅର୍ଥାତ୍‌ କ୍ଷୀଣ । ଏପରି ଭାବ ପ୍ରକାଶରେ ରୀତି ସ୍ୱାଭାବିକ ହୋଇପାରିନାହିଁ । କ୍ଳିଷ୍ଟ ପ୍ରୟୋଗ ।

 

୩୪ । ଅମ୍ବିକା - ଦୁର୍ଗା । କହ୍ନା କିଣାବିକା - କନାରେ ବିକି ଦେଇଥିବାରୁ କାହ୍ନୁ ନାମ । କନ୍ଥାର ଅପଭ୍ରଂଶ କହ୍ନା - କନା ।

୩୫ । ଅପତିପଣିଆ - ଯାହାର ଜନ୍ମ ପୂର୍ବରୁ ସନ୍ତାନ ମରିଥାଆନ୍ତି । ଅପତ୍ୟୟ ଶଦ୍ଦରୁ ଜାତ । ବାଳି - ବାଉଳୀ । ଲୋକନେ ଶୋଭନ - ଦେଖିବାକୁ ସୁନ୍ଦର ।

 

୩୬ । ମନ୍ଦଦୃଷ୍ଟି - ଡାହାଣୀ ଦୃଷ୍ଟି ।

୩୭ । ଗୋରଜ - ଗୋରୁଧୂଳି । ଆପଦ ହରଣେ - ବିପଦ ଖଣ୍ଡନପାଇଁ । ପଦରଜ - ପାଦଧୂଳି । ବୁଢ଼ୀମାନଙ୍କର ଆଶୀର୍ବାଦ

୩୮ । ରଙ୍ଗ କାଛ - ଲାଲ ଲୁଗା । ଡାକିନୀ - ଡାହାଣୀ । ତୁଚ୍ଛ ବେଶ - ଅଳଙ୍କାର ନଦେଇ ବେଶ ।

୩୯ । ଡାକୁ ମାତା ଗିର - ମା’ର କଥା ଶୁଣିବାକୁ ଡାକ ପକାଉ । ଗିରି - ବଚନ ।

 

୪୦ । ବନବାସୀ - ବଣରେ ରହିବ । ଜୀବନ ଧରି - ପ୍ରାଣ ଧରି ।

୪୧ । ଦଇବ ବିଧାତା । ଅବୁଝ - ଅବୁଝା, କଥା ନ ମାନିବା ।

୪୨ । ବିଭ୍ରମରେ - ଭୋଳରେ, ଭୁଲରେ । ସନ୍ନିକଟ - ପାଖ ।

 

୪୩ । ଅୟନେ - ବାଟକୁ । ନୟନେ ଦେଲେ - ଚାହିଁ ବସିଲେ । ହୃଦେ କରମାରି - ଛାତିକୁ ବାଡ଼େଇ; ଦୁଃଖରେ ଭାଙ୍ଗିପଡ଼ି । ପିଣ୍ଡକୁ - ଦେହକୁ ।

 

୪୪ । ରୋହିଣୀ - ବଳରାମଙ୍କ ଜନନୀ । ବାରିଲେ - ନିବାରଣ କଲେ । ବୋଧକରି - ସାନ୍ତ୍ୱନା ଦେଇ । ଧୀରେ ଘେନ - ପଣ୍ଡିତମାନେ ଗ୍ରହଣ କର, ଧୈର୍ଯ୍ୟ ସହିତ ଗ୍ରହଣ କର । ବାତ୍ସଲ୍ୟ ବଚନ ମାଧୁରୀ - ପୁତ୍ର ସ୍ନେହ ହେତୁ ମଧୁର ବିଳାପର ଭାବ । ଦୀନ - ଦୈନ୍ୟ, ଏଠାରେ ବୈଷ୍ଣବୀୟ ବିନମ୍ର ଭାବ । କୃଷ୍ଣପ୍ରେମରସ – ଶୁଦ୍ଧ ରାଗାନୁଗା ପ୍ରେମଭକ୍ତି । ନୋହିବ ଭାବନା - ଅନ୍ୟ କୌଣସି କଥାରେ ଚିନ୍ତା କରିବା ଅନୁଚିତ ।

 

ସମାପ୍ତ